Unknown

 

 

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟର ମତି ଓ ଗତି

ଗୁରୁଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ନିଜ କଥା

୨.

ଲେଖା ଓ ଲେଖକ

୩.

ସମାଜ ଓ ସାହିତ୍ୟ

୪.

ସତ୍ୟ ଓ ସାହିତ୍ୟ

୫.

ଶିବ ଓ ସାହିତ୍ୟ

୬.

ସୁନ୍ଦର ଓ ସାହିତ୍ୟ

୭.

ବୌଦ୍ଧିକ ସଂକଟ ଓ ଆତ୍ମ-ଅନ୍ତରିତତା

୮.

ଓଡ଼ିଆ ସାହିତ୍ୟ ପରିଚୟ ସମ୍ପର୍କରେ ପଦେ

୯.

ସାହିତ୍ୟ ସମାଲୋଚନାର ଉତ୍ତର

୧୦.

ସାହିତ୍ୟ ସମାଲୋଚନାର ସମସ୍ୟା

୧୧.

ନୂତନ ସମାଲୋଚନାର ସ୍ୱରୂପ

୧୨.

‘‘୧୯୬୨—କବିତା’’ର ଦିଗ୍‌ଦର୍ଶନ

☆☆☆

 

ଏ ଲେଖକ କୃତଜ୍ଞ

 

—‘ଧରିତ୍ରୀ’, ‘ଡଗର’, ‘ଆସନ୍ତାକାଲି’, ‘ସାମ୍ମୁଖ୍ୟ’ ଓ ‘କୋଟିକଣ୍ଠ’ ପାଖରେ—ସେଇ ଯେଉଁ ପତ୍ରିକାଗୁଡ଼ିକରେ ବିଭିନ୍ନ ସମୟରେ ଏ ବହି ସନ୍ନିବେଶିତ ଅଧିକାଂଶ ପ୍ରବନ୍ଧ ପ୍ରକାଶ ପାଇଥିଲା ।

 

—ସେହି ବଂଧୁ ଓ ସାଥିମାନଙ୍କ ନିକଟରେ ଯେଉଁମାନଙ୍କର ସକ୍ରିୟ ସାହାଯ୍ୟ ସହଯୋଗ ଓ ପ୍ରେରଣା ବଳରେ ଲେଖକ ଏ ଦୁରୂହ ସମାଲୋଚନା କାର୍ଯ୍ୟରେ ହାତ ଦେବାକୁ ସାହସ କରିଛି ।

☆☆☆

 

ନିଜକଥା

 

ମନ୍ଦିର ସହିତ ମୁଖଶାଳା ଭଳି ପୁସ୍ତକ ସହିତ ମୁଖବନ୍ଧ ଏକ ସାଧାରଣ ନିର୍ମାଣ ରୀତି ହୋଇଆସିଛି । ବହୁ କ୍ଷେତ୍ରରେ ପ୍ରକାଶକ ବା ଲେଖକ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ତାହା ଲେଖାଇଥାନ୍ତି, ଆପଣା ଆପଣା ସ୍ୱାର୍ଥ ଦୃଷ୍ଟିରୁ । ସାଧାରଣତଃ ଏ ପ୍ରକାର ମୁଖବନ୍ଧ ଗୋଟାଏ ରକମର ସାର୍ଟିଫିକେଟ ବା ପ୍ରଶଂସାପତ୍ର । ବର୍ତ୍ତମାନ ସମାଜର ଯେକୌଣସି କ୍ଷେତ୍ରରେ ପ୍ରବେଶ କରିବାକୁ ହେଲେ ଯୋଗ୍ୟତା ଅପେକ୍ଷା ସାର୍ଟିଫିକେଟ ଯୋଗାଡ଼ଟା ହେଲା ପ୍ରଧାନ ବିଷୟ । ସାହିତ୍ୟ ବା ସେ ପ୍ରଭାବରୁ ମୁକ୍ତ ହେବ କିପରି ?

 

ଆମର ସାମାଜିକ ଜୀବନର ଅଭିଜ୍ଞତାରୁ ଜଣାଯାଏ, ଏପରିକି ଅତି ଛୋଟକାଟର ଚାକିରି ପାଇଁ ଏକ ସର୍ବନିମ୍ନ ଯୋଗ୍ୟତା ଲୋଡ଼ା ହେଉଥିଲା ବେଳେ ସାହିତ୍ୟ କି ରାଜନୀତିରେ ପ୍ରବେଶ କରିବାଲାଗି କୌଣସି ଯୋଗ୍ୟତା ଲୋଡ଼ାହୁଏ ନାହିଁ । ଆବଶ୍ୟକୀୟ ଯୋଗ୍ୟତା ନ ଥାଇ ଯିଏ ମନ୍ତ୍ରୀ ବା ସାହିତ୍ୟିକ ହୋଇପାରିଲା—ସେହି ଦକ୍ଷତା ଅର୍ଜନ ହେଲା ସର୍ବଶ୍ରେଷ୍ଠ ଯୋଗ୍ୟତା । ସେହିପରି ‘ଦକ୍ଷ’ ବ୍ୟକ୍ତିବିଶେଷଙ୍କୁ ଛାଡ଼ିଦେଲେ ଉପରୋକ୍ତ ଦୁଇଟି କ୍ଷେତ୍ର ଲାଗି ଯେଉଁ ଅଗାଧ ଜ୍ଞାନ ଓ ଅଶେଷ ସାଧନା ଓ କଠୋର କର୍ତ୍ତବ୍ୟନିଷ୍ଠା ଆଦି ଆବଶ୍ୟକ, ତାହା କୌଣସି ସାର୍ଟିଫିକେଟ ଦ୍ୱାରା ହାସଲ ହୋଇ ନ ପାରେ । କାରଣ, ସାହିତ୍ୟିକ ଓ ସମାଜସେବୀ କୌଣସି ବ୍ୟକ୍ତି, ସଂସ୍ଥା ବା ସରକାର ନିକଟରେ କେବଳ ଆପଣାର ଜ୍ଞାନ, ସାଧୁତା ଓ କର୍ମକୁଶଳତାର ପରିଚୟ ଦିଏ ନାହିଁ, ତାହା ସେ ଦିଏ ସାରା ସମାଜ ନିକଟରେ । —(ତେବେ ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଦଳ ନିଜ ଦଳର ନୀତି ନିୟମ ଅନୁଯାୟୀ ସଭ୍ୟଙ୍କଠାରୁ କେତେକ ଯୋଗ୍ୟତା ଦାବୀ କରୁଥିବାବେଳେ ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ସେପରି ବିଧାନରୁ ଏକବାରକେ ମୁକ୍ତ ।) —ଏମାନଙ୍କ ପରିଚୟ ଓ ଯୋଗ୍ୟତା ଦାବୀ କରେ ସମସ୍ତ ସମାଜ । ସମସ୍ତ ଜନସାଧାରଣ ହୁଅନ୍ତି ଏମାନଙ୍କର ବିଚାରକ ।

 

ମାନବସମାଜ ଅଜ୍ଞାତ ଅତୀତ, ସୁଜଟିଳ ବର୍ତ୍ତମାନ ଓ ସୁଦୂରପ୍ରସାରୀ ଅସୀମ ଭବିଷ୍ୟତକୁ ନେଇ ଗଠିତ । ଏଣୁ ସମାଜ ସେହି ଅନୁଯାୟୀ ସାହିତ୍ୟିକ ଓ ରାଜନୀତିଜ୍ଞଠାରୁ ଜ୍ଞାନ, କର୍ମ ଓ ଯୋଗ୍ୟତା ଦାବୀ କରିବା ସ୍ୱାଭାବିକ’ । ସମାଜ ଚାହେଁ, ସେମାନେ ଅତୀତକୁ ସଠିକ ଭାବେ ଉପଲବ୍‌ଧି କରନ୍ତୁ, ବର୍ତ୍ତମାନର ସମାସ୍ୟାବଳୀକୁ ନିର୍ଭୁଲ ଭାବେ ସମାଧାନ କରିବାରେ ଅଗ୍ରସର ହୁଅନ୍ତୁ ଓ ସମସ୍ୟାମୟିକ ବୈଚିତ୍ର୍ୟମୟ ଜୀବନକୁ ଯଥାର୍ଥଭାବେ ପ୍ରକାଶ କରି ତାର ବିକାଶର ମାର୍ଗକୁ ଭବିଷ୍ୟତର ଉଜ୍ଜଳ ଆଲୋକରେ ଆଲୋକିତ କରନ୍ତୁ । ଏଦିଗରେ କେବଳ ଅଙ୍ଗୁଳି ନିର୍ଦ୍ଦେଶ ଦ୍ୱାରା ନିଜର କର୍ତ୍ତବ୍ୟ ସାଙ୍ଗ ନ କରି ସେଥିରେ ଅଂଶ ଗ୍ରହଣ କରି ନିଜର କ୍ରିୟାଶୀଳତାକୁ ପ୍ରକାଶ କରନ୍ତୁ, ଅନ୍ୟମାନଙ୍କୁ ଅନୁପ୍ରାଣିତ କରନ୍ତୁ । ମୋଟ ଉପରେ ସମାଜ ଚାହେଁ ତାର ବୈଷୟିକ, ମାନସିକ, ଶାରୀରିକ ଓ ନୈତିକ ଆଦି ସକଳ କ୍ଷେତ୍ରରେ ସୁଖ, ଆନନ୍ଦ, ସମୃଦ୍ଧିର ପଥ ଉନ୍‌ମୁକ୍ତ ହେଉ; ତାର ଅଗ୍ରଗତିର ଧାରା ଚିର ପ୍ରଖର ଓ ଅବ୍ୟାହତ ରହୁ । ଏସବୁ କିଏ କେତେଦୂର, କେତେ ଚଞ୍ଚଳ ପୂରଣ କରିବାକୁ ସମର୍ଥ, ତାହାହିଁ ହେବ ଯୋଗ୍ୟତାର ମୂଲ୍ୟ ନିରୂପକ-

 

ଏପରି ଏକ ମହାନ କାର୍ଯ୍ୟ ଲାଗି ଆବଶ୍ୟକୀୟ ଯୋଗ୍ୟତାର ବିଚାର-ମାନ କଣ ? ସେଥିଲାଗି କିଏ ବା ସାର୍ଟିଫିକେଟ ଦେବାକୁ ସମର୍ଥ ? ସମାଜର ଅଭିଳାଷ, ଅଭିବ୍ୟକ୍ତ ଓ ଅଗ୍ରଗତି ଯେପରି ଅସୀମ ଓ ଅସରନ୍ତି, ତାକୁ ରୂପାୟିତ କରିବାର ଜ୍ଞାନ, କର୍ମକୁଶଳତା ଓ ଯୋଗ୍ୟତାର ସେହିପରି କୌଣସି ସୀମା ନାହିଁ । ଏପରି ସ୍ଥଳେ ସାର୍ଟିଫିକେଟ ଯୋଗାଡ଼ ଲେଖକଙ୍କ ପୁସ୍ତକର କାଟତି ଲାଗି ହେଲେ ବି ତଦ୍ଦ୍ୱାରା ପ୍ରକୃତ ବିଷୟର ବିଚାର ସମ୍ଭବ ନୁହେଁ । ତେଣୁ, ପୁସ୍ତକର ମୁଖବନ୍ଧ ଲେଖାଇବା ପରିବର୍ତ୍ତେ ଲେଖକ ତାର ବକ୍ତବ୍ୟ ଓ ଦୃଷ୍ଟିଭଙ୍ଗୀକୁ ଏପରି ଉପସ୍ଥାପିତ କରିବା ଉଚିତ, ଯଦ୍ଦ୍ୱାରା ସମସ୍ୟାଟି କେବଳ ସ୍ପଷ୍ଟ ଓ ପ୍ରାଞ୍ଜଳ ହେବ ନାହିଁ, ତା’ ମଧ୍ୟରେ ଆଲୋଚ୍ୟ ବସ୍ତୁର ଭିତ୍ତି, ଆଭିମୁଖ୍ୟ, ଶକ୍ତି, ସନ୍ଦେହ ଓ ଦୁର୍ବଳତା ଇତ୍ୟାଦି ମଧ୍ୟ ପରିସ୍ଫୁଟ ହୋଇଉଠିବ—ଯାହାକି ପାଠକର ବିଚାର ଆଲୋଚନା ପ୍ରତି ସାହାଯ୍ୟକାରୀ ହେବ ଓ ଯାହା ଫଳରେ ଲେଖକ ଉପକୃତ ଓ ଲେଖାର ଉଦ୍ଦେଶ୍ୟ ସାଧିତ ହେବ—ଅର୍ଥାତ, ଯାହା ସାମୂହିକ ଉନ୍ନତିର ପଥ ପରିଷ୍କାର କରିବାରେ ସାହାଯ୍ୟ କରିବ ।

 

ଏଠାରେ ବକ୍ତବ୍ୟ ହେଲା, ‘ଲେଖୁ ଲେଖୁ କରଣ’ ରୀତିରେ ଏ ଲେଖା । କୌଣସି ପୁସ୍ତକ ପ୍ରକାଶନ ଉଦ୍ଦେଶ୍ୟ ନେଇ ଏ ଲେଖା ନୁହେଁ । ବିଭିନ୍ନ ସମୟରେ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ବା ସେଥିଲାଗି ଉଦ୍ଦିଷ୍ଟ ଅପ୍ରକାଶିତ ପ୍ରବନ୍ଧଗୁଡ଼ିକର ଏହା ଏକ ସଂକଳନ ମାତ୍ର । ତେଣୁ ଏକ ନିର୍ଦ୍ଦିଷ୍ଟ ବିଷୟର ଧାରାବାହିକ ଆଲୋଚନା ଏଥିରେ ନାହିଁ । ଫଳରେ, ବିଷୟଗୁଡ଼ିକ ସଂପୂର୍ଣ୍ଣ, ସୁସଙ୍ଗତ ନୁହେଁ । ବରଂ ଅତି କ୍ଳୁପ୍ତ, ଖଣ୍ଡିତ ଓ ସୀମାବଦ୍ଧ । କେତେକ ସ୍ଥଳରେ ଭାବର ପୁନାଗବୃତ୍ତି ଘଟିବା ଓ ଲେଖାଗୁଡ଼ିକ ଖାପଛଡ଼ା ବୋଧହେବା ସ୍ୱାଭାବିକ । ଏ ତ୍ରୁଟିଗୁଡ଼ିକ ହେଲା ଏ ପୁସ୍ତକର ସର୍ବ ପ୍ରଥମ ଦୁର୍ବଳତା ।

 

ସାହିତ୍ୟ ଏ ଲେଖକର ଧନ୍ଦା ନୁହେଁ । ମାତ୍ର ଏହାର ସାହିତ୍ୟପ୍ରତି ଆଗ୍ରହ, ସାଧାରଣ ପାଠକଙ୍କ ଆଗ୍ରହଠାରୁ କୌଣସି ଅଂଶରେ ଅଧିକ ନୁହେଁ । ସାଧାରଣ ପାଠକ କୌଣସି ଏକ ବିଷୟ ପଢ଼ିଲାବେଳେ ତା’ମନରେ ସ୍ୱତଃ ଧାରଣା ଜାତ ହୁଏ—କିଏ ବା ମୁଖରେ, କିଏ ବା ତାକୁ ଲେଖାରେ ପ୍ରକାଶ କରେ । କାହାର ବା ମନରେ ତାହା ଉଙ୍କିମାରିବା ସଙ୍ଗେ ସଙ୍ଗେ ମରିଯାଏ । ଏଠାରେ ସେଇପରି ଜଣକର କେତେକ ମତାମତ ଓ ଧାରଣାକୁ ଲିପିବଦ୍ଧ କରାଯାଇଛି । ପ୍ରକୃତ ସାହିତ୍ୟ ଆଲୋଚନା କରିବାକୁ ହେଲେ ବିପୁଳ ଜ୍ଞାନ, ତୀକ୍ଷ୍‍ଣ ଦୃଷ୍ଟି, ବିଶେଷ ସାଧନା ଓ ଅଧ୍ୟୟନ ଆଦି ଆବଶ୍ୟକ । ତାର ଅଭାବ, ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ଅନୁଭୂତ ହୋଇଛି । ପ୍ରକୃତ ସାହିତ୍ୟ ଆଲୋଚନା ବୋଇଲେ ଯେଉଁ ଗଭୀର ଆଲୋଚନା ବୁଝାଏ, ସେ ଦୃଷ୍ଟିରୁ ଏହା ଆଦୌ ଯଥେଷ୍ଟ ନୁହେଁ କି ସମାଲୋଚନା ପଦବାଚ୍ୟ ହେବ ନାହିଁ । ଏହା ହେଲା ଦ୍ୱିତୀୟ ଦୁର୍ବଳତା ।

 

ସାହିତ୍ୟ ଆଳୋଚନା କେବଳ ଭାବାଦର୍ଶଗତ ବିଷୟ ବା ଆଧେୟର ଆଲୋଚନା ନୁହେଁ । ସାହିତ୍ୟର ରୂପ, ଭଙ୍ଗୀ, କଳାଗତ ଟେକ୍‌ନିକ ଓ ବୈଶିଷ୍ଟ୍ୟ ଇତ୍ୟାଦିର ବିଚାର ସାହିତ୍ୟ—ଆଲୋଚନା ଅନ୍ତର୍ଭୂକ୍ତ । ସେସବୁ ବିନା ଆଲୋଚନା ପୂର୍ଣ୍ଣାଙ୍ଗ ନୁହେଁ । ଏଠାରେ ତାକୁ ମୋଟେ ବିଚାରକୁ ନିଆଯାଇ ନାହିଁ । ଏହା ହେଲା ତୃତୀୟ ଦୁର୍ବଳତା ।

 

ଏହି ପ୍ରବନ୍ଧମାନଙ୍କ ମଧ୍ୟରୁ କେତୋଟି ବିଭିନ୍ନ ଲେଖକମାନଙ୍କ ଦ୍ୱାରା ଲିଖିତ ଲେଖାର ସମାଲୋଚନା; ତେଣୁ ସେଇ ନିର୍ଦ୍ଧିଷ୍ଟ ଦୃଷ୍ଟି ଓ ପରିସର ମଧ୍ୟରେ ସୀମାବଦ୍ଧ । ପୁଣି ଅନ୍ୟ ଦିଗରେ, ବ୍ୟକ୍ତି-ବିଶେଷଙ୍କ ଲେଖା ଉପରେ ଦୃଷ୍ଟିନିବଦ୍ଧ ରହିଲେ ନିଜର ଦୃଷ୍ଟି ବ୍ୟକ୍ତିକେନ୍ଦ୍ରିକ ହୋଇପାରେ । ସେଥିରୁ ଊର୍ଦ୍ଧ୍ୱରେ ରହି କେବଳ ବିଷୟବସ୍ତୁ ମଧ୍ୟରେ ନିଜକୁ ଆବଦ୍ଧ ରଖିବାର ପ୍ରଚେଷ୍ଟା ସତ୍ୱେ ଯଦି କେଉଁଠି ବିଚ୍ୟୁତି ଘଟିଥାଏ, ତେବେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନିକଟରେ ଲେଖକ କ୍ଷମାପ୍ରାର୍ଥୀ । ଏହିପରି ତୃଟିଜନିତ ଦୋଷ ଚତୁର୍ଥ ଦୁର୍ବଳତା ।

 

ଏହି ଲେଖାଗୁଡ଼ିକ ପୁଣି ବିଭିନ୍ନ ସମୟର । ସମୟର ବ୍ୟବଧାନ ଯୋଗୁ ମୌଳିକଭାବେ ନ ହେଲେ ବି କେତେକ କ୍ଷେତ୍ରରେ ପରିବର୍ତ୍ତନ-ସାପେକ୍ଷ । କିନ୍ତୁ ସେପରି ଉଦ୍ୟମ ଏଠାରେ ହୋଇନାହିଁ । କାରଣ, ଯାହାସବୁ ଏକ ନିର୍ଦ୍ଦିଷ୍ଟ ସମୟରେ ଅନ୍ୟ ମତର ଉତ୍ତରରେ ଲିଖିତ, ସେଥିରେ ଏବେ ବିଷୟଗତ ପରିବର୍ତ୍ତନ ଆଣିବା କେବଳ ଅସୁନ୍ଦର ଓ ଅସୌଜନ୍ୟ ନୁହେଁ, ଅସାଧୁତାର ପରିଚୟ ମଧ୍ୟ । ଏ କ୍ଷେତ୍ରରେ ସେପରି ପରିପୁଷ୍ଟିର ଅଭାବ ହେତୁ ତୃଟି ଏହାର ପଞ୍ଚମ ଦୁର୍ବଳତା ।

 

ଭାବି ବସିଲେ ଆହୁରି ବାହାରିବ । ଆତ୍ମନିରୀକ୍ଷା, ନିର୍ଭୁଲତାର ସୋପାନ ହେଲେ ବି ଅପ୍ରିୟ ଓ କଷ୍ଟସାଧ୍ୟ । ସେହି ଅପ୍ରିୟତାକୁ ଅତିକ୍ରମ କରିବାର ଦୁର୍ବଳତାକୁ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏଠାରେ ଅନୁସୃତ ଦୃଷ୍ଟିଭଙ୍ଗୀ ଓ ତାର ଭିତ୍ତି ଯେ ଅତି ସୁଦୃଢ଼ ଓ ନିର୍ଭୁଲ, ଏ ସମ୍ୱନ୍ଧରେ ଲେଖକର ଧାରଣା ଅଭ୍ରାନ୍ତ ଏହାହିଁ ହେଉଛି ଏ ଲେଖାଗୁଡ଼ିକର ବଳ ।

 

ସବୁଠାରୁ ମୌଳିକ ପ୍ରଶ୍ନ ହେଲା—ସମସ୍ତଙ୍କ ଦୃଷ୍ଟିକୋଣ ସମାନ ନୁହେଁ; ପ୍ରତ୍ୟେକେ ଆପଣାର ଦୃଷ୍ଟିଭଙ୍ଗୀ ଓ ଆଦର୍ଶ ଦିଗରୁ ସାହିତ୍ୟ, ସମାଜ ଆଦି ପ୍ରତ୍ୟେକଟି ବିଷୟକୁ ବିଚାର କରିଥାନ୍ତି । ତେଣୁ ମତାନୈକ୍ୟ ଅପରିହାର୍ଯ୍ୟ । ଏହି ଅନୈକ୍ୟ ମଧ୍ୟରେ କଣ ଐକ୍ୟର ସ୍ୱର ନାହିଁ ?

 

ପ୍ରକୃତି ବକ୍ଷରେ ଏକ ପଦାର୍ଥ ଅନ୍ୟ ସହିତ ସବୁଦିଗରୁ ସମାନ ହେଲେ ବି ଠିକ୍‍ ତାହାର ଅନୁରୂପ ନୁହେଁ । ଦୁଇଜଣ ବ୍ୟକ୍ତି ବା ଦୁଇଟି ପୁଷ୍ପ ସମାନ ହୋଇପାରନ୍ତି, କିନ୍ତୁ ଠିକ୍‌ ଠିକ୍‌ ମିଶନ୍ତି ନାହିଁ । ଏହାହିଁ ପ୍ରକୃତିରେ ବୈଚିତ୍ର୍ୟ, ସୃଷ୍ଟିର ସୌନ୍ଦର୍ଯ୍ୟ ଓ ସାହିତ୍ୟର ସ୍ୱାଭାବିକତା । ଏହି ବୈଚିତ୍ର୍ୟ ବିନା ପ୍ରକୃତି ଓ ସାହିତ୍ୟକୁ କଳ୍ପନା କରାଯାଇ ନ ପାରେ ।

 

ପ୍ରକୃତି ବୈଚିତ୍ର୍ୟମୟୀ କିନ୍ତୁ ତାର ବିକାଶ ବିଶୃଙ୍ଖଳ ନୁହେଁ । ସେହି କାରଣରୁ ତାହା ମନୁଷ୍ୟ ପକ୍ଷରେ ବୋଧଗମ୍ୟ, ଆଉ, ଯେତିକି ବୋଧଗମ୍ୟ, ମନୁଷ୍ୟର ସେବାରେ ସେତିକି ନିୟୋଜିତ । ପ୍ରକୃତିର ଶୃଙ୍ଖଳା ଓ ଐକ୍ୟର ଧାରା ଯୋଗୁହିଁ ମନୁଷ୍ୟ ସୃଷ୍ଟି କରିବାକୁ ସମର୍ଥ । ସାହିତ୍ୟର ବୈଚିତ୍ର୍ୟ ମଧ୍ୟରେ କଣ ଐକ୍ୟର ଧାରା ପ୍ରତିଫଳିତ ନୁହେଁ ?

 

ସାହିତ୍ୟର ରୂପବିଭବ, କଳାଗତ ସୌନ୍ଦର୍ଯ୍ୟ, ଭାବର ବିନ୍ୟାସ ବିଭିନ୍ନ ରୂପରେ ରୂପାୟିତ ଓ ବିମଣ୍ତିତ ହେଉଥିଲେ ବି ତାର ମୌଳିକ ପ୍ରବାହର ଧାରା ଏ ସୃଷ୍ଟିର ପ୍ରଭାବକୁ ହିଁ ଆଶ୍ରା କରିବ । କାରଣ, ସମସ୍ତ ଜୀବନ ସୃଷ୍ଟିଆଶ୍ରିତ । ବିଶ୍ୱ ପ୍ରକୃତିଠାରୁ ଆରମ୍ଭ କରି ମନୁଷ୍ୟ ହୃଦୟର ସ୍ପନ୍ଦନ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ସେହି ସୃଷ୍ଟିର ଛନ୍ଦରେ ଲୀଳାୟିତ । ଯେଉଁଠାରେ ମଣିଷଠି ସେ ଛନ୍ଦ ହଜିଯାଏ, ସ୍ୱର ତାଳଭଗ୍ନ ହୁଏ, ସେଠି ନିୟମର ବ୍ୟତିକ୍ରମ ଘଟେ । ସେଠାରେ ମନୁଷ୍ୟ ତା’ ସହିତ ପାଦ ମିଳାଇବାକୁ ଚେଷ୍ଟା କରେ, କିନ୍ତୁ ପାଦ ନ ମିଳିଲେ ତାର ବିଫଳତା ହୁଏ ଅନିବାର୍ଯ୍ୟ ।

 

ପ୍ରକୃତିର ନିୟମ ଅନୁଯାୟୀ ଗ୍ରୀଷ୍ମ ପରେ ବର୍ଷା ଓ ବର୍ଷା ପରେ ଶୀତ ଆସେ । ଗ୍ରୀଷ୍ମକାଳରେ ପୁଷ୍ପ ପ୍ରସ୍ଫୁଟିତ ହୁଏ ନାହିଁ କି ବର୍ଷାକାଳରେ ଗ୍ରୀଷ୍ମାକାଳୀନ ପୁଷ୍ପ ପ୍ରସ୍ଫୁଟିତ ହୁଏ ନାହିଁ କି ବର୍ଷାକାଳରେ ଗ୍ରୀଷ୍ମକାଳୀନ ଫଳ ଫୁଲ ଆସେ ନାହିଁ । ସାହିତ୍ୟ ସେହିପରି ଗ୍ରୀଷ୍ମର ସବୁଜିମା ବା ବର୍ଷାକାଳରେ ବସନ୍ତର ସ୍ପର୍ଶ ବର୍ଣ୍ଣନା କରିବାରେ ସମର୍ଥ ନୁହେଁ । ଯଦି ଗ୍ରୀଷ୍ମକାଳରେ ବର୍ଷାକାଳୀନ ଫସଲ ଉତ୍ତାରିବାକୁ ହୁଏ, ତେବେ କୃତ୍ରିମ ବର୍ଷା ବା ଜଳସେଚନ ଦ୍ୱାରା ତତ୍‌କାଳୀନ ଅବସ୍ଥା ସୃଷ୍ଟି କରିବାକୁ ହେବ । ଶୀତଋତୁରେ ଗ୍ରୀଷ୍ମକାଳୀନ ଅବସ୍ଥା ସୃଷ୍ଟି କରିବାକୁ ହେବ । ଶୀତଋତୁରେ ଗ୍ରୀଷ୍ମକାଳୀନ ଫସଲ ଫଳାଇବାକୁ ହେଲେ ଉଷ୍ମ-ଗୃହ ନିର୍ମାଣ କରି ସେଥିରେ ନିଦାଘର ଉତ୍ତାପ ଆଣିବାକୁ ପଡ଼ିବ; ଅର୍ଥାତ୍‌, ତତ୍‌କାଳୀନ ଛନ୍ଦର ନିୟମାନୁବର୍ତ୍ତୀ ହେବାକୁ ହେବ । ସେ ଛନ୍ଦର ଲୀଳାକୁ ପରିବର୍ତ୍ତନ କରିହେବ ନାହିଁ । ତା’ ସହିତ ଆପଣାକୁ ମିଶାଇଦେବାକୁ ହିଁ ହେବ-। ହୃଦୟର ସ୍ପନ୍ଦନରେ ଯଦି ଛନ୍ଦର ଅନିୟମତା ଘଟେ, ତାହାକୁ ନିୟମିତ କରି ନ ପାରିଲେ ମନୁଷ୍ୟ ମୃତ୍ୟୁ ଯେପରି ଅନିବାର୍ଯ୍ୟ, ସାହିତ୍ୟ ପକ୍ଷରେ ଛନ୍ଦବର୍ହିଭୂତ ସୃଷ୍ଟି ସେହିପରି ଅନାସୃଷ୍ଟିରେ ପରିଣତ ହେବା ଅପରିହାର୍ଯ୍ୟ । ଆଉ ସେହି ସମସ୍ତ ଛନ୍ଦର ଆଧାର ହେଉଛି ବିଶ୍ୱ ପ୍ରକୃତି ।

 

ପ୍ରକୃତି ବକ୍ଷରେ ଥିବା ଛନ୍ଦର ଲୀଳାରେ ସାହିତ୍ୟ କେବଳ ଲାଳିତ୍ୟ ନୁହେଁ, ଲୀଳାୟିତ ମଧ୍ୟ । ମନୁଷ୍ୟର ପ୍ରତ୍ୟେକ ସୃଷ୍ଟିର ଉପାଦାନ ଭଳି ସାହିତ୍ୟ ସୃଷ୍ଟିର ଉପାଦାନ ସେଇ ପ୍ରକୃତି । ଏପରିକି ସାହିତ୍ୟ ମନୁଷ୍ୟକୁ ଆପଣା ସୃଷ୍ଟିର ଆଧାର କଲାବେଳେ ତାହା ସେଥିରୁ ବହିର୍ଭୂତ ନୁହେଁ; ଯେହେତୁ ମନୁଷ୍ୟ ସେହି ପ୍ରକୃତିର ଏକ ଅଂଗ, ତାର ଶ୍ରେଷ୍ଠତମ ଅଭିବ୍ୟକ୍ତି । ସେହି ପ୍ରକୃତିର ଅସ୍ୱୀକୃତି ବା ତା’ ସମ୍ୱନ୍ଧରେ ଅଳୀକ ଓ ସଂକୀର୍ଣ୍ଣ ଧାରଣା ଦ୍ୱାରା ସୃଷ୍ଟି ମଧ୍ୟ ସଂକୀର୍ଣ୍ଣ ଓ ଅପସୃଷ୍ଟି ହେବାକୁ ବାଧ୍ୟ ।

 

ପ୍ରକୃତିର ଅସ୍ୱୀକୃତିର ପରିଣତି ମିଥ୍ୟା, ମାୟା ଓ ଅଳୀକୃତା । ପ୍ରକୃତି ବ୍ୟତିରେକେ ଅର୍ଥାତ, ମିଥ୍ୟା, ମାୟା, ଅଳୀକତା ଦ୍ୱାରା କୌଣସି ସୃଷ୍ଟି ସମ୍ଭବ ନୁହେଁ । ମନୁଷ୍ୟ ଆପଣାର ପାର୍ଥିବ କାମନାର ପୂରଣ ସକାଶେ ଇନ୍ଦ୍ର, ବରୁଣ, ଅଗ୍ନି, ମରୁତ, ଲକ୍ଷ୍ମୀ, ସରସ୍ୱତୀ ଆଦି ଯେତେ ଯେତେ କାଳ୍ପନିକ ଦେବାଦେବୀ ସୃଷ୍ଟି କରୁଛି, ସାହିତ୍ୟ ସେମାନଙ୍କ ଚରିତ୍ର ଚିତ୍ରଣ କଲାବେଳେ ସେମାନଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟକୁ, ଏହି ପୃଥିବୀ-ପ୍ରକୃତିବକ୍ଷକୁ ଟାଣିଆଣିଛି । ମନୁଷ୍ୟ ମଧ୍ୟରେ ଥିବା ପ୍ରେମ, ଘୃଣା, ଈର୍ଷା, କରୁଣା, ଏପରିକି ପରସ୍ରୀ-ହରଣ ଓ ପରଦାର ଗ୍ରହଣ ଯାଏ ସମସ୍ତ ପ୍ରକାର ସୁଗୁଣ ଦୁର୍ଗୁଣରେ, ଅର୍ଥାତ୍‌ ମାନବ ଗୁଣରେ ସେମାନଙ୍କୁ ଭୂଷିତ କରିଛି । ମନୁଷ୍ୟର ପାର୍ଥିବ କାମନା ଯେପରି ଦେବତା ରୂପ ଗ୍ରହଣ କରିଛି, ତାର ସମସ୍ତ ଶକ୍ତି ଓ ଦୁର୍ବଳତା ମଧ୍ୟ ସେପରି ଦେବତା ମଧ୍ୟରେ ପ୍ରତିଫଳିତ ହୋଇଛି । ଦେବତାକୁ ମର୍ତ୍ତ୍ୟରେ ଚଳାଇବାକୁ ହେଲେ ତାକୁ ମାନବ ରୂପ ଦେବାକୁ ହିଁ ପଡ଼ିବ । ତେଣୁ ଦେବତା ମନୁଷ୍ୟ ଉପରେ, ଆଉ କଳ୍ପନା ବାସ୍ତବ ଉପରେ ପ୍ରତିଷ୍ଠିତ–‘‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ’’–ଏଇ କଠୋର ବାସ୍ତବତାକୁ ସାହିତ୍ୟ ଧ୍ୱନିତ କରିଛି । ପାର୍ଥିବ ନୀତି ଓ ପ୍ରକୃତି ନିୟମରୁ କେହି ମୁକ୍ତ ନୁହନ୍ତି, ସମସ୍ତେ ତାର ନିୟମାଧୀନ, ସେଇ ଛନ୍ଦରେ ଲୀଳାୟିତ । ସାହିତ୍ୟ ବା ସେଥିରୁ ମୁକ୍ତ ହେବ କିପରି ?

 

ଏହାହିଁ ଯଦି ସତ୍ୟ ହୁଏ ତେବେ ସେଇ ପ୍ରାକୃତିକ ଛନ୍ଦ, ଲୀଳା ଓ ନିୟମ ଆଦିର ସର୍ବଙ୍ଗୀନ ଉପଲବ୍‌ଧି, ସେ-ବିଷୟରେ ସବିଶେଷ ଜ୍ଞାନ-ଆହରଣ ଓ ତାର ଯଥାର୍ଥ ପ୍ରୟୋଗ ସାହିତ୍ୟ ପକ୍ଷରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏକାନ୍ତ ଅପରିହାର୍ଯ୍ୟ । ଅବଶ୍ୟ ତାର ପ୍ରକାଶ, ପ୍ରୟୋଗର ରୂପ, ଭଙ୍ଗୀ ଓ କଳାଗତ କୌଶଳ ଆଦିରେ ବୈଚିତ୍ର୍ୟ ଘଟିବା ସ୍ୱାଭାବିକ ।

 

ଯଦି ପ୍ରକୃତିର ସେଇ ଛନ୍ଦ, ଲୀଳା ଓ ନିୟମର ଉପଲବ୍‌ଧି ସାହିତ୍ୟ ପକ୍ଷରେ ଅପରିହାର୍ଯ୍ୟ, ତେବେ ସେ ପ୍ରାକୃତିକ ଦୃଷ୍ଟିକୋଣ କଣ ? ଆଜି ସମାଜରେ ବିଭିନ୍ନ ପ୍ରକାରର, ଏପରିକି ପରସ୍ପର ବିରୋଧୀ ଦୃଷ୍ଟିକୋଣ ପ୍ରଚଳିତ ଥିବାବେଳେ, ସେଥିମଧ୍ୟରୁ ବାସ୍ତବିକ ପ୍ରାକୃତିକ ଦୃଷ୍ଟିକୋଣ କେଉଁଟି ? କିଏ ପ୍ରକୃତିର ସେଇ ଅନନ୍ତ, ଚିରନ୍ତନ ଛନ୍ଦର ଲୀଳାକୁ ରୂପାୟିତ କରେ ? କେଉଁ ଦୃଷ୍ଟିକୋଣ ପ୍ରକୃତିର ଉପଲବ୍‌ଧିକୁ ଜନ୍ମ ଦିଏ ଓ ତାର ବିକାଶକୁ ସମ୍ଭବ କରାଏ ?

 

ପୃଥିବୀର ପ୍ରତ୍ୟେକ ବ୍ୟକ୍ତି, ଶ୍ରେଣୀ, ଦଳ ଓ ସଂପ୍ରଦାୟ–ସମସ୍ତେ ପ୍ରକୃତି ଉପରେ ନିର୍ଭରଶୀଳ, ତା’ ସହିତ ସଂପୃକ୍ତ, ତାହା ସହିତ ବା ତା’ ମଧ୍ୟରେ ଅବସ୍ଥିତ । ତେବେ ସମସ୍ତଙ୍କ ଦୃଷ୍ଟିକୋଣ ସମାନ ନୁହେଁ କାହିଁକି ? ଦୃଷ୍ଟିକୋଣ ପ୍ରାକୃତିକ ହୁଏ ନାହିଁ କାହିଁକି ? କାହିଁକି ସେଥିରେ ବ୍ୟତିକ୍ରମ ଦେଖାଯାଏ ? ପ୍ରାକୃତିକ ଓ ଅପ୍ରାକୃତିକ ଦୃଷ୍ଟିକୋଣ କଣ ? ତାର ଭିତ୍ତି କେଉଁଠି ଓ ତାହା ପ୍ରତିଫଳିତ ହୁଏ କିପରି ?

 

ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଶ୍ରେଣୀ, ପ୍ରକୃତି ସହିତ ସଂପୃକ୍ତ ଓ ସମ୍ୱନ୍ଧଶୀଳ । କିନ୍ତୁ ସେମାନଙ୍କର ଏଇ ସମ୍ୱନ୍ଧ ଓ ସଂପର୍କ ମଧ୍ୟରେ ପ୍ରଭେଦ ରହିଛି । ମଣିଷ ସମାଜରେ ଦଳେ ବା ଗୋଟାଏ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କର ସମ୍ପର୍କ ଅନ୍ୟମାନଙ୍କ ତୁଳନାରେ ଭିନ୍ନ । ଅନ୍ୟ ସମସ୍ତେ ପ୍ରକୃତି ସହିତ ନିଷ୍କ୍ରିୟ ଭାବେ ସଂପୃକ୍ତ ଥିଲାବେଳେ, ସେମାନେ ସକ୍ରିୟଭାବେ ସଂପୃକ୍ତ । ପ୍ରକୃତି-ବକ୍ଷରେ ଅନ୍ୟମାନଙ୍କ ଅବସ୍ଥିତି ନିଷ୍କ୍ରିୟ ଥିଲାବେଳେ ସେମାନଙ୍କ ଅବସ୍ଥିତି କ୍ରିୟାଶୀଳ । ସେମାନେ କେବଳ ଦ୍ରଷ୍ଟା ନୁହନ୍ତି, ସେମାନେ ହେଉଛନ୍ତି ସ୍ରଷ୍ଟା । ସେମାନେ କେବଳ ଭୋକ୍ତା ନୁହନ୍ତି, ସେମାନେ ମଧ୍ୟ କର୍ତ୍ତା, ଉତ୍ପାଦକ-ପ୍ରକୃତିର ପରିବର୍ତ୍ତନକାରୀ ।

 

ଏହି ଶ୍ରେଣୀର ଲୋକେ ଖାଦ୍ୟ, ପେୟ ଓ ବସବାସ ଆଦି ମନୁଷ୍ୟର ଜୀବନଧାରଣ ଲାଗି ଯାହା ଆବଶ୍ୟକ, ତାହା ସୃଷ୍ଟି କରିବା ଦିଗରେ ପ୍ରକୃତିବକ୍ଷରେ ସଦାସର୍ବଦା କର୍ମରତ; ସେହି ପ୍ରକୃତିକୁ ଭାଙ୍ଗି ଗଢ଼ି ସେଥିରେ ପରିବର୍ତ୍ତନ ଆଣନ୍ତି, ତାକୁ ଭୋଗ୍ୟବସ୍ତୁରେ ପରିଣତ କରନ୍ତି; ଏକ ନୂତନ ସୃଷ୍ଟି ଗଠନ କରନ୍ତି । ପ୍ରକୃତି ସେମାନଙ୍କ ବକ୍ଷରେ ଏକ ମାୟା ବା କଳ୍ପନା ନୁହେଁ, ତାହା ଏକ କଞ୍ଚା ମାଲ; ନିଜ ନିର୍ମାଣ କାର୍ଯ୍ୟର ଉପାଦାନ ଏକ ଉତ୍ପାଦ୍ୟ । ତେଣୁ ପ୍ରକୃତି ସେମାନଙ୍କ ଲାଗି ଏକ ମନଗଢ଼ା ବିମାର୍ତ୍ତୂତା ହୋଇ ନ ପାରେ । ସେମାନଙ୍କ ନିମନ୍ତେ ତାହା ଏକ ବାସ୍ତବ, ମୂର୍ତ୍ତ ଓ ନିର୍ଦ୍ଦିଷ୍ଟ । ସେଥିଯୋଗୁ ହିଁ ସେ ତାକୁ ଭୋଗ୍ୟ ବସ୍ତୁରେ ପରିଣତ କରିପାରେ । ମିଥ୍ୟା, ମାୟା ଦ୍ୱାରା ସୃଷ୍ଟି ବା ଉତ୍ପାଦନ ଅସମ୍ଭବ ।

 

ଅନ୍ୟ ଦିଗରେ ଯେଉଁମାନେ ଉତ୍ପାଦନ କର୍ମରୁ ବିଚ୍ଛିନ୍ନ, ଅର୍ଥାତ୍‌ ପ୍ରକୃତି ସହିତ ସକ୍ରିୟା ସଂପର୍କରୁ ଯେଉଁମାନେ ଆପଣାକୁ ସଂପୂର୍ଣ୍ଣ ଅଲଗା କରି ରଖନ୍ତି, ସେହି ସକ୍ରିୟ ସଂପର୍କ ଉତ୍ପାଦନ-କର୍ମକୁ ଘୃଣାଦୃଷ୍ଟିରେ ଦେଖନ୍ତି ଓ ସେଥିଯୋଗୁଁ ଆପଣାକୁ ସମ୍ବ୍ରାନ୍ତ ଆସନରେ ଅଧଷ୍ଠିତ କରାନ୍ତି ଓ ତାକୁ ହିଁ ଜୀବନର ଆଦର୍ଶ କରି ନାନା ଭାବରେ ତାହାରି ଜୟ ଜୟକାରରେ ବ୍ୟସ୍ତ ରହନ୍ତି—ସେପରି ପଣ୍ଡିତ, ଦାର୍ଶନିକ ଓ ସାହିତ୍ୟିକଙ୍କ ଦୃଷ୍ଟିକୋଣ ଅପ୍ରାକୃତିକ ଦୃଷ୍ଟିକୋଣ । ତାହା ପ୍ରକୃତି ସହିତ ସକ୍ରିୟ ଭାବେ ସଂପୃକ୍ତ ଉତ୍ପାଦନ-କର୍ମରତ ଲୋକଙ୍କ ଦୃଷ୍ଟିକୋଣଠାରୁ ଭିନ୍ନ ଓ ପୃଥକ୍‌ ହେବା ଏବଂ ବିଭିନ୍ନ ପ୍ରକାର ଅଳୀକ ରୂପ ଗ୍ରହଣ କରିବା ସ୍ୱାଭାବିକ ।

 

ଅନ୍ୟ ପକ୍ଷରେ, ଉତ୍ପାଦନକାରୀ ଶ୍ରେଣୀ ପ୍ରକୃତି ସହିତ ସକ୍ରିୟଭାବେ କେବଳ ଜଡ଼ିତ ନୁହେଁ, ତାହା ପ୍ରକୃତିର ଛନ୍ଦ, ନିୟମ ଆଦି ଜାଣିବାକୁ, ତାକୁ ଉପଲବ୍‌ଧି କରିବାକୁ ବାଧ୍ୟ । ତା’ର ଉତ୍ତରୋତ୍ତର ଆବିଷ୍କାର ତା’ ପକ୍ଷରେ ଅପରିହାର୍ଯ୍ୟ । କାରଣ, ତାହା ବିନା ତାର ସୃଷ୍ଟି, ଉତ୍ପାଦନ କର୍ମ ଓ ବିକାଶସାଧନ ସମ୍ଭବ ନୁହେଁ । ପ୍ରକୃତି ସହିତ ଏଇ ସକ୍ରିୟ ସମ୍ୱନ୍ଧର ସୃଷ୍ଟିକର୍ତ୍ତା ବା ଉତ୍ପାଦନକାରୀର ଦୃଷ୍ଟିକୋଣ ହେଲା—ଶ୍ରମିକଶ୍ରେଣୀର ଦୃଷ୍ଟିକୋଣ ।

 

ଅତଏବ, ଜଣେ ପ୍ରକୃତି ଭିତରେ ନିଷ୍କ୍ରିୟ ଭାବେ ଓ ଅନ୍ୟ ଜଣେ ସକ୍ରିୟଭାବେ ଅବସ୍ଥିତ-। ଜଣେ ପ୍ରକୃତିବକ୍ଷରେ ନୀରବ ଦ୍ରଷ୍ଟାର ଭୂମିକା ଗ୍ରହଣ କରେ, ଅନ୍ୟ ଜଣେ ଅବିଶ୍ରାନ୍ତ ସ୍ରଷ୍ଟାର ଭୂମିକା ନିଏ । ଜଣେ ଦର୍ଶକ ଭାବେ ପ୍ରକୃତିର ଛନ୍ଦ ଓ ଲୀଳାକୁ ମନର କଳ୍ପନାରାଜ୍ୟରେ ଅବଲୋକନ କରେ, ଅନ୍ୟ ଜଣେ କର୍ତ୍ତା ଭାବରେ ପ୍ରକୃତିକୁ ରୂପାନ୍ତର କରିବା ଦ୍ୱାରା ତାର ଛନ୍ଦର ଲୀଳାକୁ ପ୍ରତି ମୁହୂର୍ତ୍ତରେ ଉପଲବ୍‌ଧି ଓ ଆବିଷ୍କାର କରେ । ତେଣୁ, ଜଣେ ପ୍ରକୃତିକୁ ମାୟା ଓ କଳ୍ପନାରେ ଆବୃତ କଲାବେଳେ ଅନ୍ୟ ଜଣେ ପକୃତି ଯେପରି ବିଦ୍ୟମାନ, ତାକୁ ସେଇପରି ଭାବେ ନିରୀକ୍ଷଣ କରେ । ଏକ ଦୃଷ୍ଟି କୋଣ ହୁଏ ଅଳୀକ, କାଳ୍ପନିକ, ଅପ୍ରାକୃତିକ; ଅନ୍ୟଟି ହୁଏ ସତ୍ୟ, ବାସ୍ତବ, ଓ ପ୍ରାକୃତିକ ।

 

ସାହିତ୍ୟ ସତ୍ୟକୁ ଆଶ୍ରା କରେ ଓ ତାର ଜୟଗାନ କରିଥାଏ । କିନ୍ତୁ ତେବେ କିଏ ସତ୍ୟ, କିଏ ସତ୍ୟ ନୁହେଁ—ଏହା ନେଇ ପ୍ରାଚୀନ କାଳରୁ ମନୀଷୀମାନଙ୍କ ମଧ୍ୟରେ ମତଭେଦ । ଅନେକେ ଏ ସଂସାରକୁ ମାୟା ବୋଲି କହି ଇହଲୋକରେ ଦୁଃଖଭୋଗର ଉପଦେଶ ତାଳି ପରଲୋକରେ ସୁଖର ଆଶା ବାଢ଼ନ୍ତି । ଏସବୁ ସମ୍ୱନ୍ଧରେ ଯେତେ ପ୍ରଶ୍ନ ଉଠୁ ପଛେ, ଗୋଟିଏ ବିଷୟରେ ପ୍ରଶ୍ନର ଅବକାଶ ନାହିଁ । ତା ହେଉଛି-ପ୍ରକୃତି । ପ୍ରକୃତି ହିଁ ଚିରନ୍ତନ, ବାସ୍ତବରେ ବିଦ୍ୟମାନ । ତାକୁ ଯିଏ ଯେତେ ମାୟା, ଅସତ୍ୟର ଆଖ୍ୟା ଦେଲେ ସୁଦ୍ଧା, ତାକୁ ଧରି ହିଁ ସମସ୍ତଙ୍କ ଅସ୍ତିତ୍ୱ । ସେ ନ ଥାଇ, ଅର୍ଥାତ୍‌ ପ୍ରକୃତି ବ୍ୟତିରେକେ ଅନ୍ୟ ସମସ୍ତେ ବିଦ୍ୟମାନ—ଏହା କେବଳ ଏକ ଭ୍ରାନ୍ତ ପରିକଳ୍ପନା ।

 

ତେଣୁ, ଏ କ୍ଷେତ୍ରରେ ଯିଏ ପ୍ରକୃତିରେ ଅପମିଶ୍ରଣ ନ ଆଣି (ତାକୁ ଅନ୍ୟ କାହାର ସୃଷ୍ଟି ବୋଲି ନ କହି) ସେହିପରି ଅପମିଶ୍ରିତ ଭାବେ ଗ୍ରହଣ କରେ, ତା’ ସହିତ ସକ୍ରିୟ ସଂବନ୍ଧରେ ଆବଦ୍ଧ ରହେ, ସେଥିରେ ପରିବର୍ତ୍ତନ ଆଣିବା ଦ୍ୱାରା ତାକୁ ନିବିଡ଼ ଭାବେ ଉପଲବ୍‌ଧି କରେ ଓ ତଦ୍ଦ୍ୱାରା ନୂତନ ନୂତନ ସତ୍ୟର ଆବିଷ୍କାର କରିଥାଏ, ତାରି ଦୃଷ୍ଟିକୋଣ କେବଳ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇପାରେ । ସେ ଯେପରି ପ୍ରକୃତି ସମ୍ୱନ୍ଧରେ ଅସତ୍ୟ ଓ କାଳ୍ପନିକ ଧାରଣା ନେଇ ତା’ ବକ୍ଷରେ କାର୍ଯ୍ୟ କରିବାକୁ ଅସମର୍ଥ, ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ-ସାମାଜିକ ଜୀବନରେ ଅସତ୍ୟ ଓ କାଳ୍ପନିକ ଧାରଣା ନେଇ ଅଗ୍ରସର ହେବାକୁ ଅକ୍ଷମ । ତେଣୁ, ଶ୍ରମିକଶ୍ରେଣୀର ଜୀବନ ସତ୍ୟ, କେବଳ ସତ୍ୟକୁ ହିଁ ଆଶ୍ରା କରେ । ସାମାଜିକ ଜୀବନରେ ତାର ସ୍ଥାନ, ଅବସ୍ଥା ଓ ସ୍ୱାର୍ଥ ତାକୁ ହିଁ ପ୍ରତିପାଦିତ କରିଥାଏ ।

 

ଏହା ବୋଲି ଆଜି ପର୍ଯ୍ୟନ୍ତ ପୃଥିବୀର ଇତିହାସରେ ଯେତେ ଯେତେ ଶ୍ରେଣୀ ଆପଣାର ପ୍ରତିଷ୍ଠା ଓ ଆଧିପତ୍ୟ ଲାଗି ଲଢ଼ିଛନ୍ତି, ତାଙ୍କ ପଛରେ ଯେ ବିଲକୁଲ ସତ୍ୟ ନାହିଁ, ଏପରି ନୁହେଁ । ସେମାନଙ୍କ ପଛରେ କିଛି ହେଲେ କିଛି ସତ୍ୟ ରହିଛି । ସେମାନେ କିଛି ହେଲେ କିଛି ପରିମାଣରେ ସତ୍ୟ ଲାଗି ଲଢ଼ିଛନ୍ତି । କିନ୍ତୁ ଯେହେତୁ ସେମାନଙ୍କର ସଂପର୍କ ସଦାସର୍ବଦା ପ୍ରକୃତି ସହିତ ସକ୍ରିୟ ନୁହେଁ, ଘନିଷ୍ଠ ନୁହେଁ ଏବଂ ଯେହେତୁ ସେମାନେ ତାକୁ ହରାଇ ବସନ୍ତି, ତେଣୁ ଶେଷରେ ସେମାନେ ସତ୍ୟକୁ ମଧ୍ୟ ହରାଇଦିଅନ୍ତି ।

 

ପ୍ରକୃତି ସହିତ ସଦ୍ୟ ସମ୍ପର୍କର ଏକମାତ୍ର ଆଧାର, ମନୁଷ୍ୟର ଶ୍ରମ-ଶକ୍ତିକୁ ମୁକ୍ତ କରିବା ପରିବର୍ତ୍ତେ ସେମାନେ ତାକୁ ନୂତନ ନୂତନ ଭାବେ ଆବଦ୍ଧ ଓ ଅପହରଣ କରନ୍ତି । ଆଉ ସେଇ ଅପହରଣ ବା ଶୋଷଣ-ସ୍ୱାର୍ଥ ଉପରେ ସେମାନଙ୍କର ସାମାଜିକ ଭିତ୍ତି, ଦୃଷ୍ଟି, ଧାରଣା ଓ ଲକ୍ଷ୍ୟ ଇତ୍ୟାଦି ଗଠିତ ହୁଏ । ତେଣୁ, ତାଙ୍କର ସତ୍ୟ-ଦୃଷ୍ଟି କେବଳ ସଂକୀର୍ଣ୍ଣ ଓ ସୀମାବଦ୍ଧ ନୁହେଁ, ତାହା ନାନା ଭାବରେ କଳୁଷିତ । ସେମାନେ ନିଜର ସ୍ୱାର୍ଥ ଓ ଆଧିପତ୍ୟ ରକ୍ଷା ଲାଗି ଯାବତୀୟ ମିଥ୍ୟା ପ୍ରଚାର ଓ ଅଲୌକିକ ଧ୍ୟାନ ଧାରଣାକୁ ଆପଣାର ଧ୍ୟେୟ କରିଥାନ୍ତି । ଆମର ଅଧିକାଂଶ ସାମାଜିକ ବିଧିବିଧାନ ଓ ସାହିତ୍ୟରେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଆଦି ଏହିପରି ଶ୍ରେଣୀ-ସ୍ୱାର୍ଥ ରକ୍ଷା ଲାଗି କଣ ଉଦ୍ଦିଷ୍ଟ ନୁହେଁ ? ଏହା ଆଜି ଏପରି ଅସ୍ଥିମଜ୍ଜାଗତ ଯେ, ଏହାକୁ ଅସତ୍ୟ ବୋଲି ଜାଣିଲେ ସୁଦ୍ଧା ଅଧିକାଂଶ ଏଥିରୁ ଆପଣାକୁ ମୁକ୍ତ କରିବାକୁ ସମର୍ଥ ନୁହନ୍ତି ।

 

ଆମର ଏଇ ସମାଜରେ ପ୍ରତିମୁହୂର୍ତ୍ତରେ ସତ୍ୟର ହତ୍ୟା ଓ ମିଥ୍ୟାର ସୃଷ୍ଟି ବା କେତେ ନ ଚାଲିଛି ! ସେଥିପାଇଁ ସରକାରୀ ଓ ବେସରକାରୀ ଭାବେ କେତେ ବା ଅର୍ଥ ଢଳା ନ ହେଉଛି ! କୁହାଯାଉଛି—ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅସମତା ଅଧ୍ୟରେ ଭୋଟ ଗ୍ରହଣର ନାମ ଗଣତନ୍ତ୍ର; ଅବାଧ କିଣାବିକା, ଏପରିକି ଆଇନକାରୀ ଏମ୍‌. ଏଲ. ଏ. ଓ ମନ୍ତ୍ରୀମାନଙ୍କ କିଣାବିକାର ନାମ ପୂର୍ଣ୍ଣ ସ୍ୱାଧୀନତା; ଅନ୍ନ ରହୁଁଥିବା ନିରନ୍ନ ଲୋକଙ୍କ ଉପରେ ଗୁଳି, ଲାଠି, ଶାନ୍ତି ଶୃଙ୍ଖଳା ଲାଗି ଏକ ସାମାଜିକ ପ୍ରୟୋଜନୀୟତା; ଧନୀର ଧନ ଓ ଦରିଦ୍ରର ଦରିଦ୍ରତାକୁ ସୁରକ୍ଷିତ କରୁଥିବା ବିଧାନର ନାମ ଆଇନର ଶାସନ ପୁଞ୍ଜିର ବିକାଶର ନାମ ସାମ୍ୟବାଦ; ଆଉ ଏ ସମସ୍ତଙ୍କ ଉପରେ ଲେଖା‘ସତ୍ୟମେବ ଜୟତେ ।’

 

ଏ ସତ୍ୟ କଣ ? କାହାର ସ୍ୱାର୍ଥ, ଆଧିପତ୍ୟ ଓ ଅସ୍ତିତ୍ୱ ରକ୍ଷା ଲାଗି ପ୍ରଚାରିତ ହୁଏ ? ଏହି ସତ୍ୟକୁ କେତେ ଲେଖକ ଜ୍ଞାତ ଓ ଅଜ୍ଞାତସାରରେ ପ୍ରଚାର ବା ନ କରନ୍ତି ! ସ୍ୱାର୍ଥ ଓ ପ୍ରଲୋଭନର ବଶବର୍ତ୍ତୀ ନ ହୋଇ କେତେ ଜଣ ସାହିତ୍ୟିକ ଏହାର ସମ୍ମୁଖୀନ ହେବାକୁ ସମର୍ଥ ? ସତ୍ୟଧର୍ମୀ ଓଡ଼ିଶାର ସାହିତ୍ୟିକରଣ ନିଜର ଛାତିରେ ହାତ ରଖି ଏହାର ସତ୍ୟାସତ୍ୟ ଆପଣାକୁ ପ୍ରଶ୍ନ କରିପାରନ୍ତି ।

 

କିନ୍ତୁ ଶ୍ରମିକଶ୍ରେଣୀ ପକ୍ଷରେ ସତ୍ୟ ହିଁ ଏକମାତ୍ର ଆଧାର; ତାର ସଂଗ୍ରାମର ଏକମାତ୍ର ଅସ୍ତ୍ର । କୌଣସି ଅବସ୍ଥାରେ ସେ ତାକୁ ପରିତ୍ୟାଗ କରି ନ ପାରେ । ପ୍ରକୃତି ସହିତ ସକ୍ରିୟ ସଂପର୍କ-ଉତ୍ପାଦନ କର୍ମରେ ସେ ଯେପରି ମିଥ୍ୟା, ଅଳୀକତା ଓ ଐଶ୍ୱରିକ ଶକ୍ତିର ସାହାଯ୍ୟ ଦରକାର କରେ ନାହିଁ, ସେହିପରି ସାମାଜିକ ଜୀବନରେ ନିଜର ଓ ଜନସାଧାରଣଙ୍କ ଦ୍ୱାରା ମନୁଷ୍ୟର ପ୍ରକୃତିରେ ପରିବର୍ତ୍ତନ ଆସେ । ପ୍ରକୃତିକୁ ସୃଷ୍ଟି କରିବା ମଧ୍ୟରେ ମନୁଷ୍ୟ ଆପଣାକୁ ସୃଷ୍ଟି କରେ । ତେଣୁ ମନୁଷ୍ୟ-ପ୍ରକୃତିର ପରିବର୍ତ୍ତନ ଲାଗି ପ୍ରକୃତିର ପରିବର୍ତ୍ତନ ଆବଶ୍ୟକ । ଯେଉଁ ସାହିତ୍ୟ ଅତି ଆଦିମ କାଳରୁ ମାନବିକତାର ମହାନ୍‌ ଭାବ ଓ ଆଦର୍ଶ ପରିବେଷଣ କରି ମନୁଷ୍ୟକୁ ସେଥିରେ ଗୁଣାନ୍ୱିତ କରିବାକୁ ଅବିଶ୍ରାନ୍ତ ଡାକ ପାରୁଛି, ସାହିତ୍ୟର ସେହି ଉଦ୍ୟମ ଯେ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ—ଏହାହିଁ ହେଲା ତା’ର ପ୍ରକୃତ କାରଣ । ସାହିତ୍ୟକୁ ତାର ସେହି ମହାନ ଅଭିଳାଷ ପୂରଣ କରିବାକୁ ହେଲେ, ମନୁଷ୍ୟକୁ ପ୍ରକୃତ ମାନବିକ ଗୁଣରେ ଗୁଣାନ୍ୱିତ କରିବାକୁ ହେଲେ—ସେହି ପ୍ରାକୃତିକ ଦୃଷ୍ଟିକୋଣ, ପ୍ରକୃତିର ପରିବର୍ତ୍ତନକାରୀର ଦୃଷ୍ଟିକୋଣ ହିଁ, ଗ୍ରହଣ କରିବାକୁ ହେବ । ଏହାହିଁ ହେଉଛି ମନୁଷ୍ୟକୁ ମାନବିକ କରିବାର ଏକମାତ୍ର ପନ୍ଥା ।

 

ସମସ୍ତେ ଜାଣନ୍ତି, ପ୍ରକୃତି ଚିରନ୍ତନ, ଗତୀଶୀଳ । ଏହାର ତାତ୍ପର୍ଯ୍ୟ ହେଲା, ପ୍ରକୃତି ମଧ୍ୟରେ ପରିବର୍ତ୍ତନ ନିହିତ । ଏହିପରି ପରିବର୍ତ୍ତନର ଆଶ୍ରୟ ହେଲା ପ୍ରକୃତି । ପରିବର୍ତ୍ତନ ବିନା ପ୍ରକୃତି ଅଚିନ୍ତନୀୟ ଏବଂ ପ୍ରକୃତି ବିନା ପରିବର୍ତ୍ତନ କଳ୍ପନାତୀତ । ପ୍ରକୃତିର ଯେପରି ଅନ୍ତ ନାହିଁ, ପରିବର୍ତ୍ତନର ସେହିପରି ସୀମା ନାହିଁ । କହିବାକୁ ଗଲେ, ପ୍ରକୃତିର ଅସ୍ତିତ୍ୱ ହିଁ ପରିବର୍ତ୍ତନ ଓ ପରିବର୍ତ୍ତନ ପ୍ରକୃତି ଦେହରେ ହିଁ ମୂର୍ତ୍ତିମନ୍ତ—ଏ ଦୁହିଁଙ୍କୁ ପୃଥକ୍‌ କରାଯାଇ ନ ପାରେ । ଏହା ଯଦି ହେଲା ପ୍ରାକୃତିକ, ତେବେ ସାହିତ୍ୟକୁ ତଦନୁଯାୟୀ ଅସୀମ ଗତି ଓ ଚିରନ୍ତନ ପରିବର୍ତ୍ତନ ପଥରେ ଅଗ୍ରସର ହେବାକୁ ହେବ । ଏହି ପରିବର୍ତ୍ତନ ପଥରେ ଯଦି ଅନ୍ତରାୟ ଆସେ ବା କେହି ପ୍ରତିବନ୍ଧକ ସୃଷ୍ଟି କରେ, ତାକୁ ପ୍ରତିହତ କରିବା ସାହିତ୍ୟର କର୍ତ୍ତବ୍ୟ । ତେଣୁ, ଏ ଦିଗରେ କେଉଁମାନେ ସହାୟକ ଓ କେଉଁମାନେ ଏହାର ପରିପନ୍ଥୀ—ତାହାର ବିଚାର ସାହିତ୍ୟର ଅଗ୍ରଗତି ପକ୍ଷରେ ଏକାନ୍ତ ଆବଶ୍ୟକ ।

 

ଏଥିଲାଗି ପୁନର୍ବାର ଆମକୁ ସେଇ ମୂଳକୁ ଫେରିଯିବାକୁ ପଡ଼ିବ । ଯେଉଁ ଶ୍ରେଣୀ ପ୍ରକୃତି ସହିତ ସକ୍ରିୟ ଭାବେ ଜଡ଼ିତ, ସେହି ଶ୍ରେଣୀ ଏହାର ସହାୟକ । ଯେଉଁ ଶ୍ରେଣୀ ପ୍ରକୃତି ସହିତ ସକ୍ରିୟ ସମ୍ୱନ୍ଧରୁ ବିଚ୍ଛିନ୍ନ, ଏହାର ପରିପନ୍ଥୀ । କାରଣ, ସକ୍ରିୟ ସମ୍ବନ୍ଧ ସୃଷ୍ଟି ବା ଉତ୍ପାଦନ-କର୍ମ ଓ ପ୍ରକୃତି ଉଭୟେ ନିର୍ଭରଶୀଳ । ତାଙ୍କର ସମ୍ମିଶ୍ରଣର ସଂଘର୍ଷ ଏକ ନୂତନକୁ ଜନ୍ମ ଦିଏ, ନୂତନ ପରିବର୍ତ୍ତନ ଆଣେ । ପୁଣି, ଏହି ପରିବର୍ତ୍ତନ ପ୍ରକ୍ରିୟା ସେହିପରି ଆହୁରି ଅଧିକ ଗଭୀର, ଆହୁରି ବ୍ୟାପକ, ଆହୁରି ଅଧିକ ଜଟିଳ ପରିବର୍ତ୍ତନ ସୃଷ୍ଟି କରି ଚାଲେ ଅନନ୍ତ ପରିବର୍ତ୍ତନ ପଥରେ, ଚିରନ୍ତନ ଗତି ନେଇ, ବିକାଶର ଉତ୍ତୋରତ୍ତୋର ସୋପାନକୁ ଅତିକ୍ରମ କରି ।

 

ପ୍ରକୃତି ସହିତ ସକ୍ରିୟ ଭାବେ ସଂପୃକ୍ତ ଶ୍ରମିକଶ୍ରେଣୀ ସାମାଜିକ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନର ସେହିପରି କୌଣସି ସୀମାରେଖା ମାନେ ନାହିଁ । ଅନ୍ୟ ସମସ୍ତ ଶ୍ରେଣୀ ପରିବର୍ତ୍ତନ ଚାହାନ୍ତି(ବା ଚାହିଁଥିଲେ) କିନ୍ତୁ ପ୍ରତ୍ୟେକଙ୍କର ସୀମାରେଖା ନିର୍ଦ୍ଦିଷ୍ଟ । ସେମାନେ ସେ ସୀମାରେ ପହଞ୍ଚିଲା ପରେ ନିଜର ପ୍ରତିଷ୍ଠା ଓ ଆଧିପତ୍ୟ ସାବ୍ୟସ୍ତ କଲା ଉତ୍ତାରୁ ଆଉ ପରିବର୍ତ୍ତନର ପକ୍ଷପାତୀ ହୋଇ ରହନ୍ତି ନାହିଁ । ସେମାନେ ଚାହାନ୍ତ, ତାଙ୍କର ସେଇ ସାମାଜିକ ବ୍ୟବସ୍ଥା, ନୀତି, ମତ, ସାହିତ୍ୟ ଓ ଧାରଣା ଆଦି ସେମିତି ଚିରକାଳ ବଜାଏ ରହିଥାଉ । ଉତ୍ପାଦନ ପ୍ରଣାଳୀ ଯାତା ଦୂର ବିକାଶ ଲାଭ କରିଛି, ତାହା ସେତିକିରେ ରହୁ । ତା’ର ସୁରକ୍ଷା ଲାଗି ଯେଉଁ ସମାଜ, ସାହିତ୍ୟ ଓ ରାଷ୍ଟ୍ରଶକ୍ତି ଗଢ଼ିଉଠିଛି ତାହା ସେହିପରି ଚିରକାଳ ପ୍ରତିଷ୍ଠିତ ଥାଉ । ତେଣୁ ସେମାନେ ଆଉ ବିକାଶ ଓ ଅଗ୍ରଗତିର ପକ୍ଷପାତୀ ନୁହନ୍ତି । ସେହି ସୀମାରେଖାରେ ରକ୍ଷା ଲାଗି ସମସ୍ତ ପରିବର୍ତ୍ତନକୁ ପରିହାର କରନ୍ତି; ଅଗ୍ରଗତିର ଦ୍ୱାର ରୁଦ୍ଧ କରନ୍ତି; ନିଜର ପୁରାତନ ବିପ୍ଳବର ଉତ୍ସାହ ପାଳନ କଲାବେଳେ ନୂତନ ବିପ୍ଳବର ଆଗମନକୁ ସମସ୍ତ ଶକ୍ତି ଦେଇ ଦମନ କରନ୍ତି । ପ୍ରଗତିର ରୂପ ପରିତ୍ୟାଗ କରି ପ୍ରତିକ୍ରିୟାର ରୂପ ଗ୍ରହଣ କରନ୍ତି । କାରଣ, ସେହି ସୀମାରେଖା ଅତିକ୍ରମ କରିବା ହେଉଛି ଶ୍ରେଣୀଗତ ଭାବେ ସେମାନଙ୍କର ମୃତ୍ୟୁ । ତେଣୁ, ସେମାନେ ନିଜର ରକ୍ଷା ଲାଗି ସମସ୍ତ ସାମାଜିକ ଆବିଳତା, ପ୍ରତିକ୍ରିୟା ଓ ସାମାଜିକ ମୃତ୍ୟୁକୁ ବରଣ କରନ୍ତି । ଇତିହାସରେ ଶ୍ରମିକ ଶ୍ରେଣୀ ପୂର୍ବରୁ ରାଜାମହାରାଜା, ଧନୀ, ପୁଞିପତି ଯେତେ ଯେତେ ଶ୍ରେଣୀ ଆସିଛନ୍ତି—ଏହାହିଁ ହୋଇଛି ସେମାନଙ୍କ ଜୀବନର ଲକ୍ଷ୍ୟ । କିନ୍ତୁ ଜୀବନର ପ୍ରବାହ ତାଙ୍କୁ ଧୂଳିସାତ୍‌ କରିଛି ।

 

କିନ୍ତୁ ପ୍ରକୃତି ସହିତ ସଂପୃକ୍ତ ଶ୍ରମିକଶ୍ରେଣୀ କୌଣସି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସୀମାରେଖା ମାନେ ନାହିଁ । ତାର ସେହି ପ୍ରକୃତି-ସଂପର୍କର ଅଭିବୃଦ୍ଧିର ଯେପରି ଅନ୍ତ ନାହିଁ, ତା’ପକ୍ଷରେ ସମାଜିକ ଅଗ୍ରଗତିର ସେଇମିତି କୌଣସି ସୀମାସରହଦ୍‌ ନାହିଁ । ଯେହେତୁ ଚିର ପରିବର୍ତ୍ତନଶୀଳ ପ୍ରକୃତି ଓ ଚିର ପରିବର୍ତ୍ତନଶୀଳ ଉତ୍ପାଦନ କର୍ମ ଦ୍ୱାରା ତାହା ନିତ୍ୟ ନୂତନକୁ, ନୂତନ ପରିବର୍ତ୍ତନ ପ୍ରକ୍ରିୟାକୁ ଜନ୍ମ ଦିଏ ତେଣୁ ତାହା ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ପୁରାତନ ଧ୍ୟାନ ଧାରଣ ଅବସ୍ଥାକୁ ସବାସର୍ବଦା ଧ୍ୱଂସ ଓ ପରିବର୍ତ୍ତନ କରିବାରେ ଲାଗିଥାଏ ଏବଂ ଶେଷରେ ନିଜେ ମଧ୍ୟ ଲୋପ ପାଇଯାଏ । ସଚେତନ ଭାବେ ନିଜେ ନିଜକୁ ଲୋପ କରିବା ହୁଏ ତାର କାମ୍ୟ । ପରିବର୍ତ୍ତନର ଏହି ଚିରନ୍ତନ ପ୍ରବାହରେ ସମସ୍ତକୁ ନୂତନ ନୂତନ ରୂପ ଓ ଗୁଣରେ ରୂପାୟିତ, ଗୁଣାନ୍ୱିତ କରିବା ହୁଏ ତାର ଲକ୍ଷ୍ୟ । ଏହାହିଁ ହୁଏ ମାନବ ସମାଜର ସୀମାତୀତ ପରିପୂର୍ଣ୍ଣତା ଦିଗରେ ଅପରିସୀମା ଗତି । ଯଦି କ୍ଷୁଦ୍ର, ସ୍ଥାଣୁ ଓ ସଂକୀର୍ଣ୍ଣ ଗଣ୍ଡୀ ମଧ୍ୟରେ ଆବଦ୍ଧ ନ ରହି ସାହିତ୍ୟ ସେହି ଚିରନ୍ତନ ଗତିପଥରେ ଅଗ୍ରସର ହେବାକୁ ଆପଣାର ଲକ୍ଷ୍ୟବୋଲି ଗ୍ରହଣ କରେ, ତେବେ ତାକୁ ସେହି ପ୍ରାକୃତିକ ଦୃଷ୍ଟିକୋଣ, ଶ୍ରମିକଶ୍ରେଣୀର ଦୃଷ୍ଟିକୋଣ ଗ୍ରହଣ କରିବାକୁ ହେବ ।

 

ଉପରୋକ୍ତ ଆଲୋଚନାରେ ବହୁ ସାହିତ୍ୟିକ ବନ୍ଧୁ କ୍ଷୁବ୍‌ଧ ହୋଇଉଠିବେ । ପ୍ରଶ୍ନ କରିବେ—ତା’ହେଲେ ମନୁଷ୍ୟ କଣ କିଛି ନୁହେଁ ? ସେ ପାହାଡ଼, ଜଙ୍ଗଲ, ଗୋଡ଼ିମାଟି ପରି ନିର୍ଜୀବ ପ୍ରାକୃତିକ ପଦାର୍ଥ ? ତାର ନିଜସ୍ୱ ଚେତନା ବୋଲି କିଛି ନାହିଁ ? ସେ ପ୍ରକୃତି ହାତରେ କେବଳ ଏକ କ୍ରୀଡ଼ନକ ଆଉ ତାର ଲୀଳାର ପ୍ରଭାବରେ ଲକ୍ଷ୍ୟହୀନ ତରୀ ଭଳି ଭାସିବାରେ ଲାଗିଛି ?

 

ଏହା ଆଦୌ ନୁହେଁ । ଏଠି ମାନବ ଓ ପ୍ରକୃତିକୁ ଯଥା ସ୍ଥାନରେ ଅଧିଷ୍ଠିତ କରା ଯାଇଛି-। ଏ ଦୁହିଁଙ୍କ ପାର୍ଥକ୍ୟକୁ ଅସ୍ୱୀକାର କରାଯାଇ ନାହିଁ । ମାନବ ଓ ପ୍ରକୃତି—ଏ ଦୁହିଁଙ୍କ ଐକ୍ୟ ଉପରେ ଯେପରି ଜୋର ଦିଆଯାଇଛି, ପାର୍ଥକ୍ୟ ପ୍ରତି ସେହିପରି ଗୁରୁତ୍ୱ ଆରୋପ କରାଯାଇଛି-। ଏହି ଐକ୍ୟ ଓ ପାର୍ଥକ୍ୟର ଭିତ୍ତି ଉପରେ ଉପରୋକ୍ତ ଆଲୋଚନା ପର୍ଯ୍ୟବସିତ ।

 

ବନ, ପର୍ବତ, ସାଗର ଓ ପ୍ରାନ୍ତରଠାରୁ ଆରମ୍ଭ କରି ପୁଷ୍ପର ସୌରଭ ପର୍ଯ୍ୟନ୍ତ ଯେପରି ପ୍ରକୃତିର ସୃଷ୍ଟି, ମନୁଷ୍ୟ ଓ ତାର କାର୍ଯ୍ୟ ମଧ୍ୟ ସେହିପରି ଏକ ପ୍ରାକୃତିକ ସୃଷ୍ଟି । ନୀହାରିକା ମଣ୍ଡଳଠାରୁ ଅଣୁପରମାଣୁ ପର୍ଯ୍ୟନ୍ତ ସବୁ କିଛି ପ୍ରକୃତିର ସର୍ଜ୍ଜନା । ଏହା ସବୁ ସେହି ପରିବର୍ତ୍ତନ ଜରିଆରେ ହିଁ ରୂପାୟିତ । ଏ ସୃଷ୍ଟି ଅସଂଖ୍ୟ ଓ ଅତ୍ୟନ୍ତ ଜଟିଳ, ଅତୀବ ବିଚିତ୍ର । କିନ୍ତୁ ପ୍ରକୃତି ଯେପରି ସୃଷ୍ଟି କରେ, ମନୁଷ୍ୟ ସେପରି ସୃଷ୍ଟି କରେ ନାହିଁ । କାରଣ, ମନୁଷ୍ୟ ପ୍ରକୃତିର ସୃଷ୍ଟ ଏକ ପ୍ରାଣୀ—ଏଙ୍ଗେଲେସଙ୍କ ଭାଷାରେ, ‘‘ଯାହା ମଧ୍ୟରେ କି ପ୍ରକୃତି ନିଜେହିଁ ଚେତନା ଲାଭ କରେ ।’’ ସେ ଚେତନାଲାଭ ଲାଗି ଆବଶ୍ୟକୀୟ ଅଙ୍ଗ ପ୍ରତ୍ୟଙ୍ଗ ସେହି ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ ହେଲେହେଁ ଚେତନଶୀଳ ପ୍ରାଣୀର ସୃଷ୍ଟିଅଚେତନ ପ୍ରକୃତି ସୃଷ୍ଟିଠାରୁ ଭିନ୍ନ । ମନୁଷ୍ୟ ସୃଷ୍ଟି କରେ ଏକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ, ଏକ ପୂର୍ବ-କଳ୍ପିତ ପରିକଳ୍ପନା ଅନୁଯାୟୀ । ତେଣୁ, ପ୍ରକୃତି ମନୁଷ୍ୟ ତୁଳନାରେ ଅସଂଖ୍ୟ ଜଟିଳ ଓ କଳ୍ପନାତୀତ ବୈଚିତ୍ର୍ୟ ସୃଷ୍ଟି କରୁଥିଲେ ସୁଦ୍ଧା ଏହି କାଳି, କାଗଜ, କଲମ, ଘରଦ୍ୱାର ପ୍ରଭୃତି ମନୁଷ୍ୟକୃତ ପଦାର୍ଥମାନ ସୃଷ୍ଟି କରିବାକୁ ଅସମର୍ଥ । ଏହାହିଁ ମନୁଷ୍ୟକୁ ପ୍ରକୃତିଠାରୁ, ତାର ଅନ୍ୟ ସମସ୍ତ ପ୍ରାଣୀ, ପଦାର୍ଥଙ୍କଠାରୁ ପୃଥକ କରେ ।

 

ଯେଉଁମାନେ କେବଳ ଏଇ ଚେତନାର ପାର୍ଥକ୍ୟ ଉପରେ ଜୋର ଦିଅନ୍ତି, ତାକୁ ଏକମାତ୍ର ବିଷୟ ବୋଲି ଜ୍ଞାନ କରନ୍ତି, ସେସବୁରୁ ଐକ୍ୟକୁ ଦେଖନ୍ତି ନାହିଁ, ପରିଣାମରେ ସେମାନେ ଏତେ ଦୂର ଆଗେଇଯା’ନ୍ତି ଯେ, କହନ୍ତି, ମନୁଷ୍ୟ ପ୍ରକୃତିଠାରୁ ଏକବାରକେ ଭିନ୍ନ ଓ ପୃଥକ; ଏକ ସ୍ୱତନ୍ତ୍ର ସତ୍ତା ଭାବେ ଜାତ ଓ ବିଦ୍ୟମାନ; ପ୍ରକୃତି ଅପେକ୍ଷା ଆଉ କିଛି ଅଧିକ, ତାର ଊର୍ଦ୍ଧ୍ୱରେ—ସେ ପ୍ରକୃତିର ଲୀଳା ଓ ନିୟମକୁ ମନଇଚ୍ଛା ଲଘଂନ କରିପାରେ । ସେମାନେ ପ୍ରକୃତି ସହିତ ନିଜକୁ ପରୀକ୍ଷା ନ କରି ବିଚ୍ଛିନ୍ନ କରିବା ଦ୍ୱାରା ନିଜର ମନୋଗତ ଭାବ ଓ ଧାରଣାକୁ ତା’ (ପ୍ରକୃତି) ଉପରେ ଲଦି-ଦିଅନ୍ତି । ଫଳରେ, ମନୁଷ୍ୟ ନିଜେ ପ୍ରକୃତିସୃଷ୍ଟ ନ ହୋଇ ମନୁଷ୍ୟର ଉପରୋକ୍ତ ମନୋଗତ ଭାବ- ହୁଏ ପ୍ରକୃତିର ସୃଷ୍ଟିକର୍ତ୍ତା । ମନୁଷ୍ୟ ପ୍ରକୃତିକୁ ଛାଡ଼ି ସେହି ମନୋଗତ ଭାବ—ପରମଭାବ, ପରମଶକ୍ତି ବା ପରମାତ୍ମାଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଚେଷ୍ଟା କରେ । ମନୁଷ୍ୟର ଏ ଧାରଣା ସାହିତ୍ୟ ରାଜ୍ୟରେ ଆଜି ବେଶ ପ୍ରତିଫଳିତ ।

 

ପ୍ରକୃତରେ ଯିଏ ଯାହା ନୁହେଁ, ତାକୁ ସେହି ଭାବ ବା ଗୁଣ ଯଦି ଆରୋପ କରାଯାଏ, ତାହା ହୁଏ ଅପ୍ରାକୃତିକ, ଅବାସ୍ତବ । ଅନ୍ୟାନ୍ୟ କ୍ଷେତ୍ର ଭଳି ସାହିତ୍ୟରେ ଏହି ଅବାସ୍ତବତା ବିଭିନ୍ନ ମତବାଦ ଆକାରରେ ଆତ୍ମପ୍ରକାଶ କରେ ।

 

ଅନ୍ୟ ଦିଗରେ, ଯେଉଁଠି ପ୍ରକୃତିଠାରୁ ମନୁଷ୍ୟର ପାର୍ଥକ୍ୟକୁ ଊଣା କରି ଦେଖାଯାଏ, ମାନବଚେତନାକୁ ଉପେକ୍ଷା କରାଯାଏ ଏବଂ ଚେତନାର ଗୁଣାତ୍ମାକ ପାର୍ଥକ୍ୟକୁ ଏଡ଼ି ଦେଇ ତାକୁ ପ୍ରକୃତିର କେବଳ ଏକ କ୍ରମାନ୍ୱୟତା ବୋଲି ବିଚାର କରାଯାଏ, ସେଠାରେ ମାନବସୃଷ୍ଟି ତାର ନିଜସ୍ୱ ସ୍ୱତନ୍ତ୍ରତା ହରାଏ । ତାହା ହୁଏ ଅନ୍ୟର ବା ପ୍ରକୃତିର ଏକ ନକଲ । ତେଣୁ ଅପସୃଷ୍ଟିରେ ପରିଣତ ହୁଏ । ତାହା ହୁଏ ସେହିପରି ଅପ୍ରାକୃତିକ ଓ ଅବାସ୍ତବ ।

 

ସେହି ମନୋଗତ ଭାବ ଯୋଗୁ ଏହି ଅପ୍ରାକୃତିକତାକୁ ନ ଦେଖିବା ବା ଜାଣିଶୁଣି ତାକୁ ଘୋଡ଼ାଇବା ଲାଗି ସାହିତ୍ୟ କ୍ଷେତ୍ରରେ ବାସ୍ତବବାଦ (ରିୟଲିଜିମ ଓ ନାଚିରାଲିଜିମ), ପ୍ରକୃତିବାଦ ଆଦି ଭଳି କମ ମତବାଦ ସୃଷ୍ଟି ହୋଇ ନାହିଁ । ସାହିତ୍ୟରେ ସାଧାରଣତଃ ପ୍ରକୃତିବାଦ ବା ନେଚରାଲିଜିମ କହିଲେ ଯାହା ବୁଝାଏ, ଏଠାରେ ପ୍ରାକୃତିକତା ତା’ଠାରୁ ସଂପୂର୍ଣ୍ଣ ପୃଥକ, ବରଂ ବିପରୀତ କହିଲେ ଚଳେ । ପ୍ରକୃତିବାଦ ବା ନାଚରାଲିକିମ ହେଲା-ଏକ ଫଟୋଗ୍ରାଫ, ସ୍ଥିର ଅଙ୍କନ, ଗୋଟାଏ ମୁହୂର୍ତ୍ତର ସ୍ଥାୟୀ ଚିତ୍ର । ଉକ୍ତ ଚିତ୍ରରେ ସାନବଡ଼, ଅତି ନଗଣ୍ୟ ଓ ଅତି ଗୁରୁତ୍ୱପୂର୍ଣ୍ଣ ଜିନିଷ ଯିଏ ଯେମିତି ଅଛନ୍ତି, ସେହିପରି ସମାନଭାବେ ପରିସ୍ଫୁଟ ହୁଅନ୍ତି । ତାହା କୌଣସି ପୂର୍ବାପର ଗଢ଼ି ଓ ବିକାଶ, ମୋଟ ଉପରେ ଗତିଶୀଳତାକୁ ସ୍ୱୀକାର କରେ ନାହିଁ, କୌଣସି ଉପସଂହାରରେ ପହଞ୍ଚେ ନାହିଁ କି କୌଣସି ଦିଗରେ କୌଣସି ନିର୍ଦ୍ଦେଶର ଇଙ୍ଗିତ ଦିଏ ନାହିଁ । ଭିତରକୁ ପ୍ରବେଶ ନ କରି ଉପରର ସ୍ଥିର-ଚିତ୍ର-ଅଙ୍କନ ହୁଏ ତାର ଲକ୍ଷ୍ୟ । ତେଣୁ ତାହା ପ୍ରକୃତ ବାସ୍ତବତାକୁ ଉଦ୍‌ଘାଟନ କରେ ନାହିଁ କି ଭବିଷ୍ୟତର ନିର୍ଦ୍ଦେଶ ଦିଏ ନାହିଁ । ଫଳରେ, ନିଷ୍କ୍ରିୟତା ହୁଏ ତାର ପରିଣତି ।

 

ଏଠାରେ ପ୍ରାକୃତିକତା, ପ୍ରକୃତିର ଅନ୍ତର୍ନିହିତ ଗତିଧାରା ଛନ୍ଦ ଓ ଲୀଳାକୁ ଉଦ୍‌ଘାଟିତ କରେ । ସଚେତନ ଭାବେ ତାର ପ୍ରୟୋଗର ନିର୍ଦ୍ଦେଶ ଦିଏ । ଯେହେତୁ ମଣିଷ ଚେତନଶୀଳ, ସେ ହିଁ କେବଳ ପ୍ରକୃତିର ଛନ୍ଦ ଓ ଲୀଳାକୁ ବୁଝିବାକୁ ସମର୍ଥ । ସେ ତା’ର ପ୍ରୟୋଗ ଦ୍ୱାରା ହିଁ ନିଜର ଚେତନାର ପରାକାଷ୍ଠାକୁ ପ୍ରତିପାଦିତ କରେ । ପ୍ରକୃତିକୁ ମାନବଗୁଣ ପ୍ରଦାନ କରିବା ଦ୍ୱାରା ହିଁ ମନୁଷ୍ୟ ନିଜର ପ୍ରକୃତିକୁ ପରିବର୍ତ୍ତନ କରି ନିଜେ ହୁଏ ମାନବିକ । ସେତେବେଳେ ପରମାଣୁ ଧ୍ୱଂସର କାରଣ ନ ହୋଇ, ହୁଏ ପ୍ରାଚୁର୍ଯ୍ୟ ସୃଷ୍ଟିର ଉପାୟ । ଶ୍ରମ, ଦୁଃଖଦାୟକ ନ ହୋଇ ହୁଏ ସୁଖ ଓ ଆନନ୍ଦର ଅଭିବ୍ୟକ୍ତି । ସାହିତ୍ୟ ନୀଚ ପାଶବିକତା ଛାଡ଼ି ସୃଷ୍ଟି କରେ ମହାମାନବତାର ବିପୁଳ ପ୍ରବାହ ।

 

ଅତଏବ, ପ୍ରକୃତିର ଯେଉଁ ଛନ୍ଦ, ଲୀଳା, ନିୟମକୁ ଭିତ୍ତିକରି ମନୁଷ୍ୟ ସମସ୍ତ ଜିନିଷ ସୃଷ୍ଟି କରେ, ସାହିତ୍ୟ ମଧ୍ୟ ସେହି ଛନ୍ଦ, ଲୀଳା ଓ ନିୟମ ଉପରେ ନିର୍ଭରଶୀଳ—(ଯଦିଓ ସାହିତ୍ୟର ନିଜର ସ୍ୱତନ୍ତ୍ର ନିୟମ ରହିଛି) । ପ୍ରକୃତିର ମାଧ୍ୟାକର୍ଷଣ ଶକ୍ତି ନିମ୍ନକୁ ଆକର୍ଷଣ କଲାବେଳେ, ସେହି ଶକ୍ତିକୁ ଭିତ୍ତି କରି ମନୁଷ୍ୟ ଉର୍ଦ୍ଧ୍ୱକୁ ଗମନ କରେ । ଜଳସ୍ରୋତର ନିମ୍ନପ୍ରବାହିତ ନିୟମକୁ ଭିତ୍ତି କରି ମନୁଷ୍ୟ ଗୃହକୋଣରେ ସଲିଳର ନିର୍ଝର ଛୁଟାଏ । ପ୍ରକୃତିର ସୌନ୍ଦଯ୍ୟ-ନିୟମ ଅବଲୋକନ କରି ନିଜର ସଂସାରକୁ ସୁଶୋଭିତ କରେ । କିନ୍ତୁ ପ୍ରକୃତି ପାହାଡ଼ପର୍ବତ ସୃଷ୍ଟି କଲାବେଳେ, ମନୁଷ୍ୟ ସୃଷ୍ଟି କରେ ପ୍ରାସାଦ, ମନ୍ଦିର, ପିରାମିଡ଼ । ପ୍ରକୃତି ବନକାନନ ସୃଷ୍ଟି କଲାବେଳେ ମଣିଷ ସୃଷ୍ଟି କରେ ନନ୍ଦନକାନନ ।

 

ତେଣୁ ସାହିତ୍ୟ ରାଜ୍ୟରେ ବନ ନୁହେଁ, ଉପବନ ସୃଷ୍ଟି ହେଲା ସାହିତ୍ୟର ଧର୍ମ, ସାହିତ୍ୟିକର କର୍ତ୍ତବ୍ୟ । ପ୍ରକୃତିର ସୃଷ୍ଟି ସ୍ୱତଃସ୍ଫୁର୍ତ୍ତ, ମନୁଷ୍ୟର ସୃଷ୍ଟି ସଚେତନ । ପ୍ରକୃତି-ବକ୍ଷରେ ପକ୍ଷୀର କାକଳୀ, ପୁଷ୍ପର ସୌରଭଠାରୁ ଆରମ୍ଭ କରି ମନୁଷ୍ୟର ମନଗହ୍ୱରରେ ପ୍ରକାଶ୍ୟ ଓ ଅପ୍ରକାଶ୍ୟ ଭାବେ ଯେତେ ଯେତେ ଭାବ ଧ୍ୱନିତ, ପ୍ରତିଧ୍ୱନିତ ଓ ପ୍ରତିଫଳିତ, ସେ ସବୁର ସଚେତନ ସଂଶ୍ଳେଷଣ ଯୋଗେ ସାହିତ୍ୟ-ଉପବନକୁ ବିମଣ୍ଡିତ କରିବା ସାହିତ୍ୟର ଲକ୍ଷ୍ୟ ଓ ଆଦର୍ଶ । ତାର ସଫଳତା ହେଉଛି—ପ୍ରକୃତିର ସେହି ଚ୍ଛନ୍ଦ, ଲୀଳା, ନିୟମର ଉପଲବ୍‌ଧି ଓ ତାର ସଚେତନ ପ୍ରୟୋଗ ।

 

ଏହି ଉପବନ ସୃଷ୍ଟି କରିବାକୁ ହେଲେ ସାହିତ୍ୟକୁ ସଚେତନ ଭାବେ ବୃକ୍ଷଲତା ନିର୍ବାଚନ କରିବାକୁ ହେବ । ନିୟମ ଅନୁଯାୟୀ ସେସବୁକୁ ରୋପିବାକୁ ପଡ଼ିବ, ଧ୍ୱଂସକାରୀ ଘଟି ପତଙ୍ଗ ଓ ପରାଙ୍ଗପୃଷ୍ଟ ଜୀବଙ୍କ କବଳରୁ ରକ୍ଷା କରିବାକୁ ହେବ । ଉପବନ ରକ୍ଷା ଲାଗି ଯଦି ଦରକାର ପଡ଼େ, ତେବେ ସେହି ଜୀବମାନଙ୍କୁ ନିଷ୍କ୍ରିୟ ଓ ନଷ୍ଟ କରିଦେବାକୁ ହେବ । ସାହିତ୍ୟ ଏପରି ଏକ ବିସ୍ତୁତ ଓ ବୈଚିତ୍ର୍ୟମୟ ଉପବନ ସୃଷ୍ଟି କରିବ, ଯେଉଁଠି କି ପ୍ରତ୍ୟକ ବ୍ୟକ୍ତି ଆପଣାର ଅନ୍ତରର ଇଚ୍ଛା, ଆକାଙ୍‌କ୍ଷା ଓ ପ୍ରାଣର ଅଭିଳାଷକୁ କେବଳ ଉପଭୋଗ କରିବ ନାହିଁ, ତାର ସୌନ୍ଦର୍ଯ୍ୟ ଓ ସୌରଭରେ ନିଜ ପ୍ରାଣକୁ ଅଧିକ ମହତ ଓ ବିକଶିତ କରିବ; ସେଠାରେ ନିଜର ଅନ୍ତର୍ନିହିତ ସୃଜନଶୀଳ ଶକ୍ତିକୁ ଅବାଧରେ ବ୍ୟକ୍ତି କରିପାରିବ । ବ୍ୟକ୍ତି ହେବ ସମଷ୍ଟି ପାଇଁ ଓ ସମଷ୍ଟି ଭିତରେ ଘଟିବ ବ୍ୟକ୍ତିର ପ୍ରସ୍ଫୁଟନ । ବ୍ୟକ୍ତି ଓ ସମଷ୍ଟିର ସମସ୍ତ ଦ୍ୱନ୍ଦ୍ୱ ହେବ ସମାହିତ ।

 

ଅବଶ୍ୟ କେତେକ ଅଛନ୍ତି, ସମଗ୍ର ସମାଜ ଲାଗି ଉପରୋକ୍ତ ସୁରମ୍ୟ ଉପବନ-ନିର୍ମାଣ ସେମାନଙ୍କ କାମ୍ୟ ନୁହେଁ । ସେମାନେ କହନ୍ତି, ସାହିତ୍ୟ ଲୋକଙ୍କ ପାଇଁ ନୁହେଁ, ସାହିତ୍ୟ ଲାଗି ସାହିତ୍ୟ ସୃଷ୍ଟି ସାହିତ୍ୟିକର ଧର୍ମ । ଏପରି ପ୍ରବୃତ୍ତିଗତ ସୃଷ୍ଟି କେବଳ ପଶୁମାନଙ୍କ ପକ୍ଷରେ ହିଁ ସମ୍ଭବ-। କୌଣସି ଲୋକ କେବଳ ଯିବାଲାଗି ଯାଏ ନାହିଁ, ଚାଲିବାଲାଗି ଚାଲେ ନାହିଁ ବା କରିବା ଲାଗି କରେ ନାହିଁ । ମନୁଷ୍ୟର ସମସ୍ତ କର୍ମ ପଛରେ କିଛି ନା କିଛି କାରଣ ଥାଏ, ତାହା କିଛି ନା କିଛି ଲକ୍ଷ୍ୟ, ଉଦ୍ଦେଶ୍ୟ ନେଇ ହୋଇଥାଏ, ତାହା ସ୍ପଷ୍ଟ ହେଉ ବା ପ୍ରଚ୍ଛନ୍ନ ହେଉ । ସେହିପରି ସାହିତ୍ୟ ଲାଗି ସାହିତ୍ୟ ରଚନାର ମଧ୍ୟ ଅନ୍ତର୍ନିହିତ ଅର୍ଥ ଓ ଉଦ୍ଦେଶ୍ୟ ରହିଛି । ତାହା ଏକ ନିର୍ଦ୍ଦିଷ୍ଟ ବିଷୟ ପ୍ରକାଶ କରେ ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରଭାବ ପକାଏ । ତେବେ, ଲୋକ ଅଛନ୍ତି, ଯେଉଁମାନେ ବିନା ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି; ଯଥା, ଶୋଇବା ଲାଗି ଶୁଅନ୍ତି, ନିଦ୍ରା ଦରକାର ନ ଥିଲେ ସୁଦ୍ଧା ଔଷଧ ଖାଇ ନିଦ୍ରା ଯାଆନ୍ତି, ଖାଇବା ଲାଗି ଖାଆନ୍ତି, ପେଟ ପୁରିଥିଲେ ସୁଦ୍ଧା କୁଟା ପୁରାଇ ବାନ୍ତି କରି ପୁଣି ଚଳନ୍ତି, ସମାଜରେ କୌଣସି ଆବଶ୍ୟକତା ପୂରଣ ନ କରୁଥିଲେ ସୁଦ୍ଧା କେବଳ ବଞ୍ଚିବା ଲାଗି ପ୍ରବଳ ଚେଷ୍ଟା କରି ବଞ୍ଚନ୍ତି । ‘ସାହିତ୍ୟ ଲାଗି ସାହିତ୍ୟ ସୃଷ୍ଟି’—ଏହି ମନୋବୃତ୍ତିଠାରୁ କେତେଦୂର ଭିନ୍ନ ?

 

କେବଳ ବଞ୍ଚିବା ଲାଗି ବଞ୍ଚିବା ଲୋକ ଯେପରି ଅନ୍ୟକୁ ମୃତ୍ୟୁ-ମୁଖକୁ ଠେଲି ନିଜକୁ ବଞ୍ଚାଇ ରଖେ, କେବଳ ଆତ୍ମସୁଖ ଓ ଆତ୍ମତୃପ୍ତି ଯେପରି ଧନିକଶ୍ରେଣୀର ଦୃଷ୍ଟିକୋଣ, ସେପରି ସମାଜର ସମଷ୍ଟିକୁ ବଳିଦେଇ ବା ସେଥିପ୍ରତି ଆଖି ବୁଜିଦେଇ ସାହିତ୍ୟ ଲାଗି ସାହିତ୍ୟ ସୃଷ୍ଟି, ତାର ଏକ ରାଜକୀୟ ସଂସ୍କରଣ ମାତ୍ର । ଏହି ମନୋଭାବ ସାମାଜିକ କ୍ଷେତ୍ରରେ ଯେପରି ମାରାତ୍ମକ, ସାହିତ୍ୟ-ରାଜ୍ୟରେ ମଧ୍ୟ ତଦ୍ରୂପ କ୍ଷତିକାରକ । ଏହା ସାହିତ୍ୟର ସୁମହତ ଆଦର୍ଶ—ମାନବିକତାର ଅସରନ୍ତି ବିଭବ ଦ୍ୱାରା ବ୍ୟକ୍ତି ଓ ସମାଜକୁ ବିମଣ୍ଡିତ କରିବା, ଏ ଉଦ୍ଦେଶ୍ୟକୁ ନଷ୍ଟ କରେ । ଏହା ପ୍ରକୃତି ସହିତ ସକ୍ରିୟ ସମ୍ଫର୍କର ବିରୋଧ-ଭାବ ଉପରେ ପ୍ରତିଷ୍ଠିତ । ତେଣୁ ଏହା ଅପ୍ରାକୃତିକ ଓ ଅବାସ୍ତବ ।

 

ଅତଏବ, ଏଠାରେ ପ୍ରଧାନ ବକ୍ତବ୍ୟ ହେଲା-ଏହି ବିଶ୍ୱ ପ୍ରକୃତି ସହିତ ଯେଉଁମାନେ ସକ୍ରିୟ ଭାବେ ସଂପୃକ୍ତ, ଯାହାଙ୍କ ମଧ୍ୟରେ ପ୍ରକୃତି ମାନବିକ ସୃଷ୍ଟିର ରୂପ ଧାରଣ କରେ, ନିର୍ଜୀବ ପ୍ରକୃତି ଜୀବନ୍ତ ଓ ମୂର୍ତ୍ତିମନ୍ତ ହୁଏ, ଏବଂ ଶେଷରେ, ଯେଉଁମାନଙ୍କ ଭିତର ଦେଇ ପ୍ରକୃତି ତାର ପ୍ରାକୃତିକ ଛନ୍ଦରେ ଆପଣକୁ ପ୍ରକାଶ କରେ ଓ ନିଜର ଉଦ୍ଦେଶ୍ୟକୁ ପୂରଣ କରେ, ସେହି ଶ୍ରମିକଶ୍ରେଣୀର ଦୃଷ୍ଟିକୋଣ ହେଉଛି ପ୍ରାକୃତିକ ଓ ବାସ୍ତବ । ସାହିତ୍ୟ ପକ୍ଷରେ ଏହାହିଁ ଗ୍ରହଣୀୟ, ଏ ଲେଖକର ଆଲୋଚନାର ଭିତ୍ତି । ଏହାର ଯଥାର୍ଥ ପ୍ରୟୋଗର ବିଚାର ପାଠକମାନଙ୍କ ଉପରେ ।

 

ଏଭଳି ଦୃଷ୍ଟିକୋଣରୁ ସାହିତ୍ୟ ଆଲୋଚନା ଆମ ଓଡ଼ିଆରେ ଆରମ୍ଭ ହୋଇନାହିଁ । ଓଡ଼ିଆ ସାହିତ୍ୟ କେବଳ ନିଜର ରୋକର୍ଡ଼ ଦୋରସ୍ତ କରିବାରେ, ନିଜର ବିକାଶର ବିବରଣୀ ସଂଗ୍ରହରେ ବ୍ୟସ୍ତ । ତାହା ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନୁହେଁ । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶ୍ନ ଉଠି ନାହିଁ, ଓଡ଼ିଆ ସାହିତ୍ୟର ବିକାଶଧାରାର ଅନ୍ତର୍ନିହିତ ମର୍ମ କଣ ? ବର୍ତ୍ତମାନ ତାହା କେଉଁଠି ? ଭବିଷ୍ୟତରେ ତାର ଗତି କେଉଁ ଦିଗକୁ ? ଏବେ ଓଡ଼ିଆ ସାହିତ୍ୟର ବିକାଶ ସ୍ୱତଃସ୍ଫୁର୍ତ୍ତ । ତାର ସଚେତନ ପଦକ୍ଷେପ ଆବଶ୍ୟକ । ଏସବୁର ଆଲୋଚନା ଅତ୍ୟନ୍ତ ଆବଶ୍ୟକ ଓ ଆଗ୍ରହପ୍ରଦ ହେଲେ ବି ସମୟ ସୁଯୋଗର ସମ୍ଭାବନା ନାହିଁ । ଏ ଦିଗରେ ଯଦି କେହି ଉଦ୍ୟମ କରନ୍ତି, ତେବେ ତାହା ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଏକ ବିଶିଷ୍ଟ ଅବଦାନ ଭାବେ ନୂତନ ଯୁଗର ପଥ-ନିର୍ଦ୍ଦେଶକ ହେବ ।

☆☆☆

 

Unknown

ଲେଖା ଓ ଲେଖକ

 

ଆମର ପ୍ରାଚୀନ ସାହିତ୍ୟ ପରି ଆଧୁନିକ ସାହିତ୍ୟ ଅଗ୍ରଗତି କରି ପାରୁ ନାହିଁ—ସାହିତ୍ୟ ଆଲୋଚନା କରିବାକୁ ଯାଇ ଏ କଥା ଅନେକେ କହନ୍ତି । କଥାଟା କେତେ ଦୂର ସତ୍ୟ, ବିଚାର୍ଯ୍ୟ । ଏଇ ସମାଲୋଚକଙ୍କ ଭିତରୁ କେତେକ କଳଙ୍କି ଲଗା ମତ ଓ ପରିତ୍ୟକ୍ତ ଚିନ୍ତାକୁ ପ୍ରଚଳିତ କରିବା ପାଇଁ ପ୍ରାଚୀନପ୍ରେମୀ ବୋଲି ନିଜକୁ ପ୍ରଚାର କରନ୍ତି, ଏପରିକି, ବେଦରେ ପରମାଣୁ ବୋମା ଏବଂ ଅମଲାତନ୍ତ୍ର ଥିଲା ବୋଲି କହିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ଯାଦୁଘର-ଯୋଗ୍ୟ ଏପରି ଲୋକଙ୍କ କଥାକୁ କଣ ବା ଧରାଯିବ !

 

ବର୍ତ୍ତମାନ ତ ଲେଖକ ଆଗରେ ଦୁନିଆଟା ପୂର୍ବ ତୁଳନାରେ ବହୁ ଗୁଣ ବଢ଼ି ଗଲାଣି, ପ୍ରତିଦିନ ମଧ୍ୟ ଅତିକ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି । ଲେଖକର ଜ୍ଞାନର ଭଣ୍ଡାର, ଚିନ୍ତାର ଦୃଷ୍ଟିକୋଣ ଯଦି ସେଇ ଅନୁସାରେ ପ୍ରସାରିତ ନ ହୁଏ, ତାର ଲେଖାର ଭଙ୍ଗୀ ଓ ଶୈଳୀ ଯଦି ସେଇ ଅନୁପାତରେ ତାଳ ରଖି ଚାଲି ନ ପାରେ, ତେବେ ସେ ନିଶ୍ଚୟ ପଛରେ ପଡ଼ିଯିବ । ଆମର ପଛୁଆ, ଅନୁନ୍ନତ ଅବସ୍ଥାର ଏ ହେଲା ମୂଳ କାରଣ । କେବଳ ସାହିତ୍ୟ ନୁହେଁ ପ୍ରତ୍ୟେକ କ୍ଷେତ୍ରରେ ଏହା ପ୍ରାୟ ଦେଖାଯାଉଛି । ଆମକୁ ଆଗେଇବାକୁ ହେଲେ ଏଇ ସମସ୍ୟାକୁ ସମାଧାନ କରିବାକୁ ହେବ, ଏଥିରେ ଦ୍ୱିଧା କି ଦ୍ୱିରୁକ୍ତି ରହି ନପାରେ ।

 

ଆଗେ ସାଧାରଣତଃ ନିଜର ମାତୃଭାଷା ସହ ସଂସ୍କୃତ ସାହିତ୍ୟ ଅଧ୍ୟୟନ କରି କେତେକ ଭାବ ବା ଆଇଡିଆକୁ ଆୟତ୍ତ କଲେ । ଲେଖକ ନିଜର କଳ୍ପନା ଓ ଦକ୍ଷତା ଅନୁସାରେ ଆଗେଇ ପାରୁଥିଲା । ବର୍ତ୍ତମାନ କେବଳ ସେତିକିରେ କଲମ ଚଳାଇବା ସମ୍ଭବ ନୁହେଁ ।

 

ଏବେ ଲେଖିବାକୁ ହେଲେ ବିଭିନ୍ନ ଦେଶର ବା ସମଗ୍ର ବିଶ୍ୱର ସାହିତ୍ୟ ସହିତ ପରିଚିତ ହେବାକୁ ପଡ଼ିବ । ବିଜ୍ଞାନ, ଦର୍ଶନ, ରାଜନୀତି, ଅର୍ଥନୀତି, ସାମାଜିକ ବିକାଶର ନିୟମ ଇତ୍ୟାଦି ପ୍ରତ୍ୟେକଟି ବିଷୟ, ଯାହା ମାନବ ଜୀବନକୁ ପ୍ରଭାବିତ ଓ ଆଲୋଡ଼ିତ କରୁଛି, ତାକୁ ଅନୁଧ୍ୟାନ କରିବାକୁ ହେବ ।

 

ଓକିଲ, ଶିକ୍ଷକ, ଚିକିତ୍ସକ ପ୍ରଭୃତି ତାଙ୍କ ନିଜ ନିଜ ବ୍ୟବସାୟରେ ଶିକ୍ଷା ଓ ଅଭିଜ୍ଞତା ଅର୍ଜ୍ଜନ କଲେହିଁ କୃତକାର୍ଯ୍ୟ ହୁଅନ୍ତି । ଲେଖକ କେବଳ ସାହିତ୍ୟ ଚର୍ଚ୍ଚା କରି, ସଫଳତା ଅର୍ଜ୍ଜନ କରି ପାରେ ନାହିଁ; କାରଣ ମଣିଷ-ଜୀବନ କେବଳ ସାହିତ୍ୟ ନୁହେଁ । ମନୁଷ୍ୟ; ଜୀବନ ବହୁମୁଖୀ ଏବଂ ବିଚିତ୍ର । ଲେଖକକୁ ସେଇପରି ବିଚିତ୍ର ଓ ବହୁମୁଖୀ ଜ୍ଞାନଆହରଣ କରିବାକୁ ହେବ । ଏହାର ଅର୍ଥ, ତାହାକୁ ସମାଜ ସହିତ ଭଲ ରୂପେ ପରିଚିତ ହେବାକୁ ହେବ । ତାର ଶିକ୍ଷା ଯେପରି ବ୍ୟାପକ ଓ ସମାଜବ୍ୟାପୀ, ସେ ଯାହା ସୃଷ୍ଟି କରିବ, ତାହା ମଧ୍ୟ ସେପରି ଅତି ବ୍ୟାପକ ଏବଂ ସମଗ୍ର ସମାଜବ୍ୟାପୀ ହେବା ଦରକାର ।

 

ଡାକ୍ତର ରୋଗ ବିଶେଷକୁ ଆରୋଗ୍ୟ କରେ । ଲେଖକ ସମସ୍ତ ସାମାଜିକବ୍ୟାଧି ବିରୁଦ୍ଧରେ ଅଭିଯାନ ଚଳାଏ । ଓକିଲ ଆଇନର ଜାଲରୁ କେତେ ଜଣଙ୍କୁ ଉଦ୍ଧାର କରେ । ଲେଖକ ଅମାନୁଷିକ ଆଇନ, ଅଭ୍ୟାସ ଓ ଚିନ୍ତାଧାରାରୁ ମାନବିକତାକୁ ରକ୍ଷାକରେ । ଶିକ୍ଷକ କେତେ ଜଣ ଛାତ୍ରଙ୍କୁ ଶିକ୍ଷିତ କଲାବେଳେ ଲେଖକ ସମସ୍ତ ସମାଜକୁ ନିର୍ମଳ ଚେତନଶୀଳ କରି ମାନବିକତାର ଚରମ ଅଭିବ୍ୟକ୍ତି ଦିଗକୁ ଘେନିଯାଏ । ଏପରି ମହାନ ଗୌରବ ଲେଖକ ବ୍ୟତୀତ ଅନ୍ୟ କାହା ଭାଗ୍ୟରେ ଘଟେ ନାହିଁ ।

 

ସମାଜ ପ୍ରତି ଲେଖକର ଦାନ ଅତୁଳନୀୟ । ତାର ଦାୟିତ୍ୱ ମଧ୍ୟ ସେହିପରି ଅତି ମହାନ-। ସେଥିଲାଗି ତାର ସାଧନା ଅତ୍ୟନ୍ତ କଠୋର ଓ କଷ୍ଟସାଧ୍ୟ ହେବା ସ୍ୱାଭାବିକ । ତେଣୁ ସବୁବେଳେ ନିଜ କର୍ତ୍ତବ୍ୟର ସମକକ୍ଷ ହେବା ଲାଗି ତାର ଚେଷ୍ଟା ହେବା ଉଚିତ ।

 

ଜୀବନରେ ହର୍ଷ ବିଷାଦ, ପ୍ରେମ, ଘୃଣା, ସୁଖଦୁଃଖ, ବିରହ ମିଳନ ପ୍ରଭୃତିର ଘାତପ୍ରତିଘାତର ପ୍ରତ୍ୟେକ ସୁକ୍ଷ୍ମ ପ୍ରତିଫଳନକୁ ଫୁଟେଇବା, ମଣିଷ-ଜୀବନକୁ ସମାଜକୁ ଏକ ଅଙ୍ଗ ଭାବରେ ସାମାଜିକ ଦୃଷ୍ଟି କୋଣରୁ, ବିଚାର କରିବା ଏବଂ ସେଥିଲାଗି ଘାସ କଟାଠାରୁ ଘୋଡ଼ାଚଢ଼ା ଯାଏ ଓ ପାଣି ବୁହାଠାରୁ ପରମାଣୁ ବୋମା ତିଆରି ଯାଏ ପ୍ରତ୍ୟେକ ବିଷୟରେ ଗୋଟାଏ ସ୍ଥୁଳ ଧାରଣା ହାସଲ କରିବା, ଏହାଯେ କେତେ ଦୁରୂହ ବ୍ୟାପାର, ସମସ୍ତେ ଉପଲବ୍‌ଧି କରିବା ଦରକାର ।

 

ଲେଖକର ସମସ୍ତ ସୃଷ୍ଟି ଯେତେବେଳେ ସମଗ୍ର ସମାଜ ପାଇଁ, ସେତେବେଳେ ଲେଖକକୁ ସୃଷ୍ଟି କରିବା, ସମଗ୍ର ସମାଜର କର୍ତ୍ତବ୍ୟ ସାମାଜିକ ସାହାଯ୍ୟ ସମର୍ଥନ ବିନା କୌଣସି ଲେଖକ ପକ୍ଷରେ ଲେଖକ ବା ସାହିତ୍ୟକର ଉଚ୍ଚ ଆସନ-ଲାଭ ସମ୍ଭବପର ନୁହେଁ ।

 

ଆମେ ବହୁ ସମୟରେ ଲେଖକମାନଙ୍କୁ ସମାଲୋଚନା କରିଥାଉଁ, କରିବା ଉଚିତ । କିନ୍ତୁ ତା ସଙ୍ଗରେ ଅନ୍ୟ ଦିଗରୁ ସେମାନଙ୍କର ଅବାଧ ବିକାଶରେ ଯେଉଁ ସବୁ ପ୍ରତିବନ୍ଧକ ରହିଛି ତାକୁ ତ ଆକ୍ରମଣ କରିବା ଆବଶ୍ୟକ । ଲେଖକକୁ ସାଧନା ଦିଗରେ ସୁବିଧା ନ ଦେଇ କେବଳ ସମାଲୋଚନା କଲେ ନିଜର ସାଧ ମେଣ୍ଟିପାରେ, କିନ୍ତୁ ପ୍ରକୃତ ସମସ୍ୟାର ସମାଧାନ ହେବ ନାହିଁ ।

 

ଆଜି ଆମ ଓଡ଼ିଶାର ଲେଖକଙ୍କ ସମସ୍ୟା କଣ ? —ନିଜକୁ ବଞ୍ଚାଇବା, ଗଢ଼ିବା, ନିଜର ଲେଖା ଲାଗି ମସଲା ସଂଗ୍ରହ କରିବା ଏବଂ ଶେଷରେ ତାକୁ ନେଇ ବଜାରରେ ପହଞ୍ଚାଇବା-

 

ପ୍ରଥମରେ ନିଜକୁ ଗଢ଼ିବା ଓ ଲେଖା ଲାଗି ମସଲା ସଂଗ୍ରହ କରିବାରେ ସେ ସାମାଜିକ ସାହାର୍ଯ୍ୟ ପାଏ ନାହିଁ । ସମଗ୍ର ଓଡ଼ିଶାରେ କୌଣସିଠାରେ ଗୋଟିଏ ହେଲେ ଉତ୍କୃଷ୍ଟ ଧରଣର ସାଧାରଣ ପାଠାଗାର ନାହିଁ କଟକ ସହର ଏ ଦିଗରେ ଆଦର୍ଶ । କୌଣସି ବ୍ୟକ୍ତିବିଶେଷଙ୍କ ପକ୍ଷରେ ବିଭିନ୍ନ ବହି, ପତ୍ରପତ୍ରିକା ଆଦି କିଣି ପଢ଼ିବା ସମ୍ଭବ ନୁହେଁ । ଏ ଦିଗରେ ଆମ ସମାଜ ଲେଖକକୁ ତାର ଭାଗ୍ୟ ଉପରେ ଛାଡ଼ି ଦେଇଛି । ଦ୍ୱିତୀୟରେ କେବଳ ଶିକ୍ଷା ନୁହେଁ, ଲେଖିବା ପାଇଁ ଅନେକ ସମୟରେ ପ୍ରତ୍ୟକ୍ଷ ଅଭିଜ୍ଞତା ମଧ୍ୟ ଲୋଡ଼ା । ଲେଖକଙ୍କୁ ସେ ଅଭିଜ୍ଞତା-ଅର୍ଜନରେ ସାହାର୍ଯ୍ୟର କାହାରି କୌଣସି କଳ୍ପନା ସୁଦ୍ଧା ନାହିଁ ।

 

ତୃତୀୟରେ ପ୍ରଶ୍ନ ହେଉଛି, ଲେଖକକୁ ଉତ୍ସାହ ଦେବା । ଉତ୍ସାହ ପାଇଲେ ପଙ୍ଗୁ ମଧ୍ୟ ଗିରି ଲଘିଂପାରେ । ବିଚରା ଲଖକ ସମାଜ ବା ସରକାରଙ୍କ ଆଡ଼ୁ ଉତ୍ସାହ ପାଏ ନାହିଁ । ଲେଖକ ହିସାବରେ ନିଜକୁ ପ୍ରତିଷ୍ଠିତ କରି ସାରିଲାପରେ ସରକାର ତାର କବିତା ଗୋଟିକୁ ଦଶ-ଟଙ୍କା ଯାଚି ଉତ୍ସାହ ଦେଇଥାଆନ୍ତି । ଲେଖକ ଜୀବନରେ ପ୍ରକୃତ ସଂଗ୍ରାମ ଅବସ୍ଥାରେ କେହି ତାକୁ ପଚାରେ ନାହିଁ । ତେଲେଙ୍ଗା ବୁଣାଳିମାନେ ଦିନରେ ଲୁଗା ବୁଣି ସଂଧ୍ୟାରେ କଟକ ବଜାରରେ ବୁଲେଇ ବିକିଲାଭଳି ଲେଖକକୁ ମଧ୍ୟ ନିଜକାମ ଶେଷକରି ସଂଧ୍ୟାରେ ବିଭିନ୍ନ ପ୍ରକାଶକଙ୍କ ଦୋକାନରେ ଧାରଣା ଦେବାକୁ ହୁଏ ।

 

ଶେଷରେ ହେଲା ଲେଖକଙ୍କର ଅନ୍ନ-ଚିନ୍ତା । ଦୁନିଆର ବହୁଲୋକ ଯେପରି ଆଜି ରାସ୍ତାକଡ଼ରେ ପଡ଼ି ନିଜକଥା ନିଜେ ବୁଝୁଛନ୍ତି, ଲେଖକକୁ ମଧ୍ୟ ସେହିପରି ବୁଝିବାକୁ ହେଉଛି—ଯେପରିକି ତାର ଜୀବନ ସହ କାହାରି ସଂପର୍କ ନାହିଁ । ସମାଜ, ସରକାର, ଏପରିକି ଲେଖକ ମଣ୍ଡଳି ବି, ଏହାକୁ ଭାଗ୍ୟରେ ଲିଖନ ବୋଲି ମାନି ନେଲା ପରି ମନେ ହୁଏ ।

ବରଂ ଯେଉଁମାନେ ସାହିତ୍ୟ-କ୍ଷେତ୍ରରେ ପ୍ରତିଷ୍ଠିତ ଆଉ ଆର୍ଥିକ ଦୃଷ୍ଟିରୁ ନିଶ୍ଚିନ୍ତ, ସେମାନେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ଦୁଃଖର କଥା, ସେମାନଙ୍କ ଭିତରୁ କେତେକଙ୍କର ମତ ଅତି ପ୍ରତିକ୍ରିୟାଶୀଳ । ସେମାନେ ଭାବନ୍ତି, ‘‘ଅଭାବ ଓ ଦାରିଦ୍ର୍ୟ ମଧ୍ୟରୁ ହିଁ ସେମାନଙ୍କର (କବି ମାନଙ୍କର) ଅତୁଳନୀୟ ପ୍ରତିଭା ସ୍ଫୁରୁଥିଲା । ସାହିତ୍ୟ ଦାରିଦ୍ର୍ୟର ଉତ୍‌ପୀଡ଼ନ ମଧ୍ୟରୁହିଁ ଜନ୍ମଲାଭ କରିଛି । ଏଣୁ ଦାରିଦ୍ର୍ୟହିଁ ସାହିତ୍ୟର ଭିତ୍ତି । ସାହିତ୍ୟିକ ଏହାକୁ ବରଣ କରିନିଏ ।’’ (ବିଷୁବ ମିଳନରେ ଶ୍ରୀଯୁକ୍ତ ମାୟାଧର ମାନସିଂହଙ୍କ ଭାଷଣ, ସମାଜ, ଏପ୍ରିଲ ୧୪ ତାରିଖ ।) ନିଜେ ଆରାମରେ ରହିଲାପରେ ଯେଉଁମାନେ ଜନସାଧାରଣ ଓ ସାହିତ୍ୟିକକୁ ଦାରିଦ୍ର୍ୟର ପଙ୍କରେ ପକାଇ ସାହିତ୍ୟର ଅଭିବୃଦ୍ଧି କଳ୍ପନା କରନ୍ତି, ଯେପରି ଲୋକଙ୍କ ଆନୁକୁଲ୍ୟରୁ ଓଡ଼ିଆ ସାହିତ୍ୟକୁ ସର୍ବ ପ୍ରଥମେ ମୁକ୍ତ କରିବା ଅନ୍ୟାୟ ହେବକି ?

ଏ ପୁଞ୍ଜିବାଦୀ ସମାଜରେ, ଜୀବନଯୁଦ୍ଧରେ ପରସ୍ପର-ପ୍ରତିଦ୍ୱନ୍ଦିତା ଭିତରେ ଜଣେ ଅନ୍ୟର ଗୋଡ଼ ଟାଣି, ଗଣ୍ଠିଲି କାଟି, ବଡ଼ ହେବାକୁ ବସିଛି । ଦୁଃଖର କଥା, ଆଜି କେତେକ ଲେଖକଙ୍କର ଭାବନା ଅତି ମହତ୍‌ ଓ ଉଦାର ହେଲେ ବି ବଞ୍ଚିବା ବା ଅର୍ଥ ଉତ୍ପାର୍ଜ୍ଜନ କରିବାଲାଗି ବହୁ କ୍ଷେତ୍ରରେ ତାଙ୍କୁ ଉକ୍ତ ପନ୍ଥାର ଆଶ୍ରୟ ନେବାକୁ ହେଉଛି । କେତେକ ଭିକ୍ଷାର ପାତ୍ର ଧରି ମନ୍ତ୍ରୀ ବା ଉଚ୍ଚ ଅଫିସରଙ୍କ ପାଖରେ ଗୋଡ଼ ଭାଙ୍ଗି ଠିଆ ହେଉଛନ୍ତି । ସେମାନେ ଲେଖକମାନଙ୍କୁ ଦାତାର ଆସନରେ ବସି ଗର୍ବ ଓ କରୁଣାର ବାଣୀ ଶୁଣାଉଛନ୍ତି । ଅଥଚ ଟିକିଏ ହେଲେ ଭାବୁ ନାହାନ୍ତି ଯେ ପାଣିଫୋଟକା ଭଳି ସେମାନେହିଁ ମିଳାଇ ଯିବେ, ଲେଖକ ଅମର ହୋଇ ରହିବ । ଯେଉଁ ଲେଖକ ବର୍ତ୍ତମାନ ସମାଜରେ ଉକ୍ତ କାମ ସବୁ କରିବାକୁ ଅସମର୍ଥ ସେ ସୁଲେଖକ ହେଲେ ବି, ତା ପକ୍ଷରେ ନିଜକୁ ସାବ୍ୟସ୍ତ କରିବା ସମ୍ଭବ ନୁହେଁ । ମୋଟାମୋଟି ଏହା ହେଲା ଲେଖକର ବିକାଶ ଦିଗରେ ପ୍ରଧାନ ଅନ୍ତରାୟ । ଏହାକୁ ଦୂର କରିବା ଲାଗି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ ନୁହେଁ କି ?

ଏବେ ଲେଖକଙ୍କ ପ୍ରତି ଦୃଷ୍ଟି ଦିଆଯାଉ । ଲେଖକମାନଙ୍କୁ ସାଧାରଣତଃ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରେ । ପ୍ରଥମରେ, ଅଧ୍ୟାପକ ଓ ସରକାରୀ କର୍ମଚାରୀ ପ୍ରଭୃତି-ଏମାନଙ୍କ ଭିତରୁ କେତେକଙ୍କର ନାନା ଅସୁବିଧା ଥାଇପାରେ, ଅନ୍ତତଃ ଅନ୍ନଚିନ୍ତା ନାହିଁ । ଲେଖାଲେଖି କରିବାର କେତେକ ସୁବିଧା ରହିଛି । ଆଗେ ବହୁ ଅଧ୍ୟାପକ କେବଳ ଆତ୍ମ-ଉନ୍ନତିରେ ଲିପ୍ତ ଥିଲେ । ଏବର ତରୁଣ ଅଧ୍ୟାପକମାନେ ଲେଖାଲେଖି ଦିଗରେ ଅଧିକ ଧ୍ୟାନ ଦେଇଛନ୍ତି ।

ଦ୍ୱିତୀୟରେ ଏମାନେ ଲବ୍‌ଧପ୍ରତିଷ୍ଠ ଲେଖକ—କେବଳ ଲେଖାଦୃଷ୍ଟିରୁ ନୁହେଁ, ଅର୍ଥ ଦୃଷ୍ଟିରୁ ମଧ୍ୟ ଏମାନେ ଲେଖାଲେଖି ଦ୍ୱାରା ଅର୍ଥ ଉପାର୍ଜ୍ଜନ କରି ପାରୁଛନ୍ତି । ଏମାନଙ୍କର ପେଟଚିନ୍ତା ନାହିଁ କି ନିଜ ଲେଖା ପ୍ରକାଶ କରିବାର ଚିନ୍ତା ନାହିଁ ।

ତୃତୀୟରେ, ଆଉ ଏକ ଶ୍ରେଣୀର ଲେଖକ—ଏମାନେ ପ୍ରତିଷ୍ଠିତ ଲେଖକ ହୋଇପାରନ୍ତି, କିନ୍ତୁ ଅଧିକାଂଶ ସମୟ ଏମାନଙ୍କର ଅନ୍ନ-ଚିନ୍ତାରେ କଟେ । ଏମାନେ ସହଜରେ ନିଜ ଲେଖା ପ୍ରକାଶ କରିବାକୁ ସମର୍ଥ ହୁଅନ୍ତି ନାହିଁ ।

 

ଚତୁର୍ଥରେ; ନୂତନ ଲେଖକ—ଏମାନଙ୍କ ଉପରେ ଏବେ ସଂସାରର ବୋଝ ପଡ଼ିନାହିଁ । ଲେଖାକୁ କେବଳ ନିଜ ଜୀବନର ଲକ୍ଷ୍ୟ ବା ବୃତ୍ତି ବୋଲି ଏମାନେ ଧରି ନାହାଁନ୍ତି ।

 

ଶେଷରେ ହେଲା, ଗାଁଆ ଗହଳର ଅଦେଖା, ଅଜଣା, ଫୁଟି ଝଡ଼ି ପଡ଼ୁଥିବା ଅସଂଖ୍ୟ କବି, ନାଟ୍ୟକାର, ଯାହାଙ୍କର ଖବର ସାଧାରଣ ସଭ୍ୟ ଜଗତ ରଖେ ନାହିଁ ।

 

ଉପରୋକ୍ତ ପ୍ରତ୍ୟେକ ଶ୍ରେଣୀର ଲେଖକଙ୍କ ଲେଖାରେ ତାରତମ୍ୟ ରହିଛି । ଏ ଶ୍ରେଣୀବିଭାଗ ଲେଖା ଦୃଷ୍ଟିର ହୋଇନାହିଁ । କେଉଁମାନେ ଲେଖାଲେଖି କରିବାର ଅନୁକୂଳ ଅବସ୍ଥାରେ ଅଛନ୍ତି ଏବଂ କେଉଁ ଶ୍ରେଣୀ ସକାଶେ କିପରି ସାହାଯ୍ୟ, ସମାଲୋଚନ, ଉତ୍ସାହ ଆବଶ୍ୟକ, ତାର ଆଲୋଚନା ଏକ ସ୍ୱତନ୍ତ୍ର ବିଷୟ । ସେଥିପାଇଁ ଲେଖାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ବିଶେଷ ଭାବେ ବିଚାର କରାଯିବା ଦରକାର ।

 

ତେବେ ଗୋଟିଏ ବିଷୟ ସମସ୍ତ ଲେଖକଙ୍କ ପ୍ରତି ପ୍ରଯୁଜ୍ୟ । ପ୍ରତ୍ୟେକ ଲେଖକ ନିଜ ଲେଖାକୁ ପିଲା ପରି ଭଲ ପାଏ । ସେ ଚାହେଁ, ନିଜେ ପଛେ ଅଭାବରେ ପଡ଼ୁ, କିନ୍ତୁ ତାର ଲେଖାଟି ପ୍ରକାଶ ପାଉ, ପ୍ରଚାରିତ ହେଉ । ଅବଶ୍ୟ ଲେଖାବ୍ୟବସାୟୀମାନଙ୍କୁ ପାଖରେ ଏଥିରେ ବ୍ୟତିକ୍ରମ ଘଟିପାରେ ।

 

ସାଧାରଣତଃ ଲେଖକ ଆଗରେ ପ୍ରଧାନ ସମସ୍ୟା—ସେ କ’ଣ ଲେଖିବ ? ସାମ୍ୟବାଦୀ ଚିନ୍ତାଧାରା ଆସିଲା ଦିନୁ ସମସ୍ତେ କହୁଛନ୍ତି, ‘ଲୋକଙ୍କପାଇଁ ଲେଖ ।’ କିନ୍ତୁ ସେ ଲୋକ କେଉଁମାନେ ? ଏ ବିଷୟଟି ଲେଖକ ମନରେ ପରିଷ୍କାର ନ ହେଲେ, ଚେଷ୍ଟା କଲେ ବି ସେ ଲୋକଙ୍କ ପାଇଁ ଲେଖି ପାରିବ ନାହିଁ ।

 

ଥରେ ଶ୍ରୀଯୁକ୍ତ ମହତାବ ତାଙ୍କର ‘ଝଙ୍କାର’ ରେ ଏଇ ବିଷୟଟି ଉତ୍‌ଥାପନ କରିଥିଲେ । କିନ୍ତୁ କାହିଁ ? ତାପରେ ତ ତାଙ୍କର ସମ୍ପାଦିତ ‘ଝଙ୍କାର’ ରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ-। ତାହା ତ ସେହିପରି ଅତୀତର ଗୋଟାଏ ନିରର୍ଥକ ଗବେଷଣା ଏବଂ ବର୍ତ୍ତମାନର ଏକ ଅର୍ଥଶୂନ୍ୟ ଅବୋଧ୍ୟତାର ସମଷ୍ଟି ହୋଇ ରହିଅଛି । ସେଥିରେ ତ ଅତୀତର ଶିକ୍ଷା, ଗୌରବ ଓ ପ୍ରେରଣା ନାହିଁ, ବର୍ତ୍ତମାନର ଆଲୋଚନା ନାହିଁ କି ଭବିଷ୍ୟତ ଲାଗି ଅଗ୍ରଗତିର ଆହ୍ୱାନ ନାହି । କାହିଁକି ? କାରଣ, ଏଇଠି ରହୁଛି ଲୋକ ସ୍ୱାର୍ଥ ଏବଂ କାଗଜର ସ୍ୱାର୍ଥ ବା ଦୃଷ୍ଟି କୋଣ ଭିତରେ ମୌଳିକ ଦ୍ୱନ୍ଦ୍ୱ ବା ବିରୋଧିତା ।

 

ଏଇ ଦ୍ୱନ୍ଦ୍ୱକୁ ଦେଖି ନ ପାରିବା ଏବଂ ଏହାର ସମାଧାନ ପାଇଁ ବଳିଷ୍ଠ ଉଦ୍ୟମ ନ କରିବାରେ ହିଁ ଆଧୁନିକ ସାହିତ୍ୟିକର ମୁଖ୍ୟ ଦୁର୍ବଳତା ନିହିତ । ଲୋକଙ୍କ ପାଇଁ ଲେଖିବାକୁ କହିଲାବେଳେ ଏହି ଦ୍ୱନ୍ଦ୍ୱର ସମାଧାନ କଥାହିଁ ପରୋକ୍ଷରେ କୁହାଯାଏ । ଆମ ଓଡ଼ିଆ ସାହିତ୍ୟର ବିକାଶର ଇତିହାସ ହେଉଛି, ଏହି ଦ୍ୱନ୍ଦ୍ୱ ଓ ତାର ସମାଧାନର ଇତିହାସ । ଏଥିରୁ ଆମକୁ ଶିକ୍ଷା ଗ୍ରହଣ କରିବାକୁ ହେବ ।

 

ଓଡ଼ିଆ ସାହିତ୍ୟର ଜନ୍ମଦାତା ‘ଶୁଦ୍ରମୁନି ସାରଳା’ ସାହିତ୍ୟ ସୃଷ୍ଟି କରିବାକୁ ଯାଇ ବ୍ରାହ୍ମଣ ପଣ୍ଡିତ ଓ ସଂସ୍କୃତ ବିରୁଦ୍ଧରେ ବିଦ୍ରୋହ କରିଥିଲେ । କାରଣ ସେତେବେଳେ ସଂସ୍କୃତ ଓ ବ୍ରାହ୍ମଣ ପଣ୍ଡିତମାନଙ୍କର ଅଖଣ୍ଡ ରାଜତ୍ୱ ଥିଲା । ଶୁଦ୍ର ଲୋକଙ୍କ ପକ୍ଷରେ ଶାସ୍ତ୍ର ଲେଖିବା ତ ଦୂରର କଥା, ତାର ଅଧ୍ୟୟନ ମଧ୍ୟ ନିଷିଦ୍ଧ ଥିଲା ଶାସ୍ତ୍ର କେବଳ ସଂସ୍କୃତ ଭାଷାରେ ହିଁ ଲେଖାଯାଇପାରେ, ଏହାହିଁ ପ୍ରଚଳିତ ଥିଲା । ସେତିକିବେଳେ କିନ୍ତୁ ଓଡ଼ିଆ ସାହିତ୍ୟର ପ୍ରଥମେ ବିଦ୍ରୋହର ଆବାଜ୍ ଉଠିଥିଲା । ବଢ଼ିବାକୁ ହେଲେ ଉପରୋକ୍ତ ପ୍ରତିବନ୍ଧକର ବିରୋଧୀ କରିବାକୁ ହେବ । ଏଣୁ ଶୁଦ୍ରମୁନି ସେ ପ୍ରତିବନ୍ଧକକୁ ଆଘାତ କରିଥିଲେ । ଅତଏବ, ଦ୍ୱନ୍ଦ୍ୱର ସମାଧାନରେ ହିଁ ଆଜିର ଓଡ଼ିଆ ସାହିତ୍ୟର ସୃଷ୍ଟି ।

 

ତା ପରେ କେତେ ପୋଥି, ପୁରାଣ, ଛାନ୍ଦ, ଚଉତିଶା ଲେଖା ହେଲେ ବି ଜଗନ୍ନାଥ ଦାସଙ୍କ ସମୟରେ ଓଡ଼ିଆ ସାହିତ୍ୟ ଆଉ ଏକ ଲମ୍ଫ ପ୍ରଦାନ କରିଥିଲା । ତାର ଗୁଣଗତ ପରିବର୍ତ୍ତନ ଘଟିଥିଲା । ସାରଳା ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ଜଗନ୍ନାଥ ଦାସ ତାକୁ ବିଜୟ ମଣ୍ଡିତ କରିଥିଲେ, ବ୍ରାହ୍ମଣ ପଣ୍ଡିତଙ୍କ ସଂସ୍କୃତ ପ୍ରଭାବକୁ ଚିରଦିନ ଲାଗି ଧ୍ୱଂସ କରିଥିଲେ । ଫଳରେ ଭାଗବତ ପ୍ରତିଗୃହରେ ସ୍ଥାନପାଇ ଆସିଛି । ଜଗନ୍ନାଥ ଦାସ ବ୍ରାହ୍ମଣ ସମାଜର ରାଗ ଓ କ୍ରୋଧରପାତ୍ର ହୋଇଛନ୍ତି । ସେ ଉପରୋକ୍ତ ପ୍ରତିବନ୍ଧକକୁ ଧ୍ୱଂସ କରି ନଥିଲେ ଓଡ଼ିଆ ସାହିତ୍ୟର କେବେ ଅଗ୍ରଗତି ହୋଇ ପାରି ନ ଥାନ୍ତା ।

 

ପ୍ରକୃତରେ କହିଲେ ଏହି ବରେଣ୍ୟ ସାହିତ୍ୟିକମାନେ କେବଳ ସଂସ୍କୃତିର ଆଧିପତ୍ୟ ଭାଙ୍ଗି ନାହାନ୍ତି, ଓଡ଼ିଆ ସାହିତ୍ୟକୁ ଲୋକଙ୍କ ପାଖକୁ ଘେନି ଆସିଛନ୍ତି । ମହା ଭାରତର ଭାଷା ଏଣୁ ସାଧାରଣ ଲୋକର ଅତିଗାଉଁଲି ଭାଷା । ତାର ବର୍ଣ୍ଣନା ସେତେବେଳର ପ୍ରଚଳିତ ସମାଜର ପ୍ରଚଳିତ ରୂପର ପ୍ରାକୃତିକ ପ୍ରତିଫଳନ; ତାର ଭାବ ସତ୍ୟ, ନ୍ୟାୟ ଓ ଧର୍ମର-ବିଜୟର ବଳିଷ୍ଠ ଆହ୍ୱାନ । ସେହି, ଯେଉଁ ଆହ୍ୱାନରୁ କି ଗାଆଁର ସାଧାରଣ ଲୋକେ ବଞ୍ଚିତ ଥିଲେ ।

 

ସାରଳା ଦାସଙ୍କର ଗାଉଁଲି ଭାଷାକୁ ଜଗନ୍ନାଥ ଦାସ ଘସିମାଜି ସୁରୁଚିସମ୍ଫନ୍ନ କରିଛନ୍ତି । ତାଙ୍କର ଭାଗବତରେ ବୈଷ୍ଣବ ଧର୍ମର ସମସ୍ତ ଦୁର୍ବଳତା ସତ୍ତ୍ୱେ ସେତେବେଳର ସମାଜରେ ଥିବା ଅତ୍ୟନ୍ତ ପ୍ରଗତିଶୀଳ ଚିନ୍ତାଧାରା ପ୍ରକାଶପାଇଛି । ଜାତିଭେଦ ଏବଂ ସାମାଜିକ ଭେଦଭାବ ବିରୁଦ୍ଧରେ ତାହା ଏକ ବିଦ୍ରୋହ, ଦଳିତ ଲୋକଙ୍କ ଭିତରେ ଏକ ଜାଗରଣ ସୃଷ୍ଟି କରିଆସିଛି । ଜଗନ୍ନାଥଦାସ ତାକୁହିଁ ଭିତ୍ତିକରି ଲୋଭ, ହିଂସା, ବିଦ୍ୱେଷ ଇତ୍ୟାଦି ବିରୁଦ୍ଧରେ ଜୀବନଯାତ୍ରାରେ ସରଳ ମାର୍ଗର ସଂକେତ ଦେଇଛନ୍ତି । ଲକ୍ଷ୍ୟ କରିବାର କଥା, ସାରଳା, ଜଗନ୍ନାଥ ପ୍ରଭୃତିଙ୍କର କେବଳ କବିପ୍ରତିଭା ନଥିଲା, ସାମାଜିକ ପ୍ରତିବନ୍ଧକ ବିରୁଦ୍ଧରେ ଠିଆ ହେବାଲାଗି ଅଶେଷ ସାହସ, ଧୈର୍ଯ୍ୟ ଓ ବଳର ମଧ୍ୟ ସେମାନେ ଅଧିକାରୀ ଥିଲେ ।

 

ପରିବର୍ତ୍ତନ ଆସିଛି ଭଞ୍ଜଙ୍କ ଆବିର୍ଭାବରେ । ମାତ୍ର ସେତେବେଳକୁ ଓଡ଼ିଆ ସ୍ୱାଧୀନତା ଲୁପ୍ତ, ତାର ଭବିଷ୍ୟତ ଅନ୍ଧକାରମୟ, ସାହିତ୍ୟର ଜନସାଧାରଣଙ୍କ ପାର୍ଶ୍ୱ ତେଜି କ୍ଷୟିଷ୍ଣୁ ସାମନ୍ତବାଦର ଆଶ୍ରୟ ନେଇଛି । ତେଣୁ ସାମାନ୍ତବାଦୀ ଜୀବନର ଆବିଳତା ସାହିତ୍ୟରେ ଫୁଟି ଉଠିଛି ।

 

ସାଧାରଣତଃ ରାଜାମାନେ ମନୁଷ୍ୟତାଶୂନ୍ୟ ହୋଇ ଧନରତ୍ନରେ ମଣ୍ଡିତ ହେଲା ପରି ସେତେବେଳର ଭାଷା ମଧ୍ୟ ଭାବଶୂନ୍ୟ ହୋଇ ସମସ୍ତ ପ୍ରକାର ଅଳଙ୍କାରରେ ଭୂଷିତ ହୋଇଛି ଏବଂ ଏକ ସାଆନ୍ତିଆ ଭାଷାରେ ପରିଣତ ହୋଇଛି ।

 

ଏହା ପରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛନ୍ତି ରାଧାନାଥ ଓ ଫକୀରମୋହନ । ଏତେବେଳକୁ ଓଡ଼ିଶା ବ୍ରିଟିଶର ପଦାନତ । ଓଡ଼ିଶାର ପ୍ରାକୃତିକ ନେତା ବୋଲାଉଥିବା ରାଜାମାନେ ଇଂରେଜଙ୍କ ପଦ ଲେହନରେ ବ୍ୟସ୍ତ । ଗଢ଼ି ଉଠୁଥିବା ଶିକ୍ଷିତ ଶ୍ରେଣୀ ମାତୃଭୂମି ପ୍ରତି ମମତା ତେଜି ଇଂରେଜମାନଙ୍କର ପ୍ରତ୍ୟେକ ବିଷୟ ଅନୁକରଣ କରିବାରେ ବ୍ୟଗ୍ର । ନୂଆ ଜମିଜମା, ବାଣିଜ୍ୟ ବ୍ୟବସ୍ଥାଦ୍ୱାରା ଗାଁ ଗହଳର ପୂର୍ବ ସଂପର୍କ ବିଧ୍ୱସ୍ତ ! ନୂତନ ଜମିଦାର-ମହାଜନ-ଶ୍ରେଣୀ ସୃଷ୍ଟି ଭଳି ବିଭ୍ରାଟରେ ପରିପୂର୍ଣ୍ଣ ।

 

ସେହି ସମୟରେ ରାଧାନାଥଙ୍କ ଲେଖା ଓଡ଼ିଆ ଜାତିକୁ ଏକ ବଳିଷ୍ଠ ଦେଶପ୍ରେମର ପ୍ରେରଣା ଦେଇଛି । ଓଡ଼ିଶାର ଗିରିନଦୀ, ବନପ୍ରାନ୍ତର, ସାଗରପର୍ବତ, ପ୍ରାକୃତିକ ଶୋଭାର ବର୍ଣ୍ଣନା ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ମାତୃଭୂମି ପ୍ରତି ବିଦ୍ୱେଷ ଓ ବିତୃଷ୍ଣା ଜନ୍ମାଇଛି; ଅତୀତର ଗୌରବ-କାହାଣୀ ଭବିଷ୍ୟତ ବିକାଶ ଦିଗରେ ଆତ୍ମବିଶ୍ୱାସ ଓ ଉତ୍ସାହ ଆଣିଛି । ଫକୀରମୋହନଙ୍କ ଆଖି ଗାଁ ଗହଳରେ ପଡ଼ିଛି । ଇଂରେଜ-ସୃଷ୍ଟି ସାମାଜିକ ବ୍ୟବସ୍ଥାକୁ ବିଦୀର୍ଣ୍ଣ କରି ସେ ମହାଜନ, ଓକିଲ, ସରକାରୀ କର୍ମଚାରୀ ପ୍ରଭୃତି ପ୍ରତ୍ୟେକଙ୍କର ଜୁଲୁମ୍‌ ଜୁଆଚୋରୀକୁ ଖୋଲି ଦେଇଛନ୍ତି, ଯାହା ଫଳରେ ପାଠକର ସହାନୁଭୂତି ‘ମଙ୍ଗରାଜ’ ପାଖକୁ ନ ଯାଇ ‘ସାରିଆ’ ପ୍ରତି ଆକୃଷ୍ଟ ହୁଏ ।

 

ଅତି ସରଳ ଭାବେ ଜନସାଧାରଣଙ୍କ ଭାବନା ଓ ଜୀବନକୁ ନେଇ ସାରଳାଦାସ ଓଡ଼ିଆ କାବ୍ୟ କବିତାର ଭିତ୍ତି ପକାଇଥିଲେ । ସେହିପରି ଅତି ସରଳ ଭାବେ ଜନସାଧାରଣଙ୍କ ଭାଷା ଓ ଜୀବନକୁ ନେଇ ଫକୀରମୋହନ ଓଡ଼ିଆ ଗଦ୍ୟ ସାହିତ୍ୟର ମୁଳଦୁଆ ଗଢ଼ିଛନ୍ତି । ଜନସାଧାରଣ ହିଁ ଓଡ଼ିଆ ସାହିତ୍ୟର ବିକାଶର ଭିତ୍ତି । ଆମର ପରଂପରା ଏବଂ ଅଭିଜ୍ଞତା ଏହାହିଁ ଦର୍ଶାଇ ଦେଇଛି ।

 

ରାଧାନାଥ-ଯୁଗ ସଂପର୍କରେ ବହୁ ସମାଲୋଚନା ଥାଇପାରେ । କିନ୍ତୁ ସେ ସମୟରେ ଲେଖାର ବିଶେଷ ବିଷୟବସ୍ତୁ ଥିଲା ବଳିଷ୍ଠ ଦେଶପ୍ରେମ । ଏହାର ଅର୍ଥ, ସ୍ୱାଧୀନତା ଲାଗି ବ୍ରିଟିଶ ରାଜତ୍ୱ ବିରୋଧରେ ଜନତାର ପିପାସାକୁ ଜାଗ୍ରତ କରିବା । ଏହି ବିରୋଧ ବା ଦ୍ୱନ୍ଦ୍ୱକୁ ହିଁ ସେ ଫୁଟାଇଛନ୍ତି ଏବଂ ତାକୁ ସମାଧାନ ପଥରେ ଘେନି ଯାଇଛନ୍ତି । ଆଉ ସେହି ସମାଧାନର ପଥରେ ହିଁ ଓଡ଼ିଆ ସାହିତ୍ୟ ବିକାଶ ଲାଭ କରିଛି ।

 

ଏହା ପରେ ଆସିଛନ୍ତି ‘ସତ୍ୟବାଦୀ ଦଳ’ । ରାଧାନାଥଙ୍କ ସମୟରେ ଯାହା ଅସ୍ପଷ୍ଟ, ବିମୂର୍ତ୍ତ (Abstract) ଥିଲା, ତାକୁ ଏମାନେ ଅଧିକ ସ୍ପଷ୍ଟ ଏବଂ ମୂର୍ତ୍ତ (Concretised) କରି ଯାଇଛନ୍ତି, ସେହି ଦ୍ୱନ୍ଦ୍ୱକୁ ସାହସର ସହ ଆଗକୁ ଘେନି ଯାଇଛନ୍ତି, ସାହିତ୍ୟ ଆଉ ସାମାଜିକ ଉଭୟ କ୍ଷେତ୍ରରେ ନୂତନ ଯୁଗ ଆଣିଛନ୍ତି ।

 

ଏମାନଙ୍କ ଅବସ୍ଥିତି କାଳରେ ଦେଖା ଦେଇଛନ୍ତି ‘ସବୁଜ ଲେଖକଦଳ’ । ଓଡ଼ିଆ ସାହିତ୍ୟ ପ୍ରତି ସବୁଜ ଲେଖକଙ୍କର ଯଥେଷ୍ଟ ଦାନ ରହିଛି । କିନ୍ତୁ ପୂର୍ଣ୍ଣ ଭାବରେ ଏମାନେ ଏକ ନୂତନ ଯୁଗର ଦ୍ରଷ୍ଟା ବୋଲି କୁହାଯାଇ ନ ପାରେ । କାରଣ ଏମାନଙ୍କ ଭିତରୁ ଅନେକଙ୍କ ଲେଖା ଓଡ଼ିଆ ସାହିତ୍ୟରେ କୌଣସି ଗୁଣାତ୍ମକ ପରିବର୍ତ୍ତନ ଆଣିନାହିଁ । ସେ ସବୁ ଲେଖାର ପ୍ରଭାବ ସାହିତ୍ୟର ଇତିହାସରେ ଉପରେ ଉପରେ କେବଳ ଆଞ୍ଚୁଡ଼ା ଚିହ୍ନ ଭଳି ରହିଯାଇଛି । କିନ୍ତୁ ଏହି ସବୁଜ ଦଳର ଅଳ୍ପ କେତେଜଣ ଲେଖକ ସ୍ୱୀୟ ବୈଶିଷ୍ଟ୍ୟରେ ଓଡ଼ିଆ ସାହିତ୍ୟକୁ ନୂତନ ଅବଦାନ ଦେବା ସଙ୍ଗେ ସଙ୍ଗେ ନୂତନ ଯୁଗର ସୃଷ୍ଟି ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛନ୍ତି ।

 

ଶେଷରେ ଦେଖା ଦେଇଛି ସାମ୍ରାଜ୍ୟବାଦ-ବିରୋଧୀ, ସାମନ୍ତବାଦ ଓ ପୁଞ୍ଜିବାଦର ବିରୋଧୀ ସାମ୍ୟବାଦୀ ଚିନ୍ତାଧାରା । ତାହା ଓଡ଼ିଶାର ସର୍ବହରା ଦଳିତ ଶ୍ରେଣୀକୁ ପ୍ରତ୍ୟକ୍ଷ ଆହ୍ୱାନ ଜଣାଇଛି; ଦୁନିଆରେ ଘଟୁଥିବା ବିରାଟ ପରିବର୍ତ୍ତନମାନ ଓ ସାମ୍ୟବାଦର ଦର୍ଶନ ଓ ଆଦର୍ଶ ଆଡ଼କୁ ସମସ୍ତଙ୍କ ଦୃଷ୍ଟିକି ଟାଣିବାକୁ ଉଦ୍ୟମ କରିଛି ଏବଂ ଏହା କରିବାକୁ ଯାଇ ସାହିତ୍ୟକ୍ଷେତ୍ରରେ ପୁରୁଣା ପ୍ରତିକ୍ରିୟାଶୀଳ ମତବାଦ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି, ତାର ଆକ୍ରମଣର ସମ୍ମୁଖୀନ ହୋଇଛି ।

 

ସାହିତ୍ୟ-କ୍ଷେତ୍ରରେ ଏ ଯେଉଁ ନୂତନ ଦ୍ୱନ୍ଦ୍ୱ ଦେଖା ଦେଇଛି, ତାର ସମାଧାନ ଘଟିଛି ସାଧାରଣତଃ ପ୍ରତିକ୍ରିୟାଶୀଳ ଚିନ୍ତାଧାରାର ପରାଜୟ ଏବଂ ସାମ୍ୟବାଦୀ ଚିନ୍ତାଧାରାର ବିଜୟରେ । ଆଜି ଅଧିକାଂଶ ସାହିତ୍ୟ ଏହି ଚିନ୍ତାଧାରାକୁ ପ୍ରକାଶ କରେ । ଅଧିକାଂଶ ଗଳ୍ପ, ଗୀତ, କବିତାର ବିଷୟବସ୍ତୁରେ ନିଷ୍ପେଷିତ ଜନତାର ଭାବ ଫୁଟି ଉଠେ । ହେଲେ ମଧ୍ୟ, ଏହା ବର୍ତ୍ତମାନ ବିମୂର୍ତ୍ତ; ସମୟର ସହିତ ମୂର୍ତ୍ତ ହୋଇ ଛିଡ଼ା ହୋଇ ପାରି ନାହିଁ ।

 

ଏହା ହେଲା ଆମ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧିର ଅଭିଜ୍ଞତା, ଯାହା ଆଗରେ ଥିବା ଅନ୍ତରାୟକୁ ସବୁ ହଟାଇବା ଦ୍ୱାରାହିଁ ବିକାଶଲାଭ କରି ପାରିଛି । ତେଣୁ ଆମକୁ ଓଡ଼ିଆ ସାହିତ୍ୟର ବିକାଶ ମାର୍ଗରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦେଖିବାକୁ ହେବ ଓ ତାକୁ ‘ଦୂର’ କରିବାକୁ ପଡ଼ିବ ।

 

ଅନେକେ ହୁଏତ କହିବେ, ଏହା ରାଜନୀତି । କିନ୍ତୁ ପରିବର୍ତ୍ତନ-ନିୟମ ସବୁ କ୍ଷେତ୍ରରେ ସମାନ । ତେଣୁ ଆମର ଅତୀତ-ଅଭିଜ୍ଞତା ମଧ୍ୟ ଆମକୁ ସେଇ ସ୍ଥଳକୁ, ସେଇ ନୀତିକୁ, ଘେନିଯାଏ-। ବାସ୍ତବ ଅବସ୍ଥାର ଅନୁସରଣ କଲେ ଲେଖକକୁ ଶେଷରେ ସେଇ ସ୍ଥାନରେ ପହଞ୍ଚିବାକୁ ହେବ-। ଲେଖକ ସହର ବା ମଫସଲ ସାଧାରଣ ଲୋକଙ୍କ ଜୀବନର ଯେ କୌଣସି ଅଂଶ ବା ମୁହୂର୍ତ୍ତକୁ ଅନୁସରଣ କରି ତା ସହିତ ଅଗ୍ରସର ହେଉ ସହଜରେ ବୁଝି ପାରିବ, ସମାଜରେ ସାହିତ୍ୟର ପ୍ରତିବନ୍ଧକ କିଏ ବା କେଉଁଠି ? ଲୋକଙ୍କ ସଙ୍ଗରେ ମିଶି ତାଙ୍କର ଜୀବନ ସହିତ ସମତାଳରେ ଆଗେଇବା ଦ୍ୱାରା ହିଁ ପ୍ରତିବନ୍ଧକର ମୁକାବିଲା କରାଯାଇ ପାରେ । ତାକୁ ନ ଭାଙ୍ଗିଲେ ଲେଖକ ସାହିତ୍ୟକୁ ଆଉ ଆଗକୁ ନେଇ ପାରିବ ନାହିଁ । ସେ ଗୋଟିଏ ମାତ୍ର ସ୍ଥାନରେ ରହି ସାହିତ୍ୟ ରଚନା କରିପାରେ, କିନ୍ତୁ ସେଥିରେ ତାର ସୃଜନଶୀଳତା ରହିବ ନାହିଁ ।

 

କେହି କେହି ପାରନ୍ତି ଯେ, ଆମର ସାହିତିକମାନେ କଣ ଏଇ ଦ୍ୱନ୍ଦ୍ୱକୁ ଆଖିରେ ରଖି ସାହିତ୍ୟ ରଚନା କରିଥିଲେ ? ନା, ତା ନୁହେଁ ! ମଣିଷ-ଜୀବନଟା ହିସାବକିତାବ ଅନୁସାରେ ଚଳେ ନାହିଁ । ଜଣେ ମଣିଷ ପାଇଁ କେତେ ଭିଟାମିନ ଓ କେତେ କାଲୋରି ପରିମାଣର ଖାଦ୍ୟ ଦରକାର ତାହା ବହୁ ଲୋକ ଜାଣନ୍ତି । କିନ୍ତୁ ଖାଇଲାବେଳେ ତାକୁ କିଏ ହିସାବ କରି ଖାଏ ? ସମସ୍ତେ ଉତ୍କୃଷ୍ଟ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତି । ସେମିତି ଲେଖକ ସବୁବେଳେ ଲୋକରେ ଆଦୃତ ହେବଭଳି ଲେଖା ଲେଖିବାକୁ ଉଦ୍ୟମ କରେ, ଲୋକଙ୍କର ଚେତନା ସହ ତାଳ ରଖି ଚାଲିବାକୁ ଚେଷ୍ଟା କରେ-। ଯିଏ ଅତି, ଦକ୍ଷ, ଯାହାର ମାନବପ୍ରେମ ଅତି ପ୍ରଗାଢ଼, ଏବଂ ପ୍ରତିକ୍ରିୟାକୁ ଆକ୍ରମଣ କରିବାରେ ଯେ ନିର୍ଭୀକ, ତାର ଅଗ୍ରଗତିକୁ କେହି ରୋକିପାରେ ନାହିଁ । ଲେଖକ ନିଜେ ତାତ୍ତ୍ୱିକ ଜ୍ଞାନ ବିଷୟରେ ଚେତନଶୀଳ ନଥିଲେ ମଧ୍ୟ ତାର ଲେଖନୀ-ପ୍ରତିଭା ସହିତ ଉପରୋକ୍ତ ଗୁଣଗୁଡ଼ିକର ସମାବେଶ, ତାକୁ ବିଜୟମଣ୍ଡିତ କରାଏ ।

 

ଏ ଦୃଷ୍ଟିରୁ ଦେଖିଲେ ଆଧୁନିକ ଲେଖକର ଅବସ୍ଥା ଅତି ଅନୁକୂଳ-ତା ସାମନାରେ ଅତୀତର ପୁଞ୍ଜୀଭୂତ ଅଭିଜ୍ଞତା ଥୁଆ, ଏବଂ ତାତ୍ତ୍ୱିକ ଜ୍ଞାନର ଭଣ୍ଡାର ଉନ୍ମୁକ୍ତ । ସେ ସଚେତନ ଭାବେ ସମାଜର ବାସ୍ତବ ଜୀବନକୁ ସହଜରେ ହୃଦୟଙ୍ଗମ କରିପାରେ । ତେଣୁ, ଯେଉଁଠି ତତ୍ତ୍ୱ, ଅଭିଜ୍ଞତା ଓ ବାସ୍ତବତା ଏକାଧାରରେ ଠୁଳ, ସେଠି ଲେଖକର ଲେଖା ନିଶ୍ଚୟ ସୁସ୍ପଷ୍ଟ, ପ୍ରଭାବଶାଳୀ, ପ୍ରଗତିଶୀଳ ଓ ବଳିଷ୍ଠ ହେବା ସ୍ୱାଭାବିକ, ଆଉ ତାହା ଜନସାଧାରଣଙ୍କ ସହ ନିର୍ଭୂଲ ମାର୍ଗରେ ମଧ୍ୟ ଗତି କରି ପାରିବା ନିଶ୍ଚିତ । ତା’ର ଏଇ ଗତିହିଁ ନୂତନ ସୃଜନର କାରଣ ହେବ ।

 

ଏବେ ଏଇ ଦିଗର ବିଚାର କରାଯାଉ । କଂଗ୍ରେସ କହୁଛି, ସାମ୍ୟବାଦୀ ଢଙ୍ଗରେ ସମାଜ ଗଢ଼ିବ । ଅଧିକାଂଶ ଲୋକ ମଧ୍ୟ ସାମ୍ୟବାଦୀ ସମାଜ ଚାହାନ୍ତି । କଂଗ୍ରେସର ସାମ୍ୟବାଦୀ ସମାଜରେ ଧନୀ, ଦରିଦ୍ର, ପୁଞ୍ଜିପତି, ଶ୍ରମିକ, ସମସ୍ତେ ସ୍ଥାନ ପାଉଛନ୍ତି । ଏ କ୍ଷେତ୍ରରେ ଲେଖକ ଲେଖି ବସିଲେ, କାହାପାଇଁ ଲେଖିବ ? ସବୁ ଶ୍ରେଣୀର ଲୋକଙ୍କ ପାଇଁତ ? ବାସ୍ତବ ତାତ୍ତ୍ୱିକ କ୍ଷେତ୍ରରେ ଉକ୍ତ ଦଳର ଏଇ ପ୍ରମାଦଗ୍ରସ୍ତ ଆଦର୍ଶ ବହୁ ଲେଖକଙ୍କୁ ଅନ୍ଧ କରି ଦେଇଛି ।

 

ତେଣୁ, ଯେତେ ପାଟି କଲେ କି ଲେଖକଙ୍କୁ ପାରତୋଷିକ ଦେଲେ କି ସେମାନେ ଲୋକଙ୍କ ପାଇଁ ଲେଖିପାରିବେ ନାହିଁ । କାରଣ ଲୋକଙ୍କ ପାଇଁ ଲେଖିବାକୁ ହେଲେ ଲେଖକର ଏକ ନିର୍ଦ୍ଦିଷ୍ଟ ଓ ସୁପରିଚ୍ଛନ୍ନ ଦୃଷ୍ଟିକୋଣ ଲୋଡ଼ା ।

 

ଜନସାଧାରଣଙ୍କ ସଂଜ୍ଞା ବା ବ୍ୟାଖ୍ୟା ଘେନି ଲେଖକର ମତ ସ୍ପଷ୍ଟ ହେବାର ଦରକାର । ରାଧାନାଥଙ୍କ ସମୟର ‘ଲୋକ’ ବୋଇଲେ ଯାହାକୁ ବୁଝାଉଥିଲା, ତାହା ଆଉ ଆଜି ନାହିଁ । ସେତେବେଳେ ଲୋକ ବୋଇଲେ ବୁଝାଉଥିଲା, ବିଟ୍ରିଶ ସାମ୍ରାଜ୍ୟବାଦବିରୁଦ୍ଧରେ ଲଢ଼ୁଥିବା ଭାରତ ସମଗ୍ର ଜନସାଧାରଣ । ଏବେ ସ୍ୱାଧୀନତା ଆସିଛି । ଯେଉଁମାନେ ଲଢ଼ୁଥିଲେ, ସେମାନଙ୍କ ଭିତରୁ କେତେ ଦେଶର, ସମାଜର ଶାସକ; ଅର୍ଧନୈତିକ ଦୃଷ୍ଟିରୁ ତାର ଅଧିପତିର ଜନସାଧାରଣଙ୍କ ସହିତ ତାଙ୍କର ଶୋଷଣର ସଂପର୍କ, ସେମାନଙ୍କ ସ୍ୱାର୍ଥର ସହିତ ଜନସାଧାରଣଙ୍କ ସ୍ୱାର୍ଥର କେତେ ସାମ୍ୟ ରହିଛି, ଲେଖିବାକୁ ଗଲାବେଳେ ଅତି ସୂକ୍ଷ୍ମ ଦୃଷ୍ଟିରେ ଲେଖକକୁ ଏଇ କଥା ବିଚାର କରିବାକୁ ହେବ-

 

ଅନେକେ ଏ ସମସ୍ତ ଭିତରେ ଗୋଟାଏ ସାଲିସ ଚାହାନ୍ତି । କିନ୍ତୁ ସତ୍ୟ, ମିଥ୍ୟା, ନ୍ୟାୟ, ଅନ୍ୟାୟ ଭିତରେ ସାଲିସ ହେବା ଅର୍ଥ ସତ୍ୟକୁ କ୍ଷୁଣ୍‌ଣ କରିବା ଏବଂ ମିଥ୍ୟା ଓ ଅନ୍ୟାୟକୁ ପ୍ରଶ୍ରୟ ଦେବା ।

 

ପୁଣି ଯେଉଁ ଲେଖକମାନେ ଦିନେ ପ୍ରଗତିଶୀଳ ରୂପେ କଥିତ ହେଉଥିଲେ ଆଜି ସେମାନଙ୍କ ଲେଖା ଲୋକଙ୍କୁ ସ୍ପର୍ଶ କରୁନାହିଁ କାହିଁକି ?

 

ପ୍ରଥମ କଥା, ସେମାନେ ସେତେବେଳେ ସତ୍ୟ, ଓ ନ୍ୟାୟ, ସପକ୍ଷରେ ଅନ୍ୟାୟ, ଓ ଅତ୍ୟାଚାର ବିରୋଧରେ ସାମ୍ୟବାଦର ନୂତନ ଆଲୋକ ଦେଉଥିଲେ, ଏହି ସାଧାରଣ ସତ୍ୟକୁ ଜନସାଧାରଣ ବହୁଦିନୁଁ ଗ୍ରହଣ କରିସାରିଲେଣି । ତାକୁ ପୁଣି ପୂର୍ବପରି ପରିବେଷଣ କଲେ ଆଉ ଗ୍ରହଣ-ଯୋଗ୍ୟ ହେଉନାହିଁ । ଆଜିର ଅବସ୍ଥାରେ ମୁଖ୍ୟତଃ ଏହା ଦେଖାଯାଉଛି ।

 

ଲୋକେ ଚାହାନ୍ତି, ସେହି ସାଧାରଣ ସତ୍ୟକୁ ଲେଖକ ବାସ୍ତବ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କରି ପ୍ରୟୋଗ କରୁ; ତାଙ୍କ ଜୀବନର ପ୍ରତ୍ୟେକ ଅବସ୍ଥାକୁ ବିଦୀର୍ଣ୍ଣ କରି ପ୍ରକାଶ କରୁ; ତାଙ୍କର ବିକାଶ ଓ ଅଗ୍ରଗତି ପଥରେ ପ୍ରତ୍ୟେକ ପ୍ରତିବନ୍ଧକ ଉପରେ ଆଘାତ କରୁ; ତାଙ୍କ ଲାଗି ନୂତନ ଚିନ୍ତାର ଆନନ୍ଦର ଓ ଉପଭୋଗର ମାର୍ଗ ଉନ୍ମୁକ୍ତ କରୁ ।

 

ଓଡ଼ିଆ ସାହିତ୍ୟି କ୍ଷେତ୍ରରେ ଦକ୍ଷ ଓ ଶକ୍ତିଶାଳୀ ଲେଖକର ଅଭାବ ନାହିଁ । କେତେକଙ୍କର ପ୍ରକାଶନ ସ୍ପଷ୍ଟ ପ୍ରମାଣ କରେ ଯେ ପାରିପାର୍ଶ୍ୱିକ ଅବସ୍ଥା, ଅନୁକୂଳ ବାତାବରଣ ଏବଂ ବିଶେଷ କରି, ବାସ୍ତବ ଉତ୍ସାହ ପାଇଲେ ସେମାନେ ସମୟର ସ୍ରୋତ ସହିତ ଓଡ଼ିଆ ସାହିତ୍ୟକୁ ବେଶ୍‌ ଆଗେଇ ନେଇଯିବେ । ଏ ବିଷୟର ଚର୍ଚ୍ଚା ଓ ଆଲୋଚନା ଲାଗି ପ୍ରଥମେ ଏକ ମାଧ୍ୟକ ବା ଫୋରମ୍‌ ଆବଶ୍ୟକ । ତେବେ, ଅନ୍ୟ ଦିଗରୁ ଲେଖକକୁ ମଧ୍ୟ ଆଗେଇ ଆସିବାକୁ ପଡ଼ିବ । ତାକୁ ଆତ୍ମଗୋପନ ପରିତ୍ୟାଗ କରି, ଦୋଦୁଲ୍ୟମାନ ଭାବ ବର୍ଜ୍ଜନ କରି, ନୀର୍ଭୀକ ଭାବେ ଅଗ୍ରସର ହେବାକୁ ହେବ ।

 

ଲେଖକ ଯେତେ ଚେଷ୍ଟା କଲେ ବି ସେ ଏ ଦ୍ୱନ୍ଦ୍ୱରୁ ଖସି ଯାଇ ନପାରେ । କାରଣ ସେ ସାମାଜିକ ବିକାଶର ନିୟମରୁ ବିଚ୍ଛିନ୍ନ ନୁହେଁ, ସେଥିରେ ବନ୍ଧା । ସମାଜର ଅଗ୍ରଗତିକୁ ଆଖିରେ ରଖି, ନିର୍ଭୀକ ଭାବେ ନୂତନ ଯୁଗର ସ୍ରଷ୍ଟା ନ ହୋଇ, ତା ପଛରେ ଘୋଷାଡ଼ି ହୋଇ, ବ୍ୟାଧିଗ୍ରସ୍ତ କ୍ଷୟିଷ୍ଣୁ ସମାଜର ପ୍ରତୀକ ହୋଇ ଚାଲିବ କାହିଁକି ? ତେଣୁ ଲୋକଙ୍କ ପାଇଁ ଲେଖିବାକୁ ଗଲେ ତାକୁ ଏଇ ବିକାଶ ପଥର ଯାତ୍ରୀ ହେବାକୁ ପଡ଼ିବ ।

 

ଏଇ ହେଲା ଅତି ସାଧାରଣ ଭାବେ ‘ଲେଖା ଓ ଲେଖକ’ର ସମସ୍ୟା । ଆଜି ଯେଉଁ ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀମାନେ ସତ୍ୟ, ନ୍ୟାୟ ଓ ମାନବ-ମୁକ୍ତିର ପକ୍ଷପାତୀ ଏବଂ ସମାଜବାଦୀ ସମାଜ ପ୍ରତିଷ୍ଠା ଲାଗି ଇଚ୍ଛୁକ, ସେମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି—ନିଜର ମତକୁ ସେମାନେ ଦୃଢ଼ ଭାବେ ସାବ୍ୟସ୍ତ କରନ୍ତୁ ଓ ନିର୍ଭୀକ ଭାବରେ ତାକୁ ଜନସାଧାରଣଙ୍କ ପାଖକୁ ଘେନି ଯାଆନ୍ତୁ ।

☆☆☆

 

ସମାଜ ଓ ସାହିତ୍ୟ

 

ସମାଲୋଚନା, ବିକାଶର ଅର୍ଥ ପରିବର୍ତ୍ତନର ବିଚାର । ସାହିତ୍ୟ ସମାଲୋଚନା ସାହିତ୍ୟରେ ପରିବର୍ତ୍ତନ ପ୍ରତି ଗଭୀର ଦୃଷ୍ଟିପାତ, ତାର ସମ୍ୟକ ଅନୁଧ୍ୟାନ–କ’ଣଥିଲା, କ’ଣ ହେଲା, କାହିଁକି ହେଲା, ଏବଂ ଭବିଷ୍ୟତରେ କ’ଣ ହେବ, କିପରି-ହେବ ଇତ୍ୟାଦି ବହୁ ପ୍ରଶ୍ନର ଉତ୍ତର-ଲାଭ-। ମୋଟରେ ଗତି, ପରିବର୍ତ୍ତନ ଧାରାର ଅନୁସରଣ । ତେଣୁ ମୁଖ୍ୟ ପ୍ରଶ୍ନ ଗତିର କର୍ତ୍ତା କିଏ-? ଧର୍ମ କଣ ? ସମସ୍ତ ପରିବର୍ତ୍ତନର ଉତ୍ସ କେଉଁଠି ?

ଯଦି ପ୍ରଶ୍ନ ହୁଏ—ମଣିଷ ସାହିତ୍ୟ ରଚନା କରେ କାହିଁକି ? ଜଣେ ସାହିତ୍ୟିକ ନ ହୋଇ ବି ସାହିତ୍ୟ ପ୍ରତି ଆଗ୍ରହଶୀଳ କିଆଁ ? କାଳିଦାସଙ୍କ ଅମଳର ଉପମା ଏବେ ନଚଳିବାର କାରଣ କ’ଣ ? କାହିଁକି ବା କାବ୍ୟ ବଦଳରେ ଉପନ୍ୟାସର ଆଦର ଆଜି ବେଶି—ତା’ ଭିତରେ ପୁଣି ଡିଟେକ୍‌ଟିଭ ଉପନ୍ୟାସର କାଟ୍‌ତି ଅଧିକ ବା କାହିଁକି ? ପୂର୍ବରୁ ବେତାଳ କାହାଣୀ ବଦଳରେ ଏବେ ଗଳ୍ପର ବାସ୍ତବତା ଲୋଡ଼ା ପଡ଼ୁଛି କାହିଁକି ? ପଦ୍ୟ କବିତା ବଦଳରେ ଗଦ୍ୟ କବିତା ପ୍ରଚଳନର କାରଣ କଣ ? ତା’ ପୁଣି ଅବୋଧ୍ୟ ବୋଲି ସମାଲୋଚିତ ହେଲେ ବି ଅଧିକ ପ୍ରକାଶ ପାଉଛି କିଆଁ ? —ତେବେ, ଖୋଜି ଲକ୍ଷ୍ୟ କରିବାକୁ ହେବ, ଏ ସମସ୍ତର ଉତ୍ତର, ଗତି ଓ ପରିବର୍ତ୍ତନର ବିଚାରରେ ହିଁ ନିହିତ; କାଳ-ଭେଦରେ, ସମାଜ ଭେଦରେ ପୃଥକ । ଏପରିକି ଆମର ଦଶ ପନ୍ଦର ବର୍ଷର ଓଡ଼ିଆ ସାହିତ୍ୟକୁ ଦେଖିଲେ ଏଇ ପରିବର୍ତ୍ତନ ଅକ୍ଳେଶରେ ବାରି ହୁଏ ।

ସାହିତ୍ୟରେ ଯଦି ପରିବର୍ତ୍ତନକୁ ସ୍ୱୀକାର କରାଯାଏ ଏ, ତେବେ ପ୍ରଶ୍ନ ଉଠେ ପରିବର୍ତ୍ତନର କିଛି ନୀତିନିୟମ ଅଛି କି ନାହିଁ ? ଯଦି କୌଣସି ନୀତ-ନିୟମ ଥାଏ ତେବେ ଏହା ଜାଣିବା ଦ୍ୱାରା କେବଳ ସାହିତ୍ୟରେ ପରବର୍ତ୍ତନକୁ ବୁଝିହେବ, ଅତୀତର ପରିବର୍ତ୍ତନକୁ ବାରି ହେବ, ବର୍ତ୍ତମାନର ପରିବର୍ତ୍ତନକୁ ଧରି ହେବ ଏବଂ ଭବିଷ୍ୟତର ଗତି ବିଧି ଜାଣି ହେବ । ଯଦି ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ଅଛି, ତା’ହେଲେ ସେଇଟି କ’ଣ ? ପୁଣି ପ୍ରଶ୍ନ ଉଠେ, ସେ ନୀତିନିୟମ କ’ଣ ମଣିଷର ଆୟତ୍ତାଧୀନ ? ମଣିଷ ତାକୁ ନିଜ ଇଛାନୁସାରେ ପରିବର୍ତ୍ତନ କରିପାରେ,

ଯଦି କୁହାଯାଏ ଯେ ସାହିତ୍ୟରେ କୌଣସି ନୀତନିୟମ ନାହିଁ ? ଏହା ଏକ ସମ୍ପର୍କହୀନ ବିଷୟର ସମଷ୍ଟି; ତା’ହେଲେ ଆମେ କହିପାରିବା ନାହିଁ ରାଧାନାଥ ଯୁଗ ପରେ ‘ସବୁଜଯୁଗ’ ନଆସି ‘ସତ୍ୟବାଦୀଯୁଗ’ ଆସିଲା କାହିଁକି । ଆମର କୌଣସି ଏକ ପ୍ରଶ୍ନର ଉତ୍ତର ମଧ୍ୟ ମିଳିବ ନାହିଁ । ସାହିତ୍ୟର ବିକାଶ ବୁଝି ହେବ ନାହିଁକି ବୁଝାଇ ହେବ ନାହିଁ । ତେଣୁ ଅନ୍ଧ, ଅସହାୟ ଭାବରେ ସ୍ରୋତରେ ଭାସିବାହିଁ ସାର ହେବ । ଆମ ଓଡ଼ିଆ ସାହିତ୍ୟ ଲକ୍ଷ୍ୟ ହୀନ ଓ କକ୍ଷଚ୍ୟୁତ ହେବ ।

ସୁଖର କଥା, ଓଡ଼ିଶାରେ ସମାଲୋଚନା ସାହିତ୍ୟର ପ୍ରସାର ଘଟୁଛି । ସାହିତ୍ୟର ବିକାଶ ପକ୍ଷରେ ଏହା ଏକ ଶୁଭ ସଙ୍କେତ । କାରଣ, ସମାଲୋଚନାହିଁ ସାହିତ୍ୟ-ବିକାଶର ବାର୍ତ୍ତାବହ ଆମ ସମାଲୋଚନା ସାହିତ୍ୟ ଶିଶୁ ଅବସ୍ଥାରେ, ସାହିତ୍ୟର ଅନ୍ୟାନ୍ୟ ବିଭାଗ ସହିତ ଏହା ତାଳ ରଖି ପାରିନାହିଁ, ମୁଖ୍ୟତଃ ଅତୀତରେ ହିଁ ଅଟକି ରହିଛି, ଆଧୁନିକକୁ ଛୁଇଁ ନାହିଁ, ଭବଷ୍ୟତର ପ୍ରଶ୍ନ ବା କେଉଁଠି ? ସାହିତ୍ୟର ବହୁ ଅଂଶ, ବହୁ ସମସ୍ୟା, ଏବେ ବି ସମାଲୋଚନାର ବହିର୍ଭୂତ । ଆମ ସମାଲୋଚନାର କୌଣସି ଦୃଷ୍ଟିଭଙ୍ଗୀ ମଧ୍ୟ ଆସି ନାହି: ଗବେଷଣାରେ ଗାମ୍ଭୀର୍ଯ୍ୟ, ସାହିତ୍ୟ-ଗଠନରେ ବଳିଷ୍ଠ ନିର୍ଦ୍ଦେଶ ସୃଷ୍ଟି ହେଇନାହିଁ । ଶିଶୁ ବାହାରଇ ରୂପରେ ଆକୃଷ୍ଟ ହେଲା ପରି ସମାଲୋଚନା ସାଧାରଣତଃ ଉପର ପରିବେଶରେହିଁ ଆବଦ୍ଧ ରହିଛି । କେତେକ ପରିମାଣରେ ଏହା’ ଆବଶ୍ୟକ ହେଲେହେଁ ସମସ୍ତ ଆବଶ୍ୟକତା ଦୃଷ୍ଟିରୁ ଏହା ଯଥେଷ୍ଟ ନୁହେଁ ।

 

ଏଣୁ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ହେଲେ ସାହିତ୍ୟଜ୍ଞାନ ସହିତ ଅଧିକ ଲୋଡ଼ା ସାହସ ଏବଂ ସମାଜବିଜ୍ଞାନ ସଂପର୍କରେ ସୁସ୍ପଷ୍ଟ ଧାରଣା । ବହୁ ସ୍ଥଳରେ ପ୍ରଗାଢ଼ ସାହିତ୍ୟ ଜ୍ଞାନ ଥିଲେ ସୁଦ୍ଧା ତାହା ସମାଜବିଜ୍ଞାନରୁ ବିଚ୍ଛିନ୍ନ ହେବା ଫଳରେ ଏକ ସ୍ପଷ୍ଟ ଧାରଣା ଓ ନିର୍ଭୁଲ ନିର୍ଦ୍ଦେଶ ଦେଇପାରେ ନାହିଁ । ସେହିପରି ସମାଜ-ବିଜ୍ଞାନ ସମ୍ପର୍କରେ ସଠିକ ଜ୍ଞାନ ଥିଲେ ବି ସାହିତ୍ୟଜ୍ଞାନର ଅଭାବରୁ ତାହା ସାହିତ୍ୟ ରାଜ୍ୟକୁ ପ୍ରଭାବିତ କରି ପାରେ ନାହିଁ, ବରଂ ତାର ବିକାଶକୁ ବାଧା ଦିଏ । କେଉଁଠି ଏ ଦୁଇଟ ବିଷୟରେ ସଂଯୋଗ ଘଟିଲେ ମଧ୍ୟ ସାହସର ଅଭାବ ବା ସ୍ୱାର୍ଥର ଲାଳସା ଯୋଗୁଁ ତା’ ବାସ୍ତବତାକୁ ନିର୍ଭୀକ ଭାବେ ଉପସ୍ଥାପିତ କରିବାରୁ କ୍ଷାନ୍ତ ହୁଏ ବା ବିକୃତ ଭାବେ ପ୍ରକାଶ କରେ । ଫଳରେ ସାହିତ୍ୟ ସମାଲୋଚନା ସଂକୀର୍ଣ୍ଣ ଓ ବ୍ୟାଧିଗ୍ରସ୍ତ ହେବା ସ୍ୱାଭାବିକ ହୁଏ ।

 

ସାହିତ୍ୟ-ଜ୍ଞାନ ସହିତ ସମାଜ-ବିଜ୍ଞାନର ସମ୍ମିଶ୍ରଣ ଏବଂ ତହିଁର ଉଦ୍‌ଭବ ସତ୍ୟ ଓ ସମସ୍ୟାଗୁଡ଼ିକୁ ପ୍ରକାଶ କରିବାକୁ ପଡ଼ିବ । ତାକୁ ସବୁ ପ୍ରତିଷ୍ଠା କରିବାଦିଗରେ ପ୍ରତି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ହୁଏ, ତେବେ ସଂଘର୍ଷ ଲାଗି ପ୍ରସ୍ତୁତ ହେବାକୁ ହେବ । ବହୁ ସାହିତ୍ୟିକଙ୍କ ଜୀବନ ଏହି ସଂଘର୍ଷର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅନ୍ଧକାରର ସ୍ରୋତ ଛିନ୍ନ କରି ଆଲୋକର ସେତୁ ନିର୍ମାଣ କରିବାକୁ ହେଲେ ଏ ଦ୍ୱନ୍ଦ୍ୱ ଉପରେ ପ୍ରତିଷ୍ଠିତ ।

 

ଏପରିକି ଏ ଦ୍ୱନ୍ଦ୍ୱ ଆଗକାଳର ‘ବୁଢ଼ୀମା କାହାଣୀ’ରେ ପ୍ରତି ଫଳିତ ହୁଏ । ସାଧାରଣତଃ ଏ ସବୁ କାହାଣୀ ‘ରାଜା ପୁଅ’ ‘ମନ୍ତ୍ରୀ ପୁଅ’ ‘ସାଧବ ଝିଅ’ ଖୁବ୍‌ ହେଲେ କଟ୍‍ଆଳଙ୍କୁ ନେଇ ଗଠିତ । ଚାଷୀ ମୂଲିଆଙ୍କ ପୁଅଝିଅଙ୍କର ଆଭାସ ଏଥିରେ ମିଳେନି । କାରଣ ସେତେବେଳେ ଏମାନେ ମଣିଷ ବୋଲି ଗଣ୍ୟ ହେଉ ନ ଥିଲେ । ଏହା ଆକସ୍ମିକ କଥା ନୁହେଁ; ଯେତେ କାଳ୍ପନିକ ହେଲେ ବି ପୁଞ୍ଜୀଭୂତ ସାମାଜିକ ବାସ୍ତବତାରୁ ଜାତ ।

 

ଦିନ ଥିଲା, ଯେତେବେଳେ କି ସାହିତ୍ୟ ରାଜଉଆସରେ ଆବଦ୍ଧ ଥିଲା । ସାହତ୍ୟିକ ନିଜର ଭରଣପୋଷଣ ଲାଗି ରାଜାଙ୍କ ନାଁଆରେ ଭଣିତା କରୁଥିଲା । ଅନ୍ନଗଣ୍ଡାକ ଲାଗି ବହୁ, ସାହିତ୍ୟିକ ନିଜ ନିଜର ଅସ୍ତିତ୍ୱ ହରାଇ ଦେଉଥିଲେ । ବର୍ତ୍ତମାନ ମନ୍ତ୍ରି-ଶାସନରେ ମଧ୍ୟ ସାହିତ୍ୟ-ମତର ପ୍ରଚାରକ ମନ୍ତ୍ରି-ମର୍ଜୀର ଭିକ୍ଷା ଲାଗି ଲାଳାୟିତ ଏହାଛଡ଼ା ଏ ହେଲା ସାଧବ ସଭ୍ୟତାର ପୁଞ୍ଜିବାଦୀର ଯୁଗ । ତେଣୁ ଲେଖା ଯେତେ ଉତ୍କୃଷ୍ଟ ଏବଂ ଲେଖକ ଯେତେ ମର୍ଯ୍ୟାଦାସଂପନ୍ନ ହେଲେ ବି ପୁଞ୍ଜିର ମାଲିକ ପ୍ରକାଶକଙ୍କ ପାଖରେ ନତମସ୍ତକ ହେବାକୁ ବାଧ୍ୟ । ସାମରିକ ଶାସନରେ କଟୁଆଳ ତ ପୁଣି ସହଜରେ ସାହିତ୍ୟିକର ପ୍ରଭୁ । ଏହା କ’ଣ ସାହିତ୍ୟର ଅବରୋଧ ଓ ସାହିତ୍ୟିକର ଆତ୍ମସମର୍ପଣ ନୁହେଁ ?

 

ରାଜ, ମନ୍ତ୍ରୀ, କଟୁଆଳାଦି ବ୍ୟବସ୍ଥା ବୈଜ୍ଞାନିକ ଭାବରେ ନ ହେଲେ ବି ମୋଟାମୋଟି ଏ ନିର୍ଦ୍ଦିଷ୍ଟ ସାମାଜିକ ସମ୍ପର୍କର ପ୍ରତୀକ । ଏମାନଙ୍କ ଅବରୋଧକୁ ଭାଙ୍ଗି ଜନସମୁଦ୍ରର ଅକଳନ ବକ୍ଷରେ ଅବାଧ ସୃଷ୍ଟିରେ ନିଜକୁ ନିୟୋଜିତ କରି ପାରିଲେହିଁ ସାହିତ୍ୟର ପ୍ରକୃତ ମୁକ୍ତି ସମ୍ଭବ । ସାହିତ୍ୟର ମୁକ୍ତି ବିନା ସାହିତ୍ୟିକର ମୁକ୍ତି ନାହିଁ ? ସାହିତ୍ୟକୁ ମୁକ୍ତ ନ କରି ସାହିତ୍ୟିକ ନିଜେ କେବେ ମୁକ୍ତହୋଇ ପାରେନା ପୁଞ୍ଜିବାଦୀ ସମାଜରେ ଉତ୍ପାଦନକାରୀକୁ ନିୟନ୍ତ୍ରଣ କଲା ପରି ଆଜି ସାହିତ୍ୟିକ ନିଜ ସୃଷ୍ଟି ଦ୍ୱାରା ଶାସିତ ! କିନ୍ତୁ ସୃଷ୍ଟି ଉପରେ ସ୍ରଷ୍ଟାର ପ୍ରଭୁତ୍ୱରେହିଁ ସିନା ସମସ୍ୟାର ସମାଧାନ ।

 

ଆମ ଓଡ଼ିଆ ସାହିତ୍ୟ ଏ ଯୁଗନିୟମରୁ ବହିର୍ଭୂତ ନୁହେଁ । ଏହାକୁ ଗତିଶୀଳ କରିବାକୁ ହେଲେ ଉକ୍ତ ଅବରୋଧକୁ ଭାଙ୍ଗିବାକୁ ପଡ଼ିବ । ତେଣୁ ଦ୍ୱନ୍ଦ୍ୱ, ସଘଂର୍ଷ ଓ ସମାଲୋଚନାକୁ ସାହିତ୍ରକ୍ଷେତ୍ରରେ ସ୍ୱାଗତ କରିବାକୁ ହେବ । ଏ ହେଲା ବିକାଶର ମାର୍ଗ । କେବଳ ବିକାଶ-ବିମୁଖ ଶ୍ରେଣୀ, ସମାଜ ଓ ସାହିତ୍ୟ ଏହାକୁ ଅସ୍ୱୀକାର କରିପାରେ ବା ଏଥିରେ ଭୟଭୀତ ହୋଇପାରେ ।

 

ଗତିଶୀଳତା କୌଣସି ମଣିଷର ଭିଆଣ ନୁହେଁ । ଆଇନ କରି ବା ପରମାଣୁ ବୋମା ଦ୍ୱାରା ଏହାକୁ ଉଡ଼ାଇ ଦିଆଯାଇ ନ ପାରେ । ଏ ହେଉଛି ପ୍ରାକୃତିକ ନିୟମ । ମଣିଷ ପ୍ରାକୃତିକ ନିୟମକୁ ବୁଝିବା ଦ୍ୱାରାହିଁ ତାକୁ ଆୟତ୍ତ କରିବାକୁ ଚେଷ୍ଟା କରେ, ନିଜକାମରେ ନିୟୋଗ କରେ, କିନ୍ତୁ ତାକୁ ପରିବର୍ତ୍ତନ କରିପାରେ ନାହିଁ । ପାଣି ତଳକୁ ଗଡ଼େ—ଏ ନିୟମ ଜାଣିବା ଦ୍ୱାରା ମଣିଷ ପାଇପ୍‌ରେ ପାଣି ଯୋଗାଏ, ବନ୍ଧ ଦ୍ୱାରା ନଦୀକୁ ଆୟତ୍ତ କରେ, ନିଜ କାମରେ ଲଗାଏ, କିନ୍ତୁ ନାଳ କାଟି ସମୁଦ୍ରପାଣିକୁ ସମ୍ୱଲପୁରକୁ ନେଇ ଯାଇ ନ ପାରେ । ସାହିତ୍ୟ ମଧ୍ୟ ଏହିପରି ନିୟମରେ ଗତି କରେ ।

 

ଦୁନିଆରେ ସର୍ବପ୍ରଧାନ ବିଷୟ ହେଲା ମଣିଷ ଓ ପ୍ରକୃତିର ସଂପର୍କ । ମଣିଷ ପ୍ରକୃତିର ଏକ ଅଂଶ, ପ୍ରକୃତିରୁ ଜାତ । ପ୍ରକୃତି ସହିତ ତା’ର ସଂପର୍କ ଅତି ନିବଡ଼; ତା’ବିନା ସେ ତିଷ୍ଠି ନ ପାରେ । କିନ୍ତୁ ଏ ମିଳନ ଭିତରେ ସଂଘର୍ଷ ନିହିତ । ମଣିଷ ବଞ୍ଚିବା ଲାଗି ପ୍ରକୃତି ବିରୁଦ୍ଧରେ ଅହରହ ସଂଗ୍ରାମରତ । ଲଙ୍ଗଳ-ମୁନରେ ମାଟି କାଟିବାଠାରୁ ରକେଟରେ ମହାଶୂନ୍ୟ-ଯାତ୍ରା ଯାଏଁ ତା’ର ପ୍ରତ୍ୟେକଟି କାର୍ଯ୍ୟ ହେଉଛି ପ୍ରକୃତି-ବିରୋଧୀ ସଂଗ୍ରାମ । ପ୍ରଥମେ ପଥର ଫିଙ୍ଗି ଫଳ ପାରିବାଠାରୁ ପରମାଣୁ ପ୍ରୟୋଗ ଯାଏ ପ୍ରତ୍ୟେକଟି କାମ ପ୍ରକୃତିର ପରିବର୍ତ୍ତନରେ, ତାକୁ ଆୟତ୍ତ କରିବାରେ ନିୟୋଜିତ । ଏହି ସଂଘର୍ଷ ବିନା ମଣିଷ ବଞ୍ଚି ନ ପାରେ । ମଣିଷର ଏହି କାମ ଅନୁଯାୟୀ ତା’ର କଳ୍ପନା । ଏହି କାମ ଓ କଳ୍ପନାର ସମଷ୍ଟି ମଣିଷର ଜୀବନ । ଏହି ଜୀବନ ନେଇ ସାହିତ୍ୟ ଗଠିତ । ତେଣୁ ସାହିତ୍ୟ ‘ପ୍ରକୃତି’ ‘ପୁରୁଷର’ ମିଳନ ଭିତରେ ଦ୍ୱନ୍ଦ୍ୱ ବା ସଂଘର୍ଷର ପ୍ରଭାବରେ ପ୍ରଖର ଏବଂ ତଦ୍ଦ୍ୱାରା ନିୟନ୍ତ୍ରିତ ।

 

ଅତଏବ ପ୍ରକୃତି ସହିତ ମିଳନ ଓ ଦ୍ୱନ୍ଦ୍ୱ, ଏ ହେଲା ସୃଷ୍ଟିର ମୂଳାଧାର, ବିକାଶର ଭିତ୍ତି । ଏହା ମଧ୍ୟ ସଚେତନା ବା ଅଚେତନ ଭାବେ ସାହିତ୍ୟର ଏକ ମୂଳମନ୍ତ୍ର, ତାର ପ୍ରତି ଛତ୍ରେ ଛତ୍ରେ ପ୍ରତିଫଳିତ । ମଣିଷ ବଞ୍ଚିବାକୁ ହେଲେ ତାକୁ ପ୍ରକୃତି ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ । ଏହା ସାହିତ୍ୟ ଏଡ଼ିଦେବ କିପରି ? ଏହାହିଁ ଜୀବନ । ବରଂ ଏହାର ବାସ୍ତବ ବିକାଶ ହେଉଛି ସାହିତ୍ୟିକର ସଫଳତା । ଏହିପରି ପ୍ରକୃତି ପୁରୁଷର ମିଳନ, ଅର୍ଥାତ୍‌ ସେ ନିବିଡ଼ତାର ନିଖୁଣ ପରିସ୍ଫୁଟନ ମଧ୍ୟ ସାହିତ୍ୟିକର ପରାକାଷ୍ଠା ପ୍ରମାଣ କରେ । ଏପରି ମିଳନ ଚିତ୍ରଣରେ ବୋଧହୁଏ କାଳିଦାସ ସର୍ବଶ୍ରେଷ୍ଠ । ତାଙ୍କରି ଲେଖାରେ ମଣିଷ ଛାଏଁ ଛାଏଁ ପ୍ରକୃତି ସହିତ ସମ୍ମିଳିତ ହୋଇଥାଏ । ଶକୁନ୍ତଳା ଋଷିଆଶ୍ରମରୁ ପତିଗୃହକୁ ଯିବା ସମୟର ବର୍ଣ୍ଣନାରେ ମଣିଷ ଓ ପ୍ରକୃତି ମିଳନର ନିଖୁଣ ଚିତ୍ର ଦେଖାଯାଏ । ସେଥିଯୋଗୁଁ ତାହା ଏତେଦୂର ହୃଦୟସ୍ପର୍ଶୀ ଓ ମଧୁର ।

 

ପାତୁଂ ନ ପ୍ରଥମଂ ବ୍ୟବସ୍ୟତି ଜଳଂ ଯୁଷ୍ମାସ୍ୱ ପୀତେଷୁ ଯା

ନାଦତ୍ତେ ପ୍ରିୟମଣ୍ଡନାପି ଭବତାଂ ସ୍ନେହେନ ଯା ପଲ୍ଲବ୍‌ମ,

ଆଦ୍ୟେ ବଃ କୁସୁମପ୍ରସୂତି-ସମୟେ ଯସ୍ୟା ଭବତ୍ୟୁତ୍‌ସବଃ

ସେୟଂ ଯାତି ଶକୁନ୍ତଳା ପତିଗୃହଂ ସର୍ବୈ ରନୁଜ୍ଞାୟତାମ୍‌,

 

(ହେ ସନ୍ନିହିତ ତରୁଗଣ ! ସେମାନଙ୍କୁ ଜଳ ନ ଦେଇ ଯିଏ କଦାପି ଜଳପାନ କରେ ନାହିଁ, ଯିଏ ଭୂଷଣପ୍ରିୟ ହେଲେ ସୁଦ୍ଧା ସ୍ନେହ ବଶତଃ ସେମାନଙ୍କର ଶୟନ ଭଙ୍ଗ କରେ ନାହିଁ, ତମର କୁସୁମ ସମୟ ଉପସ୍ଥିତ ହେଲେ ଯାର ଆନନ୍ଦର ସୀମା ରହେ ନାହିଁ, ଆଜି ସେହି ଶକୁନ୍ତଳା ପତିଗୃହକୁ ଯାଉଛ । ତମେମାନେ ସମସ୍ତେ ଅନୁମୋଦନ କର ।)

 

ଏଠାରେ ମଣିଷ ଓ ପ୍ରକୃତି ଏକୀଭୂତ ହୋଇଯାଇଛନ୍ତି । ବୃକ୍ଷଲତା ପ୍ରକୃତି ଯେପରି ମଣିଷର ଏକ ରକ୍ତର ସଂପର୍କ, ସେଥିଯୋଗୁଁ ତାହା ଏତେ ଦୂର ବାସ୍ତବ ଓ ବିମର୍ଷକ ।

 

ଏହାଛଡ଼ା ମଣିଷ ଏକା ନୁହେଁ, ସେ ସମାଜରେ ପାଁ’ ଜଣଙ୍କ ସଙ୍ଗେ ଏକାଠି ବାସ କରେ, ଏକାଠି ମିଳିମିଶି କାମ କରେ, ଉତ୍ପନ୍ନ କରେ—ଏହା ବିନା ସେ ବଞ୍ଚି ପାରିବ ନାହିଁ । ଉତ୍ପାଦନ ପ୍ରଣାଳୀ ଅନୁଯାୟୀ ତାର ଏଇ ସଂପର୍କ । ତାହା ସହିତ ଉତ୍ପାଦନ ପ୍ରଣାଳୀର ମିଳନରେ ସମାଜ ପରିଚାଳିତ । କିନ୍ତୁ ଉତ୍ପାଦନ ପ୍ରଣାଳୀର ପରିବର୍ତ୍ତନ ଅନୁସାରେ ସଂପର୍କ ନ ବଦଳିଲେ ଦ୍ୱନ୍ଦ୍ୱ ବା ସଂଘର୍ଷ ଦେଖାଦିଏ । କଳକାରଖାନା ପୁଞ୍ଜିବାଦୀ ଉତ୍ପାଦନ ପ୍ରଣାଳୀର ପ୍ରକାଶ । ଅଥଚ ସେଥି ସଙ୍ଗରେ ଯଦି ରାଜା ସାମନ୍ତବାଦୀ ସଂପର୍କ ରହିଥାଏ, ତେବେ ସଂଘର୍ଷ ହେବା ସ୍ୱାଭାବିକ । ଯେହେତୁ ମଣିଷ ଉତ୍ପାଦନ ବିନା ବଞ୍ଚି ପାରେ ନାହିଁ, ସେହି ହେତୁରୁ ଏ ସଂଘର୍ଷକୁ ମଧ୍ୟ ଏଡ଼ି ପାରେ ନାହିଁ । ସମସ୍ତ ଉତ୍ପାଦନ ହେଲା ସାମାଜିକ ଉତ୍ପାଦନ ଅର୍ଥାତ୍‌ ପାଁ’ଜଣ ମିଳିଲେ ଯାଇଁ ଯାହା ଉତ୍ପନ୍ନ ହେବ ଜଣକଦେଇ ତାହା ହେବନାହିଁ, ତେଣୁ ଏ ଉତ୍ପାଦନର ଫଳ ପାଁଜଣ ଭୋଗ କରିବା ଦରକାର-। କିନ୍ତୁ ତାକୁ ଯଦି ଜଣେ ଉପଭୋଗ କରେ ତେବେ ଦ୍ୱନ୍ଦ୍ୱ ଓ ସଂଘର୍ଷ ଉପୁଜିବା ସ୍ୱାଭାବିକ-। କାରଣ ସାମାଜିକ ଉତ୍ପନ୍ନ ଉପରେ ବ୍ୟକ୍ତିଗତ ଉପଭୋଗ ବେଶି ଦିନ ଚାଲିପାରେନା । ତା’ଥିବାଯାଏଁ ଶ୍ରେଣୀଗତ, ଦଳଗତ, ବ୍ୟକ୍ତିଗତ, ଦ୍ୱନ୍ଦଗତ ଓ ସଂଘର୍ଷ ଲାଗି ରହିଥିବ । ବ୍ୟକ୍ତିଗତ ବିବାଦଠାରୁ ଶ୍ରେଣୀ ସଂଘର୍ଷ, ସ୍ୱାଧୀନତା ପାଇଁ ସଂଘର୍ଷ ଓ ମହାସମର ଯାଏଁ ତାହା ନାନା ଭାବରେ ଆତ୍ମପ୍ରକାଶ କରୁଥିବ । ମଣିଷର ଏ ସମସ୍ତ କାର୍ଯ୍ୟ ଓ ଚିନ୍ତା ସାହିତ୍ୟରେ ପ୍ରତିଫଳତି ହୁଏ, ତାକୁ ପ୍ରଭାବିତ ଓ ନିୟନ୍ତ୍ରିତ କରେ ।

 

ଆଉ ଏକ କଥା ହେଲା ମଣିଷର ମନ । ଅନେକେ କହନ୍ତି, ଜଡ଼ରୁ ଚୈତନ୍ୟ ଜାତ । ଅନ୍ୟ ଏକ ମତ ହେଲା ଚୈତନ୍ୟହିଁ ସମସ୍ତ ସୃଷ୍ଟିର କାରଣ । ଏହି ମତଅନୁସାରେ ଦର୍ଶନ, ଭାବବାଦୀ ଓ ବସ୍ତୁବାଦୀଦର୍ଶନ ଏଇ ଦୁଇ ଭାଗରେ ବିଭକ୍ତ । ଏହା ହେଲେ ମଧ୍ୟ ମନର ଏକ ସ୍ୱତନ୍ତ୍ର ସତ୍ତା ରହିଛି; ତାହା ଏକ ଶକ୍ତିରୂପେ ସ୍ୱୀକୃତ ।

 

ସମସ୍ତ ଜୀବନର ପୁଞ୍ଜୀଭୂତ ସମସ୍ୟା ଓ ଦ୍ୱନ୍ଦ୍ୱ ଏଇ ମନ ଭିତର ଦେଇ ବିକାଶ ଲଭୁଥିବାରୁ ତାହା ଯେତିକି ଜଟିଳ ସେତିକି ବୈଚିତ୍ରମୟ । ସେଥିପାଇଁ ମିଳନ ଭିତରେ ମନର ଦ୍ୱନ୍ଦ୍ୱ ଫୁଟାଇବା ସାହିତ୍ୟିକ ପକ୍ଷରେ ଏକ ଚରମ ସଫଳତାର ନିଦର୍ଶନ । ଏହାକୁ ଛାଡ଼ି ସାହିତ୍ୟ ରଚନା ନିରର୍ଥକ ।

 

ଏଣୁ ଉକ୍ତ ସଂଘର୍ଷ ହେଲା ସାହିତ୍ୟର ମୂଳାଧାର । ସମୟର ଗତି ଅନୁଯାୟୀ ତାର ରୂପ, ଧାରା ଓ ପରିବେଶ ବଦଳୁଥିଲେ ହେଁ ଏହି ଦ୍ୱନ୍ଦ୍ୱ ବା ବିରୋଧିତା ତାର ପ୍ରାଣବସ୍ତୁ । ଆଦିମ କାଳରୁ ସାହିତ୍ୟ ଏହାକୁହିଁ ଆଶ୍ରା କରିଛି; ନିଜର ଅଲକ୍ଷ୍ୟରେ ବିଭିନ୍ନ ପଟ୍ଟଭୂମିରେ ଏହାକୁହିଁ ଫୁଟାଇ ଆସିଛି । ସେଥିପାଇଁ ଏକ ସୟତାନର ଭୂମିକା କାବ୍ୟ, ନାଟକ, ଉପନ୍ୟାସ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟମାନ । ପାପ ପୁଣ୍ୟ, ଭଲ ମନ୍ଦ, ବିରହ ମିଳନ, ପ୍ରେମ ଘୃଣା, ଆଦର ଆକ୍ରୋଶ ଆଦି ବିରୋଧିତାକୁ ସାହିତ୍ୟ ଆବହମାନ କାଳରୁ ବହନ କରି ଚାଲିଛି । ଏସବୁର ପ୍ରସ୍ଫୁଟନରେ ସାହିତ୍ୟ ସମୃଦ୍ଧ ଓ ସୁନ୍ଦର; ଏହାରି ନିଖୁଣ ଚିତ୍ରଣର ସାହିତ୍ୟ ସ୍ଥାୟୀ ଓ ଜୀବନ୍ତ ।

 

ଲୋକ ‘ବୈରାଗ୍ୟ ଭାବନା’ରେ ଯେତେ ପଳାଇ ଯିବାକୁ ଚେଷ୍ଟା କଲେ ମଧ୍ୟ ଏ ଦ୍ୱନ୍ଦ୍ୱରୁ ତାର ମୁକ୍ତି ନାହିଁ; ସାମାଜିକ ଜୀବ ହିସାବରେ ଏହାର ଚିହ୍ନ ବହନ କରିବାକୁ ବାଧ୍ୟ । ଏପରିକି ବୈରାଗ୍ୟ ଭାବନାରେ ଅଭିଭୂତ କବି ଭର୍ତ୍ତୃହରିଙ୍କ ପକ୍ଷରେ ଏହା ସମ୍ଭବ ହୋଇନି । ବରଂ ସେ ଏଇ ଦ୍ୱନ୍ଦ୍ୱକୁ କବିତାରେ ରୂପାୟିତ କରି ମହାନ କବିତ୍ୱର ପରିଚୟ ଦେଇଛନ୍ତି ।

 

ଉତ୍ତିଷ୍ଠ, କ୍ଷଣମେକମୁଦ୍‌ବହ ଗୁରୁଂ ଦାରିଦ୍ର୍ୟଭାରଂ, ସଖେ !

ଶ୍ରାନ୍ତସ୍ତାବଦହଂ ଚିରମରଣଜଂ ସେତ୍ୟେବେ ତ୍ୱଦୀୟଂ ସୁଖଂ !

ଇତ୍ୟୁକ୍ତୌ ଧନବର୍ଜିତେନ ସହସା ଗତ୍ୱା ଶ୍ମଶାନେ ଶବୈ

ର୍ଦ୍ରାରିଦ୍ର୍ୟାନ୍ମରଣଂ ବରଂ ବରମିତି ଜ୍ଞାତ୍ୱେବ ତୁଷ୍ଣୀଂ ସ୍ଥିତଃ ।

 

‘‘ଏକ ଧନହୀନ ଗରୀବ ଲୋକ ସହସା ଶ୍ମଶାନକୁ ଧାଇଁଯାଇ ଏକ ଶବ ପାଖରେ ଆତୁର ପ୍ରାର୍ଥନା କରି କହୁଛି-ହେ ବନ୍ଧୁ ! ମୁଁ ଦାରିଦ୍ର୍ୟ ଭାର ବହି ବହି ଶ୍ରାନ୍ତ କ୍ଳାନ୍ତ ହୋଇ ପଡିଲିଣି, ତମେ ଉଠ କ୍ଷଣକ ପାଇଁ ମୋର ଏ ଗୁରୁଭାର ଗ୍ରହଣ କର । ମୁଁ ଚିର ମରଣସୁଖ ଭୋଗିବାକୁ ଚାହେଁ । କିନ୍ତୁ ଶବ ଦାରିଦ୍ର୍ୟଠାରୁ ମରଣ ଶ୍ରେୟସ୍କର ମଣି ନୀରବ ହୋଇ ରହିଲା ।’’

 

ଏହା କଣ ଉପରେ ସୂଚିତ ସମସ୍ତ ଦ୍ୱନ୍ଦ୍ୱର ସର୍ବଶ୍ରେଷ୍ଠ ପ୍ରକାଶ, ମହାନ ସାହିତ୍ୟିକ କଳ୍ପନାରେ ବାସ୍ତବତାର ଏକ ବଳିଷ୍ଠ ନିଦର୍ଶନ ନୁହେଁ ? ଏହାରି ଅଭାବରେ ଦୃଷ୍ଟିକୋଣ ତ୍ରୁଟିଯୁକ୍ତ ଓ ସୃଷ୍ଟ ବିଭ୍ରାନ୍ତ ହେବା ସ୍ୱାଭାବିକ । ସାହିତ୍ୟିକ ଯେତେ ଶ୍ରେଷ୍ଠ ହେଲେ ବି ଏହାକୁ ଲଘଂନ କରି ନ ପାରେ । ଏ ସମ୍ପର୍କରେ ଓଡ଼ିଆରେ ଏକ ଉପନ୍ୟାସ ‘ଆଜିର ମଣିଷ’କୁ ଦୃଷ୍ଟାନ୍ତ ସ୍ୱରୂପ ଦେଖାଯାଉ–‘ଆଜିର ମଣିଷ’ କ୍ଷୟିଷ୍ଣୁ ସାମନ୍ତବାଦୀ ପରିବେଷ୍ଟନୀ ମଧ୍ୟରେ ଜନ୍ମ ଲଭି, ଯୁଦ୍ଧ ସମୟରେ କଳାବଜାର ଭିତରେ ଗଢ଼ି ଉଠିଛି । ଗାନ୍ଧୀଜୀଙ୍କ ମୃତ୍ୟୁ ସଙ୍ଗରେ ତାର ମୃତ୍ୟୁ ଘଟିଛି-। ଶେଷକୁ ପଞ୍ଚାୟତ ଓ ଗ୍ରାମ ଉନ୍ନୟନରେ ସେ ନିଜକୁ ନିୟୋଜିତ କରିଛି ।

 

ଅର୍ଥ ଦୃଷ୍ଟିରୁ ଶସ୍ତା ଉପନ୍ୟାସର ମଣିଷକୁ ବାଦ ଦେଲେ ‘ଆଜିର ମଣିଷ’ କୁ ରୂପ ଦେବା ଅତି ଦୁରୂହ ବ୍ୟାପାର । ଏହାର ଗୁରୁତ୍ୱ ରହିଛି ଦୁଇଟି ଅକ୍ଷର ଆଜିରେ । ଯାହା ଆଜି, ଦିନକ ପରେ ତା’ ଗତ କାଲି । ତାପରେ ସେ ହେବ ଇତିହାସ । ଆସନ୍ତା କାଲି ପୁଣି ‘ଆଜି’. ହୋଇ ଛିଡ଼ା ହେବ । ତେଣୁ ଆଜିର ମୃତ୍ୟୁ ହେଲେ ବି ତାହା ମୃତ୍ୟୁହୀନ । ତାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଇଲେ ସୁଦ୍ଧା ଅନିର୍ଦ୍ଦିଷ୍ଟ । ତାହା ଯେତେ ପୂର୍ଣ୍ଣ ହେଲେ ବି ଅପୂର୍ଣ୍ଣ । ତାର ଲକ୍ଷ୍ୟ ଯେତେ ପୂରଣୀୟ ହେଲେ ବି ଅପୂରଣୀୟ । କାରଣ ତା ସ୍ଥିର ହୋଇ ବି ଅସ୍ଥିର । ‘ଆଜିର’ ବିଶ୍ରାମ ନାହିଁ, ତାକୁ କୌଣସି ଏକ ବନ୍ଧନରେ ଆବଦ୍ଧ କରିବାକୁ ଉଦ୍ୟମ କରିବା ନିରର୍ଥକ । ତେବେ ସମୟର ଅସୀମ ସ୍ରୋତ ଏବଂ ସମାଜର କଳ୍ପନାତୀତ ବିକାଶକୁ ଆଜିର ମଣିଷ ନିଜର ସୀମିତ ଜ୍ଞାନର ମାପିବା ସମ୍ଭବ ନ ହେଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବାର ଅବିଶ୍ରାନ୍ତ ଗତିକୁ ଅସ୍ୱୀକାର କରିବା, ତାର ଦିଗ ନିର୍ଣ୍ଣୟରେ ଭୁଲ କରିବା ବା ତାକୁ ଅବରୋଧ କରି ପଶ୍ଚାଦ୍‌ଗାମୀ କରିବାକୁ ପ୍ରୟାସ କରିବା, ଏସବୁ ପାଗଳାମି ମାତ୍ର-

 

ଲୋକର ପରିଚୟ ବାପ ନାଁଆରୁ ମିଳିଲା ଭଳି ଏ ବିରାମବିହୀନ କାଳସ୍ରୋତରେ ଆଜିର ପରିଚୟ ହେଉଛି—ଗତକାଲିର ଅଦୃଶ୍ୟମାନ ବିନ୍ଦୁ, ଯାହା ହେଉଛି ଆଜିର ଲକ୍ଷ୍ୟ ଏବଂ ଆସନ୍ତାକାଲି ଲାଗି ଯାହାହିଁ ହେବ ନୂତନଯାତ୍ରାର ପ୍ରାରମ୍ଭିକ କେନ୍ଦ୍ର—କାରଣ ଆଜିର ମଣିଷ କାଲିର ମଣିଷଠାରୁ ଜନ୍ମ ଲଭି ପୁଣି ଆସନ୍ତା କାଲିର ମଣିଷକୁ ଜନ୍ମ ଦିଏ । ସେ ଦୃଷ୍ଟିରୁ ଏଠାରେ ଆଲୋଚନାର ଆବଶ୍ୟକତା ନ ଥାନ୍ତା ଯଦି, ‘ଆଜିର ମଣିଷ’ ପୂର୍ବରୁ ‘ମାଟିରମଣିଷ’ ଓ ‘ଲୁହାର ମଣିଷ’ ଜନ୍ମ ଲଭି ନଥାନ୍ତେ ।

 

ଆଜିର ମଣିଷ କେବଳ ଜଟିଳ ବୈଚିତ୍ରମୟ ନୁହେଁ, ଆଜିର ମଣିଷର କାମ ତାର କଳ୍ପନାକୁ ଡେଇଁ ଯାଉଛି । ଆମର ଏଠି ଏ ଅବସ୍ଥା ପୂରାପୂରି ଆସି ନଥିଲେ ମଧ୍ୟ ଏ ଦିଗରେ ଗତିଶୀଳ ଚିନ୍ତା ଆଦର୍ଶ ଓ ଲକ୍ଷ୍ୟକୁ ଆଜିର ମଣିଷର ଜୀବନରୁ ବାଦ ଦିଆଯାଇ ନ ପାରେ । ଏ ସବୁକୁ ଘୁଞ୍ଚାଇବାକୁ ଯିବା ଅର୍ଥ ଉପରୋକ୍ତ ଦ୍ୱନ୍ଦ, ଓ ସଂଘର୍ଷରେହିଁ ଅବତୀର୍ଣ୍ଣ ହେବା । କାରଣ ଆଜିର ମଣିଷ ଦ୍ୱନ୍ଦ୍ୱହୀନ ନୁହେଁ, ସମସ୍ତ ପ୍ରକାର ସାମାଜିକ ଓ ମାନସିକ ଦ୍ୱନ୍ଦ୍ୱରେ ବିଦୀର୍ଣ୍ଣ । ସେହି ବିଦୀର୍ଣ୍ଣ ଭାବର, ସେହି ଦ୍ୱନ୍ଦ୍ୱର ମୌଳିକତାକୁ ପ୍ରକାଶ ନକରି ଢାଙ୍କିବାକୁ ପ୍ରୟାସ କରିବାଫଳରେ ବହୁବର୍ଷ ତଳେ ‘ମାଟିର ମଣିଷ’ ଯାହା ଘୋଷଣା କରିଥିଲା ‘ଆଜିର ମଣିଷ’ ପରୋକ୍ଷରେ ତାକୁହିଁ ପୁନରାବୃତ୍ତି କରିଛି । ଏବେ ପରିବର୍ତ୍ତନ ଅବସ୍ଥାରେ ତାହା ପ୍ରତିକ୍ରିୟାର ପ୍ରଚାର ହେବା ସ୍ୱାଭାବିକ । ପୁରାତନକୁ ତେଜି ନୂତନର ଭିତ୍ତିକୁ ବରଣ କରିବା ଦିଗରେ ‘ଆଜିର ମଣିଷ ଦୁର୍ବଳ ଇଙ୍ଗିତ ବି ଦେଇ ପାରି ନାହିଁ । ତାହା ଆଜିର ସମାଜର ମୁଖ୍ୟ ଦ୍ୱନ୍ଦ୍ୱ ପ୍ରତି ଦୃଷ୍ଟି ଦେଇନାହିଁ ଫଳରେ ତାର ନିଜର ଦୃଷ୍ଟି ରୁଦ୍ଧ ହୋଇ ଯାଇଛି । ତେଣୁ ! ‘ଆଜିର ମଣିଷର’ କାଲି ନାହିଁ ।

 

ଅଥଚ ଏଇ ମୁଖ୍ୟ ଦ୍ୱନ୍ଦ୍ୱକୁ ଭିତ୍ତି କରି, ତାକୁ ନ ଢାଙ୍କି ପ୍ରକାଶ କରି, ଦୁଇ ହଜାର ବର୍ଷ ତଳର ମୃତ ବ୍ୟକ୍ତିର ଦୃଷ୍ଟି ଯେ କିପରି ଉନ୍ମୁକ୍ତ ଏହାର ଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି, ମୃଚ୍ଛକଟିକର ଲେଖକ ରାଜା ଶୁଦ୍ରକ । ନିଜେ ରାଜା ଥାଇ ସେ ଯାହା ଲେଖିଛନ୍ତି, ତା ଅତି ବିରଳ ।

 

ଚିନ୍ତାସକ୍ତ-ନିମଗ୍ନ-ମନ୍ତ୍ରୀ-ସଲିଳଂ ଦୁତୋଽର୍ମି ଶଙ୍କାକୁଳଂ

ପର୍ଯ୍ୟନ୍ତସ୍ଥିତ ଚାରନତ୍ରମକରଂ ନାଗାଶ୍ୱାହିଂସ୍ରା ଶ୍ରୟଂ ।

ନାନାବାଶକକଙ୍କ ପକ୍ଷି ନିଚିତଂ କାୟସ୍ଥ ସର୍ପାସ୍ପଦଂ

ନୀତକ୍ଷୁର୍ଣ୍ଣ ତଟଚ ରାଜକରଣଂ ହିଂସ୍ରୈଃ ସମୁଦ୍ରାୟତେ !

 

ଏହାର ମର୍ମ ହେଲା, ‘‘ବିଚାରାଳୟ ଧ୍ୱଂସକାରୀ ହିଂସାପୂର୍ଣ୍ଣ ସମୁଦ୍ର ପରି । ସେଠି ଚିନ୍ତାମଗ୍ନ ମନ୍ତ୍ରୀମାନେ (ଓକିଲମାନେ) ହେଉଛନ୍ତି ଜଳ । ପିଅନ ଚପ୍ରାସିମାନେ ହେଉଛନ୍ତି ତରଙ୍ଗ ପରି । କୁମ୍ଭୀର ମଗର ଗୁପ୍ତଚର (ଗୋଇନ୍ଦା) ଚାରିଆଡ଼େ ଘେରି ରହିଛନ୍ତି । ଏହା ହାତୀ ଘୋଡ଼ା ଧ୍ୱଂସକାରୀ ଜୀବଜନ୍ତୁମାନଙ୍କୁ ଆଶ୍ରୟସ୍ଥଳୀ । ହାଡ଼ଗିଳା ଚଢ଼େଇ ପରି ନାନା ପ୍ରକାର ଟାଉଟରରେ ପରିପୂର୍ଣ୍ଣ । ଏହା କାୟସ୍ଥ (ମୋହରୀର) ପରି ସର୍ପମାନଙ୍କର ବାସସ୍ଥଳୀ । ସମୁଦ୍ର କୂଳଖାଇଲା ପରି ଏଠି ନୀତି ମଧ୍ୟ ଖାଇ ଖାଇ ଯାଉଛି ।’’

 

ଦି’ ହଜାର ବର୍ଷ ଅତିବାହିତ ହେଲାଣି, ଅଥଚ ଆଜି ଯେକୌଣସି କଚେରୀ ପିଣ୍ଡାରେ ଛିଡ଼ା ହେଲେ ଏ ଦୃଶ୍ୟ ପ୍ରତିଦିନ ପ୍ରତି ମୂହୂର୍ତ୍ତରେ ଆଖିରେ ପଡ଼ିବ । ଶ୍ରେଣୀ ସମାଜ ଥିବାଯାଏ ଏ ବ୍ୟବସ୍ଥା ନିଶ୍ଚୟ ଲାଗିରହିଥିବ । ଉପରୋକ୍ତ ପଂକ୍ତି ରାଜଶାସନର ମୁଖାକୁ ଅତି ନିଷ୍ଠୁର ଭାବେ ଖୋଲି ଦେଉଥିଲେ ସୁଦ୍ଧା ରାଜା ଶୁଦ୍ରକ ପ୍ରକୃତ ସାହିତ୍ୟିକ ଭାବେ ସେଠୁ ଅପସରି ଆସି ନାହାନ୍ତି । ତାକୁ ଅତି ଉଲଗ୍ନ ଭାବେ ବିଦୀର୍ଣ୍ଣ କରିଛନ୍ତି । ତାଙ୍କର ଦୃଷ୍ଟି ଏତେ ଗଭୀର ଯେ କାଳର ଢେଉ ତାକୁ ଧୋଇ ନେବାକୁ ଅସମର୍ଥ ହୋଇଚି ।

 

ଏଠାରେ ରାଜା ଶୁଦ୍ରକ, ଭର୍ତ୍ତୃହରି ବା ଆଜିର ମଣିଷ ଆମର ଆଲୋଚନାର ବସ୍ତୁ ନୁହନ୍ତି, କାରଣ ଆଲୋଚନାର ବହୁ ଦିଗ ରହିଛି । ଏହା କେବଳ ଦୃଷ୍ଟାନ୍ତ ମାତ୍ର । ‘ଆଜିର ମଣିଷ’ ସରକାରୀ ରେଡ଼ିଓରୁ ପ୍ରଚାରିତ ହେବା ଉଦ୍ଦେଶ୍ୟରେ ଲେଖା ହୋଇଥିଲା ବୋଲି ଲେଖକ ପ୍ରଥମରୁ ସୁଚାଇଛନ୍ତି । ସବୁ ସରକାର ତମ୍ୱା ପଟାରେ ମୁଣ୍ଡ ବାନ୍ଧି ରହିବାକୁ ଚେଷ୍ଟା କରନ୍ତି । ଏଠାରେ ଏଣୁ ସରକାରୀ ପ୍ରଚାର ସେହିପରି ହେବା ସ୍ୱାଭାବିକ । ଏ ଦୃଷ୍ଟିରୁ ଦେଖିଲେ ଏହା ଏକ ବାସ୍ତବବାଦୀ ଉପନ୍ୟାସ । ଆଜିର ଅବସ୍ଥାକୁ ଉପସ୍ଥାପିତ କରିଛି । ଏହା ଅନ୍ୟ ଦିଗରେ ପ୍ରମାଣ କରେ ଯେ ବର୍ତ୍ତମାନ ସାହିତ୍ୟ ଏବଂ ସାହିତ୍ୟିକ କିପରି ଶାସକ ଶ୍ରେଣଈ ଦ୍ୱାରା ବନ୍ଦୀ, ଏବଂ ଦ୍ୱନ୍ଦ୍ୱ ଦ୍ୱାରାହିଁ କିପରି ସାହିତ୍ୟର ବିକାଶ, ଦ୍ୱନ୍ଦ୍ୱ ଦ୍ୱାରାହିଁ କିପରି ସାହିତ୍ୟର ବିକାଶ, ଦ୍ୱନ୍ଦ୍ୱ ଦ୍ୱାରାହିଁ କିପରି ସାହିତ୍ୟର ମୁକ୍ତି ! ଏହାହିଁ ପୁଣି ପ୍ରମାଣିତ କରେ, ବନ୍ଧନରୁ ମୁକ୍ତି ଲାଗି ଦ୍ୱନ୍ଦ୍ୱହିଁ ଆବଶ୍ୟକ ।

 

ଏହି ମିଳନ ଓ ଦ୍ୱନ୍ଦ୍ୱ, ସାହିତ୍ୟ ରଚନାର ଉପରୋକ୍ତ ମୂଳାଧାର ମଧ୍ୟରେ କେବଳ ନିହିତ ନୁହେଁ; ଏହା ସମାଜ ଓ ସାହିତ୍ୟ, ସାହିତ୍ୟିକ ଓ ସାଧାରଣ ପାଠକ ସ୍ତରକୁ ମଧ୍ୟ ପ୍ରସାରିତ ହୋଇଛି-। ସାହିତ୍ୟ, ସମାଜ ଭିତରୁ ଜାତ ସମ୍ରାଜ ବିନା ସାହିତ୍ୟ ନାହିଁ—ଏହା ହେଲେ ମଧ୍ୟ ସାହିତ୍ୟ ଏକ ସ୍ୱତନ୍ତ୍ର ସତ୍ତା ଭାବେ ସମାଜକୁ ପ୍ରଭାବିତ କରେ । ସାହିତ୍ୟ ବିକାଶର ମାର୍ଗ ହେଲା ସମାଜର ସକଳ ପ୍ରକାର ରୋଗ, କଳଙ୍କ ଓ ଆବିଳତା ଆଦିକୁ ଆକ୍ରମଣ କରି ଜୀବନକୁ ଆନନ୍ଦମୟ ଓ ଉପଭୋଗ୍ୟ କରିବା । କିନ୍ତୁ ସମାଜ ଉପରେ ସଂକୀର୍ଣ୍ଣ ସ୍ୱାର୍ଥର ଆଧିପତ୍ୟ ତାକୁ ସାହିତ୍ୟ-ଉପଭୋଗରୁ ବଞ୍ଚିତ କରେ; ସମସ୍ତ ସମାଜକୁ ବା ଅଧିକାଂଶକୁ ସାହିତ୍ୟ-ସୁଖ ଅନୁଭବ କରିବାର ବାଧାଦିଏ-। ଏ ବିରୋଧତା ଫଳରେ ସାହିତ୍ୟର ଅଭିବୃଦ୍ଧି ଅତିଶୟ ବାଧାପ୍ରାପ୍ତ ହୁଏ ଓ ଅନେକଠି ସାମୟିକ ଭାବେ ଅଚଳ ହୋଇଯାଏ । ଏହିପରି ସାହିତ୍ୟିକ ଓ ସାଧାରଣ ପାଠକମାନଙ୍କ କଥା-। ଏ ଦୁହେଁ ଅତି ନିବିଡ଼ ଭାବେ ମିଳିତ; ଜଣକୁ ଛାଡ଼ି ଅନ୍ୟ ଜଣେ ରହି ନପାରେ; ଜଣକ ବିନା ଅନ୍ୟ ଜଣେ ମୂଲ୍ୟହୀନ । ସାହିତ୍ୟିକର ପରାକାଷ୍ଠା ପାଠକ-କଷଟି ପଥରରେ ଚିହ୍ନିତ । ପାଠକ ସାହିତ୍ୟ-ରସ-ଗ୍ରହଣରେହିଁ ପରିଚିତ । ଯେଉଁଠି ଏ ଦୁହେଁ ପରସ୍ପରଠାରୁ ବିଚ୍ଛିନ୍ନ, ଅର୍ଥାତ୍‌ ସାହିତ୍ୟିକର ସୃଷ୍ଟି ପାଠକ ପାଖରେ ପହଞ୍ଚିପାରେ ନାହିଁ, କିମ୍ୱା ପହଞ୍ଚିଲେ ମଧ୍ୟ ପାଠକ ତାର ଜୀବନ ଜ୍ୱାଳାରେ ରସ ଆସ୍ୱାଦନ କରିବାକୁ ଅସମର୍ଥ ହୁଏ, ସେଠାରେ ସାହିତ୍ୟିକର ଜୀବନ ନିରର୍ଥକ ଓ ତାର ସୃଷ୍ଟି ନିଷ୍ଫଳ ।

 

ଏହା ଆଧୁନିକ ଶୋଷଣ-ସମାଜର କଥା ନୁହେଁ । କି କମ୍ୟୁନିଷ୍ଟ ମତବାଦର ମନଗଢ଼ା କାହାଣୀ ନୁହେଁ । ଏହା ହେଲା ଶୋଷଣଉପଦ୍ରୁତ ସମାଜର ସେହି ଦ୍ୱନ୍ଦ୍ୱ ଜନିତ ଦୁର୍ଦ୍ଦଶାର ଚିତ୍ର । ଏହି ଚିତ୍ରକୁ ସଂସ୍କୃତ ସାହିତ୍ୟର ଶ୍ରେଷ୍ଠ ଗୁଣାଧିକାରୀ ମହାକବି ‘ମାଘ’ ତାଙ୍କ ଜୀବନର ବାସ୍ତବତା ମଧ୍ୟରେ ଫୁଟାଇ କହିଛନ୍ତି ।

 

ବୁଭୁକ୍ଷିତୈଃ ବ୍ୟାକରଣଂ ନ ଭୁଜ୍ୟତେ,

ପିପାସିତୈଃ କାବ୍ୟରସୌ ନ ପୀୟତେ,

ନ ବିଦ୍ୟାୟା କେନଚିଦୁଧୃତ୍ୟଃ କୁଳଂ,

ହିରଣ୍ୟମେବାର୍ଜୟ ନିଷ୍ଫଳାଃ— କଳାଃ ।

 

ଅର୍ଥାତ୍‌ ବୁଭୁକ୍ଷୁ ଲୋକ ବ୍ୟାକରଣ ଖାଏ ନାହିଁ । ପିପାସିତ ଲୋକ କାବ୍ୟ ରସ ପାନ କରେ ନାହିଁ । ବିଦ୍ୟା ଦ୍ୱାରା କେହି କୁଳ ଉଦ୍ଧାର କରି ନାହିଁ, ହିରଣ୍ୟ ଅର୍ଜ୍ଜନ କର କଳା ନିଷ୍ଫଳ ।’’ ଏହାର ସୋଜା ଅର୍ଥହେଲା ଏ ସମାଜରେ ଅଭାବ, ଅନାଟନ, ଦାରିଦ୍ର୍ୟ, ଅନାହାର ଆଧିପତ୍ୟ ବିସ୍ତାର କରିଥିବା ଯାଏ ସାଧାରଣ ଲୋକଙ୍କ ପକ୍ଷରେ କାବ୍ୟରସ ଆସ୍ୱାଦନ ସମ୍ଭବ ନୁହେଁ, ସୁବର୍ଣ୍ଣ ବା ଅର୍ଥ ହିଁ ହେଉଛି ସର୍ବ ଶକ୍ତିମାନ । ତା ବିନା କଳା ଅର୍ଥହୀନ । ଅର୍ଥାତ୍‌ ତାହା କଳାକୁ ମଧ୍ୟ ଆୟତ୍ତ କରୁଛି, ତାକୁ ନ ଧରି କଳା ଓ ସାହିତ୍ୟ ବଞ୍ଚି ପାରିବ ନାହିଁ ।

 

ମାଘଙ୍କର ଶହ ଶହ ବର୍ଷ ତଳର ଉକ୍ତିର ସତ୍ୟତ । ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କର ଅଭିଜ୍ଞତାରେ ପ୍ରମାଣିତ । ଅତଏବ ସାହିତ୍ୟ ଓ ସମାଜର ସ୍ୱଚ୍ଛନ୍ଦ ସମଗତି ଲାଗି, ସାହିତ୍ୟିକ ଆଉ ସାଧାରଣ ପାଠକର ସମ୍ମିଳିତ ବିକାଶ ଅଭିବୃଦ୍ଧି ପାଇଁ ସେହି ସାମାଜିକ ପ୍ରତିବନ୍ଧକର ଅବସାନ ଘଟିବା ତୁରନ୍ତ ଆବଶ୍ୟକ । ସେ ଦ୍ୱନ୍ଦ୍ୱର ଆଶୁ ସମାଧାନ ସାହିତ୍ୟିକ ଓ ପାଠକ ଉଭୟଙ୍କ ପକ୍ଷରେ ଏକ ମହାନ ଚେତନଶୀଳ କର୍ତ୍ତବ୍ୟ ।

☆☆☆

 

ସତ୍ୟ ଓ ସାହିତ୍ୟ

 

ସତ୍ୟ ସାହିତ୍ୟସୃଷ୍ଟିର ଏକ ପ୍ରଧାନ ଉପାଦାନ । ବିଭିନ୍ନ ଦିଗରୁ ସାହିତ୍ୟର ଯେତେ ମୂଲ୍ୟବୋଧ ଥାଉ ପଛେ, ଏ ଉପାଦାନ ବିନା ତାହା କେବଳ ଅପୂର୍ଣ୍ଣ ନୁହେଁ, ପ୍ରମାଦପୂର୍ଣ୍ଣ, ଅସଫଳ-। ପୁଣି ସତ୍ୟ ସାହିତ୍ୟର ଭିତ୍ତି ହେଲେ ସୁଦ୍ଧା ଅଧିକାଂଶ କ୍ଷେତ୍ରରେ କାବ୍ୟ, କବିତା, କାହାଣୀ, ଉପନ୍ୟାସ, ଗୀତ, ନାଟକ ଆଦି ସାହିତ୍ୟ, କଳ୍ପନାପ୍ରସ୍ତୁତ । କଳ୍ପନା ବ୍ୟତୀତ ସାହିତ୍ୟ ‘କଳ୍ପନାତୀତ’-। ପ୍ରାଚୀନ ଓ ଆଧୁନିକ ପ୍ରତ୍ୟେକ କ୍ଷେତ୍ରପ୍ରତି ଏହା ପ୍ରଯୁଜ୍ୟ । ଅଥଚ ସତ୍ୟ ଓ କଳ୍ପନା ପରସ୍ପର ବିରୋଧୀ । ସାହିତ୍ୟ କିନ୍ତୁ ଏ ଦୁହିଁଙ୍କର ଦ୍ୱନ୍ଦ୍ୱ ମିଳନକୁ ନେଇ ଗଠିତ ଯେଉଁଠି ସତ୍ୟ ଓ କଳ୍ପନା ଉଭୟେ ଶୀର୍ଷଦେଶରେ ପହଞ୍ଚି ଅତି ନିବିଡ଼ ଭାବେ ସମ୍ମିଳିତ, ସେଇଠାରେହିଁ ସୃଷ୍ଟି ଅତ୍ୟନ୍ତ ପ୍ରାଣବନ୍ତ, ସୁନ୍ଦର ।

 

ସାହିତ୍ୟିକର କୃତିତ୍ୱ ହେଲା, କେବଳ ସତ୍ୟକୁ ନିରୀକ୍ଷଣ କରି ତାକୁ ଆୟତ୍ତ କରିବା ନୁହେଁ । (ଯଦିଓ ତାହା ଅପରିହାର୍ଯ୍ୟ,) କି, ତାକୁ ସେଇଭଳି ନିଖୁଣ ଭାବେ ଉପସ୍ଥାପିତ କରିବା ନୁହେଁ; ତା’ର କୃତିତ୍ୱ ହେଉଛି, ସତ୍ୟକୁ ତା ଆଦର୍ଶ ତଥା ନୈତିକ ପରମ୍ପରାର ବିକାଶରେ ମାର୍ଜ୍ଜିତ କରି, ସୌନ୍ଦର୍ଯ୍ୟର ପରିବେଷ୍ଟନୀରେ ସଜ୍ଜିତ କରାଇ, ବିଭିନ୍ନ ଭାବପ୍ରବଣତାର, ରସରେ ବିମଣ୍ଡିତ କରି, ଏକ କାଳ୍ପନିକ ଚିତ୍ରରେ ରୂପାନ୍ତରିତ କରିବା-ଯାହାର ମାଧ୍ୟମରେ ସତ୍ୟ ତାହାର ସମସ୍ତ ସମ୍ଭାର ଘେନି ଆତ୍ମପ୍ରକାଶ କରିବ ।

 

ତେଣୁ କେବଳ ସତ୍ୟର ପ୍ରକାଶ ସାହିତ୍ୟ ନୁହେଁ । କାରଣ ତାହା ଅଧିକାଂଶ କ୍ଷେତ୍ରରେ କଠୋର, ଆକର୍ଷଣହୀନ; ତାହା ସହଜ, ଆନନ୍ଦଦାୟକ ନୁହେଁ । ଅନ୍ୟ ଦିଗରେ କଳ୍ପନା ଯେତେ ବଳିଷ୍ଠ ହେଲେ ବି ତାହା କଳ୍ପନା । ସତ୍ୟର ଆଘାତ ବା ସାବ୍ୟସ୍ତକାରୀ ଶକ୍ତି ତାହାର ନାହିଁ । ଏ ଦୁହିଁଙ୍କ ମିଳନ ଭିତରେ ଯଦି ନିର୍ଦ୍ଦିଷ୍ଟ ଆଦର୍ଶ, ନୈତିକ ଧାରଣା, ସୌନ୍ଦର୍ଯ୍ୟବୋଧ ଓ ଭାବପ୍ରବଣତା ଆଦିର ଅଭାବ ଘଟେ, ତେବେ ତାହା ମଣିଷକୁ ସଂକୀର୍ଣ୍ଣ ଗଣ୍ଡି ମଧ୍ୟରୁ ଓଟାରି ଆଣି, ତାକୁ ଚଞ୍ଚଳ ଓ ଗତିଶୀଳ କରିପାରେ ନାହିଁ ଏବଂ ନିଜେ ଲକ୍ଷ୍ୟହୀନ ପୋତ ଭଳି ଭାସିବାରେ ଲାଗେ; ସାହିତ୍ୟସୃଷ୍ଟି ଉଦ୍ଦେଶ୍ୟହୀନ, ଦିଗହରା ହୋଇଯାଏ । ଏ ସବୁର ଯଥାର୍ଥ ମିଳନରେହିଁ ସାହିତ୍ୟର ସଫଳତା । ଏହା ବ୍ୟକ୍ତିଗତ, ମନୋଗତ, ସାମାଜିକ, ପ୍ରାକୃତିକ ଆଦି ସାହିତ୍ୟର ପ୍ରତ୍ୟେକ ଆଧାରରେ ପ୍ରତିଫଳିତ ହେଉଛି ।

 

ତା’ହେଲେ ସତ୍ୟଟି କ’ଣ ? ସତ୍ୟର ତ ଦର୍ଶନର ବସ୍ତୁ । ସାହିତ୍ୟରେ ତା’ର ଆଲୋଚନା କାହିଁକି ? ତା’ର କାରଣ, ଦର୍ଶନ ବିନା ମଣିଷ ନାହିଁ, କି ବିନା ଦର୍ଶନରେ ସାହିତ୍ୟ ନାହିଁ । ମଣିଷ ମାତ୍ରେ ପ୍ରତ୍ୟେକର ଏକ ଦର୍ଶନ ବା ଦୃଷ୍ଟିକୋଣ ରହିଛି, ଯାହାଦ୍ୱାରା ସେ ନିଜକୁ ଓ ଜଗତକୁ ଦେଖେ ଓ ବିଚାର କରେ; ନିଜ ଜୀବନର ଗତି ନିୟନ୍ତ୍ରଣ କରେ । ସେ ଦର୍ଶନ ଭୁଲ ହେଉ ବା ଠିକ୍‌ ହେଉ, ସେ ସେଥିପ୍ରତି ସଚେତନ ଥାଉ ବା ନ ଥାଉ, ସେ କିନ୍ତୁ ସେଇ ଅନୁସାରେ ଚାଲେ । ସାଧାରଣ ଲୋକ ଏ ଦିଗରେ ଚେତନଶୀଳ ନୁହନ୍ତି । ତେବେ ସାହିତ୍ୟକୁ ଏଥିପ୍ରତି ସଚେତନ ହେବାକୁ ପଡ଼ିବ; କାରଣ, ତାହା ସମାଜକୁ ପ୍ରଭାବିତ କରୁଛି, ସମାଜର ଲକ୍ଷ୍ୟ, ଆଦର୍ଶ ଓ ସ୍ୱାର୍ଥ ତାହା ସହିତ ଜଡ଼ିତ । ତେଣୁ ସେଥିପ୍ରତି ଚେତନଶୀଳ ନ ହେବା ଚରମ ଦାୟିତ୍ୱହୀନତାର ପରିଚାୟକ ।

 

ସତ୍ୟର ସନ୍ଧାନ ଲାଗି ତ ମଣିଷ ସୃଷ୍ଟି କାଳୁ ଆଜିଯାକେ ଅନବରତ ଧାଉଁଛି । କେତେ ସାଧନା ନ କରୁଛି ? ତେବେ ସୁଦ୍ଧା ଚରମ ସତ୍ୟକୁ ଛୁଇଁ ପାରୁନାହିଁ । ତା’ହେଲେ କେଉଁ ଭିତ ଉପରେ ମଣିଷ ନିଜର ଚିନ୍ତା ଓ କର୍ମର ସୌଧ ନିର୍ମାଣ କରିବ ? ସତ୍ୟ ଗୋଟିଏ ସ୍ଥାଣୁ ପଦାର୍ଥ ନୁହେଁ ଯେ ମଣିଷ ଧାଇଁ ଯାଇ ତାକୁ ମାଡ଼ି ବସିବ । ତାହା ସର୍ବଦା ଗତିଶୀଳ । ମଣିଷ ଆଗେଇଲାବେଳେ ତାହା ଆହୁରି ଆଗକୁ ଘୁଞ୍ଚିଯାଏ । ମଣିଷ ଯେତିକି ପୂର୍ଣ୍ଣତାର ନିକଟବର୍ତ୍ତୀ ହୁଏ, ସେତିକି ପୂର୍ଣ୍ଣତାର ଅଭାବ ଦେଖେ । କାରଣ ବିଶ୍ୱ ଚିରନ୍ତନ, ଗତିଶୀଳ, ବିକାଶମୁଖୀ, ମଣିଷର ବର୍ଦ୍ଧିଷ୍ଣୁ ଚେତନା ଦ୍ୱାରା ପ୍ରତିଫଳିତ । ତେଣୁ ଏ କ୍ଷେତ୍ରରେ ସ୍ଥାଣୁତାର ପ୍ରଶ୍ନ ନାହିଁ । ତାହା ଅନନ୍ତକାଳ ଧରି ଦ୍ୱନ୍ଦ୍ୱର ଉଦ୍ଭବ ଓ ତା’ର ସମାଧାନର କ୍ରିୟାପ୍ରକ୍ରିୟା ମାତ୍ର । ତେଣୁ ଚିର ଗତିଶୀଳ, ପ୍ରକୃତି ଯାହାକି ଚେତନା ଦ୍ୱାରା ପ୍ରତିଫଳିତ ହୁଏ ଏବଂ ଚିର ଗତିଶୀଳ, ବର୍ଦ୍ଧିଷ୍ଣୁ ଚେତନା ଯାହା ପ୍ରକୃତିକୁ ପ୍ରତିଫଳିତ କରେ, ଏ ଦୁହିଁଙ୍କ ଚିରନ୍ତନ କ୍ରିୟା ପ୍ରକ୍ରିୟା ଓ ସମପଦକ୍ଷେପ ହେଲ ଚରମ ସତ୍ୟ ଆବିଷ୍କାରର ମାର୍ଗ ।

 

ଏ ଗତି ଅନନ୍ତ ଓ ସୀମାହୀନ । ସତ୍ୟ ମଧ୍ୟ ଏହିପରି ଅସୀମ, ଅନିର୍ଦ୍ଦିଷ୍ଟ ଓ ସର୍ତ୍ତହୀନ ଆଉ ମନୁଷ୍ୟର ଚିନ୍ତା ଏହି ସତ୍ୟ, ପ୍ରକୃତି ବା ବାସ୍ତବତାର ଏକ ଅଂଶଭାବେ ଅବିଶ୍ରାନ୍ତ ଗତିଶୀଳ, ଅନନ୍ତ ଆକାଶ ପଥରେ ଏକ ଅକ୍ଳାନ୍ତ ବିଶ୍ରାମହୀନ ଯାତ୍ରୀ ।

 

ସତ୍ୟ ତ ଚିରନ୍ତନ ଭାବରେ ଗତିଶୀଳ ଓ ସୀମାହୀନ; ଆଉ ସେ ସତ୍ୟର ବାସ୍ତବତାକୁ ପ୍ରତିଫଳିତ କରୁଥିବା ମଣିଷର ଚିନ୍ତା କେବଳ ଚିରନ୍ତନ ଗତିଶୀଳ ନୁହେଁ, ମଣିଷର ଚିନ୍ତାର ସମ୍ଭାବନା, ତା’ର ବିଷୟ-ବସ୍ତୁ ଏବଂ ତା’ର ବ୍ୟବହାର ମଧ୍ୟ ସୀମାହୀନ, ସର୍ତ୍ତଶୂନ୍ୟ ଓ ଅନିର୍ଦ୍ଦିଷ୍ଟ । ମନୁଷ୍ୟର ଚିନ୍ତାର ପରିସର ଓ ଲକ୍ଷ୍ୟସ୍ଥଳର ସୀମା ନାହିଁ । ମନୁଷ୍ୟର ଚିନ୍ତାର ଏ ଶକ୍ତି ବିନା ତାହା ସତ୍ୟର ଚିରନ୍ତନ ଅନ୍ୱେଷେଣରେ ସମର୍ଥ ହୁଅନ୍ତା ନାହିଁ । ତାହା ସ୍ୱାଭାବିକ ଭାବେ ଅନ୍ତିମ ସତ୍ୟ ପ୍ରକାଶ କରିବାକୁ ସମର୍ଥ ।

 

କିନ୍ତୁ ଯାହା ଗତିଶୀଳ ତାହା ପୂର୍ଣ୍ଣାଙ୍ଗ ନୁହେଁ । ସତ୍ୟ କେବେହେଲେ ପରିପୂର୍ଣ୍ଣ ନୁହେଁ । ତା’ର ଗତି ପର୍ଣତା ଦିଗରେ । ଯାହାକୁ ଆମେ ସାଧାରଣତଃ ସତ୍ୟ ବୋଲି ମଣୁ, ତାହା ସେଇ ପୂର୍ଣ୍ଣତାର ଅପେକ୍ଷାରେ, ଆପେକ୍ଷିକ । ତେଣୁ ଆମର ସମସ୍ତ ସତ୍ୟ ଆପେକ୍ଷିକ ସତ୍ୟ । ଆପେକ୍ଷିକ ହେଉଛି ସବୁବେଳେ ଅପୂର୍ଣ୍ଣ, ଅନିଶ୍ଚିତ, ଅନିର୍ଦ୍ଦିଷ୍ଟ । ତାକୁ ଆଧାର କରିବା ଅର୍ଥ କ’ଣ ପ୍ରମାଦ ବରଣ କରିବା ନୁହେଁ ? ତା’ ହେଲେ ପୂର୍ଣ୍ଣତା ହାସଲ ନକରିବା ପର୍ଯ୍ୟନ୍ତ ମନୁଷ୍ୟ କ’ଣ ତା’ରି ଅପେକ୍ଷାରେ ନୀରବ, ନିଷ୍କ୍ରିୟ ହୋଇ ବସିଥିବ ।

 

କେବଳ ତତ୍ତ୍ୱଜ୍ଞାନ ନୁହେ ? ମନୁଷ୍ୟର ବାସ୍ତବ ଜୀବନ ମଧ୍ୟ ଏହାକୁ ଅସ୍ୱୀକାର କରେ; ଆପେକ୍ଷିକବାଦକୁ ଭିତ୍ତି କରି ପୂର୍ଣ୍ଣତାର ଅପେକ୍ଷାରେ ସେ ନିଷ୍କ୍ରିୟ ରହେନାହିଁ । ଗତିଶୀଳ ପ୍ରକୃତିରେ ଅପେକ୍ଷାର ପ୍ରଶ୍ନ ନାହିଁ । ସତ୍ୟ ସୀମାହୀନ, ସର୍ତ୍ତହୀନ, ଅନିର୍ଦ୍ଦିଷ୍ଟ ହେଲେ ମଧ୍ୟ ଐତିହାସିକ ଭାବେ ତାହା ନିର୍ଦ୍ଦିଷ୍ଟ, ସୀମାବଦ୍ଧ ଓ ସର୍ତ୍ତଯୁକ୍ତ, ଏବଂ ତାହାହିଁ ମଣିଷର ସମସ୍ତ ନିର୍ମାଣର ଭିର୍ତ୍ତି ।

 

କାରଣ, ଏହି ଆପେକ୍ଷିକ ସତ୍ୟର ସମଷ୍ଟିରେ ଚରମ ସତ୍ୟ ସମୃଦ୍ଧ । ଆପେକ୍ଷିକ ସତ୍ୟ ହେଲା ପ୍ରତିଟି ବୈଜ୍ଞାନିକ ଆବିଷ୍କାର । ସେଇ ପ୍ରତ୍ୟେକଟି ବୈଜ୍ଞାନିକ ତତ୍ତ୍ୱ ହେଲା ଅତି ନିର୍ଦ୍ଦିଷ୍ଟ, ସୀମାବଦ୍ଧ ଅଥଚ ସେଇ ପ୍ରତ୍ୟେକଟି ଆବିଷ୍କାର ତା’ର ଅଗ୍ରଗତିରେ ଅନ୍ତିମ ଚରମ ସତ୍ୟ ସମଷ୍ଟିରେ ଏକ ନୂତନ କଣା ସଂଯୋଗ କରିଚାଲିଛି । ତେଣୁ ଆପେକ୍ଷିକ ସତ୍ୟ ମଧ୍ୟରେ ଚରମ ସତ୍ୟର କଣା ନିହିତ । କେବଳ ସେଇ ପଥ ଅନୁସରଣ ନୁହେଁ, ସେଇ ପ୍ରକାର ନୂତନ ସଂଯୋଗ ହେଲା ସତ୍ୟର କର୍ତ୍ତବ୍ୟ ।

 

ସେ କର୍ତ୍ତବ୍ୟ ବା ଲକ୍ଷ୍ୟସାଧନ ତା’ରି କ୍ରିୟାପ୍ରକ୍ରିୟା ଦ୍ୱାରା ସମ୍ଭବ । ସତ୍ୟର ଅନୁସନ୍ଧାନକୁ ନିଜର ଭିତ୍ତି କରିବାକୁ ହେଲେ ସାହିତ୍ୟକୁ ସତ୍ୟ ଭଳି ଗତିଶୀଳ ହେବାକୁ ପଡ଼ିବ ପଛକୁ ନ ଫେରି ଆଗକୁ ଯିବାକୁ ହେବ, ପ୍ରତିକ୍ରିୟାଶୀଳ ନ ହୋଇ ପ୍ରଗତିଶୀଳ ହେବାକୁ ହେବ । ତାହାହେଲେ ପ୍ରତ୍ୟେକ ଅଗ୍ରଗତି ନୂତନ ଆବିଷ୍କାରକୁ ଅଭିନନ୍ଦନ କରିବ; ସତ୍ୟଭଳି ତାହା ସୀମାହୀନ ହେବ; ତାହାର ଦୃଷ୍ଟିକୋଣ କ୍ଷୁଦ୍ର ସଂକୀର୍ଣ୍ଣ ନ ହୋଇ ଅନନ୍ତ ବ୍ରହ୍ମାଣ୍ଡର ପରିଧିକୁ ଅତିକ୍ରମ କରିବ । ସତ୍ୟ ଯେପରି ସର୍ତ୍ତହୀନ ତାକୁ ମଧ୍ୟ ସେଇଭଳି ସମସ୍ତ ସର୍ତ୍ତ ପରିତ୍ୟାଗ କରିବାକୁ ପଡ଼ିବ, ସମସ୍ତ ଅବରୋଧ ଚୂର୍ଣ୍ଣ କରିବାକୁ ହେବ । ସାହିତ୍ୟର ବିକାଶ ଓ ଲକ୍ଷ୍ୟସାଧନ ପଥରେ ଏହା ଏକାନ୍ତ ପ୍ରୟୋଜନ ।

 

ଅନ୍ୟ ଦିଗରେ ସତ୍ୟ ବିମୁର୍ତ୍ତ ନୁହେଁ; ଅତି ମୂର୍ତ୍ତ ବା eoncrete, ଅତ୍ୟନ୍ତ ନିର୍ଦ୍ଦିଷ୍ଟ । ସେଥିରେ ସାମାନ୍ୟ ବ୍ୟତିକ୍ରମ ଅସମ୍ଭବ । କାରଣ ତାହା ଏକ ନିର୍ଦ୍ଦିଷ୍ଟ କଥାକୁ ବାଦ୍‌ ଦେଇ ସତ୍ୟକୁ ନିରୀକ୍ଷଣ କରାଯାଇ ନପାରେ । ସତ୍ୟ ପ୍ରତି ଅନୁସନ୍ଧିତ୍ସୁ ହେବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥାର ଏକ ନିର୍ଦ୍ଦିଷ୍ଟ କାଳର ଏକ ନିର୍ଦ୍ଦିଷ୍ଟ ବସ୍ତୁର ବିଶେଷ ପର୍ଯ୍ୟାଲୋଚନା ପ୍ରତି ଦୃଷ୍ଟି ଦେବାକୁ ହେବ । ଏହା ଯେତିକି ବ୍ୟାପକ ଗଭୀର ଓ ନିର୍ଦ୍ଦିଷ୍ଟ ହେବ, ସତ୍ୟ ସେହି ପରିମାଣରେ ମୂର୍ତ୍ତ ଓ ବଳିଷ୍ଠ ହେବ-। କାରଣ, ଆପେକ୍ଷିକ ବାସ୍ତବ ଜ୍ଞାନ ମଧ୍ୟରେ ଯେଉଁ ଚରମ ବାସ୍ତବ ବିଷୟବସ୍ତୁ ନିହିତ, ତା’ର ଚିରନ୍ତନ ପ୍ରସାର ହେଉଛି ଚରମ, ସତ୍ୟ । ଯାହା ହେଉଛି ଗତିଶୀଳ ଜଗତରେ ଅଧିକ ପୂର୍ଣ୍ଣ, ଅଧିକ ଗଭୀର ଓ ଅଧିକ ନିର୍ଦ୍ଦିଷ୍ଟ ଚିରନ୍ତନ ପ୍ରତିଫଳନର ଏକ ପ୍ରକ୍ରିୟା ମାତ୍ର । ସେଥିଲାଗି ଶିଳ୍ପୀ ଯେତେ ଆବକ୍ଷ ଅଙ୍କନ କଲେ ସୁଦ୍ଧା ଆବକ୍ଷ ଅଙ୍କା ଚିରଦିନ ଲାଗି ରହିଥିବ । ସାହିତ୍ୟିକ ଯେତେ ବିରହ, ମିଳନ ବର୍ଣ୍ଣନା କଲେ ମଧ୍ୟ ସେ ବର୍ଣ୍ଣନାର ଶେଷ ନାହିଁ, ଅନନ୍ତକାଳ ଧରି ତାହା ଚାଲିଥିବ-। ସର୍ବଦା ନୂତନତା ବିକାଶ ଲଭୁଥିବ । ଏହାହିଁ ହେଉଛି ପ୍ରତ୍ୟେକଟି ଆପେକ୍ଷିକ ବାସ୍ତବ ଜ୍ଞାନ ମଧ୍ୟରେ ଥିବା ଚରମ ସତ୍ୟର ପ୍ରସାର ।

 

ମନୁଷ୍ୟର ଚିନ୍ତା ସତ୍ୟଭଳି ସୀମାହୀନ ଅନିର୍ଦ୍ଦିଷ୍ଟ ହେଲେ ବି ତାହା ପ୍ରତ୍ୟେକ ମୁହୂର୍ତ୍ତରେ ମନୁଷ୍ୟର ସିଦ୍ଧାନ୍ତରେ, ପ୍ରୟୋଗରେ, ବ୍ୟକ୍ତିଗତ ପ୍ରକାଶରେହିଁ ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଓ ସୀମାବଦ୍ଧ, ତେଣୁ ଆପେକ୍ଷିକ ବାସ୍ତବ ଜ୍ଞାନ ମଧ୍ୟରେ ଥିବା ଚରମ ସତ୍ୟ ପ୍ରକାଶ କରିବାକୁ ମନୁଷ୍ୟ ସମର୍ଥ ।

 

ସେଥିଲାଗି ବିଷୟବସ୍ତୁର ଆଲୋଚନାକୁ ଏପରି ତନ୍ନ ତନ୍ନ ଓ ଖିନ୍‌ଭିନ୍‌ କରିବାକୁ ହେବ ଯେପରି ତଦ୍ୱାରା ତାର ବୈଶିଷ୍ଟ୍ୟ (typicality) ପରସ୍ଫୁଟ ହେବ, ଯେଉଁ ବୈଶିଷ୍ଟ୍ୟ କି କେବଳ ସେହି ବିଷୟଟି ବ୍ୟତୀତ ଅନ୍ୟତ୍ର ଦେଖାଯାଏ ନାହିଁ । ତଦ୍ଦ୍ୱାରା ତାହା ଅନ୍ୟମାନଙ୍କଠାରୁ ନିଜର ମୌଳିକ ପାର୍ଥକ୍ୟ ଓ ବିଶେଷତ୍ୱକୁ ସାବ୍ୟସ୍ତ କରିବ । ତାହା ହେବ ତା’ର ଚିହ୍ନଟର ସର୍ବଶ୍ରେଷ୍ଠ ଉପାଦାନ ସେଇ ବିଶେଷତ୍ୱକୁ କୌଣସି ପ୍ରକାରେ ପୋଛି ଦିଆ ଯାଇ ନ ପାରେ । ପ୍ରତ୍ୟେକ ଅବସ୍ଥା, ବିଷୟବସ୍ତୁ ଓ ଚରିତ୍ରର ବୈଶ୍ୟଷ୍ଟ୍ୟର ଆବିଷ୍କାର ସାହିତ୍ୟ ପକ୍ଷରେ ସର୍ବଶ୍ରେଷ୍ଠ ସମ୍ପଦ । ତାହାହିଁ ହେଲା ବାସ୍ତବ ଚିତ୍ର ଅଙ୍କନର ଭିତ୍ତି । ସେଥିଲାଗି ସମସ୍ତ ପ୍ରକାର ଚରିତ୍ରର ଚିତ୍ରଣ ହୋଇଯାଇଥିଲେ ସୁଦ୍ଧା କାଳ ଓ ଅବସ୍ଥା ଅନୁଯାୟୀ ତା’ର ବୈଶିଷ୍ଟ୍ୟକୁ ପୁନଃ ପୁନଃ ଫୁଟାଇବାରେ ସାହିତ୍ୟ ସଦାସର୍ବଦା ଲିପ୍ତ-ରହିଛି ଓ ରହିଥିବ ପୃଥିବୀର ସବୁ ସାହିତ୍ୟର ସମ୍ମିଳିତ ପ୍ରଚେଷ୍ଟା ସତ୍ତ୍ୱେ ବୈଶିଷ୍ଟ୍ୟର ଶେଷ ନାହିଁ ।

 

ଯେ କୌଣସି ଚିତ୍ରଣର ଉଦ୍ଦେଶ୍ୟ ହେଲା ଏ ବୈଶିଷ୍ଟ୍ୟକୁ ଫୁଟାଇବା ଅବସ୍ଥାର ବର୍ଣ୍ଣନା ଦ୍ୱାରା ଅବସ୍ଥାର ବୈଶିଷ୍ଟ୍ୟ ପ୍ରକାଶ ପାଏ । ଆଉ ସେଇ ଅବସ୍ଥାର ବୈଶିଷ୍ଟ୍ୟଗତ ପଟ୍ଟଭୂମିରେ ସାହିତ୍ୟିକ ତା’ର ଚରିତ୍ର ଚିତ୍ରଣ କରେ । ସେଇ ଚିତ୍ରଣରେ ସେ ତା’ର ବୈଶିଷ୍ଟ୍ୟ ଫୁଟାଏ । ନିର୍ଦ୍ଦିଷ୍ଟ ଚରିତ୍ରମାନେ ନିଜ ନିଜ ବୈଶିଷ୍ଟ୍ୟ ସହ ନିର୍ଦ୍ଦିଷ୍ଟ ପଟ୍ଟଭୂମିର ବୈଶିଷ୍ଟ୍ୟର ଭିତ୍ତି ଉପରେ କ୍ରିୟାପ୍ରକ୍ରିୟାରେ ଲିପ୍ତ ରହନ୍ତି । ସେମାନଙ୍କ ମଧ୍ୟରେ ସଂଘର୍ଷ ସହଯୋଗ ସଂଘଟିତ ହୁଏ । ସାହିତ୍ୟିକ ଏଇ ସହଯୋଗ ବା ସଘଂର୍ଷ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟକୁ ବି ପ୍ରକାଶ କରେ । ଅତଏବ ପଟ୍ଟଭୂମିର, ବୈଶିଷ୍ଟ୍ୟ, ଚରିତ୍ରମାନଙ୍କ ବୈଶିଷ୍ଟ୍ୟ ଏବଂ ସେମାନଙ୍କ ସହଯୋଗ ସଂଘର୍ଷ ବୈଶିଷ୍ଟ୍ୟ ପ୍ରକାଶ ପାଇଲାବେଳେ ସମସ୍ତ ବୈଶିଷ୍ଟ୍ୟ ଏକା-ଧାରରେ ଠୁଳ ହୁଏ । ସମସ୍ତ ବୈଶିଷ୍ଟ୍ୟର ସଂମିଶ୍ରଣରେ ସୃଷ୍ଟିର ବୈଶିଷ୍ଟ୍ୟ ଆତ୍ମପ୍ରକାଶ କରେ । ସାହିତ୍ୟିକର ସେ ସୃଷ୍ଟି ଅନୁପମ, ଅଦ୍ୱିତୀୟ ହୋଇଉଠେ, ତାହା ପଟାନ୍ତର ହୀନ ହୁଏ । ପ୍ରତ୍ୟେକଟି ଅଭିବ୍ୟକ୍ତି ଏକାକୀ ଓ ସମଷ୍ଟିଗତ ଭାବେ ଅତୁଳୀନୟ ବିଭବ ଘେନି ଅସଂଖ୍ୟ ରୂପରେ ଉଦ୍ଭାସିତ ହୁଏ । ଉଦାହରଣ ସ୍ୱରୂପ, ଏଇପରି ସତ୍ୟ, କଳ୍ପନା ଓ ବାସ୍ତବ ବୈଶିଷ୍ଟ୍ୟର ଏକ ସର୍ବଶ୍ରେଷ୍ଠ ପ୍ରତିମୂର୍ତ୍ତି ହେଉଛି ‘‘ମହାଭାରତ ।’’

 

‘ମହାଭାରତ’ କଳ୍ପନା ପ୍ରସୂତ ହେଲେ ବି ବାସ୍ତବତାକୁ ପରାଜିତ କରେ । ସାଧାରଣଲୋକ ‘କୁଚତ୍ରୀ’ ପରିବର୍ତ୍ତେ ‘ଶକୁନି’ ଶବ୍ଦହିଁ ପ୍ରୟୋଗ କରନ୍ତି; କାରଣ, କଳ୍ପନାର ‘ଶକୁନି’ ଦ୍ୱାରା ବାସ୍ତବତା ଏପରି ନିର୍ଭୁଲ ଓ ନିର୍ଦ୍ଦିଷ୍ଟଭାବେ ପ୍ରତିପାଦିତ ହୁଏ, ଯାହାକି ସାଧାରଣ ‘କୁତ୍ରୀ’ ଶବ୍ଦଦ୍ୱାରା ସମ୍ଭବ ନୁହେଁ । ଏହାର ପ୍ରଧାନ କାରଣ—ଏଠାରେ ସତ୍ୟ ଓ କଳ୍ପନା କେବଳ ବିଯୁକ୍ତ ଓ ସୀମାହୀନ ନୁହେଁ; ନିବଡ଼ଭାବେ ସଂଯୁକ୍ତ । ଅତି ନିର୍ଦ୍ଦିଷ୍ଟ, ବୈଶିଷ୍ଟ୍ୟପୂର୍ଣ୍ଣ । କାରଣ, କଳ୍ପନା ବାସ୍ତବତା ବା ସତ୍ୟର ଭିର୍ତ୍ତି ଉପରେ ପ୍ରତିଷ୍ଠିତ ।

 

ମହାଭାରତର ପ୍ରତ୍ୟେକ ଚରିତ୍ର ବୈଶିଷ୍ଟ୍ୟପୂର୍ଣ୍ଣ (Typical) ତାହା ଆମୂଳଚୁଳ ବୈଶିଷ୍ଟ୍ୟରେ ଭରା । ପ୍ରତ୍ୟେକଟି ଅଦ୍ୱିତୀୟ । ତେଣୁ କାଳକ୍ରମେ ସାହିତ୍ୟ ଓ ସମାଜରେ ସେଇ ଚରିତ୍ରମାନଙ୍କର ବୈଶିଷ୍ଟ୍ୟ ଅନୁଯାୟୀ ନାମକରଣ ହୋଇ-ଯାଇଛି । ବଳୁଆକୁ ଭୀମ, ଦାନୀକୁ କର୍ଣ୍ଣ, ପ୍ରତଜ୍ଞାବନ୍ତକୁ ଭୀଷ୍ମ ଇତ୍ୟାଦି କୁହାଯାଏ । ପ୍ରତ୍ୟେକଟି ଉପାଖ୍ୟାନରେ, ଏପରିକି ବିଲୁଆ କୁକୁରଙ୍କଠି ମଧ୍ୟ ଏହି ବୈଶିଷ୍ଟ୍ୟ ପ୍ରକାଶ ପାଏ । ବୈଶିଷ୍ଟ୍ୟ ବିନା ମହାଭାରତ ନାହିଁ । ଏଠାରେ ମହାଭାରତ ଆଲୋଚନା ଆମର ଉଦ୍ଦେଶ୍ୟ ନୁହେଁ; ଉଦାହରଣ ମାତ୍ର । ସେକ୍‌ସପିୟରଙ୍କଠୁ ଆରମ୍ଭ କରି ଆମ ଫକୀରମୋହନଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ କୃତୀ ସାହିତ୍ୟିକଙ୍କ ଚରିତ୍ରଚିତ୍ରଣରେ ଏଇ ବୈଶିଷ୍ଟ୍ୟହିଁ ସର୍ବଥା ପ୍ରକଟିତ ।

 

କେବଳ ସାହିତ୍ୟ ନୁହେଁ, ଅର୍ଥନୀତି, ରାଜନୀତି, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଏଇ ବୈଶିଷ୍ଟ୍ୟ-ଅର୍ଥାତ୍‌ ବିଷୟର ଅନ୍ତର୍ବସ୍ତୁର ଉଦ୍‌ଘାଟନ ହେଲା ପ୍ରଧାନ ଲକ୍ଷ୍ୟ । ନ ହେଲେ ବିଷୟବସ୍ତୁକୁ ଉପଲବଧି କରିହୁଏ ନାହିଁ । କୌଣସି ବିଷୟ ମୌଳିକ ପ୍ରକୃତି ଉପଲବ୍‌ଧ ନ ହେଲେ ତାକୁ ନେଇ ବା ଭିର୍ତ୍ତି କରି କୌଣସି ନିର୍ମାଣ ସମ୍ଭବପର ନୁହେଁ । ଆମର ସମସ୍ତ ବିଫଳତା ପଛରେ ଏଇ ପ୍ରକାର ଉପଲବ୍‌ଧିର ଅଭାବ ଏକ ମୁଖ୍ୟ କାରଣ ।

 

ଏଇ ବୈଶିଷ୍ଟ୍ୟର ଗଭୀରତା ଉପରେ ସାହିତ୍ୟର ମୂଲ୍ୟବୋଧ ବହୁ ପରିମାଣରେ ନିର୍ଭର କରେ । କାରଣ, ତାହା ବସ୍ତୁର ଅନ୍ତର୍ନିହିତ ରୂପ ଓ ଶକ୍ତିକୁ ପ୍ରକାଶ କରେ । ସେଥିଲାଗି ସାହିତ୍ୟିକ ପକ୍ଷରେ ଅତି ତୀକ୍ଷ୍‌ଣ ଦୃଷ୍ଟି, ଅପରିସୀମ ଜ୍ଞାନ ଓ ଅକ୍ଳାନ୍ତ ଅଧ୍ୟବସାୟ ଦରକାର । ଏହି ବୈଶିଷ୍ଟ୍ୟର ଆବିଷ୍କାର ଓ ପ୍ରକାଶନ ସମାଜ ଉପରେ ସକ୍ରିୟ ଓ ଶକ୍ତିଶାଳୀ ପ୍ରଭାବ ପକାଏ; ତାକୁ ଚଞ୍ଚଳ ଓ ଅଗ୍ରସର କରାଏ । ସମସ୍ତ ସମାଜ ପକ୍ଷରେ ଏହା ଏକ ଶିକ୍ଷଣୀୟ ବିଷୟ ହୁଏ । ବୈଶିଷ୍ଟ୍ୟର ଗଭୀର ଉପଲବଧି ଓ ତା’ର ପ୍ରକାଶନ ହେତୁ ଏହା ଅତିମାତ୍ରାରେ ପ୍ରେମ ବି ଘୃଣା, ଆଦର ବା ଅନାଦାର ଇତ୍ୟାଦି ଉଦ୍ର୍ୟେବ କରେ, ଚରିତ୍ର ପ୍ରତି ଆକର୍ଷଣ ବା ବିକର୍ଷଣ କରାଏ; ତାକୁ ଅନୁକରଣ ବା ବର୍ଜନ କରିବାଲାଗି ମନୁଷ୍ୟକୁ ଉତ୍ସାହିତ କରାଏ । ଏପରିକି, ଚରିତ୍ରର ବୈଶିଷ୍ଟ୍ୟର ବର୍ଣ୍ଣନାର ମନୁଷ୍ୟର ଇନ୍ଦ୍ରିୟ ମଧ୍ୟ ଚଞ୍ଚଳ ଓ ଜାଗ୍ରତ ହୋଇଉଠନ୍ତି । ମୋଟ ଉପରେ ସାହିତ୍ୟ ଏଇ ବୈଶିଷ୍ଟ୍ୟ ଜରିଆରେହିଁ ମନୁଷ୍ୟ ଜୀବନକୁ ଉଦ୍‌ବୁଦ୍ଧ ଓ ମହନୀୟ କରେ, କୁସଂସ୍କାରର ଆବିଳତା ଓ ଅବରୋଧକୁ ଭାଙ୍ଗେ, ସମାଜର ଅଗ୍ରଗତିରେ ସାହାଯ୍ୟ କରେ ।

 

ଏହା ସମ୍ଭବ ହୁଏ, କାରଣ, ଏଇ ବୈଶିଷ୍ଟ୍ୟ ଭିତରେ ସମସ୍ତ ସାମାଜିକ ଅଭିବ୍ୟକ୍ତି ରୂପ ନେଇଥାଏ । ମନୁଷ୍ୟର ଦୈନନ୍ଦିନ ଜୀବନରେ ଦାନୀ, ମାନୀ, ଧାର୍ମିକ, ପ୍ରତିଜ୍ଞାବନ୍ତ ଲୋକଙ୍କୁ ଭେଟିରେ, କେହି କର୍ଣ୍ଣ, ଦୁର୍ଯ୍ୟୋଧନ, ଯୁଧିଷ୍ଠିର ବା ଭୀଷ୍କକୁ ଭେଟନ୍ତି ନାହିଁ । ଅର୍ଥାତ ସମାଜର ସମସ୍ତ ଦାନୀ, ମାନୀ ଧାର୍ମିକ ଓ ପ୍ରତିଜ୍ଞାବନ୍ତ ଉପରୋକ୍ତ ଚରିତ୍ରମାନଙ୍କରେ ମୂତ୍ତିମନ୍ତ । ସେଇ ଚରିତ୍ରମାନେ ହେଉଛନ୍ତି ସମାଜର ସେଇଭଳି ବ୍ୟକ୍ତିମାନଙ୍କର ପୁଞ୍ଜୀଭୂତ ଅଭିବ୍ୟକ୍ତି । ସମାଜର ସେଇ ପୁଞ୍ଜୀଭୂତ ଅଭିବ୍ୟକ୍ତି ଯୋଗୁଁ ତାହା ସମାଜର ଯେ କୌଣସି ବ୍ୟକ୍ତିବିଶେଷକୁ ପ୍ରଭାବିତ କରେ । ମନୁଷ୍ୟ ନିଜର ବୁଦ୍ଧି ବା ଜ୍ଞାନଦ୍ୱାରା ସେଇ ପ୍ରଭାବର ଆଲୋଡ଼ନକୁ ଅନୁମାନ କରେ ନାହିଁ, ସେ ନିଜର ହୃଦୟଦ୍ୱାରା ତାକୁ ଅନୁଭବ କରେ ।

 

ସାହିତ୍ୟ ଏଇସମାଜରୁ ତା’ର ଚରିତ୍ର-ଉପାଦାନ ସଂଗ୍ରହକରୁଛି । ନିଜର କଳ୍ପନା, ଆଦର୍ଶ ଓ ଦକ୍ଷତା ବଳରେ ତାକୁ ପରିମାର୍ଜିତ ପରିବର୍ତ୍ତିତ କରି ଅଧିକ ଉଜ୍ଜ୍ୱଳ, ଉନ୍ନତ ଭାବେ ପୁଣି ସେଇ ସମାଜକୁ ଦାନ କରୁଛି, ଯାହାକି ସାଧାରଣ ବାତ୍ସବତାଠାରୁ ଅଧିକ ସତ୍ୟ, ଅଧିକ ମହତ୍‌ ଓ ଅଧିକ ସୁନ୍ଦର । ସେଥିରେ ମଣିଷ ନିଜର ବା ସମାଜର ପ୍ରତିବିମ୍ୱ କେବଳ ଦେଖୁନାହିଁ; ସମାଜକୁ ଅଧିକ ସୁନ୍ଦର ଓ ଉପଭୋଗ୍ୟ କରି ଗଢ଼ିବାର ପ୍ରେରଣା ପାଉଛି । ଯେଉଁଠାରେ ତା’ର ସଂଗୃହୀତ ଉପାଦାନ ସତ୍ୟ ବା ସାମାଜିକ ବାସ୍ତବତା ଉପରେ ପ୍ରତିଷ୍ଠିତ ନୁହେଁ, ସେଠାରେ ସୃଷ୍ଟିବ୍ୟର୍ଥ । ସାହିତ୍ୟିକ କେବଳ ବାସ୍ତବତାକୁ ପ୍ରତିଫଳିତ କରୁନାହିଁ; ସେ ସେହି ସତ୍ୟ ବା ବାସ୍ତବତାର ଗତି ଅନୁଯାୟୀ ତାକୁ ପରିବର୍ତ୍ତିତ କରିବାର ନେତୃତ୍ୱ ଦେଉଛି । ସତ୍ୟକୁ ମାଛିମରା କିରାଣୀ ଭଳି ଉପସ୍ଥାପିତ କରିବା ତା’ର କାମ ନୁହେଁ । ତା’ର କାମ ହେଲା ସତ୍ୟକୁ ଆକର୍ଷଣୀୟ କରାଇ ତାକୁ ସାବ୍ୟସ୍ତ, ବିକାଶ ଓ କାର୍ଯ୍ୟକାରୀ କରିବା । ସତ୍ୟ ଗତିଶୀଳ । ତା ସହିତ ପାଦ ମିଳାଇ ଚାଲିବାକୁ ହେଲେ ସାହିତ୍ୟକୁ ଅନବରତ ଅବରୋଧ ଭାଙ୍ଗିବାକୁ ପଡ଼ୁଥିବ । ଏହି ଗତି, ପ୍ରଗତିର ମାର୍ଗ ହେଉଛି ଚରମ ସତ୍ୟ ଅନ୍ୱେଷଣର-ଏକମାତ୍ର ପନ୍ଥା । ସତ୍ୟ ଯେପରି ଅସୀମ, ସାହିତ୍ୟର ମାର୍ଗ ଓ ପ୍ରଚେଷ୍ଟା ମଧ୍ୟ ସେହିପରି ସୀମାହୀନ । ସେଇ ସୀମାହୀନ ଦିଗନ୍ତ ଶୂନ୍ୟ ପଥରେ ସାହିତ୍ୟର ବିକାଶ ମଧ୍ୟ ଅନନ୍ତ ଏବଂ ଅଚିନ୍ତନୀୟ ।

 

ସେଇ ଅବିଶ୍ରାନ୍ତ ଗତିଶୀଳ ପ୍ରଚେଷ୍ଟା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ କାଳ ବା ମୁହୂର୍ତ୍ତରେ ନିର୍ଦ୍ଦିଷ୍ଟ ସତ୍ୟକୁ ତା’ର ବୈଶିଷ୍ଟ ସହ ପ୍ରକାଶ କରିବା ହେଉଛି ପୂର୍ଣ୍ଣତା ଦିଗରେ ଏକ ସୋପାନ ଅତିକ୍ରମ କରିବା । ଏଇ କୃତିତ୍ୱପୂର୍ଣ୍ଣ ଅତିକ୍ରମ ହେଲା ସାହିତ୍ୟର ଚିରନ୍ତନ ମୂଲ୍ୟବୋଧ । କାରଣ ତାହା ଚରମ ସତରେ ପହଞ୍ଚିବା ଲାଗି ସମସ୍ତ ସମାଜପାଇଁ ଏକ ଚିରସ୍ଥାୟୀ ସୋପାନ ନିର୍ମାଣ କରେ । ସତ୍ୟର ସନ୍ଧାନ, ସାହିତ୍ୟର ବିକାଶ ପଥରେ ତାହା ହେଉଛି ନୂତନ କଣାର ସଂଯୋଗ ।

☆☆☆

 

ଶିବ ଓ ସାହିତ୍ୟ

 

ଶିବ ସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଂଶ, ତାହା ବିନା ସାହିତ୍ୟର ସୃଷ୍ଟିସ୍ଥିତି ଓ ଗତି ପୂର୍ଣ୍ଣାଙ୍ଗ ନୁହେଁ, ପ୍ରମାଦପୂର୍ଣ୍ଣ ଓ ଅସଙ୍ଗତ, ସାହିତ୍ୟ ପ୍ରକୃତ ସାହିତ୍ୟ ପଦବାଚ୍ୟ ହୋଇ ନ ପାରେ । ଆବାହମାନ କାଳରୁ ଏହା ସର୍ବବାଦୀ ସମ୍ମତ ।

 

ସାଧାରଣତଃ ଏ ସମ୍ୱନ୍ଧରେ ମତ–ଏକତା ଥିଲେହେ ଶିବର ସ୍ୱରୂପ, ତାର ପ୍ରକୃତି ଓ ଆଦର୍ଶ ନେଇ ମତ-ଭିନ୍ନତା ଦେଖାଯାଏ । ବହୁ କ୍ଷେତ୍ରରେ ତାହା ପରସ୍ପର ବିରୋଧୀ ମଧ୍ୟ, କାରଣ ମନୁଷ୍ୟର ଜୀବନ ବିରୋଧିତାର ବଶବର୍ତ୍ତୀ । ଯାହା ଏକ ବ୍ୟକ୍ତି, ଏକ ଗୋଷ୍ଠୀ, ଏକ କାଳପକ୍ଷରେ ଗ୍ରହଣୀୟ, ତାହା ଅନ୍ୟ ଏକ ବ୍ୟକ୍ତି, ଅନ୍ୟ ଏକ ଗୋଷ୍ଠୀ ବା ଅନ୍ୟ ଏକ କାଳ ପକ୍ଷରେ ପରିତ୍ୟାଜ୍ୟ-। ସ୍ଥାନ କାଳ ଓ ପାତ୍ର ଭେଦରେ ସେଇ ଏକଇ କ୍ଷେତ୍ରରେ ଏ ବିରୋଧୀତା ପରିସ୍ଫୁଟ ସାହିତ୍ୟରେ ଶିବ ଅଶିବର ଦୃଷ୍ଟି ଏ ବାସ୍ତବତାର ବର୍ହିଭୂତ ନୁହେଁ । କିନ୍ତୁ ସମସ୍ତ ପ୍ରକାରର ବିଭିନ୍ନତା ମଧ୍ୟରେ ମନୁଷ୍ୟର ନିଜର ଜୀବନ ଧାରଣ ଲାଗି ଖାଦ୍ୟ, ପେୟ, ବସବାସ ଓ ସେଥି ଲାଗି କର୍ମର ସାଧନ, ସବୁକାଳ ପାଇଁ ଯେପରି ଅପରିହାର୍ଯ୍ୟ ନିରନ୍ତର ସମାନ, ସେହିପରି ଶିବର ସ୍ୱରୂପ ପ୍ରକୃତି ଓ ଆଦର୍ଶ ଘେନି ମତଭିନ୍ନତା ରହିଥିଲେ ମଧ୍ୟ ଶିବିର ଆକାଙ୍‌କ୍ଷା ଓ ଉଦ୍ୟମ ସଚରାଚର ଓ ସର୍ବକାଳବ୍ୟାପୀ । ସୃଷ୍ଟି, ସ୍ଥିତି ଓ ଗତି ମଧ୍ୟରୁ ତାକୁ ବାଦ ଦିଆଯାଇ ନ ପାରେ, ଜନ୍ମ ଓ ଜୀବନ ସହିତ ଶିବ ବା ମଙ୍ଗଳର କାମନା, କାୟା ପଛରେ ଛାୟା ଭଳି ଜଡ଼ିତ । ସାହିତ୍ୟ ମଧ୍ୟ ସେହି ନିୟମାଧୀନ, ତାରି ପ୍ରତିଫଳନ ।

 

ସାହିତ୍ୟରେ ଶିବର ପରିକଳ୍ପନା ଅତି ସୁଦୂରପ୍ରସାରୀ, ଦେଶକାଳାତୀତ, ତାହା ସଂକୀର୍ଣ୍ଣ ପରିସର ମଧ୍ୟରେ ଆବଦ୍ଧ ନୁହେଁ । ତାର କୌଣସି ସୀମା ସରହଦ ନାହିଁ, ତାହା ସମଗ୍ର ମାନବ ସମାଜକୁ ଆଲିଙ୍ଗନ କରେ । ତାହା ସେଇ ସମଗ୍ର ମାନବ ସମାଜର କଲ୍ୟାଣ ଓ ବିକାଶ ଦିଗରେ ଉଦ୍ଦିଷ୍ଟ । ଲୋକସାଧାରଣଙ୍କୁ ମହନୀୟ ଭାବରେ ଉଦ୍‌ବୁଦ୍ଧ କରିବା, ସେମାନଙ୍କୁ ସର୍ବାଧିକ ଆନନ୍ଦ ପ୍ରଦାନ କରିବା ଦାୟିତ୍ୱ ସାହିତ୍ୟର । ସାହିତ୍ୟର ଏହି ମାନବିକ କଲ୍ୟାଣର ଉଦ୍ଦେଶ୍ୟ ଓ ଆଦର୍ଶର ଅନ୍ୟ ଅର୍ଥ ହେଲା ମାନବିକତା, ମନୁଷ୍ୟ ପ୍ରାଣରେ ସେହି ଭାବର ସଂଚାର, ମନୁଷ୍ୟକୁ ସେହି ମାନବିକତା ବୋଧରେ ଉଦ୍‌ବୁଦ୍ଧ କରିବା । ସେହି ମାନବିକତାର ତାକୁ ଅନ୍ୱିତ କରିବାର ଲକ୍ଷ୍ୟ ନେଇ ସାହିତ୍ୟର ସ୍ଥିତି ଓ ଗତି । ତେଣୁ ଶିବ ବୋଇଲେ ସାହିତ୍ୟର ସେହି ମହନୀୟ ଭାବ—ମାନବିକତାକୁ ହିଁ ବୁଝାଇଥାଏ ।

 

ଏହା କିଛି ନୂଆ ନୁହେଁ, କାଳେ କାଳେ ଏହା ସାହିତ୍ୟର ମୁଖ୍ୟ ଆଧାର ଓ ଉଦ୍ଦେଶ୍ୟ ହୋଇ ଆସିଛି । ସାହିତ୍ୟର ବିଷୟବସ୍ତୁ ଯେତେ କ୍ଷୁଦ୍ର, ତାର ଚିନ୍ତାର ପରିସର ଯେତେ ସୀମିତ ହେଉପଛେ, ପ୍ରତ୍ୟେକଟି ସଫଳ ଓ ସାର୍ଥକ ସାହିତ୍ୟର ସୃଷ୍ଟି ମଧ୍ୟରେ ତାର ନିର୍ଯ୍ୟାସର ଧାରା ସେହି ମାନବିକତା ଦିଗରେ ପ୍ରବାହିତ; କିନ୍ତୁ ସେହି ମାନବିକତାର ଆଧାର ଓ ଆଧେୟ ସବୁକାଳ ଲାଗି ସମାନ ନୁହେଁ, ସ୍ଥାଣୁ ଓ ଗତିହୀନ ନୁହେଁ; କିମ୍ୱା ଥରେ ତାକୁ ଆୟତ୍ତ କରିଦେଲେ, ତେଣିକି ତାକୁ ଅନୁସରଣ କରିବାର ଆଉ ଆବଶ୍ୟକତା ରହେ ନାହିଁ, ମନୁଷ୍ୟକୁ ଛାଡ଼ି ମାନବିକତା ନାହିଁ । ମନୁଷ୍ୟର ବିକାଶ ସହିତ ମାନବିକତା ବିକାଶଶୀଳ । ମନୁଷ୍ୟ ସଦାସର୍ବଦା ସେହି ଦିଗରେ ଧାବମାନ ।

 

ତେଣୁ ସାହିତ୍ୟକୁ ତାର ଯଥାର୍ଥ ଭୂମିକା ଗ୍ରହଣ କରିବାକୁ ହେଲେ ମାନବିକତାର ଅନୁସରଣ କେବଳ ତା ପକ୍ଷରେ ଯଥେଷ୍ଟ ନୁହେଁ । ତାର ଅନୁଧାବନ କରିବା ପରିବର୍ତ୍ତେ ତାକୁ ତାର ଅଗ୍ରଧାବନ କରିବାକୁ ପଡ଼ିବ, ଏବଂ ତଦ୍ଦ୍ୱାରା ହିଁ ତାହା ଆପଣାର ଆବଶ୍ୟକତା ସାର୍ଥକତା ଓ ଉତ୍‌କର୍ଷତାକୁ ପ୍ରତିପାଦିତ କରିପାରେ, ସେଥିଲାଗି ସାହିତ୍ୟକୁ ସେ ଦିଗରେ ସଚେତନ ପଦକ୍ଷେପ ନେବାକୁହିଁ ପଡ଼ିବ ।

 

ସମସ୍ତେ ମାନବିକତାର ତାର ବିମୂର୍ତ୍ତ ରୂପର ପୂଜାରୀ । ତାର ସେହି ବିମୂର୍ତ୍ତ ଆଦର୍ଶକୁ ବିନା ଦ୍ୱିଧାରେ ମାନି ନିଅନ୍ତି । କିନ୍ତୁ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବିଷୟରେ, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ଏକ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ତାର ମୂର୍ତ୍ତ ପ୍ରୟୋଗର ପ୍ରଶ୍ନ ଉଠେ, ସେତେବେଳେ ମତ ପାର୍ଥକ୍ୟ ଦେଖାଯାଏ । ତାହା ଅନେକଙ୍କଠାରେ ସଂଘର୍ଷରେ ପରିଣତ ହୁଏ । ତାର କାରଣ ମାନବିକତାର ପ୍ରକୃତ ଅର୍ଥ ଅସ୍ପଷ୍ଟ କିମ୍ୱା ତାର ଉପଲବ୍‌ଧି ଓ ପ୍ରୟୋଗ ଦୋଷମୁକ୍ତ କିମ୍ୱା ତାହା ବ୍ୟକ୍ତି-ମାନବ ଦୃଷ୍ଟି ଦ୍ୱାରା ଆଚ୍ଛନ୍ନ କିମ୍ୱା ବ୍ୟକ୍ତିଗତ ସ୍ୱାର୍ଥ ଦ୍ୱାରା ପରିତ୍ୟକ୍ତ । ଫଳରେ ମାନବିକତା ଶବ୍ଦଟିର ଅପବ୍ୟବହାର ମଧ୍ୟ କମ୍‌ ନୁହେଁ । ବହୁ ଲୋକେ ଏହାକୁ ପ୍ରତିଦିନ ମନ୍ତ୍ର ଭଳି ଆଉଡାଇଲା ଭିତରେ, ସେମାନେ ନିଜର ତଥା ସମାଜର ସମସ୍ତ ଆବର୍ଜନା ଅପଧାରଣା ଓ ଅପକର୍ମକୁ ଢାଙ୍କିବା ଲାଗି ବେଶ ଏକ ଦୁର୍ଭେଦ୍ୟ ଆବରଣସୃଷ୍ଟିର ଅନବରତ ଉଦ୍ୟମ କରିଥାନ୍ତି ।

 

ସମସ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରତିବନ୍ଧକ ସତ୍ତ୍ୱେ, ମନୁଷ୍ୟ ଭଳି ସାହିତ୍ୟ ଅଚେତନ ବା ସଚେତନ ଭାବେ ସେହି ମାନବିକତା ଦିଗରେ ଅଗ୍ରଗତି କରୁଛି । ହେଲେ ମଧ୍ୟ, ସାହିତ୍ୟର ବ୍ୟାପକ, ବହୁମୁଖୀ, ଦ୍ରୁତ ଅବାଧ ଅଗ୍ରଗତି ଲାଗି ଉକ୍ତ ପ୍ରବନ୍ଧକଗୁଡ଼ିକୁ ପ୍ରତିହତ କରିବାକୁ ହେବ ମାନବିକତା ବିରୁଦ୍ଧରେ ସେହି ପ୍ରତିବନ୍ଧକସବୁ ସଂକୀର୍ଣ୍ଣ ଦୃଷ୍ଟିକୋଣ ଓ ବ୍ୟକ୍ତି-ମାନବ ଚିନ୍ତା ଉପରେ ପ୍ରତିଷ୍ଠିତ । ଆଉ ସେ ସବୁର ଉତ୍‌ପତ୍ତି ସ୍ଥଳ ହେଉଛି ବ୍ୟକ୍ତିଗତ ସମ୍ପତ୍ତି । ଏହି ଅପରିସୀମ ବିଶ୍ୱ ପ୍ରକୃତ୍ତି ଅନନ୍ତ ଜଗତ ଓ ଅସଂଖ୍ୟ ଜନସାଧାରଣଙ୍କ ସୃଷ୍ଟି ଓ ଗତିକୁ ନିଜର ସଂକୀର୍ଣ୍ଣ ଗଣ୍ଡି ଭିତରେ ନିଜସ୍ୱ ବ୍ୟକ୍ତିଗତ କରି ବାନ୍ଧି ରଖିବାର ପ୍ରଚେଷ୍ଟା ଓ ଦୃଷ୍ଟିକୋଣ, ଅର୍ଥାତ୍‌ ପଶୁଭଳି ସବୁଠାରେ କେବଳ ନିଜକୁହିଁ ଦେଖିବାର—କେବଳ ନିଜର ସୁଖ, ସ୍ୱାର୍ଥ ଓ ଖୋରାକ ସଂଗ୍ରହ କରିବାର ପ୍ରବୃତ୍ତି–ପାଶବିକ ପ୍ରବୃତ୍ତି ହେଉଛି ମାନବିକତାର ପ୍ରଧାନ ଅନ୍ତରାୟ ଓ ପରିପନ୍ଥୀ । ମାନବିକତାର ବିକାଶ ଲାଗି ଏହାର ସଂହାର ଅପରିହାର୍ଯ୍ୟ । କାରଣ, ଏହି ଆତ୍ମସର୍ବସ୍ୱ ପାଶବିକ ପ୍ରବୃତ୍ତି ଆଜି ଆମ ସମାଜର ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟମାନ । ମାନବିକତାର ସବୁଠୁଁ ଅଧିକ ସ୍ୱର ଉଠାଇଥିବା ସାହିତ୍ୟ ରାଜ୍ୟରେ ଏହା ଆଜି ବି ନିନ୍ଦିତ ନୁହେଁ, ବରଂ ବହୁ କ୍ଷେତ୍ରରେ ଏହା ଏକ ପବିତ୍ର କର୍ତ୍ତବ୍ୟ ଓ ପରମ ଲକ୍ଷ୍ୟ ଭାବେ ଅନୁସୃତ ହେଉଛି ।

 

ମାନବିକତା ପାଶବିକତାର ବିକଳ୍ପ ଓ ବିରୋଧୀ । କିନ୍ତୁ ମନୁଷ୍ୟ ଯେ ପଶୁଠାରୁ ଜାତ, ତେଣୁ ତାହା ପାଶବିକତାର ଭାବ ବହନ କରେ । କିନ୍ତୁ ଯେହେତୁ ସେ ମନୁଷ୍ୟ, ତେଣୁ ସେ ମାନବିକସତ୍ତା ଧାରଣ କରିବା ସ୍ୱାଭାବିକ । ଏହି ବିରୋଧିତାର ଦ୍ୱନ୍ଦ ମଧ୍ୟରେ ପ୍ରଥମଟିର ବିନାଶ ଓ ଦ୍ୱିତୀୟଟିର ବିକାଶ ହେଲା ସାହିତ୍ୟର ଧର୍ମ ଧ୍ୟେୟ ।

 

ସେହି ପାଶବିକତାକୁ ଦୂର କରିବାକୁ ହେଲେ ଯେଉଁ ଜିନିଷଟି ପଶୁ ଓ ମନୁଷ୍ୟ ମଧ୍ୟରେ ସୀମାରେଖା ଟାଣିଛି, ପଶୁକୁ ଦୈହିକ, ମାନସିକ ଆଦି ପ୍ରତ୍ୟେକ ଦିଗରୁ ମନୁଷ୍ୟ ପଦବାଚ୍ୟ କରିଛି, ମାନବିକତାର ବିକାଶ ତା’ରି ଚରମ ବିକାଶ ଓ ଅଭିବୃଦ୍ଧି ଉପରେ ପ୍ରତିଷ୍ଠିତ ହେବା ସ୍ୱଭାବିକ । ସେ ଜିନିଷଟି ହେଲା ଉତ୍‌ପାଦନ କର୍ମ-ମାନବିକ କର୍ମ, ଚେତନଶୀଳ କର୍ମ ଯେତେଦିନ ଯାଏ ଉକ୍ତ କର୍ମ ପାଶବିକ ପ୍ରବୃତ୍ତି ଦ୍ୱାରା ଅନ୍ୱିତ, ସେଇ ଲକ୍ଷ୍ୟ ସିଦ୍ଧି ଦିଗରେ ଉଦିଷ୍ଟ, ଅର୍ଥାତ୍‌ ତାହା ପ୍ରକୃତରେ ବାଧ୍ୟବାଧ୍ୟକତାହୀନ ସ୍ୱାଧୀନ ଚେତନଶୀଳ ମାନବିକ କର୍ମ ନ ହୋଇଛି, ସେ ପର୍ଯ୍ୟନ୍ତ ମାନବିକତାର ପ୍ରତିଷ୍ଟା ସମ୍ଭବପର ନୁହେଁ । ସାହିତ୍ୟ ସେ ଦିଗରେ ସଚେତନ ଓ ସଜାଗ ହେବା ଦ୍ୱାରା କେବଳ ଆପଣାର କର୍ତ୍ତବ୍ୟ ସଂପାଦନ କରିପାରେ ।

 

ପଶୁ ପ୍ରକୃତିକୁ ସେହିଭଳି ଉପଭୋଗ କରେ । ମନୁଷ୍ୟ ଆପଣାର ଉତ୍‌ପାଦନ କର୍ମ ଜରିଆରେ ସେଥିରେ ପରିବର୍ତ୍ତନ ଆଣି ତାକୁ ଉପଭୋଗ କରିଥାଏ । ତା’ମାନେ ଭୌତିକ ସମ୍ପଦ ସୃଷ୍ଟିକରି ଜୀବନଧାରଣ କରେ । ଏହା କିରବା ଭିତରେ ମନୁଷ୍ୟ ଆପଣା ଆପଣା ଭିତରେ ଯୋଗାଯୋଗ ପ୍ରତିଷ୍ଠା କରେ, ସମାଜ ଗଢ଼େ, ଅନ୍ୟକୁ ବା ସମାଜକୁ ପ୍ରଭାବିତ କରେ ତା’ଫଳରେ ନିଜେ ମଧ୍ୟ ପ୍ରଭାବିତ ହୁଏ ।

 

ତା’ମାନେ ଯେଉଁ ଉତ୍‌ପାଦନ କର୍ମ ମନୁଷ୍ୟକୁ ପଶୁଠାରୁ ପୃଥକ କରେ, ତା’ରି ଜରିଆରେ ପ୍ରକୃତି ପରିବର୍ତ୍ତିତ ହୁଏ, ସେହି ପ୍ରକ୍ରିୟା ଦ୍ୱାରା ଅନ୍ୟ ମଣିଷ ବା ସମାଜ ପରିବର୍ତ୍ତିତ ହୁଅନ୍ତି ଓ ସେହି ପ୍ରକ୍ରିୟା ଦ୍ୱାରା ବ୍ୟକ୍ତି ମନୁଷ୍ୟ ନିଜେ ମଧ୍ୟ ପରିବର୍ତ୍ତିତ ହୋଇଥାଏ । ଏଇ ହେଲା ପ୍ରକୃତି, ସମାଜ ଓ ବ୍ୟକ୍ତି-ମନୁଷ୍ୟର ପରିବର୍ତ୍ତନର ପ୍ରକ୍ରିୟା । ତାହା ପରସ୍ପର ସହିତ ଘନିଷ୍ଟ ଭାବେ ଜଡ଼ିତ, ପରସ୍ପର ଦ୍ୱାରା ପ୍ରଭାବିତ, ଆଉ ପରସ୍ପର ପ୍ରାୟ ସମତାଳରେ ଗତିଶୀଳ ।

 

ତେଣୁ, ଏଇ ଉତ୍‌ପାଦନ କର୍ମ, ଯାହା ମନୁଷ୍ୟକୁ ପଶୁଠାରୁ ପୃଥକ କରିଛି, ତାହା ଯେତେଦୂର ମାନବିକ ହେବ, ପ୍ରକୃତି ଓ ସମାଜ ସେତିକି ଦୂର ମାନବିକ ହୋଇଉଠିବେ, ବ୍ୟକ୍ତି ମାନବ ମଧ୍ୟ ସେତିକି ଦୂର ମାନବିକ ହୋଇଉଠିବ । ତା’ମାନେ ମନୁଷ୍ୟ ଆପଣାର କର୍ମଦ୍ୱାରା ପ୍ରକୃତି ଓ ସମାଜକୁ ମାନବିକତାରେ ଅନ୍ୱିତ ନ କରି ନିଜେ ମାନବିକତାର ରୂପ ଧାରଣ କରି ନ ପାରେ । ମାନବିକତାର ପରିସ୍ଫୁଟନ ଲାଗି ମାନବିକତାର ପରିବେଷ୍ଟନି ଆବଶ୍ୟକ । ତାହା ପୁଣି ସୃଷ୍ଟି କରିବ କିଏ ? ମାନବିକ-ସଚେତନ ମନୁଷ୍ୟହିଁ କେବଳ ସେ ଦିଗରେ ଅଗ୍ରସର ହୋଇପାରେ, କିନ୍ତୁ ସେ ମନୁଷ୍ୟ ତ ହଠାତ୍‌ ଜନ୍ମଗ୍ରହଣ କରେ ନାହିଁ । ମନୁଷ୍ୟ ପ୍ରତି ପଦେ ପଦେ ପ୍ରକୃତି ଓ ସମାଜକୁ ପରିବର୍ତ୍ତନ କରିବା ଭିତରେ, ଅର୍ଥାତ୍‌ ପରିବେଷ୍ଟନିକୁ ମାନବିକତାର ଅନ୍ୱିତ କରିବାର ପ୍ରକ୍ରିୟା ମଧ୍ୟରେ ସେହି ମାନବିକତାର ଚେତନା ଜାଗ୍ରତ କରେ, ମନୁଷ୍ୟ ନିଜ ମାନବିକତାରେ ଅନ୍ୱିତ ହୋଇପାରେ । ଏହି ମାନବିକ-ଚେତନା ଓ ଚେତନଶୀଳ କର୍ମ ଦ୍ୱାରା ପରିବେଷ୍ଟନୀକୁ ମାନବିକ କରାଯାଇପାରେ ।

 

ଏହି ମାନବିକ ଚେତନା ଓ ଚେତନଶୀଳ କର୍ମ ଦ୍ୱାରା ପରିବେଷ୍ଟନୀକୁ ମାନବିକ କରାଯାଇ ପାରେ ।

 

ତାହାହେଲେ ଉକ୍ତ ଚେତନା କଣ ? ମନୁଷ୍ୟର ମାନବିକତାର ଦୃଷ୍ଟି ବିଭିନ୍ନ ସମୟରେ ତାର ଧର୍ମ, ମତ ନୈତିକତା ଓ ଆଦର୍ଶ ଆଦି ଉପରେ ନିର୍ଭର କରି ଆସିଛି । ସାହିତ୍ୟ ତାକୁହିଁ ଆଧାର କରି ଚାଲିଛି । ତାହା ହୋଇଛି ତା’ର ଚେତନାର ଅନୁରୂପ । ଏମାନଙ୍କର କୌଣସି ସ୍ୱାଧୀନ ଇତିହାସ ବା ବିକାଶ ନାହିଁ । ସେମାନେ ସେହି ଚେତନାକୁ ଭିତ୍ତିକରି ଗଢ଼ି ଉଠିଛନ୍ତି । ଆଉ ଏହି ଯେଉଁ ଚେତନାରେ ପରିବର୍ତ୍ତନ ଆଣି ମନୁଷ୍ୟକୁ ମାନବିକ କରିବାର ଉଦ୍ୟମ ହୋଇ ଆସିଛି, ତାର ନିରିକ୍ଷଣ କଲେ ଦେଖାଯାଏ ଯେ, ତାହା ସେହି ଉତ୍‌ପାଦନ ଉପରେହିଁ ପ୍ରତିଷ୍ଠିତ । ମନୁଷ୍ୟ ସେହି ଉତ୍‌ପାଦନ କର୍ମ, ତା’ର ଭୌତିକ ସଂପଦର ବିକାଶ ଓ ଭୌତିକ ଯୋଗାଯୋଗ ଦ୍ୱାରା ନିଜର ବାସ୍ତବ ସ୍ଥିତିରେ ପରିବର୍ତ୍ତନ ଆଣିବା-ସହିତ ତ’ର ନିଜର ଚିନ୍ତାରେ, ଚିନ୍ତାର ସୃଷ୍ଟିରେ ମଧ୍ୟ ପରିବର୍ତ୍ତନ ସଂଘଟିତ କରିଛି । ତା’ର ଚେତନା ନିର୍ମାଣ କରୁଛି । ଏହି ଚିନ୍ତା ବା ଚେତନା ତା’ର ବାସ୍ତବ ଜୀବନର ଚେତନା ବ୍ୟତୀତ ଅନ୍ୟ କିଛି ନୁହେଁ । ତେଣୁ, ଜୀବନ ଚେତନା ଦ୍ୱାରା ନିୟନ୍ତ୍ରିତ ନୁହେଁ, ବାସ୍ତବଜୀବନ ହିଁ ଚେତନାକୁ ନିୟନ୍ତ୍ରଣ କରେ । ସେଥିଲାଗି ମାନବିକତାର ଜନ୍ମ ବିକାଶ ଓ ତାର ପ୍ରତିଷ୍ଠା ଦିଗରେ ଚିନ୍ତା ଓ ଚେତନାକୁ ଗୌଣ-ସ୍ଥାନ ଦେଇ ଆଗ ବାସ୍ତବ ଜୀବନ ପ୍ରତି ଦୃଷ୍ଟି ଦେବାକୁ ହେବ । ସେଥି-ଯୋଗୁଁ ବସ୍ତୁଗତ ଜୀବନକୁ ମାନବିକ କରି ଗଢ଼ିବାକୁ ହେବ । ଠିକ ସେହି ବସ୍ତୁଗତ ବାସ୍ତବତାର ଅଭାବ ହେତୁ କେଉଁ ଅତୀତ କାଳରୁ । ‘‘ଲୋକା ସମସ୍ତ ସୁଖୀନୋ ଭବନ୍ତୁ’’ ଭଳି ମହତ ବାଣୀ ଉଚ୍ଚାରିତ ହୋଇଆସୁଥିଲେ ସୁଦ୍ଧା ତାହା ବାସ୍ତବ ଜୀବନରେ କେବେହେଲେ ପ୍ରତିଫଳିତ ହୁଏ ନାହିଁ । ତା’ର ସବୁଚେଷ୍ଟା ବ୍ୟର୍ଥ ଓ ବିଫଳ ହୋଇ ଆସିଛି । ଅତଏବ, ସାହିତ୍ୟକୁ ମାନବିକତା ଦିଗରେ ସଚେତନ ଭାବେ ଅଗ୍ରଗତି କରିବାକୁ ହେଲେ ଯେଉଁମାନେ ସେହି ବସ୍ତୁଗତ ଜୀବନର ଅଗ୍ରଗତି ଓ ବିକାଶ ଲାଗି (କାୟିକ ଓ ମାନସିକ ଉଭୟ କ୍ଷେତ୍ରରେ) ସଂଗ୍ରାମ କରନ୍ତି, ସେହିମାନଙ୍କର ସହଯୋଦ୍ଧା ହେବାକୁପଡ଼ିବ । କାରଣ, ସେହି ମାନଙ୍କର ଉତ୍‌ପାଦନ କର୍ମ-ଅସଂଖ୍ୟ ମାନବିକ କଣାର ସଂଯୋଗ ଦ୍ୱାରା ପ୍ରତିଦିନ ମାନବିକତାକୁ ରୂପାୟିତ କରିବାରେ ଲାଗିଛି । ସେହି ମାନବ ହେଉଛନ୍ତି ଏ ଦୁନିଆର ଅସଂଖ୍ୟ ଶ୍ରମଜୀବି ଜନସାଧାରଣ ।

 

ଆମେ ଦେଖିଲେ ଉତ୍‌ପାଦନ କର୍ମଦ୍ୱାରା ମନୁଷ୍ୟ ପଶୁଠାରୁ ପୃଥକ୍‌ ହେଲା । ଅର୍ଥାତ୍‌, ପଶୁ ମନୁଷ୍ୟ ପଦବାଚ୍ୟ ହେଲା, ତା’ ମାନେ ସେ ନିଜ ଭିତରେ ମାନବିକ ସତ୍ତାର ଭିତ୍ତି ସଂଚାର କଲା । ଆଉ ତାହା ନିଜର ସେହି କର୍ମଦ୍ୱାରା ପ୍ରକୃତିର ପରିବର୍ତ୍ତନ ଆଣିଲା, ଅର୍ଥାତ୍‌, ପ୍ରକୃତିକୁ ତା’ର ସେହି ମାନବିକ ସତ୍ତାର ସ୍ପର୍ଶ ଦେଲା, ପ୍ରକୃତିକୁ ମାନବିକ କରିବାରେ ଚେଷ୍ଟା କଲା । ଯେହେତୁ ମନୁଷ୍ୟ ପ୍ରକୃତିର ସମ୍ପର୍କ ଏକ ସଙ୍ଗରେ ମନୁଷ୍ୟ ମନୁଷ୍ୟର ସମ୍ପର୍କର, (କାରଣ ଉତ୍‌ପାଦନ ସବୁସମୟରେ ଲୋକମାନଙ୍କ ମିଳିତ ଉତ୍‌ପାଦନ) ସେହିପରି ମନୁଷ୍ୟ ମନୁଷ୍ୟର ସମ୍ପର୍କ ହେଉଛି, ଏକ ସଙ୍ଗରେ ମନୁଷ୍ୟ ସହିତ ପ୍ରକୃତିର ସମ୍ପର୍କ । ତେଣୁ, ଏହି ଭାବରେ ମନୁଷ୍ୟ ଅନ୍ୟ ମନୁଷ୍ୟ ବା ସମାଜକୁ ଓ ସମାଜ ବ୍ୟକ୍ତି ମନୁଷ୍ୟକୁ ମାନବିକତାର ବିକାଶରେ ବିମଣ୍ଡିତ କରିବ । ଏହି କ୍ରିୟା ପ୍ରକ୍ରିୟା ଦ୍ୱାରା ପ୍ରାକୃତିକତା ହୁଏ ମାନବିକ, ମନୁଷ୍ୟର ପ୍ରାକୃତିକକତା ହୁଏ ବିକଶିତ । ମନୁଷ୍ୟର ସ୍ଥିତି ହୁଏ ଅନ୍ୟମାନଙ୍କ (ସମାଜ) ଲାଗି, ଆଉ ସମାଜର ସ୍ଥିତି ହୁଏ ତା’ ପାଇଁ ତା’ର ବ୍ୟକ୍ତିଗତ ସତ୍ତା ହୁଏ ସାମାଜିକ, ତା’ର ସାମାଜିକ ସତ୍ତା ହୁଏ ବ୍ୟକ୍ତିଗତ । ମାନବିକତାର ବିକାଶ, ସମାଜ, ପ୍ରକୃତି ଓ ବ୍ୟକ୍ତିମନୁଷ୍ୟ—ଏ ସମସ୍ତଙ୍କ ସହିତ ଏକ ସୂତ୍ରରେ ବନ୍ଧା । ମାନବ କେତେ ଦୂର ମାନବିକ ହେଉଛି, ତାହା ଏହି ବିକାଶ ଉପରେ ନିର୍ଭରଶୀଳ । ଆଉ ମାନବିକତାର ପ୍ରକାଶ ହେଉଛି ଏ ସମସ୍ତଙ୍କ ଚରମ ବିକାଶର ସମନ୍ୱୟ ।

 

ଏବେଟିକିଏ ଭିତରକୁ ପ୍ରବେଶ କରାଯାଉ । ଆଦିମ ଅବସ୍ଥାରେ ମନୁଷ୍ୟ ଓ ପ୍ରକୃତିର ସମ୍ୱନ୍ଧ ଅତ୍ୟନ୍ତ ସୀମାବଦ୍ଧ, ଅତି ନିମ୍ନ ସ୍ତରରେ ରହିଥିଲା । କାରଣ ଉତ୍‌ପାଦନ କର୍ମର ପରିସର ଅତ୍ୟନ୍ତ ସଂକୀର୍ଣ୍ଣ ଓ ସଂକୁଚିତ ଥିଲା । ତେଣୁ, ତା’ର ଚେତନା ହେଉଛି କେବଳ ଅତି ନଗଦ ଇନ୍ଦିୟାଲବ୍‌ଧ ଚେତନା, ପାଶବିକ ଚେତନା । ପ୍ରକୃତି ତା’ ସମ୍ମୁଖରେ ସର୍ବଶକ୍ତିମାନ, ଏକ ଅଦମନୀୟ ଶକ୍ତି । ପ୍ରକୃତିର ଅବଲୋକନରେ ସେ ପଶୁଭଳି ଅସହାୟ ବିହ୍ୱଳ ଓ ଭୟଭୀତ ବନ୍ୟା ଆସିଲେ, ସେ ପଶୁଭଳି ଭାସିଯାଏ ଝଡ଼ରେ ପଶୁଭଳି ପ୍ରାଣ ହରାଏ । ପ୍ରକୃତି ସହିତ ତା’ର ଏଇ ସମ୍ପର୍କର ସ୍ତର, ଅନ୍ୟ ଦିଗରେ ତା’ର ସମାଜର ସମ୍ପର୍କ ସ୍ତର ଦ୍ୱାରା ନିର୍ଦ୍ଦାରିତ । ତା’ ମାନେ ତା’ର ସାମାଜିକ ଅବସ୍ଥା-ଉତ୍‌ପାଦନ ଶକ୍ତି ଓ ସମ୍ପର୍କ-ଏତେଦୂର ଉନ୍ନତି ନୁହେଁ ଯେ ସେ ତାକୁ ଆୟତ୍ତ କରି ପାରିବ, ବା ସେତିକି ଦୂର ମାନବିକ କରିପାରିବ । ତେଣୁ, ସେ ଅବସ୍ଥାରେ କୌଣସି ମତେ ନିଜକୁ ବଞ୍ଚାଇବା ହେଲା ତାର ଏକମାତ୍ର ଚିନ୍ତା—ପାଶବିକ ଚିନ୍ତାଠାରୁ ତା’ ଭିନ୍ନ ନୁହେଁ । (ଯାହାକି ପରିବର୍ତ୍ତିତ ପରିବେଶରେ ଏବେ ମଧ୍ୟ ପ୍ରଚଳିତ) ସେ କ୍ଷେତ୍ରରେ ପାପପୂଣ୍ୟର ବିଚାର ନାହିଁ, ନିଜର ପ୍ରାଣରକ୍ଷା ଲାଗି ସେ ସବୁ କିଛି କରିବାକୁ ବାଧ୍ୟ । ଯେଉଁସବୁ କାର୍ଯ୍ୟ ନୀତି ଓ ନୈତିକକତା ଆଦି ବର୍ତ୍ତମାନ ନିନ୍ଦିତ, ସେତେବେଳେ ତାହା । ଆବୃତ୍ତ ଓ ଅପରିହାର୍ଯ୍ୟ ଅଭାବରେ ମାନବିକ ସ୍ୱଭାବ ବିନିଷ୍ଟ ।

 

ଆଜି ସମାଜରେ ସେଭଳି ଅଭାବ ନ ଥିଲେ ମଧ୍ୟ ସେ ଅଭାବର ଅବସାନ ଘଟିନାହିଁ । ତେଣୁ, ଚତୁର୍ଦିଗରେ ପାଶବିକତାର ରାଜୁତି, ତା’ରି ଜୟ ଜୟ କାର, ପଶୁର ଆତ୍ମ ସର୍ବସ୍ୱ ଦୃଷ୍ଟି ଓ ପ୍ରକୃତି ବିଦ୍ୟମାନ ପ୍ରକୃତି ଉତ୍‌ପାଦନକାରୀକୁ ବଞ୍ଚିତ କରି ସମସ୍ତ ସାମାଜିକ ଉତ୍‌ପାଦନ ସଂପଦକୁ ଅପହରଣ ଓ ଆତ୍ମସାତ କରିବା ଦିଗରେ ପ୍ରତେକ ବ୍ୟଗ୍ର ଓ ବ୍ୟାକୁଳ । ତାହା ପୁଣି ଧର୍ମ, ନିୟମ ଓ ଆଚାର ଦ୍ୱାରା ଅନୁମୋଦିତ, ଆଇନ ଦ୍ୱାରା ସୁରକ୍ଷିତ ଆଉ ସାହିତ୍ୟ ମାଧ୍ୟମରେ ପ୍ରଚାରିତ ମଧ୍ୟ । ଯିଏ ଯେତେ ଦକ୍ଷତାର ସହିତ ତାହା ହାସଲ କରି ପାରିଲା, ଅର୍ଥାତ୍‌ ଆପଣାର ଉତ୍କର୍ଷ ପାଶବିକତାର ପରିଚୟ ଦେଲା, ସେଇ ବ୍ୟକ୍ତିହିଁ ଏ ସମାଜରେ ଶ୍ରେଷ୍ଠ ଓ ସମ୍ମାନିତ ନିର୍ଭଶୀଳ । ଏହି ପ୍ରତିଷ୍ଠିତ ସାମାଜିକ ପ୍ରବୃତ୍ତିଠାରୁ ଆପଣାକୁ ପୃଥକ କରି ନିଜର ସ୍ୱତନ୍ତ୍ର ସ୍ୱାଧୀନ ସଚେତନ ଭୂମିକାର ପରିଚୟ ଦିଏନାହିଁ ତା’ ବିରୁଦ୍ଧରେ ସଂଗ୍ରାମ ତ ଦୂରର କଥା-(ଅବଶ୍ୟ) ଯଦିଓ ବ୍ୟତିକ୍ରମ ରହିଛି ।

 

ସେହିପରି ଅନ୍ୟଦିଗରେ ସବୁଥିରୁ ବଞ୍ଚିତ ଓ ବୁଭୁକ୍ଷୁ ଲୋକ ମଧ୍ୟ ପାଶବିକତାରୁ ମୁକ୍ତ ନୁହେଁ । ପଶୁଭଳି ଖାଦ୍ୟ ହିଁ ତା’ର ଏକମାତ୍ର ଚିନ୍ତା । ତା’ର ଚିନ୍ତା ସ୍ତର ଅପରିମାର୍ଜିତ । ସେ କ୍ଷେତ୍ରରେ ସୁକ୍ଷ୍ମ ମାନବିକତାର ଭାବ ସୁଦୁର ପରାହତ । ତା’ ଲାଗି ଖାଦ୍ୟ ମଧ୍ୟ ମାନବିକ ଖାଦ୍ୟ ନୁହେଁ, ତା’ ବିମୃର୍ତ୍ତ ରୂପରେ ତା’ ଆଗରେ ଦେଖା ଦେଇଥାଏ । ତା’ର ଖାଦ୍ୟକର୍ମ ପଶୁର ଖାଦ୍ୟକର୍ମଠାରୁ କେଉଁଠି ପୃଥକ, ତାହା ମାପିବା କଷ୍ଟକର । ତେଣୁ, ମାନବିକତାର ବିକାଶ ଲାଗି ଏହି ପ୍ରତିଷ୍ଠିତ ସାମାଜିକ ବ୍ୟବସ୍ଥା ଯାହା ମନୁଷ୍ୟକୁ ପଶୁ ସ୍ତରରେ ବାନ୍ଧି ରଖେ, ତା’ର ଧ୍ୱଂସ ଏକାନ୍ତ ଆବଶ୍ୟକ ଯେଉଁ ସାହିତ୍ୟ ଏହାକୁ ଆଘାତ ନ କରେ, ତାହା ପ୍ରକୃତ ମାନବିକତା ବିକାଶର ପରିପନ୍ଥୀ ।

 

ତେବେ, ସମାଜରେ ଏହି ବ୍ୟକ୍ତିଗତ ଆଧିପତ୍ୟ ଓ ବ୍ୟକ୍ତିଗତ ସମ୍ପତ୍ତିର ପ୍ରଧାନ୍ୟର ବିଲୋପ ଦ୍ୱାରା ଯେ ସଙ୍ଗେ ସଙ୍ଗେ ପୂର୍ଣ୍ଣ ମାନବିକତା ପ୍ରକାଶ ଲାଭ କରିବ, ତା ନୁହେଁ । ଏହା କେବଳ ସେ ଦିଗରେ ପ୍ରଧାନ ପ୍ରତିବନ୍ଧକକୁ ଚୂର୍ଣ୍ଣ କରିବ । ତାହା ହେବ ଏକ ବିରାଟ ପଦକ୍ଷେପ । ମାନବିକତା ଦିଗରେ ଅବାଧ ଅଗ୍ରଗତିର ପଥ ଉନ୍ମୁକ୍ତ ହେବ । ଯେତେ-ଦିନ ମନୁଷ୍ୟ ଆପଣାର ଇଚ୍ଛା ଓ ଆକାଙ୍‌କ୍ଷା ଅନୁଯାୟୀ ସକଳ ପଦାର୍ଥ ଲାଭ ନ କରି ପାରିଛି, ଅର୍ଥାତ୍‌ ପ୍ରାଚୁର୍ଯ୍ୟ ସୃଷ୍ଟି ନ ହୋଇଛି, ସେତେବେଳେ ତା’ର ଏକ କ୍ଷେତ୍ରରେ ଉପଭୋଗ ଅପର କ୍ଷେତ୍ରରେ ଅନ୍ୟର ଅଭାବ ସୃଷ୍ଟି କରିବ ବା ସେ ନିଜର ଉପଭୋଗ ଲାଗି ଅନ୍ୟକୁ ସେଥିରୁ ବଞ୍ଚିତ କରିବ । ଏ ଅବସ୍ଥା ସେହି ପାଶବିକତାର ଅବଶେଷ ଛଡ଼ା ଅନ୍ୟ କିଛିନୁହେଁ ।

 

ଏହି ପାଶବିକ ପ୍ରବୃତ୍ତିର ଅବଶେଷର ଅବସାନ ପ୍ରାଚୁର୍ଯ୍ୟତା ମଧ୍ୟରେ କେବଳ ସମ୍ଭବପର । ସେଠାରେ ନିଜର ପ୍ରବୃତ୍ତିର ପୂରଣ ଲାଗି ଅନ୍ୟକୁ ବଞ୍ଚିତ କରିବା ପରିବର୍ତ୍ତେ ଅନ୍ୟ ସହିତ ଘନିଷ୍ଠ ସହଯୋଗ ଦ୍ୱାରା ତା’ର ପୂରଣ ସମ୍ଭବ ହେବ । ସମସ୍ତ ସମାଜ ଓ ବ୍ୟକ୍ତି-ମାନବ ମାନବିକତାରେ ଉଦ୍‌ଭାସିତ ହେବ ।

 

ଏ ବସ୍ତୁଗତ ଅବସ୍ଥା ସହିତ ଏଥିଲାଗି ମାନସିକ ଅବସ୍ଥା ବା ଚିନ୍ତାଧାରା ପରିବର୍ତ୍ତନ ନିହାତି ଆବଶ୍ୟକ । ଚେତନା ହେଉଛି ଏକ ବିରାଟ ଶକ୍ତି । ଯୁଗ ଯୁଗ ଧରି ସେହି ପାଶବିକ ଚିନ୍ତା, ପ୍ରବୃତ୍ତି ଓ ଚେତନା ଆଜି ମନୁଷ୍ୟର ଅସ୍ଥି ମଜ୍ଜାଗତ । ଏ ସଙ୍ଗରେ ବା ଆଇନ ଜରିଆରେ ତାକୁ ମନୁଷ୍ୟ ମନରୁ ଦୂର କରାଯାଇ ନ ପାରେ । ସେଥିଲାଗି ସଚେତନ ଶିକ୍ଷା; ସାହାର୍ଯ୍ୟ ଓ ପ୍ରଚେଷ୍ଟା ଆଦି ଦରକାର । ଏହି ଚେତନାକୁ ସଜାଡ଼ିବାର ଦାୟିତ୍ୱ ସାହିତ୍ୟର ଯଥେଷ୍ଟ ରହିଛି । ତାହା ସମୟ ସାପେକ୍ଷ ହେଲେ ମଧ୍ୟ ସେତେବେଳେ ସହଜସାଧ୍ୟ, ଯେହେତୁ ତାହା ସଂପାଦନ କରିବା ଦିଗରେ ଅନୁକୂଳ ଭୌତିକ ଅବସ୍ଥା ବିଦ୍ୟମାନ ଥିବ ।

 

ଏହି ଭୌତିକ ଅବସ୍ଥା ହେଲା, ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ ପରେ ସମାଜିକ ସମ୍ପଦର ପ୍ରାଚୁର୍ଯ୍ୟ । ଏଇ ପ୍ରାଚୁର୍ଯ୍ୟତା କେବଳ ପ୍ରକୃତିହିଁ ଦାନ କରିପାରେ । କିନ୍ତୁ ପ୍ରକୃତି ମାନବିକତାରେ ଅନ୍ୱିତ ନ ହେଲେ, ସେ ଏ ବିପୁଳ ଦାନ କରିବାକୁ ସାର୍ଥ ହେବନାହିଁ । ମନୁଷ୍ୟ ନିଜର ଉତ୍‌ପାଦନ କର୍ମର ବିକାଶ ଦ୍ୱାରା-ପ୍ରକୃତିର ମାନବ ସ୍ପର୍ଶର ପ୍ରାଯୁର୍ଯ୍ୟ ଦ୍ୱାରା ପ୍ରକୃତିକୁ କେବଳ ଏହି ମାନବିକତା ପ୍ରଦାନ କରିପାରେ । ଆଉ ସେହି ମାନବିକ-ପ୍ରକୃତିର ଦାନରେ ହିଁ ମନୁଷ୍ୟର ପ୍ରାକୃତିକତା-ମାନବିକ ସତ୍ତାର ବିକାଶ ସାଧିତ ହେବ । ମନୁଷ୍ୟର ପ୍ରାକୃତିକ ସତ୍ତା, ଯାହା ଅଙ୍କୁରିତ ହୋଇ ଅବରୁଦ୍ଧ ଅବସ୍ଥାରେ ପେଶି ହୋଇଯାଉଛି, ତାହା ପଲ୍ଲବିତ ହେବ, ଆଉ ପ୍ରକୃତିର ମାନବିକତା, ଯାହା ସଂକୀର୍ଣ୍ଣତା । ଭିତରେ ଆବଦ୍ଧ ହୋଇ ରହିଛି, ତା’ର ବିକାଶ ଓ ପରିବ୍ୟାପ୍ତି ଘଟିବ । ମନୁଷ୍ୟ ଓ ପ୍ରକୃତି ଦୁହିଁଙ୍କ ପାଶବିକତାର ହେବ ଚିର ଅବସାନ ।

 

ଯେହେତୁ ମନୁଷ୍ୟ ପ୍ରକୃତିର ସମ୍ପର୍କ ଏକ ସଙ୍ଗରେ ମନୁଷ୍ୟ ମନୁଷ୍ୟର ସମ୍ପର୍କ-ସାମାଜିକ ସଂପର୍କ ଓ ତଦ୍‌ ବିପରୀତ, ତେଣୁ ତାହା ସମାଜକୁ ପ୍ରଭାବିତ କରେ ଓ ତଦ୍ଦ୍ୱାରା ପ୍ରଭାବିତ ହୁଏ । ଆମର ବର୍ତ୍ତମାନର ସମାଜ ମାନବିକତାର ଦ୍ୱାରକୁ ରୁଦ୍ଧ କରେ । କାରଣ, ମନୁଷ୍ୟକୁ ସେହି ଉତ୍‌ପାଦନ କର୍ମ ସ୍ୱାଧୀନ ଉତ୍‌ପାଦନ କର୍ମ ନୁହେଁ, ତାହା ବାଧ୍ୟତା ମୂଳକ, ଦୁଃଖ ଓ ଯନ୍ତ୍ରଣାଦାୟକ-। ତାହା ମନୁଷ୍ୟକୁ ହତ୍ୟାକରି ବ୍ୟକ୍ତିଗତ ସମ୍ପତ୍ତିର ଉନ୍ନତି ସାଧନ କରେ, ଆଉ ସେହି ବ୍ୟକ୍ତିଗତ ସମ୍ପତ୍ତି ସମସ୍ତ ମାନବିକ ଜ୍ଞାନ, ଧାରଣା ଓ ପ୍ରବୃତ୍ତିକୁ ଦଳିଦିଏ । ଅମାନୁଷିକ ପାଶବିକ ଚିନ୍ତା କାର୍ଯ୍ୟକୁ ପ୍ରୋତ୍ସାହିତ କରେ। ଫଳରେ, ମନୁଷ୍ୟ ସମାଜରେ ଜଣେ ହୋଇ ସୁଦ୍ଧା ତା’ଠାରୁ ଭିନ୍ନ । ସେ ସଦାସର୍ବଦା, ସମାଜକୁ ଅବନ୍ନତ ଓ ଅଧିକୃତ କରିବାକୁ ଚାହେଁ । ସେହିପରି ମନୁଷ୍ୟ ସମାଜରେ ସମାନ ଆସନ ଲାଭ ନ କରି, ସମାଜରେ ଜଣେ ନ ହେବା ଫଳରେ, ନିଜର ସେହି ଅବନ୍ନତ, ଶୋଷିତ ଓ ଅଧିକୃତ ଅବସ୍ଥା ବିରୁଦ୍ଧରେ ବିଦ୍ରୋହୀ ହୋଇଉଠେ । ଆପଣା ଆତ୍ମରକ୍ଷା ଲାଗି ଆତ୍ମ ପ୍ରତିଷ୍ଠା ଦାବୀ କରେ । ଏହି ବ୍ୟକ୍ତିଗତ ସଂପତ୍ତି ହେଲା ସମସ୍ତ ସମାଜକୁ ଆପଣାର କରିବାର ଓ ଆପେ ସମସ୍ତ ସମାଜର ହେବାର ଦିଗରେ ପ୍ରଧାନ ପ୍ରତିବନ୍ଧକ । ସମସ୍ତ ପ୍ରକାର ଅଶାନ୍ତି, ଯୁଦ୍ଧ ସଙ୍କଟର କାରଣ ବର୍ତ୍ତମାନ ସମାଜର ସେହି ଭିତ୍ତିକୁ ଲୋପ କରିବାକୁ ଅର୍ଥ, ମନୁଷ୍ୟର ଉତ୍‌ପାଦନ କର୍ମକୁ ମାନବିକ କରିବା, ତା’ର ରୁଦ୍ଧ ଗତିକୁ ଅବାରିତ କରିବା । ସେଥି ସଙ୍ଗେ ସଙ୍ଗେ ମନୁଷ୍ୟର ମାନବିକ ବୋଧଶକ୍ତି ଓ ପ୍ରବୃତ୍ତିକୁ ଉନ୍ମୁକ୍ତ କରିଦେବା । ଏହି ପ୍ରକ୍ରିୟା ଓ ବିଭିନ୍ନ କ୍ଷେତ୍ରରେ ତା’ର ପ୍ରତିଫଳନ ପ୍ରତି ସଜାଗ ନ ହୋଇ ବା ତାକୁ ବାଦ୍‌ ଦେଇ ସାହିତ୍ୟ ମାନବିକତାର ଧ୍ୱଜ୍ଜା ବହନ କରି ନ ପାରେ ।

 

ଏହି ପ୍ରକ୍ରିୟା ଦ୍ୱାରା ମନୁଷ୍ୟର କର୍ମ କେବଳ ବସ୍ତୁଗତ ଦୃଷ୍ଟିରୁ ନୁହେଁ, ମନୋଗତ ଦୃଷ୍ଟିରୁ ମଧ୍ୟ ମାନବିକ ହୁଏ । ଯେହେତୁ ତାହା ହୁଏ ସ୍ୱାଧୀନ ମାନବିକ କର୍ମ ଚକ୍ଷୂତାର ଚକ୍ଷୁ ହୁଏ ମାନବିକ ତା’ର ଚକ୍ଷୁର ଉଦିଷ୍ଟ ବସ୍ତୁ ହୁଏ ସମାଜିକ ମାନବିକ ବସ୍ତୁ । ଅର୍ଥାତ୍‌, ତାହା ମନୁଷ୍ୟ ସକାଶେ ମନୁଷ୍ୟଠାରୁ ଅବାଧରେ ବିନା ପ୍ରତ୍ୟାଶରେ ନିର୍ଗତ ହୋଇଥାଏ । ସେଠାରେ କୌଣସି ବାଧ୍ୟ ବାଧକତା, ଆଶା ପ୍ରତ୍ୟାଶା, ଅର୍ଥ ବା ସ୍ୱାର୍ଥର ପ୍ରଶ୍ନ ନ ଥାଏ । ଫଳରେ, ଆବଶ୍ୟକତା ବା ଉପଭୋଗ ତାଙ୍କର ଅସ୍ମିତା ପୂର୍ଣ୍ଣ ପ୍ରକୃତି ହରାନ୍ତି । ପ୍ରକୃତି ବା ବସ୍ତୁ ମାନବିକ ବ୍ୟବହାର ଦ୍ୱାରା ତାଙ୍କର ‘କେବଳ’ ବ୍ୟବହାରିତାକୁ ହରାଇ-ଦିଅନ୍ତି । ସେତେବେଳେ ବସ୍ତୁ ମନୁଷ୍ୟ ଲାଗି ମାନବିକ-ବସ୍ତୁରେ ପରିଣତ ହୁଏ, ବା ବସ୍ତୁ ମାନବିକ ହୋଇଉଠେ । ସେ ଅବସ୍ଥାରେ ମନୁଷ୍ୟ ବର୍ତ୍ତମାନ ପରି ତା’ ଭିତରେ ଆପଣାକୁ ହଜାଇ ଦିଏନାହିଁ । ଆପଣାର ଅପହୃତ ସତ୍ତାକୁ ଖୋଜି ପାଏ । ଏହା ସମ୍ଭବ ହୁଏ ଯେତେବେଳେ ବସ୍ତୁ ମନୁଷ୍ୟ ଲାଗି ବ୍ୟକ୍ତିଗତ ସମ୍ପତ୍ତି ନ ହୋଇ ସାମାଜିକ ବସ୍ତୁ ହୁଏ ସେ ନିଜ ଲାଗି ଏକ ବ୍ୟକ୍ତିଗତ ଭାବ ଛାଡ଼ି ସମାଜିକ ସତ୍ତାରେ ପରିଣତ ହୁଏ, ଅନ୍ୟ ଦିଗରେ ଠିକ୍‌ ଯେପରିକି ବସ୍ତୁ ମଧ୍ୟରେ ସମାଜ ତା’ଲାଗି ଏକ ସତ୍ତାରେ ପରିଣତ ହୋଇଥାଏ । ଏହିଠାରେ ବସ୍ତୁ, ସମାଜ ଓ ବ୍ୟକ୍ତି ସତ୍ତାର ସମନ୍ୱୟ ଘଟେ, ଏହା ହେଲା କମ୍ୟୁନିଷ୍ଟ ସମାଜ ।

 

ଏ ଗଲା ବସ୍ତୁଗତ ଦୃଷ୍ଟିରୁ ବିଚାର; ମନୋଗତ ଦୃଷ୍ଟିରୁ ବିଚାର କଲେ ସଂଗୀତ ମନୁଷ୍ୟ ଭିତରେ ସଙ୍ଗୀତର ଭାବ ଉଦ୍ରେକ କରେ କିନ୍ତୁ ଯେଉଁ କର୍ଣ୍ଣ ସଙ୍ଗୀତପ୍ରିୟ ନୁହେଁ, ଯେତେ ସୁନ୍ଦର ସଙ୍ଗୀତ ହେଲେ ମଧ୍ୟ ତାହା ସେ କର୍ଣ୍ଣକୁ ଆକୃଷ୍ଟ କରେ, ନାହିର୍, ସେଥିରେ ସଙ୍ଗୀତ ହେଲେ ମଧ୍ୟ ତାହା ସେ କର୍ଣ୍ଣକୁ ଆକୃଷ୍ଟ କରେ ନାହିଁ, ସେଥିରେ ସଙ୍ଗୀତର ଭାବ ଜାଗ୍ରତ ହୁଏ ନାହିଁ । କାରଣ ସେ ସଙ୍ଗୀତ ଲାଗି ଉଦ୍ଦିଷ୍ଟ ବସ୍ତୁ ନୁହେଁ । ଉପଯୁକ୍ତ କ୍ଷେତ୍ର ବିନା ଉତ୍‌କୃଷ୍ଟ ବୀଜ ଅଙ୍କୁରିତ ହୁଏ ନାହିଁ-। ସାଧାରଣତଃ ପଶୁମାନେ ସଙ୍ଗୀତ ସୌନ୍ଦର୍ଯ୍ୟ ଆଦି ଉପଲବ୍‍ଧି କରିବା ଦିଗରେ ସୂକ୍ଷ୍ମ ଭାବର ଅଧିକାରୀ ନୁହନ୍ତି (ଯଦିଓ ବ୍ୟତିକ୍ରମ ରହିଛି) । ମନୁଷ୍ୟର ଚକ୍ଷୂ କର୍ଣ୍ଣ ପ୍ରଭୃତି ବିଭିନ୍ନ ଇନ୍ଦ୍ରିୟଗଣ ଯଦି ସେହି ସୂକ୍ଷ୍ମ ଭାବ ଉପଲବଧି କରିବାର ଗୁଣ ବହନ ନ କରନ୍ତି, ଅର୍ଥାତ୍‌ ମାନବିକ ଗୁଣାନ୍ୱିତ ନ ହୁଅନ୍ତି, ତେବେ ମନୁଷ୍ୟ ମାନବିକ ହେବ କିପରି ?

 

ସ୍ୱାଦ, ଗନ୍ଧ, ଗାନ, ସୌନ୍ଦର୍ଯ୍ୟ ଆଦି ବିଭିନ୍ନ ରସ ଆହରଣ ଶକ୍ତି ମନୁଷ୍ୟର ରହିଛି, କିନ୍ତୁ ଏ ଶକ୍ତି ସମସ୍ତଙ୍କର ସମାନ ନୁହେ । ଏହି ଶକ୍ତି ମନୁଷ୍ୟର ଆତ୍ମଗତ ଗୁଣ ବା ଦକ୍ଷତା ଭାବରେ ପ୍ରକଟିତ ହୁଏ । ଧର, ସଙ୍ଗୀତ କୌଣସି ବ୍ୟକ୍ତିଠାରେ ସଙ୍ଗୀତରେ ଭାବ ଜାଗ୍ରତ କଲା ନାହିଁ, ତାର ପ୍ରଧାନ କାରଣ ହେଲା ସେ ବ୍ୟକ୍ତିଠାରେ ସେ ଗୁଣ ବା ଶକ୍ତିର ଅଭାବ ରହିଛି । ତା’ମାନେ, ଉକ୍ତ ବିଷୟଟିକୁ ତାର ଇନ୍ଦ୍ରିୟଗଣ ଉପଲବ୍‌ଧି କରିବାକୁ ସମର୍ଥ ନୁହନ୍ତି, ଅର୍ଥାତ୍‌ ଜ୍ଞାନ ଉକ୍ତି ଜିନିଷର ଅନୁରୂପ ନୁହେଁ । ଏହି ସୌନ୍ଦର୍ଯ୍ୟପ୍ରିୟ ଚକ୍ଷୁ, —ସଙ୍ଗୀତ-ଉକ୍ତ ଜିନିଷର ଅନୁରୂପ ନୁହେଁ । ଏହି ସୌନ୍ଦର୍ଯ୍ୟପ୍ରିୟ ଚକ୍ଷୁ-ସଙ୍ଗୀତ-ଉକ୍ତି ଜିନିଷର ଅନୁରୂପ ନୁହେଁ । ଏହି ସୌନ୍ଦର୍ଯ୍ୟପ୍ରିୟ ଚକ୍ଷୁ,-ସଙ୍ଗୀତ-ପ୍ରିୟ କର୍ଣ୍ଣ, ସୁଗନ୍ଧପ୍ରିୟ ନାସିକା, ସୁସ୍ୱାଦୁପ୍ରିୟ ରସନା, ମାନବିକ ଆନନ୍ଦ ଦାୟକ ଇନ୍ଦ୍ରିୟଗଣ, ମନୁଷ୍ୟର ସାରମର୍ମ ବା ନିର୍ଯ୍ୟାସ ଶକ୍ତିକୁ ପ୍ରକାଶ କରିଥାନ୍ତି । ସେ ସବୁର ବିକାଶ ଓ କର୍ଷଣ କରିବାକୁ ପଡ଼େ । ଯେହେତୁ ମନୁଷ୍ୟର ଏହି ସାରମର୍ମ ବା ନିର୍ଯ୍ୟାସ ସତ୍ତା ବସ୍ତୁଗତ ଭାବେ ଆପଣାକୁ ପ୍ରକାଶ କରେ, ତେଣୁ ସେହି ବସ୍ତୁଗତ ବିଭବର ଜରିଆରେହିଁ ମନୋଗତ ମାନବିକ ସଂବେଦନାର ବିଭବକୁ ପ୍ରକାଶ କରିଯାଇପାରେ, ଏହି ମନୋଗତ ବିଭବର ବିକାଶ ବସ୍ତୁଗତ ବିଭବର ବିକାଶ ଦ୍ୱାରାହିଁ ସମ୍ଭବପର । ଏହି ବସ୍ତୁଗତ ବିଭବର ବିକାଶରଭିତ୍ତି ଉପରେ ମନୋଗତ ବିଭବର କର୍ଷଣ ସାଧିତ ହୋଇପାରେ । ସମସ୍ତ ମାନବ ସମାଜର ଇତିହାସ ଏହାର ପ୍ରମାଣ ।

 

କେବଳ ମନୁଷ୍ୟର ଇନ୍ଦ୍ରିୟଗଣ ତାଙ୍କର ଉଦ୍ଦିଷ୍ଟ ବସ୍ତୁର ଗୁଣ ଦ୍ୱାରା ବିକାଶ ଲାଭ କରନ୍ତି ନାହିଁ, ମନୁଷ୍ୟର ଇଚ୍ଛା ଆକାଙ୍‌କ୍ଷା, ସ୍ନେହ, ପ୍ରେମ, ଘୃଣା ଆଦି ମାନସିକ ବ୍ୟବାହାରିକ ଚିନ୍ତା ବା ଗୁଣ ମଧ୍ୟ ସେହି ବସ୍ତୁର ଗୁଣ ଦ୍ୱାରା ଜାତ ହୋଇଥାଏ । ତେଣୁ ସେହି ବସ୍ତୁ ବା ପ୍ରକୃତି ମାନବିକ ହେଲାବେଳେ ଏହି ଇନ୍ଦ୍ରିୟଗଣ ବା ସଂବେଦନ ମଧ୍ୟ ମାନବିକ ହୋଇ ଉଠେ । ତେବେ, ମନୁଷ୍ୟର ଏହି ଇନ୍ଦ୍ରିୟଗଣଙ୍କର ବିକାଶ ଦିନକରେ ଘଟି ନାହିଁ; ତା’ର ବିକାଶର ଇତିହାସ ହେଉଛି ଏ ପର୍ଯ୍ୟନ୍ତ ଚାଲି ଆସିଥିବା ଶ୍ରମର ବିକାଶର ଇତିହାସ । ତେଣୁ ସେତେବେଳେ ସେହି ମୁକ୍ତ-ଶ୍ରମ ତା’ର ଉତ୍ତରୋତ୍ତର ଅଭିବୃଦ୍ଧି ଦ୍ୱାରା ଅର୍ଥାତ୍‌ ଶ୍ରମର ମାନବିକତାର ବିକାଶରେହିଁ ଏହି ମନୋଗତ ପାଶବିକତାର ଅବଶେଷ-ଲୋପ ହେବ । ଅତଏବ ଯେଉଁ ପାଶବିକତାର ଅସ୍ତିତ୍ୱ ମନୁଷ୍ୟର ଇନ୍ଦ୍ରିୟକୁ ଆଚ୍ଛନ୍ନ କରିବା ଦ୍ୱାରା ତାର ମାନବିକ ଉପଭୋଗର ଦ୍ୱାରକୁ ରୁଦ୍ଧ କରେ ତାହା ଚିରଦିନ ଲାଗି ଅପସାରିତ ହେବ ।

 

ଏହା ହେଲା ମାନବିକତାର ରୂପରେଖ ଓ ତାର ବିକାଶର ଧାରା । ସାହିତ୍ୟ ରାଜ୍ୟରେ ତାହା ଠିକ୍‌ ଠିକ୍‌ ଏଇଭଳି ପ୍ରକାଶ ପାଏ ନାହିଁ, କିନ୍ତୁ ତାର ମର୍ମ ଏହି ଗତିଧାରାଠାରୁ ଭିନ୍ନ ନୁହେଁକି ହୋଇ ନ ପାରେ । ଅତୀତରେ ଓ ଏବେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସାହିତ୍ୟ ରାଜ୍ୟରେ ମାନବିକତାର ପ୍ରକାଶ ହେଲା ଭାବବାଦୀ ପ୍ରକାଶ, ତାହା ସେହି ସମୟର ମାନବୋଚିତ ଭାବକୁ ରୂପ ଦେଇଥାଏ, ତାରି କଳ୍ପନା କରେ । (ଆଉ ବି ବହୁ କ୍ଷେତ୍ରରେ ମାନବିକତାର ଶତ୍ରୁମାନେ ତାଙ୍କର ପ୍ରତିକ୍ରିୟାଶୀଳ ଭାବକୁ ମାନବିକତା ବୋଲି ପ୍ରଚଳିତ କରିବାକୁ ଚେଷ୍ଟା କରନ୍ତି) । ତେବେ ସାହିତ୍ୟ ତାର ବିଭିନ୍ନ ଭାବର ପରିବେଷଣରେ, ମନୁଷ୍ୟକୁ ପ୍ରତିଫଳନ କରିବା ଭିତରେ ଏହି ପାଶବିକତା ଓ ମନୁଷ୍ୟତାର ସଂଘର୍ଷ ମଧ୍ୟ ଦେଇ ଗତି କରି ଆସିଛି । ତାରସେହି ଗତି ମଧ୍ୟରେ ବିଭିନ୍ନ ସମୟରେ ସେହି ମାନବୋଚିତ ଭାବ କେତେ ଦୂର ବାସ୍ତବ ଓ ବିଜ୍ଞାନସିଦ୍ଧ ତାହା ଅଧ୍ୟୟନ ଓ ବିଚାରସାପେକ୍ଷ । କିନ୍ତୁ ବର୍ତ୍ତମାନ ସମୟ ଆସିଛି, ଯେତେବେଳେ କି ସାହିତ୍ୟକୁ ଅନ୍ଧାରରେ ଧନ୍ଦି ନ ହୋଇ ବସ୍ତୁଗତ ଓ ମନୋଗତ ଉଭୟ ଦିଗରୁ ସଚେତନ ଭାବେ ଦୃଢ଼ ଆଉ ବିଶ୍ୱାସର ସହିତ ସେ ତାର ନିର୍ଦ୍ଦିଷ୍ଟ ଦିଗକୁ ଗତି କରିପାରେ, ମାନବିକତାର ବିକାଶ ଦିଗରେ ସକଳ ପ୍ରତିବନ୍ଧକକୁ ଅକ୍ଳେଶରେ ପ୍ରତିହତ କରିପାରେ । ଏଥିଲାଗି ମାର୍କସ୍‍ବାଦର ଆଭିମୁଖ୍ୟ ଅପରିହାର୍ଯ୍ୟ ।

 

ଏଇ ହେଲା ସାହିତ୍ୟରେ ଶିବର ପରିକଳ୍ପନାର ସ୍ୱରୂପ । ଏହି ଶିବକୁ ସମାଜ ଓ ସାହିତ୍ୟର ବିଭିନ୍ନ ସ୍ତରରେ ବାସ୍ତବ ଅବସ୍ଥା ଅନୁଯାୟୀ ନାନା ଭାବେ କଳ୍ପନା ଓ ରୂପାୟିତ କରାଯାଇଛି । ବର୍ତ୍ତମାନ ଅବସ୍ଥାରେ ଶିବର ଉପରୋକ୍ତ ପରିକଳ୍ପନା ଛଡ଼ା ଅନ୍ୟ କିଛି ଥାଇ ନ ପାରେ । ତେବେ ତାହା ଉପରୋକ୍ତ ଅବସ୍ଥାରେ ପହଁଞ୍ଚିଲେ ତାହା ଯେ ସେହିଠାରେ ଅଟକି ଯିବ, ତା’ନୁହେଁ, କାରଣ ମନୁଷ୍ୟ ସ୍ଥାଣୁ ନୁହେଁ, ମାନବିକତା ମଧ୍ୟ ମନୁଷ୍ୟ ସହିତ ଗତିଶୀଳ, ବିକାଶର ଅଭିମୁଖରେ—

☆☆☆

 

Unknown

ସୁନ୍ଦର ଓ ସାହିତ୍ୟ

 

ଯାହା ସୁନ୍ଦର, ତାହା ସାହିତ୍ୟ ସୃଷ୍ଟିର ଏକ ଅପରିହାର୍ଯ୍ୟ ଅଂଗ ତାହାର ଅଭାବରେ ସାହିତ୍ୟର ଆବେଦନ କେବଳ ନଷ୍ଟ ହୁଏ ନାହିଁ, ଉଦ୍ଦେଶ୍ୟ ମଧ୍ୟ ବିଫଳ ହୁଏ; ସାହିତ୍ୟର ସତ୍ୟ ମଳିନ ହୁଏ । ତାହା ଆପଣାର ଶାନ୍ତ, ମହନୀୟ ଆର୍କଷଣ ଦ୍ୱାରା ମନୁଷ୍ୟ ପ୍ରାଣରେ ଉଦ୍‌ବେଗ ସୃଷ୍ଟି କରି ପାରେନାହିଁ, ତାକୁ ଚଞ୍ଚଳ ଓ ଗତିଶୀଳ କରିପାରେ ନାହିଁ । ସାହିତ୍ୟ ତାର ପ୍ରକୃତ ତାତ୍‌ପର୍ଯ୍ୟ ହରାଏ । ଏ ସମସ୍ତ ଦୃଷ୍ଟିରୁ ସୌନ୍ଦର୍ଯ୍ୟ-ବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ଉଚ୍ଚକୋଟୀର ହେଉ, ବା ନିମ୍ନ ଧରଣର ହେଉ, ପ୍ରତ୍ୟେକ ଲୋକଠାରେ ସୌନ୍ଦର୍ଯ୍ୟବୋଧ ରହିଚି । ସୌନ୍ଦର୍ଯ୍ୟବୋଧ ବିନା ମନୁଷ୍ୟ ନାହିଁ, ତାହା ମନୁଷ୍ୟତାର ଏକ ଲକ୍ଷଣ । ତେଣୁ ଜଣେ ହାଡ଼ମାଳରେ ନିଜକୁ ସଜାଉଥିଲା ବେଳେ ଆଉଜଣେ ସ୍ୱର୍ଣ୍ଣମାଳାରେ ବା ଅନ୍ୟ ଜଣେ ଫୁଲମାଳରେ ଆପଣାକୁ ସଜାଏ । ସେଥିମଧ୍ୟରେ ସୌନ୍ଦର୍ଯ୍ୟର ଭାବ ଅନୁଭବ କରେ । ସୁନ୍ଦର ଦୃଷ୍ଟିକୋଣ ସମସ୍ତଙ୍କ ଲାଗି ଓ ସବୁ କାଳରେ ସମାନ ନୁହେଁ, ତାହା ପରିବର୍ତ୍ତନଶୀଳ । ତାହାର ପରିବର୍ତ୍ତନ, ମାନବ ସମାଜର ସଭ୍ୟତା ଶିକ୍ଷା ସଂସ୍‌କୃତି ଆଦି ସହିତ ଘନିଷ୍ଠ ଭାବେ ଜଡ଼ିତ । ଏପରିକି ତାହା ପ୍ରକୃତିର ପ୍ରଭାବରୁ ମୁକ୍ତ ନୁହେଁ ।

 

ସୁନ୍ଦର ବୋଇଲେ, ସାଧାରଣଙ୍କ ବାହ୍ୟ ରୂପର ଏକ ଗୁଣ, ସୁନ୍ଦର ଗୁଣକୁ ବୁଝାଇଥାଏ । ସାହିତ୍ୟର ସୌନ୍ଦର୍ଯ୍ୟ କେବଳ ତାର ବାହ୍ୟ ରୂପରେ ସୀମାବଦ୍ଧ ନୁହେଁ । ରୂପ, ଭାବ, ଭାଷା, ଭଙ୍ଗୀ, ରୀତି, ଉପମା ଅଳଙ୍କାର, ରୂପକଳ୍ପ ଇତ୍ୟାଦି ଇତ୍ୟାଦି ଯେତେଗୁଡ଼ିଏ ଉପାଦନା ସାହିତ୍ୟ ଗଠନ ଲାଗି ଆବଶ୍ୟକ, ସେ ପ୍ରତ୍ୟେକଟିଏ ନିଖୁଣ ଗଢ଼ଣ, ଯଥାର୍ଥ ପରିପାଟୀ ଆଉ ସେ ସବୁର ଉତ୍‌କୃଷ୍ଟ ଅଭିବ୍ୟକ୍ତିର ଉପଯୁକ୍ତ ବିନ୍ୟାସ ଘେନି ସାହିତ୍ୟର ସୌନ୍ଦର୍ଯ୍ୟ ଆତ୍ମ ପ୍ରକାଶକରେ ସେଥିମଧ୍ୟରୁ ଗୋଟିକର ଅଭାବ ଘଟିଲେ ବା ଗୋଟିକରେ ସାମାନ୍ୟ ଖୁଣ ରହିଗଲେ ତାହା ସୁନ୍ଦର ସାହିତ୍ୟରେ ଆଞ୍ଚ ଆଣେ; ସୁନ୍ଦରର ସୌନ୍ଦର୍ଯ୍ୟ କ୍ଷୁନ୍ନ ହୁଏ । ସେଥିପାଇଁ ସମସ୍ତ ଦିଗରୁ ଦୃଷ୍ଟି ଦିଆଯାଇ ସାହିତ୍ୟକୁ ସକଳ ସୌନ୍ଦର୍ଯ୍ୟରେ ଭୂଷିତ କରାଯାଏ ।

 

ସାହିତ୍ୟ କ୍ଷେତ୍ରରେ ସୌନ୍ଦର୍ଯ୍ୟର ଏହି ଆଶୟ ଓ ଆବଶ୍ୟକତା ମନୁଷ୍ୟର କଳ୍ପନା ଭଳି ସୀମାହୀନ, ଅନନ୍ତ-ପ୍ରକୃତିର ରୂପବୈଚିତ୍ର ଭଳି । ଯେହେତୁ ସାଧାରଣ ସୌନ୍ଦର୍ଯ୍ୟବୋଧ ମୂଳତଃ ଏ ଦୁହିଁଙ୍କର ସୀମାହୀନତାର ସମ୍ମିଶ୍ରଣରୁ ଜାତ, ତେଣୁ ତା’ ସେହି ଅସୀମର ଗୁଣ ବହନ କରେ । ତେଣୁ ତାହା ସଦାସର୍ବଦା ନିତ୍ୟ ନୂତନତାର ଉଦ୍‍ଭାସିତ ହୁଏ । ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, କି ସୁନ୍ଦର ଗତିରେ ଅବସାନ ନାହିଁ—ଏହି ଉକ୍ତିର ଯଥାର୍ଥତା ଦର୍ଶାଏ ।

 

ସେହି ବିଚିତ୍ର ରୂପ ଓ ଅପରିସୀମ ଗୁଣ ସତ୍ୱେ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ କାଳରେ, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସମଦୃଶ ଓ ସସୀମ । ତେଣୁ ସେହି ନିର୍ଦ୍ଦିଷ୍ଟ ଅବସ୍ଥାରେ, ନିର୍ଦ୍ଦିଷ୍ଟ ସ୍ତରରେ ଲୋକମାନଙ୍କ ଲାଗି ବା ଅଧିକାଂଶ ଲୋକମାନଙ୍କ ପାଇଁ ସୌନ୍ଦର୍ଯ୍ୟବୋଧ ଏକ ଓ ସମାନ ହୋଇଥାଏ । ଲୋକଙ୍କର ବେଶଭୂଷାଠାରୁ ଆରମ୍ଭ କରି କଳା; ସାହିତ୍ୟ, ପର୍ଯ୍ୟନ୍ତ ଯାବତୀୟ ବିଷୟ ଗୋଟାଏ ଗୋଟାଏ ଯୁଗରେ ସାଧାରଣତଃ ଗୋଟାଏ ପ୍ରକାରର ସୌନ୍ଦର୍ଯ୍ୟ-ରୀତିର ପ୍ରଚଳିତ ହୋଇଥାଏ । ତେଣୁ ସାହିତ୍ୟରେ ସୌନ୍ଦର୍ଯ୍ୟର ମର୍ମ କଣ ଆଗ ଦେଖାଯାଉ ।

 

ପ୍ରଥମଃ, ସୌନ୍ଦର୍ଯ୍ୟର ମୂଳ ହେଲା ପ୍ରକୃତି ବା ଏହି ସମସ୍ତ ପ୍ରପଞ୍ଚ । ଏହା ମନୁଷ୍ୟ ମନରେ ସୌନ୍ଦର୍ଯ୍ୟଭାବ ଜାଗ୍ରତ କରେ, ଏବଂ ମନୁଷ୍ୟ ନିଜର ଅଗ୍ରଗତି ସହିତ ଆପଣାର ଉପଲବଧି ଅନୁଯାୟୀ ଏହି ଭାବକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ କରିଥାଏ, ସେହି ସୌନ୍ଦର୍ଯ୍ୟବୋଧର ନିୟମ ଅନୁସାରେ ଆପଣାର ସର୍ଜ୍ଜନା ନିର୍ମାଣ କରେ । ତେବେ ସାହିତ୍ୟରେ ସୌନ୍ଦର୍ଯ୍ୟବୋଧର ଭିତ୍ତି କଣ, ତା କାହା ଉପରେ ନିର୍ଭର କରେ ?

 

ସୁନ୍ଦର ସାହିତ୍ୟ କେବଳ ଦର୍ଶନ, ଶ୍ରବଣ ଆଦି ଇନ୍ଦ୍ରିୟମାନଙ୍କ ଦ୍ୱାରା ଅନୁଭୂତି ହୁଏ ନାହିଁ, ତାହା ମନୁଷ୍ୟର ଚିନ୍ତା, ଜ୍ଞାନ ଓ ଧାରଣା ଦ୍ୱାରା ମଧ୍ୟ ଅବଧାରିତ ହୁଏ । ମନୁଷ୍ୟର ଏହି ବିଚାରର ମାନଦଣ୍ଡ, ଆଦର୍ଶ ଓ ଇତିହାସ ପ୍ରତି ତାର ନିଜର ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଉପରେ ନିର୍ଭର କରେ । ସେଥିଯୋଗୁଁ ଆଦିମ ଅଧିବାସୀମାନଙ୍କୁ ଯାହା ଦିନେ ସୁନ୍ଦର ବୋଧ ହେଉଥିଲା, ତାହା ଆମକୁ ଆଜି ସୁନ୍ଦର ଲାଗେ ନାହିଁ; ଯାହା ଏକ ଦେଶ ଓ ଜାତିର ଲୋକକୁ ସୁନ୍ଦର ଦିଶେ, ତାହା ଅନ୍ୟ ଦେଶ ଓ ଜାତିର ଲୋକଙ୍କୁ ସୁନ୍ଦର ଦିଶେ ନାହିଁ । ଏହାର ପ୍ରଧାନ କାରଣ ମନୁଷ୍ୟ ବିଭିନ୍ନ ଅବସ୍ଥାରେ, ବିଭିନ୍ନ ଶିକ୍ଷା, ସଂସ୍କୃତି ଓ ଅର୍ଥନୈତିକ ଉନ୍ନତିର ସ୍ତରରେ ବାସକରେ । ପୁଂଜିବାଦର ପ୍ରସାର ଫଳରେ ଆଜି ଯେପରି ଏକ ପୁଂଜିବାଦୀ ବଜାର ସୃଷ୍ଟି ହୋଇଛି, ସେଥି ସଙ୍ଗେ ସଙ୍ଗେ ସେହିପରି ଏକ ବିଶ୍ୱବ୍ୟାପୀ ଶିକ୍ଷା, ସଂସ୍କୃତି, କଳା ବିଜ୍ଞାନ ସାହିତ୍ୟ ଆଦିର ସୃଷ୍ଟି ଘଟିଛି, ଏବଂ ଫଳରେ ସେହିପରି ଏକ ବିଶ୍ୱ ସୌନ୍ଦର୍ଯ୍ୟବୋଧର ଭିତ୍ତି ଦେଖାଦେଇଛି ।

 

ସୌନ୍ଦର୍ଯ୍ୟ କିନ୍ତୁ, ମନ, ଚକ୍ଷୁ, କର୍ଣ୍ଣ ଆଦି ମୁଗ୍‌ଧକାରୀ ଏକ ଅର୍ଥବ ଜିନିଷ ନୁହେଁ ! ତାହା ବେଶ ଏକ ବଳିଷ୍ଠ ଶକ୍ତିଶାଳୀ ବିଷୟ । ବିଶେଷତଃ ତାହା ଆନନ୍ଦର ଭିତରେ ମନୁଷ୍ୟକୁ ଆଗେଇ ନେଇଥାଏ । ଯେହେତୁ ସୌନ୍ଦର୍ଯ୍ୟ ହେଉଛି କୁତ୍ସିତର ଶତ୍ରୁ ଓ ତା’ର ବିକଳ୍ପ । ତେଣୁ ତା’ର ଏହି ଅଗ୍ରଗତି ହେଉଛି ସେହି କୁତ୍ସିତତା ବିରୁଦ୍ଧରେ, ଅଧି ସୌନ୍ଦର୍ଯ୍ୟର ଲକ୍ଷ୍ୟରେ, ତାହା କୁତ୍ସିତତାକୁ ପ୍ରତିହତ ଓ ଦୂର କରି ଆପଣାକୁ ପ୍ରତିଷ୍ଠା କରେ । ସାହିତ୍ୟ କ୍ଷେତ୍ରରେ ଲେଖକ ନିଜ ରଚନାରେ ଏକ କୁତ୍ସିତ ରୂପ ବା ସଇତାନର ଚିତ୍ର ପ୍ରଦାନ କରି ତା ସଂଗେ ସଂଗେ ସୌନ୍ଦର୍ଯ୍ୟର ସ୍ୱାର୍ଥକତା ପ୍ରତିପାଦନ କରିଥାଏ । ସୌନ୍ଦର୍ଯ୍ୟ ମନୁଷ୍ୟ ଜୀବନରେ ସର୍ବତ୍ର ଆପଣାକୁ ପ୍ରସାର କରିପାରେ । ତେଣୁ ତାହା ପ୍ରତ୍ୟେକ କ୍ଷେତ୍ରରେ କୁତ୍ସିତତା ବିରୁଦ୍ଧରେ ସଂର୍ଷରେ ଆସିବାକୁ ବାଧ୍ୟ ହୁଏ, କିମ୍ୱା ଅପୂର୍ଣ୍ଣ ସୌନ୍ଦର୍ଯ୍ୟ ସ୍ଥାନରେ ଅଧିକ ସଂପୂର୍ଣ୍ଣ ସୌନ୍ଦର୍ଯ୍ୟର ଆକାଂକ୍ଷା ଜାଗ୍ରତ କରେ । ତାହା ଅଥର୍ବ ନୁହେଁ, ଏକ ଅଗ୍ରମୁଖୀ ଗତିଶୀଳ ଶକ୍ତି । ସେଥିଲାଗି ଇତିହାସର ବିଭିନ୍ନ କ୍ଷେତ୍ରରେ ଯେତେବେଳେ ଯେଉଁମାନେ ମନୁଷ୍ୟର ପ୍ରାଣକୁ ଉନ୍ନତ ଓ ମହନୀୟ, ତା’ର ଦୃଷ୍ଟିକୁ ସ୍ୱଚ୍ଛ ଓ ନିର୍ମଳ, ଏବଂ ତା ଜୀବନକୁ ସୁନ୍ଦର ଓ ସୁଖମୟ କରିବାକୁ ଉଦ୍ୟମ କରିଛନ୍ତି, ସୌନ୍ଦର୍ଯ୍ୟବୋଧ ସେମାନଙ୍କ ସହଚର ହୋଇଛି । ସୌନ୍ଦର୍ଯ୍ୟବୋଧ ତାର ସେହି କୁତ୍ସିତତା ବିନାଶକାରୀ ଗତିଶୀଳତା ଯୋଗୁଁ ଓ ସଦାସର୍ବଦା ନୂତନ ନୂତନ ଆନନ୍ଦ ଆକାଂକ୍ଷାର ସଂଚାର ହେତୁ, ଏକ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ, ସାହିତ୍ୟ କ୍ଷେତ୍ରରେ ଏକ ଅଗ୍ରଗତି, ଓ ଏକ ବିପ୍ଳବର ଉପାଦାନ ।

 

ସୁନ୍ଦର ଏହି ଶବ୍ଦଟିର ଧାରଣା ଅତି ବ୍ୟାପକ । କାରଣ ଏହାକୁ ଯେ କୌଣସି ଶବ୍‌ଦ ପୂର୍ବରେ ଯୋଗ କରାଯାଇ ପାରେ, ଏପରିକି କୁତ୍ସିତ ଭିତରେ ମଧ୍ୟ ସୌନ୍ଦର୍ଯ୍ୟର ଭାବ ଫୁଟା ଯାଇ ପାରେ । ଯଥା ମହାଭାରତରେ ‘ଶକୁନି’ ଚରିତ୍ର । ତାହା ସାଧାରଣ ଦୃଷ୍ଟିରୁ ଦୂଷ୍ୟ ଅଥଚ ସେହି ଦୂଷଣୀୟକୁ ମଧ୍ୟ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି, ସେହିପରି ଟ୍ରାଜେଡ଼ି ଦୁଃଖଦାୟକ କିନ୍ତୁ, ଏପରି ସୁନ୍ଦର ଭାବେ ତାହା ଉପସ୍ଥାପିତ କରାଯାଏ ଯେ ସେଥିରେ ଲୋକ ସନ୍ତୋଷ ଲାଭ କରିପାରେ । ଭାବ, ଆଦର୍ଶ, ରୂପ, ଗୁଣ, ଆଧାର ଆଧେୟ ଇତ୍ୟାଦି ପ୍ରତ୍ୟେକଟି ବିଷୟ ପ୍ରତି ସୁନ୍ଦରର ଭାବ ପ୍ରୟୋଗ କରାଯାଇ ପାରେ । କିନ୍ତୁ ଏହି ସବୁ କ୍ଷେତ୍ରରେ ଯଦି ସୁନ୍ଦର ଭାବର ଅଭାବ ଘଟେ, ସେ ଦିଗରେ ଅଗ୍ରଗତି ରୁଦ୍ଧ ହୋଇଯାଏ ତେବେ ସେହି ସମସ୍ତ ବିଷୟ ସ୍ଥାଣୁ ଓ ପଙ୍କିଳ ହୋଇପଡ଼େ । ଏହାର ଅନ୍ୟ ନାମ ହେଉଛି ପତନ । ଯେଉଁମାନେ ଏହି ପତନରେ ପକ୍ଷପାତୀ, ସେମାନେ ତାକୁ ଦୂର କରିବାର ଉଦ୍ୟମକୁ ପ୍ରତିରୋଧ କରନ୍ତି, ଫଳରେ ସେମାନେ ପ୍ରତିକ୍ରିୟାର ନାମ ଧାରଣ କରନ୍ତି । ସୁନ୍ଦର ସମାଜଠାରୁ ଆରମ୍ଭକରି ସୁନ୍ଦର ସାହିତ୍ୟ ଗଠନ ଯାଏ ସୌନ୍ଦର୍ଯ୍ୟର ବିକାଶ ଏହି ପତନ ପଙ୍କିଳତା ଓ ପ୍ରତିକ୍ରିୟାକୁହିଁ ଆଘାତ କରେ ।

 

କଳା ଓ ସାହିତ୍ୟ କ୍ଷେତ୍ରରେ ସୌନ୍ଦର୍ଯ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରେ । ଯେଉଁଠାରେ ସୌନ୍ଦର୍ଯ୍ୟ ନାହିଁ, ସେଠାରେ କଳା ଓ ସାହିତ୍ୟ ନାହିଁ । ସୌନ୍ଦର୍ଯ୍ୟ ବିନା ସାହିତ୍ୟ ହୁଏ ଏକ ଶୁଷ୍କ ରିର୍ପୋଟ, ଗୋଟାଏ ବିବରଣୀ ମାତ୍ର, ଲେଖା ହୁଏ ଦୁର୍ବଳ, ଉଦ୍ଦେଶ୍ୟ ହୁଏ ନିରର୍ଥକ । ତାହା କାହାକୁ ପ୍ରଭାବିତ କରିବାକୁ ସମର୍ଥ ହୁଏ ନାହିଁ । ତେଣୁ ତାହା ସେହି ପତନ ଓ ପଙ୍କିଳତାକୁ ଆଘାତ ଦେଇ ପାରେ ନାହିଁ, ଅଗ୍ରଗତିର ଅନ୍ତରାୟ ହୁଏ ।

 

ସୌନ୍ଦର୍ଯ୍ୟ କାମଦେବଙ୍କ ଭଳି ଏକ କାଳ୍ପନିକ ରୂପରେ ରୂପାୟିତ ନୁହେଁ, ଏହା ପ୍ରକାଶ ପାଏ ବାସ୍ତବତାରେ-ଏକ ପ୍ରତିମା ମଧ୍ୟରେ ରୂପାୟିତ ହୋଇ । ଶିଳ୍ପି, ଲେଖକ, କଳାକାର ଓ ସାହିତ୍ୟିକ ଆଦି ଯିଏ ଯାହାର ଉପାଦାନକୁ ଘେନି ଆପଣା ଆପଣାର ପ୍ରତିମା ନିର୍ମାଣ କରନ୍ତି । ସେହି ପ୍ରତିମା ହିଁ ହୁଏ ସୌନ୍ଦର୍ଯ୍ୟ ବୋଧର ନିଦର୍ଶନ । ସାହିତ୍ୟିକ ପକ୍ଷରେ ସେହି ପ୍ରତିମାର ଗଠନ ଦିଗରେ ଘଟଣାବଳୀ ବା ବାସ୍ତବତାର ଉପଲବଧି ଏବଂ ତାର ଯଥାର୍ଥ ପ୍ରତିଫଳନ ଆବଶ୍ୟକ । ସାହିତ୍ୟ କଣ ଚିତ୍ରଣ କରୁଛି, ଭଲ କ ଖରାପ-କିପରି ଭାବେ ତାହା ସଂପାଦନ କରୁଛି, କେବଳ ସେଥି ଉପରେ ସାହିତ୍ୟର ଉତ୍‌କର୍ଷ ନିର୍ଭର କରେ ନାହିଁ, ସେହି ଅଙ୍କନ-ପ୍ରକ୍ରିୟା ମଧ୍ୟରେ ତାହା କେଉଁ ପ୍ରତିମାକୁ ରୂପ ଦେଉଛି, ତା’ଦ୍ୱାରା ସାହିତ୍ୟର ଉତ୍‌କର୍ଷ ନିର୍ଣ୍ଣୀତ ହୁଏ । କାରଣ ଉକ୍ତ ପ୍ରତିମା ହୁଏ ଭାବ, ଭାଷା, ରୂପ, ଇତ୍ୟାଦିର ଯଥାର୍ଥ ସମନ୍ୱୟର ପ୍ରତୀକ । ସେହି ପ୍ରତିମା ମଧ୍ୟରେ ସୁନ୍ଦର ଆପଣାକୁ ସୌନ୍ଦଯ୍ୟଗତ ଭାବେ ସାବ୍ୟସ୍ତ କରେ, ଅନ୍ୟଦିଗରେ କୁତ୍ସିତତାକୁ ପ୍ରତ୍ୟାଖ୍ୟାନ କରେ । ସାହିତ୍ୟ କଳାରେ ପ୍ରଭାବ ସୃଷ୍ଟି କରେ, ଫଳରେ ତାହା ଏକ ସ୍ୱତନ୍ତ୍ର ଭାବାଦର୍ଶଗତ ସୌନ୍ଦର୍ଯ୍ୟବୋଧ ହୋଇ ସାହିତ୍ୟରେ ଆତ୍ମପ୍ରକାଶ କରେ, ଆଉ ସେହି ପ୍ରତିମା ଏକ ନିର୍ଦ୍ଦିଷ୍ଟ ସାହିତ୍ୟ-ଭାବ ପ୍ରକାଶନର ଉପାୟରେ ପରିଣତ ହୁଏ; ସେହି ପ୍ରତିମା ମଧ୍ୟରେ ସତ୍ୟ, ସୌନ୍ଦର୍ଯ୍ୟ ଓ ବାସ୍ତବତା ରୂପାୟିତ ହୋଇଥିବାରୁ ତାହା ସତ୍ୟକୁ ବୁଝିବାରେ ସାହାଯ୍ୟ କରେ । ବାସ୍ତବତାକୁ ନିକଟବର୍ତ୍ତୀ କରାଏ ଏବଂ ସୌନ୍ଦର୍ଯ୍ୟବୋଧ ଓ ତାର ଆଦର୍ଶକୁ ପ୍ରସାରିତ କରେ । ଫଳରେ ସମାଜ ଓ ସାହିତ୍ୟରେ ଦୃଷ୍ଟି ଓ ଐତିହାସିକ ଧାରା ଅଧିକ ପରିମାର୍ଜିତ ଓ ଉନ୍ନତ ହୁଏ ।

 

ଯଦି ଅନ୍ୟ ଦିଗରେ, କୁତ୍ସିତକୁ ସୌନ୍ଦର୍ଯ୍ୟଗତ ଭାବରେ ପ୍ରଚଳିତ କରିବାର ଚେଷ୍ଟା ହୁଏ, ତେବେ ଜୀବନ ପ୍ରତି ସାହିତ୍ୟ-ସତ୍ୟର ନିୟମ ଲଘଂନ କରାଯାଏ । ଫଳରେ ସାହିତ୍ୟ କ୍ଷୟପ୍ରାପ୍ତ ହୁଏ, ତା’ର ପତନ ଘଟେ । ଏପରି କ୍ଷୟିଷ୍ଣୁ ଯୁଗ ସାହିତ୍ୟ-କ୍ଷେତ୍ରରେ ବହୁ ଦେଶରେ ଆସିଛି । ଏହାର ସାମାଜିକ ପ୍ରତିଫଳନ ଯାହା ହୁଏ, ତାହା ଅସ୍ତିକୁ ନାସ୍ତି ଭାବରେ, ପ୍ରତିକ୍ରିୟାକୁ ପ୍ରଗତି ଭାବରେ ଚିତ୍ରଣ କରିଥାଏ । ସାହିତ୍ୟ ଏଥିପ୍ରତି ସାବଧାନ ହେବା ଉଚିତ ନୁହେଁ କି ?

 

ସୁନ୍ଦରର ଯଥାର୍ଥ ପ୍ରତିଫଳନ ହେଲା, ସାହିତ୍ୟର ସୌନ୍ଦର୍ଯ୍ୟଗତ ରଚନା ଭିତରେ ବିଷୟବସ୍ତୁର ସାରମର୍ମ ଓ ମୁଖ୍ୟ ଦିଗଗୁଡ଼ିକୁ ଠିକ୍‌ ଠିକ ପ୍ରତିଫଳିତ କରିବା ମଧ୍ୟରେ ତାହାର ଆତ୍ମପ୍ରକାଶ । ସୁନ୍ଦର ଓ କୁତ୍ସିତର ବସ୍ତୁଗତ, ସାମାଜିକ ତାତ୍‌ପର୍ଯ୍ୟର ଉପଲବ୍‌ଧ ଅନୁଯାୟୀ ଏହି ପ୍ରତିଫଳନର ରୂପ ଗ୍ରହଣ; ସୌନ୍ଦର୍ଯ୍ୟର ଆଦର୍ଶଠାରୁ ଭିନ୍ନ ନୁହେଁ । ସୁନ୍ଦର କୁତ୍ସିତର ସେହି ବସ୍ତୁଗତ ସାମାଜିକ ତାତ୍‌ପର୍ଯ୍ୟ ସେହି ସମୟର ସାମାଜିକ ଅବସ୍ଥା ଓ ତା’ର ଚେତନାର ଦୃଷ୍ଟିକୋଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତେଣୁ ଦେଖାଯାଏ, ସୌନ୍ଦର୍ଯ୍ୟର ଆଦର୍ଶ ଏକ ନିର୍ଦ୍ଦିଷ୍ଟ ସମୟର ସାମାଜିକ ଆଦର୍ଶର-ସୌନ୍ଦର୍ଯ୍ୟଗତ ପରିପ୍ରକାଶ ମାତ୍ର । ବାଲ୍ମୀକି ରାମଚରିତ୍ର ମଧ୍ୟରେ ସୌନ୍ଦର୍ଯ୍ୟର ଯେ ପ୍ରତିମୂର୍ତ୍ତି ଗଢ଼ିଛନ୍ତି, ସେହି ଆଦର୍ଶର ଅନୁସରଣରେ ଏବର ସାହିତ୍ୟ ତା’ର ଚରିତ୍ରଚିତ୍ରଣ କରେ ନାହିଁ ।

 

ସାହିତ୍ୟ କଳ୍ପନାରେ ସୌନ୍ଦର୍ଯ୍ୟର ସୌଧ ଗଢ଼ିଲେ ମଧ୍ୟ ବାସ୍ତବତା ଉପରେ ପ୍ରତିଷ୍ଠିତ । କାରଣ ସାହିତ୍ୟ ଯେଉଁ ବିଶ୍ୱର ଚିତ୍ର ଅଙ୍କନ କରେ ତାହା କାଳ୍ପନିକ ବିଶ୍ୱ ନୁହେଁ । କଳ୍ପନାରେ ବିଶ୍ୱର ଚିତ୍ର ଅଙ୍କନ କରେ, ଯେହେତୁ ଉକ୍ତ କଳ୍ପନା ଏହି ବିଶ୍ୱର ଅବିକଳ ନକଲ କି ଅନ୍ଧ ଅନୁସରଣ ନୁହେଁ, ଯେହେତୁ ସେହି କଳ୍ପନା ମଧ୍ୟରେ ଏହି ବିଶ୍ୱ ବାସ୍ତବତାର ସାରମର୍ମ ଉଦ୍‌ଘାଟନ କରି ତାକୁ ରୂପ ଦେବାକୁ ଚେଷ୍ଟା କରେ । ସାହିତ୍ୟିକ ତେଣୁ ସୃଷ୍ଟିକର୍ତ୍ତାର ଭୂମିକା...ଗ୍ରହଣ କରେ । ତା’ର କାର୍ଯ୍ୟ ହୁଏ ସୃଜନଶୀଳ । ସେଥିମଧ୍ୟରେ ବାସ୍ତବତାର ବସ୍ତୁଗତ ମର୍ମ ନିହିତ ଥିବାରୁ ତାହା ଯେପରି ସତ୍ୟରେ ପରିଣତ ହୁଏ, ସେହିପରି ସେ ସୃଷ୍ଟିକଳାର ନିୟମ ଅନୁସରଣ କରିଥିବାରୁ କଳାର ବିଭବକୁ ପ୍ରକାଶ କରେ; ଅର୍ଥାତ୍‌ ସୌନ୍ଦର୍ଯ୍ୟବୋଧର ପରାକାଷ୍ଠା ଦେଖାଏ; ତଦ୍ଦ୍ୱାରା ନିଜର ପ୍ରତିଭାର ପ୍ରମାଣ ଦିଏ ।

 

ଅତଏବ ମନୁଷ୍ୟର ଚେତନାର ଉପଲବ୍‌ଧି ଅନୁଯାୟୀ କଳ୍ପନା କ୍ଷେତ୍ରରେ ପ୍ରତିଫଳିତ ଚିତ୍ର ଯେତେବେଳେ ବାସ୍ତବତାରେ ଲାଳିତ ହୋଇ ଏକ ପ୍ରତିମାରୂପରେ ରୂପାୟିତ ହୁଏ, ସେତେବେଳେ ଉକ୍ତ କଳାର ରୂପ ସୌନ୍ଦର୍ଯ୍ୟଗତ ବାସ୍ତବତାରେ ପରିଣତ ହୁଏ, ଆଉ ସେପରି ସଫଳ ସୃଷ୍ଟି ବଞ୍ଚିବାର ଅଧିକାର ଲାଭ କରେ । ଆଉ ସୌନ୍ଦର୍ଯ୍ୟଗତ ପ୍ରତିଫଳନ ମଧ୍ୟରେ ଯାଇ ଏହି ବସ୍ତୁଗତ ବିଶ୍ୱ ଜଗତ ଯେଉଁ ଅଖଣ୍ଡ ସାହିତ୍ୟ-କଳାର ପ୍ରତିଭା ସୃଷ୍ଟି କରେ, ଅନ୍ୟ ଅର୍ଥରେ କହିଲେ ତାହା କଳା ବା ସୌନ୍ଦର୍ଯ୍ୟର ସତ୍ୟକୁ ହିଁ ପ୍ରତିପାଦିତ କରେ ।

 

ସାଧାରଣତଃ ସୌନ୍ଦର୍ଯ୍ୟ ତା’ର ଅଧାର ଓ ଆଧେୟ ମାଧ୍ୟମରେ ଆତ୍ମପ୍ରକାଶ କରେ । ତେଣୁ ସୌନ୍ଦର୍ଯ୍ୟ ସେହି ଆଧାର ଓ ଆଧେୟ ପ୍ରତି ଉଦାସୀନ ଓ ନରିପେକ୍ଷ ରହି ନ ପାରେ; କିମ୍ୱା ଅନ୍ୟ ଭାବରେ କହିଲେ, ପ୍ରକୃତ ସୌନ୍ଦର୍ଯ୍ୟବୋଧ ତାକୁ ନିରପେକ୍ଷ ବା ଉଦାସୀନ ହୋଇ ରହିବାକୁ ଛାଡ଼ିଦିଏ ନାହିଁ । ତାହା ଆପଣାର ପ୍ରକାଶନର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପରିବର୍ତ୍ତିତ ହେବାକୁ ବାଧ୍ୟ କରେ । କାରଣ ଲେଖକ ଆପଣାର ସୌନ୍ଦର୍ଯ୍ୟ ଫୁଟାଇବା ଲାଗି ଆବଶ୍ୟକ ଆଧାର ଓ ଉପାଦାନ ନିଶ୍ଚୟ ସଂଗ୍ରହ କରିବ । ପ୍ରକୃତ ସୌନ୍ଦର୍ଯ୍ୟବୋଧର ଉପାସକ ଯେତେବେଳେ ତା’ର ପ୍ରତିମା ନିର୍ମାଣ କରେ, ତାକୁ ସେ ସବୁ ଦିଗରୁ ସୁନ୍ଦର କରିବା ପାଇଁ ଆପ୍ରାଣ ଚେଷ୍ଟା କରେ । ରୂପ ଗୁଣ, ମତ, ଆଦର୍ଶ ଆଦି ପ୍ରତ୍ୟେକଟି ଜିନିଷ, ଯାହା ତା’ର ପ୍ରତିମାକୁ ମଳିନ କରିବ ବୋଲି ସେ ଆଶଙ୍କା କରେ, ତାକୁ ସବୁ ସେ ଦୂର କରେ; ଅଧିକ ଉତ୍ତମ, ଉନ୍ନତ ଓ ସୁନ୍ଦରର ଆଶ୍ରୟ ନିଏ । ଅନେକ ସମୟରେ ଦେଖାଯାଏ, ଲେଖକର ନିଜର ମତ ଦୃଷ୍ଟି ଓ ଧାରଣା ଅପେକ୍ଷା ତା’ର ପ୍ରତିମାର ପ୍ରକାଶିତ ଦୃଷ୍ଟି, ମତ ଓ ଧାରଣା ଆଦି ଅଧିକ ମହତ୍‌, ଅଧିକ ସୁନ୍ଦର ଓ ଅଧିକ ଲୋକପ୍ରିୟ ହୁଏ ।

 

ସୌନ୍ଦର୍ଯ୍ୟ ମୁଖ୍ୟତଃ ରୂପ ଓ ଗୁଣରେ ଥାଏ । ତା ମାନେ, ଆଧାର ଓ ଆଧେୟ ହେଲା ସୌନ୍ଦର୍ଯ୍ୟର ଆଶ୍ରୟସ୍ଥଳୀ । ତେଣୁ ସେହି ଆଧାର, ଆଧେୟର ସାମାନ୍ୟ ଆଲୋଚନା ଆବଶ୍ୟକ । ପ୍ରତ୍ୟେକ ବିଷୟ, ପଦାର୍ଥ ଓ ପ୍ରକ୍ରିୟାର ସାରମର୍ମ ବର ଗୁଣଗତ ପ୍ରକୃତି ରହିଛି । ଏହି ସାରମର୍ମର ସମଷ୍ଟି ହେଉଛି ତା’ର ବିଷୟବସ୍ତୁ ବା ଆଧେୟ; ଯେପରିକି ବହିର ଆଧେୟ ହେଲା ସେଥିରେ ବର୍ଣ୍ଣିତ ସାମାଜିକ ବିଷୟବସ୍ତୁ । କିନ୍ତୁ ଆଧେୟ ତା’ର ଆଧାର ବିନା ତିଷ୍ଠି ପାରେ ନାହିଁ । ଉକ୍ତ ସାମାଜିକ ବର୍ଣ୍ଣିତ ବିଷୟବସ୍ତୁକୁ ପ୍ରକାଶ କରିବାକୁ ହେଲେ ତାହା ବହି ହେଉ, ବତ୍କୃତା ହେଉ କିମ୍ୱା ଅଭିନୟ ହେଉ, କୌଣସି ହେଲେ କୌଣସି ଗୋଟାଏ ରୂପରେ ବା ଆଧାରରେ ପ୍ରକାଶ ପାଇବ । ଏ ଦୁହେଁ ପରସ୍ପର ସହିତ ସଂଯୁକ୍ତ । କିନ୍ତୁ ଆଧେୟର; ଗୋଟିଏ ନିର୍ଣ୍ଣୟକାରୀ ଭୂମିକା ରହିଛି ତା’ରି ମର୍ମ ବା ଉଦ୍ଦେଶ୍ୟ ନେଇ ଆଧାର ଗତି କରେ, ଯେପରିକି ଶୋକ ପ୍ରକାଶ କରିବାକୁ ହେଲେ, କାନ୍ଦଣା ସୁର ଦରକାର, ବୀରଗାଥାର ବର୍ଣ୍ଣନା ଲାଗି ବୀରରସ ଆବଶ୍ୟକ । ଆଧେୟ ଉପରେ ଆଧାର ନିର୍ଭର କରିବା ଅର୍ଥ ନୁହେ ଯେ, ଏକ ନିର୍ଦ୍ଦିଷ୍ଟ ଆଧେୟ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଆଧାର ବା ରୂପକୁ ଜନ୍ମ ଦିଏ । ତାହା ଅନ୍ୟ ରୂପରେ ବା ଅନ୍ୟ ଆଧାରରେ ମଧ୍ୟ ପ୍ରକାଶ ପାଇପାରେ । ତା’ପରେ ଆଧାରର, ଯେ କୌଣସି ସକ୍ରିୟ ଭୂମିକା ନାହିଁ, ତା ନୁହେଁ । ଆଧେୟ ଅନୁସାରେ ଆଧାର ଯଦି ଉଚ୍ଚ କୋଟିର ନ ହୁଏ ତେବେ ବିଷୟ-ବସ୍ତୁ ବା ଆଧେୟର ଗୁଣ ଉଚ୍ଚ ଧରଣର ହେଲେ ବି ତାହା ଠିକ ଠିକ ପ୍ରକାଶ ପାଇପାରେ ନାହିଁ । ସେ ତାକୁ ପଛକୁ ଟାଣି ଧରେ ବା ସେଥିରେ ବାଧା ସୃଷ୍ଟି କରେ । ସେହିପରି ଆଧାର ବା ରୂପ ଯେତେ ସମୃଦ୍ଧ ଓ ଆକର୍ଷଣୀୟ ହେଲେ ସୁଦ୍ଧା ଆଧେୟ ବା ଗୁଣ ଯଦି ଦରିଦ୍ର ହୁଏ ତେବେ ତାହା କୌଣସି ପ୍ରଭାବ ପକାଏ ନାହିଁ । ଅଥାତ୍‌ ଏହି ଉଭୟ କ୍ଷେତ୍ରରେ ସାହିତ୍ୟର ସୌନ୍ଦର୍ଯ୍ୟ ନଷ୍ଟ ହୁଏ; ଯେହେତୁ ଏହା ଦ୍ୱାରା କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟର ବସ୍ତୁଗତ ନିୟମ ଲଘଂନ କରାଯାଇଥାଏ ।

 

ପୁଷ୍ପର ପ୍ରସ୍ଫୁଟନରେ, ଅର୍ଥାତ୍‌ ତା’ର ଅନ୍ତର୍ନିହିତ ଗୁଣର ବିକାଶରେ ଯେପରି ତା’ର ସୌନ୍ଦର୍ଯ୍ୟ ବିକଶିତ ହୁଏ ସେହିପରି ଯେ କୌଣସି ଆଧେୟର ଅନ୍ତର୍ନିହିତ ମର୍ମର ଉଦ୍‌ଘାଟନ ଦ୍ୱାରା ତା’ର ସୌନ୍ଦର୍ଯ୍ୟ ବିକାଶ ଲାଭ କରେ । ମହାଭାରତର ସୌନ୍ଦର୍ଯ୍ୟ ତା’ର ପ୍ରତ୍ୟେକ ଚରିତ୍ରର ଅନ୍ତର ବା ଅନ୍ତର୍ନିହିତ ଗୁଣର ଉଦ୍‌ଘାଟନରେ ନିହିତ । ତେଣୁ ସୌନ୍ଦର୍ଯ୍ୟବୋଧ ପ୍ରତ୍ୟେକ ବିଷୟର ପୁଙ୍ଖାନୁପୁଙ୍ଖ ବିଚାର ଗବେଷଣା ଅର୍ଥାତ୍‌ ତା’ର ଅନ୍ତର୍ନିହିତ ଗୁଣର ଉଦ୍‌ଘାଟନ ଦାବୀ କରିଥାଏ । ସାହିତ୍ୟ ଯଦି ବର୍ତ୍ତମାନର ସମାଜକୁ ଆପଣାର ବିଷୟବସ୍ତୁ ବୋଲି ଗ୍ରହଣ କରେ, ତେବେ ସାହିତ୍ୟ ତା’ର ଦୃଷ୍ଟିକୁ ସୁନ୍ଦର କରିପାରିବ, ଯଦି ସେହି ସାହିତ୍ୟ ସମାଜର ସକଳ ଦିଗର ଅନ୍ତର୍ନିହିତ ମର୍ମକୁ ପ୍ରକାଶ କରିପାରେ । ସମୁଦ୍ରମନ୍ଥନରୁ ଅମୃତ ଓ ଗରଳ ଜାତ ହେଲା ଭଳି ସାହିତ୍ୟ ସେଇ ପ୍ରଚେଷ୍ଟା ମଧ୍ୟରେ କୁତ୍ସିତ ଓ ସୌନ୍ଦର୍ଯ୍ୟ ଉଭୟକୁ ପ୍ରକାଶ କରିପାରିବ । ତାହା ସହଜରେ ଦେଖିପାରିବ, କେଉଁ ମତ, କେଉଁ ଚିନ୍ତା, କେଉଁ ଲେଖକ କୁତ୍ସିତର ଉପାସକ, ଆଉ କିଏ ବିକାଶମୁଖୀ ସୌନ୍ଦର୍ଯ୍ୟର ପୂଜାରୀ, ଆଉ ସେହି ସୌନ୍ଦର୍ଯ୍ୟକୁ ସାବ୍ୟସ୍ତ କରିବାପାଇଁ ତାହା କେଉଁ ଆଧାରରେ ଆଶ୍ରୟ ନେବ ।

 

ସେହିପରି ଅନ୍ୟ ଦିଗରେ ଆଧାରକୁ ଆଲୋଚନା କଲେ ଦେଖାଯାଏ ଯେ ତା’ର ପରାକାଷ୍ଠା ହେଉଛି ତାର ଆକର୍ଷଣୀୟ ଶକ୍ତି । ତାହା କେଉଁ ରୂପ ବା ଆବରଣରେ ବିଷୟବସ୍ତୁର ପରିବେଷଣ କରିବ, ଯାହାକି ଲୋକଙ୍କ ଭିତରେ ସହଜରେ ପ୍ରବେଶ କରିପାରିବ, ସେଥିପ୍ରତି ସେମାନଙ୍କୁ ଟାଣିଆଣିବ ଓ ଆନନ୍ଦ ଦେବ, ସେଥିଲାଗି ଉକ୍ତ ରୂପ ଲୋକପ୍ରିୟ ହେବା ଉଚିତ, ବା ତାକୁ ଏପରି ରୂପରେ ମଣ୍ଡିତ କରିବାକୁ ପଡ଼ିବ ଯାହାକି ସହଜରେ ଲୋକପ୍ରିୟ ହୋଇପାରିବ । ତେଣୁ ଏ କ୍ଷେତ୍ରରେ ସେହି ଲୋକ ବା ସମାଜ ହେଉଛି ତାର ମୂଳ ଭିତ୍ତି । ଲୋକ କେଉଁ ରୂପ ବା କେତେ ପ୍ରକାର ରୂପ ପ୍ରତି ଆଗ୍ରହଶୀଳ, ତା’ର ଅନ୍ୱେଷଣ କରିବାକୁ ହେବ ଓ ସେହି ଅନୁସାରେ ରୂପର ସମ୍ଭାରରେ ବିକାଶ ଆଣିବାକୁ ହେବ । ଅର୍ଥାତ୍‌ ଆଧାରର ସୌନ୍ଦର୍ଯ୍ୟ ବିକାଶ ଲୋକଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖେ, ତାଙ୍କର ଅକାଙ୍‌କ୍ଷା, ଦୁଃଖ ସୁଖ ସମ୍ୱନ୍ଧରେ ନିର୍ଭୁଲ ଓ ବ୍ୟାପକ ଜ୍ଞାନ ଦାବୀ କରେ । ଯିଏ ପ୍ରକୃତ ସୌନ୍ଦର୍ଯ୍ୟବୋଧର ପୂଜାରୀ, ସେ ତା’ର ପ୍ରସାର କାମନା କରେ, ସେ ଦେଖିବ । ରୂପ ଅଧିକ ଆକର୍ଷଣୀୟ ଓ ସଂହତ ହୋଇପାରିବ, ଯଦି ସେ ନିଜର ଲୋକପ୍ରିୟ ରୂପ ସହିତ ଲୋକପ୍ରିୟ ଗୁଣକୁ ସଂଯୁକ୍ତ କରିପାରିବ, ଯଦି ତା’ର ଆଧାର ଏ କ୍ଷେତ୍ରରେ ତା’ର ଆଧେୟକୁ ପ୍ରଭାବିତ କରିବ । ଅର୍ଥାତ୍‌ ପ୍ରକୃତ ସୌନ୍ଦର୍ଯ୍ୟର ଉପାସକ ଜନସ୍ୱାର୍ଥ ସହିତ ଆପଣକୁ ସାମିଲକରିବାକୁ ବାଧ୍ୟ ହେବ । ଅତଏବ ସୌନ୍ଦର୍ଯ୍ୟବୋଧ କେବଳ ସମାଜର ଅଗ୍ରଗତିର ଲକ୍ଷଣ ନୁହେଁ, ସେ ଅଗ୍ରଗତିର ସହାୟକ ।

 

ତେବେ କେତେକ ସ୍ଥଳରେ ସୌନ୍ଦର୍ଯ୍ୟର ଆଧାର ବା ଆବରଣ ତଳେ କୁତ୍ସିତ ଜନସ୍ୱାର୍ଥବିରୋଧୀ ବିଷୟ ମଧ୍ୟ ପ୍ରକାଶ ପାଇଥାଏ । ସେଠାରେ ରୂପର ସୌନ୍ଦର୍ଯ୍ୟ ଗୁଣର କୁତ୍ସିତତାକୁ ଘୋଡ଼ାଇବାକୁ ଚେଷ୍ଟା କରେ । ତାହା କେବଳ ସୌନ୍ଦର୍ଯ୍ୟର ବାସ୍ତବ ନିୟମକୁ ଲଘଂନ କରେ ନାହିଁ, ତାହା ସମାଜ ଓ ସାହିତ୍ୟ ପକ୍ଷରେ ଘୋର ବିପଦର କାରଣ ହୁଏ; ତାହା ବିଭ୍ରାନ୍ତି ଆଣେ, ସମାଜ, ସାହିତ୍ୟ ଓ ସୌନ୍ଦର୍ଯ୍ୟବୋଧର ବିକାଶରେ ପ୍ରତିବଂଧକ ହୁଏ । ସେ କ୍ଷେତ୍ରରେ ତାକୁ ପ୍ରତିହତ କରିବା ହେଉଛି ସମାଜ, ସାହିତ୍ୟ ଓ ସୌନ୍ଦର୍ଯ୍ୟବୋଧର କର୍ତ୍ତବ୍ୟ । ସାଧାରଣତଃ ପୁରୁଣା ପୋଖତ ଲେଖକ ସାହିତ୍ୟର ବିଭିନ୍ନ ରୂପ ଓ ସୌନ୍ଦର୍ଯ୍ୟକୁ ଆୟତ୍ତ କରିଥାନ୍ତି, ଅଥଚ ତାଙ୍କର ଚେତନା ଓ ଦୃଷ୍ଟିକୋଣ ସଂକୀର୍ଣ୍ଣ ଅତୀତ ସହିତ ବନ୍ଧା । ସେମାନେ ଅଚେତନଭାବେ ଉକ୍ତ ଅନ୍ତରାୟ ସୃଷ୍ଟିର କାରଣ ହୁଅନ୍ତି ଆଉ ପ୍ରତିକ୍ରିୟା ଅନେକଠାରେ ଆପଣାର ସ୍ୱାର୍ଥସିଦ୍ଧି ଲାଗି ସେମାନଙ୍କୁ ବ୍ୟବହାର କରିଥାଏ । (ଅବଶ୍ୟ ଯେଉଁମାନେ ସଚେତନଭାବେ ତାହା କରନ୍ତି ସେମାନଙ୍କ କଥା ଭିନ୍ନ) । ତେଣୁ ସେପରି ଲୋକମାନଙ୍କର ମୁକାବିଲା କରିବା କଷ୍ଟକର ବ୍ୟାପାର ହେଲେ ମଧ୍ୟ ଆଦୌ ଅସମ୍ଭବ ନୁହେଁ, କାରଣ ସେମାନେ ସତ୍ୟ, ସମାଜ, ସାହିତ୍ୟ ଓ ସୌନ୍ଦର୍ଯ୍ୟ ଆଦିର ସକଳ ନିୟମକୁ ଲଘଂନ କରିଥାନ୍ତି ।

 

ତା’ପରେ ସୌନ୍ଦର୍ଯ୍ୟ ସୃଷ୍ଟିରେ ହିଁ ଫୁଟେ, ଧ୍ୱଂସରେ ନୁହେଁ; ଜୀବନରେ ପ୍ରସ୍ଫୁଟିତ ହୁଏ, ମୃତ୍ୟୁରେ ନୁହେ । ତେଣୁ ସୌନ୍ଦର୍ଯ୍ୟ ଫୁଟିଛି କୋଣାର୍କର ସୃଷ୍ଟିରେ, କଳିଙ୍ଗ ଯୁଦ୍ଧର ଧ୍ୱଂସଲୀଳାରେ ଫୁଟି ନାହିଁ । ସେଥିଲାଗି ସୌନ୍ଦର୍ଯ୍ୟ ଚାହେଁ ସୃଷ୍ଟି, ଶାନ୍ତି ଆଉ ଜୀବନ; କୁତ୍ସିତ ଚାହେଁ ଯୁଦ୍ଧ, ଧ୍ୱଂସ ଆଉ ମୃତ୍ୟୁ । ଆଜି ଯେଉଁମାନେ ସାହିତ୍ୟର ବିଭିନ୍ନ ମାଧ୍ୟମରେ ସେହି ଯୁଦ୍ଧ, ଧ୍ୱଂସ ଓ ମୃତ୍ୟୁର ମହିମା କୀର୍ତ୍ତନ କରନ୍ତି, ସୁନ୍ଦର ସାହିତ୍ୟ ପକ୍ଷରେ ଆପଣାର ସୌନ୍ଦର୍ଯ୍ୟବୋଧର ରକ୍ଷା ଓ ବିକାଶ ଲାଗି ସେମାନଙ୍କୁ ବିରୋଧ ନ କରି ରହିହେବ ନାହିଁ । ସେମାନେ କେବଳ ବର୍ତ୍ତମାନ ବା ଭବିଷ୍ୟତର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଅନ୍ତରାୟ ନୁହନ୍ତି, ତାଙ୍କର କର୍ମ ମାନବସମାଜ ଜନ୍ମଦିନୁ ସୃଷ୍ଟି କରିଥିବା ସମସ୍ତ ସୌନ୍ଦର୍ଯ୍ୟର ଧ୍ୱଂସର କାରଣ ହୁଏ । ଆଜିର ପରମାଣୁ ଯୁଦ୍ଧର ଆଶଙ୍କା ସେ ଧ୍ୱଂସର ସମ୍ଭାବନାକୁ ଅଧିକ ବୃଦ୍ଧି କରୁଛି । ଏଣୁ ଏବର ଅବସ୍ଥାରେ କୌଣସି ପ୍ରକୃତ ସୌନ୍ଦର୍ଯ୍ୟପ୍ରେମୀ ସୃଜନଶୀଳ ଲେଖକ ଏଥିପ୍ରତି ନୀରବ ନିରୁପାୟ ରହି ନ ପାରେ । ଏହି ବାସ୍ତବ କୁତ୍ସିତତା ଓ ଧ୍ୱଂସର ଆଶଙ୍କାକୁ ପ୍ରତିହତ କରିବା ଦିଗରେ ଅଗ୍ରସର ନ ହେବା ଅର୍ଥ ନିଜର ସମସ୍ତ ମୂଲ୍ୟବୋଧକୁ ବଳି ଦେବା । କୌଣସି ଲେଖକ ମଧ୍ୟ ଆଗ ଆପଣାର ମୂଲ୍ୟବୋଧ ଓ ସୌନ୍ଦର୍ଯ୍ୟବୋଧକୁ ହତ୍ୟା ନ କରି ଏହିପରି ଧ୍ୱଂସ ଓ କୁତ୍ସିତତାର ବାର୍ତ୍ତାବହ ହୋଇ ନ ପାରେ । ଏହା ହିଁ ଆଜି ସାହିତ୍ୟର ସୌନ୍ଦର୍ଯ୍ୟବୋଧର ରୋକଠୋକ ନିର୍ଦ୍ଦେଶ । ସେହିପରି ଅପର ଦିଗରେ ଯେଉଁଠାରେ ମନୁଷ୍ୟର ଜୀବନକୁ ଉନ୍ନତ, ସୁନ୍ଦର ଓ ସୁଖମୟ କରିବାଲାଗି ସଂଗ୍ରାମ ହେଉଛି, ସେଥିରେ ଭାଗ ନେବା ମଧ୍ୟ ସାହିତ୍ୟର ସୌନ୍ଦର୍ଯ୍ୟବୋଧର କର୍ତ୍ତବ୍ୟ ।

 

ସୌନ୍ଦର୍ଯ୍ୟ ଆପଣାର ସ୍ଥିତିସ୍ମୃଗତି ଓ ବିକାଶ ଲାଗି ଯେତେବେଳେ ଏକ ଦିଗରେ ପ୍ରତ୍ୟେକ ଜିନିଷର ଅନ୍ତର୍ନିହିତ ମର୍ମକୁ ଉଦ୍‌ଘାଟନ କରେ, ଅନ୍ୟ ଦିଗରେ ପ୍ରକୃତିର ମହାନ୍‌ ବିଚିତ୍ରତାକୁ ଆହରଣ କରେ ଓ ସମାଜର ବ୍ୟାପକ ଦୃଷ୍ଟି ସହିତ ଆପଣାକୁ ସାମିଲ କରେ ସେତେବେଳେ ତାହା ମିଥ୍ୟା, ପ୍ରବଞ୍ଚନା ଅନୈକ୍ୟ ଓ ସଂକୀର୍ଣ୍ଣତା ଆଦିକୁ ବର୍ଜ୍ଜନ କରି ସତ୍ୟ ଉପରେ ଆପଣାକୁ ପ୍ରତିଷ୍ଠିତ କରେ । ଯେତେବେଳେ ସୌନ୍ଦର୍ଯ୍ୟବୋଧ ମାନବର ଜୀବନ ଓ ସୃଷ୍ଟି ମଧ୍ୟରେ ଆପଣାକୁ ରୂପାୟିତ କରେ, ମନୁଷ୍ୟର ପ୍ରାଣକୁ ସୁନ୍ଦର ସୁମହତ, କମନୀୟ ଓ ଗରୀୟାନ କରି ଗଢ଼ିବା ମଧ୍ୟରେ ଆତ୍ମପ୍ରକାଶ କରେ, ସେତେବେଳେ ତାହା ସକଳ ଧ୍ୱଂସ, ନିର୍ଯ୍ୟାତନା, ଦୁଃଖ ଓ କୁତ୍ସିତତାକୁ ଅପସାରିତ କରି ଶିବର ଅନୁସରଣ କରେ । ଏହିଠାରେ ଘଟେ ସତ୍ୟ, ଶିବ ଓ ସୁନ୍ଦର ସମନ୍ୱୟ । ଏହି ସମନ୍ୱୟ ଘଟାଇବା ହେଲା ଭାରତୀୟ ଆଦର୍ଶ, ଐତିହ୍ୟ ଓ ପରଂପରା । ବର୍ତ୍ତମାନ ଅବସ୍ଥାରେ ତା’ର ସଚେତନ ପ୍ରୟୋଗ ଦ୍ୱାରା ହିଁ କେବଳ ସାହିତ୍ୟ ଆପଣାର ମହତ ଉଦ୍ଦେଶ୍ୟ ସାଧନ କରିପାରେ, ଆଉ ସାହିତ୍ୟିକ ଆପଣାର ଗୁରୁ ଗୌରବମୟ କର୍ତ୍ତବ୍ୟ ସଂପାଦନ କରିପାରେ ।

☆☆☆

 

ବୌଦ୍ଧିକ ସଂକଟ ଓ ଆତ୍ମ ଅନ୍ତରିତତା

 

ଏବେ ସମାଜବାଦର ଅଗ୍ରଗତି ଫଳରେ ଆସନ୍ନ ଧ୍ୱଂସର ସମ୍ମୁଖୀନ ପୁଞ୍ଜିପତି ଶ୍ରେଣୀ ଆତ୍ମରକ୍ଷା ଦିଗରେ ବହୁପ୍ରକାର କୌଶଳ ଓ ବ୍ୟବସ୍ଥା ଅବଲମ୍ୱନ କରୁଛି । ତାହା ସବୁ କେବଳ ଅପପ୍ରଚାର, ଦମନ, ଚକ୍ରାନ୍ତ ଯୁଦ୍ଧ ଓ ହତ୍ୟା ମଧ୍ୟରେ ସୀମାବଦ୍ଧ ରହି ନାହିଁ, ତାହା ମାର୍କସ୍‍ବାଦ ବିରୁଦ୍ଧରେ କମ୍ୟୁନିଜମ ବିରୁଦ୍ଧରେ ଦର୍ଶନ, ଅର୍ଥନୀତି, ସାମାଜିକ ବିଜ୍ଞାନ, ସାହିତ୍ୟ ଆଦି ମନୁଷ୍ୟ ଜୀବନର ବିଭିନ୍ନ ବୌଦ୍ଧିକ କ୍ଷେତ୍ରକୁ ମଧ୍ୟ ବ୍ୟାପିଛି । ପୁଞ୍ଜିବାଦ ଯେଉଁଠି ଯେତିକି ଉନ୍ନତ ଓ ବଳିଷ୍ଠ, ଏହି କୌଶଳ ଅବଲମ୍ୱନ ସେଠାରେ ସେତିକି ସୂକ୍ଷ୍ମ ଓ ବହୁମୁଖୀ ହୋଇଛି, ତେଣୁ ଏ ଦିଗରେ ନେତା ପୁଞ୍ଜର ସମ୍ରାଟ ଆମେରିକା, ସେହି ଅବଲମ୍ୱନ ବା ଆକ୍ରମଣକୁ ପୃଥିବୀ ବ୍ୟାପୀ କରିବାର ଅନବରତ ଉଦ୍ୟମ କରୁଛି ।

 

ଦୈନ୍ୟ, କ୍ଳେଶ ଓ ଯନ୍ତ୍ରଣାଯୁକ୍ତ ପୁଞ୍ଜିବାଦୀ ସାମାଜିକ ବ୍ୟବସ୍ଥାକୁ ଅନୁଭବ କରି, କ୍ରମ ବର୍ଦ୍ଧିଷ୍ଣୁ ସୁଖକର ଉନ୍ନତଶୀଳ ସମାଜବାଦୀ ସାମାଜିକ ବ୍ୟବସ୍ଥା ପ୍ରତି ଆକୃଷ୍ଟ ହୋଇ ପଡ଼ୁଥିବା ସାଧାରଣ ଲୋକ ଓ ବିଶେଷ କରି ବୁଦ୍ଧି ଜୀବୀମାନଙ୍କରେ ଚିନ୍ତା ରାଜ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ଏବଂ ସେମାନଙ୍କ ଜରିଆରେ ମାର୍କସ୍‍ବାଦ ଓ କମ୍ୟୁନିଜମ୍‌ ବିରୁଦ୍ଧରେ । ବିଭ୍ରାନ୍ତି ଓ ବିରୋଧିତାର ଭାବ ପ୍ରସାର କରିବା ହେଲା ତାର ଉଦ୍ଦେଶ୍ୟ । ଆମର କେତେକ ବୁଦ୍ଧିଜୀବୀ ପୁଞ୍ଜିର ପ୍ରଲୋଭନରେ ସେ ପ୍ରଚାରର ଶୀକାର ହେଉଛନ୍ତି, ଆଉ ବା କିଏ ନିଜର ବୌଦ୍ଧିକ ଅସାଧୁତା ବା ‘‘ପରାକାଷ୍ଠା’’ ଅଥବା ସାରଲ୍ୟ ଯୋଗୁଁ ସେପରି ପ୍ରଚାର ପାଖେ ଆତ୍ମ-ସମର୍ପଣ କରୁଛନ୍ତି । ଏବେ ସେହିପରି ପ୍ରଚାରର ପ୍ରତିଫଳନ ଘଟିଛି ପ୍ରକାଶିତ ଏକ ଲେଖାରେ (୧ମ ବର୍ଷ ନବମ ଓ ଦଶମ ସଂଖ୍ୟା ‘ସମ୍ମୁଖ୍ୟରେ)’ ‘‘ଯାନ୍ତ୍ରିକ ସମାଜ ଓ ଆତ୍ମ-ଅନ୍ତରିତତା’’ ଶିରୋନାମାରେ ଲିଖିତ ଶ୍ରୀମାନ ସୀତାକାନ୍ତ ମହାପାତ୍ରଙ୍କର ।

 

ଲେଖକ ଯନ୍ତ୍ରସମାଜ ଓ ସଭ୍ୟତାର ନାନାପ୍ରକାର ବୌଦ୍ଧିକ ଆଇଡିଆ ଓ ଶବ୍ଦ ଆଡମ୍ୱରର ଘଟାଟୋପ ମଧ୍ୟରେ ଗୋଟିଏ କଥା ଉପସ୍ଥାପିତ କରିଛନ୍ତି,—‘‘ମାର୍କସଙ୍କ ଊନବିଂଶ ଶତାବ୍‍ଦୀର ଯନ୍ତ୍ର ସଭ୍ୟତା ଓ ସମାଜର ବିଶ୍ଳେଷଣ ସମ୍ପୂର୍ଣ୍ଣରୂପେ ଅକାମୀ ।’’ ଏହା କହିଛନ୍ତି ଯେତେବେଳେ କି ମାର୍କସ୍‍ବାଦ ଦ୍ୱାରା ଅନୁପ୍ରାଣିତ ଓ ପରିଚାଳିତ ପୃଥିବୀର ଏକ ବିରାଟ ଭୂଖଣ୍ଡର ୧୦୦ କୋଟିରୁ ଊର୍ଦ୍ଧ୍ୱଲୋକ ପୁଞ୍ଜିବାଦର ସମସ୍ତ ପ୍ରଚାର ଓ ପ୍ରତିରୋଧକୁ ଧ୍ୱଂସ କରି ସମାଜବାଦୀ ସମାଜ ଗଢ଼ିଲେଣି ଏପର୍ଯ୍ୟନ୍ତ ତାହା ଗଢ଼ିବାକୁ ସମର୍ଥ ହୋଇ ନଥିବା ଦେଶ ଓ ଲୋକେ ସେ ଦିଗକୁ ପୁଣି ଅଧିକ ଆକୃଷ୍ଟ ହେଉଛନ୍ତି, ଜନସାଧାରଣ ପୁଞ୍ଜିବାଦ ଓ ସମାଜବାଦ ଏ ଦୁଇ ବ୍ୟବସ୍ଥାର ସ୍ୱରୂପ ଓ ଫଳାଫଳ ସ୍ୱଚକ୍ଷୁରେ ଦେଖୁଛନ୍ତି; ଆଉ ଯେତେବେଳେ ମାର୍କସ୍‍ବାଦ ଆଦର୍ଶରେ ପରିଚାଳିତ ରୂଷ, ପୁଞ୍ଜିବାଦୀ ନୀତିରେ ନିୟନ୍ତ୍ରିତ ଆମେରିକାକୁ ପ୍ରକାଶ୍ୟ ଆହ୍ୱାନ ଦେଇ କହୁଛି–‘ଆସ, ଯୁଦ୍ଧ ଆୟୋଜନ ବନ୍ଦ କର ପୂର୍ଣ୍ଣ ନିରସ୍ତ୍ରୀ-କରଣ କର, ଶାନ୍ତିପୂର୍ଣ୍ଣ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୁଅ, ଲୋକଙ୍କର ଆଗରେ ପ୍ରମାଣ କର, ପୁଞ୍ଜିବାଦ ନା ସମାଜବାଦ କେଉଁ ସାମାଜିକ ବ୍ୟବସ୍ଥା ଲୋକଙ୍କୁ ସବୁଠାରୁ ଅଧିକ ସୁଖ ସୁବିଧା ଯୋଗାଇବାକୁ ସମର୍ଥ; କେଉଁ ସାମାଜିକ ଜୀବନ ମୁକ୍ତ, ସ୍ୱାଧୀନ, ଦୁଃଖଦୈନ୍ୟହୀନ, ଆନନ୍ଦମୟ କିଏ ମନୁଷ୍ୟର ସମସ୍ତ ଆଶାଆଙ୍‌କ୍ଷାକୁ ରୂପାୟିତ କରିପାରେ... ।’ ତେଣୁ ଏହି ବାସ୍ତବ ଅବସ୍ଥା ସର୍ବପ୍ରଥମେ ଲେଖକଙ୍କର ମତକୁ ମନୁଷ୍ୟ ଜୀବନର ସଦ୍ୟ ଅଭିଜ୍ଞତା ଦ୍ୱାରା ହିଁ ଖଣ୍ଡନ କରୁଛି ।

 

ସମାଜବାଦର ଏହି ବିରାଟ ଆହ୍ୱାନ ଓ ଦୃଢ଼ ଆତ୍ମବିଶ୍ୱାସ ପଛରେ ରହିଛି ମାର୍କସ୍‍ବାଦ । ମାର୍କସବାଦୀ, ଦର୍ଶନ, ଅର୍ଥନୀତି ଓ ସମାଜ ବିଜ୍ଞାନର ଏକ ଯୁଗାନ୍ତକାରୀ ଆବିଷ୍କାର ହେଲା ଉଦ୍‍ବୃତ୍ତ ମୂଲ୍ୟ ବା Surplus Value । ଏହା ଦ୍ୱାରା ମାର୍କସ କେବଳ ଶୋଷଣ ବିଶେଷ କରି ପୁଞ୍ଜିବାଦୀ ଶୋଷଣ ରୂପକୁ ଉଲଗ୍ନ କରି ଥୋଇଦେଇ ନାହାନ୍ତି, ସେହି ଶୋଷଣ ଉପରେ ପ୍ରତିଷ୍ଠିତ ଅର୍ଥନୈତିକ, ରାଜନୈତିକ, ସାମାଜିକ ନୀତି ଆଦର୍ଶ ଓ ଦର୍ଶନର ମୁଖା ମଧ୍ୟ ଖୋଲି ଦେଇଛନ୍ତି । ବର୍ତ୍ତମାନ ସମାଜରେ ପୁଞ୍ଜିବାଦୀ ବିରୋଧିତା, ତାର ଅର୍ନ୍ତବିରୋଧିତା ଯୋଗୁଁ ଅନିବାର୍ଯ୍ୟ ପତନ ଆଉ ସେ ପତନ ଘଟାଇବାର ‘କବର-ଖୋଳାଳୀ’ ମାନଙ୍କର ଜନ୍ମ, ବୁଦ୍ଧି, ବିକାଶ ଓ ବିଜୟକୁ-ସର୍ବହରାର ବିଜୟକୁ-ସାବ୍ୟସ୍ତ କରିଛନ୍ତି । ଏ ସବୁ ଆଜି ଇତିହାସର ଗତି ଦ୍ୱାରା ପ୍ରତିପାଦିତ । ଏହାକୁ ଅକାମୀ ବୋଲି ଉଡ଼ାଇଦେବାକୁ ଯିବା କେବଳ ଅନ୍ଧପଣ ନୁହେଁ ଚରମ ଅଜ୍ଞତା ଏବଂ ସେହି ଅଜ୍ଞତାବଶତଃ ପୁଞ୍ଜିବାଦୀ ଚିନ୍ତାଧାରାର ସହଜ ଶୀକାର ହେବାର ମଧ୍ୟ ସୂତନା ।

 

ମାର୍କସ୍‍ବାଦକୁ ଖଣ୍ଡନ କରିବାକୁ ଯାଇ ଲେଖକ କହିଛନ୍ତି—ଉଦ୍‌ବୃତ୍ତ ମୂଲ୍ୟ ଓ ଶ୍ରମର ଅନ୍ତରିତତା (alienation) ଆତ୍ମନିର୍ବାସନ (estrangement) ମାର୍କସବାସୀ ଦର୍ଶନ ସାମାଜିକ ଓ ଶିଳ୍ପ ପରିସ୍ଥିତିରେ ପରିବର୍ତ୍ତନ ସହିତ ତାର ମୂଲ୍ୟ ଓ ସତ୍ୟତା ହରାଇ ବସିଲା ।’’

 

ବର୍ତ୍ତମାନ ପାଇଁ ଶ୍ରମର ‘ଅନ୍ତରିତତା’ ଓ ‘ଆତ୍ମ-ନିର୍ବାସନ ତତ୍ତ୍ୱର ଦାର୍ଶନିକ ବିଚାରକୁ ପଛକୁ ରଖାଯାଉ, ତାର ବ୍ୟାବହାରିକ ଦିଗ ଉଦ୍‌ବୃତ୍ତ ମୂଲ୍ୟର ଆଲୋଚନା ହେଉ । ଲେଖକ କହନ୍ତି, ପରିସ୍ଥିତିର ପରିବର୍ତ୍ତନ ହେତୁ ଉଦ୍‌ବୃତ୍ତ ମୂଲ୍ୟ ସତ୍ୟତା ହରାଇଲା, ଅର୍ଥାତ୍‌ ମିଥ୍ୟା ହୋଇ ଉଠିଲା ବା ଅଚଳ ଅକାମୀ ହୋଇପଡ଼ିଲା । ଏଠାରେ ପ୍ରଶ୍ନ ଉଠିବ ଉଦ୍‌ବୃତ୍ତ ମୂଲ୍ୟ କ’ଣ ? ପରିସ୍ଥିତିର କି ପ୍ରକାର ପରିବର୍ତ୍ତନ ଘଟୁଛି ।

 

ସିଧାସଳଖ କଥାରେ କହିଲେ ଉଦ୍‌ବୃତ୍ତ ମୂଲ୍ୟ ବୋଇଲେ ଶୋଷଣ । ପୁଂଜିପତି ଶ୍ରମିକଙ୍କୁ ଯେଉଁ ମୂଲ୍ୟ ଦେଇ ଯେତେ ଘଣ୍ଟା ଲାଗି କିଣେ ବା କାମକରାଏ, ଶ୍ରମିକର ଶ୍ରମଶକ୍ତି ସେଇ ସମୟ ଭିତରେ ତାର କିଣା ମୂଲ୍ୟ ତୁଳନାରେ ଅଧିକ ମୂଲ୍ୟ ସୃଷ୍ଟି କରେ । ଏହା ହେଲା ଉଦ୍‌ବୃତ୍ତ ମୂଲ୍ୟ । ଏ ଉଦ୍‌ବୃତ୍ତ ମୂଲ୍ୟର ଦାମ ଶ୍ରମିକ ପାଏ ନାହିଁ । ଏହା ପାଉଥିଲେ ପୁଂଜିପତିର ଲାଭ ରହନ୍ତା ନାହିଁ । ଏହାକୁ ପୁଂଜିପତି ବିନା ପଇସାରେ ନିଏ ବା ଅପହରଣ କରେ ଶୋଷଣ କରେ । ଏହି ଉଦ୍‌ବୃତ୍ତ ମୂଲ୍ୟର ଉତ୍ପାଦନ ହେଲା, ପୁଂଜିବାଦୀ ଉତ୍ପାଦନ ପ୍ରଣାଳୀର ପ୍ରଧାନ ଓ ପରମ ନିୟମ । ମାର୍କସଙ୍କ ଭାଷାରେ, ‘‘Production of surplus value is absolute law of this mode of prouduction (Capital), ତେଣୁ ଉଦ୍‌ବୃତ୍ତ ମୂଲ୍ୟ ସତ୍ୟତା ହରାଇବା ଦ୍ୱାରା, ପୁଞ୍ଜିବାଦୀ ଉତ୍ପାଦନ ପ୍ରଣାଳୀର ପରମ ନିୟମ ମଧ୍ୟ ଲୋପ ପାଇଛି ପୁଞ୍ଜିବାଦୀ ଉତ୍ପାଦନ ପ୍ରଣାଳୀ ଆଉ ଶୋଷଣର ପ୍ରଣାଳୀ ହୋଇ ରହି ନାହିଁ । ପୁଞ୍ଜିବାଦୀ ଆଉ ପୁଞ୍ଜିବାଦୀ ନ ହୋଇ ପଥ ଉନ୍ମୁକ୍ତ କରି ହୋଇଛି ଶୋଷଣହୀନ ସମାଜ । ଅତଏବ ଶୋଷଣ ବିରୁଦ୍ଧରରେ ଲଢ଼ିବା ବା ତାକୁ ଲୋପ କରିବାର ପ୍ରଶ୍ନ ଆଉ ଏ ସମାଜରେ ଉଠୁନାହିଁ । ତେଣୁ ‘ଶୋଷଣହୀନ’ ପୁଞ୍ଜିବାଦୀକୁ ଗ୍ରହଣ କରିବାକୁ ହେବ, ଏ ହେଲା ଲେଖକଙ୍କ ମତର ବ୍ୟବହାରିକ ପରିଣତି । ଏହାର ଉତ୍ତର ନିଷ୍ପ୍ରୟେ ଜନା ଯଦି ଏ ବିଷୟରେ କାହାରି ସନ୍ଦେହ ଥାଏ, ଏହା ବୁଝିବାକୁ ସେ ଅସମର୍ଥ ହୁଏ ତେବେ ସେ ଏ ବିଷୟରେ ପୁଞ୍ଜିପତିର କାରଖାନାରେ ଶ୍ରମ ବିକୁଥିବା ଯେ କୌଣସି ଶ୍ରମିକକୁ ପ୍ରଶ୍ନ କରିପାରେ କିମ୍ୱା ସେଠାରେ ନିଜର ଶ୍ରମବିକ୍ରୟ କରି ଦେଖିପାରେ ସେ ଉଦ୍‌ବୃତ୍ତ ମୂଲ୍ୟ ସୃଷ୍ଟିକରି ଶୋଷିତ ହେଉଛି କି ନାହିଁ । କାରଣ କର୍ମ ହିଁ ସର୍ବଶ୍ରେଷ୍ଠ ଉପଲବ୍‌ଧି-

 

ପରିସ୍ଥିତିର ପରିବର୍ତ୍ତନ ଦର୍ଶାଇ ଲେଖକ ଯୁକ୍ତି ବାଢ଼ିଛନ୍ତି, ‘‘କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ପାଦରେ ଓ ବିଶେଷ କରି ବିଂଶ ଶତବ୍ଦୀରେ କଳକାରଖାନାମାନଙ୍କ ସଂଗଠନ ଓ ଶ୍ରମ ପରିସ୍ଥିତିର ଅଦ୍ଭୁତ ପୂର୍ବ ଉନ୍ନତି, ଶ୍ରମିକର ବେତନହାର ଓ ମଜୁରୀ, ପେନସନ, ଛୁଟି, ଦୈନନ୍ଦିନ ଶ୍ରମ ସମୟର ନିୟନ୍ତ୍ରଣ, ବିଭିନ୍ନ ଶ୍ରମ ଆଇନର (ଦେଶୀୟ ତଥା ଆନ୍ତର୍ଜାତିକ ଶ୍ରମିକ ସଂଘ ତରଫରୁ) ପ୍ରଚଳନ, ଅଧିକ ବୋନସ, ପିଲାମାନଙ୍କର ଶିଳ୍ପ ଶିକ୍ଷାର ସୁବ୍ୟବସ୍ଥା ଏବଂ ସର୍ବୋପରି ଡିରେକ୍‌ଟର ମାନେଜିଂବୋର୍ଡ ଇତ୍ୟାଦିରେ ଶ୍ରମିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ ଓ ପରିଚାଳକ ଶ୍ରେଣୀର ସୃଷ୍ଟି, ମାର୍କସଙ୍କ ଶତାବ୍‌ଦୀର ଯନ୍ତ୍ର-ସଭ୍ୟତା ଓ ସମାଜ ବିଶ୍ଳେଷଣକୁ ସମ୍ପୂର୍ଣ୍ଣ ଅକାମୀ କରିଦେଲା...ଏବଂ ପୁଞ୍ଜିବାଦୀ ଯେ ନିଜକୁ ଏପରି ଭାବରେ ସୁଧାରି ନେଇ ବଦଳାଇ ଦେଇ ପାରିବ ତାହା କଳ୍ପନାରେ ନଥିଲା ।’’

 

ଲେଖକଙ୍କର ବକ୍ତବ୍ୟ ହେଲା, ଏହି ଯେଉଁ ଉପରୋକ୍ତ ସୁଖ ସୁବିଧା ପୁଞ୍ଜିବାଦ ଶ୍ରମିକକୁ ପ୍ରଦାନ କଲା ଏହା ହେଲା ପୁଞ୍ଜିବାଦର ନିଜକୁ ସୁଧୁରେଇବାର, ବଦଳାଇବାର ଲକ୍ଷଣ, ତାର ହୃଦୟ ପରିବର୍ତ୍ତନ । ଏହି ହେଲା ପରିବର୍ତ୍ତିତ ପରିସ୍ଥିତି । ଏ ଅବସ୍ଥାରେ ମାର୍କସଙ୍କ ସାମାଜିକ ବିଶ୍ଳେଷର ସମ୍ପର୍ଣ୍ଣ ଅକାମୀ, ନିପଟ ଅଚଳନ୍ତି ।

 

ମାତ୍ର ପ୍ରଥମରେ ଠିକ୍‌ ଏହି ଅବସ୍ଥାରେ, ଅର୍ଥାତ୍‌ ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ମାର୍କସଙ୍କ ସାମାଜିକ ବିଶ୍ଳେଷଣର ଭିତ୍ତି ଉପରେ ଲେନିନ ପୁଞ୍ଜିବାଦ କିପରି ସାମ୍ରାଜ୍ୟବାଦୀ ସ୍ତରରେ ପ୍ରବେଶ କରି ଅଧିକ ଅର୍ଥ-ପିପାସୁ ଉତ୍‌କଟ ଶୋଷଣକାରୀ ହୋଇ ପଡ଼ିଛି ଏବଂ କେବଳ ନିଜ ଭିତରେ ଆବଦ୍ଧ ନରହି ସମଗ୍ର ପୃଥିବୀକୁ ଲୁଣ୍ଠନ କରି କିପରି ବୀଭତ୍ସ ଦମନ, ହତ୍ୟା ଓ ବିଶ୍ୱଗ୍ରାସୀ ଯୁଦ୍ଧର ତାଣ୍ଡବ ଲୀଳା ଚଳାଇଛି ତାହା ଦର୍ଶାଇଛନ୍ତି ଆଉ ରୁଷରେ ସର୍ବହରାର ବିଜୟ ଆଣି ଓ ପୁଞ୍ଜିବାଦର ଧ୍ୱଂସକୁ ସଂଗଠିତ କରି ସେହି ବିଶ୍ଳେଷଣର ସତ୍ୟତା ପ୍ରତିପାଦିତ କରିଛନ୍ତି । ଏ ଇତିହାସକୁ କେଉଁ ଅନ୍ଧ ବା ଅସ୍ୱୀକାର କରିପାରେ ? ଏହି ହେଲା ଊନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀରେ ପୁଞ୍ଜିବାଦର ଇତିହାସ ! ଲେଖକଙ୍କର ମତ ବା ବାସ୍ତବ ଘଟଣା କେଉଁଟା ଠିକ, ତାହା ପାଠକମାନଙ୍କର ବିଚାର୍ଯ୍ୟ ।

 

ଦ୍ୱିତୀୟରେ ଶ୍ରମିକକୁ ପୁଞ୍ଜିପତି ସମସ୍ତ ସୁବିଧା, ସ୍ୱର୍ଗସୁଖ ପ୍ରଦାନ କରିଛି ବୋଲି ଧରି ନେଲେ ସୁଦ୍ଧା ପ୍ରଶ୍ନ ହେଉଛି, ପୂର୍ବ ପରି ଏବେ ଶ୍ରମିକ ତାର ଶ୍ରମଶକ୍ତି ପୁଞ୍ଜିପତି ପାଖରେ ବିକ୍ରୟ କରୁଛି କି ନାହିଁ ? ସେ ଯେଉଁ ସମସ୍ତ ମୂଲ୍ୟ ସୃଷ୍ଟି କରୁଛି ଅର୍ଥାତ୍‌ ତାର ସୃଷ୍ଟି ସମ୍ପଦର ସେ ଏବେ ମଧ୍ୟ ମାଲିକ କି ? ଉତ୍‌ପାଦନର ଉପକରଣରୁ, କଳକାରଖାନା ଆଦିରୁ ପୂର୍ବପରି ସେ ବଞ୍ଚିତ ହୋଇ ରହିଛି କି ନା ତା ଉପରେ ଆପଣାର ମାଲିକାନା କାଏମ କରି ପାରିଛି ? ଶ୍ରମିକର ଉତ୍ପନ୍ନିରୁ ଲାଭତକ ଯାଏ କାହା ପାଖକୁ ? ସମାଜରୁ ଅର୍ଥନୈତିକ ବୈଷମ୍ୟ ଲୋପ ପାଇଛି କି ? ଆଜି ଏ ଧନସମ୍ପଦ କାହା ପାଖରେ ଠୁଳ ? ଏସବୁ ପ୍ରଶ୍ନର ରୋକଠୋକ ଉତ୍ତର ଲେଖକଙ୍କ ମତର ଅସାରତାକୁ ପ୍ରମାଣ କରେ ।

 

ତୃତୀୟରେ; ପୁଞ୍ଜିବାଦର ଆପଣାକୁ ସୁଧାରି ବଦଳାଇବାର ବା ହୃଦୟ ପରବର୍ତ୍ତନର ପ୍ରଶ୍ନ । ଏହା ଉଠାଇବା ଅର୍ଥ, କେବଳ ଇତିହାସକୁ ନୁହେଁ, ଲୋକଙ୍କୁ ବେକୁବ ଭାବି ତାଙ୍କ ଦୈନନ୍ଦିନ ଅଭିଜ୍ଞତାକୁ, ଓଲଟାଇ ବାକୁ ଚେଷ୍ଟା କରିବା । ସମଗ୍ର ଇତିହାସରେ ଏପରି ଏକ ଦୃଷ୍ଟାନ୍ତ ଅଛି କି ଯେଉଁଠି ପୁଞ୍ଜିପତି ଶ୍ରେଣୀ ନିଜ ସ୍ୱାର୍ଥକୁ ବଳି ଦେଇ ଶ୍ରମିକକୁ ସୁବିଧା ସୁଯୋଗ ପ୍ରଦାନ କରିଛି ? ପ୍ରତ୍ୟେକଟି ସୁବିଧା ହାସଲ ଲାଗି ଶ୍ରମିକ ଶ୍ରେଣୀକୁ ଅଶେଷ ଯନ୍ତ୍ରଣା, ଅସୀମ ତ୍ୟାଗ ଓ କଠୋର ସଂଗ୍ରାମର ଭିତର ଦେଇ ଯିବାକୁ ପଡ଼ିଛି । ଏପରି କୌଣସି ଦେଶ ନାହିଁ ଯା ରାଜପଥ ଶ୍ରମିକର ରକ୍ତରେ ରଞ୍ଜିତ ହୋଇ ନାହିଁ ବା ହେଉନାହିଁ । ଶ୍ରମିକର ପ୍ରତ୍ୟେକଟି ସୁବିଧାଲାଭ ପଛରେ ରହିଛି ତାର ନିଜର ସଂଗ୍ରାମ, ସମାଜବାଦୀ ବ୍ୟବସ୍ଥାର ପ୍ରଭାବ ଓ ଚାପ, ପୁଂଜିର ହୃଦୟ-ପରିବର୍ତ୍ତନ ନୁହେଁ-। ଏହି ହୃଦୟ-ପରିବର୍ତ୍ତନ ତତ୍ତ୍ୱକୁ ନିର୍ଭୁଲ ବୋଲି ଧରିଲେ ବୁଝିବାକୁ ହେବ, ଆମର ଜାତୀୟ ସ୍ୱାଧୀନତା-ସଂଗ୍ରାମର ସମସ୍ତ ତ୍ୟାଗ ଓ ବଳିଦାନ ମୂଲ୍ୟହୀନ, ନିରର୍ଥକ । କାରଣ ବୁଝିବାକୁ ହେବ, ବ୍ରିଟିଶ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ହୃଦୟ ପରିବର୍ତ୍ତନ ହେତୁ ହିଁ ଆମେ ଆମର ସ୍ୱାଧୀନତା ଲାଭ କଲେ । ତେଣୁ ଏପରି ଉକ୍ତି କେବଳ ପୁଞ୍ଜିର ରକ୍ଷକ ଓ ଶ୍ରମିକ-ବିରୋଧୀ ନୁହେଁ, ଏହା ସତ୍ୟର ଅପଳାପ, ଇତହାସକୁ, ସମଗ୍ର, ଲୋକସାଧାରଣଙ୍କ ଅଭିଜ୍ଞତାକୁ ପୋଛି ଦେବାର ଚେଷ୍ଟା; ଆମର ଦେଶପ୍ରେମ ଓ ଜାତୀୟତାର ବିରୋଧ ମଧ୍ୟ ।

 

ଶେଷରେ, ଲେଖକଙ୍କ ବକ୍ତବ୍ୟର ବାସ୍ତବ ପରୀକ୍ଷା ଲାଗି ପୁଞ୍ଜିବାଦର ସର୍ବଶ୍ରେଷ୍ଠ ବିକାଶ-ସ୍ଥଳୀ ଆମେରିକାରେ ପ୍ରବେଶ କରାଯାଉ; ସେଠାରେ ଲାଭ, ମଜୁରୀ ଓ ଶ୍ରମିକର ଅବସ୍ଥା ତୁଳନା କରାଯାଉ !

 

ଲାଭ ଓ ମଜୁରୀ ବୃଦ୍ଧିର ମାତ୍ରା

 

 

୧୯୨୯ରୁ ୧୯୪୨

୧୯୪୩ରୁ ୫୬

କେତେ ଗୁଣରେ

 

୧୪ ବର୍ଷ,

୧୪ ବର୍ଷ,

ବୃଦ୍ଧି

କରପୋରେଟ ଲାଭ

୮୨୯

୪୫୧.୧

୫.୪

ମଜୁରୀ ଓ ଦରମା

୫୩୧.୬

୧୭୬୯.୫

୩.୩

 

(ହଜାରନିୟୁତ ଡଲାରରେ)

 

ଅର୍ଥାତ୍‌ ପ୍ରଥମ ୧୪ ବର୍ଷ ତୁଳନାରେ ଦ୍ୱିତୀୟ ୧୪ ବର୍ଷରେ ମଜୁରୀ ୩.୩ ଗୁଣ ବଢ଼ିଲାବେଳେ ଲାଭର ମାତ୍ରା ବଢ଼ିଛି ୫.୪ ଦେଢ଼ଗୁଣରୁ ଅଧିକ । ମନେ ରଖିବାକୁ ହେବ, ଏ ବୃଦ୍ଧି ପ୍ରକୃତ ମଜୁରୀ ବୃଦ୍ଧି ନୁହେଁ । ଏହି ସମୟରେ ଯୁଦ୍ଧ-ପୂର୍ବ ତୁଳନାରେ ଶ୍ରମିକ ସଂଖ୍ୟା ବଢ଼ି-ଯାଇଛି, ତେଣେ ଦରଦାମ ମଧ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ୧୯୩୯ର ମଜୂରୀ ତୁଳନାରେ ୧୯୫୭।୪୨ର ମଜୁରୀ ଊଣା, ୧୯୬୦ରେ ପ୍ରକୃତ ମଜୁରୀ ୧୯୩୯ ତୁଳନାରେ ଶତକଡ଼ା ୭ ଅଧିକ । ଅଥଚ ଏହି ସମୟରେ ଘଣ୍ଟାପ୍ରତି ଉତ୍ପାଦିକା ଶକ୍ତି ବୃଦ୍ଧି ପାଇଛି ଶତକରା ୭୭ ଭାଗ । ଏହିପରି ଫ୍ରାନସରେ ୧୯୫୪ ଯାଏ ମଜୁରୀର ସ୍ତର ଊଣା ଥିଲା ୧୯୩୮ ସ୍ତର ତୁଳନାରେ ବିଲାତରେ ମଜୁରୀର ସ୍ତର ୧୯୫୬ ପର୍ଯ୍ୟନ୍ତ ସମାନ ହୋଇନଥିଲା । ଯୁଦ୍ଧପୂର୍ବ ସ୍ତର ସହିତ ଆମେରିକାରେ ଶ୍ରମିକ ମାସକୁ ୨ ହଜାର ଡଲାର ବା ୧୦ ହଜାର ଟଙ୍କା ମଜୁରୀ ପାଏ । ଏହାଦ୍ୱାରା ତାର ଆବଶ୍ୟକ ମଧ୍ୟ ପୂରଣ ହୋଇପାରେ ନାହିଁ । ‘ପ୍ରଫେସର ହେଲର କମିଟି ଅନୁସାରେ’ ୧୯୪୪ରେ ୪ ଜଣ ଲୋକ ବିଶିଷ୍ଟ ପରିବାରର ଆୟ ସର୍ବନିମ୍ନ ଆବଶ୍ୟକତାଠାରୁ ଊଣା ଥିଲା ଶତକରା ୧୯ ଭାଗ । ୧୯୬୧କୁ ସେ ଊଣାର ମାତ୍ରା ବୃଦ୍ଧି ପାଇ ଶତକରା ପହଞ୍ଚିଥିଲା ୨୯ଭାଗ । ସେ ୧୯୫୫ରେ ପଶ୍ଚିମ ଜର୍ମାନୀରେ ୪ ଜଣ ବିଶିଷ୍ଟ ପରିବାର ମାସିକ ସର୍ବନିମ୍ନ ଆବଶ୍ୟକତା ଥିଲା ୪୪୫ମାର୍କ । ତେବେ ବି ଶତକରା ୭୦ ଭାଗ ଶ୍ରମିକ ଏହାଠାରୁ କମ ମଜୁରି ପାଉଥିଲେ । ଏହା ଛଡ଼ା ପୁଞ୍ଜିବାଦୀର ଆଉ ଏକ ବୀଭତ୍ସ ଅଙ୍ଗ ହେଲା ବେକାର ସମସ୍ୟା । ଭଲ ବ୍ୟବସାୟ ଚାଲିଥିଲାବେଳେ ମଧ୍ୟ ଆମେରିକାରେ ବେକାର ସଂଖ୍ୟା ହୁଏ ପ୍ରାୟ ୩୦ ଲକ୍ଷ, ଅଧା-ବେକାରଙ୍କ ସଂଖ୍ୟା ହୁଏ ଆହୁରି ଅଧିକ ।

 

ପୁଣି ଏଥି ସଂଗକୁ ଯଦି ୧୯୬୦ରେ ଆମେରିକା ପୁଞ୍ଜିପତିଙ୍କର ବୈଦେଶିକ ଶୋଷଣର ପରିମାଣକୁ ଦେଖାଯାଏ ସେମାନେ ଲାଭ, ସୁଧ ଇତ୍ୟାଦି ଆକାରରେ ଯାହା ପାଆନ୍ତି ତାହା ଆମ ଭାରତର ୪୫ କୋଟି ଲୋକଙ୍କର ଜାତୀୟ ଆୟ ସହିତ ସମାନ । ଏହା ସବୁ ହେଲା ଶ୍ରମିକଙ୍କୁ ପୁଞ୍ଜିବାଦର ଅବଦାନ ! ପୁଞ୍ଜିବାଦର ଆପଣାକୁ ସୁଧାରିବାର, ପରିବର୍ତ୍ତନ କରିବାର ନମୁନା ! ଉଦବୃତ୍ତ ମୂଲ୍ୟ ଶୋଷଣର ଅବସାନ ! ଆଉ ମାର୍କସ୍‍ବାଦ ଅକାମି ହେବାର ଦୃଷ୍ଟାନ୍ତ !

 

ଏବେ ଶ୍ରମର ଅନ୍ତରିତତା ନିର୍ବାସନ ତତ୍ତ୍ୱର ଆଲୋଚନା କରାଯାଉ । ଅନ୍ତରିତତା, ତତ୍ତ୍ୱ କେବଳ ଉଦବୃତ୍ତ ମୂଲ୍ୟ ପ୍ରଶ୍ନରେ ସୀମାବଦ୍ଧ ନୁହେଁ । ଏହା ଏକ ଦାର୍ଶନିକ ଓ ବୈଜ୍ଞାନିକ ସମସ୍ୟା । ଏହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ । ଏହା ଦ୍ୱାରା ମାର୍କସ ମଣିଷ ସହିତ ପ୍ରକୃତିର ମଣିଷ ସହିତ ମଣିଷର ବା ସମାଜର, ମୁନଷ୍ୟ ସହିତ ତାର ନିଜର ସତ୍ତାର ବିରୋଧିତା ବିଷୟ ପ୍ରକାଶ କରିଛନ୍ତି । ଏହି ସମସ୍ୟାର ଅବସାନ ଦ୍ୱାରା କିପରି ଉପରୋକ୍ତ ବିରୋଧିତାର ଅବସାନ ଘଟିବ, ମନୁଷ୍ୟ ତାର ଅପହୃତ ଆତ୍ମ-ସତ୍ତା ଫେରି ପାଇବ ଓ ପ୍ରକୃତରେ ମୁକ୍ତ ଓ ସ୍ୱାଧୀନ ହେବ, ତାହା ଦର୍ଶାଇଛନ୍ତି । ଲେଖକ ଯେପରି ଏହି ସମସ୍ୟାକୁ ଏକା ଗାରକେ ଉଡ଼ାଇ ଦେବାକୁ ଉଦ୍ୟମ କରିଛନ୍ତି-! ଏହା ହିମାଳୟକୁ ଟେକା ଫିଙ୍ଗିବା ନୁହେଁତ ।

 

ମାର୍କସ କହିଛନ୍ତି ‘‘An Immediate consequence of the fact that man is estranged from the product of his labour, from his life activity, from his species being in the estran gement of man from man.’’

 

ମନୁଷ୍ୟ ଯେ ତାର ଶ୍ରମର ଉତପନ୍ନ ଫଳରୁ ତାର ଜୀବନର କର୍ମରୁ, ତାର ଜୀବ-ସତ୍ତାରୁ ନିର୍ବାସିତ ଏ ଘଟଣାର ସଦ୍ୟ ପରିଣାମ ହେଉଛି ମନୁଷ୍ୟଠାରୁ ମନୁଷ୍ୟର ବିଚ୍ଛେଦ ବା ନିର୍ବାସନ ।

 

ଏହାର ଆଲୋଚନା ଏହି କ୍ଷୁଦ୍ର ଲେଖାର ପରସର ମଧ୍ୟରେ କଷ୍ଟସାଧ୍ୟ ହେଲେ ମଧ୍ୟ ମୋଟାମୋଟି କୁହାଯାଇ ପାରେ, ଶ୍ରମିକ ପ୍ରକୃତି ବିନା କିଛି ସୃଷ୍ଟି କରି ପାରେ ନାହିଁ । ପ୍ରକୃତି ଉପରେହିଁ ତାର ଶ୍ରମ ପ୍ରତିଫଳିତ । ତାରି ଭିତରେହିଁ ତାର ଶ୍ରମ କ୍ରିୟାଶୀଳ, ସେହି ପ୍ରକୃତି ଦେହରୁ ଓ ତାହାରି ଦ୍ୱାରା ଶ୍ରମିକ ଉତ୍‌ପାଦନ କରେ । ଏହାହିଁ ମୌଳିକ କଥା ।

 

ଏହାର ଅର୍ଥ ଶ୍ରମ ଯେଉଁ ବସ୍ତୁ ଉପରେ କାର୍ଯ୍ୟକରେ ତାହା ବିନା ତିଷ୍ଠି ପାରେ ନାହିଁ । ସେହି ବସ୍ତୁ ହେଲା ଶ୍ରମର ତିଷ୍ଠିବାର ଉପାୟ । ତାକୁ ପ୍ରକୃତି ଯୋଗାଏ । ସେହିପରି ଅନ୍ୟ ଦିଗରେ ସଂକୀର୍ଣ୍ଣ ଅର୍ଥରେ ପ୍ରକୃତି ଶ୍ରମିକକୁ ଦୈହିକ ଭାବେ ବଞ୍ଚିବାର ଉପାୟ (ଦ୍ରବ୍ୟ) ମଧ୍ୟ ଯୋଗାଇ ଥାଏ-

 

କିନ୍ତୁ ଶ୍ରମିକ ତାର ଶ୍ରମ ଦ୍ୱାରା ପ୍ରକୃତି ବା ବହିର୍ଜଗତରୁ ଯେତେ ଯେତେ ଆହରଣ କରେ ସେଥିରୁ ସେତେ ସେ ନିଜକୁ ଜୀବନର ଉପାୟରୁ ଦୁଇଟି ଦିଗରୁ ବଞ୍ଚିତ କରେ । ଅର୍ଥାତ୍‌ ବହିର୍ଜଗତ ସେତେ ତାର ଶ୍ରମର ଅଧିକୃତ ବସ୍ତୁ ହୋଇ ରହେ ନାହିଁ, ଶ୍ରମ-ତିଷ୍ଠିବାର ଉପାୟ ହୋଇ ରହେ ନାହିଁ-ସଦ୍ୟ ଅର୍ଥରେ ଶ୍ରମିକ ଲାଗି ଦୈହିକ ଅସ୍ତିତ୍ୱ ରକ୍ଷାର ଉପାୟ ହୋଇ ମଧ୍ୟ ରହେ ନାହିଁ-। ଦୁଇଟି ଦିଗରୁ ସେ ହୁଏ ବସ୍ତୁର ଦାସ ପ୍ରଥମରେ ସେ ଶ୍ରମର ବସ୍ତୁ ପାଇବା ଭିତର ଦେଇ ପାଏ କାମ, ଦ୍ୱିତୀୟରେ କାମର ଭିତର ଦେଇ ଉପାୟ ପାଏ ଜୀବନ ଧାରଣ ବା ଦୈହିକ ଅସ୍ତିତ୍ୱ ରକ୍ଷାର ତ ଦ୍ୱାରା ସେ ପ୍ରଥମେ ନିଜକୁ ‘ଶ୍ରମିକ’ ଭାବେ ଦ୍ୱିତୀୟରେ ଦେହଧାରୀ ପୁରୁଷ ଭାବେ ରକ୍ଷାକରେ-। ଦାସତ୍ୱର ଶେଷକଥା ହେଉଛି ଯେ ସେ କେବଳ ଶ୍ରମିକ ଭାବେ, ନିଜକୁ ଏକ ଶରୀରୀ ପୁରୁଷ ଭାବେ ରକ୍ଷା କରିପାରେ । କେବଳ ଶାରୀରୀକ ପୁରୁଷ ଭାବେ ସେ ହେଉଛି ଶ୍ରମିକ । ସେ ମୁକ୍ତ ମନୁଷ୍ୟ ନୁହେଁ, ଅନ୍ୟର ଦାସ ତାର ମନୁଷ୍ୟ ସତ୍ତାର ନିର୍ବାସନା ଘଟି ବସ୍ତୁ ମଧ୍ୟରେ ।

 

ଏ ନିର୍ବାସନ, ଅର୍ଥନୀତିରେ କିପରି ପ୍ରକାଶ ପାଇଛି ତାର ଦୃଷ୍ଟାନ୍ତ ମାର୍କସ ଦେଇଛନ୍ତି—ଶ୍ରମିକ ଯେତେ ଅଧିକ ମୂଲ୍ୟ ସୃଷ୍ଟି କରେ ସେ ସେତେ ମୂଲ୍ୟହୀନ ହୁଏ, ତାର କର୍ମ ଯେତେ ବଳିଷ୍ଠ ଓ ବିଶାଳ ହୁଏ ସେ ସେତେ ଅସମର୍ଥ ଓ ଶକ୍ତିହୀନ ହୁଏ । ପୁଞ୍ଜିବାଦୀ ଅର୍ଥନୀତି ଶ୍ରମିକ ଓ ଉତ୍‌ପାଦନ ମଧ୍ୟରେ ଏହି ପ୍ରତ୍ୟକ୍ଷ ସଂପର୍କକୁ ବିଚାର ନ କରିବା ଦ୍ୱାରା ଶ୍ରମର ପ୍ରକୃତି ମଧ୍ୟରେ ନିର୍ବାସନର ଅନ୍ତର୍ନିହିତତାକୁ ଘୋଡ଼ାଇ ରଖେ ଶ୍ରମିକ ଓ ତାର ଉତ୍‌ପାଦନ ମଧ୍ୟରେ ସଂପର୍କ ହେଉଛି-ଶ୍ରମିକ ବିରାଟ ପ୍ରାସାଦ ତିଆରି କରେ, ନିଜେ ରହେ କୁଡ଼ିଆରେ; ସମସ୍ତ ଧନ ସଂପଦ ସୃଷ୍ଟି କରେ, ନିଜେ ସଢ଼େ ଚରମ ଦାରିଦ୍ର୍ୟରେ, ବିରାଟ ମେସିନ ତିଆରି କରେ, ସେ ନିଜେ ହୁଏ ବେକାର । ଶ୍ରମ ସହିତ ତାର ଉତ୍ପନ୍ନିର ଏବଂ ଶ୍ରମିକ ସହିତ ତାର ଉତ୍‌ପାଦନର ଏହି ହେଲା ସଂପର୍କ, ଏହା ହେଲା ନିର୍ବାସନର ଗୋଟିଏ ଦିଗ ।

 

ଏ ନିର୍ବାସନ କେବଳ ଶ୍ରମର ଉତ୍‌ପାଦନ କ୍ରିୟାର ଫଳ ଉତ୍‌-ପନ୍ନିରେ ପ୍ରକାଶ ପାଏ ନାହିଁ, ଏହା ଉତ୍‌ପାଦନ କ୍ରିୟା ଭିତରେ ବି ପ୍ରକାଶ ପାଏ । ଶ୍ରମିକ ପ୍ରତ୍ୟେକ ଉତ୍‌ପାଦନ କ୍ରିୟା ଭିତରେ ନିଜକୁ ନିର୍ବାସନ କରେ । ଶ୍ରମର ଉତ୍‌ପନ୍ନି ନିର୍ବାସିତ ହେଲାବେଳେ ଉତ୍ପାଦନ କ୍ରିୟା ଭିତରେ ନିଜକୁ ସେ ନିର୍ବାସନ କରି ଲାଗିଥାଏ । ଶ୍ରମର ଉତ୍‌ପନ୍ନି ନିର୍ବାସିତ ହେଲାବେଳେ, ଉତ୍‍ପାଦନ କଲା ଭିତରେ ସକ୍ରିୟ ନିର୍ବାସନ ଅର୍ଥାତ୍‌ କର୍ମର ନିର୍ବାସନ ହେବା ସ୍ୱାଭାବିକ । ତେଣୁ ଶ୍ରମର ବସ୍ତୁର ନିର୍ବାସନ ହେଉଛି ସେହି ଶ୍ରମର କ୍ରିୟା ଭିତରେ ପୁଞ୍ଜୀଭୂତ ନିର୍ବାସନ ବା ଅନ୍ତରିତତାର ପରିଣାମ-ଶ୍ରମିକର ଉତ୍‌ପାଦନ କ୍ରିୟା ହେଉଛି ନିର୍ବାସନ କ୍ରିୟା । ପଶୁ-ଜଗତଠାରୁ ମନୁଷ୍ୟ ଜନ୍ମ ନେଇଛି ଶ୍ରମ ଉତ୍‌ପାଦନ ଜରିଆରେ । ଏହା ହେଲା ପଶୁ ମନୁଷ୍ୟ ମଧ୍ୟରେ ପାର୍ଥକ୍ୟର ସୀମାରେଖା । ମନୁଷ୍ୟଠାରୁ ଯେତେବେଳେ ଶ୍ରମର ଉତ୍‌ପାଦନ ନିର୍ବାସିତ ହୋଇଗଲା ମନୁଷ୍ୟ ମାନବିକ ସତ୍ତା ହରାଇଲା; ଅନ୍ତରିତ ହୋଇ ସେ ହେଲା ପଶୁ ।

 

ଉତ୍‌ପାଦନ କ୍ରିୟା ଭିତରେ ଶ୍ରମ ନିର୍ବାସିତ ହେବା ଫଳରେ ତାହା ଶ୍ରମିକର ନିଜସ୍ୱ ନହୋଇ ଏକ ବହିର୍ଶକ୍ତି ହୋଇ ଠିଆ ହେଲା । ତାହା ଆଉ ତାର ଅପରହାର୍ଯ୍ୟ ସତ୍ତା ହୋଇ ରହିଲା ନାହିଁ । ଏହାର ପରିଣାମକୁ ବର୍ଣ୍ଣନା କରି ମାର୍କସ ଲେଖିଛନ୍ତି, ‘‘That in his work, therefore, he does not affirm himself but denies himself, does not feel content but unhappy, does not develop freely his physical and mental energy but mortifies his body and ruins his mind. The worker, therefore, only feels himself outside his work, and in his work feels outside himslef. He is at home when he is not working, and when he is working he is not at home. His labour, therefore, not voluntary labour, but coerced, it is forced labour. It is not the satisfacetion of a need, is merly a means to satisfy needs external to it. Its alien character emerges clearly in fact as soon as no physical or other compulsion exists, labour is shunned like the plague. External labour, labour in which man alienates himself, is a labour of self-sacrifice, of mortification. Lastly, external charactor of labour for the worker appears in the fact that is if not his own, but some one else's, that it does not belong to him, that in it he belongs not towrhimself but to another..........It belong to nother, it is loss of his self.’’

 

ତେଣୁ ଏ ଅନ୍ତରିତତା ଦ୍ୱାରା ଶେଷରେ ମନୁଷ୍ୟର ହେଉଛି ଆତ୍ମସତ୍ତାର ବିନାଶ । ଏହି ବିନାଶର ସମାଧାନ ହୋଇଗଲାଣି ବା ତାର ସଭ୍ୟତା ଏବେ ପୁଞ୍ଜିବାଦୀ ଜଗତରେ ଲୋପ ପାଇଗଲାଣି ବୋଲି କହିବା ନିର୍ବୋଧତା । ପୁଞ୍ଜିବାଦୀ ପ୍ରଣାଳୀରେ ତ ଏହାର ପ୍ରକାଶ ଅତି ଜଜ୍ଜ୍ୱଲ୍ୟମାନ । ତେବେ ସମାଜବାଦୀ ସମାଜ ଏପରିକି ରୁଷ ବର୍ତ୍ତମାନ ଯେଉଁ କମ୍ୟୁନିଷ୍ଟ ସମାଜ ନିର୍ମାଣର ପ୍ରୋଗାମ ନେଇଛି, ତାହା ଏହାର ସମାଧାନ ବା ଅବସାନ ଆଣିବା ଦିଗକୁ ଗତି କରୁଛି । ଆଜି ସେ ସ୍ତରରେ ମଧ୍ୟ ଏହାର ସତ୍ୟତା ଦୂରହେବ ନାହିଁ । ଏହା କମ୍ୟୁନିଜମର ଅନ୍ତିମ ପର୍ଯ୍ୟାୟର ବିଷୟ, ଯେଉଁଠି ସୁଖ ଓ ଶ୍ରମ ହେବ ଏକ ଓ ସମାନ; ଶ୍ରମ ମନୁଷ୍ୟର ଆବଶ୍ୟକତା ପୂରଣର ଏକ ଉପାୟ ନ ହୋଇ ହେବ ଏକ ଆବଶ୍ୟକତାର ପୂରଣ । ତାହା ନ ହେବା ଯାଏ ମନୁଷ୍ୟ ତାର ପୂର୍ଣ୍ଣ ଅନ୍ତରିତ ସତ୍ତା ଫେରି ପାଇବ ନାହିଁ ।

 

ତେଣୁ ଏ ଅନ୍ତରିତତା ଫଳରେ ମନୁଷ୍ୟ ପ୍ରକୃତ ମନୁଷ୍ୟ ଭଳି ସ୍ୱାଧୀନ ଭାବରେ କାମ କରେ ନାହିଁ । ସେ ପଶୁ ଭଳି ଖାଏ, ପିଏ, ବଂଶ ବୃଦ୍ଧି କରେ, ଖୁବ ବେଶୀ ହେଲେ ବସବାସ ନିର୍ମାଣ କରେ, ପୋଷାକପତ୍ର ପରିଧାନ କରେ । ତାର ମାନବିକ କାର୍ଯ୍ୟ ନିର୍ବିଶେଷ ଭାବରେ ହୁଏ ପଶୁର କାର୍ଯ୍ୟ । ଏହା ଦର୍ଶାଇ ମାର୍କସ କହିଛନ୍ତି ‘‘ଯାହା ପାଶବିକ ତାହା ହୁଏ ମାନବିକ; ଏବଂ ଯାହା ମାନବିକ ତାହା ହୁଏ ପାଶବିକ’’ ।

 

ଅତଏବ ଶ୍ରମକ୍ରିୟା ମଧ୍ୟରେ ଉତ୍ପାଦନ କର୍ମ ସହିତ ଶ୍ରମର ଯେଉଁ ସମ୍ପର୍କ, ସେହି ସମ୍ପର୍କ ଯୋଗୁଁ ଶ୍ରମିକର ନିଜର କର୍ମ କିପରି ଏକ ବିରୋଧୀ କର୍ମ ହୋଇ ଠିଆହୁଏ, ତାର କର୍ମ କିପରି ନିର୍ଯ୍ୟାତନାରେ, ତାର ଶକ୍ତି ଦୁର୍ବଳତାରେ ରୂପାନ୍ତରିତ ହୁଏ ଓ କାମ କରିବା ଛଡ଼ା ଜୀବନ ବୋଇଲେ ତାର ଅନ୍ୟ କିଛି ରହେ ନାହିଁ, ଆଉ ସେ କାମ ବି ମନୁଷ୍ୟ ଉପରେ ନିର୍ଭର କରେ ନାହିଁ କି ତାର ଆୟତ୍ତାଧିନ ନୁହେଁ ଓ ତାର ନିଜ ବିରୁଦ୍ଧରେ ପରିଚାଳିତ; ଏ ସବୁକୁ ବର୍ଣ୍ଣନା କରି ମାର୍କସ ଲେଖିଛନ୍ତି—ଶ୍ରମର ଉତ୍ପନ୍ନଫଳ, ପଦାର୍ଥମାନଙ୍କର ନିର୍ବାସନ ହେଉଥିଲା, ଏବେ ହେଲା ଆତ୍ମ-ନିର୍ବାସନ ।

 

ପୁଣି ଦେଖାଯାଉ, ମନୁଷ୍ୟ ଏକ ଜୀବ-ସତ୍ତା (Species being) ତାର କାରଣ ସେ କେବଳ ବ୍ୟାବହାରିକ କର୍ମେ ଓ ତାତ୍ତ୍ୱିକ କ୍ଷେତ୍ରରେ ଜୀବକୁ (species) ନିଜର ଆଦର୍ଶ ବା ଉଦ୍ଦେଶ୍ୟ ବୋଲି କେବଳ ଗ୍ରହଣ କରେ ନାହିଁ, ସେ ମଧ୍ୟ ନିଜକୁ ପ୍ରକୃତରେ ଜୀବନ୍ତ ଜୀବ ବୋଲି ବିଚାର କରେ । କାରଣ ସେ ନିଜକୁ ବିଶ୍ୱଜନୀନ (universal) ବୋଲି ବିଚାରେ, ତେଣୁ ଏକ ସ୍ୱାଧୀନ ସତ୍ତା ଭାବେ କାର୍ଯ୍ୟ କରେ । ମନୁଷ୍ୟ ଓ ପଶୁ ଦୁହେଁ ଦୈହିକ ଭାବେ ଅଜୈବିକ ପ୍ରକୃତି ଉପରେ ବଞ୍ଚନ୍ତି, କିନ୍ତୁ ପଶୁ ତୁଳନାରେ ମନୁଷ୍ୟ ଅଧିକ ବିଶ୍ୱଜନୀନ । ମନୁଷ୍ୟର ବିଶ୍ୱଜନୀନତା, କାର୍ଯ୍ୟଦକ୍ଷତା, ପ୍ରକାଶ ପାଏ ସମସ୍ତ ପ୍ରକୃତିକୁ ତାର ଅଜୈବିକ ଶରୀର କରିବାରେ, ଅର୍ଥାତ୍‌ ପ୍ରକୃତିରୁ ଜୀବନଧାରଣର ଉପାୟ ଓ ଜୀବନ କର୍ମର ଅସ୍ତ୍ର ବା ବସ୍ତୁ ଆହରଣ କରିବାରେ । ପ୍ରକୃତିକୁ ନିଜର ଅଜୈବିକ ଶରୀରରେ ରୂପାନ୍ତରିତ କରିବାରେ ସେ ଯେତେ ଦୂର ଅଗ୍ରସର, ସେଇଥିରେ ତାର ବିଶ୍ୱଜନୀନତା ସେତେଦୂର ପ୍ରକଟିତ ।

 

ମନୁଷ୍ୟ ପ୍ରକୃତି ଉପରେ ବଞ୍ଚେ । ବଞ୍ଚିବା ଲାଗ ସର୍ବଦା ପ୍ରକୃତି ସହିତ ତାକୁ ସଂଯୁକ୍ତ, ହୋଇ ରହିବାକୁ ହେବ । ମନୁଷ୍ୟର ଶାରୀରିକ ଓ ଆଧ୍ୟାତ୍ମିକ ଜୀବନ ପ୍ରକୃତି ସହିତ ସଂଯୁକ୍ତ, ଅର୍ଥାତ ମନୁଷ୍ୟ ନିଜେ ନିଜ ସହିତ ସଂଯୁକ୍ତ, କାରଣ ମନୁଷ୍ୟ ହେଉଛି ପ୍ରକୃତିର ଏକ ଅଙ୍ଗ । ଯେତେବେଳେ ମନୁଷ୍ୟର ନିଜର ସକ୍ରିୟ କାର୍ଯ୍ୟାବଳୀ, ତାର ଜୀବନର କର୍ମ, ତାହାରିଠାରୁ ପ୍ରକୃତି ଓ ଆପଣାକୁ ନିର୍ବାସିତ କରେ, ସେତେବେଳେ ନିର୍ବାସିତ ଶ୍ରମ ମନୁଷ୍ୟଠାରୁ ଜୀବକୁ (species) ନିର୍ବାସିତ କରିଦିଏ । ଫଳରେ ତା ଲାଗି ଜୀବର ଜୀବନ ବ୍ୟକ୍ତିଗତ ଜୀବନ ଧାରଣର ଉପାୟରେ ହିଁ ପରିଣତ ହୁଏ । ପ୍ରଥମେ ତାହା ତାର ଜୀବ-ଜୀବନ (species being) ଓ ବ୍ୟକ୍ତିଗତ ଜୀବନକୁ ନିର୍ବାସନ କରେ । ଦ୍ୱିତୀୟରେ ତାହା ବ୍ୟକ୍ତିଗତ ଜୀବନକୁ ନିର୍ବିଶିଷ୍ଟ ରୂପରେ ଜୀବ ଜୀବନର ଲକ୍ଷ୍ୟ କରିଦିଏ । ତେଣୁ ଶ୍ରମ, ଜୀବନ, କର୍ମ, ଉତ୍ପାଦନ-ଜୀବନ ଏକ ଆବଶ୍ୟକତା ପୂରଣର ଉପାୟ, କେବଳ ଦୈହିକ ଅସ୍ତିତ୍ୱରକ୍ଷାର ଉପାୟ ଭାବରେ ଦେଖାଦିଏ; ମନୁଷ୍ୟ ପଶୁତୁଲ୍ୟ ହୁଏ ।

 

ପଶୁ ମନୁଷ୍ୟ ମଧ୍ୟରେ ଫରକ ରହିଛି ଜୀବନ କର୍ମରେ । ପଶୁ ତାର ଜୀବନ କର୍ମ ସହିତ ସମାନ । ତା ଠାରୁ ତାକୁ ପୃଥକ କରାଯାଇ ନ ପାରେ । କିନ୍ତୁ ମନୁଷ୍ୟର ଜୀବନ-କର୍ମ ତାର ଇଚ୍ଛା, ତାର ଚେତନାର ବସ୍ତୁ । ତା’ ମାନେ ତାହା ଚେତନଶୀଳ ଜୀବନକର୍ମ । ଏହି ଚେତନଶୀଳ ଜୀବନକର୍ମ ଯୋଗୁଁ ସେ ହେଲା ଜୀବସତ୍ତା, କିମ୍ୱା ଯେହେତୁ ସେ ଜୀବସତ୍ତା, ତେଣୁ ସେ ଚେତନଶୀଳ ସତ୍ତା । ଅର୍ଥାତ୍‌ ତା ଲାଗି ତାର ଜୀବନ ହେଉଛି ଲକ୍ଷ୍ୟ ବା ଆଦର୍ଶ । ସେଥିଯୋଗୁଁ ତାର କର୍ମ ସ୍ୱାଧୀନ କର୍ମ । କିନ୍ତୁ ନିର୍ବାସିତ ଶ୍ରମ ଏହି ସମ୍ପର୍କକୁ ଓଲଟାଇ ଦିଏ । ଫଳରେ ମନୁଷ୍ୟ ଚେତନଶୀଳ ସତ୍ତା ହୋଇଥିବାରୁ ତାର ଜୀବନକର୍ମ ତାର ନିର୍ଯ୍ୟାସ ସତ୍ତାକୁ (essential being) କେବଳ ନିଜର ଅସ୍ତିତ୍ୱରକ୍ଷା, ଜୀବନ ଧାରଣର ଏକ ଉପାୟରେ ପରିଣତ କରେ । ସେ ହୁଏ ଜୀବନ ସର୍ବସ୍ୱ ।

 

ଆଲୋଚନା କଲେ ଦେଖାଯିବ, ମନୁଷ୍ୟ ଅଜୈବିକ ପ୍ରକୃତି ଉପରେ କାର୍ଯ୍ୟ କରି ତାର ବ୍ୟାବହାରିକ କର୍ମ ଦ୍ୱାରା ଏକ ବସ୍ତୁଗତ ଜଗତ ସୃଷ୍ଟି କରେ, ନିଜର ଚେତନଶୀଳ ସତ୍ତାର ପ୍ରମାଣ ଦିଏ । ସେ ସତ୍ତା ଜୀବକୁ ତାର ନିଜର ନିର୍ଯ୍ୟାସ ସତ୍ତା ବା ନିଜକୁ ଜୀବ-ସତ୍ତା ବୋଲି ଗ୍ରହଣ କରେ-। କିନ୍ତୁ ପଶୁପକ୍ଷୀମାନେ ମଧ୍ୟ ଉତ୍ପାଦନ କରନ୍ତି । ସେମାନଙ୍କର ବସା ବାନ୍ଧିବା ଆଦି କାର୍ଯ୍ୟ ଏକମୁଖୀ । ମନୁଷ୍ୟର କାର୍ଯ୍ୟ ବିଶ୍ୱଜନୀନ । ପଶୁର ଉତ୍ପାଦନ କେବଳ ନଗଦ ଦୈହିକ ପ୍ରୟୋଜନୀୟତାର ତାଡ଼ନାରେ । ମନୁଷ୍ୟ ଦୈହିକ ପ୍ରୟୋଜନୀୟତାଠାରୁ ମୁକ୍ତ ହୋଇ ମଧ୍ୟ ଉତ୍ପାଦନ କରେ ଓ ପ୍ରକୃତ ଉତ୍ପାଦନ ହେଉଛି ପ୍ରୟୋଜନୀୟତାର ତାଡ଼ନାରୁ ମୁକ୍ତିରେ-। ପଶୁ କେବଳ ନିଜକୁ ଉତ୍ପନ୍ନ କରେ, ମନୁଷ୍ୟ ସମସ୍ତ ପ୍ରକୃତିକୁ ଉତ୍ପନ୍ନ କରେ । ପଶୁର ଉତ୍ପନ୍ନ, ସଙ୍ଗେ ସଙ୍ଗେ, ତାର ଦୈହିକ ଶରୀର ଅଧୀନ, ମନୁଷ୍ୟ ଅବାଧରେ ତାର ଉତ୍ପନ୍ନର ସମ୍ମୁଖୀନ ହୁଏ-। ପଶୁ ଯେଉଁ ଜୀବଜଗତଭୁକ୍ତ, ତାର ପ୍ରୟୋଜନ ବା ଷ୍ଟାଣ୍ଡାର୍ଡ ଅନୁସାରେ ଉତ୍ପନ୍ନ କରେ, ମନୁଷ୍ୟ ପ୍ରତ୍ୟେକ ପ୍ରାଣୀର ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ଉତ୍ପନ୍ନ କରି ଜାଣେ ଓ ପ୍ରତ୍ୟେକ କ୍ଷେତ୍ରରେ ବସ୍ତୁ ପ୍ରତି ସହଜାତ ଷ୍ଟାଣ୍ଡାର୍ଡକୁ କିପରି ପ୍ରୟୋଗ କରିବାକୁ ହେବ ଜାଣେ । ତେଣୁ ମନୁଷ୍ୟ ସୌନ୍ଦର୍ଯ୍ୟର ନିୟମ ଅନୁସାରେ ଜିନିଷ ଗଢ଼େ ।

 

ଅର୍ଥାତ୍‌ ବସ୍ତୁଗତ ଜଗତକୁ କାମରେ ଲଗାଇବା ଦ୍ୱାରା ମନୁଷ୍ୟ ନିଜକୁ ଜୀବସତ୍ତା ବୋଲି ପ୍ରକୃତରେ ପ୍ରତିପାଦିତ କରେ । ସେହି ଉତ୍‌ପାଦନ ତାର ସକ୍ରିୟ ଜୀବ-ଜୀବନ । ସେହି ଉତ୍‌ପାଦନ ଲାଗି ଓ ସେହି ଉତ୍‌ପାଦନ ଜରିଆରେ ପ୍ରକୃତି ତାର କାମ, ତାର ବାସ୍ତବତା ଭଳି ପ୍ରତୀୟମାନ ହୁଏ । ଶ୍ରମର ବସ୍ତୁ ହେଉଛି ଜୀବନର ବସ୍ତୁରୂପ । କାରଣ ମନୁଷ୍ୟ କେବଳ ବୌଦ୍ଧିକ ଭାବରେ ଚେତନା ଭିତରେ ନିଜର ପ୍ରତିମୂର୍ତ୍ତି ଗଢ଼େ ନାହିଁ, ସକ୍ରିୟ ଭାବେ ବାସ୍ତବତାରେ ମଧ୍ୟ ନିର୍ମାଣ କରେ । ସେଥିଯୋଗୁଁ ସେ ଯେଉଁ ଜଗତ ନିର୍ମାଣ କରେ ସେ ତାକୁ ନିଜେ ଚିନ୍ତନ କରେ । କିନ୍ତୁ ନିର୍ବାସିତ କର୍ମ, ତାର ସୃଷ୍ଟିକୁ, ଉତ୍ପାଦନକୁ ତାର ଜୀବନଠାରୁ, ବସ୍ତୁଗତ ଭାବେ ତାର ପ୍ରକୃତ ଜୀବଠାରୁ, ଛିନ୍ନ କରିଦିଏ । ଫଳରେ ତଦ୍ଦ୍ୱାରା ପଶୁ ତୁଳନାରେ ମନୁଷ୍ୟ ଯେଉଁ ଉତ୍‌କର୍ଷ ଓ ସୁଯୋଗର ଅଧିକାରୀ, ତାହା ତାର ବୈପରୀତ୍ୟରେ ରୂପାନ୍ତରିତ ହୁଏ । ସେହିପରି ମନୁଷ୍ୟର ସ୍ୱତଃସ୍ପୂର୍ତ୍ତ କର୍ମ, ସ୍ୱାଧୀନ କର୍ମର ଅଧୋଗତି ଏହି ନିର୍ବାସିତ ଶ୍ରମ ଯୋଗୁଁ ଘଟିଥାଏ । ତେଣୁ ମନୁଷ୍ୟର ଜୀବ-ଚେତନା ଏପରି ରୂପାନ୍ତରିତ ହୁଏ ଯେ, ତାର ଜୀବଜୀବନ ହୁଏ ଏକ ଉଦ୍‌ଭାବନର ପାତ୍ର ।

 

ଅତଏବ ନିର୍ବାସିତ ଶ୍ରମ, ମନୁଷ୍ୟ ଜୀବସତ୍ତା-ତାର ପ୍ରକୃତି ଓ ତାର ଆଧ୍ୟାତ୍ମିକ ଜୀବସମ୍ପଦ ଉଭୟକୁ ବିରୋଧୀ ସତ୍ତାରେ ରୂପାନ୍ତରିତ କରେ, ତାର ବ୍ୟକ୍ତିଗତ ଅସ୍ତିତ୍ୱରକ୍ଷା ବା ଜୀବନଧାରଣ ଲାଗି ଏକ ଉପାୟରେ ପରିଣତ କରେ । ନିର୍ବାସିତ ଶ୍ରମ ମନୁଷ୍ୟକୁ ବହିଃପ୍ରକୃତି, ତାର ଆଧ୍ୟାତ୍ମିକ ନିର୍ଯ୍ୟାସ, ତାର ମାନବିକତାଠାରୁ ନିର୍ବାସନ କଲା ଭଳି ମନୁଷ୍ୟକୁ ତାର ଶରୀର ମଧ୍ୟ ନିର୍ବାସନ କରେ ।

 

ତେଣୁ ମନୁଷ୍ୟ ଯଦି ତାର ଶ୍ରମର ଉତ୍ପନ୍ନ, ତାର ଜୀବର କର୍ମ, ତୋର ଜୀବ ସତ୍ତାରୁ ନିର୍ବାସିତ ହୋଇଯାଏ ପରିଣାମରେ ମନୁଷ୍ୟରୁ ମନୁଷ୍ୟର ନିର୍ବାସନ ଘଟେ । ମନୁଷ୍ୟ ଅନ୍ୟ ଲୋକର ସମ୍ମୁଖୀନ ହେଲା ଭଳି ନିଜେ ନିଜର ସମ୍ମୁଖୀନ ହୁଏ । ମନୁଷ୍ୟ ନିଜ ପାଖରେ ହୁଏ ପର ବା ନିଜର ପରିପନ୍ଥୀ । ମନୁଷ୍ୟର ଜୀବପ୍ରକୃତି ମନୁଷ୍ୟଠାରୁ ନିର୍ବାସିତ ହେବା ଅର୍ଥ, ଜଣେ ଅନ୍ୟ ପାଖରୁ ନିର୍ବାସିତ ହୁଏ । ମନୁଷ୍ୟ ମନୁଷ୍ୟର ସମ୍ପର୍କ ହୁଏ ଖାଦ୍ୟ ଖାଦକର ସମ୍ପର୍କ ।

 

ଏହାର ଅର୍ଥନୈତିକ ବିଶ୍ଳେଷଣ ହେଲା, ଯଦି ମୋର ଉତ୍ପନ୍ନ ମୋଠାରୁ ନିର୍ବାସିତ, ଏକ ବିରୋଧୀ ଶକ୍ତି ଭାବେ ଦେଖା ଦେଲା, ତେବେ ତାହା କାହାର ଆୟତ୍ତାଧୀନ ? ଯଦି ମୋର କର୍ମ ମୋର ନୁହେଁ ତାହା ଯଦି ଏକ ବିରୋଧୀ ବାଧ୍ୟତାମୂଳକ କର୍ମ, ତେବେ ତାର ଅଧିକାରୀ କିଏ ? ନିଶ୍ଚୟରେ, ତାହା ମୁଁ ନୁହେଁ, ଅନ୍ୟ ଏକ ସତ୍ତା । ଯଦି ଶ୍ରମିକର ଉତ୍ପାଦନ ଶ୍ରମିକର ନୁହେଁ ଓ ତାହା ଏକ ବିରୋଧୀ ଶକ୍ତି ଭାବେ ଶ୍ରମିକ ସମ୍ମୁଖରେ ଦଣ୍ଡାୟମାନ, ବୁଝିବାକୁ ହେବ, ଶ୍ରମିକ ବ୍ୟତୀତ ଅନ୍ୟ ଜଣେ ତାର ଅଧିକାରୀ । ସେଥିଯୋଗୁଁ ଶ୍ରମିକର କର୍ମ ତା ପ୍ରତି ଯନ୍ତ୍ରଣାଦାୟକ ହେଲାବେଳେ ଅନ୍ୟ ଜଣକ ପକ୍ଷରେ ଆନନ୍ଦକର ।

 

ଏ ବିରୋଧୀ ଶକ୍ତି ଭଗବାନ ବା ପ୍ରକୃତି ନୁହେଁ, ମନୁଷ୍ୟ ନିଜେ । ଏହା ପ୍ରକାଶ ପାଏ ଉତ୍ପାଦନ ସମ୍ପର୍କରେ-କିଏ ଉତ୍ପାଦନର ଉପକରଣ, ଜମିଜମା କଳକାରଖାନାର ମାଲିକ ଏବଂ କିଏ ସେଥିରୁ ବଞ୍ଚିତ, ଏଇଥିରେ । ତେଣୁ ବ୍ୟକ୍ତିଗତ ଶ୍ରମର ପ୍ରକୃତି ଓ ଶ୍ରମିକ ପ୍ରତି ତାର ବାହ୍ୟ ସମ୍ପର୍କର ଫଳ ଓ ଅପରିହାର୍ଯ୍ୟ ପରିଣାମ ହେଲା ବ୍ୟକ୍ତିଗତ ସମ୍ପତ୍ତି । ଅର୍ଥାତ୍‌ ଅନ୍ତରିତ ଶ୍ରମ, ଅର୍ଥାତ୍‌ ଅନ୍ତରିତ ମନୁଷ୍ୟ, ନିର୍ବାସିତ ଶ୍ରମ, ନିର୍ବାସିତ ଜୀବନ, ନିର୍ବାସିତ ମନୁଷ୍ୟରୁ ବ୍ୟକ୍ତିଗତ ସମ୍ପତ୍ତିର ଉଦ୍‌ଭବ ।

 

ଏହି ଲେଖାର ପରିସର ମଧ୍ୟରେ ଅନ୍ତରିତତାର ସମସ୍ତ ଦିଗକୁ ଉପସ୍ଥାପିତ କରିବା ସମ୍ଭବ ନୁହେ । କେତେକ ମୂଳ କଥାର ମାତ୍ର ସୂଚନା ଦିଆଯାଉଛି । ଏଥିରେ କେତେକଠାରେ ମାର୍କସଙ୍କ ବକ୍ତବ୍ୟକୁ ସେହିଭଳି ଉପସ୍ଥାପିତ କରିବାର ଚେଷ୍ଟା ହୋଇଛି, ଅନ୍ତରିତତା ମନୁଷ୍ୟର ଜୀବନକୁ ଗ୍ରାସ କଲାବେଳେ ତାହା ସର୍ବବ୍ୟାପୀ ସମାଜର ପ୍ରତ୍ୟେକ ସ୍ତରରେ ବ୍ୟାପ୍ତ, ସଂକ୍ଷେପରେ କହିଲେ, ଅର୍ଥନୈତିକ କ୍ଷେତ୍ରରେ ପ୍ରକାଶ ପାଇଛି । ମାର୍କସଙ୍କ ଭାଷା ‘fetishism of commodities’ ବା ପ୍ରଣ୍ୟଦ୍ରବ୍ୟର ଅନ୍ଧ ପୂଜାରେ, ମନୁଷ୍ୟ ହୋଇଛି ପଣ୍ୟର ଦାସ; ରାଜନୀତିରେ ଏହା ଆତ୍ମପ୍ରକାଶ କରିଛି ରାଷ୍ଟ୍ରର ରହସ୍ୟରେ-ମନୁଷ୍ୟ ହୋଇଛି ରାଷ୍ଟ୍ରର ଦାସ । (ବୁର୍ଜୁଆମାନଙ୍କ ଭାଷାରେ ଏହା ହେଉଛି ଶ୍ରେଣୀ ବହିର୍ଭୂତ, ସବୁ ଶ୍ରେଣୀର ଊର୍ଦ୍ଧ୍ୱରେ ଦଣ୍ଡାୟମାନ) । ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ଆତ୍ମପ୍ରକାଶ କରିଛି ମନୁଷ୍ୟର ବିକଳ୍ପ ସୃଷ୍ଟିରେ । ଏଠି ଅନ୍ତରିତ ଜଗତର ଚିନ୍ତା ଅନ୍ତରିତ ହୋଇ ତାର ବାସ୍ତବତା ହରାଇ ଦେଖାଦିଏ ମାୟା ରୂପରେ । ମନୁଷ୍ୟ ବିରୁଦ୍ଧରେ ଧର୍ମ, ଭଗବାନ ଓ ଭାବବାଦୀ ଦର୍ଶନର ଦୃଷ୍ଟିକୋଣରେ ଅନ୍ତରିତ ଜଗତ ହୁଏ ବାସ୍ତବ, ବାସ୍ତବ ଜଗତ ମାୟାରେ ପରିଣତ ହୁଏ, ମନୁଷ୍ୟ ହୁଏ ତାର ଦାସ ।

 

ସାମାଜିକ କ୍ଷେତ୍ରରେ ଏହାର ପୃଷ୍ଠଭୂମି ହେଲା-ଆଦିମ ଯୁଗରେ ମନୁଷ୍ୟ ଥିଲା ପ୍ରକୃତିର ଦାସ । ସେ ପ୍ରକୃତି ମଧ୍ୟରେ ନିଜର ସତ୍ତାକୁ ହରାଇଥିଲା । ସେ ନିଜକୁ ଚିହ୍ନି ପାରି ନ ଥିଲା । ପ୍ରକୃତି ଥିଲା ତାର ନିୟନ୍ତା, ସେ ପ୍ରକୃତିର ନିୟନ୍ତା ନଥିଲା । ପ୍ରକୃତି ଥିଲା ତାର ସମ୍ପତ୍ତି, ଜୀବନ । ତା ସତ୍ତା ଥିଲା ନିଜ ବହିର୍ଭୂତ ପ୍ରକୃତ ମଧ୍ୟରେ । ଯେତେବେଳେ ବ୍ୟକ୍ତିଗତ ସମ୍ପତ୍ତି ଆସିଛି, ମନୁଷ୍ୟ ସେତେବେଳେ ତାର ସତ୍ତା ହରାଇଛି ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ । ପ୍ରକୃତ ମନୁଷ୍ୟ-ସତ୍ତା ମନୁଷ୍ୟ ପାଖରେ ନଥାଏ । ତାର ସମ୍ପର୍କ ଖାଦ୍ୟ ଖାଦ୍ୟକର । ସମାଜବାଦୀ ସମାଜରେ ଶୋଷଣ ଲୋପ ହୁଏ ସମ୍ପତ୍ତି ହୁଏ ସାମାଜିକ; କିନ୍ତୁ ମନୁଷ୍ୟର ସତ୍ତା ସମ୍ପତ୍ତି ଭିତରେ ନିର୍ବାସିତ ହୋଇ ଥାଏ । କାରଣ ସେଠାରେ ଶ୍ରମ ଅନୁଯାୟୀ ଫଳ ପାଇବାର ନୀତି ପ୍ରତିଷ୍ଠିତ । ମନୁଷ୍ୟର ସତ୍ତା ସେହି ସମ୍ପତ୍ତି ଭିତରେ ନିର୍ବାସିତ, କାରଣ ପ୍ରକୃତି ଉପରେ କର୍ତ୍ତୃତ୍ୱ ଏପର୍ଯ୍ୟନ୍ତ ଆସି ନାହିଁ କି ପ୍ରାଚୂର୍ଯ୍ୟ ଆସି ନାହିଁ । ସେ ଅଭାବ ମଧ୍ୟରେ ସତ୍ତାର ନିର୍ବାସନ ଘଟିଛି । ମାନବିକତା ଏହି ଅଭାବ ଦ୍ୱାରା ସୀମାବଦ୍ଧ-। ସର୍ବୋଚ୍ଚ କମ୍ୟୁନିଷ୍ଟ ସମାଜରେ ଶୋଷଣ ତ ନ ଥାଏ । ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟ ପ୍ରକୃତି ଉପରେ ଅଖଣ୍ଡ କ୍ଷମତା ପ୍ରତଷ୍ଠିତ ରଖେ । ସେଠାରେ ମନୁଷ୍ୟ ପ୍ରକୃତିର ଦାସ ନୁହେଁ; ସୁଖ ଓ ଶ୍ରମର ମିଳନ-। ଶ୍ରମରେ ମନୁଷ୍ୟ ଆନନ୍ଦ ପାଇବ ଓ ଆନନ୍ଦ ଲାଗି ଶ୍ରମ କରିବ । ବାଧ୍ୟ ବାଧ୍ୟକତାର ପ୍ରଶ୍ନ ନାହିଁ-। ସେ ପୂର୍ଣ୍ଣ, ସ୍ୱାଧୀନ । ସମାଜ ହେବ ବ୍ୟକ୍ତିର ମିଳନାତ୍ମକ ସତ୍ତା । ବ୍ୟକ୍ତି ମନୁଷ୍ୟ ସତ୍ତାର ନିର୍ବାସନ ନୁହେଁ, ତାର ଘଟିବ ପରିପୂର୍ଣ୍ଣ ବିକାଶ । ମନୁଷ୍ୟ ହେବ ପୂର୍ଣ୍ଣ ମନୁଷ୍ୟ, ଅନ୍ତରିତତା ହେବ ଅନ୍ତରିତ-

☆☆☆

 

ଓଡ଼ିଆ ସାହିତ୍ୟ ପରିଚୟ ସଂପର୍କରେ ପଦେ

 

ଭାରତୀୟ ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ ‘‘ସମସାମୟିକ ଭାରତୀୟ ସାହିତ୍ୟ’’ (Contemporany Indian Literature) ପୁସ୍ତକ ଖଣ୍ଡିରେ ଭାରତର ପ୍ରତ୍ୟେକ ପ୍ରାନ୍ତୀୟ ସାହିତ୍ୟ ସମ୍ପର୍କରେ ପ୍ରବନ୍ଧମାନ ପ୍ରକାଶ ପାଇଛି । ଉକ୍ତ ପୁସ୍ତକଟି ଭାରତ ଓ ଭାରତ ବାହାରର ପାଠକମାନଙ୍କ ଉଦ୍ଦେଶ୍ୟରେ ଲିଖିତ । ଓଡ଼ିଆ ସାହିତ୍ୟ ସମ୍ପର୍କରେ ଡକ୍ଟର ମାୟାଧର ମାନସିଂହଙ୍କ ପ୍ରବନ୍ଧଟି ସେଥିରେ ସ୍ଥାନ ପାଇଛି ଏବଂ ଉକ୍ତ ଲେଖାଟିରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ବ୍ୟକ୍ତିଗତ ମତ ବୋଲି ସାହିତ୍ୟ ଏକାଡେମି ଆରମ୍ଭରୁ ପରିଷ୍କାର କରି ଦେଇଛନ୍ତି ।

 

ଓଡ଼ିଆ ସାହିତ୍ୟ ସମ୍ପର୍କରେ ଲେଖିବା ଲାଗି ଶ୍ରୀ ମାନସିଂହଙ୍କ ଦକ୍ଷତାକୁ କେହି ପ୍ରଶ୍ନ କରି ନପାରେ । ତେବେ ଲେଖକ ଯେତେ ଦକ୍ଷ ହେଲେ ବି ସେ କେତେକ ପରିସ୍ଥିତିର ପରିସରରେ ଆବଦ୍ଧ । ପ୍ରଥମତଃ, ଲେଖାରେ ଲେଖକଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ନିଶ୍ଚୟ ପ୍ରତିଫଳିତ ହେବ । ଦ୍ୱିତୀୟରେ, ସାହିତ୍ୟ-ମୂଲ୍ୟ ତଉଲିବା ଲାଗି କୌଣସି ଏକ ନିର୍ଦ୍ଦିଷ୍ଟ ବା ସମାନ ନିର୍ଣ୍ଣୟକ ନାହିଁ । ତାହା ସାଧାରଣତଃ ବିଭିନ୍ନ ଲୋକଙ୍କ ପାଇଁ ବିଭିନ୍ନ ମୂଲ୍ୟବୋଧ ସୃଷ୍ଟିକରେ । ତେଣୁ କୌଣସି ସାହିତ୍ୟିକ ପ୍ରବନ୍ଧ ବା ଆଲୋଚନା ସମସ୍ତଙ୍କ ମନକୁ ଘେନିଲା ଭଳି ହୋଇ ନ ପାରେ । ଏହା ସତ୍ତ୍ୱେ କେତେକ ମୌଳିକ ନୀତି, ପରମ୍ପରା ଆଉ ଐତିହାସିକ ଘଟଣା ସଂପର୍କରେ ସମସ୍ତେ ଏକମତ ହେବା ସ୍ୱାଭାବିକ । ବିଚିତ୍ରତା ଭିତରେ ସମତା ହେଉଛି ପ୍ରାକୃତିକ ନିୟମ ।

 

ଏ ଲେଖାର ଉଦ୍ଦେଶ୍ୟ ହେଲା ଓଡ଼ିଆ ସାହିତ୍ୟକୁ ଓଡ଼ିଶା ବାହାରେ ଏପରିକି ଆନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ କରାଇବା । ତେଣୁ । ଲେଖାଟି ଯେତେଦୂର ସମ୍ଭବ ସୁରୁଚିସମ୍ପନ୍ନ, ଓଜଃପୂର୍ଣ୍ଣ ହୁଏ ଏବଂ ଘଟଣାର ସତ୍ୟତାକୁ ପ୍ରତିପାଦିତ କରେ ସେଥିପ୍ରତି ଦୃଷ୍ଟିରହିବା ସର୍ବପ୍ରଧାନ କର୍ତ୍ତବ୍ୟ । ଯଦି କେହି ତା ଭିତରେ ଆମର ତ୍ରୁଟି ଓ ଦୁର୍ବଳତାର ଆଲୋଚନାକୁ ଆବଶ୍ୟକ ମନେ କରେ, ତେବେ ତାହା ସାମାଜିକ ବିକାଶଧାରାର ଏକ ଅନିବାର୍ଯ୍ୟ ଅନୁଶୀଳନ ଭାବେ ଉପଯୁକ୍ତ ସ୍ଥାନରେ ସ୍ୱତଃ ପରିସ୍ଫୁଟ ହେବା ଉଚିତ ।

 

ଐତିହାସିକ ବିଶ୍ଳେଷଣ ଅନୁଯାୟୀ ଆଲୋଚନା କରା ନ ଗଲେ ଏବଂ ସମଗ୍ର ସାହିତ୍ୟର ବିକାଶଧାରା ଉପରୁ ଦୃଷ୍ଟି ଖସି ଖସି ବ୍ୟକ୍ତି-ବିଶେଷଙ୍କ ସାହିତ୍ୟ ଉପରେ ନିବଦ୍ଧ ହୋଇଗଲେ, ତାହା କେବଳ ଅବାସ୍ତବ ହେବ ନାହିଁ, ଅନ୍ୟ ଦିଗରେ ଲେଖାଟି ଆକ୍ରୋଶମୂଳକ ଚର୍ଚ୍ଚା ବା ଅନାବଶ୍ୟକ ପ୍ରଶଂସାରେ ଦୂଷିତ ହୋଇ ଉଠିବ । ବାସ୍ତବ ବସ୍ତୁଗତ (ojective) ଛାଡ଼ି ମନୋଗତ (subjective) ଦୃଷ୍ଟିକୋଣ ଧରିଲେ ଏ ପ୍ରକାର ଫଳ ଉପୁଜିବା ସ୍ୱାଭାବିକ ।

 

ଅତି ଦୁଃଖର ବିଷୟ ଯେ, ଶ୍ରୀଯୁକ୍ତ ମାନସିଂହ ସେ-ପ୍ରକାର ଦୃଷ୍ଟିଭଙ୍ଗୀ ନେଇ ନାହାନ୍ତି । ଫଳରେ ତାଙ୍କ ଲେଖାରେ ଇତିହାସ ବିକୃତ ଓ ସାହିତ୍ୟର ବିକାଶ ବିକଳାଙ୍ଗ ହୋଇପଡ଼ିଛି, ଜାତୀୟ ଦେଶପ୍ରେମର ଭାବ ପରିତ୍ୟକ୍ତ ହୋଇଛି ଏବଂ ବ୍ୟକ୍ତିଗତ ଆଦର, ଆକ୍ରୋଶ ଫୁଟିଉଠିଛି; ସେଥିଯୋଗୁ ସାଧାରଣ ରୂଚି ଓ ସାମାଜିକ ଶାଳୀନତାରୁ ଦୂରେଇ ଯିବାକୁ ଲେଖକ କୁଣ୍ଠାବୋଧ କରି ନାହାନ୍ତି । ପ୍ରତିକ୍ରିୟାଶୀଳ ଦୃଷ୍ଟିଭଙ୍ଗୀ ସହ ବ୍ୟକ୍ତିଗତ ବିଦ୍ୱେଷର ସମ୍ମିଶ୍ରଣର ଭିତ୍ତି ଉପରେ ଲେଖାଟି ବହୁ କ୍ଷେତ୍ରରେ ଗଢ଼ିଉଠିଛି । ତାଙ୍କର ସମସମାୟିକ କବି ଓ ଲେଖକଙ୍କ ପ୍ରତି ଏହା ସାଧାରଣତଃ ଉଦ୍ଦିଷ୍ଟ ।

 

ଅନ୍ୟ ଦିଗରେ ଲେଖକଙ୍କ ମନରେ ବାସ୍ତବତାକୁ ଏଡ଼ି ଦେବା କଷ୍ଟକର ହୋଇଛି । ତେଣୁ ବାସ୍ତବ ଘଟଣା ଓ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ, ଏହାର ଅସମାହିତ ସଂଘର୍ଷ ଯୋଗୁଁ ଉକ୍ତ ଲେଖାଟିରେ ପରସ୍ପର ବିରୋଧୀ ଭାବ ଓ ମତାମତ ମଧ୍ୟ ପ୍ରକାଶ ପାଇଛି ।

 

ଏବେ ଉକ୍ତ ଲେଖାଟି ସମ୍ପର୍କରେ ଆଲୋଚନା କରାଯାଉ । ବିଭିନ୍ନ ଲେଖଙ୍କକର ଲେଖା ସମ୍ପର୍କରେ ପ୍ରକାଶିତ ତାଙ୍କର ମନ୍ତବ୍ୟ କେତେ ଦୂର ଭୁଲ ବା ନିର୍ଭୁଲ ତାହା ସାହିତ୍ୟିକମାନେ ବିଚାର କରିବେ । ସେ ସମ୍ପର୍କରେ ମତପାର୍ଥକ୍ୟ ଘଟିବା ସ୍ୱାଭାବିକ । କିନ୍ତୁ ଐତିହାସିକ ଘଟଣାବଳୀ ନେଇ ତ ମତଦ୍ୱୈଧର ଅବକାଶ ନାହିଁ । ଏଠାରେ ସେମିତି କେତୋଟି ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତ ନିଆଯାଇପାରେ ।

 

‘‘ଗାନ୍ଧି-ସାଇକ୍ଳୋନ’’ ଦେଶ ଉପରେ ବୋହିଗଲା—ଏପରି ଶବ୍ଦ ଯୋଜନାର ଅର୍ଥ କଣ-? ଏହା କଣ ଝଡ଼ ପରି ଜାତୀୟ ସମ୍ପଦକୁ ନଷ୍ଟ କଲା ? ଏହା ଆମର ଜାତୀୟ ସଂଗ୍ରାମ ପ୍ରତି ତାଚ୍ଛଲ୍ୟ ଓ ଦେଶପ୍ରେମ ପ୍ରତି ବିଦ୍ରୂପ ନୁହେଁକି ? ୧୯୨୧ ଅସହଯୋଗ—ଭାରତର ଜାତୀୟ ସଂଗ୍ରାମ, ଏହାର କଣ ଏପରି ଚିତ୍ରଣ ଯୋଗ୍ୟ ବିଷୟ ?

 

ଆଉ ଟିକିଏ ଭାବିବାକୁ ଗଲେ, ପ୍ରକୃତିରେ ଏହା କଣ ଝଡ଼ ପରି ଏକ ସାମୟିକ ଘଟଣା-? ଏହା କଣ ଆମର ଜାତୀୟ-ଜୀବନ, ସାମାଜିକ ବିକାଶ ତଥା ସାହିତ୍ୟ କ୍ଷେତ୍ରରେ ସ୍ପଷ୍ଟ ଚିହ୍ନ ଛାଡ଼ିଦେଇ ଯାଇନାହିଁ ? ଆମର ସାହିତ୍ୟିକମାନେ କଣ ଏହାଦ୍ୱାରା ଅନୁପ୍ରାଣିତ, ଆଉ ସାହିତ୍ୟ ଏହାଦ୍ୱାରା ପ୍ରଭାବିତ ହୋଇନାହିଁ ?

 

ଦେଶର ମୁକ୍ତି ଓ ସାହିତ୍ୟର ବିକାଶ ଦିଗରୁ ବିଚାର କଲେ ‘‘ସତ୍ୟବାଦୀ ସାହିତ୍ୟିକମାନଙ୍କ’’ ‘‘ଉର୍ବର’’ ଜୀବନ କଣ ‘‘ବ୍ୟର୍ଥ’’ ହୋଇଛି ? ସେମାନଙ୍କର ସେତେବେଳର ଲେଖା ଓ କାର୍ଯ୍ୟ ବିନା ଓଡ଼ିଶାର ଜାତୀୟ-ଜୀବନ ଓ ସାହିତ୍ୟର ଅଗ୍ରଗତି ସମ୍ଭବ ହୋଇଥାନ୍ତା ? ଯାହା ଇତିହାସ ପ୍ରମାଣ କରିସାରିଛି ତା ବିଷୟରେ ଆଲୋଚନା ନିଷ୍ପ୍ରୟୋଜନ !

 

ଅସହଯୋଗ ଆନ୍ଦୋଳନ—‘‘ପ୍ରଳୟ ଗୋଟାଏ ଗତିରୋଧ ଆଣିଲା, ଓଡ଼ିଶାର ସାଂସ୍କୃତିକ ଜୀବନରେ ଶୂନ୍ୟତା ସୃଷ୍ଟିକଲା ।’’ ଏହା କେତେ ପରିମାଣରେ ସତ୍ୟ ? ଯେଉଁ ଅସହଯୋଗ ସଂଗ୍ରାମ ଦେଶର ଚେତନା ଉପରେ ଆଘାତ ଦେଇ ଇତିହାସର ଅଗ୍ରଗତିର ମାର୍ଗ ଉନ୍କୁକ୍ତ କଲା, ବଳିଷ୍ଠ ଦେଶପ୍ରେମ ଓ ସ୍ୱାଧୀନ ଚିନ୍ତାର ଭାବ ଜାଗ୍ରତ କଲା, ତାହା କଣ ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ‘ଅବରୋଧ’ ଓ ‘ଶୂନ୍ୟତା ସୃଷ୍ଟି’ କରିଛି ? ସାହିତ୍ୟ ସଂସ୍କୃତି ଜାତୀୟ-ଜୀବନଠାରୁ ବିଚ୍ଛିନ୍ନ ନୁହେଁ । ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ, କୃପାସିନ୍ଧୁ ପ୍ରଭୃତି ଯେଉଁମାନେ ଜାତୀୟ କାବ୍ୟ, କବିତା, ନାଟକ, ପ୍ରବନ୍ଧ ଆଦି ରଚନା କରୁଥିଲେ ସେମାନଙ୍କର ସେ ଲେଖାସବୁର ମୂଳ ଉତ୍ସ ଥିଲା କେଉଁଠି ? କେଉଁ ପ୍ରେରଣା ସେମାନଙ୍କୁ ଅସହଯୋଗ ଭିତରକୁ ଟାଣିନେଇଥିଲା ?

 

ସତ୍ୟବାଦୀ ସ୍କୁଲକୁ ‘‘ସମୂହ ଜନସ୍ୱାର୍ଥ ଲାଗି ବଳି ଦେଇ ସଂଗ୍ରାମର ଝାସ ହେବା—ଏ ପର୍ଯ୍ୟନ୍ତ ଘଟିଥିବା । ସାଂସ୍କୃତିକ ବର୍ବରତାମୂଳକ ବ୍ୟଭିଚାରର ଏକ ଅତି ନିର୍ବୋଧଜନକ କାମ !’’ ଆଉ ତାର ‘‘ଶୋଚନୀୟ ପରାଭବ ଯଥାଯଥ ଭାବେ ନିରାକୃତ ହୋଇ ପାରିନାହିଁ ।’’

 

ଏହା କଣ ସତ୍ୟ ? ଏହା ହୋଇଥିଲେ ଓଡ଼ିଶାର ସତ୍ୟବାଦୀ ଯୁଗ ବୋଲି ଏକ ଅଧ୍ୟାୟ ସୃଷ୍ଟି ହୋଇ ନଥାନ୍ତା । ‘ସତ୍ୟବାଦୀ ଲେଖକମାନେ’ ନିଜର ଲେଖନୀ ଦ୍ୱାରା ନୁହେଁ, ତା ସଙ୍ଗେ ତାଙ୍କର କାମ ଦ୍ୱାରା ଏକ ସାମାଜିକ ଆଲୋଡ଼ନ ସୃଷ୍ଟି କରିଛନ୍ତି, ଯାହାର ପ୍ରଭାବ ଫଳରେ ନୂତନ ସାହିତ୍ୟ ଓ ସାହିତ୍ୟିକମାନେ ଗଢ଼ି ଉଠିଛନ୍ତି ।

 

ଯାହା ଦେଖାଯାଏ ଅସହଯୋଗର ଯୁଗାନ୍ତକାରୀ ଘଟଣାରେ ଲେଖକ ସ୍ତମ୍ଭିତ, ବିଚଳିତ ଓ ବ୍ୟଥିତ ହୋଇ ପଡ଼ିଛନ୍ତି ! ‘‘ବର୍ବରତାମୂଳକ ବ୍ୟଭିଚାର’’—ଲୋକ କେତେଦୂର ପ୍ରତିକ୍ରିୟାଶୀଳ ହେଲେ ଏପରି ଚିନ୍ତା ତା ମନକୁ ସ୍ପର୍ଶ କରିପାରେ ?

 

ବାସ୍ତବିକ, ତାହା ରଙ୍ଗୀନ ସ୍ୱପ୍ନ ନୁହେଁ, ଶୁଷ୍କ ବାସ୍ତବତା; କିନ୍ତୁ ପାଷାଣ ତଳୁ ବାହାରୁଥିବା ଜଳ ଯେପରି ସ୍ୱଚ୍ଛ, ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟ ପକ୍ଷରେ ହିତକର, ସେଇପରି ସଂଗ୍ରାମ ଭିତରୁ ଜାତ ହେଉଥିବା ରସ, ସାହିତ୍ୟ ଓ ସଂସ୍କୃତି ନିର୍ମଳ, ରୂଚିପୂର୍ଣ୍ଣ ଏବଂ ସମସ୍ତ ଜାତି ପକ୍ଷରେ ମଙ୍ଗଳଜନକ । ଏଥିପ୍ରତି ଲେଖକଙ୍କ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର କଥା ।

 

ସେ ଲେଖିଛନ୍ତି, ‘‘ଗାନ୍ଧି ଆନ୍ଦୋଳନ ସାଂସ୍କୃତିକ କ୍ଷେତ୍ରରେ ଅନୁର୍ବରତା ଆଣିଦେଇଛି । କେବଳ ଏଚ୍‌. କେ. ମହତାବଙ୍କ କେତେକ ଉପନ୍ୟାସ ଓ ଜଣେ ସାମୟିକ କବିଙ୍କର ବାବ୍ୟ ‘କମଳାୟନ’ ଏଥିରୁ ବାଦଯାଏ । ଶେଷୋକ୍ତ କାବ୍ୟର ନାୟକ ଓ ନାୟିକା ଜାତୀୟତାର ସୀମା ଅତିକ୍ରମ କରି ବିଶ୍ୱ-ନାଗରିକତା ଅନୁଭବ କରିଥିଲେ, ବିଶ୍ୱ ନାଗରିକ ଭାବେ ବଞ୍ଚିବାକୁ ଚେଷ୍ଟା କରିଥିଲେ । ଗାନ୍ଧି ଆନ୍ଦୋଳନର ଉତ୍ତେଜନା ହ୍ରାସ ହେବାର ବହୁଦିନ ପରେ ଏଗୁଡ଼ିକ ଲିଖିତ ହୋଇଥିଲା ।’’

 

‘‘ଗାନ୍ଧି ଆନ୍ଦୋଳନ ଅନୁର୍ବରତା’’ ଆଣିଲା—ଏହା କଣ ସତ୍ୟ ?

 

ମାତ୍ର ‘ବହୁଦିନ ପରେ’ ତାରି ଫଳରେ ଶ୍ରୀ ମହତାବଙ୍କ ଉପନ୍ୟାସ ଓ ଶ୍ରୀମାନସିଂହଙ୍କ ‘କମଳାୟନ’ ପ୍ରକାଶ ପାଇଲା, ଏହା କେତେ ଦୂର ଠିକ୍‌ ? ସେ ଅନୂର୍ବର ପ୍ରଭାବକୁ ଭେଦ କରିବା ପାଇଁ କଣ ଓଡ଼ିଶାରେ ମାତ୍ର ଦୁଇଟି ଉର୍ବର ଉଦ୍ଭିଦ ବହୁଦିନ ପରେ ଅଙ୍କୁରିତ ହେଲେ ? ଏହାକୁ ମିଥ୍ୟା, କପଟତା, ସ୍ତୁତିଗାନ ଓ ଆତ୍ମବଡ଼ିମା ଛଡ଼ା କଣ କୁହା ଯାଇପାରେ ? ଓଡ଼ିଶାର ଅନ୍ୟ କୌଣସି କବି ଓ ଲେଖକ କଣ ସେତେବେଳେ ‘ଗାନ୍ଧି-ଆନ୍ଦୋଳନ’ର ଚିନ୍ତା ଓ ଚେତନା ଦ୍ୱାରା ଅନୁପ୍ରାଣିତ ହୋଇ କିଛି ରଚନା କରି ନାହାନ୍ତି ? ଇତିହାସକୁ ପୋଛିବାକୁ ବସିବା ଚରମ ନିର୍ବୋଧତା । ସାହିତ୍ୟକ୍ଷେତ୍ରରେ ଅନ୍ୟକୁ ଦାବି ଯିଏ ଉଠିବାକୁ ଯାଏ ସେ ଲୋକଚକ୍ଷୁରେ ନିଜେ ଛୋଟ ହୋଇପଡ଼େ । ଏହା ସଂସ୍କୃତିର ପରିଚୟ ଦିଏ ନାହିଁ ।

 

ସମସ୍ତ ସତ୍ୟବାଦୀ ସାହିତ୍ୟ କେଉଁ ଆନ୍ଦୋଳନରୁ ଜାତ ? ଓଡ଼ିଆ ଶିକ୍ଷା, ସାହିତ୍ୟ, ସଂସ୍କୃତିର ବିରାଟ ପରିବର୍ତ୍ତନ ଆଣିଥିବା ‘ସମାଜ’ର ମୂଳ କେଉଁଠି ? ସେତେବେଳେ ‘ମୁକୁର’ର ପୃଷ୍ଠା କେଉଁ ପ୍ରଭାବରେ ପ୍ରଭାବିତ ? ଏହା ଛଡ଼ା ଜଗବନ୍ଧୁ, ସିଂହ, ଗୋଦାବରୀଶ ମହାପାତ୍ର, ପଦ୍ମଚରଣ, ବୀରକିଶୋର, ବ୍ରଜସୁନ୍ଦର, କୃଷ୍ଣମୋହନ, ବାଞ୍ଛାନିଧି, ଲକ୍ଷ୍ମୀକାନ୍ତ ପ୍ରଭୃତି ବହୁ କବି ଓ ଲେଖକ କାହାଦ୍ୱାରା ଅନୁପ୍ରାଣିତ ? ଏ ଦିଗରେ ସବୁଜ ଦଳଙ୍କ ଦାନକୁ କଣ ଉପେକ୍ଷା କରାଯାଇପାରେ ? ସାମାନ୍ୟ କେତେକଙ୍କୁ ଛାଡ଼ି ଦେଲେ ଏମାନଙ୍କ ଦ୍ୱାରା ରଜତ ସମସ୍ତ ଓଡ଼ିଆ ସାହିତ୍ୟ ଦ୍ୱାରା ଜାତୀୟଭାବ ଉଦ୍‌ବୁଧ ହୋଇଉଠିଛି । ଏ ଦୃଷ୍ଟାନ୍ତର ତ ଅଭାବ ନାହିଁ ।

 

ସେ ପୁଣି ଲେଖିଛନ୍ତି, ‘‘ଆଦର୍ଶବାଦୀ କଂଗ୍ରେସର କାମ (ପ୍ରଫେସନ) ଓ କଥା ଏବଂ ନେତା ଓ କର୍ମୀମାନଙ୍କରେ ଦୈନନ୍ଦିନ ଜୀବନରେ କାର୍ଯ୍ୟକଳାପର ପ୍ରଭେଦ ଏତେ ବେଶୀ ଯେ ଆନ୍ଦୋଳନ କୌଣସି ବୁଦ୍ଧିଜୀବୀକୁ ଅନୁପ୍ରାଣିତ କରିପାରିଲା ନାହିଁ ।’’ ଏଠି ଗୋପବନ୍ଧୁଙ୍କ ଅସହଯୋଗ ଆନ୍ଦୋଳନ ବେଳର କଂଗ୍ରେସ କଥା କୁହାଯାଇଛି । ସେତେବେଳର କଂଗ୍ରେସ ଆଉ ବର୍ତ୍ତମାନର କଂଗ୍ରେସ ଭିତରେ ଯେ ବହୁ ଫରକ ଅଛି, ଏହା ସମସ୍ତେ ମାନିବେ । ତେଣୁ ସେତେବେଳର କଂଗ୍ରେସ ଯେଉଁମାନଙ୍କୁ ଅନୁପ୍ରାଣିତ କରିଥିବ ଏବର କଂଗ୍ରେସ ସେମାନଙ୍କୁ ଅନୁପ୍ରାଣିତ କରିବ ନାହିଁ । ବର୍ତ୍ତମାନର କଂଗ୍ରେସ ଦ୍ୱାରା ଯେଉଁମାନେ ଅନୁପ୍ରାଣିତ ସେତେବେଳର କଂଗ୍ରେସ ଭାବ ସେମାନଙ୍କୁ ସ୍ପର୍ଶ କରି ନାହିଁ । ଅବଶ୍ୟ ସେତେବେଳେ ନିଃସ୍ୱାର୍ଥପର ଦେଶପ୍ରେମର ଯେଉଁ ବୁଦ୍ଧିଜୀବୀମାନେ ପ୍ରଭାବିତ ହୋଇ ନ ଥିଲେ ଏବେ ସେମାନଙ୍କ ପକ୍ଷରେ ପ୍ରଭାବିତ ହେବା-ପାଇଁ ନାନା ପ୍ରକାର ପନ୍ଥା ଖୋଲି ଯାଇଛି । କେଉଁ ପ୍ରକୃତ ବୁଦ୍ଧିଜୀବୀ ଦେଶପ୍ରେମ ଦ୍ୱାରା ପ୍ରଭାବିତ ନ ହେବ ବା ନ ହୋଇଛି ? ଆଉ ଏହି ଦେଶପ୍ରେମର ବାହାରେ ଥିବା ବ୍ୟକ୍ତିମାନେ ବୁଦ୍ଧିରେ ଜୀଇଁଥାଇ ପାରନ୍ତି, କିନ୍ତୁ ସେମାନେ କେତେଦୂର ବା ବୁଦ୍ଧିଜୀବୀ ପଦବାଚ୍ୟ !

 

ସବୁଜ ଦଳଙ୍କ ସମ୍ପର୍କରେ ସେ ଲେଖିଛନ୍ତି, ‘‘ଦଳେ ଅଣ୍ଡର ଗ୍ରାଜୁଏଟ୍‍ ବଙ୍ଗଳା ଟ୍ରେଡ୍‌ମାର୍କା ମରା’’ ସତ୍ୟବାଦୀ ଦଳଙ୍କ ପରେ ଆବିର୍ଭୂତ ହେଲେ । ସେମାନେ ରବୀନ୍ଦ୍ରଙ୍କୁ ଅନୁକରଣ କରିଥିଲେ । ତାଙ୍କର ମତାମତ ନେଇ ଶେଷ ଉପସଂହାର ହେଉଛି, — ‘‘ଏଇ ଦଳରେ କେବଳ ଏକମାତ୍ର ଲେଖକ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ଥାଇ ବର୍ତ୍ତମାନ ପାଠ୍ୟପୁସ୍ତକ ରଚନାରେ ବ୍ୟସ୍ତ ।’’

 

ସବୁଜ ସାହିତ୍ୟ ସମ୍ପର୍କରେ ମତଭେଦ ହୋଇପାରେ, କିନ୍ତୁ ‘ଅଣ୍ଡର ଗ୍ରାଜୁଏଟ୍‌’ ‘ବଙ୍ଗଳା ଟ୍ରେଡ୍‌ ମାର୍କା କହି’ ବିଦ୍ରୂପ କରିବାର ଉଦ୍ଦେଶ୍ୟ କଣ ? ଅଣ୍ଡର ଗ୍ରାଜୁଏଟ୍‍ଙ୍କ ପକ୍ଷରେ କଣ ସାହିତ୍ୟ ରଚନା ନିଷିଦ୍ଧ ? ଓଡ଼ିଶାର ଅଧିକାଂଶ ସାହିତ୍ୟିକ ଅଣ୍ଡର ଗ୍ରାଜୁଏଟ୍‍ । ‘ପକୀରମୋହନ’ ‘ମେହେର’ଙ୍କ ଠାରୁ ଆରମ୍ଭ କରି ଲେଖକ ଉଲ୍ଲେଖ କରିଥିବା ଶ୍ରୀ ମହତାବ, କବି ରାଧାମୋହନ ଗଡ଼ନାୟକ ଓ ଔପନାସିକ ଚନ୍ଦ୍ରମଣି ଦାସଙ୍କ ଯାଏ ବହୁ, ଲେଖକଙ୍କୁ ତ ସେ ଆଖ୍ୟା ଦିଆଯାଇ ପାରିଥାନ୍ତା । ଏପରି କହିବା ଦ୍ୱାରା ସାହିତ୍ୟରେ ସବୁ ଦଳର ଦାନ ତ ହ୍ରାସ ହେଉ ନାହିଁ, ଲେଖକଙ୍କର ବ୍ୟକ୍ତିଗତ ଅଭିସନ୍ଧି ହିଁ ପ୍ରକାଶ ପାଇଛି ।

 

ପୁଣି ‘‘ପାଠ୍ୟ ପୁସ୍ତକ ରଚନାରେ ବ୍ୟସ୍ତ-’’ ଏହା ବି କି ଉଦ୍ଦେଶ୍ୟ ନେଇ ଲିଖିତ ? ସାହିତ୍ୟିକ ଅଭାବରେ ପଡ଼ି ନା ଜାତୀୟ ଶିକ୍ଷାର ବିକାଶ ଲାଗି ବା ନିଜର ଅଧୋଗତି ଫଳରେ ପାଠ୍ୟ ପୁସ୍ତକ ରଚନାର ଆଶ୍ରୟ ନେଲା ? କୁହା ଯାଇପାରେ, କାରଣ ଯାହାହେଉ ପଛେ, ତାହା ବାସ୍ତବତା; କିନ୍ତୁ ତାହା ତ ସଂପୂର୍ଣ୍ଣ ସତ୍ୟ ନୁହେଁ । ତେବେ ବି ବାସ୍ତବତା ସମସ୍ତଙ୍କ ଚକ୍ଷୁରେ ସମାନ ନୁହେଁ କି ପ୍ରତ୍ୟେକେ ତାର ସମାନ ସଦ୍‌ବ୍ୟବହାର କରନ୍ତି ନାହିଁ ।

 

‘ସବୁଜଯୁଗ ପରେ’‘କାଳିନ୍ଦୀ’ ‘ବୈକୁଣ୍ଠ’ଙ୍କର ସାହିତ୍ୟ ପ୍ରତି ସମସ୍ତ ‘ଅବଦାନ ନଷ୍ଟ ହୋଇଗଲା ।’ ଜାତୀୟ ସଂଗ୍ରାମ, ଗଡ଼ଜାତ ଆନ୍ଦୋଳନଠାରୁ ଆରମ୍ଭ କରି ନୂତନ ଚିନ୍ତାଧାରାକୁ ପ୍ରକାଶ କରିବାରେ ଏମାନଙ୍କର କଣ କିଛି ଅବଦାନ ନାହିଁ ?

 

ଯାହା ଦେଖାଯାଏ ଏ ଲେଖକମାନେ ସବୁଠାରୁ ସଂବେଦନଶୀଳ (sensitive) ରବୀନ୍ଦ୍ରନାଥଙ୍କଠାରୁ ଆରମ୍ଭ କରି ବର୍ତ୍ତମାନ ଯାଏ ପ୍ରାୟ ସମସ୍ତ ନୂତନ ଯୁଗୀୟ ପ୍ରତିଭାଶାଳୀ ଲେଖକଙ୍କ ଦ୍ୱାରା ଏମାନଙ୍କ ଲେଖାରେ ଝଙ୍କୃତ ହୋଇ ଉଠିଛି । ତାହା ଉଚ୍ଚ ଧରଣର କି ନୁହେଁ ସେ ବିଷୟରେ ବା ମତଭେଦ ଘଟିପାରେ ! ତା ପରେ, ପାଠ୍ୟ ପୁସ୍ତକ ଲେଖା ! ଓଡ଼ିଶାର କେତେଜଣ କବି ବା ଲେଖକ ପାଠ୍ୟ ପୁସ୍ତକଲେଖି ନାହାନ୍ତି ବା ନିଜର ବହିକୁ ପାଠ୍ୟ ପୁସ୍ତକ କରିବା ପାଇଁ ଉଦ୍ୟମ କରି ନାହାନ୍ତି ?

 

ଶେଷରେ ‘ପିପୁଲ୍‌ସ ପୋଏଟ୍‌’ ‘‘ଗଣକବି’’ ବୋଲି ଇନ୍‌ଭଟେଡ଼ କମା ଦେଇ ଲେଖକ ଏକ ଅଧ୍ୟାୟ ଆରମ୍ଭ କରିଛନ୍ତି । ଏ ବିଦ୍ରୂପ କାହିଁକି ?

 

ପଢ଼ିଲେ ଜଣାପଡ଼େ, ସବୁଜଦଳ ରବୀନ୍ଦ୍ରନାଥଙ୍କୁ ଆଣିଲେ ଆଉ ଏମାନେ ଫୟେଡ଼, ହୁଇଟ୍‌ମାନ, ମାର୍କସକୁ ଆଣିଲେ । ଆଉ ତାହା ଯେପରି ଦୋଷାବହ ହେଲା । ପୁଣି ଏମାନଙ୍କୁ ଟେକିବା ଲାଗି ଗୋଟାଏ ଦଳ ଥିଲା । ତାହା ଏମାନଙ୍କୁ ଉପରକୁ ଉଠାଇ ଦେଇଛି ।

 

ପ୍ରକୃତରେ ଦେଖିଲେ, ଏ ଧରଣର ଲେଖକମାନଙ୍କୁ ସବୁବେଳେ ପ୍ରତିକ୍ରିୟା ବିରୁଦ୍ଧରେ ଲଢ଼ିବାକୁ ପଡ଼ିଛି । ସ୍ୱାଧୀନତା ପୂର୍ବରୁ ବା ପରେ ଶାସକ ଗୋଷ୍ଠୀର ବାହୁଛାୟା ତଳେ ଏମାନେ ଆଶ୍ରୟ ନେଇ ନାହାନ୍ତି । ‘ଆଧୁନିକ’ର ମୃତ୍ୟୁପରେ ଏମାନଙ୍କର ଗୋଟିଏ ହେଲେ ସାହିତ୍ୟ ପତ୍ରିକା ନାହିଁ । ଏମାନଙ୍କୁ କେହି କେବେ ଧୂପଦୀପ ଚନ୍ଦନରେ ବନ୍ଦିତ କରିନାହିଁ । ଏମାନଙ୍କ ଗୀତ ଓ କବିତା ସାଧାରଣ ଲୋକଙ୍କ ତୁଣ୍ଡରେ ଶୁଣାଗଲା । ସେଥିଲାଗି କଣ ଏମାନେ ଦୋଷୀ ?

 

ଲେଖକ ଯେତେବେଳେ ପ୍ରବନ୍ଧ, ଉପନ୍ୟାସ, ନାଟକ ରଚୟିତାମାନଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ବହୁ ଲୋକଙ୍କ ନାମ ବାଦ ପଡ଼ି ଯାଇଛି । ହେଲେ, ସମସ୍ତଙ୍କ ନାମ ଦେବାର କଥା ନହେଲେ ସାହିତ୍ୟର ବହୁମୁଖୀ ବିକାଶର ଧାରା ବା ଦିଗକୁ କେବଳ ଉଲ୍ଲେଖ କରିଥିଲେ ହୋଇଥାନ୍ତା । ତେବେ, ଏଠାରେ ବିଶ୍ୱନାଥ କର, ରତ୍ନାକର ପତି, ରାଧାନାଥ ରଥ, ଲକ୍ଷ୍ମୀକାନ୍ତ, ଗୋଦାବରୀଶ ମହାପାତ୍ର, ବାଞ୍ଛାନିଧି, ବୀରକିଶୋର, ସରଳାଦେବୀ ପ୍ରଭୃତି ବହୁ ଲେଖକଙ୍କ ନାମ କଣ ଉଲ୍ଲେଖଯୋଗ୍ୟ ନୁହେଁ ? ନାମ ନେଇ କାହାର କେମିତି ମତଭେଦ ଘଟିପାରେ ଏହା ବୋଲି ଏମାନଙ୍କର ଓ ଏମାନଙ୍କ ଭଳି ଆହୁରି ଅନେକଙ୍କର ନାମୋଲ୍ଲେଖ ନ କରିବା ଇତିହାସ-ସମ୍ମତ ଓ ଯୁକ୍ତିସଂଗତ ।

 

ମୋଟ ଉପରେ ଯେତେବେଳେ କୌଣସି ଏକ ନୂଆ ପ୍ରଗତିଶିଳ ଭାବ ଓ ଆଦର୍ଶ ଆସିଛି, ଲେଖକ ତାକୁ ସ୍ୱାଗତ କରି ପାରି ନାହାନ୍ତି, କିନ୍ତୁ ତାର ଫଳକୁ ଅସ୍ୱୀକାର କରିଦେବା ଲେଖକ ପକ୍ଷରେ କଷ୍ଟକର ହୋଇ ପଡ଼ିଛି । ତେଣୁ ଏହି ବିରୋଧିତା ତାଙ୍କ ଲେଖାର ପ୍ରତ୍ୟେକ ପର୍ଯ୍ୟାୟରେ ଫୁଟି ଉଠିଛି । ସେ ଜାତୀୟ ଆନ୍ଦୋଳନର ପ୍ରଭାବ କଥା ଉଲ୍ଲେଖ କଲେ ବି ସେଥିରେ ଏଇ ଦୁର୍ବଳତା ଦେଖାଯାଏ ।

 

ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଅଭାବ, ପଡ଼ୋଶୀ ଭାଷାଭାଷୀ ଲୋକଙ୍କ ଅନ୍ୟାୟ ଆଚରଣ ଆଦି ଦର୍ଶାଇଛନ୍ତି; ଅଥଚ ଇଂରେଜ ଆଧିପତ୍ୟ ଯେ ଏକ ପ୍ରଧାନ ଅନ୍ତରାୟ ତାହା ଭୁଲି ଯାଇଛନ୍ତି । ପାଶ୍ଚାତ୍ୟ ସାହିତ୍ୟର ସଂସ୍ପର୍ଶ ଓଡ଼ିଆ ସାହିତ୍ୟକୁ ବିକାଶ ଦିଗରେ ସାହାଯ୍ୟ କରିଛି ସତ, କିନ୍ତୁ ଇଂରେଜ ଭାଷାର ଔପନିବେଶିକ ପ୍ରଚଳନ ହେତୁ ଆମର ଭାଷା ଓ ସାହିତ୍ୟର ଅଭିବୃଦ୍ଧି ମଧ୍ୟ ବହୁ ପରିମାଣରେ ସଂକୁଚିତ ହୋଇ ଯାଇଛି । ଏହା କେବଳ ଓଡ଼ିଆ ନୁହେଁ ଭାରତର ପ୍ରତ୍ୟେକ ପ୍ରାନ୍ତୀୟ ଭାଷା ପ୍ରତି ପ୍ରଯୁଜ୍ୟ ।

 

କିଏ କେଉଁ ଦୃଷ୍ଟିକୋଣରୁ ଲେଖିଲା ତାହା ଯେତେ ଦୁଃଖର ବିଷୟ ନୁହେଁ, ସେତେ ଦୁଃଖର ହେଉଛି ଯେ, ଯଦି କାଦୁଅ ଫିଙ୍ଗି କାଳି କରିବାର କଥା, ସେଥିଲାଗି କଣ ଆମ ଓଡ଼ିଶାରେ ପତ୍ରପତ୍ରିକାର ଅଭାବ ଅଛି ? ଆମ କଟକର ନର୍ଦମାପୂର୍ଣ୍ଣ ରାଜପଥ କଣ ସେଥିଲାଗି ଅରୁଚିକର ନା ଅପ୍ରଶସ୍ତ ? ଆମ ଘରକଥା ଦୁନିଆଦାଣ୍ଡକୁ ନେବା କାହିଁକି ? ଆମର ତ ପୁଣି ଓଡ଼ିଶାର ଗୋଟାଏ ଜାତୀୟ ସମ୍ମାନ ଓ ମର୍ଯ୍ୟାଦା ରହିଛି । ତାକୁ କଣ ଭୁଲିଯିବ ।

 

ଉପରୋକ୍ତ କଥାଗୁଡ଼ିକ ବାଦ ଦେଲେ ଶ୍ରୀଯୁକ୍ତ ମାନସିଂହଙ୍କ ଲେଖାରେ ଶୈଳୀ, ବିଷୟ ଆଦି ଉଚ୍ଚ ଧରଣର ଓ ଖୁବ୍‌ ସୁନ୍ଦର ହୋଇଛି । ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଦାନକୁ କେହି ଅସ୍ୱୀକାର କରିବ ନାହିଁ । କିନ୍ତୁ ଲେଖକ ମଧ୍ୟ ପାଠକମାନଙ୍କର ମତାମତ ଜାଣିବା ଉଚିତ, ଆଉ ଲେଖକମାନଙ୍କୁ ସାହାଯ୍ୟ ଦେବା ପାଠକମାନଙ୍କର କର୍ତ୍ତବ୍ୟ । ତେଣୁ କାହା ପ୍ରତି ଅସମ୍ମାନ ପ୍ରର୍ଦଶନ କରିବା ଏ ସମାଲୋଚନାର ଉଦ୍ଦେଶ୍ୟ ନୁହେଁ । ଆମର କବି ଓ ଲେଖକମାନେ ଯେପରି ଆମର ଜାତୀୟ ଜୀବନକୁ ଉନ୍ନତ ଓ ମାର୍ଜିତ କରିବାରେ ସାହଯ୍ୟ କରି ପ୍ରେରଣା ଯୋଗାନ୍ତି, ସେଥିପ୍ରତି ପ୍ରତ୍ୟେକ ଦୃଷ୍ଟିଦେବା ଉଚିତ । ପାଠକ ଓ ଲେଖକର ଘନିଷ୍ଠ ସହଯୋଗରେ ଆମର ସାହିତ୍ୟ ନିଶ୍ଚୟ ସୁସ୍ଥ ଓ ବଳିଷ୍ଠ ହେବ ।

☆☆☆

 

ସାହିତ୍ୟ-ସମାଲୋଚନାର ଉତ୍ତର

 

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାଧାରଣ ସାଧୁତା ଏବଂ ସାମ୍ୱାଦିକ ଶାଳୀନତାର ଅଭାବରେ ଶୀକାର ହୋଇ ଏହା ଲେଖୁଛି । ପ୍ରାୟ ବର୍ଷକରୁ ଉର୍ଦ୍ଧ୍ୱହେବ, ଭାରତୀୟ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ‘‘ସମସାମୟିକ ଭାରତୀୟ ସାହିତ୍ୟ’’ରେ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଶ୍ରୀଯୁକ୍ତ ମାୟାଧର ମାନସିଂହଙ୍କ ଏକ ପ୍ରବନ୍ଧ ପ୍ରକାଶ ପାଇଲା । ସେ ପ୍ରବନ୍ଧର ମୋର ଏକ ସମାଲୋଚନା ‘‘ଧରିତ୍ରୀରେ’’ ପ୍ରକାଶ ପାଇଥିଲା । ତା‘ପରେ ଶ୍ରୀଯୁକ୍ତ ମାନସିଂହଙ୍କ ସଂପାଦିତ ‘ଝଙ୍କାର’ରେ ଉକ୍ତ ସମାଲୋଚନାର ଏକ ଦୀର୍ଘ ଉତ୍ତର ପ୍ରକାଶ ପାଇଲା । ତେଣୁ ସେ ବିଷୟରେ ମୋର ଯାହା ବକ୍ତବ୍ୟ, ତାହା ସାଧାରଣ ଭଦ୍ରତା ଖାତିରିରେ ସେହି ‘ଝଙ୍କାର’କୁ ପଠାଇଲି । ୪।୫ ମାସ ପ୍ରାୟ ବିତିଗଲେ ମଧ୍ୟ ତାହା ଝଙ୍କାରରେ ପ୍ରକାଶ ପାଇଲା ନାହିଁ । ଲେଖାଟି ଫେରସ୍ତ ଆଣିବା ଲାଗି ମୋର ଲୋକ ବାରମ୍ୱାର ଝଙ୍କାର ଅଫସିକୁ ଦଉଡ଼ି ଦଉଡ଼ି ଫେରିଲେ । ମୁଁ ମଧ୍ୟ ଫେରସ୍ତ ଲାଗି ‘‘ଝଙ୍କାର’’ ସମ୍ପାଦକଙ୍କ ପାଖକୁ ୩ ଖଣ୍ଡ ଚିଠି ଦେଲି । କୌଣସି ଉତ୍ତର ମିଳିଲା ନାହିଁ । ଶେଷରେ ୩ । ୮ । ୫୮ ରେ ମୁଖ୍ୟ ସମ୍ପାଦକ ଡକ୍‌ଟର ମହତାବଙ୍କୁ ମଧ୍ୟ ତାହା ଜଣାଇଲି । ଲେଖା ଫେରସ୍ତ ବା ଚିଠିର ଉତ୍ତର ତ ଦୂରର କଥା, ମୂଳରୁ ଚିଠିର ପ୍ରାପ୍ତି ସ୍ୱୀକାର ମଧ୍ୟ ହେଲା ନାହିଁ-। ଶୁଣିବାକୁ ପାଇଲି ଯେ, ଲେଖଟି ‘‘ଝଙ୍କାର’’ ଫାଇଲରୁ ଯାଇ ଜଣେ ସଂପୃକ୍ତ ସମ୍ପାଦକଙ୍କ ପାଖରେ ଗଚ୍ଛିତ ଅଛି । ଏହିପରି କିଛି ଦିନ ଗଡ଼ିଗଲେ, ସେ ଲେଖାର ଆଉ ଆବଶ୍ୟକତା ରହିବ ନାହିଁ ଏବଂ ଉକ୍ତ ଆଲୋଚନା ମଧ୍ୟ ଲୋକ ଭୁଲିଯିବେ, ଏ ଆଶାରେ ବୋଧେ ତାକୁ ରଖିଦିଆ ହୋଇଥିଲା-। ଏହା ସାହିତ୍ୟ ଆଲୋଚନାର ସୁସ୍ଥ ଲକ୍ଷଣ ନୁହେଁ, ତେଣୁ ଶେଷରେ ‘ଡଗର’ର ଦ୍ୱାରସ୍ଥ ହେଲି ନ୍ୟାୟର ଆଶା ରଖି—ବର୍ତ୍ତମାନ ପୁଣି ଥରେ ଲେଖିବାକୁ ପଡ଼ୁଥିବାରୁ କେତେକ କ୍ଷେତ୍ରରେ ମୂଳ ଲେଖାଠାରୁ ଏହା ଛାଡ଼ରା ହୋଇଯାଇପାରେ ।

 

ସମାଲୋଚନାର ଉତ୍ତରରେ ଶ୍ରୀଯୁକ୍ତ ମାନସିଂହଙ୍କ ବକ୍ତବ୍ୟ ହେଉଛି-ତାଙ୍କର ଓଡ଼ିଆ ସାହିତ୍ୟ ସମ୍ପର୍କରେ ଲିଖିତ ପ୍ରବନ୍ଧଟି ‘‘ସମସାମୟିକ ଓଡ଼ିଆ ସାହିତ୍ୟର ଯଥାର୍ଥ ଅବଧାରଣାର ଚେଷ୍ଟା’’......‘‘ସମାଲୋଚକ ନିକିତିରେ ଏକ ଖାଣ୍ଟି ସାହିତ୍ୟର ତଉଲ,’’ ...... ଓଡ଼ିଆ ସାହିତ୍ୟର ଏକ ଯଥାର୍ଥ ଏଷ୍ଟିମେଟ ବା ସେହି ଲକ୍ଷ୍ୟରେ ଏକ ଅକପଟ ଚେଷ୍ଟା’’......‘‘ସାହିତ୍ୟର’’ ଐତିହାସିକ ବିଚାର’’ ଦୃଷ୍ଟିରୁ ଉକ୍ତ ପ୍ରବନ୍ଧଟି ଲିଖିତ ।’’ ‘‘ସ୍ତୁତି କରିବାର’’ ତାଙ୍କର ‘‘ଉଦ୍ଦେଶ୍ୟ ନୁହେଁ’’ କି ନିନ୍ଦା କରିବାର ତାଙ୍କର ଲକ୍ଷ୍ୟ ନୁହେଁ,’’..... ତେଣୁ ତାହା ଏକ ‘‘ଖାଣ୍ଟି ନିରପେକ୍ଷ ସମାଲୋଚନା, ଦଳମତ ନିର୍ବଶେଷରେ ‘‘ଏକ ଓ୍ୱାଜିବ କଥା ।’’

 

ଡକ୍‌ଟର ମାନସିଂହଙ୍କ ଲେଖାଟି କେତେଦୂର ଖାଣ୍ଟି ଓ ଓ୍ୱାଜିବ୍‌ ତାହା ତାଙ୍କ ଛଡ଼ା ଅନ୍ୟ କେହି ଏପର୍ଯ୍ୟନ୍ତ କହିବାକୁ ସାହାସ କରି ନାହାନ୍ତି । ସେ ସମ୍ପର୍କରେ ଭାରତୀୟ ସାହିତ୍ୟ ଏକାଡେମୀ ସମ୍ପାଦକଙ୍କର ଯେଉଁ ସାର୍ଟଫିକେଟ୍‌ ଉଦ୍ଧାର କରିଛନ୍ତି, ସେଥିରେ ତ କୌଣସି ଓ୍ୱାଜିବର ସୂଚନା ନାହିଁ ବରଂ ସେପରି ସାର୍ଟିଫିକେଟ୍‌ ଯେ କୌଣସି ଅଣଓଡ଼ିଆ ଲୋକ, ଯେ କୌଣସି ଓଡ଼ିଆ ଲୋକକୁ ଦେଇପାରେ । ଯା’ହେଉ ସମାମଧ୍ୟ, ଲୋଚନା ଫଳରେ, ସେ ତାଙ୍କ ତ୍ରୁଟିକୁ ପରୋକ୍ଷ ଭାବେ ଗ୍ରହଣ କଲେ ବହୁ କୈଫିୟତ ଭିତରେ ତାକୁ ଉଡ଼ାଇ ଦେବାକୁ ଅନବରତ ଉଦ୍ୟମ କରିଛନ୍ତି-। ତେଣୁ ତାଙ୍କର ମୂଳ ପ୍ରବନ୍ଧରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତା ଉପଲବଧି କରି ନାହାନ୍ତି । ଫଳରେ ତାଙ୍କ ଲେଖା ଓ କୈଫିୟତ କେତେକ କ୍ଷେତ୍ରରେ ପରସ୍ପର-ବିରୋଧୀ-

 

ତାଙ୍କର ମୁଖ୍ୟ ଅଭିଯୋଗ ହେଲା, —ତାଙ୍କ ଲେଖାକୁ ସଂଗତିହୀନ ଭାବେ ଉଦ୍ଧାର କରାଯାଇଛି । ତାଙ୍କର ବ୍ୟଞ୍ଜନା ଧରି ହୋଇନାହିଁ, ଏପରିକି ତାଙ୍କ ଇଂରାଜୀ ଶବ୍ଦର ଅର୍ଥ ବୁଝିପାରି ନାହିଁ । ଶେଷରେ ତାଙ୍କ ପ୍ରତି ଅଭିସନ୍ଧିମୂଳକ ଷଡ଼ଯନ୍ତ୍ର ହୋଇଛି ବୋଲି ତାଙ୍କର ଆଶଙ୍କା ପଦେ କଥାରେ କହିଲେ ଏସବୁ ଅଭିଯୋଗ ଅସତ୍ୟ ଓ ଭିତ୍ତିହୀନ ।

 

ଅତି ଦୁଃଖର ବିଷୟ ଯେ, ସେ ସମାଲୋଚନାକୁ ଆକ୍ରମଣ ଭାବେ ସେ ଗ୍ରହଣ କରିଛନ୍ତି-। ତାକୁ ‘‘ଉପଭୋଗ୍ୟ’’ ବୋଲି କହି, ଚତୁର୍ଦ୍ଦିଗରୁ ଆକ୍ରମଣ କରିଛନ୍ତି । ନିଜକୁ ନିର୍ଭୁଲ, ବୋଲି ପ୍ରମାଣିତ କରିବାକୁ ଯାଇ ନିଜର ଆତ୍ମଚରିତର ନଜର ଦେଇଛନ୍ତି । ସମାଲୋଚନର କୌଣସି ସ୍ଥଳରେ ଉଠି ନଥିବା ‘‘ବାମପନ୍ଥୀ ସାହିତ୍ୟ’’ ‘‘ବୁର୍ଜ୍ଜୁୟା ସାହିତ୍ୟ’’ ଆଦି କଥା ଉତ୍‌ଥାପନ କରି ଖୁଞ୍ଚା ମାରିଛନ୍ତି । ଶେଷରେ, ‘ମସ୍କୋମତ କମ୍ରେଡ଼’’ ‘‘ହିଂସାତ୍ମକ ସାମ୍ୟବାଦ’’ ‘‘ରୁଷିଆର କନ୍‌ସେନ୍‌ଟ୍ରେସନ କ୍ୟାମ୍ପ,’’ ଓ ‘ଗୁଳି’ ଇତ୍ୟାଦିରେ ଆସି ପହଞ୍ଚିଛନ୍ତି । ଫଳରେ ତାଙ୍କ ଲେଖାଟି ଉତ୍ତର, ଆତ୍ମଚରିତ ଏବଂ ଆକ୍ରମଣ, ଏହିପରି ତିନିଭାଗରେ ବିଭକ୍ତ ହୋଇ ପଡ଼ିଛି ।

 

ଏଠି ତାଙ୍କର ଆତ୍ମଚରିତ ନେଇ କିଛି କହିବାର ନାହିଁ, କାରଣ କବି ମାନସିଂହଙ୍କ ଜୀବନୀ ନୁହେଁ, ତାଙ୍କର ଏକ ନିର୍ଦ୍ଦିଷ୍ଟ ଲେଖାହିଁ ଆମର ଆଲୋଚ୍ୟ ବିଷୟ । ତେଣୁ ସେ କେତେବେଳେ କଣ କରିଛନ୍ତି, କହିଛନ୍ତି, ଭାବିଛନ୍ତି, କାହାକୁ କେମିତି ନିର୍ଭୀକ ଭାବେ ‘‘ଭର୍ତ୍ସନା’’ କରିଛନ୍ତି, କିପରି ଅନ୍ୟାୟ ବିରୁଦ୍ଧରେ ଦମ୍ଭର ସହିତ ଛିଡ଼ା ହୋଇଛନ୍ତି ଓ ତା’ର ପ୍ରମାଣ ଲାଗି ସ୍ୱର୍ଗତଃ ଆତ୍ମାକୁ ସାକ୍ଷୀ ମାଗିଛନ୍ତି, ଏସବୁ ବର୍ଣ୍ଣନା ଦ୍ୱାରା ଲେଖକଙ୍କ ଆତ୍ମବିଜ୍ଞାପନ ଘଟିପାରେ କିନ୍ତୁ ତଦ୍ଦ୍ୱାରା ଆମ ଆଲୋଚ୍ୟ ପ୍ରବନ୍ଧର ଗୋଟିଏ ଅକ୍ଷର ସୁଦ୍ଧା ଏପାଖ ସେପାଖ ହେବ ନାହିଁ । କବିର ଜୀବନୀ ଦ୍ୱାରା ତା’ର ଲେଖାର ବିଚାର ହୁଏ ନାହିଁ । ସବୁ ଯୁଗରେ କବିର ଜୀବନୀ ଅପେକ୍ଷା ତା’ର ଲେଖା ହିଁ ମହତ । ତେଣୁ ସାଧାରଣ ଲୋକ କବିର ଲେଖାକୁ ଅନୁସରଣ କରେ, ତାର ଜୀବନୀକୁ ଆଦର୍ଶ କରେ ନାହିଁ । ଏପରି କି ବ୍ୟାସ ଓ କାଳିଦାସଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ । ସେ ପ୍ରକାର ଚର୍ଚ୍ଚା ଅଶୋଭନୀୟ । ଶ୍ରୀଯୁକ୍ତ ମାନସିଂ ଉଚିତ ମନେ କଲେ ବି ଅନ୍ୟମାନଙ୍କ ପକ୍ଷରେ ଏହା ଅସୁନ୍ଦର ।

 

ଶ୍ରୀଯୁକ୍ତ ମାନସିଂଙ୍କ ଆକ୍ରମଣ—ଏହା ଦୁଇ ଭାଗରେ ବିଭକ୍ତ । ଗୋଟିଏ ସାହିତ୍ୟ, ନୀତିଗତ; ଅନ୍ୟଟି ତାତ୍ସଲ୍ୟପୂର୍ଣ୍ଣ, ବ୍ୟକ୍ତିଗତ । ଡକଟ୍‌ର ମାନସିଂ ମୋର ରାଜନୈତିକ ମତବାଦ ଭଲ କରି ଜାଣନ୍ତି । ତେଣୁ ନିର୍ବାଚନବେଳେ : ରାସ୍ତାକଡ଼ରେ କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ ଯାହା ପ୍ରଚାର ହୁଏ, ସେଠାରେ ସାହିତ୍ୟାଲୋଚନା ବେଳେ ତାକୁ ହିଁ ପୁନରାବୃତ୍ତି କରିଛନ୍ତି ।

 

କମ୍ୟୁନିଜ୍‌ମର ଜନ୍ମଦିନୁ ସ୍ଥାନ କାଳ ନମାନି ଏମିତି ଦଳେ ଲୋକ କମ୍ୟୁନିଜମ ବିରୋଧୀ ପ୍ରଚାରରେ ମାତିଛନ୍ତି । କିନ୍ତୁ କମ୍ୟୁନିଷ୍ଟ କାରାଭାନ୍‌ର ଗତି ବନ୍ଦ ହୋଇ ନାହିଁ ।

 

ଏଠାରେ ସେ ପ୍ରକାର ଆକ୍ରମଣ ବା ଲେଖକଙ୍କର ଅନ୍ୟ କାହାକୁ ସନ୍ତୋଷ କରିବା ଉଦ୍ଦେଶ୍ୟରେ ହୋଇପାରିଥାଏ ! ତେବେ ତଦ୍ଦ୍ୱାରା ତାଙ୍କର ଯୁକ୍ତି ଅଣୁମାତ୍ର ବଳିଷ୍ଠ ହେଉନାହିଁ । କାରଣ ଏଠି ‘ରୂଷ’ ବା ହିଂସାତ୍ମକ ସାମ୍ୟବାଦ ‘‘ଆମର ବିଚାର୍ଯ୍ୟ ବିଷୟ ନୁହେଁ । ତେଣୁ ତାକୁ ଟାଣିଆଣି, ସେଥିଯୋଗୁ ଅନ୍ୟକୁ ଆକ୍ରମଣ କରିବା, ଏବଂ ତଦ୍ଦ୍ୱାରା ଉତ୍‌ଥାପିତ ସମାଲୋଚନାକୁ ଖଣ୍ଡନ କରିବାକୁ ଉଦ୍ୟମ କରିବା, କେବଳ ଚପଳତା ନୁହେଁ, ନିଜର ଯୁକ୍ତି ଓ ମତଦୁର୍ବଳତାର ପରିଚୟ ଏବଂ ସୌଜନ୍ୟ-ଅଭାବର ପ୍ରମାଣ । ବ୍ୟକ୍ତିଗତ ସ୍ତରରୁ ନୀତିଗତ ସ୍ତରକୁ ଉଠିବା ଦ୍ୱାରା ହିଁ କେବଳ ପ୍ରକୃତ ସମାଲୋଚନା ସମ୍ଭବପର । ସେ ବ୍ୟକ୍ତିଗତ ଆକ୍ରମଣ ଉଦ୍ଦେଶ୍ୟରେ କେତେକ ସମସ୍ୟାକୁ ଉଖାରିଛନ୍ତି । କିନ୍ତୁ ତାକୁ ସିଧାସଳଖ ସ୍ପଷ୍ଟ ଭାବେ ଉପସ୍ଥାପିତ କରି ସେ ବିଷୟର ଆଲୋଚନା ଦାବୀ କରି ନାହାନ୍ତି । ତା’ ହେଉଛି ସାହିତ୍ୟରେ ଦୃଷ୍ଟିକୋଣ !

 

ଅବଶ୍ୟ ଏଠାରେ ଏହା ଆମର ବିଚାର୍ଯ୍ୟ ନୁହେଁ । ଆଉ ମଧ୍ୟ ନାନା ପ୍ରଶ୍ନ ଓ ଆକ୍ରମଣର-ଆଳରେ ପ୍ରକୃତ ବିଷୟକୁ ଆଡ଼େଇ ଦେଇ ଯିବାର, ଏବଂ ଚିନ୍ତାଧାରାରେ ଆବିଳତା ଆଣିବାର ଯେଉଁ ପ୍ରଚେଷ୍ଟା ହୋଇଛି ତାକୁ ଅନୁସରଣ କରାଯାଇ ନପାରେ । ଏବେ ସେ ନୀତିଗତ ଆଲୋଚନା ପଛକୁ ରଖି ମୂଳ ପ୍ରବନ୍ଧ ଧରାଯାଉ ।

 

ଡକ୍ଟର ମାନସିଂଙ୍କର ପ୍ରବନ୍ଧ ଘେନି ମୁଖ୍ୟ ସମାଲୋଚନା ହେଲା, ତାହା ବାସ୍ତବ ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ, ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଲିଖିତ । ସେଥିରେ ସାହିତ୍ୟ-ଇତିହାସ ବିକୃତ ହୋଇଛି, ଆଦର-ଆକ୍ରୋଶ ଫୁଟିଉଠିଛି, ଅଭିସନ୍ଧି ଦେଖା ଦେଇଛି, ଦେଶପ୍ରେମ ଓ ଜାତୀୟତା ପରିତ୍ୟକ୍ତ ହୋଇଛି । ତାହା ସାଧାରଣ ସୁରୂଚି ଓ ଶାଳୀନତାକୁ ଲଂଘନ କରିଛି ।

 

ସେ ତାଙ୍କ ଲମ୍ୱା ଉତ୍ତରରେ ଏସବୁକୁ ଅସ୍ୱୀକାର କରିଛନ୍ତି । ତାଙ୍କର ଯୁକ୍ତି ଓ ଜୀବନର ନିଜସ୍ୱ ବ୍ୟାଖ୍ୟା ଦ୍ୱାରା ତାକୁ ଅପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଏ ବିଷୟରେ ତାଙ୍କର ବକ୍ତବ୍ୟ ଉପରେ ବର୍ଣ୍ଣନା କରାଯାଇଛି । ତେଣୁ ନିଜ ଲେଖାରେ ସେ କିଛି ପରିବର୍ତ୍ତନ କରିବାକୁ ରାଜି ନୁହନ୍ତି-। କେବଳ ମାତ୍ର ‘‘ବନ୍ଦୀର ଆତ୍ମକଥା’’ ଗାନ୍ଧୀ ଆନ୍ଦୋନଳ ଦ୍ୱାରା ପ୍ରଭବିତ, ଏହି ଉଲ୍ଲେଖଯୋଗ୍ୟ କଥାଟି ଲେଖିବାକୁ ଭୁଲିଯାଇଛନ୍ତି ବୋଲି ଜଣାଇଛନ୍ତି ।

 

ଡକ୍ଟର ମାନସିଂ ଲେଖିଛନ୍ତି, ସେ କେବେହେଲେ ସତ୍ୟବାଦୀ ସାହିତ୍ୟର ନିନ୍ଦା କରି ନ ପାରନ୍ତି, ଏବଂ ସେ କେବେ କିପରି ଓ କେଉଁଠି ତା’ର ପ୍ରଶଂସା କରିଛନ୍ତି, ତାର ଏକ ଲମ୍ୱା ତାଲିକା ଦେଇଛନ୍ତି । ଏଠାରେ ଏହାହିଁ କଣ ପ୍ରଶ୍ନ ? ପ୍ରଶ୍ନ ହେଉଛି, ତାଙ୍କ ଲିଖିତ ନିର୍ଦ୍ଦିଷ୍ଟ ପ୍ରବନ୍ଧରୁ ଭାରତ ତଥା ଭାରତ ବାହାରର ପାଠକମାନେ ଓଡ଼ିଆ ସାହିତ୍ୟର କି ପରିଚୟ ପାଇବେ ? ପାଠକମାନେ ତ ଆଉ ସେଠି ସତକଥା ଜାଣିବା ପାଇଁ କବି ମାନସିଂଙ୍କ ଜୀବନବୃତାନ୍ତ ପଢ଼ିବାକୁ ପାଇବେ ନାହିଁ । ସେଠି ସେମାନେ ପଢ଼ିବେ ଗାନ୍ଧୀ ଆନ୍ଦୋଳନ, ଜାତୀୟ ଆନ୍ଦୋଳନ, ଓଡ଼ିଶାର ସଂସ୍କୃତିକ କ୍ଷେତ୍ରରେ ‘‘ଶୂନ୍ୟତା’’ (Vacuum) ସୃଷ୍ଟିକଲା ତା’ର (Disastrous effects) ଏ ପର୍ଯ୍ୟନ୍ତ ଦୂର ହୋଇ ପାରିନାହିଁ ।

 

ଏ ଗାନ୍ଧୀ ଆନ୍ଦୋଳନ ହୋଇଥିଲା ୧୯୨୧ ସାଲରେ । ତା’ ପରେ ସେ ‘‘ବନ୍ଧ୍ୟାତ୍ୱ’’ (sterile) ଘୁଞ୍ଚିଲା କେବେ ? ଯେତେବେଳେ ମହତାବଙ୍କ ଉପନ୍ୟାସ ଓ ‘କମଳାୟନା’ ପ୍ରକାଶ ପାଇଲା ଅର୍ଥାତ୍‌ ୧୯୪୭ । ୪୮ ସାଲରେ । ଏହାର ତାତ୍ପର୍ଯ୍ୟ ହେଲା ଏହି ୨୬।୨୭ ବର୍ଷ କାଳ ଓଡ଼ିଶାର ଗାନ୍ଧି ଓ ଜାତୀୟ ଆନ୍ଦୋଳନର କୌଣସି ଉଲ୍ଲେଖ୍ୟ ଯୋଗ୍ୟ ଜାତୀୟ ଓ ଦେଶ ପ୍ରେମୀ ସାହିତ୍ୟ ସୃଷ୍ଟି ହେଲା ନାହିଁ ।

 

ତେବେ ଏ ଦୀର୍ଘ ସମୟଧରି ଆମର ଲେଖକମାନେ କଣ ଲେଖୁଥିଲେ ? ଜଗବନ୍ଧୁ ସିଂ, କୁନ୍ତଳାକୁମାରୀ, ଗୋଦାବରୀଶ ମହାପାତ୍ର, ନୀଳକଣ୍ଠ, କାଳିନ୍ଦୀ, ଗୋଦାବରୀଶ ମିଶ୍ର, ବାଞ୍ଛାନିଧି ବାବୁ, ଲକ୍ଷ୍ମୀକାନ୍ତ, ରାମପ୍ରସାଦସିଂ, କବି ବୀର କିଶୋର, ସଚ୍ଚିରାଉତ ରାୟ, ଅନନ୍ତ-ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର ଏହିପରି ବହୁକବି ଓ ଲେଖକମାନଙ୍କର ଲେଖାର ମୁଖ୍ୟ ବିଷୟବସ୍ତୁ କ’ଣ ଥିଲା ? ସେ ସମୟ ଭିତରେ ଏମିତି କୌଣସି ଲେଖକ ନାହାନ୍ତି, ଯିଏ ଜାତୀୟ ଭାବ ଦ୍ୱାରା ଅନୁପ୍ରାଣିତ ନ ହୋଇଛି ଏବଂ ଏପରି କୌଣସି ସାହିତ୍ୟ ନାହିଁ ଯାହା ଦେଶ ପ୍ରେମ ଓ ସ୍ୱାଧୀନତାର ଆବେଗରେ ଉଦ୍‌ବେଳିତ ହୋଇ ନାହିଁ ।

 

ଅବଶ୍ୟ ‘‘ସାହିତ୍ୟ-ଐତିହାସିକ’’ ମାନସିଂ ସେ ସବୁକୁ ଗ୍ରହଣ କରନ୍ତି ନାହିଁ । ତାଙ୍କର ବକ୍ତବ୍ୟ ହେଲା,’’ ଯଦି କେହି କହନ୍ତି ଯେ କଂଗ୍ରେସ ଆନ୍ଦୋଳନ ବେଳେ ବ୍ରିଟିଶକୁ ଗାଳିଦେଇ ବା ଲୋକଙ୍କୁ ଉତ୍ତେଜିତ କରି ଯେଉଁ ସବୁ ସଙ୍ଗୀତ ଲେଖା ହେଉଥିଲା, ତାକୁଇ ଆମେ ସାହିତ୍ୟ ବୋଲି ଗ୍ରହଣ କରିବା, ସେଥିରେ ମୁଁ ଏକମତ ହୋଇ ନ ପାରେ । କାରଣ ଏ ଗୁଡ଼ିକ ଆଧୁନିକ ପ୍ରୟୋଜନର ବହୁତ ଦୂରରେ ସାହିତ୍ୟରେ ପୁଣି ସ୍ଥାୟିତ୍ୱ ରହିଛି ତ ।’’

 

ଏହି ଦୀର୍ଘକାଳ ଭିତରେ ଓଡ଼ିଶାର ସ୍ଥାୟୀ ସାହିତ୍ୟ କେତେ ସୃଷ୍ଟି ହୋଇଛି ବା ଆମ ସାହିତ୍ୟିକମାନଙ୍କର ସାହିତ୍ୟ କେତେଦୂର ଚିରନ୍ତନ ତାହା ଏକ ଭିନ୍ନ ବିଷୟ । ଏଠାରେ ଶ୍ରୀ ମାନସିଂଙ୍କ ସାହିତ୍ୟର, ତଉଲ ହେଲା—ତାହା ବ୍ରିଟିଶକୁ କେବଳ ଗାଳି ବା ଉତ୍ତେଜନାକରୀ ହୋଇ ନଥିବ, ତାହାର ଆଧୁନିକ ପ୍ରୟୋଜନୀୟତା ଓ ସ୍ଥାୟିତ୍ୱ ଥିବ ।

 

ସ୍ୱାଧୀନତା ସଂଗ୍ରାମ ଓ ସେଥିରେ ଜୟଲାଭ ଲାଗି ସମଗ୍ର ଜାତିକୁ ସଂଜୀବିତ କରିବା, ଆଧୁନିକ ନା ଅତୀତକାଳୀନ ପ୍ରୟୋଜନ ? ଶ୍ରୀଯୁକ୍ତ ମାନସିଂ ତାଙ୍କର ଉପରୋକ୍ତ ତଉଲ ମହତାବଙ୍କ ପ୍ରତି ପ୍ରୟୋଗ କରି ଲେଖିଛନ୍ତି, ‘‘ଶ୍ରୀଯୁକ୍ତ ମହତାବଙ୍କ ଉପନ୍ୟାସର ସାହିତ୍ୟିକ ମୂଲ୍ୟ ବେଶି ନୁହେଁ । ତେବେ ମୋ ପ୍ରବନ୍ଧରେ ଏହା କହିବା ଦରକାର ନ ଥିଲା । ସାହିତ୍ୟର ଅନ୍ତନିହିତ ମୂଲ୍ୟ ସଙ୍ଗେ ସଙ୍ଗେ, ଗୋଟାଏ ବହିର ସାମୟିକ’ ମୂଲ୍ୟ ରହିଥାଏ । ପାୟୋନିୟର ସମ୍ମାନ ପାଇବା କଥା ଅଗ୍ରଣୀ ଭାବରେ । ଏହି ଭାବରେ ହିଁ ମହତାବଙ୍କ ଉପନ୍ୟାସ ବରାବର ଉଲ୍ଲେଖ କରାଯାଇପାରେ, ଓଡ଼ିଆ ସାହିତ୍ୟ ଇତିହାସରେ, କେବଳ ଗାନ୍ଧି ଆନ୍ଦୋଳନ ସମ୍ପର୍କରେ—’’

 

ଡକ୍ଟର ମାନସିଂଙ୍କ ଉକ୍ତି ଅନୁସାରେ, ମହତାବଙ୍କ ଉପନ୍ୟାସର ସାହିତ୍ୟିକ ମୂଲ୍ୟ ବେଶି ନ ଥିଲେ ବି ସାମୟିକ ମୂଲ୍ୟ ଅଛି । ସାହିତ୍ୟରେ ସାମୟିକ ମୂଲ୍ୟ କଣ କେବଳ ଉପନ୍ୟାସରେ ଆବଦ୍ଧ ଥାଏ ?

 

ଏଠାରେ ସ୍ୱତଃ ପ୍ରଶ୍ନ ଉଠେ, ତା’ ହେଲେ ଅନ୍ୟବେଳକୁ ଲେଖକ ଆଧୁନିକ ପ୍ରୟୋଜନୀୟତା, ସାହିତ୍ୟରେ ସ୍ଥାୟିତ୍ୱ, ସାହିତ୍ୟିକ ମୂଲ୍ୟ ଆଦି ଲୋଡ଼ିବାର ରହସ୍ୟ କଣ ? ଏହା ପରେ ପାୟୋନିୟର ପ୍ରଶ୍ନ । ଏ ସମ୍ପର୍କରେ ଜାତୀୟ ଆନ୍ଦୋଳନର ଜଣେ ଯୋଦ୍ଧା ଭାବରେ ଶ୍ରୀ ମହତାବ, ମାନସିଂଙ୍କ ଅପେକ୍ଷା ଅଧିକ କହିପାରିବେ । ତେବେ ଉପନ୍ୟାସ କ୍ଷେତ୍ରରେ ମହତାବଙ୍କ ଉପନ୍ୟାସ ପ୍ରକାଶ ହେବାର ୧୬ ବର୍ଷ ଆଗରୁ ‘‘ମାଟିର ମଣିଷ’’ ପ୍ରକାଶ ପାଇ ନ ଥିଲା କି ? ହୋଇପାରେ, ଲେଖକଙ୍କ ଦୃଷ୍ଟିରେ ତାର ସାହିତ୍ୟିକ ବା ସାମୟିକ ମୂଲ୍ୟ ନ ଥିବାରୁ ତାହା ଆଗ ପ୍ରକାଶ ପାଇଲେ ବି ପାୟୋନିୟର ସ୍ଥାନ ପାଇଲା ନାହିଁ । ଏହିଭଳି ରାମପ୍ରସାଦ, ଗୋଦାବରୀଶ ମହାପାତ୍ରଙ୍କ ବହୁ ଗଳ୍ପ ଉପନ୍ୟାସ ପାୟୋନିୟର ଶ୍ରେଣୀରୁ ବହିର୍ଭୂତ ହୋଇ ନ ପାରେ । ଏହା କଣ ସାହିତ୍ୟର ଖାଣ୍ଟି ତଉଲ ନା ଡବଲ ଷ୍ଟାଣ୍ଡାର୍ଡ଼ ? ଏହାତ ସାହିତ୍ୟରେ ରାମ ଲକ୍ଷଣ ଗୌଣୀର ପ୍ରଚଳନ ଭଳି ।

 

‘କମଳାୟନ’ ସଂବନ୍ଧରେ ଡକ୍ଟର ମାନସିଂ ଲେଖିଛନ୍ତି ‘‘ଗାନ୍ଧୀ-ଆନ୍ଦୋଳନକୁ କାବ୍ୟ ଆକାରରେ ରୂପ ଦେବା ପାଇଁ ପରୀକ୍ଷା ସ୍ୱରୂପ ଆରମ୍ଭ ହୋଇଥିଲା । ପରେ ଯଦିଓ ପ୍ଳଟ ଅନ୍ୟ ଆକାର ଧରିଛି । ସେଥିପାଇଁ ଗାନ୍ଧୀ ଆନ୍ଦୋଳନର, କାବ୍ୟଫଳ ଓଡ଼ିଶାରେ ଅନ୍ତତଃ କିଛି ହେଲେ ଅଛି, ତାହା ଜଣାଇବା ପାଇଁ ଏହି ପୁସ୍ତକର ଉଲ୍ଲେଖ କରାଯାଇଛି ।’’

 

ଭଲ କଥା । ଯାହା ପରୀକ୍ଷା ସ୍ୱରୂପ, ହୋଇପାରେ, ଭିନ୍ନରୂପ ଧରିଲା, ତାହା ସତ୍ୟର ବିକୃତ ପ୍ରକାଶ ହେଲେ ବି ଅନ୍ତତଃ କିଛି ହେଲେ ଜଣାଇ ଦେଲା ତ ! ତେବେ ଯେଉଁଠି ପ୍ଳଟ ଅନ୍ୟ ଆକାର ନ ଧରିଛି ସେପରି ଉଲ୍ଲେଖଯୋଗ୍ୟ ଗୀତ, କାବ୍ୟ, ସଙ୍ଗୀତ, ପ୍ରବନ୍ଧ, ରଖାଗଲା ନାହିଁ କାହିଁକି ? ବୋଧହୁଏ ଯାହା ବହୁ ଲୋକଙ୍କୁ ପ୍ରେରଣା ଦେଇଛି, ସେମାନଙ୍କ ଚିନ୍ତାରାଜ୍ୟକୁ ଚହଲାଇ ଦେଇ କର୍ମତତ୍‌ପର କରିଛି, ତାହା ସବୁ ସାହିତ୍ୟ ପଦବାଚ୍ୟ ନୁହେଁ । ଆଉ ‘କମଳାୟନ’ ସେ ସବୁ ଦୁର୍ଗୁଣକୁ ମୁକ୍ତ ବୋଲି ତା’ରି ସ୍ଥାୟିତ୍ୱ ରହିଲା । ଏ ସମ୍ପର୍କର ବିଷୟଟିକୁ ଶ୍ରୀଯୁକ୍ତ ମାନସିଂ ଅତି କ୍ଷୁଦ୍ର ଓ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ବିଚାର କରିଛନ୍ତି । ସେ ବାହାରେ ସମ୍ମାନ ପାଇବା ଜଣାଇବା ଦୃଷ୍ଟିରୁ ଲେଖିଛନ୍ତି, ସେଇ ଦୃଷ୍ଟିରୁ ସମାଲୋଚନା ହୋଇଛି ବୋଲି ଧରି ନେଇଛନ୍ତି । ଏଠାରେ ବ୍ୟକ୍ତିଗତ ଈର୍ଷା ବା ଦ୍ୱୋଷର ପ୍ରଶ୍ନ ନାହିଁ । ସେ ବାହାରେ ଯଥାର୍ଥ ଭାବେ ସମ୍ମାନିତ ହେବା ସୁଖର କଥା । ଓଡ଼ିଆ ହିସାବରେ ସେଥିରେ ଆମର ବି ଭାଗ ରହିବ । ତେଣୁ, ‘‘କମଳାୟନ’’ ବା ମହତାବଙ୍କ ନାମ ଉଲ୍ଲେଖ କରିଦେଲେ ବୋଲି ଯେ ପାପ ହୋଇଗଲା, ତା ନୁହେଁ ।

 

ପ୍ରଶ୍ନ ହେଉଛି, ଡକ୍ଟର ମାନସିଂ ଏକା ଗାରକେ ଓଡ଼ିଶାର ୨୬।୨୭ ବର୍ଷ-ପ୍ରାୟ ଏକ ଚତୁର୍ଥାଂଶ ଶତାବ୍ଦୀର ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି । ସେମାନଙ୍କ ପ୍ରତି ଘୋର ଅନ୍ୟାୟ ଓ ଅକ୍ଷମଣୀୟ ଅପରାଧ କରିଛନ୍ତି । ଏବଂ ଯେଉଁ ସମୟ ମଧ୍ୟରେ ଓଡ଼ିଶାର ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ବିରାଟ ଆଲୋଡ଼ନ ଆସିଚି, ଅଗ୍ରଗତି ଦେଖା ଦେଇଚି, ଗୁଣାତ୍ମକ ପରିବର୍ତ୍ତନ ଘଟିଛି, ପଦେ କଥାରେ ସେ, ନୂତନ ଯୁଗର ଆବିର୍ଭାବକୁ, ତା’ର ଅତିବାସ୍ତବ ନଗ୍ନ ଓ ଜ୍ୱଳନ୍ତ ପ୍ରଭାବକୁ, ସାହିତ୍ୟ ଇତିହାସରୁ ପୋଛି ଦେବାକୁ ବସିଛନ୍ତି । ଏହାଦ୍ୱାରା ସାହିତ୍ୟ-ଇତିହାସକୁ କେବଳ ବିକୃତ ଓ ଖଣ୍ଡିତ କରାଯାଉ ନାହିଁ, ଓଡ଼ିଆ ଲୋକଙ୍କର ଦେଶାତ୍ମବୋଧକୁ ମଧ୍ୟ କଳଙ୍କିତ କରାଯାଉଛି । ସମାଲୋଚନାର ଉତ୍ତରରେ, ସତ୍ୟବାଦୀ-ଯୁଗପ୍ରତି ପ୍ରଶଂସାରେ ଯେତେକ ପ୍ରମାଣପତ୍ର ଉପସ୍ଥାପିତ କଲେ ବି ତା’ର ପ୍ରଭାବକୁ ଲୋପ କରାଯାଇଛି ।

 

ଏହା ସ୍ପଷ୍ଟ ପ୍ରମାଣ କରେ ଯେ, ବିଭିନ୍ନ ସମୟରେ ସତ୍ୟବାଦୀ-ଯୁଗର ଯଶୋଗାନ ଶ୍ରୀଯୁକ୍ତ ମାନସିଂଙ୍କର ସାହିତ୍ୟନିଷ୍ଠା, ସୁସ୍ଥ ବିଚାର ଏବଂ ବାସ୍ତବ ବିଶ୍ୱାସ ଉପରେ ପ୍ରତିଷ୍ଠିତ ନୁହେଁ । ସାମୟିକ ମୂଲ୍ୟ ଆହରଣ ଦିଗରୁ ହିଁ ତାହା ନିୟନ୍ତ୍ରିତ ।

 

ଡକ୍ଟର ମାନସିଂ ଜଣାଇଛନ୍ତି, ଯେ ତାଙ୍କ ପ୍ରବନ୍ଧରେ ‘‘କମଳାୟନ’’ ଲେଖକଙ୍କର ନାମ ସେ ଦେଇ ନାହାନ୍ତି । ଆଉ ମଧ୍ୟ ବଙ୍ଗଳାରେ ସେପରି ‘‘ଚେଷ୍ଟା’’ ହୋଇ ନାହିଁ ବୋଲି ଶ୍ରୀ ଅନ୍ନଦାଶଙ୍କରଙ୍କ ସାର୍ଟିଫିକେଟ ଉଦ୍ଧାର କରିଛନ୍ତି । ତା’ ଅର୍ଥ, ସେ ଆତ୍ମବିଡ଼ିମା ବା ଆତ୍ମପ୍ରତିଷ୍ଠା ଉଦ୍ଦେଶ୍ୟରେ ତାହା ଲେଖି ନାହାନ୍ତି । ‘‘କମଳାୟନ’’ ଲେଖକଙ୍କର ନାମ ପ୍ରକାଶ ଅପ୍ରକାଶ ସହିତ, ଯାଏ ଆସେ ନାହିଁ । କଥା ହେଉଛି, ବିଷୟଟି କେତେଦୂର ସତ୍ୟ । ଏକ ଚତୁର୍ଥାଂଶ ଶତାବ୍ଦୀର ଲେଖକମାନଙ୍କୁ କବର ଦେଇ, ତା ଉପରେ ଦଣ୍ଡାୟମାନ ହେବାକୁ ଚେଷ୍ଟା କଲେ ଆତ୍ମ ବଡ଼ିମା ହେବ କାହିଁକି ? ଏପରିକି, ତାଙ୍କର ଏଇ ଆଠପୃଷ୍ଠା-ବ୍ୟାପୀ ଉତ୍ତର ଭିତରେ ପ୍ରାୟ ଶତାଧିକ ବାର ପ୍ରଥମ ପୁରୁଷର ବ୍ୟବହାର, ତା’ର ପ୍ରମାଣ ପରି ମନେ ହେବ । ଅତଏବ, ମହତାବଙ୍କ ଉପନ୍ୟାସ ଓ ‘‘କମଳାୟନ’’ ସଂପର୍କରେ ମୂଳ ଆଲୋଚନାରେ ଯେଉଁ ‘‘ସ୍ତୁତିଗାନ’’ ଓ ଆତ୍ମବିଜ୍ଞପ୍ତି ହୋଇଥିଲା, ତାହା ଏବେ ମାନସିଂହଙ୍କ କୈଫିୟତ ଦ୍ୱାରା ବଳିଷ୍ଠ ହୋଇଛି ।

 

କେତେକ ଶବ୍ଦ ସମ୍ପର୍କରେ ଆଲୋଚନା କରାଯାଉ । ଯଥା ଭାଣ୍ଡାଲିଜମ୍‌ଏ ଅଣ୍ଡର ଗ୍ରାଜୁଏଟ୍‍, ଟେକସ୍‌ଟବୁକ, ବେଙ୍ଗଲସ୍‌ ଟ୍ରେଡ଼ମାର୍କ, ପିପଲସ୍‌ ପୋଏଟ୍‍ । ଏ ସମ୍ପର୍କରେ ମାନସିଂ ନାନା ଉତ୍ତର ଦେଇ ବୁଝାଇବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ଏଗୁଡ଼ିକ କେବଳ ସ୍ୱଚ୍ଛ, ସରଳ ଓ ନିରୀହ ଶବ୍ଦ ନୁହନ୍ତି । ଏହା ସବୁ ଏକ ନିର୍ଦ୍ଦିଷ୍ଟ ଚିନ୍ତା, ସଂବାଧ, ଦୃଷ୍ଟିକୋଣ ଓ ମନୋଭାବର ପରିଚୟ । ଏବେ ବିଚାର କରାଯାଉ ।

 

ଅଣ୍ଡର ଗ୍ରାଜୁଏଟ୍‍ । ଶ୍ରୀଯୁକ୍ତ ମାନସିଂ କହନ୍ତି, ସବୁଜ ଲେଖକମାନେ ଅଣ୍ଡର ଗ୍ରାଜୁଏଟ୍‍ ଥିଲାବେଳେ କବିତା ଲେଖୁଥିଲେ ସେ ଅବସ୍ଥାରେ କବିତା ଲେଖିବା ଏକ ‘‘ଗୌରବ’’ର କଥା । ତାଙ୍କୁ ସେ ‘‘ଗୌରବ’’ ଦେବାପାଇଁ ସେଇ ଶବ୍‌ଦ ସବୁ ବ୍ୟବହାର କରିଛନ୍ତି । ଏବଂ କମନସେନ୍‌ସ୍‌’ର ଅଭାବରୁ ତାହା ବୁଝିପାରିଲା ନାହିଁ । ଓଡ଼ିଶାର ଲୋକେ ଏହା ଜାଣନ୍ତି । ନିଶ୍ଚୟ ବାହାରେ ଜଣାଇବା ପାଇଁ ସେ ଏହା ଲେଖିଛନ୍ତି । ତେଣୁ ଏ ଗୌରବ କଥାକୁ କ’ଣ ଅଧିକ ଗୌରବଜନ ଭାବେ ‘ଛାତ୍ର’ ବୋଲି କୁହାଯାଇପାରି ନ ଥାନ୍ତା ? ଡକ୍‌ଟର ମାନସିଂହ ପାଖରେ କ’ଣ ଭାଷାର ଅଭାବ ଅଛି ? ଏମିତି ‘ଅଣ୍ଡର-ଗ୍ରାଜୁଏଟ୍‍ ଅବସ୍ଥାରେ ପ୍ରସିଦ୍ଧି ଲାଭ କରିଥିବା ଅନ୍ୟମାନଙ୍କ ପ୍ରତି ଏହି ଶବ୍ଦ ପ୍ରୟୋଗ ନକରି ସେମାନଙ୍କୁ ସେ ଗୌରବରୁ ବଞ୍ଚିତ କଲେ କାହିଁକି ?‘‘ଖା, ଭୁଞ୍ଜ୍‌, ଗିଳ୍‌,’’ ଗୋଟିଏ ଜିନିଷ । କେହି ସଂଭ୍ରମ, ସୌଜନ୍ୟ ବା ଗୌରବରେ ‘‘ଗିଳିବାକୁ ଆ’’ ବୋଲି ଡାକେ ନାହିଁ । ଏହାହିଁ ହେଲା ‘‘କମନସେନ୍‌ସ’ ।

 

‘ଟେକସ୍‌ଟ ବୁକ୍‌’ ଲେଖାଘେନି ଡକ୍‌ଟର ମାନସିଂହ କହନ୍ତି, ସେ ୟାକୁ ମଧ୍ୟ ଗୌରବରୂପେ ବ୍ୟବହାର କରିଛନ୍ତି । ଖୁବ୍‌ ବଡ଼ବଡ଼ ଲୋକ ପାଠ୍ୟପୁସ୍ତକ ଲେଖିଛନ୍ତି ଏବଂ ସେ ନିଜେ ମଧ୍ୟ ଲେଖନ୍ତି । ଏଥିରେ ଦ୍ୱିମତ ହେବାର କିଛି ନାହିଁ । ତେବେ ଗୌରବ ଭାବରେ ସେ କିପରି ଉଲ୍ଲେଖ କରିଛନ୍ତି, ତାହା ଦେଖାଯାଉ । ‘‘ସବୁଜମାନଙ୍କୁ ହଳଦିଆ ବନିଯିବାକୁ ଅତି ଅଳ୍ପ ସମୟ ଲାଗିଲା । ସେ ଲେଖକମାନଙ୍କ ମଧ୍ୟରୁ ଓଡ଼ିଶାରେ ଜଣେ ମାତ୍ର ଏବେ କର୍ମରତ ରହି କେବଳ ପାଠ୍ୟପୁସ୍ତକ ରଚନାରେ ବ୍ୟସ୍ତ ।’’ (The Green required only short tin to tnen yellow. The only writer of the whole group, who is still active in orissa is now busy with text-books) ଏ ମନ୍ତବ୍ୟର ବିଚାରକ ପାଠକମାନେ ।

 

‘‘ବେଙ୍ଗଲ ଟ୍ରେଡ଼ ମାର୍କ’’ ସଂପର୍କରେ ଡକ୍‌ଟର ମାନସିଂହଙ୍କର ମତ ବଡ଼ ଦୃଢ଼ । ସେ କହନ୍ତି, ‘‘ସବୁଜ-ସାହିତ୍ୟ ଓଡ଼ିଶାର ଐତିହ୍ୟ ସଙ୍ଗେ ସମ୍ପର୍କହୀନ । ଓଡ଼ିଶାର ମାର୍ଗ ଅନପେକ୍ଷ, ଅଧିକାଂଶ ବଙ୍ଗଳାର ଅନୁକରଣ ।’’ ଏହା କେତେ ପରିମାଣରେ ଠିକ କି ଭୁଲ, ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ ନୁହେଁ । ତେବେ ସେଇ କଥାକୁ ବଙ୍ଗଳାରେ ଟ୍ରେଡ଼ମାର୍କ ବଦଳରେ ବଙ୍ଗଳା ଦ୍ୱାରା ବିଶେଷ ପ୍ରଭାବିତ ବୋଲି କଣ କୁହାଯାଇପାରି ନ ଥାନ୍ତା ? ବାହାରର ପ୍ରଚାରଦିଗରୁ, ନିଜେ ଲେଖକଙ୍କ ସମ୍ମାନ ଦୃଷ୍ଟିରୁ ମଧ୍ୟ ଏହା ସୁରୁଚିର ପରିଚୟ ଦେଇଥାନ୍ତା ।

 

ଏ ବିଷୟ ଲେଖିଲାବେଳେ ଡକ୍‌ଟର ମାନସିଂହ ଏ ଆହ୍ୱାନ ଦେଇଛନ୍ତି—‘‘ବର୍ତ୍ତମାନ ବି କମ୍ରେଡ଼ ପଟ୍ଟନାୟକଙ୍କୁ ମୁଁ ଗୋଟାଏ ପରୀକ୍ଷା କରିବାକୁ ଅନୁରୋଧ କରେ । ସେ ଅ-ସବୁଜ ଯେକୌଣସି କାବ୍ୟ ଓ କବିତାକୁ ବଙ୍ଗଳାକୁ ଅନୁବାଦ କରନ୍ତୁ । ପୁଣି ସବୁଜ ଓ ତଥାକଥିତ ସାମ୍ୟବାଦୀ କବିତାକୁ ବଙ୍ଗଳାକୁ ଅନୁବାଦିତ କରନ୍ତୁ । ତା’ ହେଲେ ଏମାନଙ୍କ ପାରିବାରିକ ସମ୍ପର୍କ ସେ ବୋଧହୁଏ ସହଜରେ ଧରିପାରିବେ । ମୋର ମନେହୁଏ, ଦ୍ୱିତୀୟ ଶ୍ରେଣୀର ଅଧିକାଂଶ କବିତାରେ କେବଳ ଅକ୍ଷର ବଦଳାଇଲେ ହିଁ କର୍ମସମ୍ପନ୍ନ ହେବ । ତାହା ହିଁ ପ୍ରମାଣ କରିବା ମୋର ଅଭିମତ ଓ ଏମାନଙ୍କର ଓଡ଼ିଶାର ମାଟି ଓ ଜନତାର ନାଡ଼ି ସଙ୍ଗେ ସମ୍ପର୍କ କେତେ ଟାଣ ଓ ଗଭୀର...।’’

ସବୁଜ ଓ ସାମ୍ୟବାଦୀ କବିତା ଏଠାରେ ଆଲୋଚ୍ୟ ବିଷୟ ନୁହଁ । ତେବେ ଓଡ଼ିଆ ମାଟି ସହ ଲେଖକ ତାଙ୍କ ସମ୍ପର୍କକୁ ଖୁବ୍‌ ଗଭୀର ଓ ଟାଣ ବୋଲି ମନେ କରନ୍ତି । ଅଥଚ, କବି ମାନିସିଂହଙ୍କ ‘‘ପୂଜାରିଣୀ’’ ସେଇ ସବୁଜ ଦଳ ଦ୍ୱାରା ପ୍ରକାଶିତ ହୋଇଛି । ତାଙ୍କର ଏକ ପ୍ରସିଦ୍ଧ କବିତାକୁ ଏବେ ପରୀକ୍ଷା କରାଯାଉ ।

‘‘ସହକାର-ତଳ ବାୟୁ ଉତ୍‌ଥଳ

ହୋଇଗଲା ପ୍ରିୟା ଗନ୍ଧେ,

ଶିଥିଳ ଚିକୁର ଚୂମ୍ୱନାକୁଳ

ପଡ଼ିଲା ରୂପସୀ ସ୍କନ୍ଧେ ।’’

(ଏଇ ସହକାର ତଳେ— ଧୂପ—ପୃ-୩୨)

ବଙ୍ଗଳା ଅନୁବାଦରେ—

‘‘ସହକ ର ତଲ ବାୟୁ ଉତ୍‌ଥଲ

ହଏଗେଲ ପ୍ରିୟା ଗନ୍ଧେ,

ଶିଥିଲି-ଚିକୁର, ଚମ୍ୱନାକୁଲ

ପଡ଼ିଲ ରୂପସୀ ସ୍କନ୍ଧେ ।’’

ଏଥିରେ କେତୋଟି ଅକ୍ଷର ବଦଳାଇଲେ କର୍ମସମ୍ପନ୍ନ ହେଉଛି ତାହା ପାଠକମାନେ ବିଚାର କରିବେ । ତେବେ କିଏ କହିପାରେ, ତାଙ୍କର କାବ୍ୟ ସାହିତ୍ୟରେ ଏହା ସମ୍ଭବ ନୁହେଁ । ଏବେ, ସେହି ପ୍ରସିଦ୍ଧ ‘‘କମଳାୟନ’’କୁ ନିଆଯାଉ ।

 

‘‘ସେକାଳେ କଲେଜେ ଥିଲେ ଯେତେ ଅଧ୍ୟାପକ,

ତାଙ୍କ ମଧ୍ୟେ ଜନ-ମାନ୍ୟ ପଣ୍ଡିତ ପାଠକ,

ଥିଲେ ଅବିନାଶ ଚନ୍ଦ୍ର ଘୋଷ ସୁପ୍ରସିଦ୍ଧି,

ବ୍ରାହ୍ମଧର୍ମୀ ବଂଗଦେଶୀ ଇଂଗଦେଶ ବିଦ୍ଧ—

ଆହାର, ବିହାର, ଚିନ୍ତା ସମସ୍ତ ସ୍ୱଦେଶୀ

ଗମ୍ଭୀର, ଚରିତ୍ରବାନ, ନପାରନ୍ତି ଘେଷି,

ଇତର ଭୟର ପାଶେ ଇଂରେଜ ଅଧ୍ୟକ୍ଷ,

ମନେ ମନେ ତାଙ୍କ ପ୍ରତି ରହିଥେ ସଂସକ’’

 

(କମଳାୟନ—୪୨ପୃଷ୍ଠା)

 

ଏହାର ବଙ୍ଗଳା ଅନୁବାଦ ଅନାବଶ୍ୟକ । ଏଥିରେ ବଙ୍ଗଳା ଶବ୍ଦର ଅଭାବ ନାହିଁ । ଏହିପରି ବହୁ ଉଦାହରଣ ଦ୍ୱାରା ପତ୍ରିକା ପୃଷ୍ଠା ପୂର୍ଣ୍ଣ କରାଯାଇପାରେ । ଦୁଃଖର କଥା ତେବେ, ଏଇ ବିଷୟଟି କେବଳ ଓଡ଼ିଶାରେ ଆବଦ୍ଧ ନୁହେଁ; ଦୁଇବର୍ଷ ତଳେ ସ୍ୱାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀର କବି ସମ୍ମିଳନୀରେ, କବି ମାନସିଂହଙ୍କ ଦ୍ୱାରା ପଠିତ କବିତା ସଂପର୍କରେ ବଙ୍ଗଳା ‘ଦେଶ’ ପତ୍ରିକା ୧୯୫୬ ଫେବୃୟାରୀ ୨୨ ତାରିଖ ସଂଖ୍ୟାରେ ଲେଖିଥିଲେ-‘‘ଉଡ଼ିଶ୍ୟାର କବି ଡକ୍‌ଟର ମାୟାଧର ମାନସିଂହର୍‌ କବିତା ରବୀନ୍ଦ୍ର ନାଥେର, ‘‘ଭାରତ ତୀର୍ଥ’’ କବିତାର ଅଂଶବିଶେଷ ଆଶ୍ଚର୍ଯ୍ୟ ଭାବେ ଉଡ଼ିୟା ରୂପାନ୍ତରେ ପ୍ରବିଷ୍ଟ ହୟେଚ୍ଛେ ।’’

 

ଯଦି କେହି କେହି ପାରନ୍ତି, ବଙ୍ଗଳା ଲୋକ ଆମ ପ୍ରତି ଅସୂୟା-ପରବଶ ହୋଇ ଏପରି ଲେଖିଥିବେ, ତେବେ ‘‘ଦେଶ’’ ପତ୍ରିକାର ସେଇ ସମାଲୋଚକ ଏ ବର୍ଷର (୧୯୫୯) କବି-ସମ୍ମିଳନୀ ଉପଲକ୍ଷେ ଓଡ଼ିଶା କବିତାକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ‘‘ଦେଶ’’ର ଅଭିମାନ ସହିତ ଆମେ ଏକମତ ହଉ ବା ନ ହଉ, ତାହା ତାତ୍ପର୍ଯ୍ୟହୀନ ନୁହେଁ ସବୁଜ ଉପରେ ବଙ୍ଗଳା କବିତାର ପ୍ରଭାବ ସ୍ୱୀକାର କଲେ ମଧ୍ୟ ସେମାନେ ଏପରି ସାର୍ଟିଫିକେଟ ହାସଲ କରିବାକୁ ସମର୍ଥ ହୋଇନାହାନ୍ତି ।

 

ଏବେ ‘‘ଭ୍ୟାଣ୍ଡାଲିଜିମ’’ ଶବ୍ଦକୁ ଦେଖାଯାଉ ଏଇ ଶବ୍ଦର ଅର୍ଥ ବୁଝିବାକୁ ଡକ୍‌ଟର ମାନସିଂହ ଅଭିଧାନ ଦେଖିବାକୁ ପରାମର୍ଶ ଦେଇଛନ୍ତି ଆମ ଭଳିଆ ଚାଷୀ, ମୁଲିଆ, ଅପାଠୁଆ ଲୋକଙ୍କର ଭୁଲ ହେବା ଆଶଙ୍କା ସବୁବେଳେ । ତେବେ ‘ଅକସ୍‌ଫୋର୍ଡ ଅଭିଧାନ ଅନୁସାରେ ଅର୍ଥ ହେଉଛି, ‘‘ବାର୍ବରସ୍‌’’, ଅର୍ଥାତ୍‌ ବର୍ବରୋଚିତ ଏ ‘‘ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର ଧ୍ୱଂସ’’ । ଏ ଶବ୍ଦ ଏକ ରୂଢ଼ ପ୍ରୟୋଗ ଯେଉଁ ଧ୍ୱଂସ କାର୍ଯ୍ୟ ‘‘ଭ୍ୟାଣ୍ଡାଲ’’ ବା ବର୍ବର ଲୋକଙ୍କ ଦ୍ୱାରା ସମ୍ଭବ ହୁଏ ତାକୁ ଭାଣ୍ଡାଲିଜିମ ବା ବାର୍ବରସ କୁହାଯାଏ । କଳାପାହାଡ଼ କେବଳ ଧ୍ୱଂସ ପାଇଁ ଓଡ଼ିଶାର ଶିଳ୍ପକଳାକୁ ଧ୍ୱଂସ କଲା—ଆଉ ସତ୍ୟବାଦୀ ସ୍କୁଲକୁ ଏକ ମହତ କାର୍ଯ୍ୟପାଇଁ ଧ୍ୱଂସକରି ଦିଆଗଲା । ଏ ଦୁଇଟି... ଅର୍ଥ କଣ ସମାନ ? ଗୋଟିଏ ବର୍ବରୋଚିତ ଧ୍ୱଂସ—ଅନ୍ୟଟି ଗୋଟିଏ ମହାନ ଆଦର୍ଶ ପାଇଁ ଏକ ମହାମାନବୋଚିତ ତ୍ୟାଗ । ଏ ଦୁଇଟି ଧ୍ୱଂସ ଭିତରେ ଡାକୁ ଓ ଡାକ୍ତରର ଛୁରୀ ଭଳି ଆକାଶ ପାତାଳ ପ୍ରଭେଦ ଏଠାରେ ଡକ୍‌ଟର ମାନସିଂହ କେଉଁ ଅର୍ଥରେ ଏ ଶବ୍ଦକୁ ପ୍ରୟୋଗ କରିଛନ୍ତି ?

 

ଲେଖକ ଅଭିଧାନ ଶବ୍ଦ ଅର୍ଥର ଫାଙ୍କରେ ଖସିଯିବାକୁ ଚେଷ୍ଟା କରିଛନ୍ତି । ଯେଉଁ ସତ୍ୟବାଦୀ ସ୍କୁଲର ଶିକ୍ଷକ ହେବେ ବୋଲି ସେ ସ୍ୱପ୍ନ ଦେଖିଥିଲେ, ତା’ପ୍ରତି ଏପରି ଶବ୍ଦ ପ୍ରୟୋଗ ଦେଖି ସେ ଚମକି ଉଠିଛନ୍ତି । ଆତ୍ମରକ୍ଷା ପାଇଁ କହିଛନ୍ତି, ତାହା ହେଉଛି ‘‘ବ୍ୟଞ୍ଜନ ଓ ତାକୁ ଶ୍ରୀ ପଟ୍ଟନାୟକ ଧରିପାରି ନାହାନ୍ତି ।

 

ଯଦି କବି ମାନସିଂହଙ୍କର ପୁଣି ସନ୍ଦେହ ଥାଏ ତେବେ ତାକୁ ପୁଣି ଅନୁସରଣ କରାଯାଉ-। ଇତିହାସର ଅଭିଜ୍ଞତା କହେ, ପ୍ରତ୍ୟେକ ସ୍ଥଳରେ ବର୍ବରୋଚିତ ଧ୍ୱଂସ ପରେ ‘ଶୂନ୍ୟତା’ ଆସେ, ହତାଶା ସୃଷ୍ଟି ହୁଏ, ଅନ୍ଧାର ଯୁଗ ଦେଖାଦିଏ । କିନ୍ତୁ ଅନ୍ୟ ପକ୍ଷରେ, ଏକ ମହାନ ତ୍ୟାଗ କିମ୍ୱା ଗଠନଜନିତ ଧ୍ୱଂସ ପରେ ଏକ ନୂତନ ଯୁଗର ଆଭାସ ମିଳେ—ନୂତନ ସୃଷ୍ଟି ସମ୍ଭବ ହୁଏ-। ଏଠାରେ କବି ମାନସିଂହ ସତ୍ୟବାଦୀ ସ୍କୁଲର ଧ୍ୱଂସରେ ପ୍ରଥମ ବିଷୟଟିକୁ ହିଁ ଦେଖିଛନ୍ତି । ତେଣୁ ‘‘ଶୂନ୍ୟତା’’, ‘‘ନୈରାଶ୍ୟ’’, ‘‘କ୍ଷତି’’, ‘‘ପ୍ରତିବନ୍ଧକ’’ ଆଦି ଶବ୍ଦ ପ୍ରୟୋଗ କରିଛନ୍ତି । ତେଣୁ ଜଣାଇଛନ୍ତି ତାର ‘‘disastrous effect’’ ଏପର୍ଯ୍ୟନ୍ତ ଯଥାଯଥ ଭାବେ ଦୂର ହୋଇପାରିଲା ନାହିଁ–ଯାହାର ଅର୍ଥ ହେଉଛି—ସତ୍ୟବାଦୀ ସ୍କୁଲ ଏପରି କାମ କରିଗଲେ, ଯାହାପାଇଁ ଆମକୁ ଏବେ ମଧ୍ୟ ଅନୁତାପ କରିବାକୁ ପଡ଼ୁଛି ଏବଂ ଘାଣ୍ଟିହେବାକୁ ପଡ଼ୁଛି । ଅନ୍ୟ ଏକ ଚିନ୍ତାଧାରା ହେଲା–ତାହା ଦଧୀଚିଙ୍କ ଆତ୍ମବଳିଦାନ ପରି ଏକ ମହାନ ଦାନ, ଯାହାଯୋଗୁ ହିଁ ଓଡ଼ିଶାରେ ଆଲୋକ ଓ ଅଗ୍ରଗତିର ଦ୍ୱାର ଉନ୍ମୁକ୍ତ ହୋଇଛି । ତାର ନିର୍ଦ୍ଦେଶ ହେଉଛି—ଉକ୍ତ ‘disastrous effcet’କୁ ଦୂର କରିବା ନୁହେଁ, ସେଇ ସମ୍ମୁଜ୍ଜ୍ୱଳ ଐତିହ୍ୟକୁ ଆଗେଇନେବା—ଜାତୀୟ ସାଧନାର ପ୍ରତ୍ୟେକ ସ୍ତରରେ ଖେଳାଇଦେବା ।

 

ଏଣୁ ଏହା ସୁସ୍ପଷ୍ଟ ଯେ, ଏହି ଦୁଇ ଚିନ୍ତାଧାରା ମଧ୍ୟରେ ସାଲିସ୍‌ ଅସମ୍ଭବ । କୌଣସି ଅଭିଧାନର ଶବ୍ଦାର୍ଥ ବାଢ଼ି ମଧ୍ୟ ଏହାକୁ ଘୋଡ଼ାଯାଇ ନ ପାରେ ଏବଂ ଡକ୍‌ଟର ମାନସିଂହ ଯେଉଁ ଶବ୍ଦାର୍ଥ ବାହାର କରିଛନ୍ତି, ତାହା ମଧ୍ୟ ଭ୍ରମପୂର୍ଣ୍ଣ ।

 

ତେଣୁ ଏହା ‘‘ବ୍ୟଞ୍ଜନା’’ ନୁହେଁ, ଓଡ଼ିଶାର ଜାତୀୟ ଚେତନା ଓ ଆନ୍ଦୋଳନ ପ୍ରତି ବିଦ୍ରୂପ-। ଏହା ଡକ୍‌ଟର ମାନସିଂହଙ୍କ ମାନସିକ ପ୍ରତିକ୍ରିୟାର ପ୍ରତିଫଳନ । ଯଦି ସେ ପ୍ରକୃତରେ ଦ୍ୱିତୀୟୋକ୍ତ ଚିନ୍ତାଧାରାଟି ଗ୍ରହଣ କରନ୍ତି, ତେବେ ସେ ପ୍ରକାଶ୍ୟରେ, ଦ୍ୱିଧାହୀନ ଭାବେ ଏହା ସ୍ୱୀକାର କରିବା ଉଚିତ ଏବଂ ସେଇ ଅନୁସାରେ ନିଜ ପ୍ରବନ୍ଧ ସଂଶୋଧନ କରିବା ଆବଶ୍ୟକ-। ଏଣେ ‘‘ବ୍ୟଞ୍ଜନା’’ କହିଦେଇ, ତେଣେ ମୂଳ ପ୍ରବନ୍ଧକୁ ନ ବଦଳାଇବା, ସଚେତ ବୁଦ୍ଧିଜୀବୀର ଲକ୍ଷଣ ନୁହେଁ ।

 

‘‘ପିପୁଲସ୍‌ ପୋଏଟ୍‌’’—ଏ ସମ୍ପର୍କରେ ସମାଲୋଚନା ହେଲା, ଇନଭଟେଡ଼୍‌ ଭିତରେ ତାକୁ ରଖି ବିଦ୍ରୂପ କରାଯାଇଛି । କବି ମାନସିଂହଙ୍କ ଉତ୍ତର ହେଉଛି—ପ୍ରଗତିଶୀଳମାନେ ନିଜକୁ ନିଜେ ସେଇଭଳି ଆଖ୍ୟା ଦେଇଛନ୍ତି । ତେଣୁ ତାହା ଲେଖିବା ଦ୍ୱାରା ସେ କୌଣସି ଅପରାଧ କରି ନାହାନ୍ତି । ଅନ୍ୟ ଦିଗରେ କହିଛନ୍ତି, ‘‘ସାହିତ୍ୟ-ଐତିହାସିକ’’ ଏଇ ସ୍ୱତଃ ପ୍ରତିଷ୍ଠିତ ଦାବୀକୁ ବିନା ବିଚାରରେ ଗ୍ରହଣ କରିନେବା କଣ ‘‘କମ୍ରେଡ଼ଙ୍କ’’ ମତ ? ଏହାର ଅର୍ଥ, ଡକ୍‌ଟର ମାନସିଂହ ପ୍ରଗତିଶୀଳ ଲେଖକମାନଙ୍କୁ ବିଦ୍ରୂପ କରିବାପାଇଁ ତାଙ୍କ ସ୍ୱପ୍ରଚାରିତ ମତକୁ ଅନ୍ୟମାନେ ଧରିନେବେ, ଏହି ଉଦ୍ଦେଶ୍ୟରେ ହିଁ ଲେଖିଛନ୍ତି ।

 

‘‘ପିପୁଲସ୍‌ ପୋଏଟ’’ ବୋଲି କିଏ କେବେ ଦାବୀ କରିଛନ୍ତି, ଜଣାନାହିଁ । କବିମାନେ କେତେବେଳେ ନିଜକୁ ‘ଗାଉଁଲି କବି’, ‘ବିରହୀ କବି’, ‘ପ୍ରେମିକ କବି’, ‘ଚିରନ୍ତନ କବି’ ଇତ୍ୟାଦି ନାନା ଭାବରେ ଲେଖିଥାନ୍ତି । ଏହାକୁ ତ କେହି କେବେ ‘ପଦବୀ’ ଅର୍ଥରେ ଗ୍ରହଣ କରେନାହିଁ । ତେବେ ‘‘ପିପୁଲସ୍‌ ପୋଏଟ’’ ଏକ ଐତିହାସିକ ଧାରାର ସୃଷ୍ଟି । ଏହା ପ୍ରତ୍ୟେକ ସାହିତ୍ୟରେ ଦେଖାଯାଏ । ପ୍ରକୃତ ଅନୁଭବ ଦ୍ୱାରା ଏହାର ଆବିର୍ଭାବ ଘଟିପାରେ । ହେଲେ ବି, ଯଦି ସେ ବିଷୟରେ ମତଦ୍ୱୈଧ ହେଲା, ତାର ସମାଧାନର ଉପାୟ କଣ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଅନ୍ୟମାନଙ୍କୁ ବିଦ୍ରୂପ କରିବା ଦ୍ୱାରା ସମାଧାନ ହେବ ? ଡକ୍‌ଟର ମାନସିଂହ ଯେତେ ନିରୀହ ଭାବରେ କଥାଟି କହିଛନ୍ତି, ସେତେ ନିରୀହ ଉଦ୍ଦେଶ୍ୟରେ ତାହା ଲିଖିତ ନୁହେଁ ।

 

ଏପରିକି ତାଙ୍କ ଲେଖାରେ ସେ ବ୍ୟକ୍ତିଗତ ଖେଞ୍ଚା ମାରିବାକୁ ମଧ୍ୟ ଛାଡ଼ିନାହାନ୍ତି । ତା’ ମଧ୍ୟ କୁଳବୃଦ୍ଧ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ଦେଖାଯାଏ । ତାଙ୍କୁ କୁହାଯାଇଛି, ସେ ‘‘ଦୀର୍ଘ ଜୀବନ ଧରି ବନ୍ଧ୍ୟା ବନ୍ୟ ରାଜନୀତି (Barren wild polities) କରି ପୁଣି ସୃଜନଶୀଳ ସାହିତ୍ୟକୁ ଫେରିଆସିଲେ ।’’ ପଣ୍ଡିତ ନୀଳକଣ୍ଠଙ୍କ ରାଜନୀତି ସହିତ ମତଦ୍ୱୈଧ ଥାଇପାରେ । କିନ୍ତୁ ସାହିତ୍ୟଚର୍ଚ୍ଚାବେଳେ ଏ ପ୍ରକାର ଅଶୋଭନୀୟ ଶବ୍ଦ ପ୍ରୟୋଗ କାହିଁକି ? ଏହାକୁ କଣ ଡକ୍‌ଟର ମାନସିଂହ ଭଦ୍ରୋଚିତ ମନେ କରନ୍ତି ?

 

ଡକ୍‌ଟର ମାନସିଂହ ପ୍ରଗତିଶୀଳ ଭାବ ଓ ଆଦର୍ଶକୁ ସ୍ୱାଗତ କରି ପାରିନାହାନ୍ତି ବୋଲି ସମାଲୋଚନା ହୋଇଥିଲା । ତା’ର ଉତ୍ତରରେ ସେ ଏକ ଲମ୍ୱା ତାଲିକା ଦେଇଛନ୍ତି । ସେଥିରେ ସେ କେବେ, କିମିତି, କାହାର କାହାର ପ୍ରଗତିଶୀଳ ପ୍ରବନ୍ଧ, କବିତା ଆଦିକୁ ପ୍ରକାଶ କରିଥିଲେ ଏବଂ ତାଙ୍କୁ ସ୍ୱାଗତ ଜଣାଇଥିଲେ, ତାର ଏକ ହିସାବ ଦେଇଛନ୍ତି । ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି, ସେ ପ୍ରଗତିଶୀଳ ଭାବର ସ୍ୱାଗତକାରୀ । ତାହା ଯଦି ସତ୍ୟ ବୋଲି ଧରାଯାଏ, ତେବେ ଆଲୋଚ୍ୟ ପ୍ରବନ୍ଧରେ ସେ ଜାତୀୟ ସାମ୍ୟବାଦୀ ଭାବଧାରାକୁ ଯେପରି ଭାବରେ ଚିତ୍ରିତ କରିଛନ୍ତି, ତାହା ସେ କରି ନ ଥାନ୍ତେ ବା ତା’ର ସମାଲୋଚନାରୁ ସୂଚନା ପାଇଲାକ୍ଷଣି ନିଜର ଲେଖାକୁ ନିଜେ ପରିବର୍ତ୍ତନ କରିଥାଆନ୍ତେ । ଯିଏ ‘‘ଯୁଗ ଯୁଗ ଧରି ଏଇ ନୂତନ ଭାବଧାରାକୁ ସ୍ୱାଗତ ଜଣାଇ ଆସିଲେ’’, ଏଠି ତାଙ୍କର ‘ସାହିତ୍ୟ ଇତିହାସ’ରେ ତାର ବିପରୀତ ରୀତି ପରିସ୍ଫୁଟ ହେଲା କିମିତି ?

 

ଡକ୍‌ଟର ମାନସିଂହ କବିତା ଓ ପରାକାଷ୍ଠାର ନିଦର୍ଶନ ରୂପେ ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ପେଶ କରିଛନ୍ତି । ତାହା ଅତ୍ୟନ୍ତ ଲଜ୍ଜା ଓ ଦୁଃଖର କଥା । ମନ୍ତ୍ରୀଙ୍କ ପ୍ରଶଂସାପତ୍ର ଚାକିରି ବା ପରମିଟ ହାସଲରେ ଲାଗେ । ତା’ ଦ୍ୱାରା କବିର ଓଜନ ବଢ଼େ ନାହିଁ । ଯେଉଁ ମନୋଭବ ଜନସାଧାରଣଙ୍କ ପ୍ରତି ବିମୁଖ, ଅନ୍ୟ ଦିଗରେ ଅପରକୁ ଥଟ୍ଟା ପରିହାସ, ବିଦ୍ରୂପ କରିବା ଦିଗକୁ ଘେନିଯାଏ, ସେହି ମନୋଭାବ ହିଁ ଆବଶ୍ୟକ ସ୍ଥଳେ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ କରେ-

 

ଶେଷରେ କବି ମାନସିଂହ ପ୍ରଶ୍ନ କରିଛନ୍ତି, ‘‘ଶ୍ରୀ ପଟ୍ଟାନୟକ କଣ ସାହିତ୍ୟିକ—ମୋ ପ୍ରବନ୍ଧର ପ୍ରତିବାଦ କରିବାକୁ ଧାଇଁ ଆସିଲେ କାହିଁକି ?’’ ନିଜେ ମୁଦେଇ ହେଲା ପରେ, ପୁଣି ବିଚାରକ ହୋଇ ରାୟ ଦେଇଛନ୍ତି–‘‘ଆଜି କମ୍ରେଡ଼ ପଟ୍ଟନାୟକଙ୍କ ପ୍ରତିବାଦ ସୂଚାଇ ଦେଉଚି, ବାମପନ୍ଥୀ, ସାହିତ୍ୟ, ବାମପନ୍ଥୀ ଦଳର ଏକ ପ୍ରଚାର ବିଭାଗ ।’’

 

କଥାଟି ଅତି ସରଳ । ଯିଏ ଯେଉଁ ମତ ପୋଷଣ କରେ, ସେ ତା’ର ପ୍ରଚାର ଚାହେ । ସେଥିଯୋଗୁଁ ‘‘ପ୍ରଚାର ସମିତି,’’ ‘ପ୍ରକାଶନୀ’ ଆଦି ଗଢ଼ା ହେଉଛି । ଏପରି ପ୍ରଚାର ବିଭାଗ ଅନ୍ୟମାନଙ୍କର ସିନା ଅଛି, କିନ୍ତୁ ଦୁଃଖର କଥା ବାମପନ୍ଥୀମାନଙ୍କର ନାହିଁ । ତେବେ ଏଠି କବି ମାନସିଂହଙ୍କ ଲେଖାର ପ୍ରତିବାଦ ଦ୍ୱାରା ଯେ କେମିତି ‘‘ବାମପନ୍ଥୀ ସାହିତ୍ୟ, ବାମପନ୍ଥୀ ଦଳର ପ୍ରଚାର ବିଭାଗ’’ ହୋଇଗଲା, ବୁଝା ପଡ଼େନାହିଁ । ଏହା ଏକ ଅଦ୍ଭୁତ ଯୁକ୍ତି । ‘‘ବାମପନ୍ଥୀ’’ ଶବ୍ଦ ପ୍ରୟୋଗ ଦ୍ୱାରା ଅନ୍ୟମାନଙ୍କ ମନରେ ସନ୍ଦେହ ବୁଣି ନିଜକୁ ଅପରାଧରୁ ମୁକ୍ତ କରିବାର ଚେଷ୍ଟା ନୁହେଁ ତ ? ଏଠାରେ କୌଣସି ଦଳ, ନୀତି ଓ ମତବାଦର ପ୍ରଶ୍ନ ନାହିଁ । ସାଧାରଣ ଘଟଣାର ବିକାଶ, ବାସ୍ତବ ଜାତୀୟ-ବାଦୀ ଜନସାଧାରଣଙ୍କର ଦୃଷ୍ଟିକୋଣରୁ ସମସ୍ତ ଆଲୋଚନା ।

 

ପ୍ରଶ୍ନ ହେଉଛି, କାହିଁକି ଲେଖିଲି ? ବାସ୍ତବିକ, ମୁଁ ଏଥିପାଇଁ ଡକ୍‌ଟର ମାନସିଂହଙ୍କ ପାଖରେ ବିଶେଷଭାବେ ଋଣୀ । ତାଙ୍କର ଲେଖା ହିଁ ମୋତେ ଲେଖିବାପାଇଁ ପ୍ରେରଣା ଓ ଉତ୍ତେଜନା ଯୋଗାଇଛି । ଦୃଢ଼ ଧାରଣା ହେଲା, ତାଙ୍କ ଉକ୍ତ ଲେଖା ଓ ମତବାଦକୁ ଖଣ୍ଡନ ନ କରିବା ଅର୍ଥ ବୁଦ୍ଧିଜୀବୀର ମାନସିକ ବିଭ୍ରାଟ ଓ ନୀତିହୀନତାକୁ ଉତ୍ସାହିତ କରିବା ଏବଂ ଓଡ଼ିଶାର ଜାତୀୟ ଇତିହାସକୁ କଳଙ୍କିତ କରିବାରେ ସାହାଯ୍ୟ କରିବା । ଏଥିରେ ଆଶ୍ଚର୍ଯ୍ୟ ହେବା ବା ଆକ୍ଷେପ କରିବାର କାରଣ କଣ ଅଛି ?

 

ଡକ୍‌ଟର ମାନସିଂହଙ୍କର ଏପରି ପ୍ରଶ୍ନ କାହିଁକି ? ସାହିତ୍ୟ ଆଲୋଚନା କଣ ଅନ୍ୟମାନଙ୍କ ପକ୍ଷରେ ଅନ୍ୟାୟ ନାଁ ଅପରାଧ ? ସାହିତ୍ୟ କଣ କା’ର ମୌରସୀ ସମ୍ପତ୍ତି ଯେ, ସେଠି ଅନ୍ୟ କାହାରି ପ୍ରବେଶ ନିଷେଧ ? ପ୍ରକୃତ ଲେଖକ ଓ ସାହିତ୍ୟିକ ନିଜର ମତର ବିରୋଧ ହେଲେ ବି ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରବେଶକୁ ନିଶ୍ଚୟ ସ୍ୱାଗତ ଜଣାଇବ । ତାହା ତ ଚାକିରି ବା ରାଜନୀତି ନୁହେଁ ଯେ କିଏ କାହାକୁ ଗାଦିରୁ ବେଦଖଲ କରିବାର ଭୟ ହେବ ! ଆଲୋଚନା, ସମାଲୋଚନା ଦ୍ୱାରା ପ୍ରକୃତ ସତ୍ୟ ଉଦ୍‌ଘାଟିତ ହେବ । ସାମୟିକ ପ୍ରଚେଷ୍ଟା ସାଂସ୍କୃତିକ ଅଭିବୃଦ୍ଧିକୁ ସାହାଯ୍ୟ କରିବ । ସାହିତ୍ୟିକ ନହୋଇ ସାହିତ୍ୟ ଆଲୋଚନା ସମ୍ପର୍କରେ ପ୍ରଶ୍ନ, ବ୍ରାହ୍ମଣ ନ ହୋଇ ଶାସ୍ତ୍ର ଅଧ୍ୟୟନ କଲାଭଳି ହୋଇଛି । ନ୍ୟସ୍ତସ୍ୱାର୍ଥବାଦୀମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥରାଜ୍ୟରେ ଯେପରି ଅନ୍ୟର ପ୍ରବେଶକୁ ସହ୍ୟ କରିପାରନ୍ତି ନାହିଁ, ଏଠାରେ କବି ମାନସିଂହଙ୍କ ପ୍ରଶ୍ନ, ସେହି ମନୋଭାବର ପରିଚୟ ଦେଉଛି ।

 

ପରିଶେଷରେ, ‘‘ସମସାମୟିକ ଭାରତୀୟ ସାହିତ୍ୟ’’ (Contenporary Indian Literature)ରେ ପ୍ରକାଶିତ କବି ମାନସିଂହଙ୍କର ପ୍ରବନ୍ଧ ସଂପର୍କରେ ହୋଇଥିବା ସମାଲୋଚନାର କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକ ନାହିଁ । ବରଂ ଶ୍ରୀଯୁକ୍ତ ମାନସିଂହଙ୍କ ଉତ୍ତର, ଉକ୍ତ ସମାଲୋଚନାରୁ ଅଧିକ ପୂର୍ଣ୍ଣାଙ୍‌ଗ ଓ ପରିପୁଷ୍ଟ କରିଛି । ଓଡ଼ିଶାରେ ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ଏପରି ବିକୃତ, କଳଙ୍କିତ ଚିତ୍ରଣରୁ ରକ୍ଷା କରିବାକୁ ପଡ଼ିବ । ଏ ସମ୍ପର୍କରେ ଓଡ଼ିଶାର ସାହିତ୍ୟ-ଏକାଡେମୀ, ଲେଖକଗୋଷ୍ଠୀ ଏବଂ ସାଧାରଣ ସାହିତ୍ୟ-ପ୍ରେମୀମାନେ ବିଶେଷ ଦୃଷ୍ଟି-ଦେବେ ବୋଲି ଆଶା ।

☆☆☆

 

Unknown

ସାହିତ୍ୟ ସମାଲୋଚନାର ସମସ୍ୟା

 

ସମାଲୋଚନାର ଇତିହାସର ଏକ ବିରାଟ ଶକ୍ତି, ଅଗ୍ରଗତିର ଅସ୍ତ୍ର-ପୁରାତନରେ ପ୍ରତିବନ୍ଧକକୁ ପ୍ରତିହତ କରି ନୂତନକୁ ଜନ୍ମଦିଏ । ଏହାର ଅଭାବରେ ଆଧୁନିକ ସାହିତ୍ୟର ଅସୁବିଧା ସହଜରେ ଅନୁମେୟ । ଏଭଳି ଏକ ଅସ୍ତ୍ରର ଯଥାର୍ଥ ପ୍ରୟୋଗ ପୂର୍ବରୁ ଯଥେଷ୍ଟ ଆଲୋଚନା ଦରକାର ।

 

ଆମ ଓଡ଼ିଆ ଲେଖକଙ୍କ ଭିତରେ ସାହିତ୍ୟ ସମାଲୋଚକଙ୍କ ସଂଖ୍ୟା ସବୁଠୁଁ ଊଣା । ଯେ କେତେଜଣ ଅଛନ୍ତି, ପ୍ରାୟ ସମସ୍ତେ ଅତୀତ ଆଲୋଚନାରେ ବ୍ୟସ୍ତ । ଆଧୁନିକ ସାହିତ୍ୟକୁ ଦୃଷ୍ଟି ପଡ଼ିନାହିଁ କହିଲେ ଚଳେ । ଅବଶ୍ୟ ବିଷୟଟି ଆକସ୍ମିକ ନୁହେଁ । ପ୍ରତ୍ୟେକ ଆକସ୍ମିକ ଘଟଣା ପଛରେ ଅଦୃଶ୍ୟ କାରଣ ନିହିତ ଥାଏ । ଏଠି ସେ ଅଦୃଶ୍ୟ ବାଧା ପ୍ରତିବନ୍ଧକକୁ ବାହାରକରି ଦୂର ନ କଲେ ସୁସ୍ଥ ଓ ସୃଜନଶୀଳ ସମାଲୋଚନା ସମ୍ଭବ ନୁହେଁ । ତେଣୁ, ବିନା ସୁଯୋଗରେ ସମାଲୋଚନା ଲାଗି ଆହ୍ୱାନ ଅର୍ଥହୀନ ହେବ ।

 

ଉଚ୍ଚ ଧରଣର ସମାଲୋଚନା ଲାଗି ସୁଦକ୍ଷ ସମାଲୋଚକ ଓ ଉପଯୁକ୍ତ ବାତାବରଣ ଲୋଡ଼ା । ଆମର ଏଠି ତାହା ବିଶେଷ ଅଭାବ । ଏଇ ଉପଲବ୍‌ଧି ବା ସେ ଦିଗରେ ଆମକୁ ଅଧିକ କର୍ମତତ୍ପର କରିପାରେ ।

 

ସମାଲୋଚନା ପାଇଁ କେତୋଟି ଜିନିଷ ନିହାତି ଆବଶ୍ୟକ । ପ୍ରଥମରେ ବିଷୟବସ୍ତୁ ସଂପର୍କରେ ଗଭୀର ଅଧ୍ୟୟନ, ଦ୍ୱିତୀୟରେ ସାହିତ୍ୟର କଳା ଓ ଟେକ୍‌ନିକ ଆଦି ବିଷୟରେ ବିଶଦ ଜ୍ଞାନ, ତୃତୀୟରେ ସମାଲୋଚନାର ଉଦ୍ଦେଶ୍ୟ ଓ ଦୃଷ୍ଟିକୋଣ ଘେନି ପରିଷ୍କାର ଧାରଣା ଏବଂ ଶେଷରେ ନିର୍ଭୀକତା ଓ ଈର୍ଷାଆକ୍ରୋଶହୀନ ନୀତିଗତ ବିଚାର—ଏ ଗୁଣଗୁଡ଼ିକ ସମାଲୋଚକ ପକ୍ଷରେ ଏକାନ୍ତ ପ୍ରୟୋଜନ ।

 

ଆଧୁନିକ ସାହିତ୍ୟ ସମାଲୋଚନା-ବିଷୟ ଚିନ୍ତା କଲେ ଅଧ୍ୟୟନର ବିସ୍ତୃତ ପରିସର ଆଖିରେ ପଡ଼େ । ଏଥିଲାଗି କେବଳ ଆଧୁନିକ ନୁହେଁ, ପ୍ରାଚୀନ ଓଡ଼ିଆ ସାହିତ୍ୟର ଚର୍ଚ୍ଚା ଏବଂ ଅନ୍ୟ ଭାଷାର ଆଧୁନିକ କଳା ଓ ସାହିତ୍ୟର ରୀତିଗତି ଜାଣିବା ଦରକାର ହୁଏ । ସାହିତ୍ୟର କଳା ଓ ଟେକନିକ୍‌ ସମ୍ପର୍କରେ ଧାରଣା ବିନା ସମାଲୋଚନା କେବେହେଲେ ପୂର୍ଣ୍ଣାଙ୍ଗ ହେବ ନାହିଁ । ଏହାହିଁ ତ ସାହିତ୍ୟ ଓ ସାଧାରଣ ଲେଖା ଭିତରେ ମୁଖ୍ୟ ପାର୍ଥକ୍ୟ । ପ୍ରତ୍ୟେକ ବିଷୟ ପରି ସାହିତ୍ୟରେ ଶ୍ରେଣୀବିଭାଗ ଘଟୁଛି ଓ ଟେକନିକ୍‌ ବଦଳିବାରେ ଲାଗିଛି । ତେଣୁ, ଓଡ଼ିଆ ସହିତ ଅନ୍ୟାନ୍ୟ ଭାଷାର କଳା ଓ ଟେକନିକ୍‌ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଏହାଛଡ଼ା ସମାଜ-ବିଜ୍ଞାନ, ଦର୍ଶନ ଓ ଅର୍ଥନୀତି ଆଦି ବିଷୟରେ ଗୋଟାଏ ସାଧାରଣଜ୍ଞାନ ଆବଶ୍ୟକ । ଏସବୁ ହେଲେ ଯେ ସମାଲୋଚନା ଆରମ୍ଭ ହେବ, ତାହା ନୁହେଁ । ସମାଲୋଚନାର ଆରମ୍ଭ ଦ୍ୱାରା ହିଁ ସେ ଜ୍ଞାନ ଆହରଣର ପିପାସା ଓ ଆବଶ୍ୟକତା ଅଧିକ ଅନୁଭୂତ ହେବ । ସେ ଅଭାବ ପୂରଣ ଉଦ୍ୟମ ହିଁ ଦକ୍ଷତାର ମାର୍ଗ ଉନ୍‌ମୁକ୍ତ କରିବ ।

 

ଉଦ୍ଦେଶ୍ୟ ଓ ଦୃଷ୍ଟିକୋଣ—ସମାଲୋଚନାର ପ୍ରଧାନ ଉଦ୍ଦେଶ୍ୟ ହେଲା ସର୍ଜନା ବା ନୂତନ ସୃଷ୍ଟିକୁ ସାହାଯ୍ୟ କରିବା; ଦରକାର ପଡ଼ିଲେ ପୁରାତନ ପ୍ରତିବନ୍ଧକକୁ ଦୂର କରିବା । ଧ୍ୱଂସ ବିନା ବିକାଶ ଅସମ୍ଭବ । ସୃଷ୍ଟିର ଏ ଉଦ୍ଦେଶ୍ୟ ପୂରଣର ଲାଗି ନିର୍ଭୁଲ ଦୃଷ୍ଟିକୋଣ ଲୋଡ଼ା । ନ ହେଲେ ଭଲମନ୍ଦ ବିଚାରି ହେବ ନାହିଁ । ସାହିତ୍ୟର ବିକାଶ ଲାଗି ଗ୍ରହଣୀୟ ଓ ବର୍ଜନୀୟ ବିଷୟ ବୁଝିହେବ ନାହିଁ । ଏ ଧାରଣା ବିନା ସମାଲୋଚନାର ଗତି ବିଭ୍ରାନ୍ତ ହେବ । ସମାଲୋଚକ ନୂତନ ଯୁଗର ସ୍ରଷ୍ଟା ନ ହୋଇ କାଳର କଣ୍ଟକ ହେବ ।

 

ସାହିତ୍ୟ ମଣିଷ ସମାଜର ସୃଷ୍ଟି; ସାମାଜିକ ବିକାଶର ସହାୟକ । ଫଳରେ, ସମାଜର ପରିବର୍ତ୍ତନ ଅନୁଯାୟୀ ସାହିତ୍ୟର ପରିବର୍ତ୍ତନ । ସେ ପରିବର୍ତ୍ତନଶୀଳ ସାହିତ୍ୟ ପକ୍ଷରେ ବିକାଶୋନ୍ମୁଖୀ ସମାଜକୁ ଆଗେଇ-ନେବା ହେଲା ପରମ କର୍ତ୍ତବ୍ୟ । ସାହିତ୍ୟିକ ଉକ୍ତ କର୍ତ୍ତବ୍ୟକୁ ଯେପରି ଯଥାଯଥ ଭାବେ ପାଳନ କରେ, ସେଥିପ୍ରତି ତୀକ୍ଷ୍ମ ଦୃଷ୍ଟି ଦେଇ ତାକୁ ସାହାଯ୍ୟ କରିବା ହେଲା ସମାଲୋଚକର ଏକମାତ୍ର କାର୍ଯ୍ୟ । ଏହି କର୍ତ୍ତବ୍ୟ ସଂପାଦନ ଦ୍ୱାରା ହିଁ ସାହିତ୍ୟିକ ନିଜକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରେ । ଆଉ ଜନସାଧାରଣ ସେଇ ସାହିତ୍ୟ ଭିତରେ ନିଜ ଜୀବନର ଉତ୍ସ ଓ ପ୍ରାଣର ଆବେଗରୁ ଉପଭୋଗ କରନ୍ତି ।

 

ତେଣୁ ଯେତେବେଳେ ଜନସାଧାରଣଙ୍କୁ ନେଇ ସମାଜ ସୃଷ୍ଟି, ସମାଜର ପରିବର୍ତ୍ତନ ଅନୁସାରେ ଲୋକର ଆଶା ଓ ଅଭିରୁଚିର ପରିବର୍ତ୍ତନ, ଆଉ ସାହିତ୍ୟ ସେସବୁ ପ୍ରତିଫଳନରେ ଆଧାର ଏବଂ ତାକୁ ଆଗେଇନେବାର ପ୍ରଧାନ ବାହକ, ସେତେବେଳେ ସାହିତ୍ୟିକ, ବିଶେଷକରି ସମାଲୋଚକ ପକ୍ଷରେ ସେ ସାମାଜିକ ପରିବର୍ତ୍ତନ ନିୟମକୁ ଏଡ଼ିବାକୁ ଯିବା ଚରମ ନିର୍ବୋଧତା । ସମସ୍ତ ସଂସାର ଗୋଟାଏ ନିୟମରେ ବନ୍ଧା ।

 

ମଣିଷ, ପଶୁପକ୍ଷୀ, ବୃକ୍ଷଲତା, ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ପ୍ରତ୍ୟେକ ଜିନିଷ ଭିତରେ କିଛିନା କିଛି ଶକ୍ତି ରହିଥିଲେ ସୁଦ୍ଧା ତାହା ବିଶ୍ୱର ବସ୍ତୁ-ପ୍ରଭାବ ଧାରା ସହ ସମତାଳରେ ଗତି କରନ୍ତି । ଏ ନିୟମର ବ୍ୟତିକ୍ରମ ନାହିଁ । ଏହା ନହେଲେ ଗ୍ରୀଷ୍ମ ପରେ ଶୀତ ଆସନ୍ତା ଏବଂ ଶୀତରେ ପଦ୍ମଫୁଟନ୍ତା, ବର୍ତ୍ତମାନର ସଭ୍ୟ ମଣିଷ ପୁଣି ଆଦିମ ଯୁଗକୁ ବାହୁଡ଼ି ଯାଇ ପାରନ୍ତା, ଆଉ ଶହେବର୍ଷ ତଳର ଲୋକ ଏବର ଗଦ୍ୟ କବିତା ଲେଖିବାକୁ ସମର୍ଥ ହୋଇଥାନ୍ତା । ଏହା ପ୍ରାକୃତିକ ନିୟମ ବିରୋଧୀ । ମାନବ ସମାଜ ସେ ନିୟମରୁ ବହିର୍ଭୂତ ନୁହେଁ ।

 

ଅତଏବ ସମାଜ, ଅର୍ଥାତ୍‌ ଜନସାଧାରଣଙ୍କ ବାସ୍ତବ ସ୍ୱପ୍ନ, ଆଶା, ଓ ଆଭିମୁଖ୍ୟକୁ ରୂପ ଦେବାକୁ ହେଲେ ସାହିତ୍ୟ ସମାଲୋଚକ ପକ୍ଷରେ ସମାଜର ପରିବର୍ତ୍ତନ ଅନୁଯାୟୀ ପଦ ମିଳାଇ ଚାଲିବା ଛଡ଼ା ଅନ୍ୟ ଉପାୟ ନାହିଁ, ସେ ତାହା ଚାହୁଁ ବା ନ ଚାହୁଁ । ସମାଜର ପରିବର୍ତ୍ତନ ନିୟମ ତା’ ଲାଗି ଅପେକ୍ଷା କରିବ ନାହିଁ । ଏ ବିଷୟରେ ଉପଲବ୍‌ଧିହୀନ ଅବାସ୍ତବ ସମାଲୋଚକ ପୋଥିର ହିମାଳୟ ରଚନା କଲେ ବି ତାହା ମୂଲ୍ୟହୀନ ହେବ । କାରଣ, ତାହା ସମାଜର ଅବସ୍ଥା, ଆଭିମୁଖ୍ୟକୁ ବିକୃତ କରିବ, ଆଲୋଚନାକୁ ଆବିଳ ଓ ଅସ୍ପଷ୍ଟ କରିବ, ସମାଲୋଚନାର ଲକ୍ଷ୍ୟ ବ୍ୟର୍ଥ ହେବ । ସାହିତ୍ୟର ଦାବୀ ସମାଜର ଭାଗ୍ୟଠାରୁ ଅଭିନ୍ନ ।

 

ବର୍ତ୍ତମାନ ସମାଜର ଗତି ହେଉଛି, କ୍ଷୁଦ୍ର ଗୋଷ୍ଠୀଗତ ଆଧିପତ୍ୟରୁ ନିଜକୁ ମୁକ୍ତ କରିବା, ସମଷ୍ଟିଗତ ସହଯୋଗ ପ୍ରତିଷ୍ଠା କରିବା—ସିଧା କଥାରେ, ପୁଞ୍ଜିବାଦ ବଦଳରେ ସାମ୍ୟବାଦର ପ୍ରତିଷ୍ଠା କରିବା ।

 

ସମାଜ ତା’ଚାହେଁ । ନ ଚାହିଁବା ଲୋକକୁ ବି ଅଲକ୍ଷ୍ୟରେ ଆଘାତ କରେ। ସେ ଘାତପ୍ରତିଘାତର ଚିତ୍ର ଆଜି ସାହିତ୍ୟରେ ପ୍ରତିଫଳିତ ଆମର ଅଧିକାଂଶ କବି ଓ ଲେଖକ ଅଚେତନ ଭାବରେ ହେଉ ସେଭଳି ପ୍ରଭାବର ବଶବର୍ତ୍ତୀ ହେଉଛନ୍ତି । ପୂର୍ବର ରାଧାକୃଷ୍ଣ ପ୍ରେମ, ଭଞ୍ଜଯୁଗର ନାୟକ ନାୟିକା ବା ତା’ପର ସମୟର ରାଜ-ଜୀନବର ବର୍ଣ୍ଣନା, ଏବେ ସାହିତ୍ୟରେ ଦେଖିବାକୁ ମିଳେ ନାହିଁ । ଏବେ ଲେଖକ ସାଧାରଣ ଲୋକଙ୍କ ପାଖକୁ ଓହ୍ଲାଇ ଆସୁଛି । ଜାଣିଶୁଣି ବା ଅଜାଣତରେ ଅନେକ ଲୋକଙ୍କ ନାଁରେ କେତେକ ଲୋକ ସତ ଲେଖିଥାନ୍ତି, ତା’ସତ୍ୱେ । ସମୟର ଗତି ପ୍ରତ୍ୟେକ କଲମ ମୁନରେ ଆଘାତ ଦେବାର ଲାଗିଛି ।

 

ଅତଏବ, ପରିବର୍ତ୍ତନ ନିୟମକୁ ଆୟତ୍ତ କରିପାରିଲେ ସମସ୍ତ ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଲେଖକ ସମ୍ମୁଖରେ ହାତ-ରେଖାଭଳି ପ୍ରାଞ୍ଜଳ ହେବ; ଜୀବନର ଗତିନିର୍ଦ୍ଦେଶ ପରିସ୍ଫୁଟ ହେବ । ସେ ଅନ୍ଧ, ଅସହାୟ ଭାବେ ସାମାଜିକ ପରିବର୍ତ୍ତନରେ ପେଡ଼ି ନ ହୋଇ ବର୍ଦ୍ଧିଷ୍ଣୁ ଚେତନା ସହ ସମାଜ ଓ ସାହିତ୍ୟର ନିୟନ୍ତା ହେବ । ତା’ ପକ୍ଷରେ କୌଣସି ଭୁଲ ବା ଭୟର ଅବକାଶ ରହିବ ନାହିଁ ।

 

ଏବେ ନିର୍ଭୀକତା ଓ ନିରପକ୍ଷ ନୀତିଗତ ବିଚାର—ଏଇଟି ବଡ଼ କଷ୍ଟକର ବିଷୟ । ଉପରୋକ୍ତ ସାମାଜିକ ଜ୍ଞାନ ଫଳରେ ଲେଖକର ଆଦର୍ଶଗତ ଦୃଢ଼ତା ଓ ଆତ୍ମବିଶ୍ୱାସ ଆସିବ । କିନ୍ତୁ ସାହିତ୍ୟ ସମାଲୋଚନା ଲାଗି ତାହା ଯଥେଷ୍ଟ ନୁହେଁ । ପ୍ରକାଶର ପୀଠ ଓ ଉପାୟ ଥିବା ଦରକାର । ଏ ସମାଜର ଅର୍ଥ-ଚିନ୍ତା ହିଁ ସବୁଠଁ ବଳବତ୍ତର । ନିର୍ଭୀକ ଭାବେ ହକ କଥା କହିବାକୁ ଭାବିଲାବେଳେ ଅନାଗତ ଭବିଷ୍ୟତର ବିପଦ ଆଶଙ୍କାରେ ଲେଖକ ସ୍ୱତଃ ଦବିଯାଏ । ମୁହଁରେ ନ ମାନିଲେ ବି ଊଣା ଅଧିକେ ଏହା ସମସ୍ତେ ଅଙ୍ଗେ ନିଭାନ୍ତି । ସାହିତ୍ୟ କ୍ଷେତ୍ରରେ ଏହାର ପ୍ରଭାବ ସର୍ବାଧିକ ।

 

ର୍ଦୁଭାଗ୍ୟ ଓ ସୌଭାଗ୍ୟବଶତଃ ଆମର ଅଧିକାଂଶ ଲେଖକ ହେଉଛନ୍ତି ସରକାର କର୍ମଚାରୀ । ଯେତେ ନିର୍ଭୀକ ହେଲେ ବି ନିର୍ଦ୍ଧାରିତ ସୀମା ଟପିବାର ପରିଣାମ ସେମାନେ ବୁଝନ୍ତି । ତା’ପରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ହେଲେ ସାହିତ୍ୟ ପୁରୋଧା । ତାଙ୍କ ମତ ବା ତାଙ୍କ ସଂସ୍ପର୍ଶରେ ଜାତ ସାହିତ୍ୟ, ମତ ଓ କାର୍ଯ୍ୟ ଆଦି ଯେତେ ଭୁଲ, ଅବାସ୍ତବ ଓ ଯୁଗ ଅନୁପଯୋଗୀ ହେଲେ ସୁଦ୍ଧା କେଉଁ ସମାଲୋଚକ ଭୁଲରେ ତାହା ଖଣ୍ଡନ ବା ସମାଲୋଚନା କରିବାକୁ ସାହସ କରିବ ? ମୌନବ୍ରତ ଗ୍ରହଣ, ଦରକାର ପଡ଼ିଲେ ‘ହୁଁ’ କରି ଉନ୍ନତିର ମାର୍ଗ ଦର୍ଶନ ବରଂ ଶ୍ରେୟସ୍କର । ଓଡ଼ିଆ ସାହିତ୍ୟରଥୀମାନଙ୍କ ଦ୍ୱାରା ସମ୍ପାଦିତ ‘‘ଝଙ୍କାର’’ ସମ୍ପାଦନା ଏହାର ଜ୍ୱଳନ୍ତ ପ୍ରମାଣ ।

 

ଏହା ଛଡ଼ା ଲେଖକ ତ ସରକାର ବା ମନ୍ତ୍ରୀ-ନୀତି-ବିରୋଧୀ କାଗଜରେ ଲେଖିବାକୁ ଭୟଭୀତ । ତାହା ଆଇନ ବିରୋଧ ନ ହେଲେ ବି ଦୋଷାବହ । ଅଥଚ, ବ୍ରିଟିଶ ଅମଳରେ ରାଜଦ୍ରୋହକୁ ଛାଡ଼ିଦେଲେ ଅନ୍ୟାନ୍ୟ ବିଷୟ ଲେଖିବାରେ ବିଶେଷ ବାଧା ନ ଥିଲା । ଏଥିଯୋଗୁଁ ରାଜ-ଅନୁଗ୍ରହ ଉପରେ ନିପଟ ନିର୍ଭରଶୀଳ ‘ରାଧାନାଥ’, ‘ଫକୀରମୋହନ’ ପ୍ରଭୃତି ‘ଦରବାରରେ’, ‘ହାଟ ବାହୁଡ଼ା’ର, ‘ନାଜର ନଟବର ଦାସ ଗୋରା ଜଜ ସାହେବଙ୍କର ସରକାରୀ କାମ ନ କରି ଆଗ ବିଲାତ ଡାକ ଖୋଲି ମାଇ ଡିଅର ଲେଡ଼ି କରି’ ଉତ୍ତର ଲେଖିବା ଆଦି ଅନେକ ଅପ୍ରିୟ ବାସ୍ତବ ବିଷୟ ଲେଖିପାରିଥିଲେ ।

 

ସ୍ୱାଧୀନତା ପରେ ସାହିତ୍ୟରେ ଏଇ ବାସ୍ତବତାର ଅବାଧ ପ୍ରସାର ଆଶା କରିବା ସ୍ୱାଭାବିକ । ସେତେବେଳର ରାଜଦ୍ରୋହ ଭୀତି ଆଜି ନାହିଁ । ଏ ବେଳରେ ରାଜଦ୍ରୋହ ହେଲା ସମ୍ୱିଧାନର ବିରୁଦ୍ଧାଚରଣ । ତା’ଛଡ଼ା ଅନ୍ୟସବୁ ବିଷୟ ଲେଖିବାର ପୂର୍ଣ୍ଣ ସ୍ୱାଧୀନତା ରହିଚି । ଅଥଚ, ସମ୍ୱିଧାନକୁ ଭାଙ୍ଗିବା, ନିଜ ସ୍ୱାଧୀନତା ଅନୁସାରେ ବ୍ୟାଖ୍ୟା କରିବାର ପଟ୍ଟା ଯେଉଁମାନେ ନେଇଛନ୍ତି, ସେମାନେ ଅନ୍ୟ ଦିଗରେ ସାହିତ୍ୟରେ ସାମାନ୍ୟ ସମାଲୋଚନା ସହ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି । ଏପରିକି ଫକୀରମୋହନଙ୍କ ଏ ସମାଲୋଚନା ଭଳି ସମାଲୋଚନା ମଧ୍ୟ ତାଙ୍କର ଚକ୍ଷୁଶୂଳ ହେଉଛି । ସମାଲୋଚନାର ପ୍ରତିକ୍ରିୟା ସଂଶୋଧନ ନ ହୋଇ ପ୍ରତିଶୋଧରେ ପରିଣତ ହେଉଛି । ଏ ଅବସ୍ଥାରେ ଲେଖକର ନିର୍ଭୀକତା ପିଲାଙ୍କ ମୁହଁକୁ ଦେଖିବାକ୍ଷଣି ନିଭିଯିବା ସ୍ୱାଭାବିକ ।

 

ସରକାରୀ କର୍ମଚାରୀଙ୍କ ବ୍ୟତୀତ ସ୍ୱାଧୀନ ସାହିତ୍ୟିକଙ୍କ ଭିତରୁ ଅଧିକାଂଶ ନାନାଦି ଭାବେ ସରକାରଙ୍କ ଦ୍ୱାରସ୍ଥ । ସେଥିଲାଗି କେତେକ ଲେଖା ବନ୍ଦ କରିଦେବା ବା ଟିକିଏ ବଞ୍ଚେଇ କରି ଲେଖିବା ବା ଅର୍ଥ ଉପାର୍ଜନ ଦୃଷ୍ଟିରୁ ପାଠ୍ୟପୁସ୍ତକରେ ମନୋନିବେଶ କରିବା ଶ୍ରେୟସ୍କର ମଣୁଛନ୍ତି । ଏ ଅବସ୍ଥାରେ ନିର୍ଭୀକତା ଓ ନିରପେକ୍ଷ ନୀତିଗତ ବିଚାର ଆସିବ କାହୁଁ ? ଆମର ତରୁଣ ଲେଖକମାନଙ୍କ ପ୍ରତି ଏହା ଏକ ଅବାଞ୍ଛନୀୟ ଆଦର୍ଶ; ଓଡ଼ିଆ ସାହିତ୍ୟ ଐତିହ୍ୟର ବିରୋଧୀ-

 

ଏଇ ବାସ୍ତବତାର ସମ୍ମୁଖୀନ ହୋଇ କେତେ କବି, ଲେଖକ, ସମାଲୋଚକ ଯେ ମରି ଯାଉଛନ୍ତି, ତାର ହିସାବ ରଖୁଛି କିଏ ? ତେବେ ଏମାନଙ୍କ ମୃତ୍ୟୁର ଚିହ୍ନ ଇତିହାସ ବକ୍ଷରେ ମରିପାରେନା । ଶିଳ୍ପୀ କଠୋର ରାଜଦଣ୍ଡ ଅଧୀନରେ କାର୍ଯ୍ୟ କଲେ ବି କୋଣାର୍କ ଗାତ୍ରରେ ଅତି ନିଭୃତ କୋଣରେ ଯେପରି ରାଜ ଅତ୍ୟାଚାରର ଏକ କ୍ଷୁଦ୍ର ଚିତ୍ର ଆଙ୍କି ଦେଇଯାଇଛି, ଆଜି ସେମିତି ବଳିଷ୍ଠ ରାଜ ନେତୃତ୍ୱରେ ପରିଚାଳିତ ‘ଝଙ୍କାର’ ଗାତ୍ରରେ ଦୃଷ୍ଟିର ଅପଲକରେ ମରଣମୁଖୀ କବିର କରୁଣ କ୍ରନ୍ଦନ ଝଂକୃତ ହୋଇଉଠୁଚି । ରାଜଶକ୍ତି ଯେତେ ପ୍ରବଳ ହେଲେ ବି ପ୍ରକୃତ କବିର କଣ୍ଠରୋଧ କରିପାରେନା । ସମସ୍ତ ସମାଜର ଆବେଗ ଓ ଆକାଂକ୍ଷା ସେଇ କ୍ଷୁଦ୍ର କଲମ ମୁନରେ ଆତ୍ମପ୍ରକାଶ କରେ । ସମାଜର ବେଗ ଆଗରେ ଅତି ବଳିଷ୍ଠ ରାଜଶକ୍ତି ଅତି ଦୁର୍ବଳ । ୧୯୫୭ ଅଗଷ୍ଟ ୫ମ ସଂଖ୍ୟାରେ ଝଙ୍କାର ୫୦୦ ପୃଷ୍ଠା ଦେଖନ୍ତୁ ।

 

‘‘ସାଫଲ୍ୟର ଗହ୍ୱରରେ ବିଫଳତା ହୋଇଛି ଚରମ

ଚେଷ୍ଟା କରି ଅର୍ଜିଅଛି ନିରାଶାର ବିସ୍ତୃତ ମଣ୍ଡଳ,

ସ୍ୱପ୍ନର ବାସ୍ତବତା ଭିତ୍ତିରେ ମୁଁ ବାସ୍ତବର ସ୍ୱପ୍ନ

ହଜାଇ ବସିଲି ଖାଲି ସହିବାକୁ କ୍ଷତିର ଜଞ୍ଜାଳ ।

 

 

ପଥଭ୍ରଷ୍ଟ ଆତ୍ମାକୁ ମୋ ହଜିବାର ଅଧିକାର ମିଳୁ,

ଭ୍ରାନ୍ତିର ଅରଣ୍ୟ ମଧ୍ୟେ ଅନ୍ଧାରର ଆଲୁଅରେ ମୋର

ଚକ୍ଷୁ ପଡ଼ିଯାଉ, ଆଉ ସଂସ୍କାରର ଲାଭ କଣ କହ;

ଅଧିକ ସଂଖ୍ୟକ କ୍ଷୋଭ ଯେତେବେଳେ ପରିଣାମ ତାର

 

 

ବାଟ ହୁଡ଼ି ଯଦି ମୋର ମୁକ୍ତି ଆତ୍ମଗ୍ଳାନିରୁ, କ୍ଷୋଭରୁ

କ୍ଷୟିଷ୍ଣୁ ସନ୍ଧ୍ୟାରେ ଯଦି ପ୍ରବଞ୍ଚକ ସ୍ମୃତି ହୁଏ ଢଙ୍କା,

ତୁମକୁ ବି ଫୁଙ୍କି ଦେଇ ହୁଏ କିଛି ଉଦାସ ହାଓ୍ୱାରେ

ଜିଜ୍ଞାସା ବା ପରୀକ୍ଷା ବା ଆଦର୍ଶ ବା ଔଦ୍ଧତ୍ୟ କାହିଁକି ?

 

 

ଏହାର ଲେଖକ ଶ୍ରୀ ରମାକାନ୍ତ ରଥ, ଆଇ: ଏ: ଏସ: ହେଲା ଅବସ୍ଥାରେ ।

 

ଏଠି କବି ନିଜର ମୃତ୍ୟୁ ବିଷୟରେ ଅତି ସଚେତନ । କିନ୍ତୁ ସେ ଜୀଇଁବାକୁ ଚାହେଁ, ଉପାୟ ନାହିଁ, ମରିବାକୁ ପଡ଼ିବ । ତା’ ଜୀବନ ସ୍ୱପ୍ନ ଆଜି ବିଦଗ୍‌ଧ, ତା’ ପ୍ରାଣର ପୁଞ୍ଜୀଭୂତ ବେଦନା ଝରିପଡ଼ିଛି ମରଣର କ୍ରନ୍ଦନରେ । ଏ କ୍ରନ୍ଦନରେ ଯେକୌଣସି ପାଠକର ପ୍ରାଣ କାନ୍ଦି ଉଠିବ । ଏହା କେବଳ ଜଣେ କବିର କ୍ରନ୍ଦନ ନୁହେଁ, ଅଗଣିତ ଜନତାର କ୍ରନ୍ଦନ-ନିଜେ ଜୀଇଁ ଦୁନିଆକୁ ଜୀଆଁଇବାର ପ୍ରବଳ ବାସନା ଧରି ଯେଉଁମାନଙ୍କୁ ମରିବାକୁ ପଡ଼ୁଛି, ସେଇମାନଙ୍କର ଆକୁଳ ଆର୍ତ୍ତନାଦ ।

 

ସମାଲୋଚକ ! ତୁମେ କଣ ଏ କବିକୁ ବଞ୍ଚାଇପାର ? ବିଶ୍ୱ ପ୍ରଭାବର ଅକୂଳ ସ୍ରୋତରେ ନିଜକୁ ଭସାଇବା ଦ୍ୱାରା ହିଁ କବି ବଞ୍ଚିପାରେ । ଆଉ ତମେ ନିଜେ ସେଇ ସ୍ରାତର ଅନୁକୂଳରେ ଅବାଧରେ ଭାସିବା ଦ୍ୱାରା ହିଁ ତାକୁ ରକ୍ଷା କରିପାର । ତା’ ପାରିବ ତ ? ନ ହେଲେ କବିର ମୃତ୍ୟୁ ସଙ୍ଗେ ତୁମେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବ; ସନ୍ଦେହ ହେଲେ ଅଭିଜ୍ଞତାର ପୃଷ୍ଠା ଓଲଟାଅ ।

 

ଆମର ଜଣେ ବିଶିଷ୍ଟ ସମାଲୋଚକ ହେଉଛନ୍ତି ଶ୍ରୀ ନଟବର ସାମନ୍ତରାୟ । ତାଙ୍କର ଗଭୀର ସମୀକ୍ଷା ଗର୍ବର ବିଷୟ । କିଛି ଦିନ ତଳେ ‘ନବଯୁଗ ସାହିତ୍ୟ ସଂସଦ’ ଓ ‘ଫକିର ମୋହନ’ଙ୍କ ସମ୍ପର୍କରେ ତାଙ୍କର ପ୍ରକାଶିତ କେତେକ ସମାଲୋଚନା ବାସ୍ତବରେ ଅତି ଚମତ୍‌କାର ସୃଜନଶୀଳ । ତାଙ୍କର ଅନ୍ୟ ପରବର୍ତ୍ତୀ ଆଲୋଚନା ସେ ସ୍ତର ସ୍ପର୍ଶ କରୁନାହିଁ ! ସେ ବାସ୍ତବ ଦୃଷ୍ଟିକୋଣ ଓ ମାନଦଣ୍ଡର ଅଭାବ କାହିଁକି ? କେଉଁ ପ୍ରତିବନ୍ଧକ ତାଙ୍କୁ ପଛକୁ ଟାଣୁଛି ?

 

ଆମର ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଗୋପୀନାଥ ମହାନ୍ତି । ତାଙ୍କ ଲେଖା ଓଡ଼ିଶାରେ ଗୌରବ । ଆଦିମ ଯୁଗରୁ ଅବହେଳିତ, ନିଷ୍ପେଷିତ ଆଦିବାସୀ ଜୀବନରେ ଯେଉଁ ବାସ୍ତବ ଚିତ୍ର ସେ ଆଙ୍କିଛନ୍ତି, ତାହାର ଭାରତର ଅନ୍ୟ ସାହିତ୍ୟରେ ଦେଖିବାକୁ ମିଳେ ନାହିଁ । ବର୍ତ୍ତମାନ ସମାଜର ସର୍ବ-ବ୍ୟାପୀ ବ୍ୟାଧି ଦୁର୍ନୀତିକୁ ପ୍ରତି ମୁହୂର୍ତ୍ତିରେ ଭେଟଥିଲେ ସୁଦ୍ଧା କେହି ଆଘାତ କରିବାକୁ ସାହସ କରନ୍ତି ନାହିଁ । ତା’ପ୍ରତି ତାଙ୍କର ଦୃଷ୍ଟି ପଡ଼ିଛି । ତାକୁ ସେ ଫୁଟାଇଛନ୍ତି ‘ଦାନାପାଣି’ରେ । ସେଠି ଦୁର୍ନୀତିକାରୀ ଲୋକ କୌଣସି ସରକାରୀ କର୍ମଚାରୀ ନୁହେଁ, କମ୍ପାନୀର କିରାନୀ; ମାତ୍ର ସେପ୍ରକାର ବର୍ଣ୍ଣିତ ବୃହତ୍‌ କମ୍ପାନୀ ଓଡ଼ିଶାରେ ନାହିଁ । ଏଠି ଏ ଅବାସ୍ତବତାର ଛିଟିକା କାହିଁକି ? ବିଷୟବସ୍ତୁ-ଅବଲୋକନରେ ତାଙ୍କର ଦୃଷ୍ଟି ଅତି ତୀକ୍ଷ୍‌ଣ । କ୍ଷୁଦ୍ର ଏକ ଫୁଲକୁ ଦେଖି ତା’ପରାଗର ପ୍ରତ୍ୟେକ ରେଣୁକୁ ବି ବର୍ଣ୍ଣିବାକୁ ସେ ଭୁଲନ୍ତି ନାହିଁ । ଏଠି କେଉଁ ଜିନିଷ ତାଙ୍କୁ ସେ ବାସ୍ତବତାକୁ ଭୁଲିଯିବାକୁ ବାଧ୍ୟ କରିଛି ?

 

ଏଇପରି ଅଜସ୍ର ଦୃଷ୍ଟାନ୍ତ ଦିଆଯାଇପାରେ । ଏଠି ଲୋକେ ପାରିପାର୍ଶ୍ୱିକ ଅବସ୍ଥାରେ ବନ୍ଦୀ, ତା’ ସତ୍ୱେ ସମାଲୋଚନା କରିବା ଅନ୍ୟାୟ ଓ ଅସମୀଚୀନ ନୁହେଁ । ଅନ୍ୟ ଦିଗରେ ବାସ୍ତବତାକୁ ଛାଡ଼ିଦେଲେ ସମାଲୋଚନା, ସମାଲୋଚନାଯୋଗ୍ୟ ହେବ ନାହିଁ । ଏଥିଲାଗି କେଉଁ ଭବିଷ୍ୟତ କ୍ଷମା ଦେବ ? ଲେଖକ, ସମାଲୋଚକ ପକ୍ଷରେ ଏହା ଏକ ସମସ୍ୟା ।

 

ବହୁ ସମସ୍ୟାର ସମାଧାନ ନ କରି ଲେଖକ ସମାଲୋଚକମାନଙ୍କୁ ଅଦୃଶ୍ୟ ବନ୍ଧନରୁ ମୁକ୍ତି ନ ଦେଇ ସମାଜି ଲାଗି ଅନୁକୂଳ ବତାବରଣ ସୃଷ୍ଟି ନ କରି ସମାଲୋଚନା ଲାଗି ଆହ୍ୱାନ ଦେବା ଏକ ଦୋଷଛଡ଼ା କର୍ତ୍ତବ୍ୟ, ବେଠିତୁଲା କାମ ।

 

ନୀତିଗତ ବିଚାରରେ ସମାଲୋଚନାର ଅର୍ଥ କେବଳ ଦୋଷ ବାଛିବା ନୁହେଁ, ଉପସ୍ଥିତ ସମସ୍ୟାର ଦାୟିତ୍ୱପୂର୍ଣ୍ଣ ସମାଧାନର ପନ୍ଥା ନିର୍ଦ୍ଧାରଣ କରିବା । ସେଥିରେ ନୀତିକୁ ଛାଡ଼ି ବ୍ୟକ୍ତିକୁ ଆଶ୍ରା କଲେ ତାହା ଲକ୍ଷ୍ୟଭ୍ରଷ୍ଟ ହେବ । ଲେଖାର ଶକ୍ତି ଓ ଦୁର୍ବଳତା ଦୁହିଁକି ଆଲୋଚନା କରି ସହାନୁଭୂତିର ସହ ନିର୍ଦ୍ଦିଷ୍ଟ ପନ୍ଥା ନ ଦର୍ଶାଇ କେବଳ ଧ୍ୱଂସାତ୍ମକ ସମାଲୋଚନା ଅନ୍ୟ ପକ୍ଷରେ କେବଳ ବିରୋଧ ସୃଷ୍ଟି କରିବ । ସମାଲୋଚନାର ପରିଣାମ ବ୍ୟର୍ଥ ହେବ । ଆଧୁନିକ ସାହିତ୍ୟ ଆଲୋଚନାରେ ସ୍ନେହ, ଆଦର, ଇର୍ଷା ଦ୍ୱେଷ, ମୋହବତ ଆଦି ପ୍ରକାଶ ପାଇବା ଖୁବ୍‌ ସମ୍ଭବ । ତାହା ବଜନୀୟ ବୋଲି ସମସ୍ତେ ଘେନନ୍ତି । କିନ୍ତୁ ନିଜ ଦୁର୍ବଳତା ଏବଂ ବ୍ୟକ୍ତି-କେନ୍ଦ୍ରିକ ଦୃଷ୍ଟିକୋଣ ଯୋଗୁଁ ବହୁ ସ୍ଥାନରେ ତାର ବ୍ୟତିକ୍ରମ ଘଟିପାରେ, ଭ୍ରମ ଧାରଣା ଜାତ ହୋଇପାରେ । ତେବେ ଘଷାମଜା ଭିତରେ ତା’ ପରିଷ୍କାର ହେବ । ପ୍ରଥମରୁ ସେଥିପ୍ରତି ସତର୍କ ରହି ଧ୍ୟାନ ଦେଲେ, ହେଲା-

 

ଅନାବଶ୍ୟକ ସମାଲୋଚନା ପରିତ୍ୟଜ୍ୟ; ଯଥା—ଶାରଳା ଦାସଙ୍କ ଜାତି—ବ୍ରାହ୍ମଣ, କରଣ, କ୍ଷତ୍ରିୟ, ଖଣ୍ଡାୟତ ନା ଚଷା ? ତୁମୂଳ ଆଲୋଚନା ହେଉଛି । ଏହା ସାହିତ୍ୟିକ ଶକ୍ତିର ଅପବ୍ୟୟ । ଏହାଦ୍ୱାରା ସାହିତ୍ୟର ଅଭିବୃଦ୍ଧି ନାହିଁ । କେବଳ ନିଜର ଜାତିଆଣ ଭାବ ଅନ୍ୟର ଜାତି ଖୋଜି ବୁଲୁଛି ।

 

ଏହା ଛଡ଼ା ସାମାନ୍ୟ କେତେକ ନିର୍ଭୀକ ସମାଲୋଚନା ହେଉଥିଲେ ମଧ୍ୟ ତାହା ବହୁ ସ୍ଥଳରେ କେବଳ ବ୍ୟକ୍ତିଗତି କୁତ୍ସା ରଟନାରେ ପର୍ଯ୍ୟବସିତ ହେଉଛି । ଏଥିରେ ନିଜର ସାଧମେଣ୍ଟନ ଛଡ଼ା ସମାଧାନର ମାର୍ଗ ନାହିଁ ।

 

ଏ ସମସ୍ତ ଆଲୋଚନାରୁ ଜଣାଯିବ, ଯେପରି କି ସମାଲୋଚନାର ମୁଖ୍ୟ ଦାୟିତ୍ୱ ସାମାନ୍ୟ କେତେ ଜଣ ସରକାରୀ ଅନୁଗୃହୀତ ଲେଖକଙ୍କୁ ହିଁ ବହନ କରିବାକୁ ହେବ । କିନ୍ତୁ ତା ଦ୍ୱାରା ସାହିତ୍ୟର ଅଭିବୃଦ୍ଧି ଅସମ୍ଭବ । ଲେଖକଶ୍ରେଣୀର ସକ୍ରିୟ, ଚେତନଶୀଳ ଓ ସାମୟିକ ଉଦ୍ୟମ ଦ୍ୱାରା ହିଁ ସାହିତ୍ୟର ବିକାଶ ସମ୍ଭବ । ତେବେ, ଏ ପ୍ରଶ୍ନର ସମାଧାନ କେଉଁଠି ?

 

ଏବେ ଆମେ ଲେଖକ, ସାହିତ୍ୟିକ, ସମାଲୋଚକ ଆଗରେ ସିଧା ପ୍ରଶ୍ନ ହେଉଛି, ସେମାନେ ନିଜେ ବନ୍ଦୀ ହୋଇ ନିଜର କଲମ୍‌କୁ ବନ୍ଦକରି ଓଡ଼ିଆ ସାହିତ୍ୟର ପଥ କଣ ଅବରୋଧ କରିବେ ? କାଇଁ, ଆମ ପୂର୍ବ-ପୁରୁଷମାନେ ଏ ପଥର ଇଙ୍ଗିତ ଦେଇନାହାନ୍ତି ତ ! ଶାରଳାଙ୍କଠାରୁ ଆରମ୍ଭ କରି ରାଜ-ଅନୁଗ୍ରହୀ ଫକୀର ମୋହନଙ୍କ ଯାଏ କେହି ତ ସାମାଜିକ ଜୀବନର କଳଙ୍କ, ଆବିଳତାକୁ ଆକ୍ରମଣ କରିବାରେ ପଛଘୁଞ୍ଚା ଦେଇନାହାନ୍ତି ! ଆଜି ତେବେ ସେ ଐତିହ୍ୟ-ବିଚ୍ୟୁତି କାହିଁକି ? ପ୍ରକୃତ ଶିଳ୍ପୀ କଣ କେବେହେଲେ ନିଜ ଜୀବନକୁ ତାର ସର୍ଜନା ଅପେକ୍ଷା ଅଧିକ ମହତ ବୋଲି ଜ୍ଞାନ କରେ ନାହିଁ ? ତେବେ ଭୟ କେଉଁଠି ?

 

ସେ ଭୟ ହେଉଛି, ସରକାରୀ ବାଘର ଭୟ । କିନ୍ତୁ ତାହା ଅତି ଦୁର୍ବଳ, ତାହା ସାହିତ୍ୟ କ୍ଷେତ୍ରରେ ସମ୍ମୁଖ ଆକ୍ରମଣକୁ ଭୟକରେ । ମତ ପାର୍ଥକ୍ୟ ଘଟିଲେ, ତାହା ସାହିତ୍ୟ କ୍ଷେତ୍ରରେ ଆଲୋଚନା ବା ସିଧା ଆକ୍ରମଣ ନ କରି, ଅକସ୍‌ ରଖି ଅନ୍ୟ କ୍ଷେତ୍ରରେ ଦାଉ ସାଧେ । ତାହା ଶକ୍ତି ଓ ସୁସ୍ଥ ମନୋଭାବର ପରିଚୟ ନୁହେଁ, ଦୁର୍ବଳତାର ଲକ୍ଷଣ । ତେଣୁ ତାହା କ୍ଷଣସ୍ଥାୟୀ । ଯେତେ ଶକ୍ତିଶାଳୀ ମନେହେଲେ ବି ସାମାଜିକ ନିୟମର ଗତିରେ ଏମାନେ ଅଚିରେ ଅପସରି ଯିବେ । ଅନ୍ୟ ଶକ୍ତି ଯେତେ କ୍ଷୀଣ ହେଲେ ବି ଭବିଷ୍ୟତରେ ଶକ୍ତିଶାଳୀ ହେବା ଯଦି ଭବିଷ୍ୟତ ଉପରେ ଆସ୍ଥାର ଅଭାବ, ତେବେ ବର୍ତ୍ତମାନ ଲୋକଙ୍କ ଆଡ଼କୁ ଆଖି ଫେରାଅ । ବଳ ଓ ସାହାସର ଅଭାବ ରହିବ ନାହିଁ । ସେମାନେ ସମସ୍ତ ଶକ୍ତି ଉତ୍ସ ଓ ଆଧାର । ସେମାନଙ୍କ ପ୍ରତି ଆସ୍ଥା, ଲେଖକର ସମସ୍ତ ଅଦୃଶ୍ୟ ବନ୍ଧନକୁ ଛିନ୍ନ କରିବ । ସେ ମୁକ୍ତହେବ । ତାର ମୁଖର ହୋଇଉଠିବ । ଓଡ଼ିଆ ସାହାତ୍ୟିକାର ଜୀବନ ପ୍ରମାଣ କରିବ, ଲେଖକ ବଞ୍ଚିବାଲାଗି ବଞ୍ଚେଇକରି ଲେଖୁନାହିଁ; ଲେଖିବାଲାଗି ବଞ୍ଚିଛି ଏବଂ ଲୋକଙ୍କୁ ବଞ୍ଚେଇବାକୁ ହିଁ ସେ ଚିରଦିନ ବଞ୍ଚିରହିବ ।

 

ବଞ୍ଚିବା-ଲେଖିବା ଦ୍ୱନ୍ଦ୍ୱ ଲେଖକ ଭିତରେ ବହୁଦିନୁ ଦେଖା ଦେଇଛି । କିଏ ଆଗ ? କାହାକୁ ସେ ମୁଖ୍ୟକରି ଧରିବ ? ଏହାର ମୀମାଂସା ସହଜ ନ ହେଲେ ବି ସମାଧାନଟି ଅତି ସରଳ-। ଏ ସଂପର୍କରେ ଜଣେ ମନୀଷୀଙ୍କ ଉକ୍ତି ପ୍ରତି ଦୃଷ୍ଟି ଦିଆଯାଉ ।

 

‘‘The writer, must naturally make a living in order to exist and write, but he must not exist and write in order to make a living.’’

 

The writer no way regards his works as a means. They are ends in themselves, so little are they means for him and others that when necessary, he sacrifices his existence to theirs, and like a preacher of religion he takes his principle "Obey God" more than man, men among whom hs ie himself included along with his human needs and desires. On the other hand imagine a tailor whom I order a parsian frock coat, brings me a Roman toga because it is more in accord with external law of the beautiful. The first freedom of press consists in its not being a business. The writer who debases it to material means, deserves as punishment for inner lack of freedom and external lack of freedom namely censorship or rather its existence is already his punishment

 

ଏହାର ମର୍ମ ହେଲା, ଲେଖକ ବଞ୍ଚିବ ଓ ଲେଖିବ । ସେଥିଲାଗି ନିଶ୍ଚୟ ଜୀବନଧାରଣର ବ୍ୟବସ୍ଥା କରିବା ସ୍ୱାଭାବିକ । କିନ୍ତୁ ଜୀବନ-ଧାରଣର ବ୍ୟବସ୍ଥା ଲାଗି ସେ ବଞ୍ଚିବା ଓ ଲେଖିବା ଅନୁଚିତ ।

 

ଲେଖକ ତାର କାର୍ଯ୍ୟକୁ ଏକ ଉପାୟ ଭାବେ ବିଚାର କରେ ନାହିଁ । ତାହା ସବୁ ନିଜେ ନିଜର ଲକ୍ଷ୍ୟ; ଲେଖକ ଲାଗି ଓ ଅନ୍ୟମାନଙ୍କ ପାଇଁ ଉପାୟ ନୁହେଁ; ଯେତେବେଳେ ଦରକାର ପଡ଼େ, ସେଗୁଡ଼ିକର ଅସ୍ତିତ୍ୱ ରକ୍ଷାଲାଗି ସେ ନିଜର ଅସ୍ତିତ୍ୱକୁ ବଳିଦିଏ ଏବଂ ଧର୍ମ-ପ୍ରଚାରକଙ୍କ ଭଳି ମନୁଷ୍ୟଙ୍କ ଅପେକ୍ଷା—ଯେଉଁମାନଙ୍କ ମଧ୍ୟରେ ସେ ନିଜର ଆଶା ଆକାଙ୍‌କ୍ଷା ଘେନି ଅର୍ନ୍ତଭୁକ୍ତ (ସେହି ମନୁଷ୍ୟଙ୍କ ଅପେକ୍ଷା) —ଅଧିକ ‘‘ଭଗବାନଙ୍କୁ ମାନ’’ ନୀତି ଗ୍ରହଣ କରେ । ଅନ୍ୟ ନିଗରେ କଳ୍ପନା କର, ଜଣେ ଦର୍ଜି, ତାଙ୍କୁ ମୁଁ ପାରସ୍ୟ-ଫର୍କ କୋଟ ବରାଦ କଲି କିନ୍ତୁ ସେ ମୋତେ ରୋମାନ ଆଲଖାଲ ଆଣିଦେଲା । କାରଣ, ତାହା ଅଧିକ ସୌନ୍ଦର୍ଯ୍ୟର ବାହ୍ୟ ନିୟମ ଦ୍ୱାରା ଅନୁମୋଦିତ । ସଂବାଦପତ୍ରର ପ୍ରଥମ ସ୍ୱାଧୀନତା ହେଉଛି, ତାହା ଏକ ବ୍ୟବସାୟ ନ ହେବାରେ । ଯେଉଁ ଲେଖକ ଭୌତିକ ଉପାୟ ଭାବରେ ତାକୁ (ତାର ଲେଖାକୁ) କଳଙ୍କିତ କରେ, ଆଭ୍ୟନ୍ତରୀଣ ସ୍ୱାଧୀନତାର ଅଭାବ ଓ ବାହ୍ୟ ସ୍ୱାଧୀନତାର ଅଭାବ ଭଳି ଦଣ୍ଡରେ ସେ ଦଣ୍ଡିତ ହୁଏ, ଅର୍ଥାତ ଯାଞ୍ଚକାର୍ଯ୍ୟ କିମ୍ୱା ତାର (ଲେଖାର) ଅବସ୍ଥିତି ହିଁ ତା’ ପକ୍ଷରେ ଶାସ୍ତି ହୋଇସାରିଥାଏ ।

 

ଏହା ମାର୍କସ୍‌ଙ୍କ ଉକ୍ତି । ଏଥି ସହିତ କିଏ ଦ୍ୱିମତ ହେଲେ ବି ତାହା ପ୍ରକୃତ ଲେଖକ ଜୀବନର କଠୋର ବାସ୍ତବତା । ତା’ ପକ୍ଷରେ ଅନ୍ୟ ରାସ୍ତା ନାହିଁ । କମ୍ୟୁନିଷ୍ଟ ବିଦ୍ୱେଷରେ ଏ ବାସ୍ତବତାକୁ ଏଡ଼ି ଦିଆଯାଇ ନ ପାରେ । ମାର୍କସ୍‌ଙ୍କ ଉକ୍ତି ମଧ୍ୟ ଓଡ଼ିଆ ସାହିତ୍ୟର ଐତିହ୍ୟ । ମାର୍କସ୍‌ଙ୍କର ପ୍ରାୟ ଶହେବର୍ଷ ଆଗରୁ ଓଡ଼ିଆ କବି ରାଜଦ୍ୱାରୁ ବିତାଡ଼ିତ ହୋଇଛି; କିନ୍ତୁ ନିଜକୁ ବଳି ଦେଇନାହିଁ, ନିଜର ଲେଖନୀକୁ ବନ୍ଦୀ କରିନାହିଁ, ଅବାସ୍ତବ ରାଜ-ପ୍ରଶସ୍ତି ଗାଇ ଓଡ଼ିଆ ସାହିତ୍ୟକୁ କଳଙ୍କିତ କରିନାହିଁ । ସେ ମହାନ୍‌ ବ୍ୟକ୍ତି ହେଉଛନ୍ତି ଭକ୍ତକବି ଦୀନକୃଷ୍ଣ । ନିଜର ବଂଶଧରଙ୍କ ପ୍ରତି ତାଙ୍କର ସେ ଅମର ଐତିହ୍ୟର ଇଙ୍ଗିତ ହେଉଛି :

 

କବି ଯା କରେ ମୂର୍ଖକୁ ସ୍ତୁତି,

ଏଥିରୁ ବଳି ନାହିଁ ବିପତ୍ତି,

ଏଥିକି ପ୍ରତିଛାତିରେ କାତି

ମାରିବା ଭଲ ହେ ।

 

(ରସକଲ୍ଲୋଳ)

 

କି ମହାନ୍‌ ପରମ୍ପରା ! ଏବେ ତାହାର ବାହକ କେଉଁମାନେ ? ସେ ଦାୟିତ୍ୱ ପୂରଣ କଣ ବର୍ତ୍ତମାନ ଦାୟାଦମାନଙ୍କର ପ୍ରଧାନ କର୍ତ୍ତବ୍ୟ ନୁହେଁ ? କାମରେ ଅନ୍ୟଥା ହେଲେ ବି ଏହା ଆଗରେ ପ୍ରତ୍ୟେକ ଲେଖକ ମସ୍ତକ ଅବନତ କରିବାକୁ ବାଧ୍ୟ । ଯେଉଁମାନେ ଏହା ପୂରଣ କରିବାକୁ ଅସମର୍ଥ, ସେମାନେ ମନ୍ତ୍ର ଭଳି ଉଚ୍ଚାରଣ କଲେ ଅନ୍ତତଃ ଆଶ୍ୱସ୍ତି ପାଇବେ ତ !

 

ଆଧୁନିକ ଓଡ଼ିଆ ସାହିତ୍ୟ ଆଲୋଚନା ଲାଗି ସାହିତ୍ୟିକ, ସମାଲୋଚକ ଏବଂ ସାମାଜିକ ନେତୃତ୍ୱ—ଏ ସମସ୍ତଙ୍କର ଘନିଷ୍ଠ ସହଯୋଗ ଆବଶ୍ୟକ । ସୃଜନଶୀଳ ସମାଲୋଚନା ଲାଗି ସକଳ ପ୍ରକାର ଉପାଦାନ ଯୋଗାଇବା ସାମାଜିକ ନେତୃତ୍ୱର ପ୍ରଧାନ କର୍ତ୍ତବ୍ୟ ସେ ନିଜେ ଯଦି ସମାଲୋଚିତ ହୁଏ, ତା’ ପକ୍ଷରେ ସହନଶୀଳତା ଅବଲମ୍ୱନ କରିବା ଆଗ ଦରକାର । ସମାଲୋଚନାର ପ୍ରତିକ୍ରିୟା ପ୍ରତିଶୋଧରେ ପ୍ରତିଫଳିତ ହେଲେ ସମାଲୋଚନାର ଲକ୍ଷ୍ୟ ବ୍ୟର୍ଥ ହେବ । ତେଣୁ, ସମାଲୋଚକର ସୃଜନଶୀଳ ପିପାସା ଏବଂ ସାମାଜିକ ନେତୃତ୍ୱର ସମାଲୋଚନାର ପ୍ରକୃତ ଉପଲବ୍‌ଧି, ଆମ ସାହିତ୍ୟର ବିକାଶ-ଦ୍ୱାର ଉନ୍ମକ୍ତ କରିବ । ଯଦି ଏମାନେ କର୍ତ୍ତବ୍ୟରେ ଅବହେଳା କରନ୍ତି, ତେବେ ତାର ଦାୟିତ୍ୱ ପାଠକ ଓ ସାହିତ୍ୟପ୍ରେମୀମାନଙ୍କୁ ବହନ କରିବାକୁ ପଡ଼ିବ । ତା’ ନହେଲେ ସେଇମାନେ ହିଁ ପ୍ରକୃତ ସାହିତ୍ୟରୁ ବଞ୍ଚିତ ହେବେ । ଅତଏବ, ସମସ୍ତଙ୍କର ସାମୟିକ ଚେତନଶୀଳ ପ୍ରଚେଷ୍ଟା ଦ୍ୱାରା ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ସୁନିଶ୍ଚିତ ।

☆☆☆

 

ନୂତନ ସମାଲୋଚନାର ସ୍ୱରୂପ

 

ଫ୍ରାନ୍‌ସର ପ୍ରଧାନମନ୍ତ୍ରୀ ଥେୟାରସ୍‌ ଶ୍ରମିକଶ୍ରେଣୀର ପ୍ରଥମ ରାଷ୍ଟ୍ର ପ୍ୟାରିସ୍‌ କମ୍ୟୁନକୁ ଧ୍ୱଂସ କରି ବିପ୍ଳବୀ ସୈନିକମାନଙ୍କୁ ନିର୍ମମ ଭାବରେ ହତ୍ୟା କଲାବେଳେ ସଗର୍ବରେ ଘୋଷଣା କରିଥିଲେ, ‘‘They no longer talk about socialism and how right they are. We have settled account with socialism.’’ ଏହା ୧୮୭୧ ସାଲର ଘଟଣା ।

 

ଏବେ ବି ନବେ ବର୍ଷ ପରେ ପ୍ରଥମ ସୋଭିୟେତ ମାନବ ଅନ୍ତରୀକ୍ଷ ପ୍ରଦକ୍ଷିଣ କଲାବେଳେ ଶ୍ରୀଯୁକ୍ତ ମାୟାଧର ମାନସିଂହ ବଙ୍ଗଳାରୁ ନିମ୍ନଲିଖିତ ଫକ୍ତି ଉଦ୍ଧାର କରି ଏକ ଭବିଷ୍ୟତ ବାଣୀ ଶୁଣାଇଛନ୍ତି, ‘‘ହୁଗୁଳୀନଦୀ କୂଳେ ଯେତେବେଳେ ଚିତ୍ରପଟ ବଦଳିଲାଣି, ମହାନଦୀ କୂଳେ ଚିତ୍ରପଟ ଶୀଘ୍ର ବଦଳିବ ।’’ ଏ ଚିତ୍ରପଟ କଣ ? (ବଙ୍ଗଳା) ଶନିବାର ଚିଠିରୁ ତାଙ୍କର ଉଦ୍ଧୃତାଂଶ ହେଲା, ‘‘ରାଜନୀତି ଦିନେ ବଙ୍ଗଳା କାବ୍ୟରେ ତାଣ୍ଡବ ନୃତ୍ୟ କରାଇଥିଲା । ସୁଖର ବିଷୟ ଏ ତିନିବର୍ଷର କବିତାରେ ସେ ଅପମୃତ୍ୟୁ ପଥରୁ ବଙ୍ଗାଳୀ କବିମାନେ ଚାଲି ଆସୁଛନ୍ତି.... । ପରିବର୍ତ୍ତନମାନ ରାଜନୀତି ଜଗତରେ ସ୍ତାଲିନ ପ୍ରଶସ୍ତିର ସ୍ଥାନ କେଉଁଠି, ବୁଦ୍ଧିମାନ ପାଠକମାନେହିଁ ତାହା ଜାଣନ୍ତି । ସୁତରାଂ ଏହି ଉପଲକ୍ଷ୍ୟ ସର୍ବସ୍ୱ ରାଜନୀତିରେ କବିତାହିଁ ଅଯୋଗ୍ୟ ।’’ ଅତଏବ, ଉପରୋକ୍ତ ଚିତ୍ର ଅନୁଯାୟୀ ଓଡ଼ିଆ ଚିତ୍ରପଟକୁ ବଦଳାଇବା ଲାଗି ଶୀଯୁକ୍ତ ମାନସିଂହଙ୍କର ଆଜି ଏ ଉଦ୍ୟମ । ତାହା ସେ ପ୍ରକାଶ କରିଛନ୍ତି ଆସନ୍ତାକାଲିର ଜୁଲାଇ ମାସ ସପ୍ତମ ସଂଖ୍ୟା (୧୯୬୧) ‘‘ନୂତନ କବିତାର ତନୁ ତ୍ୟାଗରେ ।’’

 

ଏ ଲେଖା ଲେଖିବାର ଆବଶ୍ୟକତା ନ ଥା’ନ୍ତା, ଯଦି ଶ୍ରୀଯୁକ୍ତ ମାନସିଂହ କବିତାକୁ ସମାଲୋଚନା କରିବା ଛଳନାରେ ରାଜନୀତି କରି ନ ଥାନ୍ତେ, ଓଡ଼ିଶାର ସମସ୍ତ ନୂତନ କବିଙ୍କୁ କଳଙ୍କିତ କରିବାକୁ ପ୍ରୟାସ କରି ନ ଥାନ୍ତେ, ସାହିତ୍ୟ ନିଆଁରେ କମ୍ୟୁନିଷ୍ଟଙ୍କ ନାଁ ନ ଧରି ସେମାନଙ୍କୁ ଆକ୍ରମଣ କରି ନ ଥା’ନ୍ତେ, ସଚ୍ଚୋଟ ସୃଜନଶୀଳ ସମାଲୋଚନା କରିବାରେ ଅସମର୍ଥ ହେଲେ ମଧ୍ୟ ଅନ୍ତତଃ ସତ୍‌-ସାହିତ୍ୟ ଆଲୋଚନାରେ ବ୍ରତୀ ହୋଇଥା’ନ୍ତେ ।

 

ତାଙ୍କର ମୁଖ୍ୟ ଅଭିଯୋଗ ହେଲା, ଏବେ ଓଡ଼ିଶାରେ ଦୁର୍ବୋଧ୍ୟ କବିତାର ଧାରା ପ୍ରଚଳିତ । [ସେ ଗଦ୍ୟ କବିତାକୁ ଲକ୍ଷ୍ୟ କରିଛନ୍ତି, କିନ୍ତୁ ତା’ ନାଁ ଧରିନାହାନ୍ତି] ତାକୁ କେତେକ ଚଳାଇବାରେ ଲାଗିଛନ୍ତି । ସେମାନଙ୍କୁ ଥଟ୍ଟା ପରିହାସ କରି ସେ ଲେଖିଛନ୍ତି—ସେପରି କବିତାକୁ କେବଳ ‘‘ପ୍ରଗତିଶୀଳ’’ ‘‘ପ୍ରୋଲିଟରିଏଟ୍‌’’ ବୁଝନ୍ତି । ସେ ‘‘ଅର୍ଥହୀନ’’ ‘‘ନନସେନ୍‌ସକୁ’’ ‘‘ରାଗି ଦଳବଦ୍ଧ ଗୁଣ୍ଡାମି କରି ଟେବୁଲ ବାଡ଼େଇ ଶ୍ରେଷ୍ଠ କବିତା’’ ବୋଲି ଚଳାଇନେବାକୁ ବସିଛନ୍ତି । ଅତଏବ, ସାହିତ୍ୟ କ୍ଷେତ୍ରରେ ସେପରି ଶ୍ରେଷ୍ଠ କବିତାକୁ ପ୍ରତିହତ କରିବା ହେଲା ଲେଖକଙ୍କର ଉଦ୍ଦେଶ୍ୟ । ସେ ସେଇ ପବିତ୍ର ସଂଗ୍ରାମରେ ଅବତୀର୍ଣ୍ଣ । ତାକୁ ସେ ନିମ୍ନଲିଖିତ ଯୁକ୍ତି ଓ ଧାରାରେ ଉପସ୍ଥାପିତ କରିଛନ୍ତି ।

 

ଲେଖକଙ୍କର ନିଜ ଭାଷାରେ, ‘‘ଏବେ’’ ‘‘ନୂତନ କବିତା,’’ ‘‘ଗଣକବିତା’’, ‘‘ପ୍ରଗତିବାଦୀ’’ କବିତା ବୋଲି ସାହିତ୍ୟରେ ଏକ ପଦାର୍ଥର ଆବିର୍ଭାବ ଘଟିଛି, ଯାହାକି ଉପର୍ଯୁଂକ୍ତ ସମସ୍ୟା ସୃଷ୍ଟି କରିଛି । କାରଣ, ଏହାର ମହତ୍ୱର ପ୍ରଥମ ପ୍ରଧାନ ଗୁଣ କେବଳ ନୁହେଁ, ‘‘ଯୁକ୍ତି ମଧ୍ୟ ହେଉଛି, ଏହାର ଦୁର୍ବୋଧ୍ୟତା ବା ଏକାନ୍ତ ଅବୋଧ୍ୟତା ଓ ବିଶୃଙ୍ଖଳତା ।’’

 

ପ୍ରଥମ କଥା, ନୂତନ, ପ୍ରଗତି ଆଉ ଗଣ—ଏଗୁଡ଼ିକ ଏକ ବା ସମାନ ନୁହନ୍ତି । ନୂତନ ହେଲେ ଯେ ପ୍ରଗତି ହେବ ଏବଂ ପ୍ରଗତି ହେଲେ ତାହା ନିଶ୍ଚୟ ଗଣ [କବିତା] ହେବ, ତାହା ନୁହେଁ-। କୌଣସି ଏକ ନିର୍ଦ୍ଦିଷ୍ଟ କବିତାର ଏ ତିନୋଟି ଲକ୍ଷଣ ଥିଲେ ମଧ୍ୟ ସେଗୁଡ଼ିକ ସ୍ୱତନ୍ତ୍ର ଜିନିଷ-। ଏ ଏକ ପଦାର୍ଥ ନୁହନ୍ତି । ଏପରିକି ବହୁକ୍ଷେତ୍ରରେ ଓ ବହୁ ସମୟରେ ଏମାନେ ପରସ୍ପର ବିରୁଦ୍ଧାତ୍ମକ ମଧ୍ୟ ।

 

ଦ୍ୱିତୀୟରେ, ଏହାର ପ୍ରଥମ ବା ପ୍ରଧାନ ଗୁଣ ଦୁର୍ବୋଧ୍ୟତା ବା ଏକାନ୍ତ ଅବୋଧ୍ୟତା । ଏହା ମଧ୍ୟ ବିରୁଦ୍ଧାତ୍ମକ । ଦୁର୍ବୋଧ୍ୟ ହେଲେ ମଧ୍ୟ ବୋଧ୍ୟ । କିନ୍ତୁ ସହଜବୋଧ୍ୟ ନୁହେଁ କଷ୍ଟବୋଧ୍ୟ । ଏକାନ୍ତ ଅବୋଧ୍ୟତା କହିଲେ ତାହା କସ୍ମିନ୍‌କାଳେ ବୋଧ୍ୟ ନୁହେଁ । ଏ ଦୁଇଟି ସ୍ୱତନ୍ତ୍ର ଜିନିଷ । ତେବେ, ଲେଖକଙ୍କର ଜୋରଟା ଦୁର୍ବୋଧ୍ୟତା ଉପରେ ।

 

ତୃତୀୟରେ, ଏସବୁ କବିତାର ଏପରି ମୌଳିକ ଗୁଣ କିଏ କେବେ ଦାବୀ କରିଛି ବା ତାହା କେଉଁଠାରେ ପ୍ରକାଶ ପାଇଛି ? ସେ ସମ୍ପର୍କରେ ଲେଖକ କୌଣସି ସୂଚନା ଦେଇନାହାନ୍ତି, ନାମ ଉଲ୍ଲେଖ କରିବା ତ ଦୂରର କଥା । ତା’ହେଲେ କଣ ବୁଝିବାକୁ ହେବ—ଯେହେତୁ ଆକ୍ରମଣ କରିବାକୁ ପଡ଼ିବ, ‘ନୂତନ’, ‘ପ୍ରଗତି’ଆଉ ‘ଗଣ’ର ବିରୋଧ କରିବାକୁ ହେବ, ତେଣୁ ସେ ସମସ୍ତଙ୍କୁ ଏକାଠି କରି, ନିଜର ଭାବକୁ ସେମାନଙ୍କ ପ୍ରତି ଆରୋପ କରି, ସେମାନଙ୍କ ବିରୁଦ୍ଧରେ ଅଭିଯାନର ଏ ସୂତ୍ରପାତ ।

 

ଏହାଦ୍ୱାରା ପ୍ରକୃତ ବିଷୟ ସ୍ପଷ୍ଟ ଭାବେ ଉପସ୍ଥାପିତ ହେଉ ନାହିଁ । ଅସଲ ସମସ୍ୟାକୁ ବିକୃତ ଓ ବିଭ୍ରାନ୍ତ କରାଯାଉଛି । ଫଳରେ, ଅସାଧୁ ସମାଲୋଚନା ଆତ୍ମପ୍ରକାଶ କରୁଛି । ଏହା ଲେଖକଙ୍କର ବିଷୟଟିର ଉପଲବ୍‌ଧିର ଅଭାବରୁ ଘଟିଛି କି କେବଳ ଆକ୍ରମଣ ଉଦ୍ଦେଶ୍ୟରେ ଏକ ଚିନ୍ତିତ ଅଭିସନ୍ଧିର ଫଳ, ତାହା ପାଠକମାନେ ବିଚାର କରିବେ । ତେବେ, ‘ଜ୍ଞାନକୋଷ’ର ମୁଖ୍ୟକର୍ତ୍ତାଙ୍କ ପ୍ରତି ଉପଲବ୍‌ଧିର ଅଭାବ ବୋଲି କହିବା ଅତ୍ୟନ୍ତ ଧୃଷ୍ଟତା !

 

ପ୍ରକୃତ ବିଷୟ ବିଚାର କରାଯାଇଥିଲା ସିଧାସଳଖ କଥାରେ କୁହାଯାଇଥା’ନ୍ତା—ଏବେ ଓଡ଼ିଶାରେ ବିଶେଷଭାବରେ ଗଦ୍ୟକବିତା ଲେଖାଯାଉଛି । ତାହା ଅଧିକାଂଶ କ୍ଷେତ୍ରରେ ଦୁର୍ବୋଧ୍ୟ । ସେ ଦୁର୍ବୋଧ୍ୟତା ସପକ୍ଷରେ ଓ ବିପକ୍ଷରେ ଯୁକ୍ତି ଓ ନୀତି ହେଲା ଏଇଆ । ଅମୁକ ଅମୁକ ଲୋକେ ଏଇ କାରଣରୁ ତାର ବିରୋଧୀ ବା ପୃଷ୍ଠପୋଷକ । ଆମ ଲୋକଙ୍କ ପକ୍ଷରେ, ଓଡ଼ିଆ ସାହିତ୍ୟର ବିକାଶ ଦୃଷ୍ଟିରୁ ଏଇସବୁ କାରଣରୁ ତାହା ଗ୍ରହଣୀୟ ବା ପରିତ୍ୟଜ୍ୟ, କିମ୍ୱା ସେଥିରେ ଏଇ ପ୍ରକାର ପରିବର୍ତ୍ତନ ଆବଶ୍ୟକ, ଇତ୍ୟାଦି ଇତ୍ୟାଦି । ଦୁଃଖର କଥା, ଲେଖକ ପ୍ରକୃତ ବିଷୟବସ୍ତୁର ଦ୍ୱାରଦେଶ ମାଡ଼ିନାହାନ୍ତି । ବିଷୟବସ୍ତୁକୁ ଏଡ଼ିଦେବା ଦ୍ୱାରା ସମସ୍ତ ଆଲୋଚନା ବ୍ୟକ୍ତିକେନ୍ଦ୍ରିକ ହୋଇଉଠିଛି । ଫଳରେ, ତାହା ଶିକ୍ଷଣୀୟ ଓ ସାହଯ୍ୟକାରୀ ହେବା ପରିବର୍ତ୍ତେ ଆକ୍ରୋଶମୂଳକ ହୋଇପଡ଼ିଛି ।

 

ଏବେ ଦେଖାଯାଉ, ଗଦ୍ୟ କବିତା ଓ ଦୁର୍ବୋଧ୍ୟତା ଆସିଲା କେଉଁଆଡ଼ୁ ? ଏହାର କର୍ତ୍ତା କେଉଁମାନେ ? ଲେଖକ ନିଜେ ଏହାର ଉତ୍ତର ଦେଇ ଜଣାଇଛନ୍ତି, ‘‘ଏହା କୌଣସି ଓଡ଼ିଆ କବି ଆରମ୍ଭ କରିନାହାନ୍ତି, ଯଦିଓ ସେହିପରି ପ୍ରଚାର କରାଯାଉଛି ପ୍ରସିଦ୍ଧ ମାର୍କିନ କବି ଏଜରା ପାଉଣ୍ଡଙ୍କ ଯୋଗୁ ଏହା ପ୍ରସାର ଲାଭ କରିଛି.....ପାଉଣ୍ଡଙ୍କ ପଟ୍ଟଶିଷ୍ୟ ଟି. ଏସ୍‌. ଏଲିଏଟ୍‌ଙ୍କ ସୌଭାଗ୍ୟ ଯୋଗୁହିଁ ଏହି ନୂତନ କବିତା ଧାରା ବିଶ୍ୱବ୍ୟାପୀ ହୋଇଛି ।’’

 

ଏହାର ଅର୍ଥ, ଉପରୋକ୍ତ କବିମାନେ ହେଲେ ଏ କବିତାର ସୃଷ୍ଟିକର୍ତ୍ତା । ତାହା ଏବେ ଏକ ବିଶ୍ୱବ୍ୟାପୀ ଧାରାରେ ପରିଣତ ହୋଇଛି ଏବଂ ସେଇ ଧାରାର ପ୍ରତିଫଳନ ଘଟିଛି ଓଡ଼ିଶାରେ-। ଏହା ହେଲା ସିଧା କଥା । ଏଇଠି ପ୍ରଶ୍ନ ଉଠେ, କୌଣସି ଓଡ଼ିଆ କବି ଏହାକୁ ପ୍ରଥମେ ପ୍ରଚଳନ କଲେ ବୋଲି କେବେ କେଉଁଠି ଦାବୀ କରିଛନ୍ତି କି ? ତେବେ, ତାହା ଓଡ଼ିଶାରେ ଅମୁକଙ୍କ କବିତାଙ୍କ ପ୍ରଥମେ ପ୍ରତିଫଳିତ ହେଲା ବୋଲି କହିବା ସତ୍ୟର ଅପଳାପ ନୁହେଁ-। ସେଇ ବାସ୍ତବଟାକୁ ଟିକେ ବଙ୍କେଇଦେଲେ ତାହା ବିକୃତ ହେବ । ତେଣିକି ସବୁ ବିତଣ୍ଡା ଲାଗି ବାଟ ଫିଟିବ-

 

ତା’ହେଲେ ଏ ନୂତନ କବିତାର ମୂଳଭିତ୍ତି କଣ ? ଅନ୍ୟ ସବୁ କବିତାଠାରୁ ଏହାର ମୌଳିକ ପାର୍ଥକ୍ୟ କେଉଁଠି ? ଲେଖକଙ୍କ ମତରେ ଦୁର୍ବୋଧ୍ୟତା ଏହାର ମୌଳିକ ପାର୍ଥକ୍ୟ ନୁହେଁ । ଆଗରୁ ମଧ୍ୟ କବିତାରେ ଦୁର୍ବୋଧ୍ୟତା ରହିଛି । ସେ କବି ବ୍ରାଉନିଙ୍ଗ୍‌ଠାରୁ ଭଞ୍ଜଙ୍କ ପର୍ଯ୍ୟନ୍ତ ଦୁର୍ବୋଧ୍ୟତା ଏକ ଦୀର୍ଘ ତାଲିକା ବାଢ଼ିଛନ୍ତି । ତା’ ହେଲେ ଏଠି ଦୁର୍ବୋଧ୍ୟତା ଲାଗି ଏତେ ବ୍ୟତିବ୍ୟସ୍ତ ହେବାର କାରଣ କ’ଣ ?

 

କାରଣ, ‘‘କିନ୍ତୁ ଏବର ନୂତନ କବିତାର ଦୁର୍ବୋଧ୍ୟତା, କେବଳ ଦୁର୍ବୋଧ୍ୟତା ଦାବୀରେ । ଦାବୀ ହେଉଛି ଯେ, କବିତା ଦୁର୍ବୋଧ୍ୟ ହେବାର କଥା ଏ ନୁହେଁ । ନୂତନ କବିତା ତଥାକଥିତ ଦୁର୍ବୋଧ୍ୟତା ତଳେ ମହାନ୍‌ ଭାବରାଶି ନିହିତ । କେବଳ ଯେଉଁମାନେ ବୁର୍ଜୁୟା, ପୁଞ୍ଜିବାଦୀ, ପ୍ରତିକ୍ରିୟାଶୀଳ, ଅପ୍ରଗତିବାଦୀ ବା କାବ୍ୟକବିତା ସମ୍ପର୍କରେ ଏକାବେଳକେ ଅଜ୍ଞ, ସେମାନଙ୍କୁ କବିତା ଅଜ୍ଞ ହୋଇପାରେ । କିନ୍ତୁ ଲୋହିତ ଶୋଣିତବନ୍ତ ଯେକୌଣସି ସମଝଦାର ପାଠକକୁ ଏହା ଜଳବତ୍‌ ତରଳଂ ହେବ ।’’

 

ଏହାର ଅର୍ଥ, ନୂତନ କବିତା ମହାନ୍‌ ଭାବରାଶି ଯୋଗୁଁ ଦୁର୍ବୋଧ୍ୟ । ତା’ ପରେ ଏହା ପାଠକଶ୍ରେଣୀକୁ ଦୁଇ ଭାଗରେ ବିଭକ୍ତ କରେ—‘ପୁଞ୍ଜିବାଦୀ ପ୍ରତିକ୍ରିୟାଶୀଳ ଓ ଲୋହିତ ଶୋଣିତବନ୍ତ’ । ଅବଶ୍ୟ ଏହାକୁ ସେ ତାଚ୍ଛଲ୍ୟ ବା ପରିହାସ କରି କହିଛନ୍ତି । ସଫା କଥା ହେଲା, ସେ ଏପରି କବିତା ସହିତ କମ୍ୟୁନିଷ୍ଟ ମତବାଦକୁ ଯୋଡ଼ିଛନ୍ତି, ତା’ ପଛରେ କମ୍ୟୁନିଷ୍ଟ ଭୂତ ଦେଖୁଛନ୍ତି । ଏ ହେଲା ତାଙ୍କର ଦୁର୍ବୋଧ୍ୟତାର କାରଣ । କିମ୍ୱା, ପୃଥିବୀର ଇତିହାସରେ ପ୍ରତ୍ୟେକେ ନିଜର ପ୍ରତିପକ୍ଷକୁ କମ୍ୟୁନିଷ୍ଟ ଆଖ୍ୟା ଦେଇ ଯେପରି ଦମନ ଓ ଆକ୍ରମଣ କରିଆସୁଛନ୍ତି, ଏଠାରେ ଉପରୋକ୍ତ ନିର୍ଦ୍ଧାରଣ ତାହାର ପୁନରାବୃତ୍ତି ନୁହେଁ ତ ?

 

ଏବେ ପ୍ରଶ୍ନ ଉଠେ, କବିତା ସମ୍ପର୍କରେ ଏପରି ବାଖ୍ୟା କଲା କିଏ ? ତାକୁ ‘ଲୋହିତ ଶୋଣିତବନ୍ତ’ ବୁଝନ୍ତି, ‘ପୁଞ୍ଜିବାଦୀ ପ୍ରତିକ୍ରିୟାଶୀଳମାନେ ‘ବୁଝନ୍ତି ନାହିଁ—ଏହା କେବେ କେଉଁଠାରେ ପ୍ରକାଶ ପାଇଛି ? ଏହା ମନର ଭ୍ରମ ନା କା’ର ମସ୍ତିଷ୍କର ଭିଆଣ ? କିନ୍ତୁ ବାସ୍ତବ କ୍ଷେତ୍ରରେ ବିଷୟଟି ଠିକ୍‌ ବିପରୀତ । ଲୋହିତ ଶୋଣିତବନ୍ତମାନେ ତାଙ୍କ ନିଜ କଥା ବୁଝିଲା ପୂର୍ବରୁ ଆଗ ବୁଝନ୍ତି ତାଙ୍କ ବିପକ୍ଷଦଳ ପୁଞ୍ଜିବାଦୀ ପ୍ରତିକ୍ରିୟାଶୀଳମାନେ । କାରଣ, ତାଙ୍କର ଶିକ୍ଷା ଓ ଚେତନାରେ ସ୍ତର ଅଧିକ । ସେମାନେ ଆଗ ତାଙ୍କର ପ୍ରଚାର ଆକ୍ରମଣ ଆରମ୍ଭ କରନ୍ତି । ଏଠି ତାର ପୁନରାବୃତ୍ତି ନୁହେଁ ତ ?

 

ତା’ ପରେ ଦୁର୍ବୋଧ୍ୟତା ଏକ ଆପେକ୍ଷିକ ଶବ୍ଦ । ଏ ପ୍ରକାର କବିତା କାହା ପକ୍ଷରେ ଦୁର୍ବୋଧ୍ୟ ହୋଇପାରେ କିନ୍ତୁ ଲେଖକଙ୍କ ପାଖରେ ନିଶ୍ଚୟ ନୁହେଁ । ତେଣୁ ସେ ରାଗରେ ଲେଖିଛନ୍ତି, ‘‘ତୁମ ଛଡ଼ା ଅନ୍ୟ ସମସ୍ତେ ଏପରି ଅଜ୍ଞ ଓ ମୂର୍ଖ ଯେ, ତାଙ୍କର ନିଜ ଭାଷାଟାକୁ ସେମାନେ ବୁଝିପାରିବେ ନାହିଁ ?’’ ତା’ ମାନେ ଲେଖକ ସବୁ ବୁଝନ୍ତି । ତାଙ୍କ କ୍ଷେତ୍ରରେ ଦୁର୍ବୋଧ୍ୟତାର ପ୍ରଶ୍ନ ନାହିଁ । ତେବେ ଦୁର୍ବୋଧ୍ୟତା ଏଠି କଣ ଏକ ଆକ୍ରମଣର ଦ୍ୱାହି ହିସାବରେ ବ୍ୟବହୃତ ?

 

ଅନ୍ୟ ଦିଗରେ ଦୁର୍ବୋଧ୍ୟ ହେଉ ବା ନ ହେଉ, ସେ-କବିତାଗୁଡ଼ାକ ଯଦି ‘ଅର୍ଥହୀନ’, ‘ନନସେନ୍‌ସ’ ହେଲା, ସେଥିଲାଗି ଏତେ ବ୍ୟସ୍ତର କାରଣ କ’ଣ ? ଏହାତ ଆପେ ଆପେ ମରିଯିବ-। ଏହାଲାଗି ମହା ସମରର ଆୟୋଜନ, ଏ ଆଡ଼ୁଆ ଆକ୍ରମଣ କାହିଁକି ତ ? ତା’ ମାନେ ଏହାକୁ ନନ୍‌ସେନସ କହି ଯେତେ ସହଜରେ ଉଡ଼ାଇଦିଆଯାଉଛି, ତା’ ଏତେ ସହଜ ନୁହେଁ-

 

ସେଥିଲାଗି ଏ ସମରରେ କବିଗୁରୁ ରବୀନ୍ଦ୍ର ନାଥ, କବି ସଚ୍ଚି ରାଉତରା ଆଉ ଏକ ନାମହୀନ ବ୍ୟକ୍ତିଙ୍କୁ ଲେଖକ ନିଜର ପ୍ରତିପକ୍ଷ ବିରୁଦ୍ଧରେ ପ୍ରୟୋଗ କରିଛନ୍ତି । ଏ ସବୁଗୁଡ଼ିକ ସାକ୍ଷ୍ୟ ବ୍ୟକ୍ତିଗତ । ତା’ ମଧ୍ୟରୁ ପୁଣି ଦୁଇଟି ହେଲା ମୌଖିକ, ଅନ୍ୟଟି ଏକ ବ୍ୟକ୍ତିଗତ ପତ୍ରର ଉଦ୍ଧୃତାଂଶ ।

 

ଲେଖକ ଜଣାଇଛନ୍ତି ଯେ, ବଙ୍ଗଳା ମ୍ୟାଗାଜିନ୍‌ର ନୂତନ ବଙ୍ଗଳା କବିତାର ସମାଲୋଚନା ପଢ଼ି ସେ ଦେଖୁଛନ୍ତି, ‘‘ରବୀନ୍ଦ୍ରନାଥ କୁଆଡ଼େ ଏଇ ନୂତନ କବିତା ବିରୁଦ୍ଧରେ କଲମ ଧାରଣ କରିଥିଲେ’’ । ସେ ନୂତନ କବିତାର ‘‘ମୁଣ୍ଡ ଲାଞ୍ଜ’’ ଧରିପାରୁ ନ ଥିଲେ । ସେଥିପ୍ରତି ‘‘ବିରକ୍ତି’’ ପ୍ରକାଶ କରୁଥିଲେ । ତାହା ରବୀନ୍ଦ୍ରନାଥ ଜଣେ ବଙ୍ଗାଳୀ ସାହିତ୍ୟିକଙ୍କୁ ବ୍ୟକ୍ତିଗତ ଭାବେ କହୁଥିଲେ ବୋଲି ଉକ୍ତ ବଙ୍ଗାଳୀ ସାହିତ୍ୟିକ ବ୍ୟକ୍ତିଗତ ଭାବେ ଶ୍ରୀଯୁକ୍ତ ମାନସିଂହଙ୍କୁ କହୁଥିଲେ । ବୋଧହୁଏ ଉକ୍ତ ବଙ୍ଗ ସାହିତ୍ୟିକଙ୍କ ନାମ ନେଇ ସନ୍ଦେହ ଥିବାରୁ ଲେଖକ ତାଙ୍କ ନାମ ପୂର୍ବରୁ ‘‘ବୋଧହୁଏ’’ ଶବ୍ଦ ବ୍ୟବହାର କରିଛନ୍ତି । ଏହା ହେଲା ସାକ୍ଷ୍ୟ ନମ୍ୱର-ଏକ ।

 

ଠିକ୍‌ ଏଇ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଖୋଦ୍‌ ଲେଖକ ଏଥିପୂର୍ବରୁ କ’ଣ ଲେଖିଛନ୍ତି, ପଢ଼ାଯାଉ:-‘‘ultramodernମାନେ, ହ୍ୱିଟ୍‌ମାନଙ୍କ କଥାଛନ୍ଦ ଆଉ ଭାଷାରେ ବ୍ୟବହାର କରୁଛନ୍ତି-। ସେମାନଙ୍କ ବିଶ୍ୱାସ ଯେ ଏହା ଅତି ସହଜ । କିମ୍ୱା ଯେମିତି ଅନେକଙ୍କର ଧାରଣା, ଅମିତ୍ରାକ୍ଷର ଛନ୍ଦ ବଡ଼ ସହଜ କଥା । ଓଡ଼ିଆରେ ଯେଉଁମାନେ କଥାଛନ୍ଦ ବ୍ୟବହାର କରନ୍ତି, ସେମାନେ ଯେ ହ୍ୱିଟ୍‌ମାନଙ୍କୁ ଆଦର୍ଶ କରି କଲମ ଧରିଛନ୍ତି, ତାହା ନୁହେଁ । ସେମାନଙ୍କ ଆଦର୍ଶ ସୁପ୍ରାପ୍ୟ ବଙ୍ଗଳା ମ୍ୟାଗାଜିନର ଅତ୍ୟାଧିନିକ କାବ୍ୟ ଲେଖାସବୁ । ହ୍ୱିଟ୍‌ମାନଙ୍କ ଲେଖାର ଏକ ବ୍ୟକ୍ତିତ୍ୱ ପାଉ-। ରବୀନ୍ଦ୍ରନାଥ କଥାଛନ୍ଦ ବାହାର କରି ଅନୁପମ କବିତା ଲେଖି-ଯାଇଛନ୍ତି ।’’

 

ଏଠାରେ କୁହାଗଲା, ହ୍ୱିଟ୍‌ମାନଙ୍କ କଥାଛନ୍ଦ ଓଡ଼ିଶାରେ ଚାଲିଛି, କିନ୍ତୁ ତାହା ଲେଖିବା ଏତେ ସହଜ ନୁହେଁ । କିନ୍ତୁ ରବୀନ୍ଦ୍ରନାଥ ତାହା ସଫଳତା ସହିତ ବ୍ୟବହାର କରିଛନ୍ତି । ରବୀନ୍ଦ୍ରନାଥ ଯେଉଁଥିପ୍ରତି ବିରକ୍ତି ପ୍ରକାଶ କରୁଥିଲେ, ତାକୁ ପୁଣି ଅନୁପମ ଭାବେ ବ୍ୟବହାର କଲେ ବୋଲି ନିଜେ ଲେଖକ କହନ୍ତି । ଏଠାରେ ଲେଖକଙ୍କର ଆଗ ନା ପଛ, କେଉଁ କଥାଟି ଠିକ୍‌ ।

 

ତେବେ, ଏ ସମ୍ପର୍କରେ ରବୀନ୍ଦ୍ରନାଥ ନିଜେ କଣ କହିଛନ୍ତି, ପଢ଼ାଯାଉ: ‘‘ଏକଦା ଜ୍ଞାତବ୍ୟର ପାଲା ସୁରୁ କରେଛି ପଦ୍ୟେ । ତଖନ ସେ ମହଲେ ଗଦ୍ୟେର ଡାକ ପଡ଼େନି । ଆଜ ପାଲାସାଙ୍ଗ କରିବାର ବେଲାୟ ଦେଖି କଖନ ଅସାକ୍ଷାତେ ଗଦ୍ୟେ-ପଦ୍ୟେ ରଫା ନିଷ୍ପତ୍ତି ଚଲେଛେ-। ଯାବାର ଆଗେ ତାଦେର ରାଜିନାମାୟ ଆମି ତ ଏଇ ଏକଟି ସଇ ଦିୟେଛି ।’’ ତା’ ହେଲେ ଏଠି କାହାକୁ ବିଶ୍ୱାସ କରାଯିବ, ଲେଖକଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ନା ରବୀନ୍ଦ୍ରନାଥଙ୍କ ନିଜ ଲେଖା-

 

ତା’ପରେ ରବୀନ୍ଦ୍ରନାଥ ଗଦ୍ୟ କବିତାର ‘ମୁଣ୍ଡଲାଞ୍ଜ’ କିପରି ଧରିପାରୁ ନଥିଲେ, ତା’ ପ୍ରମାଣ ମଧ୍ୟ ସେ ନିଜେ ଛାଡ଼ିଯାଇଛନ୍ତି । ସେ ଗଦ୍ୟ କବିତା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଲେଖିଛନ୍ତି: ‘‘ସେ ନାଚେ ନା-ସେ ଚଲେ । ସହଜେ ଚଲେ ବଲେଇ ତାର ଗତି ସର୍ବତ୍ର, ସେଇ ଗତିଭଙ୍ଗୀ ଅବାନ୍ଧା । ଭିତରେ ଛୋଁଓୟା ବାଞ୍ଚିୟେ ପୋଷାକୀ ଶାଢ଼ିର ପ୍ରାନ୍ତ ତୁଲେ ଧରା, ଆଧା ଘୋମଟାଟାନା ସାବଧାନେ ଚଲା ତାର ନୟ । ଏ କଥା ମନେକରା ଭୁଲ ଯେ ଗଦ୍ୟ-କାବ୍ୟ କେବଲ ମାତ୍ର ସେଇ ଅକିଞ୍ଚିତକର କାବ୍ୟବସ୍ତୁର ବାହନ । ବୃହତ୍ତରେର ଭାର ବହନ ଅନାୟାସେ ସେ ବହନ କରିବାର ଶକ୍ତି ଗଦ୍ୟ ଛନ୍ଦେର ମଧ୍ୟେ ଆଛେ ଓ ଯେନ ବନସ୍ପତିର ମତ । ତାର ପଲ୍ଲବପୁଞ୍ଜେର ଛନ୍ଦ ବିନ୍ୟାସ କାଟା ଛାଁଟା ସଜାନୋନୟ । ଅସମତାର ସ୍ତବକଗୁଲି । ତାତେଇ ତାର ଗାମ୍ଭୀର୍ଯ୍ୟ ଓ ସୌନ୍ଦର୍ଯ୍ୟ ।’’

 

ଏହା ହେଲା ରବୀନ୍ଦ୍ର ନାଥଙ୍କର ମୁଣ୍ଡ ଲାଞ୍ଜ ନ ଧରିପାରିବାର ନମୁନା । ମିଥ୍ୟା ମକଦ୍ଦମାରେ ଜିତିବାଲାଗି ସାକ୍ଷୀଙ୍କ ମୁହଁରେ ମିଛି କୁହାଇଲା ଭଳି ଏଠାରେ ରବୀନ୍ଦ୍ରନାଥଙ୍କୁ ସେହିପରି ବ୍ୟବହାର କରାଯାଇଛି । ଏହା ବୋଧହୁଏ ରବୀନ୍ଦ୍ର ବାର୍ଷିକ ପାଳନରେ ତାଙ୍କ ପ୍ରତି ଲେଖକଙ୍କର ଅବଦାନ । ଯେ ଅନ୍ୟ ପ୍ରତି ଅବିଚାର କରେ, ସେ ନିଜ ପ୍ରତି ମଧ୍ୟ ସୁବିଚାର କରିପାରେନା । ବିଚାର ଏକ ଓ ଅବିଭାଜ୍ୟ ।

 

ଏହା ପରେ ଜଣେ ସାହିତ୍ୟିକ ବନ୍ଧୁ ଲେଖକଙ୍କୁ କହିଛନ୍ତି ଯେ, ସେ ଜଣେ ଜଣାଶୁଣା ନୂତନ ଓଡ଼ିଆ କବିଙ୍କୁ ଘରୋଇ ଭାବରେ ବାରମ୍ୱାର ଚ୍ୟାଲେଞ୍ଜ କଲେ ସୁଦ୍ଧା ନୂତନ କବି ନିଜ କବିତାର ଅର୍ଥ ଆଦୌ ବୁଝାଇପାରି ନାହାନ୍ତି । ଏ ହେଲା ତାଙ୍କର ସାକ୍ଷ୍ୟ, ନମ୍ବର—ଦୁଇ । ଏ ବେନାମି ସାକ୍ଷ୍ୟର ଆଲୋଚନା ନିଷ୍ପ୍ରୟୋଜନ ।

 

ତୃତୀୟ ସାକ୍ଷ୍ୟ ହେଲା, କବି ସଚ୍ଚି ରାଉତରାଙ୍କ ବ୍ୟକ୍ତିଗତ ପତ୍ର । ସେଥିରେ କବି ରାଉତରା ନୂତନ କବିତା ବା ଗଦ୍ୟକବିତା ସମ୍ପର୍କରେ ସାଧାରଣ ପ୍ରଶ୍ନ କରିନାହାନ୍ତି । ତାଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ କେତେକ ପ୍ରୌଢ଼ କବିଙ୍କ ବିରୁଦ୍ଧରେ । ତାଙ୍କ ମତରେ ‘ଆଧୁନିକ କବିତାର ଆଙ୍ଗିକ ସମ୍ବନ୍ଧରେ ସେମାନଙ୍କ ଜ୍ଞାନପର୍ଯ୍ୟନ୍ତ ନାହିଁ ।’ ତେଣୁ ସେପରି କବିତା ଦୋଷଯୁକ୍ତ, ହେବାର କଥା । ସବୁକ୍ଷେତ୍ର ପରି ଭଲ ଖରାପ ଲେଖକ ମଧ୍ୟ ଏ କବିତା କ୍ଷେତ୍ରରେ ଅଛନ୍ତି । ଏଠାରେ ନିର୍ଦ୍ଦିଷ୍ଟ ପ୍ରକାର କବିତାର ଅପରାଧ କେଉଁଠି ? ଅନ୍ୟ ଦିଗରେ, କବି ରାଉତରା ମଧ୍ୟ ଏ ପ୍ରକାର କବିତା ଲେଖିବାରେ ଜଣେ ଅଗ୍ରଣୀ । ଲେଖକଙ୍କ ମତରେ ତାଙ୍କ ଲେଖା ଦୁର୍ବୋଧ୍ୟ ବୋଧହୁଏ ନୁହେଁ ବା ଦୁର୍ବୋଧ୍ୟତାର ସୀମା ସେଇଯାକେ ହେଲେ ତା’ ଧର୍ତ୍ତ୍ୟବ ନୁହେଁ । ତେଣୁ, ନୂତନ କବିତା ବିରୁଦ୍ଧରେ ଲେଖକଙ୍କର ସାକ୍ଷ୍ୟ ଯେ କେତେଦୂର ଦୃଢ଼ ଓ ଯୁକ୍ତିସଙ୍ଗତ, ତା’ ପାଠକମାନେ ବିଚାର କରିବେ ।

 

ଶେଷରେ ଲେଖକଙ୍କର ପରାମର୍ଶ ହେଲା, “ତେଣୁ ତଥାକଥିତ ନୂତନ କବିମାନଙ୍କୁ ମୋର ଅନୁରୋଧ, ସେମାନେ ଯାହା ଲେଖନ୍ତୁ ବା ଯେପରି ଲେଖନ୍ତୁ ପଛେ ଚୋରି କରି ଆଣି ଆମ ଆଗରେ ବାହାଦୁରି ନ ଦେଖାନ୍ତୁ । ଚୋରି ତ ଦିନେ ଧରାପଡ଼ିବ, ତାଦ୍ୱାର ସାରା ଜାତିର କି ଅପମାନ ହେଉଛି ତାହା ଭାବିଦେଖନ୍ତୁ ।’’ ଏହା ପୂର୍ବରୁ ଓଡ଼ିଆ ଗଦ୍ୟକବିତା “ନିଜସ୍ଵ”, “ନିଜତ୍ଵ” ବିଚାର କଲେ “ମୁଣ୍ଡ ତଳକୁ ନୂଆଇଁବାକୁ ପଡ଼ିବ” ବୋଲି ଲେଖିଛନ୍ତି । ପରୋକ୍ଷରେ ବଙ୍ଗଳାରୁ ଚୋରି କରାଯାଇଛି ବୋଲି କୁହାଯାଇଛି, ଅଥଚ ପ୍ରମାଣସ୍ୱରୂପ ସେ ସମ୍ପର୍କରେ ଧାଡ଼ିଏ ସୁଦ୍ଧା ଉଦ୍ଧାର କରାଯାଇ ନାହିଁ ।

 

ଚୋରି କରିବା ଅନୁଚିତ, ଏହା ଏକ ଚିରନ୍ତନ ସତ୍ୟ । ଏଥିରେ କାହାର ଦ୍ଵିମତ ନାହିଁ ତେବେ ଓଡ଼ିଶାର ଯେତେ ନୂତନ କବି, ସମସ୍ତେ କଣ ଚୋର ? ବଙ୍ଗଳାରୁ ଚୋରି କରିବାରେ ଲାଗିଛନ୍ତି ? ଯଦି କେହି ଚୋରି କରୁଥାଏ, ତା’ ଧରିବା ଉଚିତ । କିନ୍ତୁ ଗୋଟାଏ ଜାତିର ସବୁ ନୂତନ ‘କବି ଭାଇ’ଙ୍କ ମୁହଁରେ ବିନା ପ୍ରମାଣରେ କାଳିମା ଲେପିବାର ଏ କି ପ୍ରୟାସ ? ତେବେ ଏ ପରାମର୍ଶ ଅନ୍ୟକୁ ଦେବା ପୂର୍ବରୁ ଆଗ ଲେଖକ ନିଜେ ପାଳନ କରିଥିଲେ ଓଡ଼ିଆ ଜାତି ବହୁ ପରିମାଣରୁ ସେ ଅପମାନରୁ ରକ୍ଷା ପାଇଥାନ୍ତା ।

ଲେଖକ ନିଜର ସଚ୍ଚୋଟପଣିଆ ପ୍ରତିପାଦିତ କରିବାକୁ ଯାଇ ନିଜକୁ ନିଜେ ସାର୍ଟିଫିକଟେ ଦେଇଛନ୍ତି । ସେ ବଙ୍ଗଳାର ଏବର କବିମାନଙ୍କର ଏକ ଦୀର୍ଘ ତାଲିକା ଦେଇ ଲେଖିଛନ୍ତି, “ବଙ୍ଗ ସାହିତ୍ୟର ଖ୍ୟାତିପ୍ରାପ୍ତ କବିଗଣ ଏଇ ଲେଖକ ନିକଟରେ ନାମ ମାତ୍ର । କେତେକଙ୍କ ନାମ ମଧ୍ୟ ଲେଖକ ଏ ପର୍ଯ୍ୟନ୍ତ ଜାଣି ନ ଥିଲେ ।’’

ଏଠାରେ କାଳେ ଲୋକେ ପ୍ରଶ୍ନ କରିବେ, ଓଡ଼ିଶାର ଖ୍ୟାତନାମା କବି, ‘ଜ୍ଞାନକୋଷ’ର ମୁଖ୍ୟକର୍ତ୍ତା, ଭାରତୀୟ ସାହିତ୍ୟ ଏକାଡେମୀର ସଭ୍ୟ, ଲବଧପ୍ରତିଷ୍ଠିତ ବଙ୍ଗଳା କବିଙ୍କ ନାମ ପର୍ଯ୍ୟନ୍ତ ନ ଜାଣିଲେ କେମିତି ? ଏହାର କାରଣ କଣ ?

କାରଣ, “ପଡ଼ିଶାଘର ବାରିରେ ଫଳୁଥିବା ପନିପରିବା ଖବର ରଖିବାର ଯେଉଁ ଚତୁରତା ସାଧାରଣ ଓଡ଼ିଆ ଲେଖକଙ୍କଠି ଦେଖାଯାଇଛି, ତାହା ଏଇ ବୋକା ଲେଖକ ପାଖରେ ଆଦୌ ନାହିଁ । ଏମାନଙ୍କର କୌଣସି କାବ୍ୟକବିତା ଏପର୍ଯ୍ୟନ୍ତ ଏଇ ଲେଖକ ପଢ଼ିପାରିନି ।’’ ପଡ଼ିଶାଘର ବାରିକୁ ଅନାଇଲେ ସିନା କିଏ କହିବ ଚୋରି କଲା । ମୂଳରୁ ବଙ୍ଗଳା କବିଙ୍କ ନାମ ଜାଣିନି ବୋଲି କହିଲେ ଆଉ ଦୋଷାରୋପ କରିବାର ବାଟ କଣ ଅଛି ?

 

ଅଥଚ ଠିକ୍ ପରବାକ୍ୟର ସ୍ଵୀକାର କରିଛନ୍ତି ଯେ, ସେ କିନ୍ତୁ ଏମାନଙ୍କ (ବଙ୍ଗକବିଙ୍କ) କବିତାର ଆଲୋଚନା ବଙ୍ଗଳା ମାସିକ ପତ୍ରିକାରେ ପଢ଼ିଛନ୍ତି । ଏଠାରେ ପ୍ରଶ୍ନ ଉଠେ, ସେସବୁ ସମାଲୋଚନା ପଡ଼ିଲାବେଳେ କଣ ଲେଖକ ଉକ୍ତ କବିମାନଙ୍କ ନାମ ଓ ତାଙ୍କ ଲେଖାର ବିଷୟବସ୍ତୁକୁ ବାଦ୍ ଦେଇ ପଢ଼ୁଥିଲେ ?

 

ଓଡ଼ିଶାର ଲେଖକମାନେ ବଙ୍ଗଳାର ସୁପ୍ରାପ୍ୟ ମ୍ୟାଗାଜିନ୍ ପ୍ରତି ବିଶେଷ ଦୃଷ୍ଟି ଦେଉଥିବାରୁ ଲେଖକ କଠୋର ସମାଲୋଚନା କରିଛନ୍ତି । କିନ୍ତୁ ନିଜ ଲେଖାରେ (ବଙ୍ଗଳାର) “ଶନିବାର ଚିଠି”ରୁ ବହୁଳ ଅନୁବାଦ ପ୍ରକାଶ କରିବାରେ ପଶ୍ଚାତପଦ ହୋଇ ନାହାନ୍ତି । ଏପରିକି ଉକ୍ତ ଅନୁବାଦ ତାଙ୍କ ସମସ୍ତ ଲେଖାର ପ୍ରାୟ ଏକ ଷଷ୍ଠାଂଶ ହେବ ।

 

ତା’ ପରେ ଲେଖିଛନ୍ତି, “ବଙ୍ଗୀୟ କବିବୃନ୍ଦ ଇଂରାଜୀ, ଫରାସୀ ଓ ମାର୍କିନ କବିମାନଙ୍କର ଅନୁକରଣ ବା ଅନୁସରଣ କରୁଛନ୍ତି । ଏହା ଜଣାଶୁଣା । ଓଡ଼ିଆ କବିମାନେ କେବଳ ଏଇ ବଙ୍ଗାଳୀମାନଙ୍କୁ ଅନୁକରଣ କରି ହିଁ କୃତ୍ୟକୃତ୍ୟତା ଅନୁଭବ କରିବାରେ ଲାଗିଛନ୍ତି । ଏହା ଗୋଟାଏ ସମସ୍ତ ଜାତି ପ୍ରତି ଲଜ୍ଜାକର ବ୍ୟବସ୍ଥା, ଏଇ ‘ଯୁଗସ୍ରଷ୍ଟାମାନେ’ ଠାରେ ଦୟାକରି ଭାବନ୍ତୁ-।’’

 

ଏହାର ଅର୍ଥ, ଓଡ଼ିଆ ଙ୍କ ଏ ଆମଦାନି ହେଲା ସେକେଣ୍ଡ ହ୍ୟାଣ୍ଡ । ଖୋଦ ସାହେବଙ୍କ ପାଖର ହୋଇଥିଲେ କ୍ଷୋଭର କାରଣ ନ ଥାନ୍ତା । ତେବେ ଏ କ୍ଷେତ୍ରରେ ଏ ପ୍ରକାରର ବଙ୍ଗ ବିରୋଧିତା କେତେଦୂର, ତାହା ତାଙ୍କର ନିମ୍ନଲିଖିତ ମନ୍ତବ୍ୟରୁ ଜଣାପଡ଼ିବ ।

 

“ଷୋଡ଼ଶ ଶତାବ୍ଦୀରେ ବଙ୍ଗଳାରୁ ଧର୍ମସ୍ରୋତ ଆସି ଓଡ଼ିଆର ଦୈନଦିନ ଜୀବନ ଓ ଚରିତ୍ରକୁ ରୂପାନ୍ତରିତ କରିଥିଲା ଉନବିଂଶ ଶତାଦ୍ଧୀର ସାହିତ୍ୟସ୍ରୋତ ସେଇପରି ଓଡ଼ିଆ ସାହିତ୍ୟକୁ ଦେଶାନ୍ତର କଲା । ଗୋଟିଏ ଦେଶର ଧର୍ମ, ସାହିତ୍ୟ ଓ ସାଧାରଣ ଭାବଧାରା ଅନ୍ୟ ଦେଶର ଧର୍ମ, ସାହିତ୍ୟ ଓ ସାଧାରଣ ଭାବଧାରାକୁ ପ୍ରଭାବିତ କରିବା କିଛି ଲଜ୍ୟା ଓ ଦୋଷର କଥା ନୁହେଁ । କେତକ ଓଡ଼ିଆ ଙ୍କର ତ୍ଵକଗଭୀର ଜାତୀୟତା ଏଥିରେ ଫେଲିନ ହୋଇଉଠେ । କିନ୍ତୁ ସେପରି ହେବା ଆଦୌ ଉଚିତ ନୁହେଁ । ଆକାଶଟା ଖାଲି ନୀଳରହିଲେ ହେବ ନାହିଁ । ତହିଁରେ ନାନାବର୍ଣ୍ଣର ମେଘର ସମାବେଶ ହେଲେ ତାର ସ୍ଵତନ୍ତ୍ର ଶୋଭାନଷ୍ଟ ନ ହୋଇ ବରଂ ବିଚିତ୍ର ହୋଇଉଠେ ।’’

 

(୧୦୧ପୃଷ୍ଟା, ‘ଓଡ଼ିଆ ସମାଜ ଓ ସାହିତ୍ୟ’)

 

ଏ କଥାର ମର୍ମ—ନିଜର ରୁଚି, ସ୍ଵାର୍ଥ, ଆଦର୍ଶ ଅନୁଯାୟୀ ବାହାରୁ ସାହିତ୍ୟ ଭାବଧାରା ଆହରଣ କରିବ । ତା’ ବିରୋଧୀ ହେଲେ ତାହାର ବିରୋଧ କରିବ। ନିଜ ସୁବିଧା ଅନୁସାରେ ଆମଦାନୀ ନୀତିକୁ ପ୍ରଚଳିତ କରିବ । ଏବେ ବଙ୍ଗ ପତ୍ରପତ୍ରୀକାର ବହୁଳ ଦୃଷ୍ଟାନ୍ତ ଓ ଅନୁବାଦ ସେହି ନୀତିର ଅନ୍ତର୍ଗତ ନୁହେଁ ତ ।

 

ଶେଷରେ, କବିତା କିପରି ହେବା ଉଚିତ, ତାହା ସୂଚନା ଦେଇ ସେ ଲେଖିଛନ୍ତି, “କବିତା ଛନ୍ଦରେ ନାହିଁ, ଅଭିଧାନରେ ନାହିଁ, ପାଣ୍ଡିତ୍ୟରେ ନାହିଁ-ତାହା ଏକ ରହସ୍ୟମୟ ବସ୍ତୁ । ସେହି ରହସ୍ୟ ଯୋଗୁହିଁ ସମାଜରେ ତାର ସ୍ଥାନ ।’’ ଏହା ନ କରି ଯେଉଁମାନେ “ଏହି ବୀଜଗାଣିତିକ ଫର୍ମୁଲା ଅନୁସାରେ ଦିନରାତି ପ୍ରଳାପ” କରୁଛନ୍ତି, ତାଙ୍କ ପାଇଁ ଲେଖକ “ମନସ୍ତାତ୍ତ୍ଵିକ ଚିକିତ୍ସାରେ ନିଦାନ ନିର୍ଦ୍ଧାରଣ” କରିଛନ୍ତି । ସିଧାକଥାରେ ‘କାଙ୍କେ’ ପଠାଇବାର ସୁପାରିଶ କରିଛନ୍ତି ।

 

ଏହାର ଅର୍ଥ ହେଲା, କବିତା ଲେଖିବାଲାଗି କୌଣସି ଅଧ୍ୟୟନ ବା ପାଣ୍ଡିତ୍ୟ ଲୋଡ଼ାନାହିଁ । ସେଥିଲାଗି ଛନ୍ଦ ନିୟମ ଦରକାର ନାହିଁ । ତାକୁ ଯେପରି ସେପରି ଲେଖିଲେ ହେବ-। ଅଭିଧାନ ବାହାରେ କ, ବ, ଚ କରି ଅର୍ଥହୀନ ଶଦ୍ଦ ବ୍ୟବହାର କଲେ ମଧ୍ୟ କବିତା ରୂପ ନେଇପାରେ । କାରଣ, ତାହା ରହସ୍ୟମୟ ବସ୍ତୁ, ଇନ୍ଦ୍ରିୟାତିତ ଜିନିଷ । ତାହା ବୁଦ୍ଧି, ବିଚାର, ଅନୁଭୂତିର ବହିର୍ଭୂତ । ବାସ୍ତବରେ ଏପରି ରହସ୍ୟଜନକ କବିତା ପାଗଳରେ ପ୍ରଳାପ ଛଡ଼ା ଅନ୍ୟ କିଛି ନୁହେଁ । ଲେଖକ କ’ଣ କେବେହେଲେ ଏପରି ଏକ ଛନ୍ଦହୀନ, ଭାଷାହୀନ, ଅର୍ଥହୀନ କବିତା ଲେଖିଛନ୍ତି ? ନା—କାରଣ ସେ ପାଗଳ ନୁହନ୍ତି । ଅଥଚ, ତାଙ୍କ ନିଜକଥା ଅନୁସାରେ ସେ ନିଜର ନିଦାନ ନିଜ ପ୍ରତି ପ୍ରୟୋଗ କରିବାକୁ ଚାହାନ୍ତି ।

 

ଲେଖକଙ୍କ କବିତାର ଉପରୋକ୍ତ ନିର୍ଦ୍ଧାରଣ ଅନୁଯାୟୀ ତାଙ୍କ ପକ୍ଷରେ ତ ନୂତନ କବିମାନଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ସ୍ଵାଗତ କରିବା କଥା । କାରଣ, ତାଙ୍କ ମତରେ ନୂତନ କବିମାନେ “ବିଶୃଙ୍ଖଳିତ”, “ଅର୍ଥହୀନ”, “ବୁଦ୍ଧି ବିଚାରଶୂନ୍ୟ ନନସେନ୍ସ୍” ଓ “ଏକାନ୍ତ ଅବୋଧ୍ୟ” କବିତା ଲେଖୁଛନ୍ତି । ତାହାହେଲେ ଲେଖକ ସେମାନଙ୍କ ପ୍ରତି ଖଡଗହସ୍ତ କାହିଁକି ? ବା ଯେହେତୁ ଲେଖକ ବିଚାରୁଛନ୍ତି, ତାଙ୍କ ପ୍ରତିପକ୍ଷ ଲୋକ ଛନ୍ଦ, ଭାଷା, ନିୟମ ଅନୁଯାୟୀ କବିତା ଲେଖୁଛନ୍ତି, ଅଥଚ ତାଙ୍କୁ ଆମନ୍ତ୍ରଣ କରିବା ହେଲା ଏକାନ୍ତ ଅଭିପ୍ରାୟ, ତେଣୁ ଏ ଆପତ୍ତି ଏବଂ ନିଜେ ହାସ୍ୟାସ୍ପଦ ହେଲେ ବି ଏପରି ଅବାନ୍ତର ଯୁକ୍ତିର ଆଶ୍ରୟ ଗ୍ରହଣ ।

 

ଲେଖକଙ୍କର ଗୋଟାଏ ବଡ଼ ଅଭିଯୋଗ ଯେ, ସେ ପୁଞ୍ଜିପତି ବୁର୍ଜୁଆ ନୁହନ୍ତି, ଅଥଚ ତାଙ୍କୁ ସେ ଶ୍ରେଣୀରେ ଭର୍ତ୍ତି କରାଯାଉଛି । ଏହା କେବଳ ନିଜ ଦେହରେ କାଦୁଅ ବୋଳି ଶଗଡ଼ିଆ ବୋଲାଇ ହେବା କଥା । ତାଙ୍କୁ କେହି କେବେ ପୁଞ୍ଜିପତିଶ୍ରେଣୀରେ ଗଣନ୍ତୁ ନାହିଁ । ସେ ଯୋଗ୍ୟତା ତାଙ୍କର ନାହିଁ । ସେ ହେଉଛନ୍ତି ପୁଞ୍ଜିପତିଶ୍ରେଣୀର ଗଣ୍ଠିଲିବାହକ । ନିଜେ ପୁଞ୍ଜିପତି ନ ହୋଇ ସେହି ଶ୍ରେଣୀର ଆଦର୍ଶ ଓ ଚିନ୍ତାଧାରାକୁ ବହନ କରି ଚାଲିଛନ୍ତି । ଏପରିକି ତାର ପ୍ରସାରର ସ୍ଥାଇତ୍ଵ ଲାଗି ଅବିଶ୍ରାମ ସଂଗ୍ରାମ ଚଳାଇଛନ୍ତି । ସାହିତ୍ୟ କ୍ଷେତ୍ରରେ ନିଜର ମାନଅପମାନକୁ ଖାତିର ନ କରି ତାକୁ ଏକ ଧ୍ୟେୟ କରି ଧରିବା ଲୋକ କୁଚିତ ଦେଖାଯା’ନ୍ତି । ତାଙ୍କର ଲେଖା ତାର ଏକ ସ୍ପଷ୍ଟ ପ୍ରମାଣ ।

 

ତାଙ୍କର ଉପରୋକ୍ତ ସମସ୍ତ ଯୁକ୍ତି, ବିଚାର ଓ ଆଲୋଚନା ଏକ ପଲ୍ଲୀ-କବିତାରେ ହିଁ ରୂପ ନେଇଛି–

 

ପର ପୁଅକୁ ପୁଅ କରି ଆଣି

ତାକୁ ନ ବୋଲିକି ବାଳକ

ଅଡ଼ୁଆ ସୁତାରୁ ଖିଅକ ପାଇଲେ

ତାକୁ ନ ବୋଲିବ ସଳଖ ।

ତୋରାଣୀ କଂସାରେ ଗୁଣ୍ଡିଏ ପଡ଼ିଲେ,

ତାକୁ ନ ବୋଲିବ ବେଳକ,

ଟୋପି ଟୋପି ହୋଇ ମେଘ ବରଷିଲେ,

ତାକୁ ନ ବୋଲିବ ପାଳକ ।

 

(ଶ୍ରୀ ଚିତ୍ରଧର ମହାପାତ୍ରଙ୍କ ପଲ୍ଲୀଗୀତ ସଂଚୟନ।)

 

ଲେଖକଙ୍କର ଉତ୍‍ଥାପିତ କବିତାର ଗୁଣ—ଦୁର୍ବୋଧ୍ୟତା ସମ୍ପର୍କରେ ବିଚାର କଣ ? କବିତା ସମ୍ବନ୍ଧରେ ମୋର ଜ୍ଞାନର ମାତ୍ରା ଅତି ଊଣା ବା ନାହିଁ, ତେଣୁ, ସାଧାରଣ ପାଠକ ଦୃଷ୍ଟିରୁ ଏବେ ଏଇ ବିଚାର ।

 

ଦୁର୍ବୋଧ୍ୟତା ପାଇଁ ଦୁର୍ବୋଧ୍ୟତା—ଏହା କୌଣସି ଲେଖା ବା କବିତାର ଅଙ୍ଗ ବା ଉଦ୍ଦେଶ୍ୟ ହୋଇ ନ ପାରେ । ଲେଖା ଲୋକମାନଙ୍କ ଲାଗି ଉଦ୍ଦିଷ୍ଟ । ଯଦି ଲୋକେ କେବେହେଲେ ତାହା ବୁଝିବାକୁ ଅସମର୍ଥ, ତେବେ ସେ ଲେଖାର ମୂଲ୍ୟ କ’ଣ ? ସେଥିପ୍ରତି ଲୋକଙ୍କର ଆଗ୍ରହ ଆସିବ ନାହିଁ । କବି ମଧ୍ୟ ତାର ଆଦର ହରାଇବ । ସେପରି ଲେଖା ଅନୁଚିତ୍ । କିନ୍ତୁ ଅନ୍ୟ ଦିଗରେ, ଯଦି କୌଣସି କାରଣରୁ ସେପରି ଲେଖାର ଆଦର ବଢ଼ିଲା ବା ତାର ବିଶେଷ ମୂଲ୍ୟ ଯୋଗୁଁ ତା’ ଦୁର୍ବୋଧ୍ୟ ହେଲା, ତା’ହେଲେ ଉପାୟ କଣ ?

 

ଦୁର୍ବୋଧ୍ୟତା ସାଧାରଣତଃ ଦୁଇ କିସମର-ଅନୁକରଣୀୟ ଓ ଅନିବାର୍ଯ୍ୟ । ବହୁଲୋକଙ୍କ ଧାରଣା ଦୁର୍ବୋଧ୍ୟତା ପାଣ୍ଡିତ୍ୟର ପରିଚାୟକ । ତେଣୁ ପାଣ୍ଡିତ୍ୟର ପରିଚୟ ଦେବା ଲାଗି ଆବଶ୍ୟକ ନ ଥିଲେ ମଧ୍ୟ ଜାଣିଶୁଣି ବିଷୟଟିକୁ ଦୁର୍ବୋଧ୍ୟ କରାଯାଏ । ଏହା ହେଲା ଅନୁକରଣୀୟ ଦୁର୍ବୋଧ୍ୟ, ବିଷୟବସ୍ତୁ ସହିତ ଏହାର କୌଣସି ସମ୍ବନ୍ଧ ନ ଥାଏ । ଏହା ଅତି ସଂକୀର୍ଣ୍ଣ ବ୍ୟକ୍ତିକେନ୍ଦ୍ରିକ । ଲୋକଙ୍କୁ ଅଜ୍ଞ ମନେ କରି ସେମାନଙ୍କୁ ଅବଜ୍ଞା କରିବା ଏହି ମନୋଭାବରୁ ଜାତ । ପ୍ରକୃତ ମୂଲ୍ୟ ପ୍ରତି ଦୃଷ୍ଟି ନ ଦେଇ ଭାଷା ଓ ଭାବ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ବୋଧ୍ୟତା ଆଣିବାଲାଗି ଏହା ସର୍ବଦା ଚେଷ୍ଟିତ ଥାଏ । ଆତ୍ମପ୍ରସାଦ ଲାଭ ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣତଃ ଶସ୍ତା କବି-ଯଶଃ ପ୍ରାର୍ଥୀ ଲୋକେ କେବେ କେବେ ଏହି ପନ୍ଥା ଅନୁସରଣ କରନ୍ତି। ଫଳରେ, ଉକ୍ତ ଲେଖା ଆଦୃତ ହେବା ପରିବର୍ତ୍ତେ ବିସ୍ମୃତି ଗର୍ଭରେ ଲୀନ ହୁଏ । ଏହା ବାସ୍ତବରେ କବି ପାଣ୍ଡିତ୍ୟର ଲକ୍ଷଣ ନୁହେଁ-ତାର ଅଭାବର ପରିଚୟ ।

 

ଅନ୍ୟଟି ହେଲା ଅନିବାର୍ଯ୍ୟ ଦୁର୍ବୋଧ୍ୟତା । ଏହା କୌଣସି ମତେ ଏଡ଼ି ଦିଆଯାଇ ନ ପରେ । ଏ ଦୁର୍ବୋଧ୍ୟତା ଭାଷା ବା ଭାବ କିମ୍ବା ଉଭୟ କ୍ଷେତ୍ରରେ ଘଟିପାରେ । ଆଗେ ଥିଲା ଭାଷାର କସରତ୍ । ଦୁର୍ବୋଧ୍ୟତା ବିଶେଷ କରି, ଭାଷାରେ ଆବଦ୍ଧ ଥିଲା । ଭାବର ଦୁର୍ବୋଧ୍ୟତା ଯେ କେତେଠି ପ୍ରକାଶ ନ ପାଇଛି, ତାହା ନୁହେଁ । କିନ୍ତୁ ଆଜିକାଲି ଭାବ ଉପରେ ହିଁ ଜୋର ଦିଆଯାଉଛି-। ତେଣୁ ସବୁ ଶଦ୍ଦ ବୁଝା ପଡ଼ୁଥିଲେ ମଧ୍ୟ କବିତାଟି ଦୁର୍ବୋଧ୍ୟ ହେଉଛି ।

 

ଭାଷା ହେଲା ଭାବର ବାହକ । ଯେଉଁ ଭାଷା ଯେଉଁ ଭାବକୁ ଯଥାର୍ଥ ଭାବେ ସୁଚାରୁରୂପେ ପ୍ରକାଶ କରେ, ସେଥିଲାଗି ତାହା ଉପଯୁକ୍ତ ଭାଷା । ଭାବର ଏଇ ପ୍ରକାଶ ଲାଗି ଭାଷାକୁ ସଜ୍ଜିତ କରିବା ହେଲା ଲେଖାର ଶରୀର, ବିଷୟ ଅନୁଯାୟୀ ଶରୀର ଗଠନ । ବିରହ, ହାସ୍ୟ, କରୁଣ ପ୍ରଭୃତି ବିଭିନ୍ନ ବିଷୟ ଲାଗି ବିଭିନ୍ନ ଛନ୍ଦ ଓ କବିତାର ସୃଷ୍ଟି; ବିଷୟବସ୍ତୁ ବା ଭାବକୁ ଘେନି ଭାଷାର ଅଙ୍ଗସୃଷ୍ଟି ଉପରେ କବିର କୃତିତ୍ଵ ନିର୍ଭର କରେ । ବିଷୟର ଉପଯୁକ୍ତ ପ୍ରକାଶ ଲାଗି ଯେଉଁ ଆଙ୍ଗିକ ସର୍ବଶ୍ରେଷ୍ଠ, ତାର ପ୍ରୟୋଗ ଅପରିହାର୍ଯ୍ୟ । ତା’ ନ କରିବା ବା ତାକୁ ଅନ୍ୟଭାବରେ ପ୍ରକାଶ କରିବାକୁ ଚେଷ୍ଟା କରିବା, କବିର ଅସମର୍ଥତାର ପରିଚାୟକ । (ଅବଶ୍ୟ ଏକ ବସ୍ତୁକୁ ବିଭିନ୍ନ ରୂପରେ ପ୍ରକାଶ କରିବା, ସେ ଏକ ପ୍ରକାରର ପରାକାଷ୍ଠା) । ଏଠାରେ କବିର ଉଦ୍ଦେଶ୍ୟ ନୁହେଁ ଭାଷାର ଆଡ଼ମ୍ବର ବା ଆଙ୍ଗିକର ଆବରଣରେ ଭାବକୁ ପ୍ରଚ୍ଛନ୍ନ କରିବା, ତାକୁ ଯଥାର୍ଥଭାବେ ପ୍ରକାଶ କରିବା ତାର ଲକ୍ଷ୍ୟ । ଏ କ୍ଷେତ୍ରରେ ଯଦି ଦୁର୍ବୋଧ୍ୟତା ଅନିବାର୍ଯ୍ୟ, ତାହା ବିଧେୟ । ତାହା ଅର୍ଥହୀନ ନୁହେଁ, ସାହିତ୍ୟର ବିକାଶ ଦୃଷ୍ଟିରୁ ଆବଶ୍ୟକ । ଏପରି ଦୁର୍ବୋଧ୍ୟତା ଅଚିରେ ନିଶ୍ଚୟ ବୋଧଗମ୍ୟ ହେବ । ଏଥିଲାଗି ଲେଖକ ଦାୟୀ ନୁହେଁ, ବରଂ ଅଭିନନ୍ଦନର ପତ୍ର ।

 

ଏପରି ଦୁର୍ବୋଧତା ପ୍ରକୃତ କବି ଓ ଲେଖକ ପକ୍ଷରେ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । ତାର ପରାକାଷ୍ଠା ଜଟିଳଭାବକୁ ସହଜ କରିବାରେ, ଅଧିକ ଲୋକଙ୍କ ପାଖରେ ପହଞ୍ଚିବାରେ; ସହଜକୁ ଦୁର୍ବୋଧ କରିବା ନୁହଁ । ସେ ଯେ ସହାଯବୋଧ ହୋଇପାରୁ ନାହିଁ, ଏହା ତାହା ପାଖରେ ଆତ୍ମଗ୍ଲାନିର ବିଷୟ, ଆତ୍ମପ୍ରସାଦ ନୁହେଁ ।

 

ତେଣୁ ଦୁର୍ବୋଧତା ନେଇ ଆଲୋଚନା କଲେ ସମସ୍ୟାଟିର ଭିତରକୁ ଯିବାକୁ ହେବ । ତାର ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ନ ହେଲେ ଉପରଠାଉରିଆ ଆଲୋଚନା ଦ୍ଵାରା ନିଜ ଓରମାନ ମେଣ୍ଟିବ ସିନା ଓଡ଼ିଆ ସାହିତ୍ୟ ଅଣୁମାତ୍ର ଲାଭବାନ ହେବ ନାହିଁ ।

 

ଏବେ ଦୁର୍ବୋଧତାର ଏ ସମାଲୋଚନା ସତ୍ତ୍ୱେ ପତ୍ରପତ୍ରିକାରେ ବିଶେଷଭାବେ ନୂତନ ଗଦ୍ୟକବିତା ପ୍ରକାଶ ପାଉଛି । ଏହା ଘଟୁଛି କାହିଁକି ? କେଉଁ ଅନୁକୁଳବସ୍ତା ଯୋଗେ ଏହା ପ୍ରସାର ଲଭୁଛି । ଆଗେ ତ ଏ ପ୍ରକାର କବିତା ନା ଥିଲା, ଭବିଷ୍ୟତରେ ଯେ ଏହାହିଁ ରହିବ, ତାହା ନୁହେଁ । ତାହାହେଲେ ଏହାର ଅନ୍ତନିର୍ହିତ କାରଣ କଣ ? –ଇତ୍ୟାଦି ବିଷୟଗୁଡ଼ିକର ଯଦି ବିଶଦ ଆଲୋଚନା ନ ହୁଏ, ତେବେ ତାର ପ୍ରକୃତ ଉପଲବ୍‍ଧି ସମ୍ଭବ ନୁହେଁ । କବିତାର ଭାଷା, ଭାବ, ଭଙ୍ଗୀ, ସ୍ଥିର ଓ ସ୍ଥାୟୀ ନୁହେଁ । ସମୟର ଗତିରେ ତାହା ମଧ୍ୟ ପରିବର୍ତ୍ତନଶୀଳ ।

 

ସବୁ କ୍ଷେତ୍ରରେ ଭଲମନ୍ଦ ପରି ଏ କ୍ଷେତ୍ରରେ ବି ଭଲମନ୍ଦ କବି ଓ କବିତା ରହିଛନ୍ତି । କେତେକ ନୂଆ ଲେଖକ ହାତ ଠିକ୍ କରିବାଲାଗି ସାଧନା ଚଳାଇଛନ୍ତି । କିଏ କେତେପ୍ରକାର ପରୀକ୍ଷା କରୁଥାଇପାରନ୍ତି । ଏସବୁରେ ଭୁଲ ତ୍ରୁଟି ନା ରହିବ, ତାହା ନୁହେଁ । ଏହାକୁ ସଜାଡ଼ିବା ବା ଏଡ଼ିବା ଲାଗି ନିର୍ଦ୍ଧିଷ୍ଟ ସୃଜନଶୀଳ ସମାଲୋଚନା ଆବଶ୍ୟକ ।

 

ଆଜିକାଲି ସାଧାରଣ ବିଷୟ ଜଟିଳ ହୋଇଉଠୁଛି । କାରଣ, ସମାଜ ସରଳ ପ୍ରାଥମିକ ଅବସ୍ଥାରୁ ଜଟିଳ ଓ ଜଟିଳତର ସ୍ତରକୁ ଗତି କରୁଛି । ତା ପ୍ରଭାବ ଲେଖା ଓ କବିତା ଉପରେ ପଡ଼ିବା ସୁନିଶ୍ଚିତ । ଆଉ ମଧ୍ୟ କୌଣସି ପ୍ରାନ୍ତୀୟ ସାହିତ୍ୟ ବିଶ୍ଵସାହିତ୍ୟ ପ୍ରଭାବରୁ ବିଚ୍ଛିନ୍ନ ହୋଇ ନ ପାରେ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଯେଉଁ ଅଭୂତପୂର୍ବ ଅଗ୍ରଗତି ଘଟୁଛି, ପ୍ରତିଦିନ ସୃଷ୍ଟିର ଯେଉଁ ନିଗୂଡ଼ ତତ୍ତ୍ଵ ଉଦ୍ ଘାଟିତ ହେଉଛି, ତା’ର ଉପମା, ଇମେଜରା, ପ୍ରତିଫଳନ, କବିତାର ଆତ୍ମପ୍ରକାଶ କରିବା ସ୍ଵାଭାବିକ । ଯେଉଁ ମଣିଷ ଅନ୍ତରାକ୍ଷରୁ ପୃଥିବୀର ସୌନ୍ଦର୍ଯ୍ୟ ଅବଲୋକନ କରିବାର ଦକ୍ଷତା ହାସଲ କରିଛି, ଯାହାର ଯାନ ମହାଶୂନ୍ୟରେ ଶଦ୍ଦ ତରଙ୍ଗଠାରୁ ଅଧିକ ବେଗରେ ଗତି କରିପାରେ ଏବଂ ଯିଏ ଦିନକ ମଧ୍ୟରେ ସତର ଥର ସୂର୍ଯାଦୟ ଓ ସୂର୍ଯ୍ୟାସ୍ତ ନିରୀକ୍ଷଣ କରିବାର ସମର୍ଥ, ଆଉ ମଧ୍ୟ ଯାହାର ସୃଷ୍ଟ ଯନ୍ତ୍ର, ବିବରଣୀ ସଂଗ୍ରହ କରିବାଠାରୁ ତାକୁ ବିଶ୍ଳେଷଣ ଓ ବିବେଚନା କରି ସେଥିରୁ ନିଷ୍ପତ୍ତି ନେଇ ତାକୁ କାର୍ଯ୍ୟ କରିପାରେ, (ଯାହା ମଣିଷର ମନ ଅପେକ୍ଷା ଅଧିକ ଗତିଶୀଳ (Cybernetics), ସେହି ମଣିଷର ଏ ଯୁଗରେ ସେସବୁର ବର୍ଣ୍ଣନା, ଉପମା, ପ୍ରକାଶ ଓ ଇମେଜର ଇତ୍ୟାଦି ଲାଗି ସଚେତନ ବା ଅଚେତନ ଭାବରେ ହେଉ, ନୂତନତ୍ଵର ଅନ୍ଵେଷଣ ଅନିବାର୍ଯ୍ୟ । ଏହା କିଛିକାଳ ଦୁର୍ବୋଧ୍ୟ ହୋଇପାରେ, କାରଣ ଏହା ବୁଝିବାଲାଗି ଏକ ସର୍ବନିମ୍ନ ଧାରଣା ଆବଶ୍ୟକ । କବି ଓ ଲେଖକ ଯେ ସେ ଧାରଣା ଦେବାକୁ ଚେଷ୍ଟା ନ କରିବ, ତାହା ନୁହେଁ । ଲେଖକ ଯେ ସବୁବେଳେ ପାଠକର ରୁଚି, ଇଚ୍ଛା ଓ ଚେତନା ଅନୁସାରେ ଚାଳିତ ହେବ, ତାହା ମଧ୍ୟ ନୁହେଁ । ଅନ୍ୟଦିଗରେ ତାକୁ ଭୁଲିଗଲେ ମଧ୍ୟ ଚଳିବ ନାହିଁ ଯେ ତା’ର ଲେଖା ଓ କବିତା କେବଳ ଦର୍ପଣ ନୁହେଁ, ତାହା କେବଳ ସୃଷ୍ଟି, ସ୍ଥିତି ଓ ପ୍ରଳୟକୁ ପ୍ରତିଫଳିତ କରେ ନାହିଁ, ତାହା ସେଗୁଡ଼ିକ ଘଟାଇବାରେ, ପରିବର୍ତ୍ତନ ଆଣିବାରେ ଏକ ହତିଆର ରୂପେ ମଧ୍ୟ କାର୍ଯ୍ୟକରେ । କବି ବା ଲେଖକ ପାଠକର ନିକଟବର୍ତ୍ତୀ ହେଲେ ବି ଦୂରରେ ରହିବ । ସେ ତାକୁ ଆନନ୍ଦ ଦେଇ ଆକର୍ଷଣ କରିବା ସାଙ୍ଗେ ସାଙ୍ଗେ ତାର ମହାନ ବିକାଶର ଆକାଂକ୍ଷାକୁ ଉଜ୍ଜୀବିତ କରିବ, ତାକୁ ଆଗେଇନବ । ଯଦି ସହଜବୋଧ୍ୟ, ଏହା କରିବାକୁ ଅସମର୍ଥ, ତାହା ପରିତ୍ୟଜ୍ୟ । ଦୁର୍ବୋଧ୍ୟ ହେଲେ ମଧ୍ୟ ତାହା ଯଦି ଏ ପ୍ରକାର ଉଦ୍ଦେଶ୍ୟ ପୁରଣରେ ସମର୍ଥ, ଆୟସସାଧ୍ୟ ହେଲେ ବି ତାହା ବରଣୀୟ-

☆☆☆

 

“୧୯୬୨-କବିତା”ର ଦିଗ୍‌ଦର୍ଶନ

 

ଦିଗ୍‍ଦର୍ଶନ ଦିଗର ନିର୍ଦେଶକ, କମ୍ପାସର କଣ୍ଟାଭଳି । ସେଥିରେ ବିଚ୍ୟୁତ ଘଟିଲେ ଯାତ୍ରା ପଥଗାମୀ ହେବା ସ୍ଵାଭାବିକ । ସଫଳ ଯାତ୍ରା ପାଇଁ କମ୍ପାସର କଣ୍ଟାକୁ ଦେଖିଲାପରି ସାହିତ୍ୟର ଯଥାର୍ଥ ବିକାଶଲଗି ତାର ଦିଗ୍‌ଦର୍ଶନ ଆଲୋଚନା ଆବଶ୍ୟକ । ତେବେ ସମସ୍ତଙ୍କ ଗନ୍ତବ୍ୟ ସ୍ଥଳ ସମାନ ନୁହେଁ । ସମାଜରେ ଓ ସାହିତ୍ୟ ରାଜ୍ୟରେ ବିଭିନ୍ନ ସ୍ଵାର୍ଥ ଓ ମତର ଲୋକ ଅଛନ୍ତି । କିଏ ଆଗକୁ ଯିବାକୁ ଚାହିଁଲାବେଳେ, କାହାର ବା ଦ୍ରୁଷ୍ଟି ପଛକୁ । ଯେଉଁମାନେ ସମାଜର ବିକାଶ ଅନୁଯାୟୀ ଆଗକୁ ବଢ଼ିବାକୁ ଭୟବିତ ଓ ପଶ୍ଚାଦପଦ, ସେମାନେ ତାଙ୍କ ଦୃଷ୍ଟିରୁ କଣ୍ଟାକୁ ପଛକୁ ଘୂରାଇବାକୁ ଚାହାନ୍ତି । ସେହିପରି ଏକ ଉଦ୍ୟମ ହୋଇଛି—କବି ‘ସଚି ରାଉତରାୟ’ ଙ୍କ ରଚିତ “୧୯୬୨-କବିତା” ପୁସ୍ତକର ପୃଷ୍ଟବନ୍ଧରେ । ସେ ତାଙ୍କ କବିତା ସହିତ ଏକ ସ୍ଵତନ୍ତ୍ର ପୃଷ୍ଟବନ୍ଧ ଯୋଗକରି ସେଥିରେ “ମୋଟାମୋଟି ବିଶ୍ଵ-ସାହିତ୍ୟର ଦିଗ୍‍ଦର୍ଶନ” ବାଢ଼ିଛନ୍ତି । କବି ଓଡ଼ିଶାର ଜଣେ ଶ୍ରେଷ୍ଟ ସାହିତ୍ୟକ, ସରକାରଙ୍କ ଦ୍ଵାରା ସମ୍ନାନିତ, ପୁଣି ଉକ୍ତ ପୁସ୍ତକ ଭାରତ ସାହିତ୍ୟ ଏକାଡେମୀ ଦ୍ଵାରା ପୁରଷ୍କୃତ । ତେଣୁ, ଓଡ଼ିଶାର ସାହିତ୍ୟ ରାଜ୍ୟରେ ତାହାର ଗୁରୁତ୍ଵ ରହିଛି ।

 

ବର୍ତ୍ତମାନ ଦେଖାଯାଉ, ତାହା କ’ଣ ଓ ସେଥିରେ କ’ଣ ଉପସ୍ଥାପିତ କରାଯାଇଛି; ଭାରତ ସାହିତ୍ୟ ଏକାଡେମୀ କାହାକୁ ସ୍ଵିକୃତି ଦେଇ ଉତ୍ସାହିତ ଓ ପ୍ରଚାରିତ କରିବାକୁ ଚହାଁନ୍ତି ଏବଂ କେଉଁ ଦିଗ୍‍ଦର୍ଶନ ପ୍ରଚାର ଓ ପୃଷ୍ଠପୋଷକତା ଲାଗି ଲେଖକ ପୁରସ୍କୃତ । କାରଣ, କବିଙ୍କ ସୃଷ୍ଟି କେବଳ କବିତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ହୋଇଥିଲେ, ସେପରି ସୁଯୋଗର ଅଭାବ କେବେ ନଥିଲା । ତେଣୁ ମନେ ହୁଏ, ସତେ ଯେପରି ଏକାଡେମୀ ଏଇ ଦିଗଦର୍ଶର ଅପେକ୍ଷାରେ ରହିଥିଲେ । ଏ ସମ୍ପର୍କରେ ଏକାଡେମୀଙ୍କର ଯେତେବେଳେ ଭିନ୍ନ ମତ ନାହିଁ ଓ ସମସ୍ତ ପୁସ୍ତକଟି ପୁରଷ୍କୃତ (କେବଳ କବିତାବଳୀ ନୁହେଁ), ସେତେବେଳେ ଉକ୍ତ ଦିଗ୍‍ଦର୍ଶନ ମଧ୍ୟ ତାର ଅନ୍ତର୍ଭୁକ୍ତ ଓ ସ୍ଵୀକୃତ ବୋଲି ବୁଝିବାକୁ ହେବ ।

 

ବିଶ୍ଵ-ସାହିତ୍ୟର ବିକାଶଧାରା ସେଥିରେ ଅତି ସଂକ୍ଷେପରେ ଆଲୋଚିତ ହୋଇ କୁହାଯାଇଛି, “surrealismର ନିମ୍ନଗାମୀ ସ୍ରୋତକୁ ମାର୍କସ୍‍ବାଦ “ପ୍ରତିରୋଧ” କଲା, ନ ହେଲେ “କବିତା ଅତଳ ପାତାଳବାସୀ ହୋଇଥାନ୍ତା ବୋଧହୁଏ ।’’ ମାର୍କସ୍ ବାଦର ଏହି “ବୋଧହୁଏ ଅବଦାନ” କୁ ସ୍ଵୀକାର କରି କେଉଁ କେଉଁ ବିଶ୍ୱବିଖ୍ୟାତ ଶିଳ୍ପୀ ଓ ସାହିତ୍ୟକ ମାର୍କସ୍‍ବାଦ ଗ୍ରହଣ କରିଛନ୍ତି, ସେମାନଙ୍କର ଏକ ନାମ ତାଲିକା ସନ୍ନିବେଶିତ କରାଯାଇଛି । ତା’ପରେ ଏ ଦେଶର ମାର୍କସବାଦୀ ସାହିତ୍ୟ ସମ୍ବନ୍ଧରେ ଚୁମ୍ବକରେ କେତେକ ଆଲୋଚନା ହୋଇଛି । ସେସବୁ ନେଇ ମତାନୈକ୍ୟ ଥିଲେ ମଧ୍ୟ ଅତୀତର ଗବେଷଣା ଅପେକ୍ଷା ଭବିଷ୍ୟତର ଅନ୍ଵେଷଣ ଏଠାରେ ବିଶେଷ ପ୍ରୟୋଜନ ଓ ଗୁରୁତ୍ୱପୂର୍ଣ୍ଣ । ସେ ଦୃଷ୍ଟିରୁ ଲେଖକଙ୍କର ମତ ହେଲା, “ଆଧୁନିକ ସାହିତ୍ୟର ନୂଆ କଳେବର କିପରି କେଉଁ ବାଟରେ, ପୁଣି କି ପ୍ରକାର ନୂତନ ସଂହତିରେ ଫୁଟିଉଠିବ, ତାହା ଆଜି ବି ସାଧାରଣ ମଧ୍ୟବିତ୍ତଙ୍କ ମନରେ ପ୍ରହେଳିକା ସୃଷ୍ଟିକରେ । ମାର୍କସ୍‌ବାଦ କେଉଁ ଦୁରୂହ ଦୁର୍ଗମ ପଥଦେଇ କିମ୍ବା ମନୋବିଜ୍ଞାନର କେଉଁ ସୁଦୂର ତମସାଚ୍ଛନ୍ନ ଉପତ୍ୟକାରେ କିମ୍ବା ଏ ଦୁଇଟିର ସରକାରୀ ସଂପର୍କ ବାହାରେ ନୂତନ ଏକ ମାନବତାବୋଧର ଉଦବୋଧନରେ କବିତା ତାର ନୂତନ ସାର୍ଥକତାର ଚିହ୍ନ ଖୋଜିପାଇବେ, ଏକଥା ଆଜି ଅସ୍ପଷ୍ଟ ନ ହେଲେ ମଧ୍ୟ ସାହିତ୍ୟସେବୀ ମନରେ କୌଣସି ଉତ୍ସାହ ସୃଷ୍ଟି କରେ ନାହିଁ ।’’

 

ଏହାର ଅର୍ଥ ହେଲା, ଉକ୍ତ ମାର୍ଗ ବ ଦିଗ୍‍ଦର୍ଶନ ଅସ୍ପଷ୍ଟ ନୁହେଁ । ତଥାପି ତାହା ଉତ୍ସାହ ଆଣେ ନାହିଁ, ଚିନ୍ତା କ୍ଷେତ୍ରରେ ପ୍ରତୀୟମାନ ହେଲେ ବି କାର୍ଯ୍ୟକ୍ଷେତ୍ରରେ ସ୍ପୃହା ସୃଷ୍ଟି କରେ ନାହିଁ । ଆଖିକୁ ଦିଶୁଥିଲେ ବି ଗୋଡ଼ ସେ ଦିଗରେ ଚଳେ ନାହିଁ । ଏଇ ହେଲା “ପ୍ରହେଳିକା”, ଆଧୁନିକ ସାହିତ୍ୟ ପଥର ବାସ୍ତବତା । ଏହି ବାସ୍ତବତାଟି କଣ, ଏବେ ତାହା ଦେଖାଯାଉ ।

 

“ମାର୍କସ୍‍ବାଦ”, “ମନୋବିଜ୍ଞାନ” ଓ “ନୂତନ ମାନବତା ବୋଧ” —ଏଇ ତିନୋଟି ମାର୍ଗ ବା ଦିଗ୍‍ଦର୍ଶନ ଏଥିରେ ଉପସ୍ଥାପିତ ହୋଇଛି । ସେଥିମଧ୍ୟରୁ କେଉଁଟି ଗ୍ରହଣୀୟ, ତାହା ଲେଖକ ରୋକଠୋକ ଭାବେ ଯେତେ ନ କହିଛନ୍ତି, କେଉଁଟି ପରିତ୍ୟଜ୍ୟ ଓ କାହିଁକି—ତାକୁ ସେ ସମସ୍ତ ଶକ୍ତି ଦେଇ ପ୍ରମାଣ କରିବାର ଚେଷ୍ଟା କରିଛନ୍ତି ।

 

ଲେଖକ ମନୋବିଜ୍ଞାନ ଉପରେ ଜୋର୍ ଦେଇନାହାନ୍ତି, ତାକୁ ଛୁଇଁଛନ୍ତି ମାତ୍ର । ମନୋବିଜ୍ଞାନ କିନ୍ତୁ କୌଣସି ଏକ ବିଶେଷ ବିକାଶର ମାର୍ଗ ନୁହେଁ, ଇତିମଧ୍ୟରେ ମନୋବିଜ୍ଞାନ ମନୁଷ୍ୟର ଜ୍ଞାନ ଭଣ୍ଡାରକୁ ଯେତେ ସମୃଦ୍ଧ କଲେ ବି ତାହା ତାର ସମସ୍ତ କାର୍ଯ୍ୟ ଓ ଚିନ୍ତାକୁ ବୁଝାଇବାକୁ ସମର୍ଥ ହୋଇନାହିଁ । ତାହା ଏପର୍ଯ୍ୟନ୍ତ ବ୍ୟକ୍ତିକୁ ଦେଖିଛି, ସମାଜର ସମସ୍ତଙ୍କୁ ଦେଖିନାହିଁ । ମନୁଷ୍ୟକୁ ଏକ ସାମାଜିକ ଅଂଶ ଭାବରେ ବିଚାର କରି ନାହିଁ । ତେଣୁ, ତାହା ସମାଜ ଓ ସାହିତ୍ୟ କାହାକୁ ନୂତନ ମାର୍ଗ ଦର୍ଶାଇପାରୁ ନାହିଁ । ଅନ୍ୟ ଦିଗରେ, ମନୁଷ୍ୟକୁ ଏକ ସାମାଜିକ ଅଂଶ ଭାବରେ ବିଚାର କରାଗଲେ, ସେ ସାମାଜିକ ବିକାଶର ନିୟମାଧୀନ ହେବାକୁ ବାଧ୍ୟହେବ, ତାକୁ ସମାଜ-ବିଜ୍ଞାନର ପରିସରଭୁକ୍ତ ହେବାକୁ ପଡ଼ିବ । ଲେଖକ ଏସବୁ ମଧ୍ୟକୁ ଯାଇନାହାନ୍ତି । ତେଣୁ, ଏହାର ଆଲୋଚନା ଏଠାରେ ନିଷ୍ପ୍ରୟୋଜନ ।

 

ତାଙ୍କର ମୁଖ୍ୟ ଓ ଏକମାତ୍ର ଶରବ୍ୟ ହେଉଛି—ମାର୍କସ୍‍ବାଦ । ଆଉ ଗୁଡ଼ାକ କେବଳ ଉପଲକ୍ଷ ମାତ୍ର । ସେ ଯେତେଦୂର ପାରନ୍ତି, ମାର୍କସ୍‍ବାଦକୁ ବିକୃତ କରି ତା’ପ୍ରତି ପାଠକମାନଙ୍କର ବିତୃଷ୍ଣା ସୃଷ୍ଟି କରିବାର ଚେଷ୍ଟା କରିଛନ୍ତି । ଶେଷରେ ତାର ଯୁକ୍ତିଯୁକ୍ତ ପରିଣତ ଘଟିଛି, ତାଙ୍କର ପ୍ରତିକ୍ରିୟାକୁ ଆଲିଙ୍ଗନ କରିବାରେ । କାରଣ, ଅନ୍ୟକୁ ପ୍ରତିକ୍ରିୟା ଧର୍ମରେ ଦୀକ୍ଷିତ କରିବାକୁ ହେଲେ ନିଜକୁ ପ୍ରତିକ୍ରିୟାର ଧର୍ମ ଗ୍ରହଣ କରିବାକୁ ହୁଏ ।

 

ମାର୍କସ୍‍ବାଦ ସମ୍ବନ୍ଧରେ, ସେ ଲେଖିଛନ୍ତି— “ଗତ ତିରିଶ ଦଶକରେ ସାହିତ୍ୟ ଓ ଶିଳ୍ପକୁ କେନ୍ଦ୍ରମୁଖୀ କରି ତାକୁ ମାନସିକ ସଂକତରୁ ତ୍ରାଣ କରିବ ବୋଲି କମ୍ୟୁନିଜମ୍ ଯେଉଁ ନିର୍ଭର ପ୍ରତିଶ୍ରୁତିର ସଂକେତ ଦେଇଥିଲା, ତାହା ବିପରୀତ ବାସ୍ତବତାର ଆଘାତରେ ଚୁରମାର ହୋଇଗଲା-। “ଏହି ବିପରୀତ ଅବସ୍ଥାକୁ ବୁଝାଇବାକୁ ଯାଇ ଲେଖକ କହିଛନ୍ତି, “ଦ୍ଵିତୀୟ ମହାଯୁଦ୍ଧ ପରେ ଋଷିଆରେ ଷ୍ଟାଲିନବାଦର କୁତ୍ସିତ ରୂପ, କଳା, ଶିଳ୍ପ, ସାହିତ୍ୟ ଉଦ୍ୟମକୁ Regimentation କରି କୁକ୍ଷିଗତ-କରଣ, ସମସ୍ତ ସାଂସ୍କୃତିକ ମୂଲ୍ୟକୁ ସରକାରୀ ଦଳ ଓ କଳର ଆଶୁ ଉଦ୍ଦେଶ୍ୟସାଧନା କଳ୍ପେ ବ୍ୟବହାର ଓ ଜୀବନର ସମସ୍ତ ଆଧ୍ୟାତ୍ମିକ ଓ ନୈତିକ ମୂଲ୍ୟ ଅସ୍ଵୀକାର–ଏ ସମସ୍ତ ଘଟଣା ଗୋଟିଏ ପରେ ଗୋଟିଏ ଘଟି ବିଶ୍ୱାସରେ ପାକଳ ହୋଇଆସୁଥିବା ଏ ଶତକରେ ମନୁଷ୍ୟ ମନକୁ ପ୍ରଚଣ୍ଡ ଆଘାତ ଦେଇଛି । ......୧୯୫୦ ଦଶକଟି ପୁଣି ନୈରାଶ୍ୟ ବିଡ଼ମ୍ବନାର ମରୁଚିତ୍ରରେ ପର୍ଯ୍ୟବସିତ ହେଲା । ମାଓ-ସେ ତୁଂ ‘ଶହ ଶହ ଫୁଲ ଫୁଟିବ’ର ଯେଉଁ ଆଶ୍ଵାସନା ବାଣୀ ଶୁଣାଇଥିଲେ, ତାହା ତାଙ୍କ ତିଦ୍ଦତ ଅଭିଯାନ ଓ ଭାରତ ଆକ୍ରମଣ ପରେ ‘ଶହ ଶହ ତୋପ ଫୁଟିବାରେ’ ଆସି ପରିଣତ ହୋଇଛି ।

 

“ପୂର୍ବ ୟୁରୋପୀୟ ଦେଶମାନଙ୍କୁ କୁକ୍ଷିଗତ କରିବା ଓ ପ୍ରାଚ୍ୟ ଭୂମଣ୍ଡଳରେ ଚାଇନାର ପ୍ରସାରଣଶୀଳ ରାକ୍ଷସୀ ପରରାଷ୍ଟ୍ର ନୀତି ସମଗ୍ର ପୃଥିବୀରେ ମହା ଆତଙ୍କ ସୃଷ୍ଟି କରିଛି ।’’

 

“ଆଜି ସାମ୍ୟବାଦ କହିଲେ ବୁଝାଯାଉଛି ଯୁଦ୍ଧ, ବିଭୀଷିକା, ସଂଗଠିତ ଦସ୍ୟୁତ ଓ ପରରାଜ୍ୟ ଲୁଣ୍ଠନ ।’’ ଅତଏବ, ମାର୍କସବାଦୀ ଦିଗ୍‍ଦର୍ଶନ ବର୍ଜନୀୟ !

 

ପାଠକମାନେ ଭାବିପାରନ୍ତି, ସାମ୍ୟବାଦର ଉପରୋକ୍ତ ବ୍ୟାଖ୍ୟାଟା ବୋଧହୁଏ ଆମେରିକାର ଗୋଲ୍‍ଡଓ୍ୱାଟର, ଡଲେସ ପ୍ରଭୃତିଙ୍କଠାରୁ ଆଣି ଏଠାରେ ଭୁଲରେ ଉଦ୍ଧାର କରାଯାଇଛି । କିନ୍ତୁ ତା’ ନୁହେଁ । ସନ୍ଦେହ ମୋଚନପାଇଁ ‘୧୯୬୨-କବିତା’ର ୧୩୧ ପୃଷ୍ଠା ଦେଖିପାରନ୍ତି । ସମ୍ୟବାଦର ଏଇ ବ୍ୟାଖ୍ୟାରେ ଲେଖକଙ୍କର ନିଜସ୍ଵ ମୌଳିକତା କିଛି ନାହିଁ । ସେ ଆମେରିକା ସାମ୍ରାଜ୍ୟବାଦ ପ୍ରଚାରକୁ ଆପଣାର କରିନେଇଛନ୍ତି ଓ ତାକୁ ହିଁ ଚଳାଇବାକୁ ଚାହାନ୍ତି ।

 

ଯଦି ଉପରୋକ୍ତ ମାର୍ଗ ବର୍ଜନୀୟ, ତା’ ହେଲେ ଗ୍ରହଣୀୟ କେଉଁଟି ? “ମୁକ୍ତ ଜୀବନ ଓ ମୁକ୍ତ ସମାଜରେ ବିଶ୍ୱାସ କରୁଥିବା ପୃଥିବୀର ପ୍ରତ୍ୟେକ ନାଗରିକ—ସେ ଶିଳ୍ପୀ ହେଉ ବା ଲେଖକ ହେଉ, ବା ସାଧାରଣ ଲୋକ ହେଉ, ଆଜି କମ୍ୟୁନିଷ୍ଟି ଏକଛତ୍ରବାଦ ଶିବିରରୁ ପୃଥିବୀର ନିରାପତ୍ତା ରକ୍ଷାଲାଗି ଦୃଢ଼ସଂକଳ୍ପ । ସରକାରୀ ସାମ୍ୟବାଦର ନୈତିକତା ଓ ଗଣତନ୍ତ୍ରବିରୋଧୀ ସମାଜ ବ୍ୟବସ୍ଥା ବିରୁଦ୍ଧରେ ବିଶ୍ଵର ଜନମତ ବିଦ୍ରୋହୀ ହୋଇଉଠୁଛି ।’’

 

ଏହି ‘ମୁକ୍ତ ଜୀବନ’, ଏହି ‘ମୁକ୍ତ ସମାଜ’ ଓ ‘ନିରାପତ୍ତା ରକ୍ଷା’ ବାଣୀ ଶୁଣି କେହି ଭାବନ୍ତୁ ନାହିଁ ଯେ, ତାହା ଆମେରିକା ସଭାପତି ଜନସନଙ୍କ ଭାଷଣ । ଆମେରିକାର ପ୍ରଚାରକମାନେ ପୃଥିବୀକୁ’ମୁକ୍ତ ଜୀବନ’ ଓ ‘ମୁକ୍ତ ସମାଜ’, ଅର୍ଥାତ ଯେଉଁଠି ଶୋଷିତ ହେବାର ଓ ଶୋଷଣ କରିବାର ପୂର୍ଣ୍ଣ ସ୍ଵାଧୀନତା ରହିଛି, ଏବଂ ଯେଉଁଠି ଏକଛତ୍ରବାଦୀ ସମାଜ ବ୍ୟବସ୍ଥାକୁ, ଅର୍ଥାତ ପୁଞ୍ଜିବାଦ ଓ ଶୋଷଣ ବ୍ୟବସ୍ଥାକୁ ଲୋପ କରାଯାଉଛି, ଏହିପରି ଦୁଇ ଭାଗରେ ବିଭକ୍ତ କରିଛନ୍ତି । ଆଉ ଯେଉଁଠି ଲୋକେ ଆପଣାର ସ୍ଵାଧୀନତା ଲାଗି ଭିଏତନାମ ଭଳି ଆମେରିକା ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢ଼ନ୍ତି, ସେଠାରେ କୁହାଯାଏ, ପୃଥିବୀର ନିରାପତ୍ତା ଓ ଗଣତନ୍ତ୍ର ବିପନ୍ନ । ସେଥିରୁ ଲୋକଙ୍କୁ ଉଦ୍ଧାର କରିବାପାଇଁ ଆମେରିକା ଯେପରି ନିଜର ବଳ ପ୍ରୟୋଗ କରେ, ଏଠାରେ ଲେଖକ ସେହିପରି ନିଜର କଲମ ପ୍ରୟୋଗ କରିଛନ୍ତି ।

 

ଏହି ଆଭିମୁଖ୍ୟରୁ ଲେଖକଙ୍କର ସମର୍ଥନ ଓ ବିରୋଧିତା କେଉଁଠି, କାହା ପ୍ରତି, ତାହା ବେଶ୍ ସ୍ପଷ୍ଟ । ଏହି ଆଭିମୁଖ୍ୟର ଅନୁସରଣରେ ଲେଖକ ସାମ୍ରାଜ୍ୟବାଦର ସେହିସବୁ ହତ୍ୟା, ଲୁଣ୍ଠନ, ଅବିଶ୍ରାନ୍ତ ବୋମାବର୍ଷଣ, ପରରାଜ୍ୟ ଅପହରଣ ଓ ଯୁଦ୍ଧ ବିଭୀଷିକାର ନାରକୀୟ ଲୀଳା ମଧ୍ୟରେ ‘ମୁକ୍ତ ଜୀବନ’ର ସଂଧାନ ପାଇଛନ୍ତି, ଆଉ ସେହି ଦ୍ରୁଷ୍ଟି କୋଣରୁ ସାମ୍ୟବାଦ ବୋଇଲେ ବୁଝିଛନ୍ତି “ଯୁଦ୍ଧ, ସଙ୍ଗଠିତ ଦସ୍ୟୁତା, ପରରାଜ୍ୟ ଲୁଣ୍ଠନ । “ପୁଞ୍ଜିବାଦର ଚରିତ୍ରଗତ ଗୁଣକୁ ଯେଉଁଠି ଅତି ନିର୍ଲଜ ଭାବେ ସାମ୍ୟବାଦ ମୁଣ୍ଡରେ ଲଦିଦିଆଯାଇଛି ଓ ସାମ୍ରାଜ୍ୟବାଦର ବିକଟାଳ ରୂପକୁ ସାହିତ୍ୟର ସୌନ୍ଦର୍ଯ୍ୟରେ ବିମଣ୍ଡିତ କରିବାର ଚେଷ୍ଟା କରାଯାଇଛି, ସେଠାରେ କୌଣସି ସୁଚିନ୍ତିତ ଅଭିମତ ଆଶା କରିବା ନିରର୍ଥକ । ଏହା କୌଣସି ଆକସ୍ମିକ ମତବିଭ୍ରମ ନୁହେଁ; ସାମ୍ରାଜ୍ୟବାଦ ପ୍ରଚାର ସମୁଖରେ ଆକାଂକ୍ଷାଗତ ଆତ୍ମ-ସମର୍ପଣ ।

 

‘ସାହିତ୍ୟରେ regimentation’, ‘ସଂସ୍କୃତିରୁ ସରକାରୀ କଳର ଆଶୁ ଲକ୍ଷସାଧନରେ’ ବ୍ୟବହାର ଓ ‘ଜୀବନର ଆଧ୍ୟାତ୍ମିକ ମୂଲ୍ୟର ଅସ୍ଵୀକାର’ ଆଦି ଅଭିଯୋଗଗୁଡ଼ିକ କିଛି ନୂଆ କଥା ନୁହେଁ । ରୁଷରେ ସର୍ବଦ୍ଵାରା ଶାସନ ପ୍ରତିଷ୍ଠା ହେଲାଦିନୁ ଏହି ଅଭିଯୋଗ ଉଠିଆସିଛି । କିନ୍ତୁ ସେତେବେଳେ ଲେଖକଙ୍କ ମନରେ ଏହା ‘ହତାଶା’ ସୃଷ୍ଟି କରୁ ନଥିଲା । ବରଂ ସେ ସର୍ବହରା ଶାସନ ପ୍ରତିଷ୍ଠା “ମାନସିକ ସଙ୍କଟରୁ ତ୍ରାଣ କରିବାର ନିର୍ଭର ପ୍ରତିଶ୍ରୁତିର ସଙ୍କେତ ଦେଇଥିଲା ।’’ କିନ୍ତୁ “ଦିତୀୟ ମହାସମରର ପରବର୍ତ୍ତିକାଳରେ ବାସ୍ତବତାର ରୂଢ଼ ଆଘାତରେ ତାହା ଭାଙ୍ଗିଗଲା । “ତେବେ ସେଇ ରୂଢ଼ ଆଘାତଟି କଣ ? ଷ୍ଟାଲିନଙ୍କ ମୃତ୍ୟୁ ପରେ ରୁଷର ନୂତନ ନେତୃତ୍ଵ ତାଙ୍କର କାର୍ଯ୍ୟଲାଗି ଯେଉଁ କଠୋର ସମାଲୋଚନା କାଲେ, ତାହାହିଁ ସେହି ରୂଢ଼ ବାସ୍ତବତା ।

 

ଷ୍ଟାଲିନଙ୍କ ମୂଳ ତ୍ରୁଟି ହେଲା ବ୍ୟକ୍ତି-ପୂଜା, ଯାହା ମାର୍କସ୍‍ବାଦର ବିରୁଦ୍ଧ, ସମାଜବାଦର ବିକାଶ ଦିଗରେ ପ୍ରତିବନ୍ଧକ । ଶୋଷକଶ୍ରେଣୀର ଚିନ୍ତାଧାରା ଓ ନୈତିକତା ଆଦିର ବିଲୋପ ଓ ସମାଜବାଦୀ ସାମାଜିକ ବ୍ୟବସ୍ତା ଓ ନୈତିକତା ଆଦିର ପରିବର୍ତ୍ତନ, ଯାହା ସହଜରେ ଅପେକ୍ଷାକୃତ କମ ତ୍ୟାଗ ଓ କମ କଷ୍ଟରେ ହୋଇପାରିଥାନ୍ତା, ତାହା ପାଇଁ ଅଯଥା ଅତ୍ୟଧିକ ମୂଲ୍ୟ ଦେବାକୁ ପଡ଼ିଲା । ଏହାହିଁ ହେଲା ଘୋର ଦୁଃଖର ବିଷୟ । ଯେକୌଣସି ପ୍ରଗତିଶୀଳ ଲୋକ ଏଥିରେ ନିଶ୍ଚୟ ବ୍ୟଥିତ ହେବ; ଶେଷରେ ଆଶ୍ଵସ୍ତ ହେବ ଯେ, ତାକୁ ଦୂରକରିବା ଦିଗରେ କାର୍ଯ୍ୟ କରାଯାଇଛି । ଓ ସେପରି ତୃଟିର କିଛି ଅବଶେଷ ରହୁଥିଲେ, ତାହା ମଧ୍ୟ ଦୂରହେବା ଉଚିତ ।

 

କିନ୍ତୁ ଷ୍ଟାଲିନଙ୍କ କାର୍ଯ୍ୟଯୋଗୁ ଯେ ରୁଷର ମୌଳିକ ନୀତି ବଦଳିଗଲା, ସେଠାରେ ପୁଞ୍ଜିବାଦୀ ଶୋଷଣ ପୁଣି ପ୍ରତିଷ୍ଠା ହେଲା, ତାହା ନୁହେଁ । ଲେଖକଙ୍କର ଆଲୋଚନାରୁ ଜଣାଯାଏ, ସେଠାରେ ଯଦି ସମାଜବାଦ ପରିବର୍ତ୍ତେ ଆମେରିକାର ମୁକ୍ତ ସମାଜ ପ୍ରତିଷ୍ଠା ହୋଇ ପାରିଥାନ୍ତା ଓ ତାକୁ ସେ ସ୍ଵାଗତ ଜଣାଇଥାନ୍ତେ । ତାହା ନ ହେବାରୁ ସେ ଯେପରି ମର୍ମାହତ ।

 

ସାଧାରଣତଃ କବି, ସାହିତ୍ୟିକଗଣ ଭାବପ୍ରବଣ, ସଂବେଦନଶୀଳ । ସେମାନେ ଚଞ୍ଚଳ ବ୍ୟଥିତ ହୋଇପଡ଼ିବା ସ୍ଵାଭାବିକ । ଏପରିକି କେତେଠି ସେମାନଙ୍କ ମନରେ ଅବସାଦ ମଧ୍ୟ ଆସିପାରେ । ତେବେ ମାର୍କସ୍‍ବାଦକୁ ଯେଉଁମାନେ ଏକ ବିଜ୍ଞାନ ଭାବେ ଦେଖନ୍ତି, ସେମାନଙ୍କ ପକ୍ଷରେ ତାକୁ ଅତିକ୍ରମ କରିବା ଅପେକ୍ଷାକୃତ ସହଜ ଆଉ ଯେଉଁମାନେ ପୁଞ୍ଜିବାଦୀ ମତାଦର୍ଶର ବିଭିତ୍ସତାକୁ ପ୍ରକୁତରେ ଉପଲବ୍ଧି କରିଥାନ୍ତି ଓ ତାକୁ ବର୍ଜନ କରିବାରେ ବାସ୍ତବରେ ସଚ୍ଚୋଟ ଓ ନିଷ୍ଠାପର, ସେମାନେ ସାମୟିକ ଭାବେ ସନ୍ଦେହର ବଶବର୍ତ୍ତୀ ହୋଇପାରନ୍ତି; କିନ୍ତୁ କେବେହେଲେ ସେମାନେ ସାମ୍ରାଜ୍ୟବାଦୀ ଦିଗ୍‍ଦର୍ଶନକୁ ସ୍ଵାଗତ କରିବେ ନାହିଁ; ତାହାର ପ୍ରଶସ୍ତି ଗାନରେ–ଆପଣାର ଲେଖନୀକୁ କଳଙ୍କିତ କରିବେ ନାହିଁ । ମାର୍କସ୍‍ବାଦ ଭୁଲ ବୋଲି ଯେ ସାମ୍ରାଜ୍ୟବାଦ ଠିକ-ଏପରି ଏକ ଯୁକ୍ତି ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଅଜ୍ଞ ବୋଲି ବିଚାରୁଥିବା ବ୍ୟକ୍ତି କେବଳ ବାଢ଼ିପାରେ । କୌଣସି ସଚ୍ଚୋଟ ଲୋକ ପକ୍ଷରେ ନିଜ ଆଦର୍ଶର ଉପଲବ୍‍ଧି ବ୍ୟକ୍ତିଗତ ସମ୍ବଦ୍ଧିର ନିଶୁଣୀ ନୁହେଁ । ତାର ଦ୍ରୁଷ୍ଟି ରହେ ଅଧିକ କିଛି ନିର୍ଭୁଲ ଦିଗରେ ବା ଭୁଲକୁ ସୁଧାରିବା ଦିଗରେ, ସର୍ବଦା ଆଗକୁ, ପଛକୁ ବା ସାମ୍ରାଜ୍ୟବାଦ ଭଳି ଅଧିକ ଭୁଲ ଦିଗକୁ ନୁହେଁ ।

 

ପୁଣି କୁହାଯାଇଛି, “ପୂର୍ବ ଇଉରୋପର ଦେଶମାନଙ୍କୁ କୁକ୍ଷିଗତ କରିବା ।’’ ଏହାର ‘କର୍ତ୍ତା ରୁଷ’କୁ ଏଠାରେ ଊହ୍ୟ ରଖାଯାଇଛି । ସାମ୍ରାଜ୍ୟବାଦୀମାନେ ଠିକ ଏହି ପ୍ରକାର ପ୍ରଚାର କରନ୍ତି । ଏହି ‘କୁକ୍ଷିଗତ’ର ବିକଳ୍ପଟା ହେଲା ‘free society’ ବା ମୁକ୍ତ ସମାଜର ପ୍ରତିଷ୍ଠା । ପୂର୍ବ ଇଉରୋପରେ ଏହି ମୁକ୍ତ ସମାଜ ପ୍ରତିଷ୍ଠା ଲାଗି ସାମ୍ରାଜ୍ୟବାଦୀମାନେ କେତେ ଚେଷ୍ଟା, ଚକ୍ରାନ୍ତ କରୁନାହାନ୍ତି । ଲେଖକଙ୍କ କଥାରୁ ଜଣାଯାଏ, ପୂର୍ବ ଇଉରୋପୀୟ ଦେଶଗୁଡ଼ିକୁ ଫାସିଜିମ କବଳରୁ ମୁକ୍ତ କଲାପରେ ସେଠାରେ ଯଦି ପଶ୍ଚିମ ଜର୍ମାନୀ ଭଳି ଶୋଷଣ, ଲୁଣ୍ଠନ ଓ ଯୁଦ୍ଧଖୋରମାନଙ୍କର ସାମାଜିକ ବ୍ୟବସ୍ଥା କାଏମ କରାଯାଇପାରିଥାନ୍ତା, ତେବେ ସେଠାରେ ମୁକ୍ତ ସମାଜ ପ୍ରତିଷ୍ଠା ହେଲାବୋଲି କୁହାଯାଇଥାନ୍ତା, ତାହା ‘କୁକ୍ଷିଗତ’ ନ ହୋଇ ହୋଇଥାନ୍ତା । ଯେଉଁଠି ପୁଞ୍ଜିର ଶୋଷଣ କରିବାର ସ୍ଵାଧୀନତା ନାହିଁ—, ସେଠି ସ୍ଵାଧୀନତା ନାହିଁ ଏଇ ହେଲା ଏ ଦିଗ୍‍ଦର୍ଶନର ସାରମର୍ମ ।

 

ସେମିତି ଚୀନ ବିଷୟ ଉତ୍‍ଥାପନ କରାଯାଇଛି । କୁହାଯାଇଛି, ତାହା ପ୍ରାଚ୍ୟ ଭୂଖଣ୍ଡକୁ ଗ୍ରାସ କରିବାକୁ ବସିଛି । ଯଦି ଚୀନ ବା କୌଣସି ଦେଶ । ଅନ୍ୟ ଦେଶକୁ ଆମନ୍ତ୍ରଣ କରେ, ତେବେ ସେଇ ଆମନ୍ତ୍ରଣକୁ ନିଶ୍ଚୟ ପ୍ରତିହତ କରିବାକୁ ହେବ । କିନ୍ତୁ ପ୍ରାଚ୍ୟ ଭୂଖଣ୍ଡରେ କାହାର ସୈନ୍ୟବାହିନୀ ବର୍ଷ ବର୍ଷ ଧରି ଯୁଦ୍ଧରେ ନାରକୀୟ ଲୀଳା ଚଳାଇଛନ୍ତି ? ନିଜ ଦେଶଠାରୁ ହଜାର ହଜାର ମାଇଲ ଦୂରରେ କାହାର ବିମାନବାହିନୀ ଦିନରାତି ବୋମା ବର୍ଷଣରେ ଲିପ୍ତ, କିଏ ଭିଏତ୍‍ନାମକୁ ଶ୍ମଶାନରେ ପରିଣତ କରୁଛି, କିଏ ପ୍ରାଚ୍ୟ ଦେଶମାନଙ୍କୁ ନିଜର ସାମରିକ ମେଣ୍ଟଭୁକ୍ତ କରୁଛି ଏବଂ କିଏ ଏସିଆବାସୀଙ୍କୁ ଏସିଆବାସୀଙ୍କ ବିରୁଦ୍ଧରେ ଯୁଦ୍ଧରେ ଲଗାଇ ମୁନାଫା ମାରୁଛି–ଚୀନ ନା ଆମେରିକା ? ସମସ୍ତ ଆଲୋଚନା ଭିତରେ ଋଷ ଓ ମାର୍କସ୍‍ବାଦ ପ୍ରତି ଆକ୍ରମଣ, ଆମେରିକା ସାମ୍ରାଜ୍ୟବାଦର ବିଭତ୍ସତା ପ୍ରତି ତାତ୍ପର୍ଯ୍ୟପୂର୍ଣ୍ଣ ନୀରବତା ଓ ତାର ତଥାକଥିତ ‘ମୁକ୍ତଜୀବନ’ର ଜୟଗାନ ‘ନିରୀହ ଲେଖନୀ’ର ବିଚ୍ୟୁତି ନୁହେଁ, ଏହା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ପ୍ରତିଫଳନ ।

 

ଚୀନର ଯେଉଁଠି ଭୁଲ, ଆନ୍ତର୍ଜାତିକ ମାର୍କସ୍‍ବାଦ ତାକୁ ସେଠି କଠୋରଭାବେ ସମାଲୋଚନା କରୁଛି । ଚୀନକୁ ଆଳ କରି ମାର୍କସ୍‍ବାଦକୁ ଆକ୍ରମଣ କରିବା କେବଳ ଅନ୍ୟାୟ ନୁହେଁ, ଅଭିସନ୍ଧିମୂଳକ । ଏପରିକି ଭାରତ ଆକ୍ରମଣର ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତରେ ସ୍ଵର୍ଗତ ନେହେରୁ ଚୀନ ଓ କମ୍ୟୁନିଜମକୁ ପୃଥକ କରି ଦେଖିବାଲାଗି ସତର୍କବାଣୀ ଶୁଣାଇଥିଲେ । କାରଣ, ଗୋଟିଏ ହେଉଛି ଦର୍ଶନ ଓ ଅନ୍ୟଟି ହେଉଛି ତାର ପ୍ରୟୋଗ । ଜଣକର ପ୍ରୟୋଗ ଭୁଲ ହେଲା ବୋଲି ଦର୍ଶନ ଭୁଲ, ଏହା ନ ହୋଇପାରେ । ଯଦି ଚୀନ ଆକ୍ରମଣ କରେ, କେବଳ ନିର୍ବୋଧ ସ୍ଵାର୍ଥାନ୍ଧ ଲୋକ ହିଁ ସ୍ଵାଧୀନତା ରକ୍ଷା ଲାଗି “ମହମ୍ମଦ ଘୋରୀଙ୍କୁ” ବରଣ କରିବାକୁ ଯିବ । ତେବେ, ଯେହେତୁ ମାର୍କସ୍‍ବାଦକୁ ଆକ୍ରମଣ କରି ଆମେରିକାର ‘ମୁକ୍ତସମାଜ’ର ପ୍ରଶସ୍ତି ଗାନ କରିବାକୁ ହେବ, ତେଣୁ ସକଳ ଅସ୍ପ୍ରୁହଣୀୟ କଥା ସ୍ପୃହଣୀୟ ।

 

ପୁଞ୍ଜିର ଆଧିପତ୍ୟ ଓ ପୁଞ୍ଜି ଲାଳସା ହେଉଛି ତାହାର ଜୟଗାନର ଏକମାତ୍ର କାରଣ । ଏ ସଂପର୍କରେ ପୁଞ୍ଜି କିପରି ସମସ୍ତ ସମାଜକୁ ଅଧିକାର କରିଛି, ତାହା ବର୍ଣ୍ଣନା କରିବାକୁ ଯାଇ ମାର୍କସ୍ ଶତାଧିକ ବର୍ଷ ତଳେ କହିଥିଲେ—“ଚିକିତ୍ସକ, ଆଇନଜୀବୀ, କବି, ବୈଜ୍ଞାନିକ ଓ ଧର୍ମଯାଜକ ଆଦି ସମସ୍ତଙ୍କୁ ତାହା (ପୁଞ୍ଜି) ନିଜର ମଜୁରୀଭୁକ୍ତ ମଜୁରିଆରେ ପରିଣତ କରିଛି ।“ ପୁଞ୍ଜିବାଦୀ ସମାଜର ଜନ୍ମଦିନୁ ଏହି ଦାସତ୍ଵର ଡୋରି ପିନ୍ଧି ମନୁଷ୍ୟ ଜନ୍ମ ଲାଭ କରେ । ନିଜ ଜୀବନ ରକ୍ଷା ଲାଗି ସେ ପୁଞ୍ଜି ପାଖରେ ମଜୁରୀ ଖଟିବାକୁ ବାଧ୍ୟ ହୁଏ । ପୁଞ୍ଜିବାଦ ଥିବାଯାଏ ଏ ଦାସତ୍ଵରୁ ତାର ମୁକ୍ତି ନାହିଁ । କିନ୍ତୁ ଏହି ଦାସତ୍ଵ ଲାଗି କୌଣସି ଲୋକ ଘୃଣ୍ୟ ବା ହେୟ ନୁହେଁ, ସେଥିଲାଗି କୌଣସି ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଦୋଷାରୋପ କରାଯାଇ ନ ପାରେ । କିନ୍ତୁ ଯିଏ ଦାସତ୍ଵର ଶୃଙ୍ଖଳକୁ ସ୍ଵାଧିନତାର ପୁଟରେ ରଙ୍ଗେଇବାର ଚେଷ୍ଟା କରେ, ସେ ହିଁ ସମାଲୋଚନାର ପାତ୍ର ।

 

ଲେନିନ କହିଥିଲେ—

 

“A man is not to be blamed for being born a slave, but a slave, who not only shuns the striving for freedom, but justifies and embeishes his slavery, such a slave is menial and a cad who inspires anger, contempt and diagust.”

 

ଏହାର ମର୍ମ ହେଲା, ”କୌଣସି ଲୋକ ଦାସ ହୋଇ ଜନ୍ମ ହେଲା ବୋଲି ଯେ ସେ ନିନ୍ଦ୍ୟ, ତା’ନୁହେଁ । କିନ୍ତୁ ଯେଉଁ ଦାସ ସ୍ଵାଧୀନତା ଲାଗି ଉଦ୍ୟମକୁ କେବଳ ତ୍ୟାଗ କରେ ନାହିଁ, ନିଜର ଦାସତ୍ଵକୁ ଯଥାର୍ଥ ବୋଲି କହେ ଓ ତାକୁ ମାଜିଘଷି ଚକ୍‍ଚକ୍ କରେ, ସେହି ଦାସ ହେଉଛି ନୀଚ ଓ କୁତ୍ସିତ । ସେ କ୍ରୋଧ, ଘୃଣା ଓ ବିରକ୍ତ ହିଁ ଉଦ୍ରେକ କରେ ।’’

 

ଲେଖକଙ୍କର ଉକ୍ତ ଦିଗ୍ଦର୍ଶନର ଅନୁସରଣ, ସାମ୍ରାଜ୍ୟବାଦ ପାଖରେ ଆତ୍ମ-ସମର୍ପଣ । ଆମର ଯେଉଁ ସାହିତ୍ୟ ସତ୍ୟ, ନ୍ୟାୟ ଲାଗି ସାମ୍ରାଜ୍ୟବାଦର କଳଙ୍କିତ ଚିନ୍ତାଧାରା ବିରୁଦ୍ଧରେ ସ୍ଵାଧିନତାର ମହୀୟାନ ଭାବ ଜାଗରିତ କରି ଆପଣାକୁ ପ୍ରତିଷ୍ଠିତ କରିଥିଲା, ଏବେ ସେଇ ସାହିତ୍ୟରେ ପରିତ୍ୟକ୍ତ ଚିନ୍ତାକୁ ସବୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଇ ପୁନର୍ବାର ପରିବେଷଣ କରାଯିବାର ଉପକ୍ରମ ହେଉଛି । ସାମ୍ରାଜ୍ୟବାଦ କବଳରୁ ମୁକ୍ତ ଦେଶମାନଙ୍କରେ ଆମେରିକା ଋଣ ଓ ସାହାଯ୍ୟ ଦାନ ଦ୍ଵାରା, ନାନା ପ୍ରକାରର ଚୁକ୍ତି ଓ ସାମରିକ ମେଣ୍ଟ ସମ୍ପାଦନ ଦ୍ଵାରା ନୂତନ ରୂପରେ ପୁନର୍ବାର ଯେପରି ପ୍ରବେଶ କରିବାର ଚେଷ୍ଟା କରୁଛି, ସାହିତ୍ୟ କ୍ଷେତ୍ରରେ ସେହିପରି ଠିକ୍ ନୂତନ ରୂପରେ ତାହାର ପ୍ରତିଫଳନ ଘଟୁଛି । ରାଜନୀତିକ ଅର୍ଥନୀତି କ୍ଷେତ୍ରରେ ଏହାର ନାମ Neo-colonialism ବା ନବ-ଉପନିବେଶବାଦ । ସାହିତ୍ୟର ଏହା ହେଉଛି ନବ-ସାମ୍ରାଜ୍ୟବାଦୀ ଚିନ୍ତାଧାରାର ଅନୁପ୍ରବେଶ । ଲେଖକ ଏହାକୁ ହିଁ ବରଣ କରିଛନ୍ତି । ଲେଖକ ‘ମୁକ୍ତଜୀବନ’, ‘ମାନବତାବୋଧ’ ଓ ‘ପୂର୍ଣ୍ଣ ଜୀବନ’ର ଯେଉଁ ଦିଗ୍‌ଦର୍ଶନ ଉପସ୍ଥାପିତ କରିଛନ୍ତି, ତାହା ମଧ୍ୟ ବିକୃତ ଓ ଭ୍ରମାତ୍ମକ । ପ୍ରକୃତ ମୁକ୍ତି, ସ୍ୱାଧୀନତା ବୋଇଲେ ବୁଝାଏ କ’ଣ ? ଲେଖକଙ୍କ ଆଲୋଚନାରୁ ଜଣାଯାଏ, ଆମେରିକାର ମୁକ୍ତ ସମାଜ, ଯେପରି କି ମାନବ ପକ୍ଷରେ ମୁକ୍ତି, ସ୍ୱାଧୀନତାର ଚରମ ସୀମା—ତା’ପରେ ଆଉ କୌଣସି ମୁକ୍ତିର ଆବଶ୍ୟକତା ନାହିଁ, ସେହିଠାରେ ହିଁ ତାହାର ସମାପ୍ତି ଓ ତାହାହିଁ ମାନବ ସମାଜର ଧ୍ୟେୟ ଓ ପରିଣତି ।

 

ମନୁଷ୍ୟର ଶକ୍ତି ଅନନ୍ତ, କଳ୍ପନାତୀତ ତାର ଚିନ୍ତା, ଅସୀମ ଓ ଅଶାନ୍ତ ତାର କର୍ମର ପ୍ରବାହ । ତଦନୁଯାୟୀ ତାର ଆଶା, ଆକାଙ୍‌କ୍ଷା ଓ ଆବଶ୍ୟକତା । ତାକୁ ପୁଣି ଏକ ସ୍ଥାଣୁ, ସୀମିତ ‘ମୁକ୍ତସମାଜ’ର ପରିସର ମଧ୍ୟରେ ସୀମାବଦ୍ଧ କରିବାକୁ ଉଦ୍ୟମ କରିବା, କେବଳ ଚରମ ନିର୍ବୋଧତା ନୁହେଁ; ଖୋଦ୍‌ ମାନବିକତା ବିରୁଦ୍ଧରେ ଅଭିଯାନ । ପୁଞ୍ଜିର ବୁଦ୍ଧି ଯେଉଁମାନଙ୍କ ଜୀବନର ଲକ୍ଷ୍ୟ, ଶୋଷଣର ସୁରକ୍ଷା ଯେଉଁମାନଙ୍କର ଏକମାତ୍ର ଧର୍ମ, ମାନବିକତାର ନିଷ୍ପେଷଣ ଯେଉଁମାନଙ୍କର ଆଦର୍ଶ, ସେମାନଙ୍କ ପକ୍ଷରେ ଏହା ଶୋଭାପାଏ । କିନ୍ତୁ କବି, ସାହିତ୍ୟିକ ଚାହେଁ–ମାନବର ଅନନ୍ତ ବିକାଶଧାରାର ନିରବଚ୍ଛିନ୍ନ ପ୍ରବାହ—ତାର ଅସୀମ ଅନ୍ତର୍ନିହିତ ଶକ୍ତିର ଚିର ବର୍ଦ୍ଧିଷ୍ଣୁ ଉନ୍ମୁକ୍ତି । ସାହିତ୍ୟ ମାନବର ସେହି ନୂତନ ନୂତନ ଆଶ ଆକାଙ୍‌କ୍ଷା ଓ ଆବଶ୍ୟକତାର ପୁନର୍ଜାଗରଣ ଓ ପୁର୍ନପରିପୂରଣ ଅବିଶ୍ରାନ୍ତ ସ୍ରୋତକୁ ପ୍ରତିଫଳିତ କରେ । ଏ ସାହିତ୍ୟକୁ ଏବଂ କବି ଓ ସାହିତ୍ୟିକଙ୍କୁ ଆମେରିକାର ‘ମୁକ୍ତସମାଜ’ର ଆଦର୍ଶରେ ବାନ୍ଧିଦେବାର ଉଦ୍ୟମ ସାହିତ୍ୟର ଅଗ୍ରଗତି ପଥରେ ପ୍ରଧାନ ପ୍ରତିବନ୍ଧକ । ଏହା ମାନବିକତାକୁ ହତ୍ୟା କରୁଛି । ଏଣୁ ମନୁଷ୍ୟର ଜୀବନ ଓ ସାହିତ୍ୟ କାଳ କାଳ ଧରି ଏହିଭଳି ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିଆସିଛି । ଏଥିଯୋଗୁ ହିଁ ତାର ଅଗ୍ରଗତି । ସାହିତ୍ୟର ଏଇ ଗତିଶୀଳତା ସାହିତ୍ୟିକକୁ ଏ ଆଦର୍ଶ ବିରୁଦ୍ଧରେ ଖଡ଼୍‌ଗ ଉତ୍ତୋଳନ କରିବାକୁ ବାଧ୍ୟ କରିବା ନିଶ୍ଚିତ ।

 

ସୁଦୂର-ଦୃଷ୍ଟି ଛାଡ଼ି ଆଶୁ ଦୃଷ୍ଟିରେ ଦେଖିଲେ ଆମେରିକାର ‘ମୁକ୍ତ ଜୀବନ’ର ସ୍ୱାଧୀନତା ପ୍ରକୃତରେ ଅର୍ଥର ସ୍ୱାଧୀନତା, ମନୁଷ୍ୟର ସ୍ୱାଧୀନତା ନୁହେଁ । ଅର୍ଥକୁ ଯେ ଯେତେ ଆୟତ୍ତ କରିପାରିଲା, ସେ ସେତେ ସ୍ୱାଧୀନ । ଏପରିକି ଯେଉଁଠି ମଣିଷ ଚମଡ଼ାର ରଙ୍ଗ ଅନୁଯାୟୀ ତାର ବଞ୍ଚିବାର ଅଧିକାର ନିର୍ଦ୍ଧାରିତ ହୁଏ, ଯେଉଁଠି ପ୍ରତିକ୍ରିୟାର ପରିସରରେ ମଧ୍ୟ ସାମାନ୍ୟତମ ପ୍ରଗତିର ଚିନ୍ତା ଯୋଗୁ ରାଷ୍ଟ୍ରର ସର୍ବୋଚ୍ଚ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଆତତାୟୀର ଶିକାର ହେବାକୁ ପଡ଼େ, ସେଠାର ସମାଜକୁ ମୁକ୍ତ ସମାଜ ବୋଲି ଘୋଷଣା କରିବା, ଏବଂ ସେଠାର ସେଇ ଆଦର୍ଶକୁ ପ୍ରଚାର କରିବା ଅର୍ଥ, ନିଜକୁ ଓ ଅନ୍ୟମାନଙ୍କୁ ପ୍ରତାରିତ କରିବା ।

 

ଅନ୍ୟ ଦିଗରେ, ବର୍ତ୍ତମାନ ପ୍ରତିଷ୍ଠିତ ସମାଜବାଦୀ ବ୍ୟବସ୍ଥା ଯେ ମାନବର ସ୍ୱାଧୀନତାର ଶେଷ ସୀମାରେଖା, ତାହାର ଆଶା, ଆକାଙ୍‌କ୍ଷା ଓ ଆବଶ୍ୟକତାର ଚରମ ପରିଣତି—ତାହା ନୁହେଁ-। ତେବେ, ଏହି ସମାଜ ପୁଞ୍ଜିବାଦୀ ସମାଜଠାରୁ ଅଧିକ ଉନ୍ନତ; ମଣିଷର ଉତ୍ତରୋତ୍ତର ଉନ୍ନତିର ବିକାଶର ଦ୍ୱାରକୁ ସଦାସର୍ବଦା ଉନ୍‍ମୁକ୍ତ କରୁଛି । କାରଣ, ଏହି ସମାଜରେ ମଣିଷ ଦ୍ୱାରା ମଣିଷକୁ ଶୋଷଣର ଅବସାନ ଘଟିଛି । ଏହି ସମାଜର ଲକ୍ଷ୍ୟ ହେଉଛି, ସମସ୍ତ ପ୍ରକାର ବାଧ୍ୟବାଧକତାକୁ ଲୋପ କରିବା । ଯେଉଁଠି ଅପରିହାର୍ଯ୍ୟତା, ବାଧ୍ୟବାଧକତା ରହେ ଓ ମନୁଷ୍ୟ ତା’ ଇଚ୍ଛା ଅନୁସାରେ କାର୍ଯ୍ୟ ନ କରି କୌଣସି ବ୍ୟକ୍ତି ଓ ବୃତ୍ତି ପାଖରେ ବନ୍ଧା ହୋଇପଡ଼େ, ସେଠି ତା’ର ସ୍ୱାଧୀନତା ନ ଥାଏ, ସେ ମୁକ୍ତ ନୁହେଁ । ତେଣୁ, ମାର୍କସ୍‌ ଲେଖିଛନ୍ତି—

 

‘‘In fact, realm of freedom really begins only at the point where labour ceases to be dictated by necessity.’’

 

ଅର୍ଥାତ୍‌, ଅପରିହାର୍ଯ୍ୟତାର ତାଡ଼ନାରେ ଶ୍ରମ କରିବାର ଯେଉଁଠି ଅବସାନ ଘଟେ, ସେଇଠ ହିଁ ସ୍ୱାଧୀନତାର କ୍ଷେତ୍ର ବାସ୍ତବରେ ଆରମ୍ଭ ହୁଏ ।

 

ପ୍ରଥମରେ, କେବଳ ନିଜ ଇଚ୍ଛାର ଅବାଧ ପରିପ୍ରକାଶ ନୁହେଁ, ତାହାର ପୂରଣ ଲାଗି ଆବଶ୍ୟକୀୟ ପ୍ରାଚୁର୍ଯ୍ୟ ବିନା ସ୍ୱାଧୀନତା ଅର୍ଥହୀନ । ବର୍ତ୍ତମାନ ପୁଞ୍ଜିବାଦୀ ସମାଜରେ ମନୁଷ୍ୟର ପ୍ରକୃତ ଇଚ୍ଛା ପ୍ରକାଶ ପାଇପାରେ ନାହିଁ; ଯେଉଁଠି ବା ପ୍ରକାଶ ପାଏ, ସେଠାରେ ପୂରଣ ହୁଏ ନାହିଁ । ଦ୍ୱିତୀୟରେ, ଶ୍ରମ ତା’ ପକ୍ଷରେ ଅପରିହାର୍ଯ୍ୟ ଅପରିହାର୍ଯ୍ୟତା ଓ ସ୍ୱାଧୀନତା ଏକ ସଙ୍ଗରେ ରହେ ନାହିଁ । ମୃତ୍ୟୁର ତାଡ଼ନାରେ ଲୋକ ଶ୍ରମ କରିବାକୁ ବାଧ୍ୟ । ଏହି ବାଧ୍ୟବାଧକତା ବା ଅପରିହାର୍ଯ୍ୟତା ପ୍ରତ୍ୟେକ ଲୋକ ପାଖରେ ଅତି ଦୁଃଖଜନକ, ଯନ୍ତ୍ରଣାଦାୟକ । ସେ ସବୁବେଳେ ଚାହେଁ, ଅପରିହାର୍ଯ୍ୟତାରୁ ବା ଶ୍ରମରୁ ମୁକ୍ତି, ସେଥିରୁ ଅବ୍ୟାହତି । ଏଠାରେ ଅବାଧ ଉପଭୋଗର ପ୍ରଶ୍ନ କାହିଁ ?

 

ସମାଜବାଦୀ ସମାଜରେ ଶ୍ରମ-ଶୋଷଣର ବିଲୋପ ଘଟେ ସତ୍ୟ, ଶ୍ରମ ସେଥିରେ କମ ଦୁଃଖଜନକ ହେଲେ ବି ଦୁଃଖଶୂନ୍ୟ ନୁହେଁ । କାରଣ, ତାହା ଅପରିହାର୍ଯ୍ୟ । ଲୋକ ଶ୍ରମ କରିବାକୁ ବାଧ୍ୟ । ସେ ଶ୍ରମ ଅନୁଯାୟୀ ଫଳ ପାଏ । ନିଜର ଇଚ୍ଛା ଓ ଆବଶ୍ୟକତା ଅନୁଯାୟୀ ସମସ୍ତ ଜିନିଷ ତାର ଲଭ୍ୟ ହୁଏ ନାହିଁ । ଏକ ଦିଗରେ ଅପରିହାର୍ଯ୍ୟତା, ଅନ୍ୟଦିଗରେ ନିଜର ଅବାଧ ବର୍ଦ୍ଧିଷ୍ଣୁ ଇଚ୍ଛାର ପୂରଣ ଲାଗି ପ୍ରାଚୁର୍ଯ୍ୟର ଅଭାବ—ଏହାଦ୍ୱାରା ତାର ସ୍ୱାଧୀନତା ସୀମାବଦ୍ଧ ଓ ଖଣ୍ଡିତ ହୁଏ-। କମ୍ୟୁନିଷ୍ଟ ସମାଜରେ ପ୍ରାଚୁର୍ଯ୍ୟ ଆସେ । ତାର ବର୍ଦ୍ଧିଷ୍ଣୁ ଇଚ୍ଛା ଓ ଆବଶ୍ୟକତା, କ୍ରମବର୍ଦ୍ଧିଷ୍ଣୁ ପ୍ରାଚୁର୍ଯ୍ୟ ଦ୍ୱାରା ହିଁ ପରିପୂର୍ଣ୍ଣ ହେବାରେ ଲାଗେ । ଅପରିହାର୍ଯ୍ୟ ଶ୍ରମର ଅବସାନ ଘଟେ-। ଶ୍ରମ ନିତ୍ୟକର୍ମ ଭଳି ଏକ ଅଭ୍ୟାସରେ ପରିଣତ ହୁଏ । ନିତ୍ୟକର୍ମ ଭଳି ଅପରିହାର୍ଯ୍ୟତାର ସ୍ୱୀକୃତି ହୁଏ ସ୍ୱାଧୀନତା । ସେହି ସମାଜରେ ମଣିଷ କାହାରି ତାଡ଼ନାରେ ଶ୍ରମ କରେ ନାହିଁ, ନିଜର ସ୍ୱାଧୀନତା, ତାର ମାନବିକତାର ଅଭିବ୍ୟକ୍ତି ଭାବରେ କର୍ମ କରେ । ଅପରିହାର୍ଯ୍ୟତା ଓ ସ୍ୱାଧୀନତାର ଯେପରି ସମନ୍ୱୟ ହୁଏ, ସେହିପରି ଶ୍ରମର ଅନ୍ୟ ନାମ ହୁଏ ‘ସୁଖ’, ତାହା ହୁଏ ଆନନ୍ଦ ଉପଭୋଗର ଆଧାର; ମାନବତ୍ୱର ବିମୁକ୍ତ ପ୍ରକାଶ । ଉତ୍ପାଦନର ପ୍ରାଚୁର୍ଯ୍ୟ ହେତୁ ମନୁଷ୍ୟର ଅବାଧ ପ୍ରକାଶମାନ ଆଶା ଅକ୍ଲେଶରେ ତାର ଅବାଧ ଉପଭୋଗର ସକଳ ସାମଗ୍ରୀ ପାଏ । ଏତେବେଳେ, ଏପରିକି ସେ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶ୍ରମ ପାଖରେ ବନ୍ଧା ହୋଇପଡ଼େ ନାହିଁ । ଅର୍ଥାତ୍‌, ଶ୍ରମ ବିଭାଗର ଅବସାନ ହୁଏ । ପୁଞ୍ଜିବାଦର ଅବସାନରେ ସେ ବ୍ୟକ୍ତିଗତ ଶ୍ରମ-ମାଲିକ ପାଖରୁ ମୁକ୍ତ ହୋଇଥାଏ । କମ୍ୟୁନିଷ୍ଟ ସମାଜରେ ସେ ନିର୍ଦ୍ଦିଷ୍ଟ ବୃତ୍ତି ପାଖରୁ ମୁକ୍ତ ହୁଏ ।

 

ଏବେ ଚାଷୀ, ଓକିଲ, ଲେଖକ, ଚିତ୍ରକର ପ୍ରଭୃତି ବିଭିନ୍ନ ଶ୍ରେଣୀର ଲୋକେ ନିଜ ନିଜର ଜୀବିକା ଅର୍ଜନ ଲାଗି ଆପଣା ଆପଣା ବୃତ୍ତି ପାଖରେ ବନ୍ଧା । ଏହା ଫଳରେ ସେମାନେ ନିଜ ନିଜର ସ୍ୱାଧୀନତା ହରାଉଛନ୍ତି । ଏ ଅବସ୍ଥାର ବିଲୋପ ଘଟେ କମ୍ପ୍ୟୁନିଷ୍ଟ ସମାଜରେ । ସେମାନେ ମୁକ୍ତ ଓ ସ୍ୱାଧୀନ ହୁଅନ୍ତି । ଶ୍ରମ ହୁଏ ସ୍ୱେଚ୍ଛାପ୍ରଣୋଦିତ, ପ୍ରତ୍ୟେକର ରୁଚି ଓ ଅଭିଳାଷ ଅନୁଯାୟୀ ପ୍ରସାରିତ । ମାର୍କସ୍‌ ଏହାକୁ ଲକ୍ଷ୍ୟକରି କହିଛନ୍ତି—

 

‘‘He is a honter, a fisherman, a shepherd or a critical critic and muet remain so if he does not want to lose his means of livelihood; which in Communist Society where no body has one exclusive sphere of activity but each one becomes acomplished in any branch he wishes, society regulates the general product on and thus makes it possible for me to do one thing today another tomorrow, to hunt in the morning, fish in the after-noon, rest cattle in the evening, criticis, after dinner, just I have mind without over becoming hunter, fisherman, shepherd and critic.’’

 

ଅର୍ଥାତ୍‌ ଜଣେ ଯଦି ନିଜର ଜୀବନଧାରଣ ଉପାୟ ହରାଇବାକୁ ନ ଚାହେଁ, ତେବେ ସେ ଶିକାରୀ ବା ମତ୍ସ୍ୟଜୀବୀ, ପଶୁପାଳନ ବା ସମାଲୋଚକ ହେବ ଏବଂ ହୋଇ ରହିଥିବ । କିନ୍ତୁ କମ୍ୟୁନିଷ୍ଟ ସମାଜରେ, ଯେଉଁଠି କୌଣସି ଲୋକର ଏକ ନିର୍ଦ୍ଦିଷ୍ଟ କର୍ମକ୍ଷେତ୍ର ନାହିଁ ଏବଂ ପ୍ରତ୍ୟେକ ଲୋକ ଚାହୁଁଥିବା ଯେକୌଣସି ଶ୍ରମରେ ଯେଉଁଠି ଦକ୍ଷତା କଲେ କରିପାରିବ ଏବଂ ଯେଉଁଠି ସମାଜ ଉତ୍ପାଦନକୁ ପରିଚାଳିତ କରିବ, ସେଠାରେ ବ୍ୟକ୍ତି ଲାଗି ଆଜି ଏକ କାମ, କାଲି ଆଉ ଏକ କାମ କରିବା ସମ୍ଭବପର ହେବ—ସକାଳେ ଶୀକାର କରିବା, ମଧ୍ୟାହ୍ନରେ ମାଛ ଧରିବା, ସନ୍ଧ୍ୟାରେ ପଶୁ ପାଳିବା ଓ ରାତ୍ରିରେ ଭୋଜନ ପରେ ସମାଲୋଚକ ହେବା—ଶିକାରୀ, ମତ୍ସ୍ୟଜୀବୀ, ପଶୁପାଳକ ଓ ସମାଲୋଚକ ନ ହୋଇ ମଧ୍ୟ ଜଣେ ଏହା ସ୍ୱଇଚ୍ଛାରେ କରିପାରିବ ।

 

ଏତିକିବେଳେ ଏଇ ଅବସ୍ଥାରେ ଆସିବ ପୂର୍ଣ୍ଣ ସ୍ୱାଧୀନତା । ଲୋକ ନିଜର ଜୀବନ ରକ୍ଷାଲାଗି କୌଣସି ଏକ ନିର୍ଦ୍ଦିଷ୍ଟ ଶ୍ରମ ବା ବୃତ୍ତି ପାଖରେ ବନ୍ଧା ହେବ ନାହିଁ । ପୂର୍ବରୁ ବ୍ୟକ୍ତିବିଶେଷ ନିକଟରେ ବନ୍ଧା ହୋଇ ପଡ଼ିରହିଥିବାରୁ ମୁକ୍ତି ପାଇଥିଲା, ବର୍ତ୍ତମାନ ନିର୍ଦ୍ଦିଷ୍ଟ ବୃତ୍ତିଠାରୁ ମୁକ୍ତହେବ । ଏଣୁ, ତାର ଅନ୍ତର୍ନିହିତ ରୁଚି, ଅଭିଳାଷ ଓ ଲିପ୍‌ସାର ଅବାଧ ଅଭିବ୍ୟକ୍ତି ଘଟିବ ଏବଂ ଏତେବେଳେ ବନ୍ଧନମୁକ୍ତ ମଣିଷର ଶ୍ରମ ଜୀବନଧର୍ମୀ ନ ହୋଇ ପ୍ରକାଶଧର୍ମୀ ହେବ ।

 

ଏଇ ହେଲା ମାର୍କସ୍‌ବାଦ ଓ ପୁଞ୍ଜିବାଦର, ଋଷ ଓ ଆମେରିକାର ଦୁଇଟି ଦିଗ୍‌ଦର୍ଶନରେ ପାର୍ଥକ୍ୟ । ଗୋଟିଏ ଚାହେଁ, ଶ୍ରମର ଶୋଷଣ ଓ ଶ୍ରମର ବିଭାଗକୁ ସମସ୍ତ ଶକ୍ତି ଦେଇ ଯେକୌଣସି ପ୍ରକାରେ ସୁରକ୍ଷିତ କରିବ, ସେଥିଲାଗି ଶାସନ, ଷଡ଼ଯନ୍ତ୍ର ଓ ଯୁଦ୍ଧର ନାରକୀୟ ଲୀଳା ସୃଷ୍ଟି କରିବ, ସ୍ୱାଧୀନତାକୁ ଖର୍ବ କରିବ । ଅନ୍ୟଟି ଚାହେଁ, ସେ ସବୁର ବିଲୋପ—ଶୋଷଣ ଓ ଅତ୍ୟାଚାରରୁ ମଣିଷକୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିବ, ସ୍ୱାଧୀନତାର କ୍ରମାଗତ ବିକାଶ ଆଣିବ, ସେ ଦିଗରେ ଅବିଶ୍ରାନ୍ତ ଅଗ୍ରଗତି ସାଧିବ, ସେଇ ଅଗ୍ରଗତି ପଥରେ ଥିବା ସମସ୍ତ ପ୍ରତିବନ୍ଧକ ଧ୍ୱଂସ କରିଦେବ । ଗୋଟିକର ଦିଗନ୍ତ ଅନ୍ଧ, ସ୍ଥାଣୁ ଓ ମୃତ-ତାହା ମୃତ୍ୟୁକୁ ହିଁ ଆହ୍ୱାନ କରେ; ଅନ୍ୟଟିର ଦିଗନ୍ତ ଉନ୍‌ମୁକ୍ତ, ଗତିଶୀଳ ଓ ଜୀବନ୍ତ । ତାର ଅଗ୍ରଗତି ଏହି ଦୂର ଉଜ୍ଜଳ ଦିଗନ୍ତର ଆଲୋକରେ ଆଲୋକିତ । ଏହା ହିଁ ଜୀବନକୁ ଆଶ୍ରୟ କରେ । ଦୁଃଖର କଥା, ଏବେ ଲେଖକ ଆଲୋକ ଛାଡ଼ି ଅନ୍ଧାରର, ଜୀବନ ଛାଡ଼ି ମୃତ୍ୟୁର, ପ୍ରଗତି ଛାଡ଼ି ପ୍ରତିକ୍ରିୟାର, ପକ୍ଷପାତୀ । ଏଭଳି ପକ୍ଷପାତିତ୍ୱ ସ୍ୱାର୍ଥାନ୍ୱେଷୀ ରାଜନୈତିକ ବ୍ୟକ୍ତିବିଶେଷଙ୍କର ଲକ୍ଷ୍ୟ ହୋଇପାରେ, କିନ୍ତୁ ନୀଚ ସଂକୀର୍ତ୍ତନତାର ଉର୍ଦ୍ଧ୍ୱରେ ରହି ମାନବିକତାର ମହାନ ଉଦ୍‌ବୋଧନ ଦେବାର ଅଧିକାର ଦାବୀ କରୁଥିବା କୌଣସି ସାହିତ୍ୟିକଙ୍କ ପକ୍ଷରେ ଆଦୌ ସଙ୍ଗତ ଓ ଶୋଭନୀୟ ନୁହେଁ ।

 

ଯେଉଁ କବିଙ୍କର କବିତା ଦିନେ ପ୍ରତିକ୍ରିୟା ବିରୁଦ୍ଧରେ ସଂଗ୍ରାମର ଆହ୍ୱାନ ଦେଉଥିଲା, ଶୋଷଣ, ନିର୍ଯ୍ୟାତନ ବିରୁଦ୍ଧରେ ମୁକ୍ତି ସକାଶେ ସଂଗ୍ରାମର ପ୍ରେରଣା ଯୋଗାଉଥିଲା, ତାଙ୍କର ଆଜି ଏ ପ୍ରକାର ଦିଗ୍‌ଦର୍ଶନ କାହିଁକି ? ଏହାର ପରିଣତି ବା କଣ ? ସେ ଏହାର ପରିଣତି ପ୍ରତି ସଚେତନ ନା ଅଚେତନ ? ସେହି ପୁସ୍ତକରେ ଥିବା ତାଙ୍କର ‘‘ସ୍ୱାଗତ’’ କବିତାରେ ସେ ନିଜେ ନିଜକୁ କହୁଛନ୍ତି—

 

X X X

 

ତେଣୁ ମୁଁ ତ ଭଗ୍ନଜାନୁ, ଖସିପଡ଼େ ମୋର ରାଇଫ୍‌ଲ

ଉଠାଇପାରେ ନା ଆଉ ଗାଣ୍ଡୀବ ଯେ ହାତ ଥରଥର,

ହେ ମୋର ଶେଷ ବିହ୍ନ ! ସଂଗ୍ରାମର ଶୁଭ୍ର କ୍ଷତସବୁ !

ତୁମେ ମୋତେ ଶାନ୍ତି ଦିଅ, ଦିଅ ନିଦ୍ରା,

ଟାଣିଦିଅ ତୁମ ମାୟାତମ୍ବୁ ।

 

X X X

 

ଏ ମୋର ବିକଳ୍ପ ସତ୍ତା, ଯେବେ ନିଆଁଗାଡ଼େ

ଆପଣାକୁ ପ୍ରଦକ୍ଷିଣ କରେ,

ଜ୍ୱଳନ୍ତ ବିଷୁବ ଘରେ ଶରୀର ଭେଦରେ

ମୁଁ କାହିଁକି ମୋତେ ଭୟ କରେ ?

ମୁଁ କାହିଁକି ଡରେ ମୋ ପ୍ରେତରେ ?

ପୁଣି କିଆଁ ମୁଁ ନିଆଁରେ ଖେଳେ ?

ମୋ ହାଡ଼ରେ ଗଢ଼ା ପଶାକାଠି ମୁଁ ଗଡ଼ାଇ

ଚାହେଁ କିସ ଦୋ-ମୁହାଁ ଆଶାରେ ?

 

X X X

 

ବିଦଗ୍‌ଧ ପ୍ରାନ୍ତରେ ବସି ପୋଡ଼ାମାଟି ସିଝା ବିଲେ

ଜଳା ଘାସେ କିଆଁ—

ବୁଣିବାରେ ସ୍ୱପ୍ନ ଦେଖେ ନୂଆ ବିହନର

କେବେ ପୁଣି ସେ ଅଖିତୃତୀୟା ?’’

 

ଓଃ, କି ଦୁର୍ବିସହ ଯନ୍ତ୍ରଣା; କବିଙ୍କୁ କି ହତାଶାର କି ନୈରାଶ୍ୟର ଗହ୍ୱରରେ ନିକ୍ଷେପ ନ କରିଛି ! ସେ ଆଜି ଭଗଜାନୁ, ହାତ ତାଙ୍କର ଥର ଥର, ରାଇଫଲ ଉଠାଇବାକୁ ଅସମର୍ଥ; ନିଦ୍ରାର ଆଶ୍ରୟପ୍ରାର୍ଥୀ, ନିଜର ଅତୀତ ପ୍ରତି ଭୟଭୀତ, ଆଉ ନିଜ ହାଡ଼ର ପଶାକାଠି ଧରି ସେ ଏବେ ଚାଲିଛନ୍ତି ଦୋମୁହାଁ ଆଶାରେ । ସେ ଦିଗ୍‌ଦର୍ଶନର କି ଭୟାନକ ଦୁଃଖଦାୟକ ପରିଣତି ! ଏହା କବିଙ୍କର ମାନବିକ ସତ୍ତାକୁ ମଧ୍ୟ ମନ୍ଥି, ଚିପୁଡ଼ି, ନିଗାଡ଼ିଦେଇଛି । ଏବେ ସେ ଯେଉଁ ଦିଗ୍‍ଦର୍ଶନ ବୁଣିବାରେ ସ୍ୱପ୍ନ ଦେଖନ୍ତି, ତାହା ଏତେଦୂର ପୋଚା, ପୋଡ଼ା ଓ ଘୂଣଯୁକ୍ତ ଯେ, ଶତ ଶତ ଅଖିତୃତୀୟା ଆସିଲେ ବି ସୃଷ୍ଟିର ସୂଚନା ଦେବ ନାହିଁ । ପ୍ରତିକ୍ରିୟାଶୀଳ ମତାଦର୍ଶକୁ ଆଧାର କରି କେହି ନିଜକୁ ଅନୁପ୍ରାଣିତ କି ମାନବ ଜୀବନକୁ ଉଜ୍ଜୀବିତ କରିଛି କି ?

 

‘ମୁକ୍ତ ଜୀବନ’ ସଙ୍ଗକୁ ଲେଖକ ‘ମାନବତାବୋଧନ’ର ଆହ୍ୱାନ ଜଣାଇଛନ୍ତି । ‘ମାନବତା ବୋଧନ’ ମନୁଷ୍ୟ ସମାଜର ବିକାଶ ସହିତ ଜଡ଼ିତ । ସଭ୍ୟତାର ବିକାଶ ସହିତ ତାର ବିକାଶ । ଦିନ ଥିଲା କୁହାଯାଉଥିଲା—

 

‘‘ଗୋ ବ୍ରାହ୍ମଣେଭ୍ୟ ଶୁଭମସ୍ତୁ ନିତ୍ୟଂ,

ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ’’

 

ଆଜି ସେ ଗୋ ବ୍ରାହ୍ମଣ ନାହାନ୍ତି, ଆଉ ତାହା ସେହି ଲୋକମାନଙ୍କଠାରେ ସୀମାବଦ୍ଧ ନୁହେଁ । ସେମିତି ଯେଉଁ ମାନବତାର ରୂପ ଦିନେ (ଫରାସୀ ବିପ୍ଳବରେ) ସାମ୍ୟ, ମୁକ୍ତି ଓ ମୈତ୍ରୀ ମଧ୍ୟରେ ଆବଦ୍ଧ ଥିଲା, ତାହା ଆଜି ସେଇଠି ସୀମିତ ନାହିଁ । ସେହିପରି ବ୍ରିଟିଶ ଅମଳରେ ବା ଗଡ଼ଜାତ ଆନ୍ଦୋଳନ ବେଳେ ଯେଉଁ ମାନବତା ଚିତ୍ର ପ୍ରଚଳିତ ଥିଲା, ତାହା ଆଜି ଅଚଳ । ଅସଲ କଥା, ମନୁଷ୍ୟକୁ ଛାଡ଼ି ‘ମାନବତା’ ନାହିଁ ଆଉ ସମାଜକୁ ଛାଡ଼ି ମାନବ ନାହିଁ । ତେଣୁ, ସାମାଜିକ ପରିବର୍ତ୍ତନର ଆଭିମୁଖ୍ୟ ସହିତ ମାନବତାର ପରିବର୍ତ୍ତନ । ସମାଜରେ ମାନବିକତାର ପରିବେଶ ସୃଷ୍ଟି ନ କରି ‘ମାନବତା’ ପ୍ରତିଷ୍ଠା କରାଯାଇ ନ ପାରେ । ଏହାରି ଅଭାବରେ ଅତୀତରେ ସମସ୍ତ ମନୀଷୀ ମହାମାନବଙ୍କର ମାନବିକତାର ବାଣୀ ଶେଷରେ କେବଳ ବାଣୀରେ ହିଁ ରହିଯାଇଛି । କାରଣ, ମାନବିକତା ସ୍ଥାନ-କାଳହୀନ, ଦେଶ-ପ୍ରାଣହୀନ ଏକ ବିମୂର୍ତ୍ତି ଧାରଣା ନୁହେଁ । ତାହା ଏକ ବାସ୍ତବତା, ମଣିଷ ମଧ୍ୟରେ ମୂର୍ତ୍ତିମନ୍ତ ଯାହା ଏକ ନିର୍ଦ୍ଦିଷ୍ଟ କାଳରେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହାଡ଼ମାଂସ ଧରି ସଶରୀରେ ବିଦ୍ୟମାନ । ତେଣୁ, ବର୍ତ୍ତମାନ କ୍ଷେତ୍ରରେ ‘‘ମାନବତା ବୋଧନ’’ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଧାନ କର୍ତ୍ତବ୍ୟ ହେଉଛି—ଯେଉଁ ଅଗଣିତ ନିଷ୍ପେଷିତ ଜନସାଧାରଣ ମନୁଷ୍ୟତ୍ୱରୁ ବଞ୍ଚିତ ହୋଇ ମନୁଷ୍ୟ ଭଳି ବଞ୍ଚିବାକୁ ହିଁ ସଂଗ୍ରାମ କରୁଛନ୍ତି, ସେହି ଦିଗରେ ସମାଜକୁ ପରିବର୍ତ୍ତନ କରିବାରେ ଲାଗିଛନ୍ତି—ସେମାନଙ୍କର ସେଇ ସଂଗ୍ରାମରେ, ସମାଜ-ପରିବର୍ତ୍ତନ କାର୍ଯ୍ୟରେ ଅଂଶ ଗ୍ରହଣ କରିବା, ମାନବବିରୋଧୀ ସମସ୍ତ ଶକ୍ତି ଓ ମତକୁ ଅପସାରିତ କରିବା, ମାର୍କସବାଦୀ ଦିଗ୍‌ଦର୍ଶନକୁ ଗ୍ରହଣ କରିବା । ଲେଖକଙ୍କର ଦିଗ୍‌ଦର୍ଶନ ମାର୍କସ୍‍ବାଦକୁ ଆକ୍ରମଣ କରିବା ଦ୍ୱାରା ତାଙ୍କର ‘ମାନବତା ବୋଧନ’ର ଆଶ୍ରୟ ସ୍ଥଳ ହୋଇଛି ସାମ୍ରାଜ୍ୟବାଦୀଙ୍କ ‘ମୁକ୍ତ ଜୀବନ’ ।

 

କବିତା ଘେନି ଉକ୍ତ ପୁସ୍ତକରେ ‘ସମଗ୍ର ଜୀବନ’ ଓ ‘ପୂର୍ଣ୍ଣ ଜୀବନ’ର ଭାବ ଉପସ୍ଥାପିତ କରାଯାଇଛି । କୁହାଯାଇଛି, ‘ଆଧୁନିକ ଲକ୍ଷ୍ୟ ଆଧୁନିକତର’, ‘ବର୍ତ୍ତମାନ ଲକ୍ଷ୍ୟ ଭବିଷ୍ୟମାନ’ । ଏହା ସାଧାରଣ ଭାବେ ଉପରକୁ ଠିକ ବୋଲି ଜଣାପଡ଼ୁଥିଲେ ମଧ୍ୟ ତାକୁ ସେମିତି ଗ୍ରହଣ କରିଯିବା ନିରାପଦ ନୁହେଁ । କାରଣ, ସବୁ ‘ଆଧୁନିକତର’ ପ୍ରଗତିର ଲକ୍ଷଣ ନୁହେଁ । ଫାସିଷ୍ଟବାଦ ସାମ୍ୟବାଦର ଅପେକ୍ଷା ଆହୁରି ଆଧୁନିକତର ଥିଲା । ବର୍ତ୍ତମାନ ଏଇ ‘ମୁକ୍ତ ଜୀବନ’ର ଦୁଆ ଆହୁରି ଆଧୁନିକତର । ତା’ବୋଲି ଏହାକୁ କଣ ଗ୍ରହଣ କରାଯାଇପାରେ ? ଏପ୍ରକାର ସରଳ ଉକ୍ତି ବିଭ୍ରାନ୍ତିକର । କାରଣ, ପାଶବିକତା ମଧ୍ୟ ଆଧୁନିକତା ରୂପରେ ପ୍ରକଟିତ ହୁଏ । ତେବେ ତାହା କଣ ମାନବିକତାର ପରିଚାୟକ ହେବ ? ତୁହାଇ ତୁହାଇ ପୁଟ ଦେଲେ କଣ ଲୁହା ସୁନା ହୁଏ ?

ଏବେ ‘ସମଗ୍ର ଜୀବନ’ ଓ ପୂର୍ଣ୍ଣ ଜୀବନ’ ସମ୍ପର୍କରେ ଲେଖକଙ୍କ ବକ୍ତବ୍ୟ ଲକ୍ଷ୍ୟ କରାଯାଉ । ‘‘ଆଜିର କବିତା ଜୀବନର ଭଗ୍ନାଂଶକୁ ନେଇ ଗଢ଼ି ଉଠି ନାହିଁ, ସହସ୍ରଦଳ ପଦ୍ମ ତା’ର ଆଧାର । ଜୀବନର କୌଣସି ଏକ ଅଂଶ—ଧର୍ମ, ଈଶ୍ୱରପ୍ରେମ, ମାନବପ୍ରେମ, ଆଶା, ନିରାଶା, ସଂଗ୍ରାମ, ପ୍ରତିଯୋଗିତା, ପ୍ରଣୟ—ତାହା ଯେତେ ରୋମାଞ୍ଚକର ହେଉ ନା କାହିଁକି, ଆଧୁନିକ କବିତାକୁ ଆଉ ପୂର୍ଣ୍ଣ ସନ୍ତୋଷ ଦେଇପାରୁ ନାହିଁ । ସମଗ୍ର ଜୀବନ ଓ ସଂପୂର୍ଣ୍ଣ ମନୁଷ୍ୟକୁ ନେଇ ଆଜି କବିତାର କାରବାର......’’

‘‘ଜୀବନର କୌଣସି ଦିଗ, ତାର ନାଗରିକ, ଆର୍ଥନୀତିକ, ରାଷ୍ଟ୍ରିକ ବା ସାମାଜିକ ପରିବେଶ କିମ୍ବା ଅନ୍ତର୍ମାନବ ସଂପର୍କ କିଛି ଆଉ କବିତାର ଧରାଛୁଆଁର ବାହାରେ ନୁହେଁ । ରାସ୍ତାର ଡଷ୍ଟବିନ୍‌ଠାରୁ ଓ ଲାଇଟ-ପୋଷ୍ଟଠାରୁ ଆରମ୍ଭ କରି ଆକାଶର ଏରୋପ୍ଲେନ ପର୍ଯ୍ୟନ୍ତ ପୁଣି ବଗିଚାର ଯୂଇଚାମେଲିଠାରୁ ଆରମ୍ଭ କରି କାରଖାନାର ଚିମିନି ପର୍ଯ୍ୟନ୍ତ ପୁଣି କବି, ଦାର୍ଶନିକ, ଚିତ୍ରକର, ଡାକ୍ତର, ଶ୍ରମିକ, କୃଷକ, ଛାତ୍ରଛାତ୍ରୀ, ନାବିକ, ଧାତ୍ରୀ, ଇଞ୍ଜିନିଅର, ସୈନିକ, ମଧ୍ୟବିତ୍ତ ବୁଦ୍ଧିଜୀବୀ, ସୌଦାଗରଠାରୁ ଆରମ୍ଭ କରି ସମାଜର ଉଚ୍ଚତମ ଓ ନିମ୍ନଶ୍ରେଣୀର ଅସଂଖ୍ୟ ପାତ୍ରପାତ୍ରୀ ଆଜି କାବ୍ୟର ପ୍ରେକ୍ଷାଗୃହର କୁଶୀଲବ । ସବୁରି ଭିତରେ କାବ୍ୟର ପ୍ରଚୁର ସମ୍ଭାର ପୂରିରହିଛି । ସମସ୍ତଙ୍କ ସ୍ଥାନ ସାହିତ୍ୟ ଓ କାବ୍ୟରେ ଅଛି । ସେହି ସମ୍ଭାବନାକୁ ମୂର୍ତ୍ତ କରିବାରେ ଯେପରି ଆଧୁନିକ ସାହିତ୍ୟ ଓ କାବ୍ୟର ସାର୍ଥକତା ନିର୍ଭର କରୁଛି ।’’

ସମାଜର ସମସ୍ତଙ୍କୁ, ସମସ୍ତ ଚିନ୍ତା ଓ କାର୍ଯ୍ୟକୁ, ବାସ୍ତବ ଜୀବନର ଅଭିବ୍ୟକ୍ତି ଓ ସକଳ ଦିଗକୁ ଘେନି ସାହିତ୍ୟ ନିଜର ସୃଷ୍ଟି ସର୍ଜନା କରିବ, ଏହା ଆଜି ସର୍ବବାଦୀସମ୍ମତ । ସମାଜର ଅଗ୍ରଗତି ସହିତ ଏହି ଚିନ୍ତାଧାରାର ପ୍ରସାର ଘଟୁଛି । ଯେଉଁ ସାହିତ୍ୟ ଦିନେ ରାଜା, ସମ୍ରାଟ ଓ ଭଗବାନଙ୍କ ଲୀଳାକୁ ଆପଣାର ଆଧାର କରିଥିଲା, ତାହା ଏବେ ସାଧାରଣ ଲୋକଙ୍କ ସ୍ତରକୁ ଓହ୍ଲାଇଆସୁଛି । ଏହି ସମଗ୍ରତା କେବଳ ସଂଖ୍ୟାଗତ ବିସ୍ତାର; ଏହା ସହିତ ତାର ଗୁଣଗତ ପରିବର୍ତ୍ତନ ହେବା ଉଚିତ ଏବଂ ଘଟିବା ସୁନିଶ୍ଚିତ । ଏହା ସାହିତ୍ୟରେ ପ୍ରତିଫଳିତ ହେଉଛି ଓ ହେବ । ଲେଖକଙ୍କ ଦିଗ୍‍ଦର୍ଶନର ଏହାହିଁ ମୌଳିକ ଅଭାବ । ସେଥିଲାଗି ପୂର୍ଣ୍ଣ ମାନବର ଧାରଣା କେବଳ ସମଗ୍ର ମାନବକୁ ଆଧାର କରିବାରେ ହିଁ ସୀମାବଦ୍ଧ । ତାହା ବ୍ୟକ୍ତି-ମାନବର ଓ ସାମାଜିକ-ମାନବର ଜୀବନକୁ ସଂପୂର୍ଣ୍ଣତାରେ ପରିଣତ କରୁନାହିଁ ବା ସେହି ଦିଗକୁ ଘେନି ଯାଉ ନାହିଁ । କାରଣ, ତାହା ମାନବର ସଂଖ୍ୟା ଦେଖିଛି, ଗୁଣ ଦେଖି ନାହିଁ । ମାନବିକତାର ଗଭୀର ପ୍ରଦେଶକୁ ତାହା ପ୍ରବେଶ କରିନାହିଁ । ଏ ସଂପର୍କରେ ସାମାନ୍ୟ ଆଲୋଚନା ଆବଶ୍ୟକ ।

ଉପରୋକ୍ତ ଦିଗ୍‌ଦର୍ଶନର ଉଦ୍ଦେଶ୍ୟ ହେଲା ସମସ୍ତ ବାସ୍ତବତାକୁ ପ୍ରତିଫଳିତ କରିବା, ଯେପରିକି କେହି ଜଣେ ବା କୌଣସି ଏକ ଶ୍ରେଣୀ ବା ମଣିଷ ମନର କୌଣସି ଗୋଟିଏହେଲେ ପ୍ରସ୍ଫୁଟନ, ସେଥିରୁ ବାଦ ନ ପଡ଼େ । ଏହି ବାସ୍ତବତାର ପ୍ରତିଫଳନ ସାହିତ୍ୟ ସୃଷ୍ଟିର ଲକ୍ଷ୍ୟ ନୁହେଁ । ଏହି ବାସ୍ତବତା ହେଲା ଉପାଦାନ, ଯାହାକୁ ସାହିତ୍ୟିକ ଆପାଣାର ଆତ୍ମଚେତନା ଦ୍ୱାରା ପରିମାର୍ଜିତ ଓ ପୁନର୍ଗଠନ କରି ନିଜର ଇପ୍‌ସିତ ଲକ୍ଷ୍ୟ ଅନୁଯାୟୀ ତାର ସୃଷ୍ଟି ନିର୍ମାଣ କରେ, ଠିକ୍‌ ଯେପରିକି କମାର, କୁମ୍ଭାର ଆଦି କାରିଗରଶ୍ରେଣୀ ଏହି ବାସ୍ତବ ପ୍ରାକୃତିକ ଉପାଦାନ ନେଇ ତାକୁ ଘଷିମାଜି, ଭାଙ୍ଗଗଢ଼ି ନିଜ ନିଜର ଇପ୍‌ସିତ ବସ୍ତୁ ଗଠନ କରନ୍ତି । ଏହା କରିବାକୁ ଯାଇ ସେମାନେ ପ୍ରତ୍ୟେକେ ପ୍ରକୃତି ଓ ବାସ୍ତବତା ସହିତ ସଂଘର୍ଷରେ ଆସନ୍ତି । ବିନା ସଂଘର୍ଷରେ ସୃଷ୍ଟି ନାହିଁ । ସାହିତ୍ୟ ମଧ୍ୟ ବାସ୍ତବତା ସହିତ ସେହିପରି ସଂଘର୍ଷରେ ଅବତୀର୍ଣ୍ଣ ହୁଏ । ପ୍ରଶ୍ନ ଉଠିପାରେ, ତାହା କେଉଁ ଇପ୍‌ସିତ ଲକ୍ଷ୍ୟ ନେଇ ଆପଣାର ସୃଷ୍ଟି ନିର୍ମାଣ କରିବ ? ଲେଖକଙ୍କ ଦିଗ୍‌ଦର୍ଶନ ଏ ବିଷୟରେ ସଂପୂର୍ଣ୍ଣ ନୀରବ । ତାଙ୍କ ଦିଗ୍‌ଦର୍ଶନ କେବଳ ସମଗ୍ର ବାସ୍ତବତାକୁ ପ୍ରକାଶ କରିବାରେହିଁ ଅଟକିଯାଇଛି । ତାକୁ ପୁନର୍ଗଠନ କରି ଏକ ନିର୍ଦ୍ଦିଷ୍ଟ ସୃଷ୍ଟିର ସୂଚନା ଦିଏ ନାହିଁ । ତେଣୁ, ତାର ସମଗ୍ରତା ଯେତେ ପ୍ରସାରିତ ହେଲେ ବି ଜୀବନକୁ ସମୃଦ୍ଧ ଓ ସଂପୂର୍ଣ୍ଣ କରୁନାହିଁ । ଜୀବନକୁ ସଂପୂର୍ଣ୍ଣ କରିବା ଅର୍ଥ, ବର୍ତ୍ତମାନ ପ୍ରଚଳିତ ଜୀବନ ବ୍ୟବସ୍ଥା, ତାର ଭିତ୍ତି, ଏ ସମାଜ ଓ ଏ ଚିନ୍ତାଧାରା—ଏଇ ଯାହାସବୁ ଜୀବନକୁ ଖଣ୍ଡିତ ଓ ବିକୃତ କରୁଛି, ତାକୁ ସବୁ ଆଘାତ କରିବା, ଧୂଳିସାତ କରିବା ଓ ତାରି ଭିତ୍ତିରେ ପୁନନିର୍ମାଣ କରିବା । କିନ୍ତୁ ଲେଖକଙ୍କ ଦିଗ୍‌ଦର୍ଶନର ଲକ୍ଷ୍ୟ ଠିକ୍‌ ଏହାର ବିପରୀତ । ଏଣୁ ଏହାର ସୁରକ୍ଷା ନୂତନ ସୃଷ୍ଟିର ନିର୍ମାଣ ନୁହେଁ ।

 

ବ୍ୟକ୍ତିମାନବ ସମଗ୍ରତାର ଏକ କ୍ଷୁଦ୍ର ଅଂଶ; ଏ ବିରାଟ ସମାଜର ଅତି ନଗଣ୍ୟ ଅଙ୍ଗ । ତାର ପରିସର ଅତି ସଂକୀର୍ଣ୍ଣ । ତେଣୁ, ଖଣ୍ଡିତ ‘ମୁଁ’ ମଧ୍ୟରେ ଆବଦ୍ଧ । ଏହି ଭଗ୍ନାଂଶକୁ ସଂପୂର୍ଣ୍ଣ କରିବାକୁ ହେଲେ ତା’ର ସେ ସଂକୀର୍ଣ୍ଣତା ଦୂର କରିବାକୁ ହେବ, ତାର କ୍ଷୁଦ୍ର ପରିସରକୁ ସମଗ୍ରତାର ସୁପ୍ରସାର ସହିତ ସାମିଲ କରିବାକୁ ପଡ଼ିବ । ଏହାର ଅର୍ଥ, ତାର ପୂର୍ଣ୍ଣତା ଆସିବ ସେତିକିବେଳେ ଯେତେବେଳେ କି ମନୁଷ୍ୟର ବ୍ୟକ୍ତିଗତ ସତ୍ତା ଓ ସାମାଜିକ ସତ୍ତାର ସମନ୍ୱୟ ସାଧିତ ହେବ । ଅନ୍ୟ ଅର୍ଥରେ କହିଲେ, ମନୁଷ୍ୟର ପ୍ରାକୃତିକ ସତ୍ତାର ଚରମ ବିକାଶ ସାଧିତ ହୋଇ ତାହା ସାମାଜିକ ସତ୍ତାରେ ସମ୍ମିଳିତ ହେବ । ଆଜିର ମାନବିକ ସତ୍ତା, ପ୍ରକୃତି, ସମାଜ, ରାଷ୍ଟ୍ର ଆଦି ପ୍ରତ୍ୟେକ ପ୍ରକାରର ବାଧା ଓ କଟକଣାର ପ୍ରତିବନ୍ଧକ ମଧ୍ୟରେ ଅବରୁଦ୍ଧ । ସେତେବେଳେ ଏହି ଅବରୁଦ୍ଧ ମାନବିକ ସତ୍ତା ହେବ ମୁକ୍ତ, ଲାଭ କରିବ ତାର ସ୍ୱସ୍ଥାନ ଏବଂ ହେବ ସଂପୂର୍ଣ୍ଣ ଓ ସ୍ୱାଧୀନ ।

 

ଏହି ପୂର୍ଣ୍ଣତା ପ୍ରାପ୍ତି ମନୁଷ୍ୟର ଅନ୍ତର୍ନିହତ କାମନା । ତାର ଜୀବନ ମଧ୍ୟ ତାକୁ ସେଇ ଦିଗକୁ ଘେନିଯାଏ । ସେ କେବେହେଲେ ସଂକୀର୍ଣ୍ଣ ‘ମୁଁ’ ମଧ୍ୟରେ ଆବଦ୍ଧ ହୋଇ ରହିବାରେ ସନ୍ତୁଷ୍ଟ ନୁହେଁ । ସେଥିଲାଗି ସେ ବାକ୍ୟ, ଉପନ୍ୟାସ, ନାଟକ, ସିନେମା ମେଳା ଓ ଯାତ୍ରାପର୍ବରେ ଅନ୍ୟ ଜୀବନ ସହିତ ମିଳିତ ହୋଇ ଆନନ୍ଦ ଓ ସନ୍ତୋଷ ଲାଭ କରିବାରେ ସଦାସର୍ବଦା ବ୍ୟଗ୍ର ଓ ବ୍ୟାକୁଳ-। ସେଥିଲାଗି ସେ ଅନ୍ୟମାନଙ୍କ ସହିତ ଆପଣାକୁ ସାମିଲ କରି ସାମୂହିକ ଲକ୍ଷ୍ୟ ପୂରଣପାଇଁ ସଂଗ୍ରାମ କରେ । ମନୁଷ୍ୟର ଇତିହାସ ମଧ୍ୟ ଏହାର ପ୍ରମାଣ । ତାହା କ୍ଷୁଦ୍ର ଜାତି, ଗୋଷ୍ଠୀ, ରାଜ୍ୟ ଓ ଦେଶର ସଂକୀର୍ଣ୍ଣତା ଭାଙ୍ଗି ସମଗ୍ର ପୃଥିବୀକୁ ଏକ କରିବା ଦିଗରେ ଧାବିତ । ଏହି ପ୍ରକ୍ରିୟା ମଧ୍ୟରେ ହିଁ ବିଶ୍ୱସାହିତ୍ୟର ତାର ରୂପ ଗ୍ରହଣ କରୁଛି । ତେଣୁ ପୂର୍ଣ୍ଣତାର ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ହେଲେ ଯେଉଁ ମତ, ଆଦର୍ଶ ଓ ଶକ୍ତି ଏହାର ପରିପୂରକ, ତାହା ଗ୍ରହଣ କରିବାକୁ ପଡ଼ିବ, ଆଉ ଯାହା ମନୁଷ୍ୟର ପୂର୍ଣ୍ଣତାପ୍ରାପ୍ତି ଦିଗରେ ପ୍ରତିବନ୍ଧକ, ତାର ପରିପନ୍ଥୀ, ତାକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ ।

 

ତେବେ ଏହି ପୂର୍ଣ୍ଣତାପ୍ରାପ୍ତିର ପ୍ରକୃତ ମାର୍ଗ କଣ ? ତାହା ଲାଭ ହେବ କେବେ ଓ କିପରି-? ଲେଖକଙ୍କ ଦିଗ୍‌ଦର୍ଶନ ଏ ସଂପର୍କରେ ଏକ ଅନ୍ଧ ଦିଗନ୍ତ । ତାହାର ଆଲୋଚନା ଅର୍ଥ, ସେହି ‘ମୁକ୍ତଜୀବନ’ର ଆତ୍ମହତ୍ୟା ! ଏଣୁ ତାଙ୍କର ଇଚ୍ଛାକୃତ ନୀରବତା !

 

‘ମୁଁ’ ଉପରକୁ ଯେତେ ପରିପୂର୍ଣ୍ଣ ଜଣାଗଲେ ବି ପ୍ରକୃତରେ ଖଣ୍ଡିତ, ପୂର୍ଣ୍ଣତାର ବିରୋଧୀ, ‘ମତେ’, ‘ମୋର’ ଆଦି ନୀଚ ସ୍ୱାର୍ଥର ପ୍ରତୀକ । ତାହା ବ୍ୟକ୍ତି ଓ ସମାଜ, ବ୍ୟଷ୍ଟି ଓ ସମଷ୍ଟି, ଭଗ୍ନାଂଶ ଓ ପୂର୍ଣ୍ଣାଂଶକୁ ଏକୀଭୂତ ଓ ପରିପୂର୍ଣ୍ଣ କରିବା ପରିବର୍ତ୍ତେ ସେସବୁର ମଧ୍ୟରେ ବିରୋଧିତା ସୃଷ୍ଟି କରେ, ସଂଘର୍ଷ ଆଣେ । କାରଣ, ‘ମୁଁ’ ବା ‘ବ୍ୟଷ୍ଟି’ ସମଷ୍ଟିର ସ୍ୱାର୍ଥକୁ ବଳି ଦେଇ ପୂର୍ଣ୍ଣତାର ଆକାଂକ୍ଷା ଘୋଷଣା କରେ । ତାହା ସେଦିଗରେ ଆପଣାକୁ ବିକାଶ କରିବାରେ ଯେତିକି ଅଗ୍ରସର ହୁଏ, ଆପଣାକୁ ‘ପୂର୍ଣ୍ଣ’ କରିବାରେ ସମାଜକୁ ଯେତିକି ଗ୍ରାସ କରେ, ସେତିକି ଆପଣାର ସଂକୀର୍ଣ୍ଣତାକୁ ପ୍ରକାଶ କରେ; ପୂର୍ଣ୍ଣତା ପାଖରୁ ଦୂରେଇଯାଏ । ଏହି ‘ମୁଁ’, ‘ମତେ’ ଓ ‘ମୋର’ର ମୂଳଭିତ୍ତି ହେଲା ବ୍ୟକ୍ତିଗତ ସଂପତ୍ତି । ତା’ରି ଅପହରଣ, ଅଭିବୃଦ୍ଧିର ପିପାସା ଓ ସେହି ପିପାସାର ଭୌତିକ ଭିତ୍ତି ଥିଲାପର୍ଯ୍ୟନ୍ତ ପୂର୍ଣ୍ଣତାପ୍ରାପ୍ତି ଅସମ୍ଭବ ।

ଏହି ବ୍ୟକ୍ତିଗତ ସଂପତ୍ତି ପୂର୍ଣ୍ଣତା ବିରୁଦ୍ଧରେ ଏକ ସ୍ୱତନ୍ତ୍ର ସତ୍ତା ଭାବେ ବିଦ୍ୟମାନ; ମାନସିକ କ୍ଷେତ୍ରରେ ଆତ୍ମବଡ଼ିମା, ଅହଂଭାବ; ଈର୍ଷା, ଦ୍ୱେଷ ଇତ୍ୟାଦିକୁ ପ୍ରତିଫଳିତ କରେ । ମନୁଷ୍ୟର ସମସ୍ତ ସଫଳତା ପଛରେ ‘ମୋର’ ଭାବ ମନୁଷ୍ୟକୁ ଯେପରି ଖଣ୍ଡିତ ଓ ସଂକୀର୍ଣ୍ଣ କରି ଦେଇଛି, ତଦ୍ଦ୍ୱାରା ଅନ୍ୟ ଦିଗରେ ‘ପୂର୍ଣ୍ଣତା’ ମଧ୍ୟ ଖଣ୍ଡିତ ଓ ସଂକୀର୍ଣ୍ଣ ହୋଇ ଯାଇଛି । ତେଣୁ ପ୍ରକୃତ, ସମାଜ ଆଉ ସମଷ୍ଟି, ପ୍ରତ୍ୟେକ ବ୍ୟକ୍ତି ଓ ବ୍ୟଷ୍ଟିର ପୂର୍ଣ୍ଣ ବିକାଶକୁ ପ୍ରତିଫଳିତ କରନ୍ତି ନାହିଁ, ନିଜେ ଖଣ୍ଡିତ ଓ ସଂକୀର୍ଣ୍ଣ ଥିବାରୁ ମଣିଷର ପୂର୍ଣ୍ଣ ବିକାଶକୁ ବାଧା ଦିଅନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତି, ସମାଜ ଓ ସମଷ୍ଟିଠାରୁ ଯାହା ଆଶାକରେ, ନିଜର ଅବାଧ ବିକାଶ ଲାଗି ତାହା ପାଏ ନାହିଁ-। ଏହାକୁ ବିଶ୍ଲେଷଣ କରି ମାର୍କସ ଲେଖିଛନ୍ତି :—

“Man, much as he may therefore be a particular individual (and it is precisely his particularity Which makes him an individual, and a real individual social being),is just as much the totality-the ideal totality-the subjective existence of thougt and experienced society present for itself, just as he exists also in the real world as the awareness and thereal enjoyment of social existence, and as a totality of human life-activity.”

ଅର୍ଥାତ୍‌, ଏଥିରୁ ପ୍ରକାଶ ପାଏ, ଏହି ସମଷ୍ଟି, ଖଣ୍ଡିତ ଓ ସଂକୀର୍ଣ୍ଣ ଥିବାରୁ ନିଜର ପ୍ରକୃତ ସ୍ୱରୂପ ପ୍ରକାଶ କରି ସମଗ୍ରତା ବା ସାର୍ବଜନୀନତା ମଧ୍ୟରେ ପୂର୍ଣ୍ଣତା ଲାଭ କରିବାକୁ ସମର୍ଥ ନୁହେଁ । ମନୁଷ୍ୟର ବାହ୍ୟ ଜଗତ, ଅନ୍ୟ ଅର୍ଥରେ ମନୁଷ୍ୟର ଜଗତ, ମନୁଷ୍ୟର କର୍ମ, ଅନୁଭୂତି ଓ ଶକ୍ତି ଅନୁଯାୟୀ ରୂପ ନିଏ । ପୂର୍ଣ୍ଣତା ଦିଗରେ ତାର ଗତି । କେବଳ ମାନବିକ ଜୀବନକର୍ମର ସମଗ୍ରତା ଦ୍ୱାରା ପ୍ରକୃତ ବ୍ୟକ୍ତିଗତ ସତ୍ତା, ସାମାଜିକ ସତ୍ତା ଭାବେ ଆତ୍ମପ୍ରକାଶ କରିବ, ସାର୍ବଜନୀନତା ଲାଭ କରିବ । ଅର୍ଥାତ୍‌, ସମଗ୍ରତା ଗୁଣଗତ ପୂର୍ଣ୍ଣତା ଲାଭ କରିବ । ଅତଏବ, ପୂର୍ଣ୍ଣତା ଆସିବ ବ୍ୟକ୍ତିଗତ ସମ୍ପତ୍ତିର ଅବସାନ ଓ କମ୍ୟୁନିଜମର ପ୍ରତିଷ୍ଠାରେ । ମାର୍କସଙ୍କ ମତରେ—

“Communism as positive transcendence of private property, as human self-estrangement and as therefore as rea-! appropriation of human essence by and for man; Communism therefore; as the complete return of man to himself as a social being (i,e, human) a return became conscious and accomplished within entire wealth of previous development’’.

ବ୍ୟକ୍ତିଗତ ସମ୍ପତ୍ତିର ଅବସାନ—‘ମୁଁ’, ‘ମୋର’, ‘ମୋତେ’ର ଭୌତିକ ମାନସିକ ସୀମା ଅତିକ୍ରମ କଲା ପରେ କମ୍ୟୁନିଷ୍ଟ ସମାଜର ପ୍ରତିଷ୍ଠାରେ (ବାହ୍ୟ ଜଗତର ପରିବର୍ତ୍ତନ ଯୋଗୁଁ) ମନୁଷ୍ୟର ଅନ୍ତରିତତା ଲୋପ ପାଇବ । ମାର୍କସଙ୍କ ଭାଷାରେ—the reintegration or return of man to himself, transcendence of human self-aliennation’ ସମ୍ଭବ ହେବ । ମନୁଷ୍ୟ ନିଜ ମଧ୍ୟକୁ ଫେରିଆସିବ, ସଂପୂର୍ଣ୍ଣ ହେବ । ଏ କ୍ଷେତ୍ରରେ ସେ ହେବ ପ୍ରକୃତ ମୁକ୍ତ ଓ ପରିପୂର୍ଣ୍ଣ । ତାର କର୍ମ ହେବ ସ୍ୱତଃପ୍ରଣୋଦିତ ଆତ୍ମକର୍ମ, ତାର ଭୌତିକ ଅବସ୍ଥା ସ୍ୱତଃପ୍ରଣୋଦିତ କର୍ମ ଦ୍ୱାରା ‘ବ୍ୟକ୍ତି’କୁ ପରିଣତ କରିବ ପୂର୍ଣ୍ଣ ମାନବରେ । ମାର୍କସଙ୍କ ଭାଷାରେ—‘‘Only at this stage dose self-activity coincide with material life which corresponds to the development of the individual into complete individual.’’

ଏ ସମାଜରେ ବ୍ୟକ୍ତି ମାନବର ସ୍ୱାଧୀନତା ଓ ସାମାଜିକ ସ୍ୱାଧୀନତା, ବ୍ୟକ୍ତି ମାନବର ବିକାଶ ଓ ସାମାଜିକ ବିକାଶ, ବ୍ୟକ୍ତିମାନବର ପୂର୍ଣ୍ଣତା ଓ ସାମାଜିକ ପୂର୍ଣ୍ଣତାର ସମନ୍ୱୟ ଘଟିବ । ବ୍ୟଷ୍ଟି ଓ ସମଷ୍ଟିର କଲ୍ୟାଣ ହେବ—ଏକ ଓ ସମାନ । ଏହାରି ସ୍ୱପ୍ନ ଦେଖି ମାର୍କସ ‘‘କମ୍ୟୁନିଷ୍ଟ ଇସ୍ତାହାର’’ରେ କହିଛନ୍ତି—‘‘we shall have an association in which the freedom of each is precondition for the freedom of all’’

ଅତଏବ ଏଇଠାରେ ପୂର୍ଣ୍ଣ ସ୍ୱାଧୀନତା, ପୂର୍ଣ୍ଣମାନବ ଓ ମାନବତାବୋଧ—ଏ ସମସ୍ତେ ନିଜ ନିଜର ସମସ୍ତ ଶକ୍ତି ଓ ସମ୍ଭାର ନେଇ ଆତ୍ମପ୍ରକାଶ କରିବେ । ଏହା ମାନବର କେବଳ ଇପ୍‌ସିତ ଲକ୍ଷ୍ୟ ନୁହେଁ, ସମାଜର ଅପରିହାର୍ଯ୍ୟ ଗତି । ଆପଣାର ପରାକାଷ୍ଠା ପ୍ରତିପାଦିତ କରିବାକୁ ହେଲେ ସାହିତ୍ୟକୁ କେବଳ ନିଜର ରୂପ, ଗୁଣ ଓ ବୈଚିତ୍ର୍ୟର ବିଭବ ଦ୍ୱାରା ଏହାକୁ ବିମଣ୍ଡିତ ଓ ପ୍ରତିଫଳିତ କରିବାକୁ ହେବ ନାହିଁ, ଆତ୍ମଚେତନାର ପ୍ରେରଣା ଦ୍ୱାରା ଏହାର ଗତିସ୍ରୋତକୁ ପ୍ରଖର ଓ ପ୍ରଭାବିତ କରିବାକୁ ପଡ଼ିବ । ଏହାହିଁ ପୂର୍ଣ୍ଣ ଜୀବନର ଆଭିମୁଖ୍ୟ ।

ଲେଖକ କିନ୍ତୁ ପୂର୍ଣ୍ଣ ଜୀବନ ବିଷୟ ଉତ୍‌ଥାପନ କରିବା ସଙ୍ଗେ ସଙ୍ଗେ ତାକୁ ସାଙ୍ଗ କରିଦେଇଛନ୍ତି; ସେଦିଗରେ ପଦେ ହେଲେ ଅଗ୍ରସର ହୋଇନାହାନ୍ତି । କାରଣ, ସେ କାର୍ଯ୍ୟତଃ ପୂର୍ଣ୍ଣତାର ବିରୋଧୀ । ତାଙ୍କର ମୋଟ ଦିଗ୍‌ଦର୍ଶନ, ‘ମୁକ୍ତସମାଜ—ସେଇ ସମାଜରେ ଶୋଷଣ, ନିର୍ଯ୍ୟାତନା, ଯୁଦ୍ଧ, ହତ୍ୟା, ଶୋଷକ-ଶୋଷିତ ଇତ୍ୟାଦି ଇତ୍ୟାଦି ଯିଏ ଯାହା ଯେମିତି ଅଛନ୍ତି, ସିଏ ସେମିତି ଥାଆନ୍ତୁ; କେବଳ ସେସବୁର ଜୀବନ ସାହିତ୍ୟ ଓ କବିତାରେ ଫୁଟୁ; କିନ୍ତୁ ସେ ଜୀବନର ଆଉ ପରିବର୍ତ୍ତନ ନ ଘଟୁ ! ସେଭଳି ପରିବର୍ତ୍ତନ ଆଣିବା, ଯେପରିକି ସାହିତ୍ୟର ଲକ୍ଷ୍ୟ ବା କର୍ତ୍ତବ୍ୟ ନୁହେଁ ! ଏହାର ଅର୍ଥ, ସାହିତ୍ୟ ନିଜର ଆତ୍ମଚେତନାକୁ ବିସର୍ଜନ ଦେଇ ନବିସନ୍ଧା ଭଳି କେବଳ ସେସବୁକୁ ଲିପିବଦ୍ଧ କରୁଥିବ । କାରଣ, ଏହା ନ ହେଲେ ଯେ ‘ମୁକ୍ତସମାଜ’ର ବିଲୋପ ଘଟିବ ! ଲେଖକଙ୍କ ପକ୍ଷରେ ଏହା ଅସହ୍ୟ । କିନ୍ତୁ ଏହା ନ କରିବା ଦ୍ୱାରା ସାହିତ୍ୟ ଯେ ଲକ୍ଷ୍ୟଭ୍ରଷ୍ଟ ହେବ, ନିଜର ଆତ୍ମଚେତନା ହରାଇ ସ୍ଥାଣୁତ୍ୱକୁ ଆଶ୍ରା କରିବ, ଆଉ ସାହିତ୍ୟିକମାନେ ମାନବଚେତନାକୁ ଉନ୍ମୁକ୍ତ, ଉଦ୍‌ବୁଦ୍ଧ କରିବାରେ ନିରସ୍ତ୍ର ହେବେ—ଏହା ବରଂ ଲେଖକଙ୍କ ପକ୍ଷରେ ସହଣୀୟ, କିନ୍ତୁ ‘ମୁକ୍ତସମାଜ’ର ବିଲୋପ ନୁହେଁ । ଅତଏବ, ଲେଖକଙ୍କର ଦିଗ୍‌ଦର୍ଶନ ଯେପରି ବିଭ୍ରାନ୍ତିକର, ତା’ ଅପେକ୍ଷା ଅଧିକ ବିପଦ୍‌ଜନକ ।

 

ଉକ୍ତ ଦିଗ୍‌ଦର୍ଶନରେ ଲେଖକ ମାର୍କସ୍‌ବାଦୀ ସାହିତ୍ୟ ସମ୍ବନ୍ଧରେ ଲେଖିଛନ୍ତି–‘‘କବିତାରେ ପ୍ରଗତି କହିଲେ, ସେମାନେ କେବଳ ବୁର୍ଜୁଆମାନଙ୍କୁ ଗାଳିଦେବା ହିଁ ବୁଝନ୍ତି-। ତେଣୁ, ସେ ଦୃଷ୍ଟିରୁ ଏ ଦେଶରେ ମାର୍କସୀୟ କବିତା ଅତ୍ୟନ୍ତ ଅନଗ୍ରସର । ଏବେ ସୁଦ୍ଧା ରୋମାଣ୍ଟିକ ଶୈଶବ ଅତିକ୍ରମ କରିନାହିଁ ବୋଲି ସହଜରେ ରାୟ ଦେଇହେବ । ମନୁଷ୍ୟ ଯେ ଏକ ଅଦୃଷ୍ଟବାଦର (Determinisim) ସଖିକୁଣ୍ଢେଇ ନୁହେଁ, ସେ ଯେ ଏକ ଜୀବନ୍ତ ଅସ୍ତିତ୍ୱ, ନିଜର ପରିବେଶକୁ ବଦଳାଇବା ସଙ୍ଗେ ସଙ୍ଗେ ସେ ଯେ ନାନା ଭାବରେ ନବ ନବ ରୂପରେ ରୂପାନ୍ତରିତ ହୋଇଯାଉଛି ଓ ସେ ରୂପାନ୍ତରର ଚେହେରା କେତେବେଳେ କିପରି ଆକାର ଧାରଣ କରୁଛି, ମାର୍କସ୍‌ବାଦର ଏଇ ମୂଳ ଧାରଣା ଓ ସାଧନାର କୌଣସି ପରିଚୟ ମିଳେ ନାହିଁ । ସାହିତ୍ୟ ଅର୍ଥ ସେମାନେ ପ୍ରୋପାଗଣ୍ଡା ହିଁ ବୁଝନ୍ତି ।’’

 

କାରଣ ଯାହା ହେଉ ପଛେ ଭାରତରେ ମାର୍କସ୍‌ବାଦୀ ସାହିତ୍ୟ ଯେ ଅନଗ୍ରସର, ବିଶେଷକରି— ଓଡ଼ିଶାରେ ଏଥିରେ ସନ୍ଦେହ ନାହିଁ । ତାର ସଦ୍ୟ ଦୃଷ୍ଟାନ୍ତ ଲେଖକଙ୍କର ନିଜର ଏଇ ଲେଖା । ସେ ଏପରି ଏକ ପ୍ରତିକ୍ରିୟାଶୀଳ ଦିଗ୍‌ଦର୍ଶନ ବାଢ଼ିବାକୁ ସମର୍ଥ ହୋଇଛନ୍ତି ଓ ତାର ପୁଣି କୌଣସି ସମାଲୋଚନା ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରକାଶିତ ହୋଇନାହିଁ । ଏହା ଠିକ୍‌ ଯେ, କେବଳ ଗାଳିଦେବାଟା ପ୍ରଗତି ନୁହେଁ କିନ୍ତୁ ଭୁଲିଗଲେ ଚଳିବ ନାହିଁ ଯେ, ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ତାହା ଏକ ସାମାଜିକ ଆବଶ୍ୟକତା ଓ ପ୍ରଗତିର ଲକ୍ଷଣ ମଧ୍ୟ । ମାର୍କସ୍‌ବାଦ ଦୃଷ୍ଟିକୋଣରୁ ସେ ଗାଳିଟା ବା ଓଡ଼ିଶାରେ କାହିଁ ?

 

ଲେଖକ କହନ୍ତି, ମନୁଷ୍ୟ ନିଜର କାର୍ଯ୍ୟ ଦ୍ୱାରା ପରିବେଶକୁ ବଦଳାଇ ନିଜେ ରୂପାନ୍ତରିତ ହେଉଛି । ଏହା ମଧ୍ୟ ବହୁଦିନୁ ସର୍ବବାଦୀସମ୍ମତ । ତେଣୁ ତାଙ୍କ ମତରେ ମାର୍କସ୍‌ବାଦର ମୂଳ ଧାରଣା ହେଲା— ‘‘ସେ ରୂପାନ୍ତରର ଚେହେରା କେତେବେଳେ କି ଆକାର ଧାରଣ କରୁଛି,’’ ତାର ‘‘ପରିଚୟ’’ ଦେବା । ମୋଟରେ, ବାସ୍ତବତାକୁ ଠିକ୍‌ ଠିକ୍‌ ଭାବରେ ଉପସ୍ଥାପିତ ଓ ଅନୁସରଣ କରିବା । ଏହା ଖୁବ୍‌ ହେଲେ ବାସ୍ତବବାଦ, ମାର୍କସ୍‌ବାଦ ନୁହେଁ—ଅନ୍ୟ ଅର୍ଥରେ, ସାହିତ୍ୟ ରାଜ୍ୟରେ ସମାଜବାଦୀ ବାସ୍ତବବାଦ ନୁହେଁ । ଲେଖକଙ୍କର ରୂପାନ୍ତରର ପରିଚୟ ଦେବାର ମତ କେବଳ ବାସ୍ତବତାକୁ ଲିପିବଦ୍ଧ କରିବା, ତାକୁ ସମାଜବାଦୀ ଦୃଷ୍ଟିକୋଣରୁ ନିୟନ୍ତ୍ରଣ କରିବା ନୁହେଁ । ତେଣୁ, ତାହା ସେହି ପରିବର୍ତ୍ତନର ଅଦୃଷ୍ଟ ସ୍ରୋତର ଆପଣାକୁ ଭସାଇ ଦିଏ; ସଚେତନ ଭାବେ ସେ ପରିବର୍ତ୍ତନ ବା ଗତିପଥ ନିୟନ୍ତ୍ରଣ କରେ ନାହିଁ । ଶେଷରେ, ତାହା ସେହି ଅଦୃଷ୍ଟବାଦରେ ହିଁ ଆଶ୍ରୟ ନିଏ, ସଖିକୁଣ୍ଢେଇରେ ପରିଣତ ହୁଏ ।

 

କିନ୍ତୁ ସାହିତ୍ୟିକ କାର୍ଯ୍ୟତଃ ବାସ୍ତବତାକୁ କେବଳ ଆଲୋଚନା କରେ ନାହିଁ, ତାକୁ ରୂପ ଦେବାରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରେ । ସାହିତ୍ୟରେ ବାସ୍ତବତା, ମନୁଷ୍ୟ ଚେତନାଠାରୁ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାବେ ଦିବ୍ୟମାନ; କେବଳ ବାହ୍ୟ ଜଗତ ବା ଘଟଣାବଳୀ ନୁହେଁ । ତାହା ଲେଖକର ନିଜର ବିଚାର, ଅଭିଜ୍ଞତା ଓ ଉପଲବ୍‌ଧିର ମଧ୍ୟଦେଇ ଅସଂଖ୍ୟ ପ୍ରକାରର କ୍ରିୟା, ପ୍ରକ୍ରିୟା ବା ମିଥ-କ୍ରିୟା ଭିତରେ ଗତି କରେ; ସାହିତ୍ୟରେ ପ୍ରତିଫଳିତ ହେବା ପୂର୍ବରୁ ଲେଖକର ବ୍ୟକ୍ତିଗତ ଓ ସାମାଜିକ ଦୃଷ୍ଟିକୋଣ ଦ୍ୱାରା ପରିଲକ୍ଷିତ ଓ ଆତ୍ମଚେତନା ଦ୍ୱାରା ପରିମାର୍ଜିତ ହୋଇଥାଏ । ବାସ୍ତବତା ହୁଏ ବ୍ୟକ୍ତି ଓ ବାହ୍ୟ ଜଗତ ମଧ୍ୟରେ ସମସ୍ତ ସଂପର୍କରେ ସମଷ୍ଟି, ଯେଉଁଠି କି ବାହ୍ୟଜଗତର ଘଟଣାବଳୀ ସହିତ ମନୋଗତ ଭାବ, (Subjective) ଆଶା, ଅଭିଜ୍ଞତା, କଳ୍ପନା, ସ୍ୱପ୍ନ ଆଦି ସମ୍ମିଳିତ ହୁଏ । ତେଣୁ, ଏଇ ବାସ୍ତବତା ଲେଖକର ଚେତନା ଓ ଦୃଷ୍ଟିକୋଣ ଅନୁଯାୟୀ ସହିତ୍ୟରେ ପ୍ରତିଫଳିତ ହୁଏ ।

 

ସାହିତ୍ୟିକ କେବଳ ଏହାକୁ ପ୍ରତିଫଳିତ କରେ ନାହିଁ, ଏହାଦ୍ୱାରା ମଧ୍ୟ ବାସ୍ତବତାକୁ ପ୍ରଭାବିତ କରିଥାଏ । ଯେପରିକି, ଏଠାରେ ଲେଖକ ତାଙ୍କର ଦୃଷ୍ଟି ଓ ଚେତନା ଅନୁଯାୟୀ ପୁଞ୍ଜିବାଦୀ ଶୋଷଣ ଓ ବର୍ଣ୍ଣବିଦ୍ୱେଷର ସମାଜକୁ ମୁକ୍ତଜୀବନ ଭାବେ ପ୍ରଚାର କରିଛନ୍ତି । ଆଉ ତାଙ୍କର ଏଇ ଲେଖା ଦ୍ୱାରା ତାହାରି ସୁରକ୍ଷା ଚାହାନ୍ତି ଓ ସେଦିଗରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ଉଦ୍ୟମଶୀଳ । ଏଠି ତାଙ୍କର ସମସ୍ତ ପ୍ରକାର ସାହିତ୍ୟିକ ଆବରଣ ତଳେ ଏହାହିଁ ହେଲା ସୁସ୍ପଷ୍ଟ ଆଭିମୁଖ୍ୟ ।

 

ତେଣୁ ପରିବେଶ ପରିବର୍ତ୍ତନର ପ୍ରତିଫଳନ ମାର୍କସ୍‍ବାଦ ନୁହେଁ । ଏହି ପ୍ରତିଫଳନ ଦୃଷ୍ଟିଭଙ୍ଗୀ ଅନୁଯାୟୀ ପ୍ରତିକ୍ରିୟାଶୀଳ ଓ ପ୍ରଗତିଶୀଳ ହୋଇପାରେ । ଲେଖକଙ୍କର ଦିଗ୍‌ଦର୍ଶନ ଓ ଏହି ଆଲୋଚନା ତାହାର ସହଜ ଦୃଷ୍ଟାନ୍ତ । ସାହିତ୍ୟରେ ସମାଜବାଦୀ ବାସ୍ତବତା ଦୃଷ୍ଟିରୁ ପରିବର୍ତ୍ତନର ବିଚାରଗତ ପ୍ରତିଫଳନ ହେଉଛି—ମାର୍କସବାଦୀ ବାସ୍ତବବାଦ । ଏ ବାସ୍ତବବାଦ କୌଣସି ଏକ ଶୈଳୀ ବା ପ୍ରଣାଳୀ ନୁହେଁ । ଏହା ଏକ ଦୃଷ୍ଟିକୋଣ । ସମାଜବାଦୀ ବାସ୍ତବବାଦ, ସର୍ବଶ୍ରେଷ୍ଠ ବାସ୍ତବ ପରମ୍ପରାର କ୍ରମାନ୍ୱୟ ଗତି ଓ ବିକାଶକୁ ଗ୍ରହଣ କରେ । ଜୀବନର ସତ୍ୟ ପ୍ରତି ତାହା ଅନୁରକ୍ତ । ତାହା କେବେ ନିରପେକ୍ଷ ନୁହେଁ । ତାହା ସଦା ସର୍ବଦା ଶ୍ରମଜୀବୀ ଜନସାଧାରଣଙ୍କ ସପକ୍ଷରେ । ସେମାନଙ୍କ ଜୀବନର ଗତି ଓ ଆଶାକୁ ରୂପ ଦେବା ସଙ୍ଗେ ସଙ୍ଗେ ସେହିମାନଙ୍କର ସେବା ଓ ସଂଗ୍ରାମରେ ଆପଣାକୁ ନିୟୋଜିତ କରେ । ସେଥିଯୋଗୁ ଶ୍ରମଜୀବୀ ଜନସାଧାରଣଙ୍କ ସହିତ ତାର ସମ୍ପର୍କ ଅତି ନିବିଡ଼ । ଐତିହାସିକ ଭାବେ ତାହା ସଦାସର୍ବଦା ଆଶାବାଦୀ । ତାହା କୌଣସି ପ୍ରକାର ନୈରାଶ୍ୟ ଓ ସଂକୀର୍ଣ୍ଣତାକୁ ପ୍ରଶ୍ରୟ ଦିଏ ନାହିଁ । ଆନ୍ତର୍ଜାତିକତା ତାର ଧର୍ମ । ତାର ଦୃଷ୍ଟିକୋଣ ବିଶ୍ୱ ଦୃଷ୍ଟିକୋଣ । ସର୍ବଶ୍ରେଷ୍ଠ କଳାଗତ ସୌନ୍ଦର୍ଯ୍ୟ ଓ ନୈପୁଣ୍ୟ ଆହରଣ ଦିଗରେ ସଦା ଉଦ୍‌ଯୋଗୀ । ଅତଏବ, ‘ରୂପାନ୍ତରର ଚେହେରା’କୁ କେବଳ ସେହିଭଳି ରୂପ ଦେବା ନୁହେଁ, ତାକୁ ଉପରୋକ୍ତ ଦୃଷ୍ଟିକୋଣରୁ ବିଚାରକରି ରୂପ ଦେବା ଓ ସେଥି ସଙ୍ଗେ ସଙ୍ଗେ ସେହି ନିର୍ଦ୍ଦିଷ୍ଟ ସମାଜବାଦୀ ମାନବିକତାର ଆଭିମୁଖ୍ୟ ଗ୍ରହଣ କରି ଅଗ୍ରସର ହେବା ବିଧେୟ । ଅର୍ଥାତ୍‌ ରୂପାନ୍ତର ସୃଷ୍ଟି କରିବାରେ ସଚେତନ ଅଂଶ ଗ୍ରହଣ କରିବା ହେଉଛି ସାହିତ୍ୟରେ ମାର୍କସବାଦୀ ଦୃଷ୍ଟିକୋଣ । ତାହା ମଣିଷର ସର୍ବଶ୍ରେଷ୍ଠ ଭାବର ଅଭିବ୍ୟକ୍ତି; ତାର ସର୍ବୋତ୍ତମ ଆଶା, ଆନନ୍ଦ ଓ ଆକାଂକ୍ଷାକୁ ରୂପାୟିତ କରିବାରେ ଏକମାତ୍ର ମାର୍ଗ ।

 

ଅଥଚ ଲେଖକଙ୍କ ମତରେ, ‘‘ମାର୍କସବାଦୀମାନେ ସାହିତ୍ୟ ଅର୍ଥ ପ୍ରୋପାଗଣ୍ଡା ହିଁ ବୁଝନ୍ତି-।’’ ଏହା କହି ଲେଖକ ବିଷୟଟିର ଗୁରୁତ୍ୱକୁ ସହଜରେ ଉଡ଼ାଇଦେବାର ଅପଚେଷ୍ଟା ହିଁ କରିଛନ୍ତି-। ମାର୍କସବାଦୀମାନେ ସାହିତ୍ୟ ବୋଇଲେ କଣ ବୁଝନ୍ତି ନ ବୁଝନ୍ତି, ତାହା ଯୁକ୍ତିର ବିଷୟ ନୁହେଁ-। ସାହିତ୍ୟରେ ମାର୍କସବାଦୀ ଚିନ୍ତାଧାରାର ପ୍ରକାଶ ହେଉଛି ତାର ପ୍ରମାଣ । ତେବେ ଲେଖକ ଏଠାରେ ସାହିତ୍ୟରେ ‘ପ୍ରୋପାଗଣ୍ଡା ନୁହେଁ’, ଦିଗ୍‌ଦର୍ଶନର ନିଜେ ଯେଉଁ ନିଦର୍ଶନ ବାଢ଼ିଛନ୍ତି, ତାହା ‘ଭଏସ ଅଫ ଆମେରିକା’ର ଓଡ଼ିଆ ସଂସ୍କରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ବିଷୟରେ ଲେଖକ ଯେ ଅଜ୍ଞ ବା ଅଚେତନ, ତାହା କହିବାର ଧୃଷ୍ଟତା ମୋର ନାହିଁ । କିନ୍ତୁ ତଥାପି ‘ରାମ ଲୋଲୁଭେ ମୃଗାୟ’-। କାରଣ ମୃଗ ମାୟା ହୋଇ ବି ସେ ଯେ ସୁବର୍ଣ୍ଣର ।

Image